Unknown

 

 

 

 

 

 

 

 

 

 

 

ହିଡ଼ମାଟି

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ପ୍ରେରଣା

 

ହିଡ଼ମାଟି ହିଡ଼ରେ ଦେଇ ବାଟ ଚାଲୁଥା’ ଛାତି ଫୁଲାଇ ରଜା ହୋଇ ମୋଡ଼ୁଥା ନିଶ ଆଉ କାହାକୁ ଡ଼ର୍ ଦାନାର୍ ଯୋଗାଡ଼୍‍ କର୍‍ରେ ଚାଷୀ କନାର୍ ଯୋଗାଡ଼୍ କର ।

 

–କାନ୍ତକବି ।

☆☆☆

 

କଲ୍ୟାଣୀୟାସୁ.....

 

ବୀଣା,

 

ଆଜି ତୋ ପାଳି । ତୋ ବାହାଘରକୁ ମୁଁ ସେଇ ଦୁଇଧାଡ଼ି କବିତା ଲେଖି ପଠାଇଥିଲି । ତୁ ଭାବିଥିବୁ କବିଙ୍କର କବିତା ଭଳି ଶସ୍ତା ଜିନିଷରେ ଭାଇ ଠକି ଦେଲେ । ତୁ କ’ଣ ବୁଝିବୁ କବିତା ଧାଡ଼ିଏ ଭିତରେ କେତେ ଆନ୍ତରିକତା ଥାଏ–ମୋର ଡର ହେଇଥିଲା ସେଦିନ ।

 

କିନ୍ତୁ ବିଭାଘର ପରେ ତୋର ପହିଲି ଚିଠି ଖଣ୍ଡ ସେ ଡର ମୋର ଭାଙ୍ଗି ଦେଇଛି । ତୁ ତା’ର ମୂଲ ବୁଝିଥିବୁ–ଆଉ ଏ ଉପନ୍ୟାସ ତୋତେ ଦେବାବେଳେ ସେଇ ଭରସା ମୁଁ ରଖିଚି ।

 

ତୁ ଲେଖିଥିଲୁ, ତୋ ଶାଶୂଘରେ ପାଠୋଇ ବୋହୂଙ୍କ ସମ୍ୱନ୍ଧରେ ଯେଉଁ ଧାରଣା ତୋର ଆଚରଣରେ ସେ ଧାରଣା ଭାଙ୍ଗି ଯାଇଛି । ତା’ ପରେ ପରେ ମୁଁ ଯେତେବେଳେ ଦେଖିଲି, ତୁ ପାଠପଢ଼ି ମଧ୍ୟ ଗୋଟିଏ ଚମତ୍କାର ମଧ୍ୟବିତ୍ତ ଗୃହିଣୀ–ରାନ୍ଧିବା ବାଢ଼ିବା ଆଦି ଘରର ସବୁ ଆଡ଼ତି ବଢ଼ାଇବାରେ ତୋର ନିପୁଣତା ମୋତେ ଆନନ୍ଦ ଦେଲା । ଏ ବହିଟି ତେଣୁ ତୋରି ପାଇବା କଥା । ନୁହେଁ ?

 

କାହିଁକି ଜାଣୁ । ସେ ବଡ଼ କରୁଣ କଥା । ମୋ ଜୀବନକୁ ମୁଁ ଗଢ଼ିଛି–ଗଢ଼ୁଛି ଟିକକ ସାମାନ୍ୟ ଆଭିଜାତ୍ୟ ମୋ ଶେଯରୁ ମୋ ଦେହରେ ମାଖି ହେଇଯାଇଛି ତାକୁ ଧୋଇ ଗୋଟିଏ ନିହାତି ନୁଖୁରା ଗରିବ ମଳିମୁଣ୍ଡିଆ ଆକାର ଦେବାକୁ । ଏ ଯୁଦ୍ଧରେ ମୁଁ ଯେ କ’ଣ ହରେଇଚି ଆଜି ସେ କଥା କହିଲେ ଛାତି ଫାଟି ପଡ଼ିବ । ନାକରୁ ରକ୍ତ ଝରି ପଡ଼ିବ ।

 

ତୁ ବଡ଼ଲୋକ ଝିଅ ଥିଲୁ–ପାଠ ପଢ଼ା ତୋ ବଂଶର ଆଭିଜାତ୍ୟ । ତୁ ଯେଉଁଠି ବିଭା ହେଲୁ ସେଠାର ଆଭିଜାତ୍ୟ ମଧ୍ୟ ତୋର ବାସ ଘରର ଅନୁରୂପ । କିନ୍ତୁ ତୋର ଶକ୍ତି ଅଛି ତୁ ସବୁ ଅବସ୍ଥାରେ ଆପଣାକୁ ସୁଖୀ କରିପାରୁ । ମୋର ଈର୍ଷା ହେଉଛି ତୋ ପ୍ରତି । କାରଣ ସେଥିପାଇଁ ମୋତେ ଯୁଦ୍ଧ କରିବାକୁ ପଡ଼ୁଛି ।

 

ସେଇ ଯୁଦ୍ଧରେ ମୁଁ କ’ଣ ହରାଇଲି ଜାଣିଛୁ ? କାନ୍ଦିବୁ ନାହିଁ ତ ? ହରେଇଛି ଅନେକ–ଆଉ ପାଇଛି ଯାହା–ଆଃ–ସେ ବି କହିବାର ନୁହେଁ ।

 

ଏହି ଶିକ୍ଷିତ ଅଭିଜାତ ଗୋଷ୍ଠୀ କେବଳ ଗରିବ ଅଶିକ୍ଷିତଙ୍କ ଦାନା ଶୋଷଣ କରନ୍ତି ନାହିଁ–ସେମାନେ ତାଙ୍କ ପ୍ରତି ବଦଳରେ ଯାହା ଦିଅନ୍ତି ସେ ଆହୁରି ନିର୍ମମ ।

 

ଦିନ ଆସିବ–ଏହାର ପ୍ରତିକ୍ରିୟା ହେବ । ନିଶ୍ଚିତ ହେବ । ହୁଏତ ଶିକ୍ଷିତ ଶୋଷଣ ଓ ଅଶିକ୍ଷିତ ଉତ୍ପାଦକଙ୍କ ଭିତରେ ଏକ ସଂଘର୍ଷ ହେଇପାରେ । ସେ ସଂଘର୍ଷର ଆଭାସ ମାତ୍ର ଦେଇଛି ଏ ଉପନ୍ୟାସରେ ।

 

ତୋ ଭଳି ପାଠୋଇ ଝିଅ ଯଦି ଏଇ ଗରିବଙ୍କ ଶ୍ରେଣୀକୁ ଖସି ଆସି, ଆଳସ୍ୟକୁ ମହତ୍ତ୍ୱ ଦେବା ବଦଳରେ ଶ୍ରମକୁହିଁ ସମ୍ମାନ ମନେ ନ କରନ୍ତି ତେବେ ଭବିଷ୍ୟତ୍ ସମାଜ ଯେ କେତେ କଦାକର ହେବ ତା’ର କଳ୍ପନା ମୁଁ କରିପାରୁ ନାହିଁ ।

 

ସେ ଅବସ୍ଥା ଭଗବାନ୍ କରନ୍ତୁ–ନ ଆସୁ । ସେଥିପାଇଁ ମୋର ସଂଗ୍ରାମ–ଖାଲି କଲମରେ ନୁହେଁ–କଳ୍ପନାରେ ନୁହେଁ–ଦେହରେ–କାମରେ ମଧ୍ୟ ।

 

ଏ ଯୁଦ୍ଧରେ ମୁଁ କେତେ ଲୋକଙ୍କର ସ୍ନେହ ହରେଇଛି–କେତେ ଭାଇ ଭଉଣୀ ମାଉସୀଙ୍କର ମମତା ହରେଇଛି–ସମାଜରେ ସମ୍ମାନ ହରାଇଛି–ରାଜନୀତିରେ ମର୍ଯ୍ୟାଦା ହରାଇଛି–କଳା ଓ ସାହିତ୍ୟର ତୂଳି ନ ହରାଇଲେ ମଧ୍ୟ ଶିଥିଳ ହେଇ ଆସୁଛି–ମନରେ ଶାନ୍ତି ହରାଇଛି–ସର୍ବଶେଷ ନ ହେଲେ ମଧ୍ୟ ସବୁଠାରୁ ଅତି ମର୍ମନ୍ତୁଦ ହେଇଛି–ମୋର ସ୍ୱାସ୍ଥ୍ୟ ହାନି । ବୋଧହୁଏ ପରମାୟୁ ମଧ୍ୟ କମିଯାଇଛି । ସମସ୍ତେ ଚିତ୍କାର କରି କହୁଛନ୍ତି–ଗରିବର–ଶ୍ରମଜୀବୀର ସ୍ଥାନ ନାହିଁ ସଂସାରରେ ।

 

ସବୁକୁ ହରାଇ ମୁଁ ପାଇଛି ରୁଗ୍‌ଣ ବାପା ଓ ଚିର ଦୁଃଖିନୀ ବାପା ମାଙ୍କର ଆଖିର ଲୁହ–ତମ ସମସ୍ତଙ୍କର ଅବମାନନା ଗରିବ ବୋଲି ।

 

ଆଉ ଗୋଟିଏ କଥା କହି ପାରିବି ନାହିଁ । କାରଣ ସମାଜ ତାକୁ ଭଲ ଆଖିରେ ନ ଦେଖି ପାରେ । ତଥାପି କହିଦେବି ବୋଲି ଲୋଭ ହେଉଛି । ଦୁନିଆ ଜାଣୁ–ଗରିବ ହେବାର ପାପ ମଣିଷକୁ କେଉଁ ରସାତଳକୁ ନିଏ–ଆଃ !

 

ଯିଏ ଦିନେ ମୋତେ ଏଇ ନିଃସଙ୍ଗ ଜୀବନର କୋମଳତା ନେଇ ହାତ ଧରି ଚାଲିବାକୁ ପ୍ରତିଜ୍ଞା କରିଥିଲା–ସେ ମୋତେ ଦେଇ ଯାଇଛି ଚିରଦିନ ମନେପକାଇବାକୁ–ଗୋଟାଏ ଅଣନିଃଶ୍ୱାସୀ ବିଶ୍ୱାସଘାତକତା । ସେ ବିଶ୍ୱାସରେ ବିଷ ଦେଇ ନାହିଁ–ଦେଇଛି ତା’ର ବଡ଼ଲୋକୀ–ଆଭିଜାତ୍ୟ । ମୋର ଦାରିଦ୍ର୍ୟତାକୁ ହାତ ପାତି ନେଇଛି ।

 

ଗରିବ ବଡ଼ଲୋକର ମେଳ ଅସମ୍ଭବ–ଅସମ୍ଭବ ବୀଣା । ମୁଁ ସ୍ନେହ ଦେଇ ମମତା ଦେଇ ବଡ଼ଲୋକଙ୍କୁ ମୋ ସ୍ତରକୁ ଖସାଇ ପାରିନାହିଁ । ପାରୁନାହିଁ । ତଥାପି ବେଳେବେଳେ ଆଶା ହେଉଛି-। ସେ ଆଶା ଯେମିତି ମରଣର ଅନ୍ଧାର ଭିତରେ ଯାଇ ମୋତେ ଭରସା ଦେଉଛି–ମୋର ସାଥୀ ହେବ ବୋଲି । ସତେ କ’ଣ ହେବ ?

 

ମରିଗଲେ କେତେ କଥା ଛିଡ଼ି ଯାନ୍ତା । ଗରିବଗୁଡ଼ାକ ମରି କେତେ ବଡ଼ବଡ଼ ରହିଯାନ୍ତେ । କିନ୍ତୁ ତା’ କ’ଣ ହୁଏ । ଗରିବ ଅଛନ୍ତି ବୋଲି ବଡ଼ଲୋକ ଅଛନ୍ତି ।

 

ସେ ଗରିବ ନିଃସ୍ୱ ବୋଲି ଆଜି ଦେବତା ପୂଜା ପାଉଛି ଅନ୍ୟ ମନ୍ଦିରରେ । ସେ ପୂଜାର ହୋମ ନିଆଁରେ ମୋ ରକ୍ତ କ’ଣ ଜଳୁ ନାହିଁ !

କିନ୍ତୁ ମୋତେ ସେଥିରୁ ଆନନ୍ଦ ମିଳୁ ନାହିଁ କାହିଁକି ? ମୋତେ କିଏ ଦେବ ?

 

ନା, ଆଉ ପାରୁନାହିଁ । ଥୋକେ ତୋତେ କଲ୍ୟାଣ କରି ରହିଲି ।

 

ତୋର

ଭାଇ

☆☆☆

 

ସେଦିନ ଦିଆଲି ।

 

ଶିରାଧ ସରିଗଲା । ଶୁକ ପଇଁଆ ଖାଡ଼ରେ ପୂର୍ବପୁରୁଷଙ୍କ ସରଗ ବାଟକୁ ଆଲୁଅ କରି ଘରେ ଆସି ଦେଖିଲା, ଚାରିଆଡ଼େ ଅନ୍ଧାର । ଅନ୍ଧାରରେ ବସି ରତନୀ ଛୁଆକୁ ଦୁଧ ଦଉଚି । ଛୁଆଟା କେଁ କେଁ ହଉଥିଲା, ତୁନି ପଡ଼ିଚି ଏଇ ଦଣ୍ଡେ ହେଲା ।

 

ଶୁକୁରା ଫଁ କିନା ନିଃଶ୍ୱାସ ଛାଡ଼ି ବସି ପଡ଼ିଲା ।

 

‘ତେଲ ନାହିଁ ?’

 

‘ଛଟାଙ୍କିଏ ତେଲ ବରଷେ ଜାଳନ୍ତି କି ?’ ରତନୀ ଜବାବ ଦେଲା ।

 

‘ପଖାଳ ଅଛି ?’

 

‘ରାତିଅଧରେ କି ପଖାଳ ? ଆଜି ପରା ଶିରାଧ ! ପିଣ୍ଡ ଭାତରୁ–’

 

‘କ’ଣ ନଗେଇ ଖାଇବି ? ପିଆଜ ଅଛି ?’

 

‘ନା ।’

 

‘ଲୁଣ ?’

 

‘ଅଛି, ଅଳ୍ପନାକୁ ।’

 

‘ତୁ ଖାଇବୁ ନାହିଁ ?’

 

‘ତମେ ଖଇସାର ଆଗ ।’

 

ଛୁଆଟା ପୁଣି କାନ୍ଦି ଉଠିଲା । ‘ଦଶା ଛୁଆ !’ କହି ରତନୀ କଚାଡ଼ି ଦେଲା ତଳେ ଛୁଆଟାକୁ । ଥନରେ ଆଉ କ୍ଷୀର ନାହିଁ ।

 

ବାବୁଘର ଭୂଇଁ ବାଣ ଫୁଟି ସରଗ ଉପରକୁ ଉଠି ଚାଲିଗଲା । ରତନୀର ମନେ ହେଲା, ତା’ ଛାତିରୁ ଯେମିତି ନିଆଁ ଝୁଲଖଣ୍ଡେ ଖସିପଡ଼ି ଲିଭିଗଲା ତଳେ !

 

ବାବୁଘରେ ସେଦିନ ମଉଳା ଶିରାଧରେ କେତେ ଖିଆପିଆ କେତେ ଉଛବ, ବଡ଼ଘର ପିଲାଏ କେତେ ଫୁଲଝରି, ଚନ୍ଦ୍ରଉଦିଆ, ଫଟଫଟି, ଚନ୍ଦ୍ରଉଦିଆ ଭୂଇଁ ଫଟକା, ତାଳ ଫଟକା ଇଂରିଜୀ ଫଟକା ଫୁଟେଇ ଚାଲି ଯାଉଛନ୍ତି । ଗାଁ ଟୋକାଏ ମିଳି ଭୂଇଁ ଚମ୍ପା ଲଗେଇ ଦେଲେ । ନିଆଁଟା ଯାଇ ପଧାନ ଘର ପିଢ଼ାରେ ପଡ଼ିଲା । ଦଉଡ଼ି ଯାଇ ସମସ୍ତେ ଲିଭାଇ ଦେଲେ–ଚାଳ ଓଲାରି ପକେଇଲେ–ନଇଲେ ଦଣ୍ଡକେ ସବୁ ଶେଷ ହେଇ ଯାଇଥାନ୍ତା ।

 

ଆର ଗାଁରେ ହେଉଥିଲା କାଳୀ ପୂଜା । ‘କାଳିପୁର’ ବୋଲି ନାଆଁ ଡାକ ଗାଆଁର । ଅନେକ ଆଡ଼ୁ ଲୋକ ଆସନ୍ତି । ଯାତରା ଲାଗେ–ଦୋକାନ ବସେ । ଚାରିପାଞ୍ଚ ଦିନ କାଳ ଲଗାତାର୍, ଲୋକ ଲାଗିଥାନ୍ତି–ଯାତ୍ରୀ ଭିଡ଼ । ଏମିତି ବଡ଼ କାଳୀ ଆଉ କେଉଁଠି ହେବାର କେହି ଦେଖି ନାହିଁ ।

 

ବାହ୍ମୁଣ ମିଶ୍ରଘରେ ଯେଉଁବର୍ଷ ସହିଲୁ ଜମିଦାରୀ କିଣିଲେ, ସେ ବର୍ଷ ମିଶ୍ରଙ୍କ ମା କହିଲେ, ବାପା ବାହ୍ମୁଣ କୋଇ କାଳେ ରଜା ହୁଏ ନାହିଁ । କଥାରେ କହନ୍ତି ବାହ୍ମୁଣ ରଜା, ଖଣ୍ଟ ପରଜା । ଆମ ଗୋତ୍ରରେ ରଜା ହେବାର ନାହିଁ । ରାଜୁତି ଆମକୁ ସଇବ ନାହିଁ । ତୁ ଜମିଦାରୀ କିଣିବାକୁ ମନ କଲାରୁ ପୁଅ ବେମାରି ପଡ଼ିଲା । ବଞ୍ଚିବ କି ନାହିଁ ମା କାଳୀ ଜାଣନ୍ତି, ଜମିଦାରୀ କିଣିଲୁ କିଣିଲୁ ଆଉ ରଖନା–ବିକି ଦେ ।

 

ଭଗବାନ ମିଶ୍ରେ ମାଙ୍କୁ ଭାରି ଖାତିର କରନ୍ତି । ନିତି ସିନାନ ସାରି ପୂଜା ବଢ଼େଇ ମାଙ୍କୁ ଦଣ୍ଡବତ କରି ତା’ପରେ ଯାଇ ତୁଣ୍ଡରେ ଯାହା ଦବାର ଦେବେ । ନ ହେଲେ ନାହିଁ । ମାଙ୍କ କଥାକୁ ସେ ଏବେ ଏଡ଼ି ଦେବେ କେମିତି ? ତେଣେ ଜମିଦାରୀବି ତ ଛାଡ଼ି ହେଉ ନାହିଁ । ଏତେ ସଦରେ କିଣିଛନ୍ତି । ଜମିଦାର ହେଇଛନ୍ତି । ଜମିଦାରୀ ନ ଥାଇ ଜମିଦାର ହେବେ କେମିତି ?

 

ପଟ୍ଟନାହାକ ପଡ଼ାର ଲୋକେ କହିବେ କ’ଣ ? କହିବେ ବେଙ୍ଗ ପେଟରେ ଘିଅ ପଚିଲା ନାହିଁ । ସମସ୍ତେ ହସିବେ । ଭଗବାନ୍ ସେ ଇଙ୍ଗିତ ପରିହାସକୁ ସହିବେ କେମିତି ?

 

ମଦନ ପଟ୍ଟନାହାକ ଘର ଜମିଦାରୀ ନିଲାମରେ ଉଠିଲାକୁ ମିଶ୍ରେ ଚଞ୍ଚକ କରି ଧରିଛନ୍ତି-। ମିଶ୍ରଙ୍କ ଗୁମାସ୍ତା ଭାଗୁ । ତା’ର ବୁଦ୍ଧିବଳରେ ମିଳିଚି ଏତକ–କେତେ କଷ୍ଟରେ । ତାକୁ ସେ ଛାଡ଼ି ଦେଲେ ଆଉ ମାନମହତ ରହିବଟି ! ଭାଗୁ କହିବ କ’ଣ ?

 

ଭାଗୁ ନିଜେ ଜାତିରେ କରଣ । ସେହି ପଟ୍ଟନାହାକ ସାହିରେ ଘର । ଉପରେ ସାହିରେ ମଦନ ପଟ୍ଟନାହାକଙ୍କ ଉଆସ ତ ତଳ ସାହିରେ ଭାଗୁ ପଟ୍ଟନାହାକ ଘର । ଦୁଇ ସାହି ଭିତରେ ସବୁ ଦିନେ ତକାତକି । ବିଶେଷତଃ ଝୁଲଣବେଳେ । ଦୁଇଟିଯାକ ସାହିରେ ଝୁଲଣ ହୁଏ । ସେ ସାହିରେ ମଦନ ମୋହନକୁ ଏ ସାହିରେ ରାଧା ଗୋବିନ୍ଦ । ଦୁଇ ଠାକୁରଙ୍କର କୁଞ୍ଜ ସଜ୍ଜା ହୁଏ । କାହା କୁଞ୍ଜ ଭଲ ହେବ–ଲାଗିଯାଏ ଜିଦାଜିଦି । ଟଙ୍କା ଖରଚ କରନ୍ତି ତଳ ସାହିବାଲା । ତଳ ସାହିବାଲା ଗରିବ ହେଲେ କ’ଣ ହେଲା, ସେଇ ଗରିବ ବୋଲି କି କ’ଣ, ପଚାଶଟା ମନ ଗୋଟାଏ ଭଳି ବାହାରକୁ ଦିଶେ । ଉପର ସାହିରେ ପଟ୍ଟନାହାକ ହେଲେ ମୁଖିଆ । ସେଇ ହଉଚନ୍ତି ଜମିଦାର । ତାଙ୍କ ଆଖପାଖ ଘର ସବୁ ଗୋବିନ୍ଦଙ୍କ ବିଗ୍ରହ ତଳେ ଶାଳଗ୍ରାମଙ୍କ ଭଳି ହାତ ଯୋଡ଼ି ରହିଥାନ୍ତି ।

 

ଭାଗୁ ମହାନ୍ତି ପଟ୍ଟନାହାକଙ୍କର ସେହି ଜବାବଟାକୁ ସହି ପାରିଲା ନାହିଁ । ସେ ମଦନ ପଟ୍ଟନାହାକ ସାଙ୍ଗରେ ପଟ ଦେଇ ଠିଆ ହେବାକୁ ସାହସ ଧରିଲା–ଦୁଃସାହସ । ପାରିଲା ନାହିଁ । ଶେଷରେ ସେ ପଡ଼ାରୁ ଉଠିଆସି ଏ ପଡ଼ାରେ–ଉପର ସାହିରୁ ଆସି ତଳ ସାହିରେ ଘର କଲା ।

 

ତଳ ସାହିରେ ଘର କଲାଠୁ ଭାଗୁ ମହାନ୍ତି, ଭାଗୁ ପଟ୍ଟନାହାକେ ହେଲେଣି । ପଟ୍ଟନାହାକ ସାଇଙ୍ଗାଟା ଏବେକା କଥା । ମହାନ୍ତି ଥିଲେ ସମସ୍ତେ–ଚଉଦ ପୁରୁଷ ମହାନ୍ତି ଥିଲେ । କେଉଁ ରଜା କି ମରହଟ୍ଟା ଆମିଲଙ୍କଠୁ ମହାନ୍ତିଙ୍କ କେଉଁ ପୂର୍ବପୁରୁଷ ପଟ୍ଟନାହାକ ପଦ ପାଇଥିଲେ । ସେଇଦିନଠୁ ବଂଶର ବଡ଼ପୁଅ ପଟ୍ଟନାହାକ ଉପାଧି ପାଇ ଆସୁଛି । ଅନେକ ଦିନଯାଏଁ ସେଇ ବଡ଼ ଅଂଶରେଇ ପଟ୍ଟନାୟକ ପଦବିଟା ରହି ଯାଇଥିଲା । ଆଉ ସମସ୍ତେ ଯେଉଁ ମହାନ୍ତି କି ସେଇ ମହାନ୍ତି ରହିଥାନ୍ତି ।

 

ଯେଉଁ ବର୍ଷ ଏଣ୍ଟୋନ୍‌ସ ପାସ କରି ତଳ ସାହିର ଗୋବିନ୍ଦ ମହାନ୍ତି ଦାରୋଗା କାମ ପାଇଲେ ସେଇ ବର୍ଷ ସେ ପ୍ରଥମ ଦରଖାସ୍ତରେ ଲେଖିଲେ–‘‘ମୁଁ ଜଣେ ମାନ୍ୟଗଣ୍ୟ କରଣ କୁଳର ସନ୍ତାନ ।’’ ଏଇ କଥାଟା ଲେଖି ଦେବା ପରେ ପରେ ଅମୁକ ମହାନ୍ତି ବୋଲି ଶଇ କରିବାକୁ ତାଙ୍କୁ କେମିତି ଅଡ଼ୁଆ ଅଡ଼ୁଆ ଲାଗିବାରୁ ମହାନ୍ତି ଜାଗାରେ ପଟ୍ଟନାୟକ ପଦ ବସେଇ ଦେଇ ଦରଖାସ୍ତ ପେଶ୍ କରିଦେଲେ । ଚାକିରିଟା ମିଳିଗଲା ।

 

ଆର ସାହିରେ ସେ ଘେନି ବହୁତ ଗୋଳ ଉଠିଲା । ବଡ଼ ଅଂଶରେ ମଦନ ପଟ୍ଟନାୟକଙ୍କ ବାପ ବଞ୍ଚିଥିଲେ ସେତେବେଳକୁ ଚତୁର୍ଭୁଜ ପଟ୍ଟନାୟକ । ସେ ଥିଲେ ପ୍ରକୃତରେ ଚତୁର୍ଭୁଜ । ପର ସମ୍ପତ୍ତି ଗ୍ରାସ କରିବା ବେଳକୁ ସେ କେବେ ଦ୍ୱିହସ୍ତରେ ଆବିର୍ଭାବ ହୁଅନ୍ତି ନାହିଁ । ଗୋବିନ୍ଦ ମହାନ୍ତି ଗୋବିନ୍ଦ ପଟ୍ଟନାୟକ ହବା କଥା ତାଙ୍କ କାନରେ ପଡ଼ିଲା । ସେ ଗୋଟେ ଜାତିଆଣ ସଭା ଡାକିଲେ । ସବୁ କରଣ ସାଆନ୍ତମାନଙ୍କୁ ବସାଇ ସେ କହିଲେ, ଏଟା ଖାଲି ଜ୍ୟେଷ୍ଠ ଅଂଶକୁ ଅପମାନ ହେଇଥିଲେ ମୁଁ କିଜାଣି ତୁନି ପଡ଼ିଥାନ୍ତି । କିନ୍ତୁ କଥାଟା ତ ସେତିକି ନୁହେଁ–ଏଟା ଆମ ପୂର୍ବପୁରୁଷଙ୍କୁ ଅପମାନ । ଯେଉଁମାନେ ଏଠି ମଞ୍ଜି ପୋତିଦେଇ ଯାଇଚନ୍ତି, ବଡ଼ପୁଅ ପଟ୍ଟନାୟକ ହେବ ବୋଲି ଯେଉଁ ବଡ଼ାବଡ଼ିମାନେ ବ୍ୟବସ୍ଥା କରିଯାଇଚନ୍ତି ଏ ହେଲା ପ୍ରକୃତରେ ସେଇମାନଙ୍କୁ ଅପମାନ । ସେମାନଙ୍କ କଥା ଆଉ ରହିଲା କେଉଁଠି ?

 

ସମସ୍ତେ ଚତୁର୍ଭୁଜଙ୍କ ବିଚାରକୁ ଯୁକ୍ତିଯୁକ୍ତ ବୋଲି କହି ଗୋବିନ୍ଦ ମହାନ୍ତିକି ଧୋବା ଭଣ୍ତାରି ବନ୍ଦ କରିବାକୁ ରାୟ ଦେଇଦେଲେ । ଗୋବିନ୍ଦ ମହାନ୍ତି ସେତେବେଳକୁ ଛୁଆପିଲାଙ୍କୁ ଧରି କେନ୍ଦ୍ରାପଡ଼ାରେ । ଦାରୋଗା ହୋଇ ଲାଳ ଘୋଡ଼ାରେ ଚଢ଼ି ବୁଲୁଥାନ୍ତି । ନିଆଁ ପାଣି ବନ୍ଦ ହେବାର ଦୂରର କଥା, ନିଆଁ ପାଣି ହୁକା ଚିଲମ ସବୁ ତାଙ୍କ ପଛେ ପଛେ ଗୋଡ଼େଇ ଥାଏ ।

 

ବାଛନ୍ଦକୁ ବାଘ ଖାଇଗଲା । ଫଳ ଫଳିଲା ଓଲଟି । ଏଣିକି ତଳ ସାହିର ସବୁ ମହାନ୍ତିଯାକ ପଟ୍ଟନାହାକ ହେବାକୁ ଲାଗିଲେ । ଉପର ସାହିବାଲା ତେତେ ସାହସ କରି ପାରନ୍ତି ନାହିଁ । ତଳ ସାହିବାଲା କିନ୍ତୁ ଦିନକରେ ପଟ୍ଟନାୟକ ବୋଲାଇଲେ । ମହାନ୍ତି ପଡ଼ା ବୋଲି ନାଆଁ ଡାକ ଥିଲା ପଟ୍ଟନାୟକ ବସ୍ତି ବୋଲି ବୋଲେଇଲା । ତେଣୁ ବାହାରକୁ ବିଶେଷ କିଛି ଅସୁବିଧା ହେଲା ନାହିଁ । ଗଲା ଆସିଲା ଲୋକେ ଆସ୍ତେ ଆସ୍ତେ ପଟ୍ଟନାୟକ ସାହିରୁ ଯେତକ ବାହାର ସମସ୍ତଙ୍କୁ ପଟ୍ଟନାହାକେ ବୋଲି ଡାକିବାକୁ ଲାଗିଲେ । ବିଶେଷ କିଛି ଖଟକିଲା ନାହିଁ । ଅଭ୍ୟାସ ବଶତଃ ପୁରୁଣାକାଳିଆ ଲୋକେ କେହି କେମିତି ଯଦି ଭୁଲ୍‍ରେ ତଳ ସାହିର କେଉଁ ପଟ୍ଟନାୟକଙ୍କୁ ମହାନ୍ତି ପୁଅ ବୋଲି ଡାକି ଦିଏ ତ ସେ ସାଙ୍ଗେ ସାଙ୍ଗେ ପାଇକରୁ ମାରି ଠିଆ ହେଇ ଯିବ ।

 

ଏମିତି ଦୁଇ ତିନିବର୍ଷ ବିତିଗଲା ପରେ ଗୋବିନ୍ଦ ପଟ୍ଟନାୟକ ଯେତେବେଳେ ଛୁଟି ନେଇ ପ୍ରଥମେ ଗାଁକୁ ଫେରିଲେ ସେତେବେଳେ ତାଙ୍କୁ ଫୁଲମାଳ ଦିଆଯାଇଥିଲା କି ନାହିଁ ତା’ର କୌଣସି ନଥି ସାମିଲ ପ୍ରମାଣ ନାହିଁ । କିନ୍ତୁ ହୋରି ମେଳନରେ ଠାକୁର ଘର ଘର ବୁଲି ପାଳି କରି ଭୋଗ ଖାଇଲା ପରି ଗୋବିନ୍ଦ ପଟ୍ଟନାୟକ ଓଳିଏ ଓଳିଏ ସମସ୍ତଙ୍କ ଘରେ ପ୍ରସାଦ ସେବନ କରି ସାହିବାଲାଙ୍କୁ କୃତାର୍ଥ କରିଥିଲେ । ଝୁଲଣ ଚାନ୍ଦା ବାବଦକୁ ଗୋବିନ୍ଦ ପଟ୍ଟନାୟକଙ୍କଠୁ ସେଥର ନବେ ଟଙ୍କା ନଗଦ ମିଳିଥିଲା । ଗତବର୍ଷ ଉପର ସାହିରୁ ପଦୁ ମହାନ୍ତି ଓ ତଳ ସାହିରୁ ମାଧ ମହାନ୍ତି ଓରଫ ମାଧ ପଟ୍ଟନାହାକେ ଯାଇଥିଲେ ବୃନ୍ଦାବନ ଝୁଲଣ ଦେଖି । କେହି କହନ୍ତି ମାଧ ମହାନ୍ତି ଆଗ ଗଲେ; ତା’ ଦେଖାଦେଖି ପଦୁ ମହାନ୍ତିବି ବାହାରିଲେ । ଯିଏ ଆଗ ଯାଉ ଯିଏ ପଛେ ଯାଉ, ଫେରିଲେ କିନ୍ତୁ ଏକା ସାଙ୍ଗରେ । ସେ ଫେରିବାର ପର ବର୍ଷ ଲାଗିଗଲା ଝୁଲଣର ଘନା ଘୋଟ ବନ୍ଦୋବସ୍ତ । ଗାଁଟା ସରଗରମ ହୋଇ ଉଠିଲା–ବୃନ୍ଦାବନର କୁଞ୍ଜ ସଜ୍ଜା ଲାଗିଛି । କିଏ କହିଲା–ବୃନ୍ଦାବନର କୁଞ୍ଜ ଉଠି ଆସିଛି । କିଏ କହୁଥାଏ ତଳ ସାହିର କୁଞ୍ଜ ଯେ ଅବିକଳ । ଆଉ କିଏ କହେ ମାଧ ମହାନ୍ତିଠାରୁ ପଦୁ ମହାନ୍ତିର ଅକଲ ବେଶି । କିଏ ବା ପ୍ରତିବାଦ କରେ–ମାଧ ମହାନ୍ତି ଭିତରେ ଗୋଟାଏ ଭକ୍ତଭାବ ଅଛି । ତଳ ସାହି କୁଞ୍ଜକୁ ସେଇ ସୁନ୍ଦର କରିଛି । କୁଞ୍ଜରେ ଗୋଟିଏ ଗୋଟିଏ ଫୁଲ ଖଞ୍ଜି ସେ କେମିତି ଏକ ଧିଆନ କି ଅନେଇ ଥିବ ।

 

ଯାତରା ଲାଗିଥାଏ ଛୁଆଯାକଙ୍କର । ଟିକିଏ ପାରିଲା ପାରିଲା ଛୁଆଏ, ଦିନରାତିକି ଲାଗିଥାନ୍ତି କୁଞ୍ଜ ସଜେଇବାରେ–ଦୁଇ ସାହିଯାକର । ରାତି ଏକ ଦୁଇ ବାଜିଯାଏଁ । ଅତି ପିଲା ପିଲାଙ୍କର ଲାଗିଥାଏ ଗୁଇନ୍ଦାଗିରି ପାଇଟି । ସେ ସାହିରୁ ଦେଖି ଆସି କିଏ ଏ ସାହିରେ କହିଦିଏ; ଏ ସାହିରୁ ଦେଖିଯାଇ କିଏ ସେ ସାହିରେ କହିଦିଏ–ହେଇଟି; ତାଙ୍କର ଏମିତି ଫୁଲକଟା ଯାଉଚି । କିଏ କହେ ଆର ସାହିର ମେହେରାବିଟା ଏମିତି ବାଗରେ କଟା ଯାଇଛି । ଦୁଇ ସାହି ଦୁଇ ସାହିକୁ ତିଆରୁଥାନ୍ତି–ଦେଖା ଶିଖା ଗଉଡ଼ ବିଭା । ଦୁଇ ସାହିର ପିଲାଯାକ ଆପଣା ଆପଣା ଭିତରେ କଳି କରୁଥାନ୍ତି–ୟାରଦେଖି, ତା’ର ଦେଖି ଫରକି ଉଠୁଛି ଡାହାଣ ଆଖି ।

 

ସେଇ ବର୍ଷଠୁ ଦୁଇ ସାହିର କଳିଟା ବେଶ୍ ଟିକିଏ ଜମି ଉଠିଲା । ମଦନ ପଟ୍ଟନାହାକେ ସେହି ବର୍ଷ ନୂଆ ହୋଇ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାନ୍ତି । ନୂଆ ଉତ୍ସାହରେ ମାତି ସେବି ଖୁବ୍ ଟଙ୍କା କରିଛନ୍ତି ସେ ବର୍ଷ । ଉପର ସାହି ଝୁଲଣର ନେତା ଓ କର୍ତ୍ତା ହେଲେ ସେ ଓ ତଳ ସାହିର କର୍ତ୍ତା ହେଲେ ଦାରୋଗା ଗୋବିନ୍ଦ ପଟ୍ଟନାୟକ ।

 

ବର୍ଷ ପରେ ବର୍ଷ ବିତିଯାଏ । ଖୁବ୍ ଧୁମ୍‍ଧାମ୍‍ରେ ଝୁଲଣ ଚାଲେ । ବୁଢ଼ାମାନଙ୍କର ଉତ୍ସାହ ମାନ୍ଦା ପଡ଼ି ଆସେ । ପିଲାମାନଙ୍କ ଭିତରେ ଲାଗେ ଜିଦାଜିଦି । ତଳସାହିରେ ପିଲାଏ ବେଶି-। ଅର୍ଥାତ୍ ପାଠ ପଢ଼ୁଆ ଚାହାଳି ଇସ୍କୁଲକୁ ଯିବା ପିଲା ବେଶି । ଯେମିତି ତଳ ସାହିଟା ଉଠୁଚି ଉପରେ ସାହି ହବାପାଇଁ–ଆଉ ଉପର ସାହି ପଡ଼ି ଆସୁଚି ।

 

ତଳ ସାହିର ଆଦର୍ଶ ଦାରୋଗା ଗୋବିନ୍ଦ ପଟ୍ଟନାୟକ । ସବୁ ପିଲାଙ୍କର ଆଖି, ପିଲାଙ୍କ ବାପ ମାଙ୍କରବି ଆଖି, ବଡ଼ ହେଲେ ସମସ୍ତେ ଗୋଟେ ଗୋଟେ ଦାରୋଗା ହେବେ ।

 

ଆଉ ଉପର ସାହିର ଆଦର୍ଶ ମଦନ ପଟ୍ଟନାୟକ–ଜମିଦାର ସାଆନ୍ତ–କରଣ ଛୁଆ–ଢେଉ ଗଣି ପଇସା କମେଇବେ । ତାଙ୍କର ଜନମ ହେଇଚି, ଦୁନିଆକୁ ସେ ଠକି ଖାଇବେ, ଆଉ ଦୁନିଆ ତା’ ବଦଳରେ ତାଙ୍କୁ ସବୁବେଳେ ହାତଯୋଡ଼ି ନମସ୍କାର କରୁଥିବ । ଖାନ୍‍ଦାନୀ, ବୁନିଆଦି, ଏ ସବୁ କେତେ ଲୋକଙ୍କର ଥାଏ ?

 

କିନ୍ତୁ ମଦନ ପଟ୍ଟନାୟକ ବଂଶର ଏ ନେତୃତ୍ୱ ବେଶି ଦିନ ଟେକି ପାରିଲା ନାହିଁ । ପୁରୁଣା କାନ୍ଥପରି ଭୁଶୁଡ଼ି ପଡ଼ିବାକୁ ବସିଲା । ଉପର ସାହିରୁ ଯେ ଏକୁଟିଆ ଭାଗୁ ମହାନ୍ତି ଉଠିଯାଇ ତଳସାହିରେ ଭାଗୁ ପଟ୍ଟନାୟକ ବୋଲାଇଲା ତାହା ନୁହେଁ, ପଟ୍ଟନାୟକ ପଡ଼ାରୁ ଗୋଟିଏ ଗୋଟିଏ ହୋଇ ଖସି ମହାନ୍ତି ପଡ଼ାକୁ ପଟ୍ଟନାୟକ ପଡ଼ା ବୋଲି ବିଖ୍ୟାତ କରିବାରେ ଲାଗିଗଲେ । ଯିଏ ବା ରହିଲା, ସେ ଆଉ ମଦନ ପଟ୍ଟନାୟକଙ୍କ ଆଦର୍ଶ ରଖି ପାରିଲା ନାହିଁ । ଦାରୋଗା ଗୋବିନ୍ଦ ମହାନ୍ତିଙ୍କ ଟଙ୍କାର ଡାକ ସମସ୍ତଙ୍କ କାନରେ ପଡ଼ିଲା । ଗୋଟିଏ ଗୋଟିଏ ହୋଇ ସମସ୍ତେ ଇସ୍କୁଲରେ ପଢ଼ିଲେ । ଆଉ ଯିଏ ଇସ୍କୁଲରେ ପଢ଼ିଲା, ସେ ମହାନ୍ତିରୁ ପଟ୍ଟନାୟକ ପାହିଆକୁ ପ୍ରମୋଶନ ପାଇଗଲା । ବୁଢ଼ା ମଦନ ପଟ୍ଟନାୟକଙ୍କ ବାପା ବଞ୍ଚି ଥାଉ ଥାଉ ଏ କଥା କହି ଯାଇଚନ୍ତି–ମାଳା ଗଡ଼ଉ ଗଡ଼ଉ, ହରେକୃଷ୍ଣ ହରେକୃଷ୍ଣ ଭଜୁ ଭଜୁ କହି ଯାଇଚନ୍ତି–‘‘ବାପ ଗୋସାଇଁବାପଙ୍କ ନାମ ବୁଡ଼େଇବେ ଏଗୁଡ଼ାକ । କଳିକାଳ କଳିକାଳ–ଘୋର କଳିକାଳ–କଳିକାଳର ଭେଣ୍ଡା ଏ ଗୁରାକ । ଧର୍ମ ଅଧର୍ମ ଜ୍ଞାନ ନାହିଁ–ଓ ହୋ ହୋ–ରାମ, ରାମ, ତ୍ରାହି କର ହେ ମଧୁସୂଦନ-।’’

 

ଏହି କଳିକାଳର ପ୍ରବର୍ତ୍ତକ, ଧର୍ମ ଅଧର୍ମ, ବିଦ୍ୟା ଅବିଦ୍ୟା, ଜ୍ଞାନହୀନ ଭେଣ୍ଡାଙ୍କର ଗୁରୁ ଗୋବିନ୍ଦ ପଟ୍ଟନାୟକ ମଲା ପରେ ତାଙ୍କର ସ୍ମୃତି ମନ୍ଦିର ତୋଳା ହୋଇ ନାହିଁ । କିନ୍ତୁ ତାଙ୍କର ସେଇ ଅମର ଆତ୍ମାଟା, ଆତ୍ମା ନୁହେଁ–ତାଙ୍କର ଅମର ଦାରୋଗାତ୍ୱଟା କେବଳ ତଳ ସାହିରେ ନୁହେଁ, ଉପର ସାହି ତଳସାହି ଦୁଇଟାଯାକ ସାହିର ମହାନ୍ତି ପଟ୍ଟନାୟକ ବଂଶର ଯେତେ ଲୋକ ଅଛନ୍ତି ସମସ୍ତଙ୍କ ଉପରେ ସେ ଭୂତପରି ସବାର ହୋଇ ଛାଟ ବାଡ଼େଇ କହୁଥାଏ–ସମସ୍ତଙ୍କୁ ଉଦ୍‌ବୋଧନୀ ଶୁଣାଉଥାଏ–ଉଠ, ଜାଗ, ତମର ପ୍ରାପ୍ୟ ତମେ ହାସଲ କର !

 

ଦାରୋଗାଙ୍କର ଜୀବନ ଇତିହାସ କେହି ଲେଖି ନାହାନ୍ତି । ଅନେକ ଦିନ ଅନେକ ବର୍ଷ ପରେ ଯେତେବେଳେ ଗାଁ ଚାହାଳି କେଉଁ ଦିପଟି ପଟ୍ଟନାୟକଙ୍କ ଦାନରେ ତାଙ୍କର ନାଆଁରେ ମାଇନର ଇସ୍କୁଲଟିଏ ହବାକୁ ଗଲା ସେତେବେଳେ କିଏ ଥରେ ପରା କହିଲା, ଏ ବର୍ଷ ପ୍ରାଇଜରେ ଗୋଟାଏ ରଚନା ପ୍ରତିଯୋଗୀତା ହେଉ । ବିଷୟ ନିର୍ବାଚନବେଳେ ଆଉ ଜଣେ ପ୍ରସ୍ତାବ କଲା, ଗୋବିନ୍ଦ ପଟ୍ଟନାୟକଙ୍କ ଜୀବନ ସମ୍ବନ୍ଧରେ ଯେ ସବୁଠାରୁ ଭଲ ଲେଖିଦେବ, ମୁଁ ତାକୁ ପାଞ୍ଚଟଙ୍କାର ବହି ପୁରସ୍କାର ଦେବି । ପାଞ୍ଚଟଙ୍କା ପୁରସ୍କାର ସତ୍ତ୍ୱେ ଗୋବିନ୍ଦ ପଟ୍ଟନାୟକଙ୍କ ଜୀବନୀ ଲେଖା ହୋଇ ପାରିଲା ନାହିଁ ।

 

କିନ୍ତୁ ତାଙ୍କ ମରିବାର ଉପାଖ୍ୟାନଟା କ୍ରମେ କିମ୍ବଦନ୍ତୀ ହେବାକୁ ଆରମ୍ଭ କଲାଣି । ବେଶି ଦିନର କଥା ନୁହେଁ । ତଥାପି ପିଲାଏ ଶୁଣନ୍ତି–ବୁଢ଼ାଏ ଗାଆନ୍ତି ।

 

ଦାରୋଗା ଗୋବିନ୍ଦ ପଟ୍ଟନାହାକେ କେମିତି ମଲେ କେଉଁଠି ମଲେ କେହି ଦେଖି ନାହାନ୍ତି, କେହି ଜାଣି ନାହାନ୍ତି । ସେ ଘରେ ମରି ନାହାନ୍ତି କି ବାହାରେ ମରି ନାହାନ୍ତି, ଦେଶରେ ମରି ନାହାନ୍ତି କି ପର ଦେଶରେ ମରି ନାହାନ୍ତି, ଦିନରେ ମରି ନାହାନ୍ତି କି ରାତ୍ରିରେ ମରି ନାହାନ୍ତି, ତୀର୍ଥରେ ମରି ନାହାନ୍ତି କି ବ୍ୟର୍ଥରେ ମରିନାହାନ୍ତି, ଖାଇ ମରି ନାହାନ୍ତି, କିମ୍ବା ନ ଖାଇ ମରି ନାହାନ୍ତି, ଶୋଇ ମରି ନାହାନ୍ତି କିମ୍ବା ନ ଶୋଇ ମରି ନାହାନ୍ତି, ସେ ମରିକିବି ମରି ନାହାନ୍ତି ନ ମରିକିବି ମରି ନାହାନ୍ତି ।

 

ଶୁଣାଯାଏ ଦାରୋଗା ଶେଷ ଅବସ୍ଥାକୁ ଭାରି ପୁଣ୍ୟାତ୍ମା ହୋଇଗଲେ । ହରିନାମ ସବୁବେଳେ ମୁହଁରେ । ‘‘ହରେର୍ନାମ ହରେର୍ନାମ ହରେନାମୈବ କେବଳମ୍, କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିରନ୍ୟଥା,’’ କଥାରେ କଥାରେ ତାଙ୍କର ଏଇଟା ନଜିର, ଉପଦେଶ, ଆଦର୍ଶ ସବୁ । ପୂରାପୂରି ବୈଷ୍ଣବ ।

 

ତା’ ସତ୍ତ୍ୱେ ଓ ସାହେବୀ ଧର୍ମ ପ୍ରତି ତାଙ୍କର ଟିକିଏ ସ୍ୱାଭାବିକ ଦୁର୍ବଳତା ଥିଲା । ଠିକ୍ ସାହେବୀ ଧର୍ମ ପ୍ରତି ନୁହେଁ–ତାଙ୍କର ଜଣେ ସାହେବ, ବଡ଼ ସାହେବ ଥିଲେ, ପୁଅ ଭଳି ଦାରୋଗାଙ୍କୁ ସ୍ନେହ କରୁଥିଲେ, ସେହି ସାହେବଙ୍କ ପ୍ରତି ଅଗାଧ ଭକ୍ତି ତାଙ୍କୁ ସାମାନ୍ୟ ପ୍ରଭୁ ଯିଶୁଙ୍କ ପ୍ରତି ପ୍ରେମ ଦେବାର ସହାନୁଭୂତିସମ୍ପନ୍ନ କରି ପକାଇଥିଲା । କିରସ୍ତାନମାନଙ୍କ ସାଙ୍ଗରେ ତାଙ୍କର ବଡ଼ ବନ୍ଧୁତ୍ୱ । ନିଜେ କିରସ୍ତାନ ହେବାର ସାହସ ନଥିଲେ ହେଲା କ’ଣ, ଏଇ କିରସ୍ତାନମାନଙ୍କ ସହିତ ମିଳାମିଶା କଥାବାର୍ତ୍ତା ଘଣ୍ଟାଚକଟା ହେବା ଫଳରେ ପ୍ରଭୁ ଯିଶୁଙ୍କର ସନ୍ନିକଟ ମିଳିଲା ପରି ତାଙ୍କୁ ଲାଗେ । ସେଥିପାଇଁ ସେ ଏଇ କିରସ୍ତାନ ବନ୍ଧୁତ୍ୱକୁ ଗୋଟାଏ ସୌଭାଗ୍ୟ ବୋଲି ଜ୍ଞାନ କରୁଥିଲେ ।

 

ହିନ୍ଦୁମାନଙ୍କ ମଧ୍ୟରୁ ବ୍ରହ୍ମ ଧର୍ମଟାକୁ ସେ ନିଜର ଆଦର୍ଶସ୍ଥାନୀୟ ମନେ କରୁଥିଲେ । ବୈଷ୍ଣବ ହୋଇ ମଧ୍ୟ ସେ ବ୍ରହ୍ମର ଉପାସକ । ବୈଷ୍ଣବମାନଙ୍କର ରାଧାକୃଷ୍ଣ ମିଳନ ସଂକୀର୍ତ୍ତନ ଓ ବ୍ରାହ୍ମମାନଙ୍କର ଉପାସନା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ସେ କହନ୍ତି ।

 

ସ୍ୱାମୀ ବିବେକାନନ୍ଦହିଁ ତାଙ୍କର ହେଲେ ଗୁରୁ । ଠାକୁର ରାମକୃଷ୍ଣ ପରମହଂସ ଦେବଙ୍କର ସର୍ବ ଧର୍ମ ସମନ୍ୱୟ ତାଙ୍କୁ ବଡ଼ ଅନୁପ୍ରାଣିତ କରିଥିଲା । ତଥାପି ମନୁଷ୍ୟ ତ ପୂର୍ଣ୍ଣ ନୁହେଁ-। ଗୋଟାଏ ଦୋଷ ତାଙ୍କର ଥିଲା, ସେ ସେଟା ସମସ୍ତଙ୍କ ଆଗେ ମାନନ୍ତି । ମୁସଲମାନମାନଙ୍କୁ ସେ କୌଣସିମତେ ସର୍ବ ଧର୍ମ ସମନ୍ୱୟର ସୀମା ଭିତରକୁ ଆଣି ପକାଇ ପାରିଲେ ନାହିଁ । ସେ କହନ୍ତି ଏକାବେଳେ ଓଲଟା ଧର୍ମଟାକୁ ଗ୍ରହଣ କରିହେଉ ନାହିଁ ହେ ! ଆମେ କଛା ମାରିଲେ ସେ କଛା ଫିଟାଇବେ, ଆମେ ପତରର ଏ ପଟରେ ଖାଇଲେ ସେ ସେପଟରେ ଖାଇବେ, ଆମେ ପୂର୍ବକୁ ଚାହିଁ ପ୍ରାର୍ଥନା କଲେ ସେ ପଶ୍ଚିମକୁ ଚାହିଁବେ, ଆମେ ଗାଈ ଦୁଧ ଖାଇଲେ ସେ ଗୋରୁ ମାଉଁସ ଖାଇବେ, ଶେଷକୁ ଆମେ ଗୋଡ଼ରେ ଚାଲିଲେ ସେ ତାଳିଆ ଖେଳି ମୁଣ୍ଡରେ ଚାଲିବେ-। ଏମତିରେ ଭଲା ମିଶିବ କେମିତି ।

 

କେହି ଯଦି କହେ ବାବୁ ଏଗୁଡ଼ାକ ତ ଆଚାର–ଧର୍ମ କେଉଁଠି ? ସେ କହନ୍ତି, ଧର୍ମ ଆଉ କ’ଣ କି ? ଏହି ଗୋରୁ ମାଉଁସ ଖାଇବାରୁ; ପାଲଟ ମାରି ଲୁଗା ପିନ୍ଧିବାରୁ ତ କରିମ ମିଆଁ କନେଷ୍ଟବଲରୁ ପୁଲିସ ସାହେବ ପାହିଆକୁ ଉଠିଗଲା । ଧର୍ମ ନୁହେଁ ତ ଆଉ କ’ଣ ?

 

ପ୍ରକୃତରେ ମୁସଲମାନ ଧର୍ମ ପ୍ରତି ନୁହେଁ, ସେ ନିଜେ ମୁସଲମାନ ନ ହୋଇଥିବାରୁ ଯେ ପୁଲିସ ସାହେବ ହେଇ ପାରିଲେ ନାହିଁ, ଏହି ସତ୍ୟଟା ପ୍ରତି ଥିଲା ତାଙ୍କର ବିଦ୍ୱେଷ । ଆଉ ଯାହା କିଛି ତାଙ୍କର ଉନ୍ନତି, ଚାକିରି, ଚୋରି ସବୁକୁ ସାହା ପୁରୁଷ ସେହି ରବଟ ସାହେବଙ୍କ ପ୍ରତି ତାଙ୍କର ଭକ୍ତି ଆଉ ତାଙ୍କ ଦତ୍ତ ଚାକିରିଟା ପ୍ରତି ତାଙ୍କର ଶ୍ରଦ୍ଧାହିଁ ତାଙ୍କୁ ଆକୃଷ୍ଟ କରିଥିଲା ପ୍ରଭୁ ଯିଶୁଙ୍କର ଆଲୋକ ଆଡ଼କୁ ।

 

ତଥାପି ଯେଉଁ କୁଳରେ ଜନ୍ମ–ଯେଉଁ ଧର୍ମରେ ଦୀକ୍ଷା ଶିକ୍ଷା ସେ ଧର୍ମକୁ ତ ଛାଡ଼ି ହେବ ନାହିଁ–ସେଇ ଧର୍ମରେ ଥାଇ ମରିବାକୁ ହେବ । ମଝିରେ ଯାହାସବୁ ହେଇଗଲା, ସେଗୁଡ଼ାକ ଧର୍ମ ନ ହେଲେବି ଗୋଟାଏ ପ୍ରକାରର ଧର୍ମ–ଅନ୍ତତଃ ଅଧର୍ମ ନୁହେଁ । ସେ ସବୁ ମନର କ୍ଷଣିକ ସଦ୍‌ବୁଦ୍ଧି । ସୁତରାଂ ଶେଷ ଅବସ୍ଥାକୁ ଗୋବିନ୍ଦ ପଟ୍ଟନାୟକ ସେଇ ରାଧାକୃଷ୍ଣ ପଦ ମୁହଁରେ ଧରି ବାହାରିଲେ ତୀର୍ଥ ପର୍ଯ୍ୟଟନ । ଗୋପାଳକୃଷ୍ଣଙ୍କର ସେଇ ପଦାବଳୀ ସବୁବେଳେ ତୁଣ୍ଡରେ–‘‘ରାଧା ଗୋବିନ୍ଦ ବୋଲି ପଳାରେ ପରାଣ ।’’

 

କିନ୍ତୁ ପରାଣ ରାଧା ଗୋବିନ୍ଦ ବୋଲି ପଳେଇଲା କି ପ୍ରଭୁ ଯିଶୁ ବୋଲି ଗଲା କେହି କହି ପାରିବ ନାହିଁ । ଏହିପରି ଶୁଣାଯାଏ ଯେ ପଟ୍ଟନାୟକେ ତୀର୍ଥକୁ ଯାଉଥିଲେ । ଗାଡ଼ିରେ ଚଢ଼ିଥାନ୍ତି । ପାଇଖାନା ଭିତରକୁ ଗଲେ । ହଠାତ ପାଇଖାନା ଭିତରେ ତାଙ୍କ ରବଟ ସାହେବଙ୍କ ଭୂତ ବାହାରି ତାଙ୍କୁ ନାନା ଅମେଧ୍ୟ ମଦମାଂସ ଖୁଆଇ ଦେଲେ । ସେତେକ ଖାଇ ସେ ବାନ୍ତି ଉଚ୍ଛାଳ, ଝାଡ଼ା ପିସାବରେ ଅସ୍ଥିର–ବେହାଲ୍‌ । କେଉଁ ଷ୍ଟେସନରେ ତାଙ୍କୁ ଗାଡ଼ିରୁ କାଢ଼ି ନିଆଗଲା । ଦିନ ରତ ରତ ସଞ୍ଜବେଳେ ତାଙ୍କ ପ୍ରାଣ ଉଠିଗଲା ।

 

ପାଖରେ ଟଙ୍କାପଇସା ଯାହାଥିଲା ସେ ଧନ କାହାଘରେ ପଶିଲା କେହି କହି ପାରିବ ନାହିଁ । କାରଣ ସେତେବେଳକୁ ପାପ ଧନର ବଢ଼ନ୍ତିରେ ଅନେକ କୋଠା ବାଡ଼ି ପିଟା ହେଲାଣି । ଅନେକ ସହର, ଅନେକ ବଡ଼ଘର ତୋଳା ସରିଲାଣି । ସେଇ ସବୁ ପାପର ପୂଜା ମନ୍ଦିର ଗଢ଼ିବାକୁ ଯେତେ ଇଟା ଚୂନ ଗୋଡ଼ି ପଥର କଡ଼ି କବ୍‍ଜା ଲାଗିଥିବ ଗୋବିନ୍ଦ ପଟ୍ଟନାୟକଙ୍କ ଅଣ୍ଟିମରା ଟଙ୍କା କେତୁଟା ସିମେଣ୍ଟର ଗୋଟାଏ ଦାନକୁବି ସରିହେବ ନାହିଁ । ତଥାପି ଆଧୁନିକ ଦୁନିଆ ଗଢ଼ିବାରେ ଗୋବିନ୍ଦ ପଟ୍ଟନାୟକଙ୍କ ପାପ ଧନ ପ୍ରାୟଶ୍ଚିତ୍ତ ପଇସାର ଦାନ ଅତି ଅଳ୍ପ ନୁହେଁ । ସେତୁବନ୍ଧରେ ଗୁଣ୍ଡୁଚିମୂଷାର ମଧ୍ୟ ମହତ୍ ଦାନ ଥିଲା ।

 

ଘରେ ଟଙ୍କାପଇସା ଯେଉଁଠି ଯାହା ଥିଲା ସେ କଥାବି ସେ କାହାକୁ କହିଗଲେ ନାହିଁ । କିଏ ଜାଣିଥିଲା ଏତେ କୂଟନୀତି ଦଇବ କରୁଚି ବୋଲି ? ସେ ତ ଆଉ ନ ଫେରିବାପାଇଁ ଯାଇ ନଥିଲେ । ଲୋକେ ଦୋଷ ଦିଅନ୍ତି ଚଣ୍ଡାଳ, ଆପଣ ହାତ ଧରିଲା ମାଇପଟା ପାଖରେ ଭଲା କହି ଯାଇଥାନ୍ତା । ନ ହେଲା ଜନମ କଲା ପୁଅ ପୁତୁରାଙ୍କ ହାତରେ–ପୁଅ କିଏ ପୁତୁରା କିଏ–ତାଙ୍କ ହାତରେ ଭଲା ଦେଇଯାଇଥାନ୍ତା !

 

ମାତ୍ର ଦୋଷଟା ଗୋବିନ୍ଦ ପଟ୍ଟନାହାକଙ୍କର ନୁହେଁ–ଦୋଷ ତାଙ୍କ ଚାକିରିର । ସେ ଚାକିରି ଧର୍ମ ହେଉଚି କାହାକୁ ବିଶ୍ୱାସ ନ କରିବା । ଗୋବିନ୍ଦ ପଟ୍ଟନାୟକ ନିଜକୁବି ବିଶ୍ୱାସ କରିପାରନ୍ତି ନାହିଁ । ସେ କଥା ସେ କେତେଥର ତାଙ୍କ ସ୍ତ୍ରୀଙ୍କ ଆଗେ କହିଥିବେ । ଏ ମର୍ତ୍ତ୍ୟରୁ ସେ ଯେବେ କିଛି ହେଲେ ସ୍ୱର୍ଗକୁ ନେଇ ଯାଇଥିବେ, ତେବେ ସେ ଏଇ ଅବିଶ୍ୱାସର ବୋଝ ।

 

ଦାରୋଗା ଗୋବିନ୍ଦ ପଟ୍ଟନାୟକଙ୍କ ମୃତ୍ୟୁରେ କେତେ ଲୋକ ସୁଖୀ ହୋଇଥିଲେ, କେତେ ଲୋକ ଦୁଃଖୀ ହୋଇଥିଲେ ତା’ର ଜନସୁମାରି ନେଲେ ଦାରୋଗାଙ୍କ ସ୍ୱର୍ଗବାସ କିମ୍ୱା ନର୍କବାସ ସମ୍ୱନ୍ଧରେ ସଂଶୟ ମେଣ୍ଟିଯାନ୍ତା, କିନ୍ତୁ ସେପରି କୌଣସି ତଥ୍ୟ ବା ଷ୍ଟାଟିଷ୍ଟ୍ରିକର ଅଭାବ ସ୍ଥଳେ ଏତିକି କୁହାଯାଇପାରେ ଯେ, ଦାରୋଗା ଗୋବିନ୍ଦ ପଟ୍ଟନାୟକେ ଆଜିଯାକେ ପ୍ରତିଦିନ ପଟ୍ଟନାୟକ ବଂଶର ପ୍ରତ୍ୟେକ ଇଂରାଜୀ ପଢ଼ୁଆ ଚାକିରିଆଙ୍କଠାରୁ ପିଣ୍ଡ ପାଆନ୍ତି–ଏବଂ ଯାବତ୍‌ ଚନ୍ଦ୍ରାର୍କେ ପାଉଥିବେ ଯେତେଦିନ ଅନ୍ତତଃ ଜଣେ ହେଲେ ଇଂରାଜୀ ପାଠୁଆ ଲୋକ ଏଇ ପଟ୍ଟନାହାକ ବଂଶରେ ଥିବେ । ଏବେ ତ ଏଇ ପିଣ୍ଡ ଦେବା ଲୋକଙ୍କ ସଂଖ୍ୟା ବଢ଼ି ଚାଲିଚି ।

 

ଭାଗୁ ମହାନ୍ତି ଓରଫ ଭାଗିରଥି ପଟ୍ଟନାୟକେ ମାଇନରଯାକେ ପାଠ ପଢ଼ିଥିଲେ । ସେ ପୁଣି ବହୁ କଷ୍ଟରେ । ଏବେବି ଇଂରାଜୀ ଏ, ବି, ସି, ଡି ମନେ ଅଛି । ମୁଖସ୍ଥ–ଅନର୍ଗଳ ଆବୃତ୍ତି କରିଯାଇପାରନ୍ତି । ଏଇ ବୟସରେ ମଧ୍ୟ । କିନ୍ତୁ ତାଙ୍କର ଗୁଣ ବିକଶି ଉଠିଲା ଇଂରାଜୀ ପାଠ ଯୋଗୁଁ ନୁହେଁ । ତାଙ୍କର ମଗଜ ଯୋଗୁଁ । ମଦନ ପଟ୍ଟନାୟକେ ଯେତେବେଳେ ଭାଗୁ ମହାନ୍ତିର ଘରତଳି ପର୍ଯ୍ୟନ୍ତ ନିଲାମ କରି ବସିଲେ, ସେତେବେଳେ ଭାଗୁ ମହାନ୍ତିର ମାଇପ ବେତପେଡ଼ିଟିଏ ଧରି ବାପ ଘରକୁ ବିଦା ହୋଇଗଲା । ଭାଗୁ ମହାନ୍ତି ସେଦିନ ଦ୍ରୌପଦୀ ଆଗରେ ଭୀମ ପଣ କଲାପରି ପଣ କରିଥିଲେ, ଏ ଗାଁକୁ ଯଦି ତୁ ପୁଣି ଫେରିବୁ ତ ମଦନ ପଟ୍ଟନାୟକ ଛାତି ଉପରେ ଛାତି ଧରି ଫେରିବୁ–ନଇଲେ ଆଉ ଅଯୋଧ୍ୟା ମୁଖ ନ ଦେଖିବୁ ।

 

ତା’ପରେ ସେ ନିଜେ ଯାଇ ଚାକିରି କଲେ–ମିଶ୍ର ଘରେ–ମାସକୁ ପାଞ୍ଚ ଟଙ୍କା ଦରମାରେ–ଗୁମାସ୍ତା ଗିରି । ଦରମା ଛାଡ଼ି ଉପୁରିବି ଅଛି । ତା’ର ହିସାବ ଥାଏ ନାହିଁ । ସେ ନିଜେବି ଜାଣନ୍ତି ନାହିଁ ଉପୁରି କେଉଁ ବାଟେ ଆସେ । ପ୍ରଭୁ ରାଧାଗୋବିନ୍ଦ ଦୟା–ପ୍ରସାଦ କଣିକା ପ୍ରାୟ ସେ ଉପୁରି ପଇସାତକ ପାଇ ଦିଅନ୍ତି–ଏକା ଥରକେ ଶେଷ କଲା ପରି ।

 

ମିଶ୍ର ଘର ମହାଜନି କାରବାର । ଭାଗୁ ମହାନ୍ତିଙ୍କର ସେଇ ହାତ ଦଶ ପଚାଶ, ଦଶ ପଚାଶରୁ ପଚାଶ ଶହେ, ହୋତେ ହୋତେ ପାଞ୍ଚ ଦଶ ହଜାରବି ଦେଖିଲା–ହଜାର ହଜାର ଟଙ୍କା ଦେଣନେଣ ଚାଲିଲା–ଏଇ ଭାଗୁ ମହାନ୍ତି ଅମଳରେ । ମିଶ୍ରଙ୍କ ଘର ପୂରି ଉଠିଲା । ସାଙ୍ଗେ ସାଙ୍ଗେ ଭାଗୁ ମହାନ୍ତିର ହାତବି ତେଲିଆ ଚିକଣା ପଡ଼ି ଯାଉଥାଏ । କିନ୍ତୁ ଭାଗୁ ମହାନ୍ତି ଏମିତି କାଇଦାରେ ଥାଏ ଯେ, କେହି ଜାଣିବ ନାହିଁ ଭାଗୁ ମହାନ୍ତିର ସଞ୍ଚା ତିନି ଶୂନ୍ୟକୁ ଠେକିଲାଣି–କେହି ଜାଣିବ ନାହିଁ-

 

ଭାଗୁ ମହାନ୍ତି ତଳ ସାହିରେ ଜାଗା ଖଣ୍ଡେ କିଣି ଯେଉଁଦିନ ପହିଲୁ ଘର ଶୁଭ ଦେଲେ, ସେ ଦିନ କି ନବରଙ୍ଗ ଦେଖିବ । ଗାଁଯାକ ସମସ୍ତକୁ ସେ ଦଶ ମୁଣ୍ଡିଆ ମାରି ଯାଉଥାନ୍ତି, ‘‘ତମରି ଦୟା–ତମରି ଦୟା–ତମେ ଦୟା ନ କରିଥିଲେ ଏ ଜେଗା ମିଳିଥାନ୍ତା କୁଆଡ଼ୁ । ଏଣିକି ଘର ତୋଳା ତମକୁ ଲାଗିଲା । ମାଗିଯାଚି ଘର ଖଣ୍ଡେ କ’ଣ ଭାଗୁ ମହାନ୍ତି କରିପାରିବ ନାହିଁ । କାହାଠୁ ଛଣ ଦି’ ବିଡ଼ା, କାହାଠୁ ବାଉଁଶ ଦି’ପଣ ଏମିତି କରି ଚାଳିଆ ଖଣ୍ଡେ ଠିଆ କରି ଦେଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳିବ–ବାସ ରହିବ ।’’

 

ଘର ପ୍ରତିଷ୍ଠା ଦିନ ଦୁଇ ସାହିଯାକକୁ ନିମନ୍ତ୍ରଣ–ତା’ ସାଙ୍ଗରେ ମଦନ ପଟ୍ଟନାୟକଙ୍କୁବି । ମଦନ ପଟ୍ଟନାୟକ ଦିହ ଭଲ ନାହିଁ ମନା କଲେ । କିନ୍ତୁ ଭାଗୁ ମହାନ୍ତି ଛାଡ଼ନ୍ତି କେତେକେ ! ଘର ଭିତରେ ଯାଇ ହାଜର–‘‘ମଦନାଦାଦି–ମଦାନାଦାଦି–ତମେ ନ ଯିବ ତ ମୋ ଘର ପ୍ରତିଷ୍ଠା ବନ୍ଦ ରହିଲା ।’’ ମଦନାଦାଦି ମହା ଅପଦସ୍ତ । ଏବେ ଆଉ ମନା କରୁଚନ୍ତି କିମିତି ? ନ ଯାଇ ଚାରା ନାହିଁ । ବାଧ୍ୟ ହେଇ ବାହାରିଲେ ।

 

ଘର ଏରୁଣ୍ଡିରେ ଗୋଡ଼ରଖି ଆଗ ‘ମଦନାଦାଦି’ ପଚାରିଲେ, ‘‘ବହୂ କାହାନ୍ତି ? ବହୂ ଆସିଚନ୍ତି ବାପଘରୁ ?’’

 

ପୁଅ ପୁତୁରା ସମାନ–ପୁଅ କିଏ ପୁତୁରା କିଏ ? ଭାଗୁ ମହାନ୍ତି ମନେ ମନେ ହସିଲେ କହିଲେ–‘‘ଜାଣ ନାହିଁ କି ମଦନାଦାଦି ? ସେଇ ଶଳା ଗୋଲାମ ଟେକା–ଧୋବେଇ ମହାନ୍ତି–ତମ ବଗକନ୍ଦାଜ ମ–ଶଳାର ଏଡ଼େ ମଗଜ, ପଟ୍ଟନାୟକ ଘର ବହୂ, ମଦନ ପଟ୍ଟନାୟକଙ୍କ ବହୂ–ଭାଗୁ ପଟ୍ଟନାୟକଙ୍କ ସ୍ତ୍ରୀ ସବାରୀ ଭିତରେ–ଗଉଡ଼ ଜୋର୍‍ରେ ଦିହିଁଙ୍କି ଡାକି ଦେଲା ସରିକି ସେ ସାମନାରେ ଠିଆ ହେଇଯାଇ ସବାରୀ ଅଟକେଇ ଦଉଚି । ଆଉରି ପଚାରୁଚି–‘କିସ୍‌କା ସବାରୀ ହେ !’ ମୋର ଲାଗିଗଲା ସେଠି ତା’ ସାଙ୍ଗରେ ପଟେ । ସେ କହିଲା–‘ମୋତେ ସାଆନ୍ତେ ହୁକୁମ ଦେଇଚନ୍ତି ।’ ମୁଁ କାହିଁକି ଠୁଳେ ବିଶ୍ୱାସ କରନ୍ତି । ମୁଁ କ’ଣ ମଦନ ପଟ୍ଟନାହାକଙ୍କୁ ଚିହ୍ନି ନାହିଁ–ଆଜି ମୋତେ ବେହିପୁଅ ଧୋବେଇ ମହାନ୍ତି ଗୋଲାମ ଆସି ଚିହ୍ନେଇ ଦେବ । ତମେ କାହିଁକି କାହା ଝୁଅ ବହୂ ସବାରୀ ଅଟକାନ୍ତ । ସବୁ ସେଇ ଶଳା ଗୋଲାମ ଟୋକାର କାଣ୍ଡ । ମୁଁ ଶୁଣିଲି ନାହିଁ ସେମିତି ଚାଲି ଆସିଲି ।’’

 

ମଦନାଦାଦିଙ୍କ ମୁହଁ ଏଡ଼ିକିଟିଏ ହେଇଗଲା । ସେତିକିବେଳେ ଘର ଭିତରୁ ବହୂ ଆସି ସେ କବାଟ କୋଣରେ ଦଣ୍ଡବତ କଲେ । କିଏ ପିଲାଟିଏ କହିଲା–ଖୁଡ଼ୀ ଦଣ୍ଡବତ ହଉଚି, ସାଆନ୍ତ ଅଜାଙ୍କୁ ।

 

ଭଗବାନ୍ କାହାରି ଗର୍ବ ରଖନ୍ତି ନାହିଁ । ଗର୍ବଗଞ୍ଜନ ବାନା ସେ । ଭାଗୁ ମହାନ୍ତି କହନ୍ତି, ଦ୍ରୌପଦୀ ଲଜ୍ଜା ନିବାରଣ ଭାଗୁ ମହାନ୍ତିର ଲାଜ ରଖିଲେ–ମହତ୍ ରଖିଲେ । ମଦନ ପଟ୍ଟନାୟକଙ୍କ ଜମିଦାରୀରୁ ସେ ଥର ଆଦାୟ ମାନ୍ଦା ପଡ଼ିଗଲା, ଊଣା ହେଲା ହଜାରେ ଟଙ୍କା ନାଟବନ୍ଦୀ ପଟେଇବାକୁ । କରଜ ନ କରି ଚାରା ନାହିଁ । ପଟ୍ଟନାହାକ ଘର କେବେ କରଜ କରନ୍ତି ନାହିଁ । ହାତଉଧାରି ଯେତେବେଳେ ଯାହା ଆଣନ୍ତି ସେତକ ସେ ଦେଇ ଦିଅନ୍ତି କେହି ନ ମାଗିବା ଆଗରୁ–ନ ଜାଣିବା ଆଗରୁ । କିନ୍ତୁ ଏଥର ହଜାରେ ଟଙ୍କା ଦଉଚି କିଏ ?–ବିନା ହେଣ୍ଡନୋଟ ତମସୁକରେ । ପୁଣି ପଟ୍ଟନାହାକ ଘର ଯଦି କରଜ କରନ୍ତି–ଏକଥା ସଂସାର ଜାଣିବ ତ ? ଲୋକେ ଯଦି ଶୁଣିବେ ଏକଥା, ଜାଣିବେ, ପଟ୍ଟନାହାକ ଘରମାନ ମହତ୍ ସବୁ ଗଲା । ସବୁ ଭାସିଯିବ ।

 

ସେଇ ଦିନ, ସେଇ ରାତିରେ ଭାଗୁ ମହାନ୍ତି କି ଡାକି ମଦନ ପଟ୍ଟନାୟକେ କହିଲେ–‘‘ହଇରେ ଭାଗୁ, ତୁ କ’ଣ ଆଉ ମୋ ଉପରେ ସେଇ ରାଗ ରଖିଛୁନା ? ଗଲା କଥା ଗଲାଣି । ବାପ ଦାଦି ମୁରବି ଲୋକ । ଭୁଲ୍‍ଭଟ୍‍କା ଦେଖିଲେ ଚାପୁଡ଼େ ଅଧେ ଯଦି ପକେଇ ଦିଅନ୍ତି, ତେବେ ତାକୁ ପୁଅ ପୁତୁରା ନ ସହିବେ ତ ଆଉ କିଏ ସହିବ ? ତେବେ ପୁଅ ପୁତୁରା ହେଇଥିଲ କାହିଁକି ?’’

 

ଭାଗୁ ମହାନ୍ତି କଥାର ଲମ୍ୱା ଚଉଡ଼ାକୁ ମାପି ତା’ର ପରିଧିଟାକୁ ବେଶ୍‌ ଠଉରେଇ ନେଲେ । ହଠାତ ସେ ଦିନର କଥା ମନେ ପଡ଼ିଲା । ବିଜୁଳି ପରି ଚମକ ଲଗେଇ ଦେଲା ସେ । ଦେହ ଭିତରଟା ଉଷୁମ ହେଇ ଉଠିଲା । ହସିବା ବେଳକୁ ହସ ଚାପା ପଡ଼ି ଯାଉଥାଏ । ହସିବାକୁ ଚେଷ୍ଟା କରି ସେ ବଡ଼ କଷ୍ଟରେ ଓଠ ଉପରେ ହସ ଫୁଟାଇ ଫୁଟାଇ ପାରିଲେ । ସାମାନ୍ୟ । କିନ୍ତୁ ଭିତରେ–କଲିଜା ଭିତରେ କିଏ ଯେମିତି ଜିଭ ଲହ ଲହ କରି ବିଷ ହୁଳ ବୁଲେଇ ଦେଇ ଯାଉଛି । ବହୁ କଷ୍ଟରେ ନିଜର ରୂପକୁ ଲୁଚାଇବାର ଚେଷ୍ଟା କରି ସେ କହିଲେ :–

 

‘‘ସବୁ ଦିନେ କାହାରି ସମାନ ଯାଏଁ ନାହିଁ ଦାଦି । ଆଜି ଦି’ ପଇସା କମଉଚି, କିଏ ଜାଣେ କାଲି ଭାଗ୍ୟରେ କ’ଣ ଅଛି । ସାଇପଡ଼ିଶା ନେଇ ଘର କରିଚୁ । ଭଲମନ୍ଦ ସମସ୍ତଙ୍କର ଅଛି-। କଥାରେ ଗଣ୍ଠି ଦେଇ ବସିଲେ ଚଳେ ନାହିଁ । ମୁଁ କ’ଣ ଆଉ ସେଇ ଦିନର କଥାକୁ ମନରେ ରଖିଛି ଦାଦି ! ତମର ମାରିବାର ଅଧିକାର ଥିଲା, ଗୁରୁ ଗୁରୁଜନ, ଦି’ ଚାପୁଡ଼ା ମାରି ଦେଲ ତ ହେଲା କ’ଣ-। ଆମର ସହିବାର କଥା, ସହିଗଲି । ନ ହେଲେ ମଦନ ପଟ୍ଟନାହାକ ଛଡ଼ା ଇମିତି କିଏ ପୁଅ ଅଛି, ଭାଗିରଥି ପଟ୍ଟନାହାକକୁ ଧକା ଦେଇ ଘରୁ ନିକାଲି ଦବ । ଛାଡ଼ ସେ କଥା । ଗଲା କଥା ଗଲାଣି-। ମୋତେ କାହିଁକି ଡକେଇ ଥିଲ କହିବଟି !

 

ମଦନ ପଟ୍ଟନାୟକ ବୁଝି ପାରିଲେ ନାହିଁ ଭାଗୁ ମହାନ୍ତି ଭଲ କହିଲା କି ମନ୍ଦ କହିଲା । ଭାଗୁ ମହାନ୍ତି ମନରେ ଏବେବି ରିସା ଅଛି ନା, ସତ ସତ ଯେମିତି କହୁଛି ସେମିତି କ୍ଷମା କରି ସେ ଆଜି ଆପଣା ଲୋକ ଭଳି ବିପଦବେଳେ ସାହା ପୁରୁଷ ହୋଇ ଠିଆ ହେବ !

 

ତଥାପି ମଦନ ପଟ୍ଟନାୟକଙ୍କୁ ସଙ୍କୋଚ ଲାଗୁଥାଏ । ମଦନ ପଟ୍ଟନାୟକ ପରା ଲୋକ, ପଟ୍ଟନାହାକ ପଡ଼ାର ମୁଖିଆ, ସେ ପୁଣି ଭାଗୁ ମହାନ୍ତି ଗୁମାସ୍ତା ପାଖରେ ହାତ ପାତିବ ? ହେଲେ, ଭଗବାନ୍‍ବି ତ ଗଧ ପାଦ ଧରି ଥିଲେ–ଦରକାରବେଳେ । ବହୁ କଷ୍ଟରେ ମଦନ ପଟ୍ଟନାୟକ କହିଲେ, ‘‘ହଇ ହେ ଭାଗୁ, କଥାଟା କିନ୍ତୁ ବଡ଼ ଗୋପନ ରଖିବୁ । ରାଧା ଗୋବିନ୍ଦଙ୍କ ନାମ ଧରି କହିଲୁ ।’’

 

ଭାଗୁ ମହାନ୍ତି ସାଙ୍ଗେ ସାଙ୍ଗେ କହି ଉଠିଲା–‘‘ରାଧା ଗୋବିନ୍ଦଙ୍କ ଦ୍ୱାହି ମଦନାଦାଦି । ତମ ଛଡ଼ା ଆଉ କେହି ଜାଣିବେ ନାହିଁ ।’’

 

‘‘ଦେଖ, ପଟ୍ଟନାହାକ ପଡ଼ାର ଇଜ୍ଜତ ଯେମିତି ପଦାରେ ନ ପଡ଼େ । ପଟ୍ଟନାହାକ ଘର କିଏ ଆଉ ପଟ୍ଟନାୟକ ପଡ଼ା କିଏ । ଏ ଗୋଟିଏ ଘରର ମହତ୍ତ୍ୱ ଗଲେ ସବୁ ଘରର ମହତ୍ତ୍ୱ ଭାସିଯିବ ।’’

 

ଭାଗୁ ମହାନ୍ତି ଭାବୁଥିଲେ–ତାଙ୍କୁ ଲାଗୁଥିଲା, ସତେ ଯେମିତି ଏ ଗୋଟିଏ ଘରର ମହତ୍ତ୍ୱ ଲାଗି ସବୁ ଘରର ମହତ୍ତ୍ୱ ଭାସିଯାଇଚି । ସବୁ ଘରର ମହତ୍ତ୍ୱ ଦେଇ ଏଇ ଗୋଟିଏ ଘରର ମହତ୍ତ୍ୱ ଜଗି ଆସିଛନ୍ତି ସମସ୍ତେ, ଆଜିଯାକେ ।

 

ଭାଗୁ ମହାନ୍ତି କିନ୍ତୁ ଉତ୍ତର ଦେଲେ–ମୋତେ କ’ଣ ସେ କଥା କହିବାକୁ ହେବ ମଦନାଦି-। ଦେଖିବ ପୁଣି । ମୁଁ କ’ଣ ଜାଣେ ନାହିଁ । ଷଟ୍‌କର୍ଣ୍ଣେ ମନ୍ତ୍ରଭେଦ, ତମର ମୋର ଚାରିକାନ ଛଡ଼ା ପାଞ୍ଚ କାନବି ହେବ ନାହିଁ । ଦେଖିବ ପୁଣି ।

 

ଗଳାବେଳକୁ ମଦନ ପଟ୍ଟନାୟକ ଆଉଥରେ ସାବଧାନ କରେଇ ଦେଲେ । ଭାଗୁ ମହାନ୍ତି ମଧ୍ୟ ଶେଷ ଥରପାଇଁ ନିର୍ଭର ଜବାବ ଦେଇଗଲେ–‘ଦେଖିବ ପୁଣି ।’

 

କହି ତ ଗଲେ–ନାଟବନ୍ଦୀ ଆସି ମୁଣ୍ଡଉପରେ–କାହିଁ ? ଦେଖା ନାହିଁ । ମଦନ ପଟ୍ଟନାୟକ ମୁଣ୍ଡରେ ହାତଦେଇ ବସିଚନ୍ତି । ରାତିଏ ରାତିଏ ନାଟବନ୍ଦୀ ଟଙ୍କା ଘେନି ଗୁମାସ୍ତା ବରକନ୍ଦାଜ, ପାଣ ଛାଟିଆ କଲେକ୍‍ଟର କଚେରିକି ଯିବେ । ସଦର ଜମାରୁ ହଜାରେ କେତେ ଟଙ୍କା ଊଣା । ଭାଗୁ ମହାନ୍ତି–କେଉଁ କାଳେ ସେ ଭାଗୁ ପଟ୍ଟନାୟକ ହେଇ ଥିଲା ନା–ତା’ ବାସ ଗୋସାଇଁବାପ ଚଉଦ ପୁରୁଷରେ କେହି ପଟ୍ଟନାୟକ ହେଇଥିଲା ନା–ଯାହାର କଥାରେ ଠିକ୍‌ ନାହିଁ–ସେ ପୁଣି ମଣିଷ ! କଥା ଦେଇ ଭସେଇ ଦେଇଗଲା–ଗୋଟା ପଟ୍ଟନାୟକ ବଂଶଟାକୁ ।

 

ଅଧରାତି । ପଟ୍ଟନାୟକେ–ମଦନ ପଟ୍ଟନାୟକେ ମୁଣ୍ଡରେ ହାତ ଦେଇ ବସିଚନ୍ତି । ଗୁମାସ୍ତାମାନେ ହିସାବ ଲଗେଇଚନ୍ତି, ଟଙ୍କା ଗଣୁଚନ୍ତି, ପରାମର୍ଶ ଦେଉଛନ୍ତି, ତାବେଦାରୀ କରୁଛନ୍ତି-। ବିଚାର ପଡ଼ିଚି, କୋଉ ତଉଜୀଟା ବାକି ପଡ଼ିବ ।

 

ହଠାତ ଭାଗୁ ମହାନ୍ତି ଓରଫ ଭାଗୁ ପଟ୍ଟନାୟକେ ଆସି ପହଞ୍ଚିଗଲେ । ଠିକ୍‌ ସେତିକି ବେଳକୁ ମଦନ ପଟ୍ଟନାୟକେ ଅସ୍ଥିର ଭାବରେ ପାଇଚାର କରୁଥିଲେ । ମଝିରେ ମଝିରେ ଚଉକି ଉପରେ ଯାଇ ଲଥ କିନା ବସି ପଡ଼ୁଥାନ୍ତି । ଖଣ୍ଡେ ଦୂରରୁ କିଏ ଆସୁଚି ଦେଖି ସେ ଚମକି ପଡ଼ିଲେ–‘‘କିଏ ଭାଗୁ ?’’

 

‘‘ହଁ ଦାଦି, ମୁଁ ଭାଗୁ ।’’

 

ପିଣ୍ଡରେ ଯେମିତି ପ୍ରାଣ ପଶିଲା ।

 

‘‘ମୁଁ ଜାଣେ ଭାଗୁ ଏଇ ବାଟରେ କୋଉଠି ହେଇଥିବ । ଏମାନେ ସମସ୍ତେ କହୁଥିଲେ ଭାଗୁ ମହାନ୍ତି ଧପେଇଲା । ମୁଁ କହିଲି, ଭାଗୁ କ’ଣ ଇମିତି ସିମିତି ଲୋକ–କାହା ଘର ପୁଅ, କାହା ଘର ନାତି, କାହା ବଂଶରେ ଜନ୍ମ–କଥା ତା’ର ଦୁଇଟା ହେବ ?’’

 

ଭାଗୁ ମହାନ୍ତି କିନ୍ତୁ ମୁହଁଟାକୁ ଓଳିଆ ପରି କରି କହିଲେ–କ’ଣ କରିବି ମଦନାଦି, ଟଙ୍କା ପଇସା ଦବାନବା କଥା ସବୁ ସାର ହୋଇଗଲା । କଥା ଖାଲି ଟିକକେ ଅଟକି ରହିଛି । ଛିଡ଼ୁ ନାହିଁ । ତମେ ତ କହିଚ ଚାରି କାନରୁ ଛ’ କାନେ ହେବନାହିଁ । ମିଶ୍ର ପାଜିଟା କ’ଣ ଧରିବସିଛି ଜାଣିଛ ? କହୁଛି ଦୁଇ ତିନିଜଣ ସାକ୍ଷୀ ନ ପଡ଼ିଲେ ସେ ଟଙ୍କା ଦବ ନାହିଁ ।’’

 

‘‘ତୁ ଟଙ୍କା ଆଣି ନାହୁଁ ? ପଟ୍ଟନାୟକେ ନିରାଶ ହେଇଗଲେ ।

 

‘‘ଆଣିବା ନ ଆଣିବା ସମାନ । ଟଙ୍କା ଏଇ ହାତଚଉକିରେ ଥୁଆ ହେଲାପରି ଜାଣିବ, ଖାଲି ଦୁଇ ତିନିଜଣ ମୁଖିଆ ଲୋକ ସାକ୍ଷୀ ପଡ଼ିଲେ କାମ ଶେଷ ।’’

 

‘‘ମହତ୍ତ୍ୱ ରହିବଟି ଭାଗୁ ?’’ ମଦନ ପଟ୍ଟନାୟକ ପଚାରିଲେ ।

 

‘‘ହଁ, ସେ ତ ଠିକ୍ କଥା । କିନ୍ତୁ ମୋର ଆଉ ବଳ କ’ଣ ସେଥିକୁ କହ । ତେବେ–ଯଦି–ମୁଁ କ’ଣ କହୁଥିଲି କି–’’

 

‘‘କ’ଣ କରିବି କହ ଭାଗୁ–ମୋତେ ବୁଦ୍ଧିଦେ–ଚାରିଆଡ଼େ ମୋତେ ଖାଲି ଅନ୍ଧାର ଦିଶୁଛି-।’’

 

‘‘ନା, ବୁଦ୍ଧି ଆଉ ଏଥିରେ କ’ଣ ଦେବି । କିବା କଥାଟାଏ । ମୁଁ କ’ଣ କହୁଥିଲି କି–’’ ଭାଗୁ ମହାନ୍ତି ଛେପ ଢୋକି ଆହୁରି ନରମା ଗଳାରେ କହିବାକୁ ଲାଗିଲେ, ‘‘ଗହଣା ଦି’ଖଣ୍ଡ ବନ୍ଧା ପକେଇ ଦେଲେ କିମିତି ହୁଅନ୍ତା । କ’ଣ କରିବା ? ଗରଜ ତ ପଡ଼ିଚି ଆମର, ମିଶ୍ର ବାହ୍ମୁଣ ଯାହା କହିବ ନାକ କାନ ମୋଡ଼ି ସେଇୟା କରିବାକୁ ପଡ଼ିବ । ଚାରା କ’ଣ ?’’

 

ଗହଣା ! ମଦନ ପଟ୍ଟନାୟେକେ ଚମକି ପଡ଼ିଲେ । ମାଇପ ଗହଣା–ଘରର ଲକ୍ଷ୍ମୀଙ୍କ ଗହଣା ପର ହାତକୁ ଦେଇ, ବନ୍ଧା ପକେଇ ମାଲ୍ ଗୁଜ୍ଜରୀ ପଟେଇବେ ! ଶେଷକୁ ଏଇୟା ଥିଲା କପାଳରେ । ମୁଣ୍ଡରେ ହାତଦେଇ ଗୁମ୍‌ ମାରି ବସିଗଲେ ମଦନବାବୁ ।

 

ଭାଗୁ ମହାନ୍ତି କହିଲେ, ‘‘ନ ହେଲେ–ସେ ବାହ୍ମୁଣ ଖଣ୍ଟ ତ ମାନିଲା ପରି ଦିଶୁ ନାହିଁ–ଆଚ୍ଛା, ଦେଖିବା, ଦିଗୁଣାରେ ହେଣ୍ଡନୋଟ ଖଣ୍ଡେ ଲେଖିଦିଅ ଚକ୍ରବୃଦ୍ଧି ସୁଧରେ–ମୁଁ ଯାଇ ଆଉଥରେ ଚେଷ୍ଟା କରି ଦେଖେ କ’ଣ ହେଉଛି । କିନ୍ତୁ ଜବାବ ଦେଇପାରୁ ନାହିଁ ମଦନାଦାଦି । ‘‘ଠାକୁରେ ସାହା । ବ୍ରାହ୍ମଣ ମଙ୍ଗିଗଲା ତ ତମ ଭାଗ୍ୟ ।’’

 

ଅଗତ୍ୟା ମଦନ ପଟ୍ଟନାୟକ ହଜାରକ ଜାଗାରେ ଦୁଇ ହଜାର ଟଙ୍କାର ହ୍ୟାଣ୍ଡନୋଟ ଲେଖିଦେଲେ । ଭାଗୁ ମହାନ୍ତି ‘ମା ଦୁର୍ଗା !’ ଡାକ ଛାଡ଼ି ମିଶ୍ରଙ୍କ ଘରଠିକି ଗଲେ ବାହାରି ଟଙ୍କା ଆଣିବାକୁ । ମଦନବାବୁଙ୍କ ଛାତି ଖାଲି ଥରୁଥାଏ । ହ୍ୟାଣ୍ଡନୋଟ ନେଇ ଟଙ୍କା ଯଦି ନ ଦିଏ ।

 

ତାଙ୍କ ଭାଗ୍ୟ ଭଲ–ଭାଗୁ ମହାନ୍ତି ଟଙ୍କା ଧରି ଫେରିଲେ । କିନ୍ତୁ ପୂରା ହଜାରେ ଟଙ୍କା ନୁହେଁ । ହଜାର କରୁ ଶହେ ଟଙ୍କା କମ୍‌ । ମଦନ ପଟ୍ଟନାୟକ ତାଟକା ହୋଇ ଭାଗୁ ମହାନ୍ତିଙ୍କି ଚାହିଁଲେ । ମହାନ୍ତିଏ କହିଲେ–‘‘ଚିନ୍ତା ନାହିଁ–ଶହେ ଟଙ୍କା ସେ ପରେ ଦେଇ ଦେବେ ।’’

 

‘‘କିନ୍ତୁ ଏଇଲେ ନାଟବନ୍ଦୀ ଚଳିବ କିମିତି ?’’ ମଦନବାବୁ ପଚାରିଲେ ।

 

‘‘ନ ହେଲା, ଶହେ ଟଙ୍କା ଗୋଟେ ତଉଜୀର ବାକି ରହିଯିବ । ଭାସିଯିବ କ’ଣ ? ନିଲାମ ତାରିଖ ପୂର୍ବରୁ ଦାଖଲ କରି ଦେଲେ ହେଲା । ନ ହେଲା ଟଙ୍କା ପାଞ୍ଚୁଟା ଯାଏଁ ଜରିମାନା ପଡ଼ିବ । –ଖୁବ୍‌ ବଢ଼ି ବଢ଼ି ।’’

 

ମଦନବାବୁଙ୍କ ଅକଲଗୁଡ଼ୁମ୍‌ । ‘‘ଶେଷକୁ ଶହେ ଟଙ୍କାଟା ପାଇ ନା ପଡ଼ିବ ଯେ ପଟ୍ଟନାହାକ ଘର ନାଟବନ୍ଦୀ ପଟେଇ ପାରିଲେ ନାହିଁ ।’’

 

‘‘ଭାଗୁ ପଟ୍ଟନାହାକ ଥାଉ ଥାଉ ତମେ କିଛି ଚିନ୍ତା କର ନାହିଁ ମଦନାଦି । ନ ହେଲା, ନାହିଁ ମୁଁ ହାତରୁ ଦେଇ ଦେଉଚି । ମୋ ଟଙ୍କାଟା ହାତ ଉଦ୍ଧାରି ବୋଲି ଜାଣିବ ମଦନାଦାଦି । ମୋତେ ହାତେ ହାତେ ଦେଇଦେବ । ହେଣ୍ଡନୋଟ ତମସୁକର ଦରକାର ନାହିଁ । ଦାଦି ପୁତୁରା ଭିତରେ କଥା ତ ।’’

 

ସେଥର ନାଟବନ୍ଦୀ ଚଳିଗଲା । ଯଥା କଥା କି । ତହିଁ ଆର ବରଷ ଆଦାୟ ପୁଣି ସେମିତି ସେମିତି । ଧାନ ଦର ପଡ଼ିଗଲା । ପ୍ରଜାଘରେ ହାହାକାର ପଡ଼ିଗଲା । ରାଜା ଜମିଦାରଙ୍କର ପ୍ରମାଦ କହିଲେ ନସରେ । ସରକାର ଅହନ୍ତା କଲାପରି ଜମିଦାରଙ୍କ ଉପରି ଦାଖଲଖାରଜ ରୋସମା ଉଠାଇ ଦେଲେ । ଛୋଟ ଛୋଟ ମଧ୍ୟବିତ୍ତ ଜମିଦାର ଗଡ଼ି ମରିଲାପରି କହିଲା ହାଲିଆ ହେଇଗଲେ । ବଡ଼ବଡ଼ଙ୍କ ଅବସ୍ଥା ମଧ୍ୟ ଢୋକେ ପି ଦଣ୍ଡେ ଜୀ । ମଦନବାବୁ ସେ ତାଲିକାରୁ ବାଦ୍ ପଡ଼ନ୍ତେ କେମିତି ।

 

ମିଶ୍ରଙ୍କ ଟଙ୍କା ଶୁଝା ସରିନାହିଁ । ବାକି ଅଳ୍ପ କେତେ ଶୁଝିଦେଇ ହେଣ୍ଡନୋଟ ଫେରେଇ ଆଣିବେ ବୋଲି ଯେତେଥର ଟଙ୍କା ଆଣି ରଖୁଛନ୍ତି, ପର ଲାଗିଲା ପରି ସେ କୁଆଡ଼େ ଉଭେଇଯାଉଛି । ଚାହୁଁଚାହୁଁ ଆର ନାଟବନ୍ଦୀ ଆସି ପଡ଼ିଲା । ଏଥର ଦୁଇହଜାର ଟଙ୍କା ଊଣା ।

 

ମଦନ ପଟ୍ଟନାହାକ କହିଲେ, ଏଥର ଆଉ କିଛି ବେଶି ଟଙ୍କା ଆଣି ପୁରୁଣା ଋଣଟାକୁ ଶୋଧକରି ଦିଆଯାଉ । ଏଣିକି ଖାତାରେ ନୂଆ କରଜଟା ପଡ଼ୁ ।

 

ଭାଗୁ ମହାନ୍ତି କହିଲେ–ଏକା କଥା–ଅନ୍ଧାରରେ ଖାଇଲେ ଯେ ଆଲୁଅରେ ଖାଇଲେ ସେ । ତା’ ଛଡ଼ା ତମେ ଭାବିଛ ଆଗ ଟଙ୍କା ନ ଶୁଝିଲେ ମିଶ୍ର ବାହ୍ମୁଣ ତମକୁ ଅବିଶ୍ୱାସ କରିବ । ତା’ ନୁହେଁ–ତା’ ନୁହେଁ ମଦନାଦାଦି । ମିଶ୍ର ବାହ୍ମୁଣ ଭଲ କରି ଚିହ୍ନିଚି ମଦନ ପଟ୍ଟନାୟକ କିମିତିଆ ଲୋକ । ସେ କ’ଣ ତମକୁ ଅବିଶ୍ୱାସ କରିବ, କାଳେ ତମେ ଆଗ ଟଙ୍କାଟାକୁ ବୁଡ଼େଇଦେବ ବୋଲି, ତଥାପି ମଦାନାଦାଦି ଡରେ କହିଲେ–ନାଇଁ ପୁରୁଣା ହିସାବଟା ନିକାଶ କରିଦେଲେ ଭଲ, ନଇଲେ ସେଟା ପୁଣି ଗଡ଼ୁଥିବ–ସୁଧ ଚଢ଼ୁଥିବ ।

 

କେବଳ କଥାରେ ହେଲା ପୁରୁଣା ଚୁକ୍ତି କରି ଦିଆଯିବ । କିନ୍ତୁ କାର୍ଯ୍ୟରେ ହେଲା ନାହିଁ । ଭାଗୁ ମହାନ୍ତିର ସେଇ ଏକ ଜବାବ–ଆଲୁଅରେ ଖାଇଲେ ଯେ, ଅନ୍ଧାରରେ ଖାଇଲେ ସେ ।

 

ବର୍ଷ ବର୍ଷ ଧରି ନାଟବନ୍ଦୀକୁ ନାଟବନ୍ଦୀ, ବର୍ଷରେ ଦି’ ଦି’ ଥର ମଦନ ପଟ୍ଟନାୟକ ମିଶ୍ରଘରୁ କରଜ ଆଣିବାକୁ ଲାଗିଲେ । କରଜଟା ବାଡ଼ି ବାଇଗଣ ପରି ଲାଗିଲା । ଅତି ସହଜ–ଆପଣାର ସାଇତା ସଞ୍ଚାଧାନ ଆଣିଲା ପରି ଲାଗୁଥାଏ ମଦନ ପଟ୍ଟନାଏକଙ୍କୁ । ଜମିଦାରୀରେ କିନ୍ତୁ ତାଗିଦା ନାହିଁ । ଆଦାୟର ବ୍ୟବସ୍ଥା ନାହିଁ । ହଁ, ଆଦାୟ ହେବ । ପ୍ରଜାଙ୍କ ଉପରୁ କୁଆଡ଼େ ବୁଡ଼ିଯାଇଛି କି ? ପ୍ରଜାଏବି ଆଉ ଘରେ ଆଣି ଖଜଣା ଗଣିଦେଇ ଯିବା ଅବସ୍ଥାରେ ନାହାନ୍ତି । ଆଲ୍ଲାମିଆଁ ଦେଲାପରି ସମସ୍ତେ ମନ ଖୁସିରେ ନାହିରେ ତେଲଦେଇ ଶୋଇପଡ଼ନ୍ତି । ମଦନ ପଟ୍ଟନାୟକଙ୍କ ଅବସ୍ଥା କ୍ରମେ ଖରାପ ହୋଇଆସିଲା । କଟକବଲାରେ ଜମଦାରୀ ବନ୍ଧାଦେଇ କରଜ ଆଣିଲେ । ଜୁଆଖେଳ ଟଙ୍କାପରି କରଜର ସୁବିଧା ଧନରେ ମଦନ ପଟ୍ଟନାଏକଙ୍କ ମନ ଯେମିତି ବଶ ହୋଇଯାଇଛି । କ୍ରମେ ଖଣ୍ଡି ଖଣ୍ଡି ହୋଇ ଜମିଦାରୀ ହାତରୁ ଖସିଲା–ନିଲାମରେ ନୁହେଁ–ବିକ୍ରିହୋଇ ।

 

ମଦନପଟ୍ଟନାୟକଙ୍କ ଉଆସକୁ ଯେ ଚାହୁଁଥାଏ, ହାୟ ହାୟ କରୁଥାଏ । କାନ୍ଥରେ ଚୂନ ଦିଆନାହିଁ । ପଲସ୍ତରା ଖଣ୍ଡି ଖଣ୍ଡି ଖସି ପଡ଼ୁଛି । ଗୁହାଳ ପଟରେ କାନ୍ଥଡ଼ା ଠିଆ ହେଲାଣି । ପଶ୍ଚିମପଟ ଘରଟା ଭଙ୍ଗା ହେଇଥିଲା । ମାଟୁହେବ ବୋଲି ସେ ସେମିତି ରହିଛି । ସବାରୀ ପାଲିଙ୍କିରେ ଘୁଣ ଲାଗି ସତ୍ୟାନାଶ ହେବାକୁ ବସିଛି । ମଦନ ପଟ୍ଟନାୟକ ଲାଜେ ଆଉ ଘରୁ ବାହାରି ପାରୁନାହାନ୍ତି । ସବାରୀ ପାଲିଙ୍କି ଚଢ଼ିବ କିଏ ? ବୁଢିଆଣୀ, ଝିଟିପିଟି, ମୂଷା ଆଉ ଢେମଣାଙ୍କର ଆଡ଼ା ହୋଇଛି ସେ ଜାଗାଗୁଡ଼ାକ ।

 

ଲାଜ ଅପମାନର ବୋଝକୁ ଛାଇ ମନେକରି ମଦନ ପଟ୍ଟନାୟକ ଯେତେବେଳେ ଆସ୍ତେ ଆସ୍ତେ ଘରୁ ବାହାରକୁ ବାହାରିଲେ–ସେତେବେଳେ କି ତେଜ ଦେଖିବ ତାଙ୍କର । ଖାଲି ତେଜ ନୁହେଁ ଢମରେ ସେ ଆହୁରି ତମ ତମ ହେଇଯାଉଥାନ୍ତି । କେଉଁ ବାପ ଗୋସାଇଁବାପ ଅମଳରେ ସଞ୍ଚା, ମଠା, ପାଟ, ଶାଲ, ପଗଡ଼ି, ଚଦର ଅଚକନ ସବୁ ବାହାରିଲା । ଦାରିଦ୍ର୍ୟକୁ ଅସ୍ୱୀକାର କରିବାପାଇଁ ଯେଡ଼େ ଦୁର୍ବଳ ହେଉନ୍ତୁ ପଛେ ଅନ୍ତତଃ ଅତୀତକୁ ଧୋଇ ପିଇବାର ପ୍ରବୃତିରେ ସନ୍ତୁଷ୍ଟ ହେବା ଛଡ଼ା ପଟ୍ଟନାୟକଙ୍କର ଉପାୟାନ୍ତର ନଥିଲା ।

 

‘‘ଏ ଚପକନଟା ମରହଟ୍ଟା ଅମଳର ।’’

 

‘‘ଏ ପଗଡ଼ି ବାନ୍ଧି ଆମର କେଉଁ ପୂର୍ବପୁରୁଷ ମରହଟ୍ଟାଠୁ ସନନ୍ଦ ଆଣିଥିଲେ ।’’

 

‘‘ଏ ଶାଲଟା ତିରିଶ ଟଙ୍କାଦେଇ ଆମ ବାପା ମୋପାଇଁ କିଣିଥିଲେ ।’’

 

କହିବା ସାଙ୍ଗେ ସାଙ୍ଗେ ଗୁଡ଼ାଖୁର ଗୋଟାଏ ଗୋଟାଏ ଲମ୍ବା ଟାଣ କଥାକୁ ଆହୁରି ଗମ୍ଭୀର ଏବଂ ମିଠା କରୁଥାଏ । ଗୁଡ଼ାଖୁର ନଳିଟା କ୍ରମେ କ୍ରମେ ଲମ୍ୱିଯାଉଛି । ନିଜର ରାହା ଧରିବାର ଶକ୍ତି ଯେତିକି ହ୍ରାସ ପାଇବାରେ ଲାଗିଛି ଗୁଡ଼ାଖୁର ନଳି ସେତିକି ଲମ୍ବି ଲମ୍ୱି ଚାଲିଛି ଓ ସେତିକି ରଙ୍ଗ ବିରଙ୍ଗ ହୋଇଯାଉଛି ।

 

ପଟ୍ଟନାଏକଙ୍କ ପୁଅ, ବାପଠୁ ଶଙ୍କରଜା ବଳେ । ମାଟ୍ରିକ୍ୟୁଲେସନ ତିନିବର୍ଷକେ ପାଶ୍‌ କରି, ଚାରିଥର ଆଇ.ଏ ପରୀକ୍ଷା ଦେବାର ବାହାଦୁରି ଅର୍ଜନ କରି ସେ ବର୍ତ୍ତମାନ ଲମ୍ୱୋଦର ହୋଇ ଘରେ ଗାଆଣ ବାଜଣାରେ ସମୟ କଟାନ୍ତି । ଶୁଣାଯାଏ ତା, ଧିନି କିଟା ତା, ତାକ ତାକ ତା’ କରି କବାଲି ବାହାରିବା ଏଇ ଦୁଇଟି ତାଳ ଶିଖିଛନ୍ତି ଦୁଇମାସ ଦୁଇପକ୍ଷ ଦୁଇସପ୍ତାହ ଦୁଇଦିନ ଭିତରେ । ତାଙ୍କରି ହିସାବ ଅନୁସାରେ ଗୀତ ଗାଇ ଆରମ୍ଭ କଲେ ଖଣ୍ଡ ମଣ୍ଡଳରେ କୁଆ ରହିବେ ନାହିଁ । ମୁଁ ହରେ ଭୁରୁଡ଼ି ବାତ–ପୁରୁଷୀ କାହାନକ । ଆଉ ସବୁଗୁଣ ତାଙ୍କର ଭଲ ବୋଲି ଲୋକେ କହନ୍ତି । କିନ୍ତୁ ସନ୍ଦେହ କରନ୍ତି, ଗାଁରେ ମଝିରେ ମଝିରେ କାହାରି କାହାରି ଗୋଟେ ଅଧେ ଖାସ୍‌ ଚୋରି ହୋଇଯାଏ, ସେ ସବୁଯାକ ଖୋଜିଲେ ହୁଏତ ପଟ୍ଟନାଏକଙ୍କ କୁମରଙ୍କ ପେଟ ଭିତରୁ ବାହାରିବ ।

 

ମଦନ ପଟ୍ଟନାଏକଙ୍କର ଦୁଃଖ ସେଇ ପୁଅ ଲାଗି । ଦାଣ୍ଡରେ ଘାଟରେ ସମସ୍ତେ କହନ୍ତି, ପୁଅଟା ହେଲେ ଯୋଗ୍ୟ ହୋଇଥାଆନ୍ତା ! ଦଇବ ଛାଡ଼ିଲାବେଳକୁ ଘୋଡ଼ାମୁହାଁ ପୁଅ ଜନମ ହୁଅନ୍ତି-। କିନ୍ତୁ ପୁଅ ଭିତରେ ସେମିତି କିଛି ଅଯୋଗ୍ୟତା ଅଛି ବୋଲି ଅନ୍ତତଃ ତାଙ୍କ ରୂପକୁ ଦେଖି କେହି କହିବ ନାହିଁ । ଦିବ୍ୟସୁନ୍ଦର ପୁରୁଷ । ବେଶ୍‌ ଡଉଲ ଡାଉଲ ପୋଷାକ ଖୁବ୍‌ ଆଧୁନିକ । କେବଳ ସେଇ ପାନ କଳକ ତାଙ୍କ ଅଯୋଗ୍ୟତାର ଚଳନ୍ତ ସାକ୍ଷୀ ବୋଲି ଯଦି କହିବାକୁ କେହି ସାହସ କରିବ କରିପାରେ ।

 

ହାତରେ ସୁନାଘଡ଼ି । ଛାତିରେ ଫାଉଣ୍ଟେନପେନ୍‌–ସୁନା ବେତାମ ପଞ୍ଜାବିରେ । ଗୋଡ଼ରେ ପାମ୍ପାଶୁ । କୁଞ୍ଚ କାନିଟା ଝୁଲା ପଣରୁ ଢିଲା ଅଣ୍ଟିମରା ହେଲାଯାଏ ଉନ୍ନତ ହେଇ ଆସିଲାଣି । ନିଶ ହଳକ ମଧ୍ୟ ସରୁ ପାତଳ ହୋଇ ମନୋରମ ଦିଶୁଛି । ରାତିହେଲେ ହାତରେ ଟର୍ଚ୍ଚବତି ଚନ୍ଦ୍ରଉଦିଆ ପରି ଜଳିଉଠେ ।

 

ତା’ ସତ୍ତ୍ୱେ ଓ ଘରଟାରୁ କ୍ରମେ କ୍ରମେ ଶିରୀ ତୁଟି ଚାଲିଯାଉଛି, ସମସ୍ତଙ୍କର ଅଲକ୍ଷିତରେ ଯେମିତି । ତାକୁ ରୋକିବାପାଇଁ ସତେ କି କାହାରି ସାଧ୍ୟ ନାହିଁ ।

 

ତେଣେ ମିଶ୍ରଙ୍କ ଘରେ ମାଟିରୁ ଆଟୁ, ଆଟୁରୁ ତଳିପକା, ତଳିପକାରୁ ଇଟା କାନ୍ଥ–ଇଟାକାନ୍ଥରୁ କୋଠାଘର ତିଆରି ହେବାରେ ଲାଗିଲାଣି । ଏମିତିକି ମିଶ୍ରଙ୍କ ଅମଲା ପାଞ୍ଚଟଙ୍କାର ମୁଣ୍ଡ ଭାଗୁ ମହାନ୍ତି ଓରଫ ଭାଗୁ ପଟ୍ଟନାୟକଙ୍କ କଞ୍ଚା ଝାଟି ମାଟି କାନ୍ଥ ଉପରେ ବାଲି ପଲସ୍ତରା ଦିଆଗଲାଣି । ତା’ ଉପରେ ପୁଣି ଚୂନ ମଡ଼ା–ହେବ, ଆଉ ତଳୁ ଦିହାତ ଆଲକାତରା ଲଗାଇ ଉଇଖିଆରୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଘରକୁ ଗୋଟିଏ ନୂଆ କଳେବର ଦେବାର କଥା ।

 

ମଦନ ପଟ୍ଟନାଏକଙ୍କ ଜମିଦାରୀ କେତେଖଣ୍ଡ କିଣିବା ପରେ ମିଶ୍ର ଆପଣଙ୍କ ମୁଣ୍ଡଟା ଶିକାରେ ବୋରାବୋରି ବାଜୁଛି । ମା ଯେତେ ସାବଧାନ କଲେବି ସେ ମୁଣ୍ଡଟା ସାଙ୍ଗରେ ଶିକା ଅହନ୍ତା କରିବାରେ ଲାଗିଥାଏ । ବାହାରେ ମିଶ୍ରଙ୍କ ମୁଣ୍ଡରେ ଶିକା ଛିଡ଼ିଚି–ଭିତରେ ମିଶ୍ରଙ୍କ ମୁଣ୍ଡ ଶିକାରେ ବାଜୁଛି । ଶେଷକୁ ମା ବାଧ୍ୟହୋଇ ଘରର ଶିକାଟାକୁବି ଛିଡ଼ାଇ ପକାଇଲେ । ପ୍ରସ୍ତାବ ଉଠିଲା, ମିଶ୍ରଙ୍କର ଛୁଆପିଲା ହେଉନାହିଁ–ଆଉ ଗୋଟିଏ ବାହା ନ ହେଲେ କୁଳ ରହିବା ନାହିଁ ।

 

ମାଙ୍କର ସବୁ କଥା ମାନିହେବ । ଏମିତି କି ବୟସ ହୋଇଗଲେ ମଧ୍ୟ ଏଇ କୁଳରକ୍ଷା କଥାଟାରେ ଭଗବାନ ମିଶ୍ର ଅବାଧ୍ୟ ହେବ ନାହିଁ । କିନ୍ତୁ ସେ ଜମିଦାରୀକି ବିକିଦେବା କଥାଟା ମିଶ୍ରେ ଆପଣେ ଆଦୌ ବୁଝିପାରୁ ନାହାନ୍ତି । ବାହ୍ମୁଣ କ’ଣ ସେମିତି ସବୁଦିନେ ବାହ୍ମୁଣ ହୋଇ ରହିଥିବେ-? କେବଳ ଚୁଡ଼ାଦହି ଦାନ ଭୋଜନକୁ ଭାଜନ ହେଇ ପଡ଼ିଥିବେ । ଆଉ ଦୁଧରୁ ଶର, ଦହିରୁ ମଖନତକ କରଣ ଖଣ୍ଡାଇତମାନେ ଇସ୍ତମରାରି ପଟ୍ଟା କରି ଖାଉଥିବେ ! ତଥାପି ମା ଯେତେବେଳେ କହୁଛନ୍ତି, ଘର ଉପରେ ଯଦି ଗୋଟାଏ ବିପଦ ଆସି ପଡ଼ିଗଲା, ଏଇ ଜମିଦାରୀ କିଣା ଲାଗି, ଗୋଟିଏ କିଛି ପ୍ରାୟଶ୍ଚିତ୍ତ କରିଦେବା ଉଚିତ । ବହୁ ବିଚାର ସାର ପରେ ଠିକ୍ ହେଲା, ସେ ବର୍ଷଠାରୁ କାଳୀମୂର୍ତ୍ତି ଆଉ ଚାରି ଆଙ୍ଗୁଳି ବଡ଼ ହେବେ । ଆଉ ଚାରିସେର ଘିଅ ଅଧିକ ହୋମ ହେବ । ଚାରିଟା କୁଷ୍ମାଣ୍ଡ ବଳି ପଡ଼ିବ ଓ ଚାରିରୁ ଚଣ୍ଡୀ ଅଧିକା ପାଠ ହେବ ।

 

ଏମିତି ପ୍ରାୟଶ୍ଚିତ୍ତ ଏ ବଂଶରେ ଅନେକ ହେଇଗଲାଣି । ଫଳରେ ପ୍ରଥମେ ଯେଡ଼େ ଆକାର ମୂର୍ତ୍ତି ଗଢ଼ା ହୋଇଥିଲେ ପଚାଶବର୍ଷ ଭିତରେ ଅନ୍ତତଃ ମୂଳମୂର୍ତ୍ତିଠାରୁ ଦୁଇଗୁଣା ଉଚ୍ଚ ହୋଇଗଲେଣି ।

 

ସେ ବର୍ଷ ଖୁବ୍ ଧୁମ୍‌ଧାମ୍‍ରେ କାଳୀପୂଜା ଚାଲିଲା । ହାକିମ ଦିପଟିମାନେ ନିମନ୍ତ୍ରଣ ପାଇ ଆସିଛନ୍ତି । ଚୌଧୁରୀ ଭଗବାନ ମିଶ୍ରଙ୍କର ସନିବନ୍ଧ ଅନୁରୋଧ କେହି ଏଡ଼ିପାରି ନାହାନ୍ତି । ମାତ୍ର ଭଦ୍ରତା ଖାତିତରେ ଆସିବାକୁ ବାଧ୍ୟ ହୋଇଛନ୍ତି । ନ ଆସିବାଟା ଅଭଦ୍ରତା ଅସଭ୍ୟତା ହୁଅନ୍ତା-। ଆଧୁନିକ ଶିକ୍ଷିତ ହୋଇ ନିମନ୍ତ୍ରଣ ରକ୍ଷା ନ କରନ୍ତେ କେମିତି ! କିନ୍ତୁ ଖାଇବାରେ କାହାର ଇଚ୍ଛା ନାହିଁ । କେବଳ ମାତ୍ର ପତର ଜଗି ବସିଛନ୍ତି । ତେବେ ଜଣେ ଦୁଇଜଣ ବେହିଆପଣ କରି ଖୁବ୍‌ ମାଗି ଖାଉଚନ୍ତି । ସମସ୍ତେ ସେହି ଲୋକଙ୍କର ଏକ ମୁଖରେ ପ୍ରଶଂସା କରିଛନ୍ତି–ଏମିତି ଲୋକଙ୍କୁ ଖୋଇଲେ ପୁଣ୍ୟ ଅଛି, ଆନନ୍ଦ ଅଛି–ଖାଦ୍ୟର ଉପଯୁକ୍ତ ସମ୍ମାନ ଏମାନେ ଦେଖାଇପାରନ୍ତି-

 

ସେଇ ପ୍ରଶଂସା ସ୍ରୋତରେ ଆଉ କେତେଜଣ ପାଣିବି ପାଇ ଯାଉଛନ୍ତି । କେହି କେହି ଲଜ୍ଜା ହେଇ ପଡ଼ୁଛନ୍ତି । ବଡ଼ବଡ଼ ବାବୁମାନେ ବେଶି ଖାଇପାରନ୍ତି ନାହିଁ, କିଏ ମସଲା ଖାଏ ନାହିଁ, କିଏ ମାଛଖାଏ, ମାଂସଖାଏ, କିଏ ମାଛ ମାଂସ ନ ଖାଇ କେବଳ ଅଣ୍ଡା ଖାଏ ଇତ୍ୟାଦି ବାହାନାରେ ବିଶେଷ ଦୃଷ୍ଟି ଆକର୍ଷଣ କରି ଖାଦ୍ୟ ସହିତ ଅନୁରୋଧ ଉପରୋଧ ମଧ୍ୟ ଖାଇବାରେ ଲାଗିଛନ୍ତି ।

 

ଚୌଧୁରୀ ଭଗବାନ ମିଶ୍ର ବ୍ରାହ୍ମଣ ଲୋକ । ସେ ବା ଏତେ କଥା, ଏତେ ପ୍ରକାର, ଏତେ ଆଦର ଅଭ୍ୟର୍ଥନା, ଏତେ ପ୍ରକାର ଭୋଜନ ମିଷ୍ଟାନ୍ନର ବନ୍ଦୋବସ୍ତ କରନ୍ତେ କିମିତି ? ହାକିମ ଆପଣେ ବହୁ ଅନୁଯୋଗଫଳରେ ତାଙ୍କର ଦକ୍ଷ ସେରସ୍ତାଦାରଙ୍କୁ ପଠେଇ ଚୌଧୁରୀଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କରି ଫର୍ଦ୍ଦ ଅନୁସାରେ ଭୋଜନର ବ୍ୟବସ୍ଥା ହେଉଛି । ସାଙ୍ଗକୁ ଅଛନ୍ତି ଧୁରନ୍ଧର ଭାଗୁ ମହାନ୍ତି ଓରଫ ଭାଗିରଥି ପଟ୍ଟନାୟକ ।

 

ଚୌଧୁରୀ ଭଗବାନ ମିଶ୍ର ୫୦ ଖଣ୍ଡ ମଉଜା ଭିତରେ ଜଣେ ପ୍ରସିଦ୍ଧ ଲୋକ । ପୁଲିସ ଦାରୋଗା, ସବ୍‌ଇନ୍‌ସପେକ୍ଟର ପାଖରୁ ଆରମ୍ଭ କରି ଚଉକିଆ ପର୍ଯ୍ୟନ୍ତ ସମସ୍ତେ ମିଶି ସବୁଦିନେ ମିଶ୍ରଙ୍କ ଘର କୁଣିଆ । ଆଜି ତ ସହଜେ କାଳୀ ପୂଜା ।

 

ଭଗବାନ ମିଶ୍ରେ ଜମିଦାରୀ କିଣିବା ପରେ ମଧ୍ୟ ମଦନ ପଟ୍ଟନାୟକଙ୍କ ଉପରେ ଆହୁରି ତିନି ଚାରିଶହ ଟଙ୍କା ବାକି ପଡ଼ିଗଲା । ତମସୁକ ଫେରାଇ ଦେବାକୁ ହେଲେ ଅନ୍ତତଃ ଆଉ ୫୦୦ଟଙ୍କା ଅତି ଊଣା ପକ୍ଷେ ଆବଶ୍ୟକ । ଭାଗୁ ମହାନ୍ତି କିନ୍ତୁ ମଦନ ପଟ୍ଟନାୟକଙ୍କୁ ଜବାବ ଦେଇ ଆସିଛନ୍ତି ଯେ, ସେ ଯେମିତି ହେଉ ମହାଜନଠୁ ଟଙ୍କାତକ ଛାଡ଼ କରେଇ ଦେବେ । ଆଉ ଯେପରି ଜମିଦାରୀ ଖଣ୍ଡେ ନ ଯାଏଁ ।

 

ଭାଗୁ ମହାନ୍ତିଙ୍କର ଏତିକି ଦୟାପାଇଁ ମଦନ ପଟ୍ଟନାୟକ କୃତକୃତ୍ୟ ହେଲେ । ତଥାପି ସେ ବିଶ୍ୱାସ କରି ପାରୁ ନଥିଲେ । କିନ୍ତୁ ଭାଗୁ ମହାନ୍ତି କଣ୍ଠରେ କ୍ଷଣକପାଇଁ କେମିତି ଦୟା ବସିଲା କେଜାଣି ସେ ମିଶ୍ରଙ୍କ ଆଗରେ ଯାଇ ପ୍ରସ୍ତାବ କଲା–‘‘ମିଶ୍ରେ ଆପଣ ଜମିଦାର ସିନା ହେଲେ, ମାତ୍ର ଜମିଦାର ଲାଖି ଗୋଟାଏ ଉପାଧି ତ ରହିବା ଉଚିତ ।’’

 

ମିଶ୍ରଙ୍କୁ କଥାଟା ଭଲ ଲାଗିଲା । ତଥାପି ସନ୍ଦେହ ମନରେ ପଚାରିଲେ–‘‘ବାପ ଦାଦାଙ୍କର ଯେଉଁ ଉପାଧି ନାହିଁ–’’

 

ଭାଗୁ ମହାନ୍ତି ପ୍ରତିବାଦ କଲେ–‘‘ବାପ ଦାଦା କ’ଣ କେବେ ଜମିଦାର ହେଇଥିଲେ ! ବଂଶରେ ଯଦି କେହି ନାମ କଲା ତେବେ ତହିଁରେ ବାପ ଦାଦାଙ୍କର ଅଧିକ ଗୌରବ ତ । ଆପଣ କ’ଣ ବୁଝୁଛନ୍ତି ?’’

 

ମିଶ୍ରେ ବୁଝିଗଲେ । ଭାଗୁ ମହାନ୍ତି କହିଲେ–‘‘ଭଗବାନ ମିଶ୍ରେ ବୋଲି ବୋଇଲେ ଜମିଦାର ଭଗବାନ ମିଶ୍ର ବୋଲି କିଏ ବୁଝିବ । ଏମିତି କେତେ ଭଗବାନ ମିଶ୍ରେ ନାହାନ୍ତି କି–ରାମଚନ୍ଦ୍ର ଆଉ ରାମା ଭଣ୍ଡାରି ? ଚୌଧୁରୀ କି ମହାପାତ୍ର ଏମିତି ଗୋଟାଏ କିଛି ନ ରହିଲେ ଚଳିବ କିମିତି ।’’

 

ପ୍ରଶ୍ନ ଉଠିଲା ତେଣିକି ଉପାଧି ତ ଗଛରେ ଫଳେ ନାହିଁ । ଉପାଧି ଗୋଟାଏ କୋଉଠୁଁ ଆସିବା ଉଚିତ–କେହି ଜଣେ ଦେବା ଉଚିତ । ଭାଗୁ ମହାନ୍ତି କହିଲେ ଉପାଧି ସରକାର ଦିଅନ୍ତି । ସେ କାଠିକର ପାଠ । ବଡ଼ ହାକିମଙ୍କୁ କିଛି କିଛି ଚାନ୍ଦା ବୋରାବୋରି ଦେଉଥିଲେ ପାଞ୍ଚବର୍ଷକେ ଗୋଟାଏ ରାୟସାହେବ ପଦବି ମିଳିବ ସେଟା ପଛରେ ଦେଖାଯିବ । ସେମିତି ଉପାଧି ହାଡ଼ି ମେହେନ୍ତରବି ପାଉଛନ୍ତି । ଆମ ଦେଶ ଲୋକେ, ଛତିଶପାଟକ ଜାତି ଯେଉଁ ଉପାଧିକି ମାନିବେ ସେମିତି ଉପାଧି ସିନା ହେବ । ଉଚିତ ! ରାୟ ସାହେବ–ରାୟ ସାହେବ–ଆମେ କି ସାହେବ ହୋ-? ଆମେ ତ କଳାଲୋକ । ଆମକୁ ମାନିବ–ଚଉଧୁରୀ, ସାମନ୍ତ ମହାପାତ୍ର–ଏଃ ଏମିତି ଗୋଟେ ଉପାଧି ଯଦି ମିଳାନ୍ତା !

 

‘‘କିନ୍ତୁ ସେ ଉପାଧି ଦେବ କିଏ ? ତା’ର ମଧ୍ୟ ବିଚାର ଭାଗୁ ପଟ୍ଟନାୟକ କରିଦେଲେ । ଆଗ କାଳରେ ଉପାଧି ମିଳୁଥିଲା ରଜାରାଜୁଡ଼ାରୁ । ଆଜିକାଲି ଧରିବାକୁ ଗଲେ ରଜା ଆମର ସେଇ ଜମିଦାର ଛଡ଼ା ଆଉ କିଏ ? ତେବେ ଏ ଜମିଦାରଗୁଡ଼ିକଙ୍କର ଆଉ କି ମାନମହତ ଅଛି । ଏମାନଙ୍କର ସମାଜରେ ଆସନ କେଉଁଠି ? ମଦନ ପଟ୍ଟନାୟକ ଖାଲି ତୁଚ୍ଛା ପଟ୍ଟନାୟକ ବୋଲାଉଛି ସିନା, ନ ହେଲେ କେଉଁ ଗୁଣରେ ସେ ଭଗବାନ ମିଶ୍ରଙ୍କ ଆଗେ ଠିଆ ହେବେ–ପାଖ ଭିଡ଼ି ପାରିବେନା । ତାଙ୍କୁଇ ସରମ ଲାଗିବ ନାହିଁ । ତଥାପି, ଯେତେ ହେଲେ ଜମିଦାର ତ । ଆଜି ନାହିଁ, କାଲି ଥିଲା ତ । ଆଜି ଖାଲି ଉପାଧି ସାର ହେଇ ଯିଏ ବସିଛି–ସିଏ ପୁଣି ଆନକୁ କି ଉପାଧି ଦେବେ ଗୋଟାଏ । ମାନିବା କଥା ତଥାପି ଲୋକଙ୍କୁ ଭଣ୍ଡିବାପାଇଁ ତାକୁ ଧରିବାକୁ ପଡ଼ିବ । କ’ଣ କରାଯିବ । ଯେତେ ଗରିବ ହେଲେବି ପାଞ୍ଚ ଲୋକେ ମାନନ୍ତି ତ ।

 

ମିଶ୍ରେବି ସ୍ୱୀକାର କଲେ–ହଁ ଉଚିତ କଥା । ଯଦି ପାଞ୍ଚ ଲୋକେ କହିବେ ସେ କ’ଣ ଆଉ କଥାରୁ ବାହାରି ଯିବେ ? ହବ ତ ମଦନ ପଟ୍ଟନାୟକଙ୍କୁ ଅନୁସରଣ କରିବାକୁ ହେବ । ଆଉ ଉପାୟ କ’ଣ ?

 

ସେ ବିଧିମତେ ମିଶ୍ରଙ୍କ ମୁଣ୍ଡରେ ଶିରିପା ନ ବାନ୍ଧନ୍ତୁ–ପଞ୍ଚୁ ଆଣି ସଭା ଡାକି ସନନ୍ଦ ନ ଦିଅନ୍ତୁ–ସେ ସବୁ କଲେ ସିନା ଲାଜଲାଗିବ ମିଶ୍ରଙ୍କୁ–ଯଦି ଅନ୍ତତଃ ଜମିଦାରୀ କାଗଜପତ୍ର ସେରସ୍ତାରେ ମୁତୟନି କରିଦିଆଯାଏ–ମିଶ୍ରଙ୍କ ନାମ ଆଗରେ କି ପଛରେ ଗୋଟାଏ କିଛି ଯୋଡ଼ି ଦିଆଯାଏ ତା’ ହେଲେବି ଧୀରେ ଧୀରେ ସେଟା ପ୍ରଘଟ ପ୍ରଚଳ ହେଇଯିବ ।

 

କଥା ପଡ଼ିଛି–ସେଟା କି ଉପାଧି ହବ ।

 

ଚଉଧୁରୀ କି ସାମନ୍ତରାୟ ନ ହେଲା ମହାପାତ୍ର କିଛି ଗୋଟାଏ–ଯେଉଁଟା ମିଶ୍ରଙ୍କର ପସନ୍ଦ ହେବ ।

 

ମିଶ୍ରେ ଚୌଧୁରୀଟାକୁଇ ପସନ୍ଦ କଲେ । ବିଶେଷତଃ ବ୍ରାହ୍ମଣ ଯେତେବେଳେ, କିନ୍ତୁ ମଦନ ପଟ୍ଟନାୟକ କ’ଣ ମାନିବେ ?

 

ଉପାୟ ଚିନ୍ତିବାକୁ ଭାଗୁ ମହାନ୍ତି ସର୍ବଦା ପ୍ରସ୍ତୁତ । ସେ ପରାମର୍ଶ ଦେଲେ, ନ ହେଲା ବଢ଼ିବଢ଼ି ମଦନ ପଟ୍ଟନାୟକ ତମସୁକ ଖଣ୍ଡ ଫେରେଇ ନେବାକୁ କହିବ–ନ ହେଲା ଏବେ ଦେଇ ଦେବା ସେମିତି । ମୁହଁମୋଡ଼ିଲେ ଚଳିବ ନାହିଁ । ଟଙ୍କା ତିନିଶର ମାମଲତ୍ । କେତେ ତିନିଶ ନେଇ ସାରିଲେଣି । କେଉଁ କ୍ଷତି ହୋଇଯାଉଚି ଆମର ?

 

ଶେଷବେଳକୁ ଭଗବାନ ମିଶ୍ର ରାଜି ହେଇଗଲେ । ଚଉଧୁରୀ ଉପାଧିଟା ପାଇଁ ଚାରିଟା ଅକ୍ଷରପାଇଁ ଚାରିଶହ । କିନ୍ତୁ ନ ହେଲେ ତ ନ ଚଳେ ।

 

ଭାଗୁ ମହାନ୍ତିଙ୍କୁବି ଦୁଇ ପଇସା କରପଇଠ କରିବାର ସୁବିଧା ମିଳିଗଲା । ମଦନାଦାଦିଙ୍କ ପାଖରେ ଯାଇ ଭଲେଇ ହେଇ କହିଲା–ମଦନାଦାଦି, ସେ ତମସୁକଖଣ୍ଡ ଫେରେଇ ନବ ନାହିଁ !

 

ମଦନ ପଟ୍ଟନାୟକ ଆଉ କ’ଣ କହିବେ । ହଜାରେ ଟଙ୍କା ନେଇ ଦିହଜାର ଟଙ୍କାର ହେଣ୍ଡନୋଟ ଲେଖି ଦେଇଥିଲେ । ସେ ପୁଣି ମଝିରେ ତମସୁକରେ ପରିଣତ ହେଲା । ଜମି ଗଲା, ଜମିଦାରୀ ଗଲା–ସେଇ ତମସୁକ ଖଣ୍ଡକପାଇଁ । ତେବେବି ସେ ତମସୁକ ଫେରିଲା ନାହିଁ–କାହା ବୋଲେ ଗଲା ସେ ଆଉ ବାହୁଡ଼ି ଫେରିଲା ନାହିଁ । ଆଜି ପୁଣି ଶେଷକୁ ଭାଗୁ ମହାନ୍ତି ଆସିଛି ଥଟ୍ଟା କରିବାକୁ–କଟା ଘାରେ ଚୂନ ଚଢ଼େଇବାକୁ ।

 

‘‘ଟଙ୍କା କାହିଁ ଏଇଲେ ?’’ ପଟ୍ଟନାୟକେ ପଚାରିଲେ ।

 

‘‘ଟଙ୍କା ? କି ଟଙ୍କା ? କେତେଟଙ୍କା ଇମିତି ଯେ–’’

 

‘‘ଅନ୍ତତଃ ପାଞ୍ଚଶହ ତ ନଗଦ ଦରକାର ।’’

 

‘‘ହଁ, ତା’ ତ ଠିକ୍‌ । ତେବେ–ଆଚ୍ଛା–ଶହେଟା ଟଙ୍କା ଯୋଗାଡ଼ି ପାରିବ ନାହିଁ ?’’

 

ମଦନ ପଟ୍ଟନାୟକ ଆଖି ମିଟିମିଟି କରି ଭାଗୁ ମହାନ୍ତିଙ୍କ ଆଡ଼କୁ ଚାହିଁଲେ । ଏ କ’ଣ ଭାଗୁ ମହାନ୍ତି କଥା କହୁଛି ?

 

‘‘ଶହେଟା ଟଙ୍କା ମ ! ଟଙ୍କା ଶହେଟା ଦେଇ ପାରିବ ନାହିଁ ? ବାକି ଟଙ୍କା କଥା ମୁଁ ବୁଝିବି । ତମର ଏତେ ମୁଣ୍ଡ ଘୂରେଇଚି କାହିଁକି ? ଭାଗୁ ଥାଉ ଥାଉ ମଦନାଦି ପୁଣି ଚିନ୍ତା କରିଚ ? ତମେ ସିନା ମୋତେ ବିଶ୍ୱାସ କରୁ ନ ଦାଦି । ନଇଲେ ତମପାଇଁ ମୋ ହୃଦୟ ଯେତେ କାନ୍ଦେ ତା’ ମା ଗଙ୍ଗାକାଳୀ ଜାଣନ୍ତି ।’’

 

ଭାଗୁ ମହାନ୍ତି ସତକୁ ସତ କାନ୍ଦି ପକାଇଲେ ।

 

‘‘ଆହା, କାନ୍ଦୁଛ କାହିଁକି ଭାଗୁ, ମୁଁ କ’ଣ ମନା କରିଛି କେବେ, ତୁ ମୋପାଇଁ ବ୍ୟସ୍ତ ହେଉ ନାହିଁ ବୋଲି ।’’

 

‘‘ହେଇଟି ନିଅ ତମ ତମସୁକ ।’’ କହି ଭାଗୁ ମହାନ୍ତି ବେଖାତିରରେ ତମସୁକ ଖଣ୍ଡ କାଢ଼ି ମଦନ ପଟ୍ଟନାୟକ ଆଡ଼କୁ ଫିଙ୍ଗି ଦେଲେ ।

 

ପଟ୍ଟନାୟକେ ବିଶ୍ୱାସ କରିପାରୁ ନଥିଲେ । ତମସୁକ କାଗଜ ଆଡ଼କୁ ହାତ ହଠାତ ଯାଉ ନଥିଲା । ଅଧା ଅବିଶ୍ୱାସ, ଅଧା ଆଶା ଅଧା ନିରାଶାରେ ସେ ହାତବଢ଼େଇ ଆଣି ଦେଖିଲେ ସତକୁସତ ତମସୁକଟା ।

 

‘‘ହେଲା ଏଥର–ଭାଗିରଥି ପଟ୍ଟନାୟକଙ୍କୁ ଆଉ କଥାରେ ଯେତେ ଇଚ୍ଛା ସେତେ ଦୋଷ ମିଛରେ ସେ ଦିଅନ୍ତୁ ପଛେ, ହେଲେ ଧପ୍ପାବାଜ, ଦଗଲବାଜ୍, ମିଛୁଆ ଲାଞ୍ଚୁଆ ବୋଲି କେବେ କହି ପାରିବ ନାହିଁ କେହି । ଦେଖିଲ ତ ଦରକାରବେଳେ ଜବାବ ଦେଇ ଯାଇଥିଲି ବୋଲି ସେଥର ତମ ଜମିଦାରୀ ନିଲାମରୁ ରହିଗଲା । ଏବେ ତ କହିଲା ତକ୍ଷଣେ–’’

 

ଟିକିଏ କାଶ କାଶି–ଗଳା ସଫାକରି ପୁଣି ଆରମ୍ଭ କଲେ–‘‘ହଁ ବେଶି ନୁହେଁ ଟଙ୍କା ଶହେଟା । ମୁଁ ଭଗବାନ ମିଶ୍ରଙ୍କୁ କହିଲି–ମଦନ ପଟ୍ଟନାୟକ ତୋତେ କ’ଣ ନ ଦେଇଚି । ତୁ ତାକୁ ଏଇ ତିନି ଚାରିଶଟା ଟଙ୍କା ଛାଡ଼ି ଦେଇ ପାରିବୁ ନାହିଁ ? ଯେତେ କୁହ ବ୍ରାହ୍ମୁଣଟା ନିହାତି ଖଣ୍ଟ ନୁହେଁ–ହୃଦୟ ଅଛି । କହିଲା, ଟଙ୍କା ଶହେଟା ଦିଅନ୍ତୁ; ଖାଲି ଖାଲି ତମସୁକଟା ଫେରେଇ ଦେଲେ ଲକ୍ଷ୍ମୀ ଚାଲିଯିବେ । ମୁଁ ବି ମାନିଗଲି ।’’

 

ମଦନ ପଟ୍ଟନାୟକ ରାଜିହେଲେ । କିନ୍ତୁ ନଗଦ ଶହେଟଙ୍କାବି ସାଙ୍ଗେ ସାଙ୍ଗେ ଗଣି ଦେଉଚନ୍ତି କିମିତି । ଅଡ଼ୁଆଟା ବୁଝିପାରି ଭାଗୁ ମହାନ୍ତି ‘‘ତା’ ସେ ତମ ପାଖରେ ରହିଲେ ଯେ ମୋ ପାଖରେ ରହିଲେ ସେ । ଯେବେ ଖୁସିହବ ଦବ । ନ ଦେଲେ ଏମିତି କିଛି ଚଳେଇ ପଡ଼ିନାହିଁ ।’’

 

‘‘ନା-ନା-ସେ ଗୋଟେ କଥା–ମୁଁ କାଲି ପହରି ଦେଇ ଦେବି ?’’ ମଦନ ପଟ୍ଟନାୟକ ବଡ଼ ଲଜ୍ଜିତ ହୋଇ କହିଲେ ।

 

‘‘ହେଲା–ହେଲା–ସେଇ ହେଲା । ତମେ ଦେବ ବୋଲି କହିଲେ ସେ ଦେଲା ସାଙ୍ଗେ ସମାନ । ମୋର କିଛି ଆପତ୍ତି ନାହିଁ ।’’

 

ତା’ପରେ ତେଣିକି ମୁହଁ ବୁଲେଇ-କଚେରି ଆଡ଼କୁ–ଭାଗୁ ମହାନ୍ତି ଡାକିଲେ–‘‘ହଁ, ମର୍ଦ୍ଦରାଜ କୁଆଡ଼େ ଗଲ ହୋ ମର୍ଦ୍ଦରାଜେ ! ମର୍ଦ୍ଦରାଜ ନା ଗର୍ଦ୍ଧରାଜ–ଯେତେବେଳେ ଖୋଜିବ ସେତେବେଳେ ନାହିଁ । କି ଜାତିଆ ନାଏବ ରଖିଚହେ ମଦନାଦାଦି ! ମୁଁ ହେଇଥିଲେ–ହୋ ମର୍ଦ୍ଦରାଜେ !

 

ନାଏବ ମର୍ଦ୍ଦରାଜ ସେ ଘରୁ ଉଠି ଆସିଲେ । ଆଖିର ପୁଅ ଦୁଇଟା ଚୋରଙ୍କ ଭଳି ଚସମାର ପିଢ଼ା ଉପରୁ ଉଙ୍କିମାରି ଚାହିଁଲା ପରି ଦିଶୁଥିଲା । କାନ ଆଉ କଲମର ସମ୍ପର୍କଟା ଅଚ୍ଛେଦ୍ୟ ପରି ମନେ ହେଉଥାଏ । ଯେମିତି ଶୁଣିଲା କଥାକୁଇ ବେଦର ଗାର କରି ଲେଖିବାପାଇଁ କଲମଟା ଟାକି ବସିଚି । ଦେଖିବା କଥାକୁ କିଏ ପଚାରେ ? ସତକୁ ମିଛ କରିବା ଓ ମିଛକୁ ସତ କରିବା ତା’ର ଧର୍ମ ।

 

‘‘ହେଇଟି ତ ମର୍ଦ୍ଦରାଜେ ! ଅନେକ ଦିନ ବଞ୍ଚିବ । ହଉ ଆସ ଆସ, ହଁ କ’ଣ କହୁଥିଲି କି ଏଇ ତମସୁକ ଖଣ୍ଡ ବାବୁଙ୍କ କ୍ୟାସ ବାକ୍ସରେ ରଖିଦେଇ ଆସିଲ । ଆଉ ଗୋଟେ କଥା । କ’ଣ କହୁଥିଲି କି, ସେ ଗୋପାଳ ପୁର ଚକ ଖଜଣାଟା ତ ଦିଆ ହେଇନାହିଁ । ମୋଟାମୋଟି ଗୋଟାଏ ହିସାବ କରି ନ ହେଲା ଖଣ୍ଡେ ପାଉତି କାଟି ଦିଅ । ଟଙ୍କା ତ ଅଛି, ମଜୁରା ହେଇଯିବ–ନାଁ କ’ଣ କହୁଛ ମଦନାଦାଦି !’’

 

ମଦନ ପଟ୍ଟନାୟକଙ୍କ ଉଷୁମ ଟିକିଏ ଭାଙ୍ଗିଗଲା । ଭାବିଥିଲେ ମାହାଳିଆ ମାହାଳିଆ ତମସୁକଟା ଫେରସ୍ତ ମିଳିଗଲା ବୋଲି । ଏଇଲେ ଶହେ ଦେଢ଼ଶ ତ ଖଜଣାକୁ ମଜୁରା ଯିବ ।

 

ମର୍ଦ୍ଦରାଜେ ହିସାବ ପତ୍ରପାଇଁ ତେଣିକି ଯାଉଥିଲେ–ଭାଗୁ ମହାନ୍ତି ପୁଣି ପଛରୁ ଡାକ ପକାଇଲେ–‘‘ହଇ ହୋ ମର୍ଦ୍ଦରାଜେ, ପାଉତି କାହା ନାଆଁରେ କାଟିବ କହିଲି ?’’

 

ମର୍ଦ୍ଦରାଜେ ଟିକିଏ ଆଶ୍ଚର୍ଯ୍ୟ ଆଉ ବିରକ୍ତ କି ମିଶେଇ, ଚୂନ ଖଇର ମିଶିଲା ପରି ଭାଙ୍ଗ ପିଆ ରଙ୍ଗ ଆଖିରେ ନୂଆ ଢଙ୍ଗରେ ଚାହିଁଲେ–‘‘ଭଗବାନ ମିଶ୍ରଙ୍କ ଖଜଣା ତ ?’’

 

‘‘ହଁ, ହଁ, ଭଗବାନ ମିଶ୍ରଙ୍କ ଖଜଣା । ଭଗବାନ ମିଶ୍ରେ କ’ଣ ସବୁଦିନେ ଭଗବାନ ମିଶ୍ରେ ହେଇଥିବେ । ଏଣିକି ଜମିଦାର ହେଲେ । ହାକିମ ହୁକୁମାଙ୍କ ସାଙ୍ଗରେ ବସିଲେ ଉଠିଲେ । ପାଞ୍ଚଦଶ ଜଣରେ ଜଣେ ହେଲେ ନାଆଁ ହେଲା । ମାନଖାତିର ବଢ଼ିଲା–କ’ଣ ନା ଯେଉଁ ଭଗବାନ ମିଶ୍ରକୁ ସେହି ଭଗବାନ ମିଶ୍ର । ଆହୋ ଚୌଧୁରୀ ଭଗବାନ ମିଶ୍ର ବୋଲି କହ । ଯାଅ ଯାଅ ଚୌଧୁରୀ ଭଗବାନ ମିଶ୍ରଙ୍କ ନାଆଁରେ ପାଉତି କାଟି ଦିଅ–ମନେ ରହିଲା ? ଚୌଧୁରୀ ଶ୍ରୀ ଭଗବାନଚନ୍ଦ୍ର ମିଶ୍ର–ଚୌଧୁରୀ–ଚୌଧୁରୀ, ହେଲା ? ସବଡ଼ିଭିଜନାଲ ମାଜିଷ୍ଟ୍ରେଟ ସାହେବ ସେ ଦିନ ନିଜେ ଚୌଧୁରୀ ଚୌଧୁରୀ ଓଃ ଚୌଧୁରୀଙ୍କ କି ମାନ୍ୟ ଦେଖିବ–ଗୁଣୀ ନ ହେଲେ କି ଗୁଣ ଚିହ୍ନେ–ରାଜ୍ୟଯାକ ଲୋକଙ୍କ ସାଙ୍ଗେ ଚୌଧୁରୀ ବୋଲି ପରିଚୟ ଆଳାପ କରେଇ ଦେଇ ଗଲେନା-। ଆଉ କ’ଣ ଭଗବାନ ମିଶ୍ର ହୋଇ ଅଛନ୍ତି । ଆଉ କିଏ ଚୌଧୁରୀ କହୁ ନ କହୁ ନିଜେ ହାକିମ ତ କହିଛନ୍ତି । ତମ ଆମ କୁହା ନକୁହାକୁ କିଏ ପଚାରେ–ହଁ ମନେ ରହିଲାଟି ଚୌଧୁରୀ ଶ୍ରୀ ଭଗବାନଚନ୍ଦ୍ର ମିଶ୍ର–ସାଖିନ ।

 

‘‘ହଁ, ହଁ, ମନେ ରହିଲା’’ କହି, ମର୍ଦ୍ଦରାଜ ପୁଣି ଟିକିଏ ମଦନ ପଟ୍ଟନାୟକଙ୍କ ମୁହଁକୁ ଚାହିଁଲେ । ଭାଗୁ ମହାନ୍ତି ଟିକିଏ ଚିଡ଼ିଯାଇ କହିଲେ–ଯାଃ ଯାଃ ଭାଗିରଥି ପଟ୍ଟନାୟକ ଯେମିତି କହୁଛି ସେମିତି କର–ଭେଲକା ମାରି ଅନେଇ ରହିଲେ । ଆହୋ ଭାଗିରଥି ପଟ୍ଟନାୟକ କିଏ ଆଉ ମଦନ ପଟ୍ଟନାୟକ କିଏ ? ଦାଦି ପୁତୁରା–ଏକା ରକ୍ତ ତ ।’’

 

ମଦନ ପଟ୍ଟନାୟକ ନୀରବରେ ସମ୍ମତି ଜଣାଇଲେ ।

 

ଭାଗୁ ମହାନ୍ତି ଗର୍ଜନଟାଏ ଛାଡ଼ି ବୀରତ୍ୱ ଦେଖେଇ ଦେଲେ–‘‘ହେଁ–ବଡ଼ଘର ପିଲା ବଡ଼ର ମର୍ଯ୍ୟାଦା ଜାଣନ୍ତି–ମଦନ ପଟ୍ଟନାୟକ, ଭଗବାନ ମିଶ୍ରର ମର୍ଯ୍ୟାଦା କ’ଣ ବୁଝେ । ଏଗୁଡ଼ାକ ଏଙ୍କ ବାପ ଅଜାଙ୍କ ଅମଳରେ ଜାଣିଥିଲେନା କେବେ ଜାଣିବେ–ମରିକି ସାତଥର ଜନମ ହେଲେବି ନୁହେଁ ।’’

 

ଭାଗୁ ମହାନ୍ତି ଜମିଦାର ଘରୁ ପାଉତି କାଟି ନେଇ ଗଲେ । ଖାତା ପତ୍ର ସିହା ଖତିଆନରେ ନାମ ବଦଳା ଯାଇ ଉପାଧି ଦରଜ ହେଇଗଲା । ମଦନ ପଟ୍ଟନାୟକ ତମସୁକ ଫେରି ପାଇଲେ । ଭାଗୁ ମହାନ୍ତି ମଝିରେ ମଧ୍ୟସ୍ଥ ହୋଇ କିଛି ଫାଉବି ମାରିନେଲେ । ଏବଂ ସବୁଠାରୁ ବଡ଼ କଥା ହେଲା ବାହ୍ମୁଣ ମହାଜନ, ସକାଳୁ ଉଠି ଯାହା ନାମ ଧରିଲେ ଦଶ ଥର ରାଧାଶ୍ୟାମ ନରେନ୍ଦ୍ର କହିବାକୁ ପଡ଼େ । ସେଇ ଭଗବାନ ମିଶ୍ରେ ଚୌଧୁରୀ ଶ୍ରୀ ଭଗବାନ ମିଶ୍ରରେ ପରିଣତ ହୋଇଗଲେ-

 

କାଳୀପୂଜା ଦିନ ଭାଗୁ ମହାନ୍ତି ମିଶ୍ରଙ୍କ ଘରୁ ଗାଁକୁ ଫେରିଛନ୍ତି । ରାତି ଦୁଇ ତିନି ଘଡ଼ିଯାଏଁ ହବ । ବାଟରେ ପଡ଼ିବ ଶୁକୁରା ଘର । ‘‘କିରେ ଶୁକୁରା’’ ବୋଲି ହାଙ୍କଟାଏ ମାରି ଦେଇ ଭାଗୁ ମହାନ୍ତି ନ ରହିଲା ପରି ପଳେଇ ଯାଉଥିଲେ । ଶୁକ ଦଉଡ଼ି ଆସିଲା ଘରୁ । ମୁହଁରୁ ଗୁଣ୍ଡା ସରି ନାହିଁ ।

 

‘‘ହଁ ସାଆନ୍ତେ !’’

 

ଭାଗୁ ମହାନ୍ତି ଫେରିପଡ଼ି ଚାହିଁଲେ–‘‘କିରେ କ’ଣ କରୁଥିଲୁ କି ?’’

 

‘‘ଖାଉଥିଲି ସାଆନ୍ତେ ।’’ ଶୁକୁରା ଜବାବ ଦେଲା ।

 

‘‘ଘରେ ଆଉ କିଏ କିରେ ?’’

 

‘‘ନାଇଁ ହଜୁର ଆଉ କିଏ ? ବାଇୟା ମା ତ ଏକୁଟିଆ ବଇଚି ।’’

 

‘‘ଉଁ ହୁଁ । ସତ କହୁଛୁ ? ଆଉ କାହା ପାଟି ମୋତେ ଶୁଭିଲା ପରି ଲାଗିଲା ।

 

‘‘ନାଇଁ ସାଆନ୍ତେ । ଆସୁ ନାହାନ୍ତି ଦେଖିଯିବେ ।’’

 

‘‘ଆରେ ଦେଖିବି ଗୋଟାଏ କ’ଣ ମ ? ତୁ ତ ନାହିଁ କରୁଛୁ–ସେଇ ହେଲାନି ? କଥା କ’ଣ କି ତୋରି କଥା–ତୋର ଭଲ ପେଇଁ କହୁଛି–କାଳେ କିଏ ଶୁଣି ନେବ । ଏଇଥିପାଇଁ କହୁଥିଲି-। ହଁ କ’ଣ କହୁଥିଲିକି–ଭଲା କଥା ମନେ ପଡ଼ିଗଲା–ତୁ ସେ ଟଙ୍କା ପଚାଶଟା ଆଉ ଶୁଝିଲୁ ନାହିଁ-। ସୁଧ ଅସଲକି ଶହେରୁ ବଳି ଗଲାଣି । ସୁନିଆ ଦିନ ରୋକଡ଼ରେ ତୋ ନାଆଁ ଉଠିଗଲା । ଚୌଧୁରୀ କହିଲେ–‘ଦିଅ ନାଲିଶ କରିଦିଅ !’ ମୁଁ କଥାଟାକୁ ଚପେଇ ରଖିଛି । ଏମିତି ଆଉ କେତେଦିନ ଚପେଇବି ? ତୁ ଏବେ ଏଣିକି ଗୋଟେ ବାଟ କର କିଛି, ଟଙ୍କା ଶୁଝିବାକୁ । ମୁଁ ତୋତେ ବୋରା–ବୋରି ଘରେ ଖୋଜି ଯାଉଚି । ତୋରତ ଦେଖା ନ ମିଳିଲେ ଗଲା । ଆରେ, ଘରେ ବହୂ ଭୁଆସୁଣୀକି ଏକଲା ଛାଡ଼ି ଦେଇ ରାତିଅଧଯାକେ କେଉଁଠି ବୁଲୁଥାଉ ? ଆଜିକାଲିକା ଯୁଗଟା ଭଲ ନୁହେଁରେ ଶୁକ । ହେଜିଥିବୁଟି ! ହଁ, କ’ଣ କହୁଥିଲି ? ସେଇ ଟଙ୍କା କଥା । ବଳଦ ତ କିଣିଲୁ । ଚାଷ ବସ୍ତ କଲୁ । ବର୍ଷେ ଗଲା, ଦି’ ବର୍ଷ ଗଲା–ତିନିବର୍ଷ ଯାଇ ଚାରିବର୍ଷକୁ ମୁଣ୍ଡ ଟେକିଲାଣି । ତମାଦି ହେଲାଣି କି ହେବା ଉପରେ । ଏବେ ଭଲା ଦବାନବାର ନାଁ ଧରନ୍ତୁ ହେଲେ । ଜମି ଯାହି ଗୁଣ୍ଠେ ମାଣେ ଅଛି ସେ ବି ଶେଷକୁ ନିଲାମ ହେଇ ଯିବ । ଇଏ କୋଉଁ ବୁଦ୍ଧିର କଥା ! ହଇରେ !’’

 

‘‘ନାଇଁ ସାଆନ୍ତେ, ଏଇଥର ଧାନ ଅମଳ କରି ଯାହା ବିକ୍ରିହବ ନିଜେ ଯାଇ ଦେଇ ଆସିବି–କହିବାକୁ ପଡ଼ିବ ନାହିଁ–ନ ହେଇଚି ତ ମୋ ନାଆଁ ଶୁକ ନୁହେଁ ।’’

 

ହଁ, ହଁ ବେ ଶଳା, ଦେଖି ନାହିଁ ମୋତେ ଦେଖଉଚୁ । ଦାତା ପୁରୁଷ–ଦଉ ଦଉ ଗଲା ବାରବରଷ । ଆବେ ଧାନ କେତେ ? କେତେ ଧାନ ଅମଳ କରିବୁ ? କେତେ ଖାଇବୁ ? କେତେକର ଲୁଣ ତେଲ କରିବୁ ? କେତକର କରିଆ କବଟା ଖଣ୍ଡେ ବେଢ଼ି ହବ ଦି’ ପରାଣୀ ଯାକ-। ଆଉ ବାଦ୍‌ ବାକି ବଞ୍ଚିବ କେତେ ଯେ ସେଥିରୁ ତୁ ଜମିଦାର ଖଜଣା ଦେଇ ପୁଣି ସାଉକାର ପାଉଣା ଶୁଝିବୁ ।’’

 

‘‘ଯାହାହଉ–ଉପାୟ କ’ଣ ଆଉ ସାଆନ୍ତେ !’’

 

‘‘ଏଃ ଉପାଉ କ’ଣ ସାଆନ୍ତେ–ଉପାୟ କ’ଣ ସାଆନ୍ତେ ! ଏ ଖାଲି ଚଟକ । ଯେମିତି ମୋ କଥାକୁ ଶୁଣିବାପାଇଁ ଟାକି ବସିଛି । ମୋ ବୋଲ ଯଦି ମାନିଥାନ୍ତୁ ତେବେ କ’ଣ ତୋ ଦଶା ଏଇଆ ଥାଆନ୍ତା ଆଜି ? ଅବସ୍ଥା ଫେରିଯାଇ ନଥାନ୍ତା । ଆରେ ଓଲୁ, ମୁଁ ସେ ଦିନରୁ କହୁଛି କଲିକତା ଯା–କଲିକତା ଯା ! କେତେ କହିଲେ କ’ଣ ଶୁଣିବୁ ତୁ । ନଖିଆ, ଶିକ, ଭିକାରି, ସମସ୍ତେ ତ କଲିକତା ଗଲେ । ଦି’ ପଇସା କମେଇ ଘରୁକୁ ପଠେଇଲେ । ତୋ ପରି କିଏ ଘରେ ମାଇପକୁ ଧରି ବସିଛି । ତୁ ବାହା ହେଇଚୁ ନା ଦୁନିଆରେ ଆଉ କେହି ବାହା ହେଇଚନ୍ତି ? ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ନାହିଁ । ଏମିତିଆ ଲୋକକୁ ଉପାୟ ଦିଶିବ ଭଲା କେଉଁଠୁ ?’’

 

କଲିକତା !

 

ଶୁକୁରାର ଛାତି ଥରି ଉଠିଲା । ହଁ, ଏ ଗାଁରେ ଅନେକ ଲୋକ କଲିକତା ଯାଇଛନ୍ତି । କଲିକତା ଯାଇ ବଡ଼ଲୋକ କିଏ ହେଇଛି କାହିଁ ? ବିଦେଇପୁରର ପଲେଇ ଘର ପଲେଇରୁ ମହାପାତ୍ର ପାହିଆକୁ ଯାଇଛନ୍ତି ! ଜାତିରେ ଖଣ୍ଡାଇତ ହୋଇ ଖପରପଦା ଦାସ ଘର ଦାସ କରଣ ବୋଲାଇଛନ୍ତି । ପଇସା ତାଙ୍କୁ ଜାତି ଆଣି ଦେଇଛି । ସେ ତ ଶହେ ପଚାଶରେ ଜଣେ । ସମସ୍ତଙ୍କ ଭାଗ୍ୟରେ ଜାହାଜ ସଫେଇ ଠିକା ମିଳୁଛି, ନା–ଚା’ ପଟି କାନତରାଟି ମିଳୁଛି ? ଖୁବ୍‌ ହେଇ ହେଇ ସାହେବ କୋଠିରେ କି କୋଉ ଅଫିସରେ ବେହେରାଗିରି, ବଙ୍ଗାଳୀ ବାଡ଼ିରେ ଗିନ୍ନୀଙ୍କ ଦେହଲଗା ଚାକର, ନହେଲା ପଇସା କିଛି ଜମେଇ ପାନ ଦୋକାନ ଖଣ୍ଡେ–ଶେଷକୁ କିଛି ନ ମିଳିଲେ–ବୋଝ କଳ । ଏଇତ ପେଷା ।

 

ଅମେଇସା ଅନ୍ଧକାରରେ ଗାଁଟା ବୁଡ଼ି ରହିଥିଲା । ଦିଆଲି ସବୁ ନିଭି ନିଭି ଆସିଲାଣି । ଛୁଆଙ୍କ ହୋହା ନାହିଁ । ମଝିରେ ଠାଏ ଠୋଠା ଶୁଭୁଛି । କିଏ ବାକି ବକେୟା ଗୋଟେ ଅଧେ ଫୁଟେଇ ଦଉଚି ବା ଫୁରୁସା ନସମା ଫଟକାର ବାରୁଦ ନେଇ ଦୁଇ କି ହାବେଳିଟାଏ ଛାଡ଼ି ଦେଉଛି-

 

ଶୁକୁରାକୁ ଅନ୍ଧାର ଦିଶିଲା । ତା’ ପିଢ଼ା ଉପରେ ଗୋଟେ ଅନ୍ଧାରିଆ ଭୂତ ଯେମିତି ହାଁ କରି ବସିଛି । ଶୁକୁରାର ମନେ ପଡ଼ିଗଲା ରତନୀ ଆଉ ପାଞ୍ଚମାସର ଛୁଆ ବାଇୟା । ନିହାତି ବକଟେ ବିଲେଇ ଛୁଆପରି । ତା’ ଭିତରୁ ଗୋଟେ କମ୍ପ ଫୁଲି ଫୁଲି ଉଠିଲା । ନା–ନା–ସେ କଲିକତା ଯିବନାହିଁ–ଯିବନାହିଁ ।

 

‘‘ଆରେ ବୋକାଙ୍କ ପରି ଚାହିଁଚୁ କ’ଣ ? ଜମି ଦିଖଣ୍ଡ ଗଲେ ଶେଷକୁ ଭିକ ମାଗିବୁ ଯେ-।’’

 

ଭାଗୁ ମହାନ୍ତି ପାଟିକୁ ଆଉ ଥରେ ଶବଦ ବାହାରିଲା ବେଳକୁ ଶୁକୁରା ଚମକି ପଡ଼ିଲା । ତା’ ଧ୍ୟାନ ଭାଙ୍ଗିଗଲା । ମୁଣ୍ଡ କୁଣ୍ଡଉ କୁଣ୍ଡଉ ସେ କହିଲା–‘‘ଛୁଆପିଲାଙ୍କୁ ଛାଡ଼ି–ବହୂଟା ଏକୁଟିଆ–କୋଳରେ ପାଞ୍ଚମାସର ଛୁଆ ।’’

‘‘ଏତେ ମାଇପ ସୁଆଗ ଯଦି ଅଛି ତ ପଡ଼ିଥା । ତୋ କରମ ତୁ ଭୋଗିବୁ । ଯାହାର ଯେତେବେଳେ ଯାହା ଭୋଗିବାର ଥାଏ, ପର କହିଲେ କେତେ, ଆପଣା ଲୋକେ କହିଲେ କେତେ । ରାବଣବି ମନ୍ଦୋଦରୀ ବିଭୀଷଣଙ୍କ କଥା ଶୁଣି ନଥିଲା । ହଉ ତୋ କରମ ତୋର । ମୁଁ ଚାଲିଲି ଏବେ ।’’

ଏଥର ଶୁକୁରା ଆହୁରି ନରମ ହେଇ କହିଲା–‘‘ସାଆନ୍ତେ ତମେ ସିନା କହୁଚ, ମୁଁ କ’ଣ ଆଜିଯାକେ ଘରେ ବସି ଥାଆନ୍ତି । ମୁଁ କ’ଣ ଘରେ ବସିବା ଲୋକ ? ଏଇ ତିନିବର୍ଷ ହେଲା, ମନେ ମନେ ନିଇତି ବାହାରୁଛି । ହେଇ ପାରୁଛି କାହିଁ ! ମହାଜନ ଦେଣ ଶୁଝିଲି ନାହିଁ କି ଜମିଦାର ଖଜଣା ତୁଟେଇଲି ନାହିଁ । କଲିକତା ଯିବାକୁ ହେଲେ ପୁଣି ଦଶ ପନ୍ଦର ଦରକାର ହବ ତ !’’

‘‘ହଁ, ହଁ ସେ ତ ଠିକ୍‌ କଥା । କିନ୍ତୁ ମନ ଥିଲେ କ’ଣ ନ ହୁଏ । ମନର ମୂଳେ ଏ ଜଗତ । ମନ ଅସଲ । ମନ ଥିଲେ ଧନ ଆପେ ଆସି ପାଖରେ ପହଞ୍ଚିବ । ପଇସା କେଇଟା ତୋତେ ମିଳୁ ନାହିଁ କଲିକତା ଯିବାକୁ ?’’

‘‘ଏକାଠି, ଏତେ ଟଙ୍କା କେଉଁଠୁ ପାଇବି ?’’

ଏଁ–କେଉଁଠୁ ପାଇବି–କେଉଁଠୁ ପାଇବି । ଆବେ ପଚାରିଥିଲୁ ଭାଗୁ ପଟ୍ଟନାହାକକୁ କେବେ ? –କେଉଁଠୁ ପାଇବୁ ? ମାଗିଥିଲୁ ଭାଗୁ ପଟ୍ଟନାହାକ ବୁଦ୍ଧି ! ତୁ ସେଇ ଦୁରୁଜୀ ମହାନ୍ତି ସାଙ୍ଗରେ ପଡ଼ିଥା । ଚେଙ୍କା ପାଇବୁ ଯେ ଦିନେ !’’

‘‘ସାଆନ୍ତେ, ମୁଁ କେବେ ତମ କଥାରୁ ବାହାରି ଯାଇଚି କହିଲ ? ତମେ ମୋତେ ମିଛୁଟାରେ ଦୋଷ ଦେଉଚ ସିନା । ମୋ କରମ, ତମ ଧରମ ।’’

ଆରେ କରମ ଧରମ କିଛି ନାହିଁ । କଲିକତା ଯିବାର କଥା ଯିବୁ । ମନ ଥିଲେ ଏଇଲେ ବାହାର–ନହେଲା କାଲି । କାଲି କି ବାର ? ଗୁରୁବାର, ନା ? ଆଚ୍ଛା, ପହରିଦିନ ଶୁକ୍ରବାର ହଉଚି–ପହରିଦିନ ସକାଳେ ବାହାରିଯା । ପାଞ୍ଚ ଦଶୁଟା ଟଙ୍କା ତ ?’’

 

‘‘ହଁ, ପାଞ୍ଚ, ଦଶୁଟା ହେଲେ ଚଳିଯିବ ।’’

 

‘‘ଏଇଥିପାଇଁ ଏତେ ଚିନ୍ତା ପଡ଼ିଛିନା ? ଭାଗୁ ପଟ୍ଟନାହାକ ବଞ୍ଚି ଥାଉ ଥାଉ ଶୁକୁଟି ନାହାକର ଟଙ୍କା ପାଞ୍ଚଟାପାଇଁ କଲିକତା ଯିବା ଅଟକି ଯିବ ? ହେଁ, କିକଥା କହୁଛୁରେ ତୁ ଶୁକୁଟି ! ଆଚ୍ଛା ହଉ, ମୁଁ ଯାଉଛି । ତୁ କିଛି ଚିନ୍ତା କରିବୁ ନାହିଁ । ହେଇଟି ହେ, ମାସକୁ ମାସ ଏକା ଟଙ୍କା ପଠେଇ ଦଉଥିବୁଟି ? ଘରେ ଭୁଆସୁଣୀଟା । ନ ହେଲା ଏବେ ମୋରି ନାଆଁରେ ପଠେଇ ଦେବୁ । ମୁଁ ଆଣି ରତନୀକି ଦେଇ ଦଉଥିବି । କିଛି ଚିନ୍ତା ନାହିଁ । ଭଲ ମନ୍ଦକୁ ଭଗବାନ୍ ଅଛନ୍ତି । ମୁଁ ସବୁ ଠିକ୍‌ କରିଦେବି । ତୋତେ କିଛି ଭାବିବାକୁ ପଡ଼ିବ ନାହିଁ ।

 

ସାଆନ୍ତକୁ ଦଣ୍ଡବତଟାଏ କରି ଶୁକୁରା ଫେରି ଆସିଲା ଘରକୁ । ସେଇ ଅନ୍ଧାର ଘର । ସେଠି ଆଉ ଆଲୁଅ ଜଳିବ କେବେ ? କାଉଁରିଆ କାଠିରୁ ଗୋଛାଏ ଧରି ଜାଳିବ ବୋଲି ନିଆଁ ବଡ଼କୁ ଫୁଙ୍କି ବସିଲା ।

 

କଲିକତା ! ସେ ଯାଇନାହିଁ କଲିକତା କେବେ । ଦେଖିନାହିଁ ହାବଡ଼ା ପୋଲ, ଶୁଣିଛି । କଲିକତା ଗପ ଶୁଣୁଛି । ଭୂତଗପ କଲିକତା କଥା କଥାରେ ଶୁଣିଛି । ମା କାଳୀ ! ସେ ମନେ ମନେ ଡାକିଲା । ସେମିତି ମା କାଳୀ ଜିଭ କାଢ଼ି ବସିଛନ୍ତି ସେଠି । ତାଙ୍କୁ ମୁଣ୍ଡିଆ ନ ମାଇଲେ ସେଠୁ ବରତି ଆସିବା କଥା ସେମିତି ସେମିତି । ସେ ମନେ ମନେ ମୁଣ୍ଡିଆ ମାଇଲା ।

 

ମୁଣ୍ଡିଆ ମାରିବି ଲୋକେ ମରୁଛନ୍ତି । ଦେବତା ପୂଜା କରିବି ମଣିଷ ଭୂତ ହୋଇଛି । ଶୁକ ଥରି ଉଠିଲା । ପିଲାଟିଏ ହୋଇଥାଏ ସେ । ରେଳଗାଡ଼ି ନୂଆ ହୋଇ ଖୋଲିଥାଏ । ଦଶପାଞ୍ଚ ବରଷ ଯାଇ ଥାଏ କି ନାହିଁ । କଲିକତା ଯିବା ହାଉଆ ବହିଲା । ସେ ହାଉଆ କିନ୍ତୁ ସେତେ ଉଦଣ୍ଡ ନଥିଲା ସେତେବେଳେ । କିଏ କେମିତି ଜଣେ ଅଧେ ଯାଉଥିଲେ । ଯିଏ ଯାଉଥିଲେ ସେ ଆଉ ଫେରିବେ ବୋଲି କାହାରି ଭରସା ନଥିଲା । ସେଥର ସପନା ସାଆନ୍ତ ପୁଅ ମୋହନ ଭେଣ୍ଡିଆଟା ପହିଲୁ ହେଇ କଲିକତା ଗଲା । ଆଉ ଆଖପାଖ ଦୁଇ ତିନି ଖଣ୍ଡ ଗାଁରୁବି ଲୋକ ଆସି କଲିକତା ଯିବାପାଇଁ ରୁଣ୍ଡ ହେଲେ । ସାଙ୍ଗ ହୋଇଯିବେ । ସପନା ସାଆନ୍ତେ ଗୋବିନ୍ଦ ଜୀଉଙ୍କ ପାଖରେ ନଡ଼ିଆ ଉଖୁଡ଼ା ଭୋଗ ଲଗେଇ ସମସ୍ତଙ୍କୁ ବାଣ୍ଟିଲା । ଗାଁଯାକ ଛୁଆଙ୍କ ହାତରେ ଭୋଗ ଦେଲା । ଦାଣ୍ଡଦୁଆରେ କଳସ ବସିଲା । ଶଙ୍ଖ ହୁଳହୁଳି ଉଛୁଳିଲା ପଡ଼ି ସପନା ସାଆନ୍ତ ଘରୁ । ମାଇପଙ୍କ ଆଖିରୁ ଲୁହ ଗଡ଼ି ପଡ଼ୁଥାଏ । ମୋହନାର ମା, ଖୁଡ଼ୀ, ଭାଉଜ, ସାଇର ଆଉ କେତେ ମାଇପେ–ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ବାହୁନୁଥାନ୍ତି ପଡ଼ି । ତେଣେ ଶଙ୍ଖବି ବାଜୁଥାଏ–ହୁଳହୁଳିବି ପଡ଼ୁଥାଏ । ଗାଁଯାକ ପିଲେ ଡିଆଁମାରି ମାରି ବୁଲିଥାଆନ୍ତି କେଇଜଣ ମୁଖିଆ ମୁଖିଆ ଲୋକଙ୍କ ଆଗେ ଆଗେ ବିଲ ମଝି ବରଗଛ ଯାଏଁ ବଟେଇ ଦେବାକୁ । ମୋହନା ହାତରେ ସପନା ସାଆନ୍ତ ଖୁଚୁରା ପଇସା ଏତେ ଖଣ୍ଡେ ଦେଲା । ସବୁ ଛୁଆଙ୍କ ହାତରେ ଦି ଦି’ପଇସା କରି ମୋହନା ନିଜେ ବାଣ୍ଟି ଦେଇଗଲା । ଶୁକୁରା ଛୁଆ ହୋଇଥାଏ । ସେ ବି ଆଣିଥିଲା ଦି’ପଇସା । ପାଞ୍ଚ ଦଶ ଛୁଆ ସେ ପଇସାକୁ ଏକାଠି କରି ବଣଭୋଜି କରିଥିଲେ । ତା’ର ମନେ ଅଛି ।

 

କିନ୍ତୁ ମୋହନା ଆଉ ଫେରିଲା ନାହିଁ । ଗଙ୍ଗାସ୍ତି ହେଇଗଲା ତା’ର ସେଇଠି । ଖାଲି ଭାଷା ଖଣ୍ଡେ ଆସିଲା ହାସପାତାଳରୁ । ହାସପାତାଳ–ହାସପାତାଳ ! ଶୁକୁରାର ଛାତି ପୁଣି ଥରି ଉଠିଲା । ପାତାଳପୁରୀର ଗୋଟାଏ ଭୟଙ୍କର ରୂପ କଳ୍ପନା କରି ସେ ଡରିଗଲା । ହାସପାତାଳଟା ଯେମିତି ସେଇ ପାତାଳକୁ–ଯମପୁରକୁ ବାଟ ଫିଟିଛି ! ନା–ନା, ସେ କଲିକତା ଯିବ ନାହିଁ ।

 

ରତନୀ ଥନରେ କ୍ଷୀର ନାହିଁ । ରତନୀକି ସେ ଦି’ଓଳି ପେଟପୂରା ଖାଇବାକୁ ଦେଇପାରୁନାହିଁ । ଛୁଆଟି ମୁହଁରେ ଦୁଧ ଟୋପାଏ ପଡ଼ୁନାହିଁ । ପେଯ, ଭାତୁଆଣି ଦେଇ ତିନି ଚାରିମାସର ଛୁଆଟାକୁ ବଞ୍ଚେଇବ ସେ ? ଛେଳିଟିଏ ପାଳିଥିଲା ସେ ଅବା ଥିଲେ ଦୁଧ ପଳେ ପୋଷେ ମୁହଁରେ ଲାଗୁଥାନ୍ତା ବାଇଆର । କପାଳକୁ ଛେଳି–ଛୁଆଟାକୁ ଶିଆଳ ଟାଣି ନେଇଗଲା । ଶିଆଳରବି ବେଶି ଅହନ୍ତା ଏଇ ଗରିବଙ୍କ ଉପରେ । ଗରିବଗୁଡ଼ାକ ପଶୁ ବୋଲି କି କ’ଣ ଏଇ ଶିଆଳ କୁକୁରଯାକ ବେଶି ବାଦ ଲଗାନ୍ତି ତାଙ୍କରି ସାଙ୍ଗରେ । ବଡ଼ଲୋକ ଯେ ମଣିଷଙ୍କ ଉପରେ, ତାଙ୍କ ସାଙ୍ଗରେ ପଟ ଦେବାକୁ ସାହସ ହୁଏ ନାହିଁ ପଶୁ ଜାତିର ।

 

ଛୁଆଟା ଗଲା ଗଲା, ମାଟା ହେଲେ ବଞ୍ଚି ଥାଆନ୍ତା । ଛେଳିଟି ଏଡ଼େ ସୁଧାର ଯେ ଚିର ଟାଣିଲେ ଦୁଧ ଦବ । ହାୟ, ସେ ବି ରାତି ଅନ୍ଧାରରେ କାହା ପେଟରେ ହଜମ ହେଇଗଲା । ଆଉ କାହିଁକି କାହା ନାଆଁରେ କିଏ କହିବ ! ସେହି ପଟ୍ଟନାହାକ ପଡ଼ା–ପଟ୍ଟନାହାକପଡ଼ାର ଟୋକାଗୁଡ଼ାକ ଏଡ଼େ ଚଗଲା–ଚଗଲା ଟୋକାଗୁଡ଼ାକ ଛେଳିଟାକୁ କାଟି ଖାଇଗଲେ ରାତାରାତି । ଚିହ୍ନବର୍ଣ୍ଣବି ମିଳିଲା ନାହିଁ । ଶୁକୁରା ଖବର ପାଇ ତୁନି ପଡ଼ି ରହିଲା । କାହାକୁ କ’ଣ କହିବ ? ସାଆନ୍ତ ସାହି ।

 

ସେ କଲିକତା ନ ଯାଇ ଆଉ କ’ଣ କରିବ ? କିଏ ତା’ ଦୁଃଖ ଶୁଣିବ ? ଏଇ ଗାଁ । ଅନ୍ଧାର ଭିତରେ ମଲା ମୁର୍ଦାର ଭଳି ଶୋଇ ପଡ଼ିଚି । ଜୁଇ ଜଳି ଗଲାଣି ଦିଆଲି ଅମେଇସା ଆଲୁଅରେ । ନିଆଁ ଖାଲି ଜୁକୁଜୁକୁ କରୁଛି ଠାଏ ଠାଏ, ଡାହାଣୀର ଆଖି ପରି, ଡାହାଣୀ ଆଲୁଅ ପରି ।

 

ଶୁକୁରା ଦାଣ୍ଡକୁ ବାହାରି ଆସି ଗାଁକୁ ଚାହିଁଲା । ବାରିପଛ ଆଡ଼େ ଲମ୍ୱା ବିଲ କିଆରି କିଆରି ହେଇ ଭାଗ ଭାଗ ହେଇ ଶୋଇଛି । ଗାଁଟାବି ସେମିତି ଖଣ୍ଡ ଖଣ୍ଡ ହେଇ ଯାଇଛି । ଗାଁ ଭିତରେ ଭିତରେ ଶହେ ପଘାର । ଯେତେ ଭାଇ ସେତେ ଘର । ଯେତେ ଘର ସେତେ ଗାଁ । କେହି କାହାର କିଆରିରୁ ପାଣି ମୁନ୍ଦିଏବି ଛାଡ଼ିଦିଏ ନାହିଁ ଆଉ କାହାକୁ । ସମସ୍ତେ ଅନେଇ ବସିଥାନ୍ତି ସେଇ ଆକାଶ ମାର୍ଗକୁ । ଯାହା ଭାଗରେ ଯେତିକି ବରଷା ପଡ଼ିବ । ନିରସା ଉଚ୍ଚା ଜମିରେ ଟିକିଏ ବଳକାପାଣି ମଡ଼େଇ ଦେବାପାଇଁ ହିଡ଼କାଟିଦେବାକୁ ସମସ୍ତେ ନାରାଜ ।

 

ଗାଁଟା କେମିତି ଭାଗ ଭାଗ ହେଇ ଯାଇଛି । ଏ ଘରେ ଜିରା ଫୁଟିଲେ ସେ ଘରକୁ ବାସ ଯାଏଁ ନାହିଁ । ସେ ଘରେ ମଣିଷ ମଲେ ଏ ଘର ହାଣ୍ଡିଶାଳର ହାଣ୍ଡି ମାରା ହୁଏ ନାହିଁ । ଏ ଘରେ କେହି ବାଧିକି ପଡ଼ିଲେ ସେ ଘରୁ ମହୁ ମିଶିର ବହି ଆସେ ନାହିଁ । ସେ ଘରର କବାଟ ଖିଡ଼ିକି ନିଲାମ ହେଇଗଲେ ଏଘରୁ ଲୋକଦଉଡ଼ି ତା’ର ନିଲାମ ଧରି ନିଅନ୍ତି, ତାକୁ ପୁଣି ଫେରେଇ ଦେବାକୁ ନୁହେଁ–ଆତ୍ମସାତ କରିବାକୁ ।

 

ଗାଁ ଖଣ୍ଡଖଣ୍ଡ ହେଇ ଯାଇଛି–ଫାଙ୍କଫାଙ୍କ ! ରିଭିଜନ ବନ୍ଦୋବସ୍ତର ଅମିନ ଘୁଷ୍‌ଖାଇ ଭାଇ ବାଣ୍ଟ ବସେଇଲା ପରି କିଏ ଯେମିତି ଗାଁର ଗୋଟାଏ ଅଖଣ୍ଡ ଜୀବନକୁ ଖଣ୍ଡଖଣ୍ଡ କରି ଫିଙ୍ଗି–ଦେଇଛି ।

 

ସେ ଦିନ ସପନା ସାଆନ୍ତ ପୁଅ ମୋହନା କଲିକତା ଗଲାବେଳେ ଗାଁରେ ଯିଏ ଯେଉଁଠି ଥିଲା ଦଉଡ଼ି ଆସିଲା । ଗାଁଟାଯାକ ଉଠି ଆସିଲେ, ଛୁଆପିଲା ବୁଢ଼ା ଜୁଆନ୍‌ ବହୂଝିଏ ସମସ୍ତେ । ମୋହନାକୁ ବିଦା କରିଦେବା ପାଇଁ–ବାଟେଇ ଆସିବାପାଇଁ, ଆଜି କିଏ କେତେବେଳେ କଲିକତା ଯାଏଁ, କିଏ କୋଉଦିନ କଲିକତାରୁ ତୁରଙ୍ଗ ପେଟରା କନାଗୁଡ଼ିଆ ତେଲବୋତଲ ଧରି ଆସେ ସେ କଥା ତା’ ଛଡ଼ା ତା’ ଘର ଛଡ଼ା ପର କେହି ଜାଣନ୍ତି ନାହିଁ । କେହି କାହାରି ଖବର ରଖେ ନାହିଁ । କଲିକତାଟା ହଗିବସିଲା ବାଟ ହେଇଚି ।

 

ତଥାପି ଡର । ତଥାପି କଲିକତା ନାଆଁରେ ଶୁକୁରା ଥରି ଉଠୁଛି । ଏଇଠି–ଏଇ ଗାଁରେ–ଏଇ ଗାଁ ମାଟିରେ ତା’ର କି ମୋହ, କି ମାୟା, କି ମମତା ସେ ନିଜେ ହୁଏତ ଜାଣେ ନାହିଁ, ତା’ର କ’ଣ ଅଛି ଏ ଗାଁରେ ? ଜମି ଦିମାଣ । ସେ କୋଉଠିକୁ ଯାଇ ଝୋଟ ଦିକେରା କାଟି, ଦଉଡ଼ି ବଳେ, ପଘା ବଳେ, ପଲାଣ ବୁଣେ, ହେଁସ ବୁଣା କାଠରେ ଛୋଟ ବଡ଼ ହୋଇ ଦଉଡ଼ି ଆଗରେ ଓହଳିଥାଏ ଯେଉଁ ଟେକାଗୁଡ଼ାକା ତାକୁ ଏପଟ ସେପଟ କଲାପରି ସେ ଆପଣା କର୍ମକୁ ଏପଟ ସେପଟ କରି ଦେଖୁଥାଏ । ହେଁସ ବୁଣି ହେଇଯାଏ । କିନ୍ତୁ କରମ ଲୁଚେ ନାହିଁ ଆଉ । ଦିନ ଚାଲିଯାଏଁ କୁଆଡ଼େ ଦିନୁଦିନ ।

 

ଏଇ ମାଟିରେ ତା’ ବାପ ଅଜା କେତେ ପୁରୁଷରୁ ସୁନା ଫଳେଇ ଗାଁକୁ ସାଉଁଳା ଶାଗୁଆ କରି ଯାଉଚନ୍ତି । ଏଇ ମାଟି ଉପରେ ପହିଲୁ ଅସରା ବରଷା ପାଣିରେ ଶୁଖିଲା ମାଟିର ଉଷୁମ ଗନ୍ଧକୁ ନାକରେ ନେଇ ଆସନ୍ତା ଫସଲର ଅମଳକୁ ସପନ ଦେଖି ଦେଖି ମନ ଫୁଲାଣିରେ ଗୀତ ଗାଇଯାଇଛନ୍ତି । ଏଇ ମାଟି ଉପରେ ବନ ମାଡ଼ିଆସି, ବଥା ଉପରେ ଲେପ ଦେଇଗଲାପରି ପଟୁ ପକେଇ ଦେଇଯାଏ । ଏଇ ମାଟି ଉପରେ ସୁନା ଦରିଆରେ ଲହଡ଼ି ମାରିଲା ପରି ନାଲା ନାଲା ଧାନଶିଷା ଛାତି ଫୁଲାଇ ଶାଁ ଶାଁ ଶବଦ କରୁଥାଏ, ବର୍ଷ ବର୍ଷ ଧରି । ଏବେବି କରୁଛି । ଏବେବି ସେ ଛାଡ଼ିଯାଇ ନାହିଁ ଏ ଗାଁଟାକୁ । ଆଜିବି ସେଇ ଧାନର ବାସନା କେତେ ଘରେ ଗୁରୁବାର ସେର ଖଟୁଳିରେ ଠାକୁରାଣୀ ହେଇ ହସୁଛି । ଏଇ ମାଟି–ଏଇ ମାଟି–ଏଇ ମାଟିକି ସେ ଛାଡ଼ିଯିବ କୁଆଡ଼େ !

 

ବାପ ଗୋପାଇଁବାପ ଚଉଦ ପୁରୁଷ ଏଇମାଟିରେ ମିଶିଚନ୍ତି । ଏ ମାଟି ତ ଆଉ ମାଟି ହୋଇ ନାହିଁ–ତୀର୍ଥ । ବାପ ଦାଦାଙ୍କର ପିଣ୍ଡ । ବାପ ଦାଦାଙ୍କର ଆତ୍ମା ଏଠି ବୁଲୁଚି । ତାଙ୍କର ବଂଶରେ ଯିଏ ଅଧର୍ମ କରିବ ସେ ଆତ୍ମା–ସେ ଦେବତା ସତେ ଯେମିତି ବଜ୍ରଚଡ଼କ ପକେଇବା ପାଇଁ ସବୁବେଳେ ଜଗତା ହୋଇ ଠିଆ ହୋଇଛନ୍ତି । ସେଇ ବାପଦାଦା, ଅଜା ଗୋସାଇଁବାପ ଆଜି ଯେମିତି ଉଚ୍ଚ ଉଚ୍ଚ ନିଛାଟିଆ ତାଳଗଛ ଶୁଖିଲା ପତର ଉପରୁ ରଡ଼ି ଛାଡ଼ିଛନ୍ତି–ଧର୍ମଗଲା–ଧର୍ମଗଲା !

 

ଧର୍ମ କୁଆଡ଼େ ଗଲା ? ଏଠି ତ ମଣିଷକୁ ଫିଟିଯିବାର ରାସ୍ତା ନାହିଁ–ଧର୍ମଗଲା କିମିତି ? ଗାଁଟା ଉପରେ ଯେମିତି ଗୋଟିଏ ପେଷା ବୁଲୁଛି–ଚକି–ପଥର ଚକି । ଗାଁ ଚଉକିଆ ପ୍ରେସିଡ଼େଣ୍ଟ ଜମିଦାର ସାଉକାର ସମସ୍ତେ ବୁଲେଇଚନ୍ତି ସେଇ ଚକିକି ଦିନରାତିକି । ମଣିଷ ହେଇ ମଣିଷକୁ ଗୋଡ଼ି ମାଟିପରି ବେଖାତିର କରି ଯାଉଛନ୍ତି ଏମାନେ । ଚକି ସାଙ୍ଗରେ ନିଜେ ଚକି ହୋଇ ଯାଉଛନ୍ତି ମଣିଷକୁ ପେଷିବାପାଇଁ, ମଣିଷ ଛାତି ଘେନି ମଣିଷ ମଣିଷର ଦୁଃଖ ବୁଝୁନାହିଁ । ମଣିଷ ହୋଇ ମଣିଷକୁ ଶୋଷି ପେଷି ଖାଇଯାଉଛନ୍ତି । ଧର୍ମ ଗଲା କୁଆଡ଼େ ! ଧର୍ମ ଯିବ କୁଆଡ଼େ । ଧର୍ମବି କ’ଣ ଡରୁନାହିଁ ଏ ପେଷାକୁ ?

 

ହଁ, ଧର୍ମ ରହିଛି । ପେପେଁଇ ଅମିସାରେ ପଇଆଁ ଖାଡ଼ି ଜାଳି ବଡ଼ ବଡ଼ିଙ୍କୁ ଡାକିଲାବେଳେ ଧର୍ମ ସେମିତି ଜଳଜଳକି ଅନାଇ ଥାଏ । କାଳୀ ମୂର୍ତ୍ତିଗଢ଼ି ବୋଦାପେଣ୍ଠି ବଳେଇ ପକାଇଲାବେଳେ ଧର୍ମ ସେମିତି କାଠ ହେଇ–ଯୂପକାଠପରି ଠିଆ ହୋଇଥାଏ । ଧର୍ମ ନାହିଁ ଆଉ ଗଲା କୁଆଡ଼େ ?

 

ତଥାପି ଏ ଗାଁ । ଖଣ୍ଡଖଣ୍ଡ ହେଇଯାଉଛି । ତଥାପି ରତନୀପରି କେତେ ମାଙ୍କ ଥନରୁ କ୍ଷୀର ଶୁଖିଯାଉଛି । କାହିଁକି ?

 

ଧର୍ମ କ’ଣ ନାହିଁ ? କଳିକାଳରେ ଧର୍ମ କ’ଣ ନାହିଁ ?

 

ସପନା ସାଆନ୍ତ ପୁଅ ମଲା । ଚିଠି ଆସିଲା ଯେଉଁଦିନ, ସପନା ସାଆନ୍ତ ସେଦିନ ମୁଣ୍ଡ ବାଡ଼େଇ ଦେଇ କହିଲା–ଧର୍ମନାହିଁ–ଧର୍ମ–ନାହିଁ–ସତେ କ’ଣ ଧର୍ମନାହିଁ ?

 

ସପନା ସାଆନ୍ତ କି ଅଧର୍ମ କରିଥିଲା । ପଟ୍ଟନାହାକ ପଡ଼ାରେ ସବୁଠୁ ଗରିବ ସେଇ । ଏଇ ଗରିବ ହେବାଟାଇ ଥିଲା ତା’ର ଅଧର୍ମ । ପରକୁ ଠକି ଶୋଷିଖାଇବାକୁ ବାଟ ସେ ପାଇ ନଥିଲା ବୋଲି ସେ ଥିଲା ଦୋଷୀ, ଅଧର୍ମୀ । ଘର ଖଣ୍ଡକ ଛପର ହୋଇପାରେ ନାହିଁ ବରଷକୁ ବରଷ । ଅଧେ କାନ୍ଥଡ଼ା ଠିଆହେଲା । ମୂଲଲାଗି ଖାଇବାକୁ ନିଜମାଡ଼ । ସମସ୍ତଙ୍କ ଘରେ ଯାଇ ଖିଦିମତ କରେ । କାମ କାର୍ଯ୍ୟ ତୁଲାଏ । କାହାରିଠୁ ପଇସାଟିଏ ନିଏ ନାହିଁ । ମାଗେ ନାହିଁ । କିନ୍ତୁ ଯାହାର ଯାହା ହେଲା, ସପନା ସାଆନ୍ତକୁ ଡାକ ।

 

ସପନା ସାଆନ୍ତ ଯେ କେମିତି ଚଳୁଛି–ତା’ ଦିନ କେମିତି ଯାଉଛି, କେହି ବୁଝନ୍ତି ନାହିଁ । ସପନା ସାଆନ୍ତ ସେମିତି ମଲା–ତା’ରି ଆଖି ଆଗରେ ମଲା । ମଡ଼ା ଉଠେଇବାକୁ ପୁଣି ଭାଇ କୁଟୁମ୍ୱଙ୍କୁ ଡାକିବାକୁ ପଡ଼ିଲା । ଗୋଡ଼ ହାତ ଧରି ନେହୁରା ହେବାକୁ ପଡ଼ିଲା । ସପନା ସାଆନ୍ତ କେତେ ମୁର୍ଦାର ଉଠେଇ ନ ଥିବ, କେତେ ଲୋକଙ୍କ ବାପ ଅଜାଙ୍କ ମୁହଁରେ ନିଆଁ ଖୁଣ୍ଟ ଖେଞ୍ଚି ନଥିବ, କିନ୍ତୁ ତା’ ମୁହଁରେ ନିଆଁ ଦେବାକୁ କେହି ରହିଲେ ନାହିଁ । ମଶାଣି ଭୂଇଁରେ ସେମିତି ଗଡ଼େଇ ଦେଇ ଆସିଲେ ତାକୁ । କୁକୁର ଶିଆଳ ଖାଇଲେ ତାକୁ ।

 

ଆଉ ମଦନ ପଟ୍ଟନାୟକ ବାପ ବୁଢ଼ା ସକାଳୁ ନାଆଁ ଧଇଲେ ଖାଇବାକୁ ମିଳିବ ନାହିଁ; ତା’ ମଡ଼ା କାନ୍ଧେଇବା ପାଇଁ ପୁଣି ଛଡ଼ାଛଡ଼ି ହେଲେ ଲୋକେ । କିଏ ରାଗିଲା, ରୁଷିଲା, ତା’ ଭାଗରେ ବୁଢ଼ାକୁ କାନ୍ଧେଇବାକୁ ଭାଗ୍ୟ ପଡ଼ିଲା ନାହିଁ ବୋଲି । ହାତ ଘେନି ସେ କାହାକୁ କେବେ ଦେଇ ନାହିଁ ମୁଠେ, ତଥାପି ଧର୍ମ ତାକୁ ସହିଲା । ଧର୍ମ ତା’ ପକ୍ଷକୁ ଆଉଜିଲା । ଧର୍ମ ନାହିଁ କେମିତି-?

 

ଏଇ ତ ଧର୍ମ ! ୟାକୁଇ କହନ୍ତି ଧର୍ମବୋଲି !

 

ତାହାହେଲେ, ସେ ଅଧର୍ମ ନ କରିବ କାହିଁକି । ସାତପୁରୁଷର ମାଟି ଏଇ ଜନମ ମାଟିକି ପୂଜା ନ କରି ପଳେଇବାଟା ଯଦି ଅଧର୍ମ ହୁଏତ ହଉ । ଅଧର୍ମ କରି ଲୋକଙ୍କର କିଛି ଭାସିଯାଇ ନାହିଁ । ଅଧିକା ବଢ଼ନ୍ତି ହେଇଛି । ଶୁକୁରା ଅଧର୍ମ କରିବ । ଅଧର୍ମ କାହିଁକି ? ସମସ୍ତେ ଯେଉଁ ଅଧର୍ମକୁ ଧର୍ମ ନାଆଁରେ କରିଯାଉଚନ୍ତି ସେ ସେଇ ଧର୍ମ କରିବା । ସେ ଗାଁ ଛାଡ଼ିଯିବ !

 

ବାସ ତା’ର ମଲାବେଳକୁ ଏକା କହିଯାଇଥିଲା–ତୀର୍ଥ ସେ କରିପାରି ନଥିଲା–ମନରେ ତା’ର ଅବଶେଷ ରହିଯାଇଥିଲା ଅନେକ ଦିନରୁ–ମଲାବେଳକୁ ଏକା ଠକ୍‌ଠକ୍‌ କରି କଥା କହିଲା–ପାଟି ପଡ଼ିଯାଇଥିଲା–ଠିକ୍‌ ପ୍ରାଣଯିବା ଆଗରୁ ସେ ଯେମିତି ଏଇ ପଦକ କଥା କହିବାପାଇଁ ପାଟି ଖୋଲିଲା–‘‘ବାପା, ତୀର୍ଥ ଏଇ, ଏଇ ମାଟି ଆମର ତୀର୍ଥ–ଆମ ଚଉଦପୁରୁଷ ଯେଉଁ ମାଟିରେ ମରିଚନ୍ତି ସେଇ ଆମର ତୀର୍ଥ–ତୁ ଏ ତୀର୍ଥମାଟିକି ଛାଡ଼ି କେଉଁଠିକି ଯିବୁ ନାହିଁ ।’’

 

ଶୁକ କାନ୍ଦିପକାଇଲା ଗରିବଙ୍କ ପାଇ ଏଇ ମାଟି ହେଉଛି ତୀର୍ଥ ସେ ଏ ତୀର୍ଥକୁ ଛାଡ଼ିଯିବ–ସପନା ସାଆନ୍ତ ପୁଅପରି ଆଉ କେଉଁଠି ଗଡ଼ି ମରିବ । ତା’ ବାପ ଗୋସାଇଁବାପ ଯେଉଁ ମାଟିରେ ମିଶି ମାଟିକି ଉର୍ବରା କରିଯାଇଛନ୍ତି ସେ ମାଟି ସାଙ୍ଗରେ ମାଟି ହେବାର ଭାଗ୍ୟ ତା’ଠୁ କିଏ ଛଡ଼େଇ ନେଇଯିବ । ଯେଉଁ ମାଟିରୁ ତା’ ପୁଅ ନାତି ଆଧାର ଗୋଟେଇ ଖାଇବେ ସେ ମାଟିରେ ତା’ ଦେହ ମିଶିବ ନାହିଁ । ମଲାବେଳକୁ ସେ ରତନୀର ମୁହଁ, ବାଇଆର ହସ ଦେଖି ମରି ପାରିବ ନାହିଁ ? ନାଁ, ସେ ଯିବ ନାହିଁ ।

 

ନାଁ, ସେ ଯିବ ନାହିଁ । ଏକଥା କହିଲାକ୍ଷଣି କିଏ ଯେମିତି ପଛଆଡ଼ୁ ଚାବୁକ ଲଗେଇ ଚିତ୍କାର କଲା–‘‘ଅଲବତ୍‌ ଯିବୁ ।’’

 

ଚାଉଁକିନା ଚମକି ପଡ଼ି ସେ ପଛଆଡ଼କୁ ଚାହିଁଲା । କାହିଁ, କେହି ନାହାନ୍ତି । କେହି ନଥିଲେ । ମହାଜନ ନଥିଲା, ଜମିଦାର ନଥିଲା, ପ୍ରେସିଡ଼େଣ୍ଟ ନଥିଲା, ଭାଗୁ ମହାନ୍ତି ନଥିଲା–କେହି ନଥିଲେ ।

 

ତହିଁ ଆରଦିନ ସକାଳ । ସକାଳୁ ଉଠି ସେ ଗାଁ ଆଡ଼କୁ ବୁଲିଗଲା । ମନେ ମନେ ସେ ଆଉ ପାଞ୍ଚ ସାତକୁ ପଚାରି ଠିକ୍‌ କରିବ–ସେ କଲିକତା ଯିବ କି ନାହିଁ ।

 

ସେ ପାଖରେ କଂସାରି ଘର । ଏଠି ଚାରିଘର–ସେଠି ଘରେ–ପାଞ୍ଚଘର ଥିଲେ ମୋଟରେ । ଦି ଦିଟା ଘର ତା’ରି ଆଖି ଆଗରେ ଉଜୁଡ଼ି ପଡ଼ିଲା । ଗୋଟାଏ ବାଡ଼ିରେ ସମସ୍ତେ ଶେଷ । ରାଣ୍ଡ ବହୂଟା ବାପଘରକୁ ପଳେଇଲା । ଆଉ ଆସିବାକୁ ନାହିଁ । ଜମିଦାର ସେ ଘରତଳି ବେଓ୍ୟାରସ ବୋଲି ଦଖଲ କଲାଣି । ସେଠି ଏବେ ଖସା ବୁଣା ହେଉଚି । ଆଉ ଘରେ, ଗଲା ଘରଜୋଇଁଆରେ–ପାଞ୍ଚକୋଶ ବାଟ ଦୂର ଏଠିକି । ଯେ ଗଲା ସେ ଗଲା । ବାକି ଦି’ଘର । ସେଥିରୁ ମଣିଷ କିଏ ଯେ ପଚାରିବ କାହାକୁ ।

 

ଗୋଟେ ତ ପିଲା । ଜମି ବଖରା କରି ଯଥାକଥା କି ପେଟ ପୋଷେ । ହେଇ ହେଇ ପଦିଆ କଂସାରି ଗୋଟେ ବୋଲି ମଣିଷ । ସେଇଟାବି କେମିତି ଅଲାଗିଲା ମଣିଷଟାଏ । ବସିକି ସଞ୍ଜସକାଳେ ଖାଲି ଠୁକୁର ଠୁକୁର କରୁଥିବ । କରୁ’ଥା । ସରୁ କତୁରୀ ଦି’ପଟ ଦି’ମାସ ହେଲା ବରାଦ ଦିଆଗଲାଣି ଆଜିଯାଏଁବି ନାହିଁ । କୋଢ଼ିଆଟାଏ ।

 

କୋଢ଼ିଆ ସେ ନଥିଲା । ଠାକୁରେ ନ କରନ୍ତୁ ଶୁକୁରାର ସେ ଅବସ୍ଥା ନ ହେଉ । ଏମିତି ଦୁଃଖରେ ତ ସମସ୍ତେ କୋଢ଼ିଆ ହୋଇଯାନ୍ତେ । ଛାତି ଉପରେ ପଥର ପଡ଼ିଲା ପରି ଦୁଃଖ । ତା’ ଉପରେ ତା’ ଉପରେ ତୁହାକୁ ତୁହା ଲଦି ହୋଇ ପଡ଼ିଲା । ତା’ କଙ୍କାଳ ଭାଙ୍ଗ ଦେଇ ଯାଇଛି । ସେ ବଞ୍ଚିଛି ସେଇ ଢେର୍‌ । ପୁଅଟାକୁ ଚିକିତ୍ସା କରିପାରିଲା ନାହିଁ–ଭେଣ୍ଡା ପୁଅଟା–ମରିଗଲା । ମାଇପ ମଲା–ଗୋଟାଏ ଦିନ ଗୋଟାଏ ରାତି ଜର–ସକାଳକୁ ନାହିଁ । ବିଧବା ଯୁବତୀ ବହୂଟା–ଛାଡ଼–ସୁନ୍ଦରୀ ବହୂ କରିବ ନାହିଁ ।

 

ସେ ଆଉ କାହାକୁ ଘେନି ଘର କରିବ ? ବିଧବା ଭଉଣୀଟିକୁ ଆଣି ପାଖରେ ରହିଥାଏ-। ସେ ପୁଣି ଅଧେ ଦିନେ କଳି କରି ଶ୍ୱଶୁର ଘରକୁ ପଳେଇବ । ପୁଣି ଶ୍ୱଶୁରଘରେ ଗୋଟେ କିଛି ଉତ୍ପାତ ନ କଲେ ଯାଇ ସେ ଆଉ ନ ଫେରେ ।

 

ତଥାପି ସେ ପଦିଆକୁ ପଚାରିଲା । ପଦିଆ କିଛି କହିଲା ନାହିଁ । ଶୁକୁରା ଉପରେ ପକେଇ ଦେଲା । କହିଲା–‘‘ତୋ ଇଚ୍ଛା–ତୋତେ ଯାହା ଭଲ ଲାଗୁଛି ।’’

 

ଦାସଘର ପିଣ୍ଡାରେ ହେଇଟି ଅଗଣି ଦାସେ ବଇଛନ୍ତି । ବୁଢ଼ା ବସି ବସି ନାଶ ଦଳୁଛି-। ‘‘ଓଳଗି ଭାଇନା ।’’

 

‘‘ଅଷ୍ଟୋତ୍ତର ଶତବର୍ଷ ପରମାୟୁ ଭବତୁ–କିରେ ହାଲ୍‍ଚାଲ୍ କ’ଣ ? ସବୁ ଭଲ ତ ?’’

 

‘‘କ’ଣ ଆଉ ଭଲ ଆଜ୍ଞା । ଦିନ ତ ଯାଉ ନାହିଁ । ଏ ମହରଗ କାନ୍ତାରରେ ଆଉ ଭଲ କ’ଣ ପଚାରୁଛ ?’’

 

‘‘ମହରଗ ତ ସଭିଙ୍କି ଘୋଟିଛି–ତୋତେ କ’ଣ ଏକୁଟିଆ ?’’

 

‘‘ଏ ଅକାଳ କାହିଁକି ପଡ଼ିଲା ନନା, ଆମେ ଏ ଗରିବ ଗୁରୁବା ବଞ୍ଚିବାଟିକି ?’’

 

‘‘ଆରେ ଯୁଦ୍ଧ, ଯୁଦ୍ଧ ! ତେଣେ ଜର୍ମାନୀ ଯୁଦ୍ଧ ଲାଗିଗଲାଣି ପରା ।’’

 

‘‘ଯୁଦ୍ଧ ? କି ଜାତିଆ ଯୁଦ୍ଧ କି ସେ ଗୋସେଇଁ ? ସେ ଯୁଦ୍ଧର ରଣଚଣ୍ଡୀ ମଣିଷମୁଣ୍ଡ ଖାଆନ୍ତିନା, ଲୁଗାପଟା, ଶାଗସବ୍‍ଜି, ପେଯ ଭାତ, ଘଷିଗୁଣ୍ଡା ସୁଧେବି ଖାଇଯାଆନ୍ତି ?’’

 

‘‘ହଁ ରେ ହଁ ।’’ କହି ମାଗୁଣିଦାସ ଲାକକ ଯାକ ଲାସ ‘ଆଁ ‘ଛି’ କରି କାଢ଼ି ପକେଇଲା । ଗାଢ଼ ଗାଢ଼ ନାକପାଣିତକ ଆଣ୍ଠୁ ଲୁଚା କରିଆ ଖଣ୍ଡରେ ପୋଛି ଦେଇ ଗଳା ସଫା କରି କହିଲେ–‘‘ତୁ ଆଉ କ’ଣ ବିଚାରିଥିଲୁ କି ?’’

 

‘‘ଆଉ ପାରି ହେବ ନାହିଁ ନନା ଏ ମହରଗକୁ ମୁଁ ବିଚାରୁଚି–କଲିକତା ଯିବି ।’’

 

‘‘ହଁ, ହଁ, ସମିସେ ଯାଉ ଗଲି, ତୁ କିଆଁ ଲ ଯିବୁ ? ଯା–ଯା–!’’

 

‘‘ନାଇଁ ସତେ, ତମେ କ’ଣ କହୁଚ କହିଲ ନନା, କଲିକତା ଗଲେ ଭଲ ହେବ କି ନାହିଁ-!’’

 

‘‘ଖୁବ୍‌ ଭଲ, ଖୁବ୍‌ ଭଲ । ମାଇପକୁ କାହା ଜିମାରେ ଛାଡ଼ି ଦେଇଯିବୁ ? ଭାଗୁ ମହାନ୍ତି ଜିମାରେ ।’’ ଶୁକୁରା ଚମକି ପଡ଼ିଲା । ଭାଗୁ ମହାନ୍ତି ! ଭାଗୁ ମହାନ୍ତି ତାକୁ କଲିକତା ଯିବାକୁ କହିଛି-। ସେ ତ କାଲି ରାତି କଥା । ସକାଳ ନ ହେଉଣୁ ଏ ବ୍ରାହ୍ମଣ ଜାଣିଲେ କିମିତି ?

 

‘‘ଭାଗୁ ମହାନ୍ତି–ଭାଗୁ ମହାନ୍ତି ।’’ ତା’ ମୁଣ୍ଡ ଭିତରେ ଶବଦଟ ଗୋଳେଇ ଘାଣ୍ଟି ହେଲା ।

 

‘‘ନନା, ଛି, ପାପ ହବ । ଭାଗୁ ମହାନ୍ତି ବାଇୟା ବୋଉର ବାପ ସମାନେ ।’’ ସେ କହିଲା-

 

‘‘ହଁବେ ହଁ–କେତେ ଭାଗୁ ମହାନ୍ତିକି ବାପ ହେବା ଦେଖିଛି–ଆବେ ତୋ ବହୂକୁ ଦେଖିତ କେତେ ଲୋକ ବାପ ହବାକୁ ମନ କରିବେ ।’’

 

‘‘ନନା, ତମର ଏଇ ଖିଆଲିଆ କଥା ଗଲା ନାହିଁ । ସବୁବେଳେ ଟାହିଟାପରା ଭଲ ଲାଗେ ନାହିଁ ।’’

 

‘‘ଆବେ ମୁଁ ଟାପରା କରୁ ନାଇଁ । ଅଗଣି ଦାସ ହକ୍ କହେ–ଠକ୍‌ଠକ୍‌ ! ତୁ ଚିଡ଼ି ଯାହା କର । ଭେଣ୍ଡୀ ଜୁଆନ୍ ଟୋକୀଟାକୁ ଘରେ ରଖି ତୁ କଲିକତା ଯିବୁ । ଏ ଗାଁରୁ କ’ଣ ଭାଗୁ ମହାନ୍ତି ଭଳିଆ ଲୋକେ ମରିଗଲେଣିନା ଉଠିଗଲେଣି କି ? କେତେ ରାଣ୍ଡଙ୍କର ସର୍ବନାଶ ନ କରିଛନ୍ତି ସେ, କେତେ କୁଳଭୁଆସୁଣୀଙ୍କ ଘର ନ ବୁଡ଼େଇଛନ୍ତି ସେ ?’’

 

‘‘ତା’ ଯେ କହିଲ ନନା, ଝୁଅ ବହୂ ଯଦି ନିଜେ ଠିକ୍‌ ଥିବେ ତ–’’

 

‘‘ଯାବେ ଯା–କେତେ ଝୁଅ ବହୂ ଦେଖିଛି । କଉକାଳିକା ମଣିଷ ଆଇଲୁକି ତୁ ? ସମସ୍ତେ ଖାଲି ସୀତା ସାବିତ୍ରୀ ହେଇଚନ୍ତି । ଯୁଗର ରଙ୍ଗଢ଼ଙ୍ଗ ଦେଖୁଛୁ କ’ଣ, ଆଉ କହୁଛୁ କ’ଣ ? କାଳ କ’ଣ ଥିଲା, କ’ଣ ହେଲାଣି ଆଖିକି ଦିଶୁନାହିଁ–ନା–ଆଖି ବୁଜି ଦୁଧ ପିଉଚୁ ? ଆରେ ଯୁବତୀ ଟୋକୀଟାକୁ ଘରେ ଛାଡ଼ିଦେଇ, ତୁ କଲିକତାରେ–ବିଦେଶରେ; ବର୍ଷେ ମାସେକେ ଥର ଘରକୁ ଆସିବୁ, ତା’ର ପୁଣି ଘଇତା ସରାଗ, ଘଇତା ସୁଖ ବୋଲି କିଛି ଅଛି ନା ନାହିଁ ? ନା–ତା’ ମନଟାକୁ ତୁ ବଟୁଆ ଭିତରେ ଭରି ନେଇ ଚାଲିଯିବୁ କଲିକତା ?’’

 

‘‘ହଁ ସତ ବୋଇଲ ଗୋସେଇଁ, ମୁଁ ବୁଝିଲି ଯେ–ହେଲେ–’’

 

‘‘ନିଆଁଟା ବୁଝିଲୁ, ଚୁଲିଟା ବୁଝିଲୁ–ଆବେ ବୁଝିଲୁ ଗୋଟାଏ କ’ଣ ? ଏଥିରେ ବୁଝିବାର କ’ଣ ଅଛି । ମୂର୍ଖଟା କିଛି ବୁଝିନାହୁଁ । ଯା–ଯା ସେଇ ଭାଗୁ ମହାନ୍ତି ତୋତେ ବୁଝେଇଦବ । ତା’ରି ଆଗରେ ଗେହ୍ଲେଇ ହେଇ କଥା କହିବୁ ।’’

 

ଶୁକୁରା ଆଉ ଉତ୍ତର ଦେଇ ପାରିଲା ନାହିଁ । ଦଇବଯୋଗକୁ ସେତିକିବେଳେ ଅଗଣିଦାସର ବାରମାସିଆଟା ଆସିଲା । ସେ ଏତେ ଡେରି କରି କାହିଁକି ଆସିଲା ବୋଲି ଅଗଣିଦାଶ ଚଉଦପୁରୁଷ ଉଘେଈ ବହେ ବାହାଣ ବାହି ଦେଇଗଲା ।

 

ଶୁକୁରା ତା’ରି ଭିତରେ ଆସୁଛି ବୋଲି ଖସି ପଳେଇ ଆସିଲା । ସିଧା ଘରେ ଆସି ପିଣ୍ଡାରେ ମସିଣା ପକେଇ ଦେଇ କରଞ୍ଜ ବାଡ଼େଇ ବସିଲା । ଘର ପଛରେ ସେ କରଞ୍ଜ ଗଛଟା । କେତେ ପୁରୁଷ ଗଲାଣି । ସେ ସେମିତି ଦାରୁଭୂତ ହେଇ ଠିଆ ହେଇଛି । ପ୍ରତିବର୍ଷ ଗଦା ଗଦା ହେଇ କରଞ୍ଜ ଝଡ଼େ । ତେଲୀ ଆସି ଗୋଟେଇ ନେଇଯାନ୍ତି । ଟଙ୍କେ ଦିଟଙ୍କା କ’ଣ ଦେଇଯାଆନ୍ତି ଶୁକୁରାକୁ । ଶୁକୁରା ସେତିକିରେ ମହା ସନ୍ତୁଷ୍ଟ । ବିନା ମେହେନତରେ ଦି’ ପଇସା ମିଳିଲା ତ ! ଯେମିତି ବାଟକୁ ସାଉଁଟି ଆଣିଲା ତାକୁ । ତା’ର ସେଥିରେ ହବ କିଛି ନାହିଁ–ସେ ଗୋଟାଏ ଫାଉ, ଲାଭ ।

 

ଘର ଭିତରେ ଛୁଆଟା ପୁଣି କାନ୍ଦିଲା । ଶୁକୁରାର କଷ୍ଟ ହେଲା । ଏଇ ଅଣ୍ଡିଖଣ୍ଡକୁ ଛାଡ଼ି ସେ କଲିକତା ଯିବ ?

 

ସେତିକିବେଳେ ଭାଗୁ ମହାନ୍ତି ଆସି ହାଜର । ଚଉଧୁରୀ ଘରକୁ ଯାଉଛନ୍ତି, ଚୌଧୁରୀ ଘରକୁ ବାଟ ସେଇ ବାଟେ । ଆର ବାଟଟା ଟିକିଏ ବୁଲାଣିଆ । ହେଲେ କ’ଣ ହେଲା ? ସେ ବାଟଟା ସଫା, ବାଲିରାସ୍ତା–ଏ ବାଟଟାରେ ଠାଏ ଠାଏ ପାଣି । କିନ୍ତୁ ଭାଗୁ ମହାନ୍ତି ଏଇ ବାଟ ହେଇ ସବୁଦିନେ ଯାଆନ୍ତି । ଭାଗୁ ମହାନ୍ତିଙ୍କି ଦେଖିଲାକ୍ଷଣି ଶୁକୁରାର ଛାତି ଭିତରେ କ’ଣ ହେଇଗଲା ।

 

ଏଇ ଭାଗୁ ମହାନ୍ତି । ୟା ଭିତରେ ଏତେ କପଟ । ମୁହଁରେ ଅମୃତ, ପେଟରେ ବିଷ । ତାକୁ କଲିକତା ପଠେଇ ଦେଇ–

 

‘‘କିରେ–କ’ଣ ହେଲା ?’’ ଭାଗୁ ମହାନ୍ତି ପଚାରିଲେ ।

 

‘‘ନାଇଁ ମୁଁ ଯିବି ନାହିଁ ସାଆନ୍ତେ ।’’ ଶୁକୁରା ଉତ୍ତର ଦେଲା ।

 

‘‘କାହିଁକିରେ ?’’

 

‘‘ଆଜ୍ଞା ସମସ୍ତେ ନାହିଁ କରୁଚନ୍ତି ।’’

 

‘‘ଆରେ, ସମସ୍ତେ କିମିତି ତୋ ପିଠିରେ ପଡ଼ିବେ ଦେଖିବା–’’

 

ଶୁକୁରା ଗୁମ୍‌ ମାରି ଠିଆ ହୋଇଗଲା । ଭାଗୁ ପଟ୍ଟନାହାକେ କହୁଥାନ୍ତି–‘‘ହଉ ନ ଯା, ମୋର ଟଙ୍କା ଦଶଟା ବଞ୍ଚିଗଲା ।’’ ଟଙ୍କା ଦଶଟା ହାତରେ ଝମଝମ୍‌ କରି କହିଲେ–‘‘ଆଣିଥିଲି ତୋତେ ଦେବାପାଇଁ । ଠାକୁରେ ଯାହା କରନ୍ତି ସେଇ ଭଲ । ମୋ ଟଙ୍କା ତୁ ଦେଇଥାଆନ୍ତୁ ନ ଦେଇଥାନ୍ତୁ–କେଉଁ ବିଶ୍ୱାସ । ଏମତେ ମୋ ଧନ ମୋ ଘରେ ରହିଲା । ତୋ ଘରେ ତୁ ବି ରହିଲୁ ।’’

 

ଟଙ୍କା ଦେଖି ଶୁକୁରାର କେମିତି ଗୋଟାଏ ଲୋଭ ବସିଲା । ଟଙ୍କା ନେବାର ଲୋଭ ନୁହେଁ, କଲିକତା ଯିବାର ଲୋଭ–ଟଙ୍କା ଆଣିବାର ଲୋଭ ।

 

ସେ କଲିକତା ଯିବ । କଲିକତା ଯାଇ ସାରିଲାଣି ବୋଲ । ଟଙ୍କା ଯେତେବେଳେ ଆସି ହାତରେ ସେତେବେଳେ ନ ଯାଇବି ଗଲା ସମାନେ, ଦିନକର ରାସ୍ତା ତ । ଦିନୁଟାଏବି ଲାଗିବ ନାହିଁ ରେଳରେ ।

 

କଲିକତା ଗଲେ–କଲିକତା ସେ ଗଲେ, ବାୟାମାଟା କ’ଣ କରିବ ? ତା’ପାଇଁ ସେ କଲିକତାରୁ କସ୍ତା ଶାଢ଼ି ଖଣ୍ଡେ, ଲୁଣ ତେଲ ଗୁଆ ହଳଦି ନୂଆ ବାଲିତି ଭିତରେ ଭରି ଯେ ଘିତି ଆସିବ । ସେଇଥିରେ ବାଇୟା ମା କ’ଣ ସୁଖୀ ହେବ ନାହିଁ ? ମାଇପଙ୍କର ଆଉ କ’ଣ ଲୋଡ଼ା ? ପଇସା ହେଲେ ରୁପାଖଡ଼ୁ ହଳେ କି ଚମ୍ପାସରି କେରେ କରିଦେବ । ବାସ୍‌ !

 

‘‘ବୁଝିଲ ଯେ ସାଆନ୍ତେ–ତମେ ଆପଣ ଯାହା କହୁଚ କ’ଣ ମୋ ମନ୍ଦକୁ କହୁଚ କି ? ମୋ ଭଲକୁ କହୁଚ । ଏଇ ଟଙ୍କାଟା ପାଇ ଟିକିଏ ଦବକି ଯାଉଥିଲି । କାଳେ ଶୁଝି ପାରିବି ନ ପାରିବି ।’’

 

‘‘ହଁ ବେ ହଁ–ଶୁଝି ପାରିବୁ ନାହିଁ ଗୋଟେ କି କଥାରେ–ମରଦପୁଅ–ହକ୍ ଖଟିବୁ–ଅର୍ଜକ କରିବୁ–ଟଙ୍କା ଦଶଟା ଶୁଝିପାରିବୁ ନାହିଁ ?’’

 

‘‘ହଉ ସାଆନ୍ତେ, ଠାକୁରଙ୍କ ଇଚ୍ଛା । ତମକଥା ମୁଁ ଆଉ କାଟି ପାରିବିନା ? ମା ବାପ ତମେ ।’’

 

‘‘ହଉ, ହଉ, ନେ, ନେ–ଭଗତି କରିବୁ ପରେ । ବେଗି ବେଗି କଲିକତା ଯିବାକୁ ତିଆରି ହ । ସିଧା ଇଷ୍ଟେସନକୁ ଚାଲିଯିବୁ । ଟିକଟବାବୁକୁ ଖାଲି କହିବୁ–‘ହାବୁଡ଼ା, ହେଲା ?’’

 

‘‘ହଉ ସାଆନ୍ତେ ।’’

 

ଭାଗୁ ମହାନ୍ତି ଟଙ୍କା ଦଶଟା ଦେଇ ସାଦା କାଗଜ ଉପରେ ଟିପ ସଇ କରି ନେଇ ପଳେଇଲା । ଶୁକୁରା କୃତକୃତ୍ୟ ହେଇ ଲଅମ୍ୱକି ଦଣ୍ଡବତଟାଏ କଲା । ସେ ନ ଉଠୁଣୁ ଭାଗୁ ମହାନ୍ତି ଚାଲିଗଲେଣି, ଯେମିତି ଭାରି କାମ !

 

ଶୁକୁରା ମନ ଖୁସିରେ ଯାଇ ବାଇୟା ମାକୁ ଡାକି କହିଲା–‘‘ହଇଲୋ, ମୁଁ କଲିକତା ଚାଲିଲି । ତୁ ଥା, ବାଇୟା ତୋତେ ଲାଗିଲା ।’’

 

କାବା ହେଇ ଚାହିଁଲା ବାଇୟାମା ! ତା’ ଛାତିଟା ଦାଉଁ କିନା ଉଠି ପଡ଼ିଲା ।

 

କଲିକତା ?’’

 

‘‘ହଁ, କଲିକତା; କଲିକତା ନ ଗଲେ ଆଉ ସଂସାର ଚଳିବ ନାହିଁ । ବଡ଼ ହୀନସ୍ତା ହେଲେ-। ଦେଖୁନୁ, ଯିଏ ସବୁ କଲିକତା ଯାଉଚନ୍ତି, ତାଙ୍କ ଦଶା କିମିତି ଫେରି ଯାଉଚି ।’’

 

ବାଇୟା ମା କିଛି କହିଲା ନାହିଁ ।

 

ଶୁକୁରା କହିଲା–‘‘ତୋପାଇଁ କ’ଣ ଆଣିବି କହ ?’’

 

ରତନୀ ଆଖିରେ ଲୁହ ଘୋଟି ଆସିଲା । କାଖରୁ ପାଣି କଳସୀଟା ଲଥ୍‌କିନା ରଖିଦେଇ କହିଲା–‘‘ନିଆଁ, ଚୁଲି ।’’

 

‘‘ସବୁବେଳେ ତୋ ମୁହଁରେ ଅଶୁଭ କଥା । ଇମିତି ଫଟାକପାଳ ଯେ ମୋର ଦିନେ ହେଲେ ମାଇପ ‘ଭୁଞ୍ଜ୍‌’ ବୋଲି ପଦେ କହିଲା ନାହିଁ ।’’

 

‘‘ଭୁଞ୍ଜ ବୋଲି କେମିତି କହନ୍ତି ? ତମେ ଭୁଞ୍ଜେଇବାକୁ କ’ଣ ସଜକରି ଆଣି ଦେଇଚ କି ଘରକୁ ?’’

 

‘‘ଇଲୋ, ସେଇତି ପେଇଁତ କଲିକତା ଯିବା କଥା । କହ ନାହିଁ–କହ ନାହିଁ–ଆଉ କେତେଦିନ ଏମିତି ହୀନସ୍ତା ହେଉଥିବା ? ଜମିଦାର ଖଜଣା ବାକି ପଡ଼ିଲା । ସାଉକାର ପାଉଣା ଅଦିଆ ରହିଲା । ପ୍ରେସିଡ଼େଣ୍ଟ ଟିକସପାଇଁ ଦି’ଦି ଥର ଘର କୋରକୀ କାଢ଼ିଲା । ଆଉ ମଣିଷ କେତେ ସହିବ ?’’

 

ବାୟାମା କିଛି ଜବାବ ଦେଲାନାହିଁ । ଛୁଆଟା ଶୋଇଥିଲା । ତା’ର ମନହେଲା, ତାକୁ ଯାଇ ହଲେଇ ଦେବ, ଠାଏଦମ୍‌ ଚାପୁଡ଼ାଏ ଲଗେଇ ଦେବ–ସେ କାହିଁକି ଶୋଇଛି ।

 

‘‘ଜଗୁଆ କଲିକତାରୁ ଫେରିଛୁ–ମାସେ ହେଲା ଫେରିଲାଣି । କାଲି ପଅରି ପୁଣି ଯିବ । ତା’ରି ସାଙ୍ଗରେ ଗଲେ ସୁବିଧା–ନା କ’ଣ ବାୟା ବୋଉ ।’’

 

ବାୟା ବୋଉ ତଥାପି କିଛି କହିଲାନାହିଁ । ଶୁକୁରା ହୁଦଟା କୁହୁଳି ଉଠିଲା । ରତନୀକୁ ଯେଉଁଦିନଠୁ ବାଇୟା ବୋଉ ବୋଲି ଡାକିଲାଣି, ସେଦିନ ସେ ଖାଲି ତା’ର ସ୍ତ୍ରୀ ହେଇ ନାହିଁ–ସେ ତା’ ଛୁଆର ମାବି । ସେଦିନରୁ ବନ୍ଧା ଦଉଡ଼ିଟା ଆହୁରି ଜୋର୍‍ରେ ଭିଡ଼ି ହୋଇ ଶକତ ଗଣ୍ଠିଟାଏ ପଡ଼ିଯାଇଚି । ସେ ଯେତେବେଳେ ‘ବାଇୟା ବୋଉ’ ବୋଲି ଡାକେ, ସେତେବେଳେ ଖାଲି ତାକୁ ଡାକେନାହିଁ, ତା’ ସାଙ୍ଗରେ ଯେମିତି ଅବୋଧ ବାଳୁତ ଶିଶୁ ବାଇୟାକୁବି ସେ ଡାକେ ।

 

ଶୁକୁରା ଆଖିରେବି ଲୁହ । ମରଦପୁଅ, ତାକୁ ଲାଜମାଡ଼ିଲା । ମୁହଁଟାକୁ ତେଣିକି ବୁଲେଇ ଦେଇ ଅଧାକାନ୍ଥି ଉପରୁ ଭଙ୍ଗା ଛୋଟିଆ ପେଡ଼ି ଖଣ୍ଡକ କାଢ଼ି ଦେଖିଲା–ଲୁଗା ନାହିଁ ।

 

‘‘ଲୁଗା କୁଆଡ଼େ ଗଲା ?’’ ଶୁକୁରା ଗର୍ଜି ଉଠିଲା ।

 

Unknown

‘‘ମୁଁ ଜାଣିଛି କି ଲୁଗା !’’ ବାଇୟା ବୋଉ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ।

 

‘‘ତୁ ଜାଣିନୁ ? ଗଲାବର୍ଷ ବାଉରି ବୋଉ ସାନ୍ତାଣୀ କାମକୁ ଯୋଉ ଲୁଗା ଖଣ୍ଡ ଆଣିଥିଲି, ଏଇଥିରେ ଥିଲାନା ସେ ।’’

 

‘‘କିଜାଣି, ମୋତେ କ’ଣ ଦେଇଥିଲ ରଖିବାକୁ ।’’

 

‘‘ଦେଇ ନଥିଲି ? କାହା ଜିମାରେ ଥିଲା ତେବେ ? ମୁଁ କ’ଣ ଜଗି ବସିଛି ହରଘଡ଼ି ଏ ଘରକୁ ?’’

 

‘‘ନାଁ, ମୁଇ ଜଗିବସିଥିଲି ତମ ପେଡ଼ିକି ।’’

 

‘‘ତୁ ଦେଖିନାହୁଁ ?’’

 

‘‘ନା ।’’

 

‘‘ତୋ ବାପଘରକୁ ପଠେଇ ନାହୁଁ ?’’

 

‘‘ବେଗ୍‌ କଲି, ଆଚ୍ଛାକଲି, ମୋ ଖୁସି, ମୁଁ ପଠେଇଛି ।’’

 

‘‘କ’ଣଲୋ ? ତୁ ମୁହଁରେ ଜବାବ ଦବୁ ?’’ ଶୁକୁରା ଉଠିଯାଇ ଠାଏ ଧସ ଚାପୁଡ଼ାଏ ପକାଇଲା । ବାୟା ମା ମୁଣ୍ଡଟାକୁ ଢୋ କିନା ତଳେବାଡ଼େଇ ଦେଇ ରଡ଼ି ଛାଡ଼ିଲା, ‘‘ମରିଗଲିଲୋ ! ମୋ–’’

 

ଗାଁରୁ ମାଇପେ ଦଶ ପାଞ୍ଚ ‘କ’ଣ ହେଲା’ ବୋଲି ଦଉଡ଼ି ଆସିଲେ । ଶୁକୁରା କତା ଖଣ୍ଡ ଧରି ବାଡ଼ କାଟିବାକୁ ବାହାରିଗଲା । ଛେକ ଛେକ କରି ଅଗିଲା ମଲାଙ୍ଗ ସେ ଭାଙ୍ଗିପକେଇଲା–କେତେ ଡାଳ ସେ କାଟି ପକେଇଲା–ଶୁଖିଲେ ଜାଳହବ । ଶୁଖିଲା ତକ ଆଜି ଜଳିଳେ ଯାଇ ଭାତ ଫୁଟିବ । ଏତିକିରେ ହବ ନାହିଁ ବୋଲି ବାହାରି ପଡ଼ିଲା ପଦାକୁ ଆଉକେଇ ଖଣ୍ଡ ସାଉଁଟି ଆଣିବ ।

 

‘‘ନାଁ ସେ ଯିବ ନାହିଁ କଲିକତା ।’’

 

ସୂର୍ଯ୍ୟ ଉଠି ଗଲେଣି କେତେ ଉଞ୍ଚକୁ । ପୋଲାଙ୍ଗ ଗଛର ଡାଳି ଉପରେ ଛନଛନ ହୋଇ ପଡ଼ିଛି ତା’ରି କିରଣ । ଶୁଖିଲା ଜାଳଖଣ୍ଡେ ନହକି ପଡ଼ିଛି ଯେ ନଗି ଖଣ୍ଡେ ବଢ଼େଇ ଝିଙ୍କି ଆଣୁଥିଲା ସେଇ ଡାଳଖଣ୍ଡିକୁ । ପଛ ଆଡ଼ୁ କିଏ ସେ ଡାକଛାଡ଼ିଲା–ଏ–ଏ–କିଏ ସେ !

 

ଅଗଣୀଦାଶର ବାରମାସିଆ–ମୂଲିଆ । ଗଛ ଅଗଣୀଦାଶର । ହେଲେବି ରାସ୍ତା କଡ଼ ଗଛ । କିଏ ଜଗିଛି ତାକୁ, ଶୁଖିଲା ଡାଳଖଣ୍ଡେ ଭାଙ୍ଗି ନେଲେ ତ କ’ଣ ଭାସିଗଲା ! ପୋଲାଙ୍ଗ ଅଗି ଖଣ୍ଡେତ ! ଶୁକୁରା ଶୁଣିଲା ନାହିଁ । ଡାଳ ଭାଙ୍ଗିଲା ।

 

‘‘ହଇରେ ଏ, ତୋର ବଡ଼ ସାହସ । ହାଁ–ହାଁ କରୁ କରୁ ତୁ ଡାଳ ଭାଙ୍ଗି ନେଇ ପଳଉଚୁ । ଡାକିବି ଅଇଚ୍ଛା ଦାଶ ବୁଢ଼ାକୁ ?’’

 

‘‘ଯାବେ–ଯା–କେତେ ଦାଶ ଦେଖିଛି ।’’ ଶୁକୁରା ଚିଡ଼ି ଉଠିଲା । ମଲିଆର କଥା ନ ଶୁଣି ସେ ରଡ଼୍‌ରଡ଼୍ କରି ଶୁଖିଲା ଡାଳଖଣ୍ଡକୁ ଭାଙ୍ଗି ଗଡ଼ ଗଡ଼ କରି ପକେଇଲା ସେଇ ରାଗରେ ଜୋର୍ ଦେଇ ।

 

ଏଇ ଜୀବନ ? ଏଇ ଜୀବନକୁ ଘେନି ସେ ଏ ଗାଁରେ ପଡ଼ି ରହିବ ? ଶୁଖିଲା ଡାଳଖଣ୍ଡିଏ ସାଉଁଟି ନେବାର ଅଧିକାର ତା’ର ନାହିଁ । ରାସ୍ତା ଘାଟରୁ ଗୋଟେଇ ନେବାର ଦାବି ସେ କରିପାରେନା । ତଥାପି ଏ ଗାଁ ତା’ର ?

 

ଟଂ ଟଂ ହେଇ ସାଇକଲ ଘଣ୍ଟି ସେ ଆଡ଼ୁ ବାଜି ଉଠିଲା । ଶୁକୁରା ଚମକି ପଡ଼ି ଚାହିଁଲା । ବାବୁ ଜଣେ କିଏ ଚାଲିଗଲେ ଜାମା ଜୋତା ହୋଇ ।

 

ବିଷ୍ଣୁପୁର ରାଉତଘର । ଏବେ ରାଉତରାୟ ବୋଲଉଚନ୍ତି । ତାଙ୍କ ପୁଅବି ସେଦିନ ଏମିତି ଟଂ ଟଂ କରି ଯାଉଥିଲା । ଆଜିକାଲି କେତେ ଲୋକଙ୍କର ସାଇକଲ । ରାଉତପୁଅଟା ସାଇକଲ ଚଢ଼େ ଯେ ଥାନଜ୍ଞାନ ନ ଥାଏ ତା’ର । ଛୁଆଟା ଦିହରେ ଧକା ନଗେଇ ଦେଲା ସେ ଦିନ-। ଛୁଆଟା କରାଡ଼ି ପଡ଼ିଲା । ସେ ଚାହିଁଲା ନାହିଁ–ଆଃ କି ଉଃ ପଦେ କହିଲାବି ନାହିଁ-। ସେମିତି ସାଇକଲରେ ଚଢ଼ିଛୁ । ନବାବ ।

 

ବାପ ଦାଦାଙ୍କ ଅମଳରେ ତ କେହି ନବାବ ନଥିଲେ । ଏବକୁ ନବାବ ହେଇ ଶିଖୁଛନ୍ତି । କଲିକତାରେ କେଉଁ ସାହେବ କୋଠିରୁ ଟଙ୍କା ମାରିନେଇ ଏବେ କାନତରାଟି କରି କ’ଣ ନା ଆମେ ବଡ଼ଲୋକ ! ଧିକ୍‌ ସେ ବଡ଼ଲୋକୀକୁ !

 

ହଁ, ବଡ଼ଲୋକ ନହେବେ କିଆଁ ? ପଇସା ଯା’ପାଖରେ ଅଛି, ସେଇ ବଡ଼ଲୋକ । ପଟ୍ଟନାହାକ ପଡ଼ାର କରଣ ଗୋଷ୍ଠୀ କାହିଁକି ଏକୁଟିଆ ବଡ଼ଲୋକ ହେବେ ?–ବିଷ୍ଣୁ ରାଉତରା ଘର ନହେବେ କିଆଁ ? ତାଙ୍କ ଭାଗରେ କ’ଣ ଏକୁଟିଆ ବଡ଼ଲୋକ ଶିକା ଛିଡ଼ିଛି କି ? ଯା’ର ପଇସା ହେଲା, ଘରପୁଅ ବାବୁହେଲେ, ପାଠ ପଢ଼ିଲେ, ଶୂନ୍ୟଗାଡ଼ି ମୋଟୁର ଗାଡ଼ି ଚଢ଼ିଲେ, ସେ ହେଲା ବଡ଼ଲୋକ–ବଡ଼ଲୋକ ନ ବୋଲିବେ କିଆଁ ? ପଟ୍ଟନାହାକପଡ଼ା ସାଆନ୍ତେ କହନ୍ତି–ବୁନିଆଦି ନାହିଁ-। କେଉଁ ବୁନିଆଦି କାହାର ଅଛି ହୋ । ଘର କାନ୍ଥଡ଼ା ହେଲାଣି, ବୁନିଆଦି ମାରୁଛି । ବୁନିଆଦିରେ ଉଇ ଧରିଲାଣି–ମାଲୁମ ପଡ଼ୁ ନାହିଁ ।

 

ନାଁ-ନାଁ-ସେ କଲିକତା ଯିବ । ବିଷ୍ଣୁପୁର ରାଉତ ଘର ତ ସେଇ କଲିକତା ଯାଇ ଟେକିଲେ । ସେବି ଯିବ । ନଯିବ କିଆଁ ?

 

‘ନିଅ ତମ ଜାଳ’ ବୋଲି ଶୁକୁରା ଦାଶ ଗଛରୁ କାଟିଥିବା କାଠ ଖଣ୍ଡକ ଫିଙ୍ଗି ଦେଇ ଚାଲିଲା ପଟ୍ଟନାୟକପଡ଼ା ମୁହଁରେ । ରାମବାବୁ ସହରରେ ପାଠ ପଢ଼ନ୍ତି–ଲଞ୍ଜିମିଞ୍ଜି । ଭେଟ ହେଲା ତାଙ୍କରି ସାଙ୍ଗରେ ।

 

‘‘କିରେ ଶୁକୁରା, କେମିତି ଅଛୁ ?’’ ସେ ପଚାରିଲେ ।

 

‘‘ବାବୁ, କେବେ ଅଇଲ କି ? ଭଲ ଅଛ ବାବୁ–ଓଳିଗି ଓଳିଗି ।’’

 

‘‘ହୁଁ–ମୁଁ କାଲି ଆସିଛି ।’’

 

କହି ସେ ବାଟେ ବାଟେ ଚାଲିଗଲେ । ଏଇ ଯେ ପଦେ କଥା ପଚାରିଲେ, ସେଇ ଢେର୍-। ସେଇ ପଡ଼ାରେ ତ କେତେ ଛୁଆ ପାଠ ପଢ଼ୁଛନ୍ତି, କିଏ କାହାକୁ ପଚାରୁଛି–କିଏ କାହା କଥା ବୁଝୁଛି କାହିଁ ? ଶୁକୁରାର ମନହେଲା ରାମବାବୁକୁ ଡାକି ପଦେ କହନ୍ତା ତ ସୁଖ ଦୁଃଖ । ନାଇଁ ଥାଉ-। ତାକୁ ଅପମାନ ବୋଧ ହେଲା । ଆପଣା ଦୁଃଖ ପରକୁ କହିବାରେ ଯେଉଁ ଅପମାନ-

 

ରାମବାବୁ ଚାଲିଗଲେଣି କେତେଦୂର । ଛି–ସେ ଆଉ ପଛରୁ ଡାକିବ ନାହିଁ । ଲାଜ କଥା । ଅପମାନିଆ ହୀନସ୍ତା କଥା ।

 

ଲାଜ ? ଅପମାନ ? ଶୁକୁରାର ଲାଜ ? ଗରିବର ଲାଜ ? ଗରିବର ପୁଣି ଲଜ୍ଜା ସରମ ଗୋଟାଏ କ’ଣ ? ଶୁକୁରା ମାଇପ ଦି’ବରଷର ଭୁଆସୁଣୀଟା–ବାଟ ଘାଟରୁ ଗୋବର ସାଉଁଟି ଆଣୁଛି–ଘର ବାହାର, ଘାଟ ତୁଠ ହେଉଛି–ସମସ୍ତେ ଦେଖୁଚନ୍ତି, ଚାହୁଁଚନ୍ତି–ଲାଜ କାହିଁ ? ଲାଜ କେଉଁଠି ?

 

ବାବୁଘର, କରଣ ସାଆନ୍ତଙ୍କ ଘର, ବ୍ରାହ୍ମଣ ଗୋସେଇଁଙ୍କ ଘର–ତାଙ୍କ ଘରେ କ’ଣ ବାୟାମା ବଅସର କୁଳଭୁଆସୁଣୀ, ଝିଅ ଝୁଆଣୀ କେହି ନାହାନ୍ତି ? କେତେଜଣଙ୍କ ଛାଇ ପଡ଼ୁଚି ଏ ଗାଁ ଗୋହରି ତଡ଼ରେ ? ବୁଢ଼ୀ ମାଇପେବି ଦିନେ ଅଧେ ଘରୁ ବାହାରକୁ ଗୋଡ଼ କାଢ଼ନ୍ତି ନାହିଁ–ଯାହା ସେଇ ଘର ଭିତରେ । ଦାଣ୍ଡକୁ ଗୋଡ଼ କାଢ଼ିଲେ ଗାଡ଼ି ସବାରୀ । ଲାଜ ତାଙ୍କର । ଶୁକୁରାର କି ଲାଜ ? ଲାଜଟା ବଡ଼ଲୋକୀ ଜିନିଷ । ଲାଜଟା ଟଙ୍କା ପଇସା । ମଣିଷର ଲାଜ ନୁହେଁ–ଟଙ୍କା ପଇସାର ଲାଜ । ଟଙ୍କା ପଇସାର ଇଜ୍ଜତ ରଖିବାକୁ ବଡ଼ଲୋକ ଘରେ ଲାଜର ପରଦା ପଡ଼ିଚି । ଆଉ ଏଇ ବଡ଼ଲୋକଙ୍କ ଇଜ୍ଜତକୁ ଘୋଡ଼େଇ ରଖିଚି ସେଇ ଟଙ୍କା ପଇସା ! ବଡ଼ଲୋକଙ୍କ ସେଇ ପରଦା ତଳେ ଯାହା ହୁଏ, ସେ ପଦାରେ ପଡ଼େ ନାହିଁ । ସେଥିପାଇଁ ଟଙ୍କା ତାକୁ ଚପେଇ ଦିଏ । ଟଙ୍କାର ଖାତିରି ସମସ୍ତଙ୍କ ମୁହଁ ବନ୍ଦ କରିଦିଏ ।

 

ଗରିବର ଟଙ୍କା କାହିଁ–ପଇସା କାହିଁ ଯେ ତାଙ୍କ ଇଜ୍ଜତ ଜଗିବ କିଏ । ତାଙ୍କ ଇଜ୍ଜତକୁ ଜଗିବାକୁ ପଡ଼େ ନାହିଁ । ତାଙ୍କ ଇଜ୍ଜତକୁ ଟଙ୍କା ପଇସା ରକ୍ଷା କରେ ନାହିଁ–ବରଂ ତାଙ୍କ ଇଜ୍ଜତକୁ ଏଇ ବଡ଼ଲୋକଙ୍କ ଟଙ୍କା ପଇସା ଓଲଟି ମାଡ଼ିବସେ–ବଳାତ୍କାର କରେ । ବଡ଼ଲୋକଙ୍କ ଇଜ୍ଜତକୁ ଅଧିକାର କରି, ଅମୁହାଁ ଘରେ ବନ୍ଦ କରି ସେ ଗରିବଙ୍କ ଇଜ୍ଜତ ଆଡ଼କୁ ହାତ ବଢ଼ାଏ–ଏଇ ଟଙ୍କା ।

 

ହଁ, ଏଇ ଟଙ୍କା ! ଶୁକୁରା ଚମକି ପଡ଼ିଲା । ଟଙ୍କା ପଇସାର ଯେମିତି ଜୀବନ ଅଛି । ଗୋଟାଏ ରାତି ଅଧିଆ ଜଖର ଜୀବନଭଳି ଏ ଟଙ୍କା ପଇସାର ଜୀବନ । ଚିର ରୁଗ୍‍ଣୀ ପାଣି ପାଣି ହେଇ ବୁଲିଲା ପରି ସେ ଖାଲି ‘ରକତ ରକତ’ ବୋଲି ବୁଲୁଛି । ଛେଳି କୁକୁଡ଼ା ରକତ ନୁହେଁ, ମେଣ୍ଢା ମଇଁଷି ରକତ ନୁହେଁ–ତାଜା ତଟକା ମଣିଷ-ରକତ–ମଣିଷ ରକତପାଇଁ ଗୋଡ଼େଇଚି ସେ । ବାଳୁତ ଯୁବା ବିଚାର ନାହିଁ ତା’ର–ସେ କଞ୍ଚା ଡାହାଣୀର ।

 

ଟଙ୍କା ପଇସା ! ଶୁକୁରାର ଆଖି ତରାଟି ହେଇଗଲା । ତା’ ଦେହକୁ ସେ ଚାହିଁ ଦେଖିଲା-। ସତେ ସତେ ସେ କେତେ ଶୁଖିଯାଇଚି । ଚିରା ମଳିଚିଆ ଲୁଗା ଖଣ୍ଡକ ସେ ଟେକିଦେଲା-। ତା’ ଦେହ ଥରି ଉଠିଲା ।

 

ବାୟା ଖାଇବ କ’ଣ !

 

ନା-ନା ସେ କଲିକତା ଯିବ । ନିଶ୍ଚେ ଯିବ । ଏଇମିତି ଲଙ୍ଗଳା ହେଇ ପଛେ ଯିବ । ସେ ଟଙ୍କା ଆଣିବ–ହଁ ଟଙ୍କା-ଟଙ୍କା-ଟଙ୍କା-ଟଙ୍କା !

 

ଜମିଦାର ଚାହୁଁଛି ଟଙ୍କା, ସାହୁକାର ଚାହୁଁଛି ଟଙ୍କା, ତେଲ ଲୁଣ ମାଗୁଛି ଟଙ୍କା, ଲୁଗା କରିଆ ଲୋଡ଼ୁଛି ଟଙ୍କା, ପୁଅ ମାଇପ ଅନେଇଛନ୍ତି ଟଙ୍କା–ଟଙ୍କା, ଟଙ୍କା–ଟଙ୍କା-ଖାଲି ସେଇ ଟଙ୍କା–ଟଙ୍କାର ଜୀବନ, ଟଙ୍କାର ମାନ-ଟଙ୍କାର ମହତ୍ ।

 

ଘରର ମୋହ ନାହିଁ–ମାଟିର ମୋହ ନାହିଁ–ଗାଁର ମୋହ ନାହିଁ–ଏ ପାଣି ପବନର ମୋହ ନାହିଁ–ସାହି ଗୋଷ୍ଠୀର ମୋହ ନାହିଁ–ଧର୍ମ ସମାଜର ମୋହ ନାହିଁ–ମଣିଷ ଜୀବନର ଏକମାତ୍ର ମୋହ–କେବଳ ଗୋଟିଏ ବୋଲି ମୋହ–ସେ ହଉଚି ‘ଟଙ୍କା’ ।

 

ଏଇଟଙ୍କା ମଣିଷକୁ ଜୀବନ ଦେଇପାରେ, ମଣିଷର ଜୀବନ ନେଇବି ପାରେ । ରଜା କରି ଘରେ ବସେଇ ପାରେ, ପୁଣି ଫକିର କରି ବାରଦ୍ୱାର ଶୁଣ୍ଡିପିଣ୍ଡା ହେବାପାଇଁ, ଘରୁ କାଢ଼ିଦେଇ ଦୂର ବିଦେଶରେ ପଚେଇ ଶଢ଼େଇବାର ହୀନସ୍ତା କରିବି ପାରେ । ଏଇ ଟଙ୍କା ରାମବାବୁକୁ ଶଢ଼େଇ ଶୁଖେଇ ବାବୁ କରିପାରେ । ଆଉ ଶୁକୁରାକୁ ମୂର୍ଖ ଭୂଷଣ କରି ଗାଁ ମଝି ଦାଣ୍ଡରେ ଆଣି ଠିଆ କରିଦେଇପାରେ ।

 

ଶୁକୁରା ବୁଝିପାରେ ନାହିଁ–ଏ ଟଙ୍କା କ’ଣ, ଏ ଟଙ୍କା କିଏ ? ମଣିଷ ଜନମ ଦେଇଥିଲା ଏ ଟଙ୍କାକୁ, ମଣିଷକୁ ପୋଷିବ ବୋଲି, ମଣିଷର ଖିଜମତ କରିବ ବୋଲି, ଆଜି ମଣିଷ ଟଙ୍କାର ଖିଜମତଗାରି କରି କରି ତା’ର ଦିନ ସରୁନାହିଁ । ଟଙ୍କା ମଣିଷର ମେହନତ୍ ପଛରେ ଗୋଡ଼େଇ ଯାଉ ନାହିଁ–ମଣିଷ ଯାଉଚି ଟଙ୍କା ପଛରେ ଗୋଡ଼େଇ–ଟଙ୍କାର ଗୋଲାମି କରି ଅଇଁଠା ଚାଟିବାକୁ । ଏ ଟଙ୍କାର ବେକ କେହି ମୋଡ଼ି ତାକୁ ମାରି ପକାନ୍ତା ନାହିଁ ।

 

ଶୁକୁରା ମନେ ମନେ ହସିଥିବ । ଟଙ୍କାକୁ ପୁଣି ମାରିବ କିଏ ।

 

ସେ ଘରକୁ ଫେରିଲା । ଗାମୁଛା ଖଣ୍ଡି ପାଲଟି ପକେଇ, ଚିରା ଲୁଗାପଟାକୁ ଗରମ ପାଣିରେ ଫୁଟେଇ ଚେମେଇ ନାହାକ ଦୋକାନକୁ ଅଧଲାକର ସୋଡ଼ା ଆଣି ସିଝେଇ କାଢ଼ି ଦେଲା-। ଲୁଗା ଶୁଖିଲାରୁ ଛୁଞ୍ଚି ସୂତା ଆଣି ରଫୁ କରି ବସିଲା ନିଜେ । ବାୟା ମା ଦେଖିଲା । କିଛି କହିଲା ନାହିଁ । ମନେ ହେଉଥିଲା ଛଡ଼େଇ ନେଇ ସେ ସିଲେଇ କରି ଦେବ । କିନ୍ତୁ ପାରିଲା ନାହିଁ । ଶୁକୁରା, ତାକୁ ଏକୁଟିଆ ଛାଡ଼ି କଲିକତା ଯିବ–ଦୁଃଖ ଅଭିମାନ ତାକୁ କାବୁ କରି ପକେଇଲା । ମନର ସେ ଫଟାକୁ ଯୋଡ଼ିବାପାଇଁ ଛୁଞ୍ଚି ସୂତା ନାହିଁ ।

 

ବାୟାମା ଆଖି ଆଗରେ ଶୁକୁରା କଲିକତାକୁ ବାହାରି ଚାଲିଗଲା । ତଥାପି ସେ କିଛି କହିନାହିଁ–କହି ପାରିଲା ନାହିଁ ।

 

ଶୁକୁରା ଚାଲିଗଲା । ତାକୁ କେହି ‘ଯାଆନା’ ବୋଲି ପଦେ କହିନାହିଁ । ବାୟାମାବି କହି ନାହିଁ । ବାୟାମାର ଲୁହ କହିଲେ ବା କହିଥିବ । ବାୟା ମା ଛାତି କହିଲେ ବା କହିଥିବ । ମାର କାନ୍ଦଣା ଦେଖି ବାୟାବି କାନ୍ଦି ଉଠିଲା । କିଜାଣି ଅବା ତା’ର କାନ୍ଦଣା ମନା କରିଥିଲେ କରିଥିବ । କିନ୍ତୁ ଶୁକୁରା, କାହାରି କଥା ଶୁଣି ନାହିଁ । ଘରୁ ବାହାରିଲାବେଳେ ମୁଣ୍ଡରେ ଚାଳଟାବି ବାଜିଲା ନାହିଁ ଟିକିଏ–ବାଜିଥିଲେ ଆଉ ଘଡ଼ିଏ ରହିଯାଇ ଥାନ୍ତା । ଦିନରେ ଶହେ ଥର ଶୁକୁରାର ଡେଙ୍ଗା ମୁଣ୍ଡରେ ସେ ବାଜେ । ଆଜି ଟିକିଏ ଛୁଇଁଲାବି ନାହିଁ ତା’ ବାଳର ଅଗକୁ । ଶୁକୁରା, ଆଜି ଭାରି ସାବଧାନ । ଆଜି ଆଉ ଆଗ ଶୁକୁରା, ସେ ନାହିଁ । ସେ ଆଜି ଗମ୍ଭୀର । ବାୟାମାକୁ ଚାହିଁ ସେ ଟିକିଏ ହସିବି ନାହିଁ । ଦୁଇ ଦିନ ହେବ ହସି ନାହିଁ । ଯିବା ଆଗରୁ ବାୟା ମା ସେ ନୂଆ ଲୁଗାଟା କେଉଁଠି ଲୁଚେଇଥିଲା, କାଢ଼ି ଆଣିଦେଲା । ଭାବିଥିଲା ଶୁକୁରା ଆଶ୍ଚର୍ଯ୍ୟ ହେବ । ଖୁସି ହେଇ ବାୟାମାକୁ ଚାହିଁ ଟିକିଏ ହସିବ । କିନ୍ତୁ କାହିଁ ! ତା’ ମୁହଁ ଆହୁରି ଭାରୀ ହୋଇଗଲା । ଆକାଶରେ କଳା କଳା ବଉଦ ଦିଗବୁଡ଼ା ଦୂର ଗଛ ମଥାନରୁ ଉଠି ଆସିଲା ପରି ।

 

ଶୁକୁରା ଚାଲି ଗଲା । ବାୟାମାକୁ ଚାହିଁ ସେ ପଦେ କଥାବି କହି ନାହିଁ । କହି ପାରିନାହିଁ-। ଛାତି ଭିତରେ କ’ଣ ଯେମିତି ଚାପି ରଖି ସେ ଅଣନିଃଶ୍ୱାସୀ ହେଇ ପଡ଼ୁଛି । ଆଉ ଲୋକେ କାଳେ ଜାଣିବେ, ସେଇ ଲାଜରେ ସେ ନିଃଶ୍ୱାସକୁ ଚାପି ଧରୁଛି । ମୁହଁଟା ଫୁଲି ଉଠୁଛି–ଫେଣେଇ ଉଠୁଛି । ସେ ରାଗି ନାହିଁ । ରତନୀ ଉପରେ ସେ ରାଗି ପାରେନା । ରତନୀ କି ସେ ମାରେ-। ମାରୁ ପଛେ, ସେ ତାକୁ ଭଲ ପାଏ । ସେ ଆହୁରି କାହିଁକି ନ ମାରିଲା । ସେ ନିତି ଯାଉଣୁ ଆସୁଣୁ ଦଶଥର ମାଡ଼ ଖାଇଥାନ୍ତା ପଛେ, ଶୁକୁରା ତାକୁ ଛାଡ଼ି କଲିକତା ଗଲା କାହିଁକି ? ରତନୀକି କିଏ ବାଡ଼େଇଲା ପିଟିଲା ପରି ସେ ଭୋ ଭୋ କରି ରଡ଼ି ଛାଡ଼ିଲା । ଛୁଆଟା ମୁହଁକୁ ଚାହିଁ ଦେଲାବେଳକୁ ସେ ଆଉ ସମ୍ଭାଳି ପାରୁ ନଥାଏ ।

 

ନିଧିଆ ବୋଉ ଆସି ଯେତେ ସାକୁଲାଇଲା, ବୁଝେଇଲା, ସେ ଆଉ ବୋଧ ହେଲା ନାହିଁ । କାନ୍ଦି କାନ୍ଦି ହାଲିଆ ହେଇ ସେ ପଡ଼ିଗଲା–ପ୍ରାଣ ଛାଡ଼ି ଯିବ କି ସତେ ! କିନ୍ତୁ ପ୍ରାଣ ଛାଡ଼ିଲା ନାହିଁ । ସେ ସହଜେ ଯିବାର ନୁହେ, ବଡ଼ ଝଅଟ ।

 

ତହିଁ ଆରଦିନ ସକାଳୁ ଉଠିଲା ବେଳକୁ ଅନେକଟା ଥଣ୍ଡା ପଡ଼ି ଆସିଲାଣି ଧରତୀ । ଫରଚା ଫାଟି ପଡ଼ୁଛି । ଗୋବର ପାଣି ଦାଣ୍ଡରେ ପକେଇ ଦେଇ ଅଗଣା ଝାଡ଼ି ବସିଲା ରତନୀ । ଛୁଆଟା ଶୋଇଥାଏ–ରାତି ଘଡ଼ିଏ ଥାଉ ଉଠି କାଁ କାଁ ହେବ ପୁଣି ଶୋଇ ପଡ଼ିଚି । ସେ ବାଟରେ ମଣିଷର ଛାଇବି ପଡ଼ି ନାହିଁ । କାଉ କାଆ କରିଥିବ ଆଉ କାହା ପିଢ଼ା ଉପରେ । ସେ ସେ ଶବଦ ଏତେ ଦୂରକୁ ଆସନ୍ତା କେମିତି–ଏ ପଟରେ କୁଆବି ଉଡ଼ିନାହିଁ ।

 

ପିଣ୍ଡା ଲିପିବସି ରତନୀ ଭାବିଲା–ଦିନ କ’ଣ ଏମିତି ଯିବ ?

 

ଦିନଯାଏ । ଦିନ ସମସ୍ତଙ୍କ ଯାଏଁ । ରତନୀ ଘର ସାମନାକୁ ସେଠି ଜଗେଇ ମହାନ୍ତି ଘର । ଜାତିରେ ଗୋଲାମ । ତା’ରବି ଦିନ ଯାଉଛି । ଗାଁସାରା ସମସ୍ତଙ୍କର ଦିନ ଯାଉଚି । ରତନୀରବି ଦିନ ଯିବ । ନଯିବ କାହିଁକି ?

 

ତେଣୁ ଭାଗୁ ମହାନ୍ତି ଆସି ପଛଆଡ଼ୁ ପଚାରିଲେ–‘‘ଶୁକ ଚାଲିଗଲା, କଲିକତା, କୋଉଦିନ–କାହିଁକି ?’’

 

ବାୟା ମା ଓଢ଼ଣା ଟାଣି ଆଣି, କଂସା ଖଡ଼ୁ ଉପରେ ଶଙ୍ଖା ମୁଠାକ ଝଣ କିନା କରି ସେ ‘ହଁ’ ଜଣାଇଲା ।

 

‘‘ପଇସା କଉଡ଼ି କିଛି ଦେଇ ଯାଇଚିନା ? ଚଳିବୁ କେମିତି ?’’

 

ବାୟା ମା କିଛି ଜବାବ ଦେଲା ନାହିଁ । ଭାଗୁ ମହାନ୍ତି ପୁଣି କହିଲେ–‘‘ହଉ ହଉ ଥାଉ–ଦରକାର ପଡ଼ିଲେ ମୋତେ କହିବୁ’’ କହି ଚାଲିଗଲେ ବାଟେ ବାଟେ ।

 

ବାଇୟା ମା ଲିପି ବସିଲା । ଗୋବର ପାଣି ଦେହରେ ନରମା ସୂର୍ଯ୍ୟ କିରଣ ଗୋଳେଇ ହେଇ ଛୁଞ୍ଚ କନାରେ ପରସ୍ତେ ପରସ୍ତେ ଭାଙ୍ଗ ଖାଇ, ଛୁଞ୍ଚ ହାଣ୍ଡିର ଛାଇ ଭିତରେ ଅଳସ ଭାଙ୍ଗି ମୁଣ୍ଡୁଳା କାଟି ଯାଉଥିଲା ପିଣ୍ଡା ଉପରେ ।

 

ନିଧିଆ ବୋଉ ଆସି ପଚାରିଲା–‘‘କିଲୋ ? ଲିପା ପୋଛା ସଇଲା ?’’

 

‘‘କିଏ, ନିଧିଆ ବୋଉକି ? ଆସ, ଆସ, ହଁ ଏଇ ସଇଲାପରି !’’

 

‘‘ମୁଁ ଯାଉଚି, କେତେ କାମ–ଶୁକୁରା କହିଗଲା କେବେ ଆସିବ ?’’

 

‘‘କିଜାଣି–ବର୍ଷେ କି ଛ’ମାସ କେତେ ଦିନ ଲାଗିବ–କିଛି ତ କହିଯାଇ ନାହାନ୍ତି ।’’

 

‘‘ମାସକୁ ମାସ ଟଙ୍କା ପଠାଇବ ତ ?’’

 

‘‘କିଜାଣି !’’

 

‘‘ମଲାଲୋ ଛଟକ ! ଘଇତା କଲିକତା ଗଲା ବୋଲି ମାଇପ ଆଉ ଦୁଆରେ ଗଳୁନି ?’’

 

‘‘ରାଗୁଚ ନିଧିଆ ବୋଉ ? ଆଖି ଛୁଚି–ସେ ମୋତେ ପଦେକଥାବି କହି ଯାଇନାହିଁ ?’’

 

‘‘ଏ କି ଅଲାଗିଲା କଥା ! କିଜାତିଆ ମିଣିପଟା କି ସେ ! କ’ଣ କହିବି ତତେ–ନିଧିଆ ବାପ ଯେତେବେଳେ ବଞ୍ଚିଥିଲା–ଗୋଟାଏ ଦିନ ପେଇଁ କୋଉଠିକି ଯିବ ତ କଣ୍ଟ ଦେଇଯିବ–ସେକାଳ ସେ କଥା ଆଉ କାହିଁ । ଏଣିକି ଏଣିକି ସ୍ତିରୀ ଗିରସ୍ତ ସବୁ କିମିତିକା ଛଡ଼ା ଛଡ଼ା ହେଇ ଯାଉଚନ୍ତି ଲୋ । ହଉ ଥା, ମୁଁ ଆସେ–କେତେ କାମ ପଡ଼ିଚି ତେଣେ । ରେ ନିଧିଆ, ନିଧିଆରେ–ଟୋକାଟାକୁ ମୁଁ ଆଉ ପାରିବିନି ।’’

 

ନିଧିଆ ବୋଉ ଚାଲିଗଲା । ରତନୀ ଲିପାପୋଛା ସାରି ବେଲା ଖଣ୍ଡକ ମାଜି ପାଣି କଳସୀଟି ଧରି ପାଣିଆଣି ବାହାରିଲା । ମନରେ ଖାଲି ସେଇ କଥାଟା ଥରକୁଥର ଉଠୁଛି । ତାକୁ ସେ ଯେତେ ଲିପୁଛି ସେ ଆଉ ପୋଛି ହେଉନାହିଁ–‘ସ୍ତିରୀ ଗିରସ୍ତ କିମିତିକା ଛଡ଼ା ଛଡ଼ା ହେଇ ଯାଉଚନ୍ତି ଲୋ ମା !’

 

ସତେ କ’ଣ ଘଇତା ମାଇପେ ଛଡ଼ା ଛଡ଼ା ହେଇ ଯାଉଚନ୍ତି ? ହେଉ ଯାଆନ୍ତି ? ଶୁକୁରା କ’ଣ ତା’ ଠୁ ଛଡ଼ା ?

 

ଦିନେ ସେ ଛଡ଼ା ଛଡ଼ା ଥିଲେ । ସେ ଦିନ କେହି କାହାକୁ ଦେଖି ନଥିଲେ–ଜାଣି ନଥିଲେ–ଚିହ୍ନି ନଥିଲେ । କେତେ ବା ଛଡ଼ା ? ଏ ଗାଁ ଟପିଲେ ସେ ଗାଁ । ମଝିରେ ଏଇ ବିଲ କିଆରିକି ? ସରୁ ନାଳଖଣ୍ଡ ବାଙ୍କ ଗୋହରି ପରି । ଦିଗଡ଼ କରି ଦେଇଛି ସେ ଗାଁ ବିଲ ଏ ଗାଁ ବିଲକୁ । ଏଇତକ ଛଡ଼ା ତ ! ଏ ଛଡ଼ାଟା କେତେ ଦୂରରେ ରଖିଥିଲା ସତେ ସେ ଦିହିଁଙ୍କି ? କେହି କାହାକୁ ଚିହ୍ନନ୍ତି ନାହିଁ–କେହି କାହାକୁ ଦେଖନ୍ତି ନାହିଁ–ଦେଖି ନଥାନ୍ତି । ହୁଏତ ଦେଖିଥିଲେ, ଚିହ୍ନି ନଥିଲେ । ତା’ ନୋହିଥିଲେ ଯୋଉଦିନ ସେ ତାକୁ ପହିଲୁ ଦେଖିଲା, ଏମିତି ଦେଖିଲା ଦେଖିଲା ପରି ଲାଗିଲା କେମିତି ତାକୁ । ଯେମିତି କେତେ ଦିନର ଚିହ୍ନା !

 

ସେଇ ଜାଗର ଦିନ ତ ସେ ତାକୁ ପହିଲୁ ଦେଖିଲା । ଶୁକୁରାକୁ ଦେଖି ସେ ବଲବଲ କରି ଅନେଇ ଥିଲା ସେ ଦିନ ! ଶୁକୁରାକୁ ନୁହେଁ–ତା’ ହାତର ମୁଆଁଟାକୁ । କେଡ଼େ ବଡ଼ ମୁଆଁ ସେ–ତା’ ମୁଆଁଠୁ ବଡ଼ ହବ । ଶୁକୁରା ବୋଉ ରତନୀକି କାଖେଇ–ଥାଏ । ତା’ ହାତରେ ମୁଆଁଟିଏ ଧରେଇ ଦେଇ ତାକୁ ଭୁଲେଇ ନେଇଥିଲା ସେ ଦିନ । ରତନୀ ମନେପକେଇ ହସିଲା । ସେଇ ଭୁଲ୍‍ରେ ସେ କ’ଣ ପଡ଼ିଗଲା ? ଶୁକୁରା ଭୁଲ୍‍ରେ ନୁହେଁ ? ଶୁକୁରା ଉପରେ ସେ ରାଗିଥିଲା ସେ ଦିନ । ସେଇ ରାଗକୁ କ’ଣ ଶୁକୁରା ଆଜି ଶୁଝ ନେଇଚି ?

 

ଜାଗର ଯାତରା ଗୋଳଭିତରେ–ଅମେଇସା ରାତିର ଅନ୍ଧାର ଦିହରେ ଶୁକୁରା ବୋଉ ରତନୀ ବୋଉ କ’ଣ କଥାଭାଷା ହେଇଗଲେ । ଦୁହେଁ ଦିହିଁଙ୍କ ମୁହଁରେ ଚଣା ଉଖୁଡ଼ା ଦେଇ କେତେ ହସିଲେ । ସଙ୍ଗାତ ବସିଲେ–ସଙ୍ଗାତ ନୁହେଁ–ସମୁଦୁଣୀ । ମନେପକାଇ ରତନୀ ପୁଣି ହସିଲା । ତା’ର ସଫା ସଫା ମନେ ନାହିଁ ସେ ଦିନ କଥା । ଏଗୁଡ଼ା ଖାଲି ତା’ ମନରେ କଳ୍ପନା ପରି । ସପନ ଦେଖିଲା ପରି ଲାଗୁଚି । ସେ ସପନ ହଜି ଗଲାଣି । କେତେ ଜାଗର ଉଜାଗର ରାତିରେ ମହାଦୀପ ଉଠି ଲିଭିଗଲାଣି ।

 

ସେ ଦିନ ସେ ଶୁକୁରାକୁ ଦେଖିଚି ବୋଲି ସିନା କହୁଚି, କିନ୍ତୁ ସତ ସତ ସେ ତାକୁ ଦେଖି ନଥିଲା । ଆଉ କାହାକୁ ବା ଦେଖିଥିବ । କାହା କଥା ନେଇ ସେ କେଉଁଠି ଥୋଉଚି । ହୁଏତ କାହାରିକି ସେ ଦେଖିନାହିଁ ।

 

କିଜାଣି ! ହେଇଥିଲେ ବା ହେଇଥିବ–ସେଦିନ ସେଇ ମହାଦେବ ମନ୍ଦିର ତଳେ ଶୁକୁରା ରତନୀଙ୍କର ପହିଲୁ ଦେଖା । ସେକଥା କହିଲେ କହିବ ମନ୍ଦିର ଆଗ ବୃଷଭଟା । ରତନୀର କିନ୍ତୁ ମନେ ନାହିଁ । ସେ ବୃଷଭଟା ସେମିତି ଠିଆ ହୋଇଚି–ଟିକିଏ ବୋଲି ବଢ଼ି ନାହିଁ କି ଛାଡ଼ି ନାହିଁ । ରତନୀ କେଡ଼ୁଟେ ହୋଇଗଲାଣି ।

 

ନା–ନା–ଏକଥା ଖାଲି ସପନ । କେଉଁଦିନ ସେ ସପନ ଦେଖିଥିଲା କିଜାଣି ।

 

ଆଉ ଦିନେ ସେ ସେମିତି ସପନ ଦେଖିଲା–ଆଗ ଜନମରେ ସେ ହେଇଚି ରାଣୀ, ଆଉ ଶୁକୁରା, ରଜା । ନା–ନା–ରାଜକୁମାର, ଜେମାଦେଈ ! ଏ ରାଇଜର ରାଜକୁମାର, ସେ ରାଇଜର ଜେମାଦେଈ ! ଦିହେଁଯାକ ବସି କଥାଭାଷା ହେଉଥିଲେ ହଂସପୁରେ । ରାଜକୁମାର ଆସିଥାନ୍ତା ମାଲୁଣୀ ବେଶରେ । କେତେ ହସ, କେତେ ରହସ୍ୟ !

 

ଦୁଆରେ ଆସି ବାହ୍ମୁଣ ଭିକାରି ଡାକଦେଲା । ଶୁଣିଲେ ନାହିଁ କେହି । ଆଉ କିଛି କାନରେ ବାଜୁ ନଥିଲା । ବାହ୍ମୁଣଟା ଚିତ୍କାର କରି କହି ଉଠିଲା । ଚିହିଁକି ପଡ଼ି ଚାହିଁଲା ବେଳକୁ ସେ ଶାଇପ୍ୟ ଦେଉଚି–ତମକୁ ଆଗ ଜନମରେ ପ୍ରେମ ମିଳୁ–କିନ୍ତୁ ଦାନାକନା ନମିଳୁ !

 

ନିଦ ଭାଙ୍ଗିଗଲା । ଡରରେ ଛାତି ଉଠୁଥାଏ ପଡ଼ୁଥାଏ । କେତେବେଳେକେ ସେଥିର ହେଲା । ଶୁକୁରା ବୋଧ ଦେଲା ମନକୁ ଦାନାକନା ନ ମିଳୁ, ଯେଝା ଯେଝାକୁ ସୁଖ ପାଇ ରହିବେ ତ ? କିନ୍ତୁ ଦାନାକନା ନ ମିଳିଲେ କ’ଣ ସୁଖ ପାଇବାବି ଏମିତି ଚାଲିଯାଏ କି ସପନ ଫଳି । ଶୁକୁରା ସବୁ କଲିକତା ଚାଲିଯାନ୍ତି ଆଉ ରଜନୀ–ରଜନୀ–

 

ନା-ନା-ସେ କାହିଁକି ରାଜକୁମାର ରାଜକୁମାର ହେବାକୁ ଯିବେ । ରାଜାରାଣୀ ସେ କେବେ ନଥିଲେ । ରାଜାରାଣୀ ହେଇ ପୁଣି ଭିକାରି ଭିକାରୁଣୀ ହେବାରେ ଯେଉଁ ଦୁଃଖ, ସେ ଦୁଃଖ ତାଙ୍କର ନାହିଁ । ସେ ସେଇ ଭିକାରି ଭିକାରୁଣୀ ଅଇଲୁରୁ । ହୁଏତ କେବେ ଦିନେ ରାଜାରାଣୀ ହେବେ । ଶୁକୁରା କଲିକତାରୁ ଫେରିଲେ–

 

ନା-ନା-ଶୁକୁରା ସେ କି ଛଡ଼ା ଛଡ଼ା ହୁଅନ୍ତି । ସ୍ତ୍ରିରୀ ଗିରସ୍ତ ସବୁ ଆଜିକାଲି ଛଡ଼ା ଛଡ଼ା ବୋଲି କିଏ କହିଲା ? ଆଜି ଦୂର ହେଲେବି ସେ ଦୁହେଁ କେତେ ପାଖରେ ।

 

ଦିନ ଚାଲିଯାଇଥାଏ । ସମସ୍ତଙ୍କର ଦିନ ଯାଏଁ । ଶୁକୁରାରବି ଯାଉଥିବ–ଦୂର କଲିକତା ସହରରେ । ରତନୀରବି ଦିନ ଚାଲିଯାଉଛି ଏଠି–ସୁଖେ ଦୁଃଖେ । ଦିନ ଯାଉଛି–ଦିନପରେ ଦିନ ବିତି ଯାଉଚି–ଏକ ଦୁଇ ତିନି ହେଇ–ଆଉ ଗଣି ହେଉ ନାହିଁ । ଏବେ ସେ ମାସ ଗଣି ଆରମ୍ଭିଲାଣି-। କାହିଁ, ଶୁକୁରାର ଖବର କାହିଁ ?

 

ସତ ସତ କ’ଣ ଶୁକୁରା ତାକୁ ଛାଡ଼ି ଚାଲିଗଲା । ଏଇ ଘର ଦ୍ୱାର, ଏଇ ପିଣ୍ଡା ଅଗଣା, ସବୁଠି ଶୁକୁରାର ଛାଇ । ସବୁଠି ଶୁକୁରା ଉଠୁଛି–ବସୁଛି । ହେଇଟି–ସେଇଟି ସେ ବସି ହେଁସ ବୁଣେ-। ଓ–ସେଠି ସେ ବସି କରଞ୍ଜ ବାଡ଼ିଆଏ । ଏଇ ଚଉକାଠ କେତେ ଅହନ୍ତା ନ କରିଚି ତା’ ସଙ୍ଗରେ-। ସବୁଠି ଶୁକୁରା ଯେମିତି ଚିତା ଲେଖା ହେଲା ରୂପଧରି ବସିଚି । କାହିଁ ଶୁକୁରା ତାକୁ ଛାଡ଼ି ଯାଇନାହିଁ ତ !

 

ଘରେ ଖାଇବାକୁ ନାହିଁ । ଶୁକୁରା ଯାହା ଦେଇ ଯାଇଥିଲା କରଜକୁ, ସେ ସଇଲାଣି । ଭୁଆସୁଣୀଟା କରିବ କ’ଣ ? ଶୁକୁରା ତାକୁ ଛାଡ଼ି ଯାଇ ନଥିଲେ, ସେ ଆଜି ଏ ହୀନସ୍ତା ହେଉଥାନ୍ତା କାହିଁକି ? କାହାକୁ କହିବ ସେ ଏକଥା !

 

ମନେ ପଡ଼ିଲା–ଭାଗୁ ମହାନ୍ତି ! କାହିଁ ? ଭାଗୁ ମହାନ୍ତି ତ ସେଇପଟେ ଯାଉଚନ୍ତି ନିତି । ଆଉ ପଚାରୁ ନାହାନ୍ତି । ଖାଲି କଣେଇ କଣେଇ ଚାହୁଁଥିବେ । ସେ ଚାହାଣିକି ଡରମାଡ଼େ । ତଥାପି ତାଙ୍କୁ ନକହି ଚାରା ନାହିଁ । ପରପୁରୁଷଟା–କାଳେ କିଏ କ’ଣ କହିବ । ଛି–ବାପ ବୟସର ବୁଢ଼ାଟା, କିଏ କ’ଣ କହିବ ? କହିଲେ କହୁ । ସେ ଆଉ କ’ଣ ସମସ୍ତଙ୍କ ମୁହଁରେ ହାତ ଦବକି ? କହିବ ଯେ, କ’ଣ କରିବ ସେ–କିମିତି କହିବ ବା ! ରତନୀ ଭାବି ମଧ୍ୟ ଭାବିପାରୁ ନଥିଲା ।

 

ଛାଇ ଆସି ତଳିପାରେ ହେଲାଣି । ରତନୀ ବସି ଘଷି ତାରୁଛି । ସାତ ସକାଳୁ ମୁହଁ ଅନ୍ଧାରିଆ ଦାଣ୍ଡ ଗୋହରିରୁ ଅଧ ପାଚିଆଏ ଗୋବର ଆଣିଥିଲା । ଘଷିପାରି ହେଉନାହିଁ–ଗୁଣ୍ଡା କରୁଚି ସେ ବସି । ନିଧିଆ ବୋଉ ଠେଙ୍ଗାପରି ଦାନ୍ତ କାଠିଟାଏ ମୁହଁରେ ଭରି ମେଞ୍ଚା ମେଞ୍ଚା କି ଛେପମିଶା ଦାନ୍ତକାଠି ପାରୁ ଥୁ ଥୁ କରୁଛି, ଆସି ପହଞ୍ଚିଲା–‘‘କିଲୋ ବାଇଆ ମା, ଯିବୁନି କି ଗାଧୋଇ ?’’

 

ଏଇ ମାଇପଟି, ଦୁଃଖୀ ବୋଲି କି କ’ଣ, ବେଳେ ଅଧେ ଆସି ପଚାରେ । ଭଲମନ୍ଦ ପଦେ କଥା କହେ । କେତେ କଥା କେତେ ଲୋକେ କହନ୍ତି ତା’ ନାଆଁରେ–ନା-ନା-ଛି-ଛି-ଆଉ ତା’ର ବଳଅଛି ନା ବଅସ ଅଛି ।

 

ଯୁବା ବଅସରେ ଗିରସ୍ତକୁ ଖାଇଲା । ଏକୁଟିଆ ମାଇପି ଲୋକ–ଘରକୁ ଏକଲା ହେଲାକୁ, କରମ ପୋଡ଼ିଗଲାକୁ ସିନା ଯିଏ ଯାହାପାରେ ତା’ କହିଲା–କହିବାକୁ ବହପ ପାଇଲା । ମଣିଷ ଇମିତି । ନିପାରିଲା ଜୀବ ଉପରେ ସମସ୍ତିଙ୍କ ଅହନ୍ତା । ଗରିବ ମାଇପ ସମସ୍ତଙ୍କ ଟାପରା । ଯାହାର ଜୋର୍ ଅଛି, ଯେ ଜବରାଣ କରୁଛି, ସେ ଭଲ–ଲକ୍ଷେ ଅନିଷ୍ଟ କଲେବି ଭଲ । ଯେ ବିଚରା କାହାରି ଭଲମନ୍ଦରେ ନଥାଏ, ଯେତିକି ପାରେ ପରର ଖିଜମତ କରେ କି ଦୁଃଖ ବେଳରେ ଦରଜ କରି ପଦେ କଥା କହେ, ସେଇ ଯେ ଖରାପ ।

 

ଦିହେଁଯାକ ଗାଧୋଇ ଗଲେ । ଶୀତ ଛାଡ଼ିଥାଏ ଖରାମଡ଼ା ଭୂଇଁଉପରୁ, ଲୁଚିଥାଏ ଯାଇ ସାତ ତାଳ ପାଣିରେ ପୋଖରୀ ଭିତରେ । ଗୋଡ଼ ବୁଡ଼େଇଲେ ଦେହ ଶୀତେଇ ଉଠୁଚି । ଗାଧୋଇବାକୁ ଡରମାଡ଼ୁଚି, ତଥାପି ଗାଧୋଇବାକୁ ହବ ।

 

ନିଧିଆ ବୋଉ ଝାମା ଇଟାରେ ଫଟା ଗୋଡ଼ର ମଳି ରକଟାକୁ ଛଡ଼ଉ ଛଡ଼ଉ କହିଲା–‘‘କିଲୋ, କିଛି ଖବର ବାତିନି ଅଇଲା–ଟଙ୍କା କି ପଇସା ?’’

 

‘‘କାଇଁ ? କିଛି ନା ।’’ କଂସା ଖଡ଼ୁର ଜାବ ତଳେ ମଣିବନ୍ଧର କଳା ଦାଗକୁ ସଫା କରୁ କରୁ ବାଇୟା ମା ନାହିଁ କଲା ।

 

‘‘ତୁ ଚଳୁଚୁ କିମିତି ଲୋ ?’’

 

‘‘ଠାକୁରେ ଜାଣନ୍ତି ନାନୀ । ମୋତେ ତ କିଛି ବୁଦ୍ଧି ଦିଶୁନାହିଁ, କିମିତି ଚଳିବି । ସେଇଆ ପଚାରିବି ପଚାରିବି ବୋଲି ସକାଳ ପହରୁ ତୋତେ ମନେ ମନେ ଖୋଜି ହଉଚି । କୋଉଠିକି ହେଲେ ଧାନକୁଟେଇ ନେଇ ଚାଲ ସାଙ୍ଗରେ ।’’

 

ଧାନକୁଟା ? ହଁ, ଧାନକୁଟା । ଧାନ ସେ ନକୁଟିବ କାହିଁକି ? ଲୋକେ କହିବେ ଭୁଆସୁଣୀଟା, ଘଇତା ଥାଉ ଥାଉ, ଘଇତା କଲିକତା ଯାଇଚି ରୋଜଗାର କରିବାକୁ ମାଇପ ପର ଘରେ ଧାନକୁଟିବ !

 

ରତନୀ କୁଳରେ କାଳି ଲାଗିଯିବ । ଏଇ କଂସା ଖଡ଼ୁ ତଳ କାଳିପର–ସେ ଆଉ ଘସିଲେ ମାଜିଲେବି ଛାଡ଼ିବ ନାହିଁ ।

 

‘‘କାହାର ଧାନକୁଟିବୁ ?’’ ନିଧିଆ ବୋଉ ପଚାରିଲା–‘‘ଗାଁଯାକ ଯେତେଠିଁ ଧାନକୁଟା ଯାଉଚି–ସେତକ ଗାଁ ରାଣ୍ଡକୁ ତ ନିଅଣ୍ଟ ।’’

 

ସେତେବେଳକୁ ଧାନକୁଟି ବଳଦ ଉପରେ ଲଦି ମୂଲିଆ ଫେରିଲେଣି ବିଲରୁ । ଏଥର ଧାନ ସେତେ ଭଲ ହୋଇ ନାହିଁ । ପଛାନ୍ତି ବରଷା । ବୁଣା ହେଲା ଡେରିରେ । ଆଗେ ବୁଣ ପଛେ ବୁଣ ଗର୍ଭଣାକୁ ସବୁ ମୁଣ୍‌ମୁଣ୍‌ ହେଇ ପାଚି ଆରମ୍ଭ କଲା । ତଥାପି ଧାନ ତ, ଧାନନୁହେଁ–ଦାନା–ଜୀବନ–ମା ଲକ୍ଷ୍ମୀ । ଆଉ ଦିନ କେଇଟା ପରେ ଏଇ ବଳଦ ଉପରେ ପଲାଣ ପକାଇ ମା ଲକ୍ଷ୍ମୀ ଗୁରୁବାର ସେର ଭୋଗ ଖାଇ ଖଳାରୁ ବାହାରି ଚାଲିଯିବେ ତାଙ୍କ ଚଞ୍ଚଳା ନାଆଁକୁ ସାର୍ଥକ କରି–ବଡ଼ଲୋକଙ୍କ ଘରେ ଅଳସ ଭାଙ୍ଗିବାପାଇଁ ।

 

ବିଲରେ ଖାଲି ଧାନର ଲହଡ଼ି ଖେଳୁଛି । କିନ୍ତୁ ଧାନ କାହିଁ ? ମାସ କେଇଟା ପରେ ଗାଁରେ ହାହାକାର । ଧାନ ଖୁଣ୍ଟି ଖୁଣ୍ଟି, ସାଉଁଟି ଏଇ ମାସେ ଦିମାସ କେତେ ଲୋକ ଚଳି ଯିବେ–ଶିଳୋଞ୍ଛ ବୃତ୍ତି ଧରି । ତା’ପରେ ? ଆଚ୍ଛା ଆଚ୍ଛା ଲୋକଙ୍କ ଘରେବି ସେଇ ଭାଳେଣି–ଆଉ ଧାନକାହିଁ ? ଧାନକୁ କିଏ କ’ଣ କୁଆଡ଼େ ହରି ନେଇ ଯାଇଚି–ମା ଲକ୍ଷ୍ମୀଙ୍କୁ କେଉଁ ଅସୁର ଆସି ହରିନେଲା ସମାନେ । ଲଙ୍ଗଳ ଫାଳରୁ ଜନମିଲା ସୀତୟାକୁ ଦଶ ମୁଣ୍ଡିଆ ରାବଣାସୁର ମାୟାମୃଗ ଦେଖାଇ ଛଳକରି ଘେନିଗଲା ସମାନେ । କେଡ଼େ ଅସୁର ସେ କିଏ ଦେଖିଚି ! ତା’ ଛାତି କେଡ଼େ ଟାଣ ଇସ୍ପାତରେ ବନ୍ଧା ହେଇ ନ ଥିବ !

 

‘‘ରାଣ୍ଡକୁ ନଅଣ୍ଟ ?’’ ବାଇୟା ମା ପଚାରିଲା ।

 

‘‘ଆହୁରି କେତେ ରାଣ୍ଡେ-ତ ଖାଲି ବସିଚନ୍ତି–’’

 

ବାଇୟା ମା ଛାତିରୁ ରକତ ଶୁଖିଗଲା । ଭେଲ ଭେଲକି ନିଧିଆ ବୋଉକୁ ଚାହିଁ ସେ କହିଲା–‘‘ମୁଁ କ’ଣ କରିବି ନାନୀ ?’’

 

‘‘ମୁଁ ଦେଖେ । ଆଗ, ବିଷ୍ଣୁପୁର ଯାଏଁ ଯିବୁ ?’’

 

‘‘ବିଷ୍ଣୁପୁର ଇମିତି କେତେ କୋଶ ହେଇଗଲା କି ? ଛି, ଏ ଗାଁ ସେ ଗାଁ ତ ଲାଗିଚି । ମଝିରେ ହିଡ଼ କେଇ ଖଣ୍ଡ । ରାଉତ ଘର ତ ହେଇତିନିକିଆ ବଣ ପାଖରୁ ଚାହିଁଲେ ଦୁଉଚି !’’

 

ତଥାପି ବାଇୟା ମା କିଛି କହିଲା ନାହିଁ । ନିଧିଆ ବୋଉ କହି ଚାଲିଥାଏ–‘‘ଏ ଗାଁରେ ତ ଆଉ ଧାନକୁଟା କାହାରି ନାହିଁ । କେଇଟା ଘର କୁଟି ଖାଆନ୍ତି ! ଆଗରୁ କୁଟା ଚାଉଳ ବଜାରକୁ ଯାଉଥିଲା–ଏବେ ତ ବଜାରରୁ ଚାଉଳ ଆସୁଛି–ମୂଲିଆ ପାଣୁଆ କିଣି ଖାଉଚନ୍ତି । କଳ ଢେଙ୍କି କଳ ଢେଙ୍କି । ରାକ୍ଷାସ ଭଳି ଶୁଣ୍ଢ ଟେକିଚି ଉପରକୁ ଭସ୍‌ଭସ୍‌ ଧୂଆଁ ବାହାରୁଛି–ମୁଁ ତ ଦେଖି ନାହିଁ–ସମସ୍ତେ କହୁଚନ୍ତି ।

 

‘‘ଏଇ ରାଉତ ଘର କୁଟି ଖାଆନ୍ତି ସବୁଦିନେ । କିମିତି କିଜାଣି ! ତାଙ୍କର କଲିକତାରେ ଥାଆନ୍ତି ସମସ୍ତେ । ଏଠୁ ଚାଉଳ କୁଟା ହୋଇ ଯାଏଁ, ସେଠି ଖରଚ ହେବାକୁ । ବଡ଼ ଭଲମଣିଷ ସଇ । ବାକି-ବୁକୁର ପାଇବୁ ନାହିଁ । ନିତି କୁଟିଲ, ନିତି ଆଣିଲ । ଘରେ ସେମିତି ଝିଅ ବୋହୂ କି ବାବୁଭାୟା ହୋହୋ ନାହିଁ । ବାସ୍‌ ଆପଣା କାମ କଲ ଚାଲି ଆସିଲ । ଥାଇ ଥାଇ ରାଣ୍ଡ ଭାଉଜଟିଏ ଥାଏ–ସେଇ ରାଉତର । ଘରେ ସେଇ ମାଲିକ, ଭାରି ମନୁଆ । ତା’ ମନ ଯିଏ ନେଇ ପାରିବ–ତାକୁ ସେ ସବୁ ବହିଦେବ । ଯେତେବେଳେ ପ୍ରସନ୍ନ ଥିବ ବୁଢ଼ୀ କହିବ–ନେ–ତୋର ଯାହା ଲୋଡ଼ା ତା’ ନେ ! ମୋର କ’ଣ ସରିଯାଉଚି କି ? ସେଠି ଯଦି ମନକରିବୁ ତ ଦିନକେଇଟାରେ ତୁଇ ହୋଇଯିବୁ ରାଉତଘର ମାଲିକାଣୀ । ମନଇଚ୍ଛା କାମ କରିଯିବ ଖୁସିରେ । କେହିପଦେ କହିବାକୁ ନାହିଁ, ମୁଁ ତ ଯାଇ ପାରୁନାହିଁ ସବୁଦିନେ । ଦୁନିଆଯାକ ସମସ୍ତେ ତ ଖୋଜିବେ–ନିଧିଆ ବୋଉ–ନିଧିଆ ବୋଉ ! ନିଧିଆ ବୋଉ ଦେହରେ କି ଜରି ନାଗିଚି କିଜାଣି । ନିଧିଆ ବୋଉ କେତେ କା’ର ହବ ? ନିଧିଆ ବୋଉ ତ ଗୋଟାଏ–ଆଉ କ’ଣ ଦଶଟା ପାଞ୍ଚଟା ହେଇଚିକି ? ହଁ, ବଳ ଥିଲା, ବଅସ ଥିଲା, ନ ହେଲା ସମସ୍ତଙ୍କର କରୁଥିଲି, ଧରୁଥିଲି, ଖଟୁଥିଲି ଖାଉଥିଲି । ଆଉ ପାରୁନାହିଁ–ଏ ବଅସରେ । ସତେ ତୁ ଯଦି ଯାଆନ୍ତୁ ସେଠିକି ବାଇୟାବୋଉ, ତୋ ଭଳି ମଣିଷୁଟେ ପାଇଲେ ରାଉତାଣୀ କେଡ଼େ ଖୁସି ହେଇଯାନ୍ତା !’’

 

ତଥାପି ଡର ମାଡ଼ୁଚି । ଏତେବାଟ । କିଜାଣି କିମିତିକା ଲୋକ ରାଉତାଣୀ । କିଏ କ’ଣ କହିବ କାଳେ–ଏତେ ଦୂରକୁ ଯାଇ ଧାନକୁଟୁଛି ବୋଲି ।

 

ଯାହାହେଉ ପଛେ, ଯିବାକୁ ହବ । ନଗଲେ ନ ଚଳୁଛି । ଗଲେ କୁଳକୁଟୁମ୍ୱକୁ ଲାଜ, ନଗଲେ କୂଳ ଭାସିଯାଉଚି । ଚାରା କ’ଣ ! ଯାହା ହଉ ସେ ଯିବ । ତଥାପି ଡର ଲାଗୁଛି । ଡର ଲାଗିବ ପ୍ରଥମେ ପ୍ରଥମେ–ଶୀତ ଦିନ ପାଣିରେ ବୁଡ଼ିଲା ପରି । ବୁଡ଼ି ପଡ଼ିଲେ ହୁଏତ ଡର ଭାଙ୍ଗିଯିବ ।

 

ବୁଡ଼ିପଡ଼ି ବାଇୟା ବୋଉ ଉଠିଆସି କହିଲା–‘‘ହଉ ଦେଖେ ।’’

 

ଯେମିତି ଡର ତା’ର ଭାଙ୍ଗି ଗଲାଣି କେତେ–ଶୀତ ଛାଡ଼ି ଯାଉଚି ।

 

‘‘ଦେଖେ କ’ଣ ଲୋ ? କହିବୁ ତ ଆଜି ନେଇଯିବି । ମୋର ବେଳ ହବ ନହବ ।’’

 

‘‘ନା, କାଲିକି ।’’

 

‘‘ଇଃ, ଛଟକୀ !’’ ନିଧିଆ ବୋଉ ଲୁଗା ପାଲଟି ପାଣି କଳସୀ ଧରି ବାହାରିଲା । ବାଇୟା ବୋଉବି କଳସୀ ନେଇ, ପାଣି ଉପରୁ ଦଳ ଆଡ଼େଇ ପାଣି ଭରୁଥିଲା ।

 

ପାଣି ଆଣିବାକୁ ହବ, ସେମିତି ପେଟବି ପୋଷିବାକୁ ହବ । ଦଳ ଆଡ଼େଇ ଦେଲା ପରି ଲାଜକୁବି ଏଡ଼ି ଦେଇ ଯିବାକୁ ହେବ । ପେଟପୋଷ–ନାହିଁଦୋଷ !

 

ନିଧିଆବୋଉ କ’ଣ କହି କହି ଚାଲିଯାଉଥିଲା । ଭଲ କଥା । ତା’ରି ହିତକଥା । ସେ ଖାଲି ଏତିକି ବୁଝୁଛି । ଖାଲି ତା’ ଆବାଜ ଶୁଣିଛି । ଆଉ କିଛି ଶୁଣି ପାରିନାହିଁ । ତା’ ମନଟା ଘାଣ୍ଟି ଚକଟି ହେଉଥାଏ ।

 

ଘରକୁ ଆସି ଲୁଣ ଟିପେ ନଗେଇ ପଖାଳ ଖାଇ ବସିଲା । ଭାତଗୁଣ୍ଡାକ ଲାଗିଲା ତଣ୍ଟିରେ । କାଲି ରାତିକା ରନ୍ଧା ଭାତତ ! ପଖାଳି ଦେଇଥିଲା ସେତେବେଳେକେ–କେତେ ଡେରିରେ । ଶୁଖିଗଲାଣି । ଭାତଗୁଡ଼ାକ ସେମିତି ଜଳଜଳ ଯେମିତି ଜିଇଚି । ସେଥିପାଇଁ ତଣ୍ଟିରେ ଲାଗିଲା । ନା–କିଏ ମନେ କରୁଚି । ଆଖି ଛଳଛଳ ହୋଇଗଲା । କୋଳରେ ଛୁଆଟା–ଦୁଧ ଖାଉଛି ଶୁଖିଲା ଥନରୁ ।

 

କାଲିଠୁ ସେ ଯିବ ଧାନକୁଟିବାକୁ । ଏ କଥା ଶୁକୁରା ଜାଣିଲା କେମିତି ଯେ ଗାଳି ଦଉଚି ତାକୁ ? ଶୁକୁରା ଥିଲେ ରତନୀକି ଧାନକୁଟି ଯିବାପାଇଁ କେବେ ଛାଡ଼ନ୍ତା ନାହିଁ । ସେ ନାହିଁ । ଟଙ୍କା ପଇସାବି ନାହିଁ । ଚିଠି ପତରବି ନାହିଁ । ଭୁଆସୁଣୀ ମାଇପଟା, କରେ କ’ଣ ? କୋଳରେ ପୁଣି ଦୁଧଖିଆ ଛୁଆଟାଏ ।

 

ହେଲେବି ସେ ଯିବ କେମିତି ? ଶୁକୁରା ମନା କରିଚି–ଶୁକୁରା ମନା କରୁଚି–ସେ ଯିବ କିମିତି ? ଶୁକୁରା ମନାକୁ ନ ମାନି ସେ ଯିବ ପରଘରେ ଧାନକୁଟିବାକୁ ? ଶୁକୁରାକୁ ଛାଡ଼ି ସେ ଚାଲିଯିବ ଏମିତି ? ଆଜିକାଲିକା ଘଇତା ମାଇପେ କ’ଣ ସତ ସତ ଏମିତି ଛଡ଼ା ଛଡ଼ା ହେଇଯାଉଚନ୍ତି ? କାହିଁକି ? କାହାଲାଗି ?

 

ଭାତଗୁଣ୍ଡାକ ପାଟିକି ନେଇଚି, ତାକୁ ଦିଶିଲା ଯେମିତି ସେ ଭାତ ତା’ ପାଟିରେ ଅଟକି ଯାଉଚି–ଯାଉନି’ ତଣ୍ଟି ଭିତରକୁ ।

 

ତାମ୍ପଡ଼ା ଶୁଖୁଆର ମୁଣ୍ଡ କେଇଟା ପଡ଼ିଥିଲା ଶୁକୁରା ଦଣ୍ଡରୀରେ କେଉଁ କାଳରୁ । ଭାତଗୁଣ୍ଡାକ ମୁହଁରେ ଭରି ସେ ଉଠିଗଲା ପତର ଗଣ୍ଡାଏ ଜାଳି ମୁଣ୍ଡ କେଇଟାକୁ ପୋଡ଼ିଆଣି ଖାଇବ । ଦିଆସିଲି କାଠିଟାଏବି ନଥିଲା ପାଖରେ । ଶୁଖୁଆ ଦଣ୍ଡରୀଟାକୁ ଧରି ଜଗେଇ ମହାନ୍ତି ଦାଣ୍ଡକୁ ଯାଇ ‘ମାଉସୀ ମାଉସୀ’ ଡାକିଲା ।

 

ଦିନ ଏଇମିତି ଯାଏଁ । ଦଇବକୁ ତାଙ୍କ ଘର ଚୁଲିରେ ନିଆଁଥିଲା–ଖିଆପିଆ ସଇଲାଣି କେତେବେଳୁ । ସେଠି ଶୁଖୁଆ ପୋଡ଼ିବାକୁ ଲାଜମାଡ଼ିଲା ତାକୁ–ଏଇ ମୁଣ୍ଡ କେଇଖଣ୍ଡ । କାଠି ଖଣ୍ଡକୁ ଭାଙ୍ଗି ଚିମୁଟା କରି କାଠ ଅଙ୍ଗାର ଖଣ୍ଡେ ଉଠେଇ ଆଣିଲା ଘରେ କୁଟା କେରେକରେ ନିଆଁ ଧରେଇବ ବୋଲି ।

 

ବିଲେଇଟା ଆସି ପଖାଳ ତୋରାଣିରେ ମୁହଁ ମାରିଦେଲା । ସେ ବି ଅସୁଖ ଲାଗୁନାହିଁ । ସୁଖ ବୋଲି ବିହି ଯାହା ଭାଗ୍ୟରେ ଛିଟିକାଏବି ପକେଇ ନ ଥାଏ, ସେ କିଛି କଥାକୁ ‘ଅସୁଖ’ ବୋଲି ମନେକଲେ ଚଳେନାହିଁ ଦୁନିଆରେ । ଭାଗ୍ୟ ଯାହାକୁ ଅସୁଖ ପାଇଚି, ସେ ଆଉ କାହାକୁ ଅସୁଖ ପାଇଲେ ଦୁନିଆ ହସିବ–ଭାଗ୍ୟ ହସିବ–ମରଣବି ହସିବ ।

 

ସେଇ ବିଲେଇ ଅଇଁଠାକୁ ସେ ଖାଇଲା । ଜବରଦସ୍ତି ଗିଳିଲା–ଖାଲି ସେଇ ପିତାଶୁଖୁଆମୁଣ୍ଡର ମଡ଼ା ପୋଡ଼ା ଗନ୍ଧକୁ ନାକଅଗରେ ଲଗେଇ । ଯେମିତି ଏଇ ଖାଇବାପାଇଁ, ଏଇ ପେଟକୁ ଦାନାଗଣ୍ଡାଏ ଦେବାପାଇଁ, ତା’ ରୁଚି, ତା’ର ଶୁଚି, ତା’ର ସଉଚ ସବୁକୁ ସେ ଶୁଖୁଆ କରି ଖାଇ ଯାଉଚି ।

 

ଯୁଦ୍ଧ ! ଭୀଷଣ ଯୁଦ୍ଧ ମଣିଷ ଭିତରେ ଓ ଖାଇବା ଭିତରେ ଏ ଲଢ଼େଇ ଲାଗିଛି । କିଏ କାହାକୁ ଖାଇବ ! ମଣିଷ ତା’ର ଆପଣା ଖାଦ୍ୟକୁ ନଖାଇଲେ ‘ଖାଇବା’ ତାକୁ ଶୁଖୁଆ କରି ଖାଇଯିବ । ସେଥିପାଇଁ ରତନୀ ଆଜି ଖାଦ୍ୟକୁ ଶୁଖୁଆ କରି ଖାଇ ଶିଖିଛି ।

 

କଲିକତାରେ ଶୁକୁରା କ’ଣ ଏଇୟା ଖାଉଥିବ ? ଘିଅ ଦୁଧ ତାକୁ ମିଳୁ ନ ଥିବ ? ଭାତ ଡାଲି ସେ ରାନ୍ଧୁ ନଥିବ ? ତାହାହେଲେ ସେ ଆଉ ରତନୀଠୁ ଛଡ଼ା ହେଲା କେମିତି ! ସେ ତ ଏତେ ପାଖରେ, ଏତେ ନିକଟରେ । ଯିଏ ଶୁଖୁଆ ଖାଇ ଶିଖିଛି, ଯେ ପଚାଶଢ଼ା ଚିଜରେ ତୃପ୍ତ ହେଇ ପାରୁଚି, ସେ ଯେତେ ଦୂରରେ ଥାଉ ପଛେ, ଆଉ ଜଣେ ଶୁଖୁଆଖିଆ ପଚାଶଢ଼ାରେ ପୋଷା ଜୀବଠାରୁ ଦୂର ହେଇ ନପାରେ–ଛଡ଼ା ହେଇ ନପାରେ । ଏଇ ଶୁଖୁଆ ଏଇ ଗଲିଜି ଏଇ ଅଳିଆ ଜୀବନଟାଇ ତାଙ୍କର ଯୋଡ଼ଫାସ–ଗଣ୍ଠି ।

 

ତା’ରି ଭିତରେ ତାଙ୍କର ଦିନଯାଏଁ ।

 

ସେଇଦିନ ଦିନଶେଷରେ ରତନୀ ସଞ୍ଜ ପକେଇ କବାଟ କିଳି ଦେଉଚି–ସଞ୍ଜ ଗଡ଼ିଲାଣି–ଘନ ଅନ୍ଧାର–ମୁହଁକୁ ମୁହଁ ଦିଶୁନାହିଁ–ସେ ଏକୁଟିଆ ଡରେ, କବାଟ ଆଉଜେଇ ଆଣୁଥିଲା । କାହାର ଗଳାଖଙ୍କାର ଶୁଣି ପୁଣିଥରେ ଦୁଆର ମୁକୁଳେଇ ଚାହିଁଲା–ଜଣେ ମଣିଷ ଠିଆ ହେଇଛି ରାସ୍ତା ଉପରେ–ଖାଲି ଛାଇଟା । ତାକୁ ଡର ମାଡ଼ିଲା । ସେ କବାଟଟାକୁ ବନ୍ଦ କରିଦେଲା ଜୋର୍‌ରେ ।

 

ମନ ହେଲା ଟିକିଏ କାନପାରିବାକୁ । ସେ ପାଖରୁ କିଏ ଶୁକୁରା ନାଆଁ ଧରି ଡାକିଲା ନା କ’ଣ ? ‘ଶୁକୁରା !’ ଆଉ କାହା ମୁହଁରେ ଶୁକୁରା ନାଆଁ ଶୁଭିଲାକ୍ଷଣି ତାକୁ ଲାଗିଲା ସତେ ସତେ ଶୁକୁରା ଯେମିତି ତା’ ପାଖରେ ଆସି ଠିଆ ହେଇଚି ।

 

ଭାଗୁ ମହାନ୍ତି କହୁଥିଲେ–‘‘ଶୁକୁରା ଟଙ୍କା ପଠେଇଚି ।’’

 

ଶୁକୁରା ଟଙ୍କା ପଠେଇଚି ! ଛାତିଟା ଦାଉଁକିନି ନାଚି ଉଠିଲା । ଗୋଟେ ଛାନିଆ । ଆନନ୍ଦରେବି ଛାନିଆ ଥାଏ । ରତନୀ ଧୀରେ ଧୀରେ କବାଟ ଖୋଲିଲା । ଭାଗୁ ମହାନ୍ତି ତା’ ଘର ଦୁଆରମୁହଁ ଯାଏଁ ଚାଲି ଆସିଲେଣି । କେତେ ଟଙ୍କା ? ରତନୀ ମନେ ମନେ ପଚାରୁଥିଲା ।

 

ଭାଗୁ ମହାନ୍ତି ଟଙ୍କା କାଢ଼ି କହିଲେ–‘‘ନେ’ ଧର ।’’

 

ରତନୀ ହାତପାତି ଦେଲା । ଲାଜଟା ଯେମିତି ତା’ ଦିହରୁ ଖସିପଡ଼ିଲା ତଳେ ଟଙ୍କା ଧରିବ ବୋଲି । ଭାଗୁ ମହାନ୍ତି ତା’ ହାତ ଚକିରେ ଟଙ୍କା ରଖି ତା’ ମୁଠାଟାକୁ ମୁଠେଇ ପକେଇ କହିଲେ–‘‘ନେ ରଖ ହେପାଜତରେ ରଖିବୁ–ହଜେଇବୁ ନାହିଁ ।’’

 

ଅଜଣା ଭୟରେ ରତନୀ ଚିହିଁକି ଉଠିଲା । ଟଙ୍କା କାଳେ ହଜିଯିବ । ଏଇ ଭୟ ହେଲେ ହେଇଥିବ ଅବା !

 

ଭାଗୁ ମହାନ୍ତି ହାତ ଛାଡ଼ି ଦେଇଥିଲା । ଗଲାବେଳକୁ କହିଗଲା ‘‘ରତନୀ ହାତଟା ଛୁଆଙ୍କ ହାତ ଭଳି ବଡ଼ କଅଁଳ–ହାଟୁଆ ବାଟୁଆ ଘର ଝିଅ ବହୂଙ୍କ ହାତ ଭଳି ତ ଲାଗୁ ନାହିଁ ।’’

 

ରତନୀ ଏଥର ଡରିଚି ବୋଲି ବୁଝିଲା । ହଠାତ ବୁଝିଲା । ସେ ଟଙ୍କାକୁ ସେ ଭାଗୁ ମହାନ୍ତି ଉପରକୁ ଫିଙ୍ଗି ଦେଇଥାନ୍ତା । ତା’ର ମନ ହେଉଥିଲା । ଭାଗୁ ମହାନ୍ତି ଚାଲି ଗଲାଣି ସେତେବେଳକୁ ! ରତନୀ ଟଙ୍କା ନେଇ ନାହିଁ–ନିଆଁ ନେଇଚି !

 

ଶୁକୁରା କାହିଁକି ଏ ଟଙ୍କା ପଠେଇଲା ? ତାକୁ କିଏ କହିଥିଲା ? ସେ ଧାନକୁଟି ପେଟ ପୋଷିଥାନ୍ତା । ସେଇ ଆଚ୍ଛା–ସେଇ ଭଲ–ଲକ୍ଷେ ଗୁଣ ତା’ପାଇଁ ।

 

ଶୁକୁରା କାହିଁକି ଟଙ୍କା ପଠେଇଲା ? ପଠେଇଲା ତ ତା’ ପାଖକୁ ନପଠେଇ ଭାଗୁ ମହାନ୍ତି ପାଖକୁ କିଆଁ ପଠେଇଲା ? ଭାଗୁ ମହାନ୍ତି ନିଆଁ ନା ଚୁଲି ନା ଗାତ ?

 

ଟଙ୍କାଟିଏ । ଟଙ୍କାକରେ ସେ ଚଳିବ । ମାସ ମାସ ଚଳିବ । କେହି ଚଳିଥିଲାନା ? ଟଙ୍କାକରେ ସେ ନିଜପେଟ ପୋଷି ଏଇ ଛୁଆଟାକୁବି ପୋଷିବ ପାଳିବ । ଏ ଟଙ୍କା ସେ ନ ନେଇଥିଲେ କ’ଣ ହେଇ ଥାଆନ୍ତା ?

 

ନା-ନା-ଶୁକୁରା ଟଙ୍କାଟିଏ କେଭେ ପଠେଇ ନାହିଁ । ଏଇ ଭାଗୁ ମହାନ୍ତି–ଭାଗୁ ମହାନ୍ତି ହଉଚି ନାଟର ଗୋବର୍ଦ୍ଧନ–ସେଇ ସବୁ ଟଙ୍କାଯାକ ମାଡ଼ି ବସିଚି । ଶୁକୁରା ଶହେ ପଚାଶ ପଠେଇ ଥିବ ! ନହେଲା ଦଶ ପଚାଶ ପଠେଇ ଥିବ ଖୁବ୍‌ କମ୍‌ରେ । ଆଉ କ’ଣ ଟଙ୍କାଟିଏ ପଠେଇଚି ସେ–କଉ ପସନ୍ଦରେ ! କ’ଣ କରିବ ସେ ଟଙ୍କାକରେ ? ନା–ସେ ଧାନକୁଟିବ, ଧାନକୁଟି ଯିବ ।

 

ତହିଁଆର ଦିନ ନିଧିଆ ବୋଉ ଯେତେବେଳେ ଆସି ପଚାରିଲା–‘‘କିଲୋ ? କ’ଣ ହେଲା ? ଯିବୁନା ରାଉତ ଘରକୁ ?’’ ରତନୀ ହଁ କି ନାହିଁ କିଛି କହି ପାରିଲା ନାହିଁ । ସେ ମନେ ମନେ ତିଆରି ହେଇ ଯାଇଥିଲା । କିନ୍ତୁ ଗତର ଚଳୁ ନଥିଲା । ଗେଁ ଗେଁ ହେଇ ପଚାରିଲା–‘‘ନିଧିଆ ବୋଉ ନାନୀ, ମୋତେ ଚାଉଳ ସେରେ ଉଧାର ଦବୁ ?’’

 

ରତନୀ ବିଚାରିଲା–ଚାଉଳ ଧାର କରି ସେ ଚଳିବ ଏଇ ନାଗେ କିଛିଦିନ । କିଣି ଖାଇଲେ ଟଙ୍କାଟାରେ କେତେ ଚାଉଳ ହେବ, କେଇଦିନ ଚଳିବ ସେଥିରେ ? ତେଲ ଲୁଣ ଶୁଖୁଆ ଶାଗ ତ ଅଛି ପୁଣି ! ସେଇ ଟଙ୍କାକରେ ସେ ଦୋକାନ ସଉଦା କରିବ । ଆଉ ଉଧାର ଚାଉଳକୁ ସେ କିରିମେ କିରିମେ ଶୁକୁରା ଟଙ୍କା ପଠାଇଲେ ନ ହେଲେ ନିହାତି ବେଳକୁ ଧାନ ଯଦି କୁଟିବାକୁ ପଡ଼ିଚ ତ ଧାନକୁଟି ଶୁଝିବ ।

 

ନିଧିଆ ବୋଉ ନାହିଁ କଲା ନାହିଁ । ଚାଉଳସେରେ ସାଙ୍ଗେ ସାଙ୍ଗେ କାଢ଼ି ଦେଲା ।

 

ସେରେ, ସେରକରୁ ଦି’ସେର, ହେଉ ହେଉ ତିନିସେର ହେଲା । ନିଧିଆ ବୋଉ ଫି ଥର ଚାଉଳ ଦେବାବେଳେ ପଚାରେ–‘‘କିଲୋ ? କ’ଣ ଥୟ କଲୁ ? ରାଉତଘର ତ କାଲି କହୁଥିଲେ ତୋ କଥା । ସେଇ ରାଉତର ରାଣ୍ଡ ଭାଉଜ ମ ! ମୁଁ ତାକୁ କୋଉଦିନୁ କହିଲାଣି ତୁ ଯିବୁ ଯିବୁ ବୋଲି । ସେ ଏବେ ମୋତେ କହୁଚି–ହଉ ଆସୁ । ତୋର ଯୁବା ବଅସ ବୋଲି ସେ ଟିକିଏ ମୋଡ଼ି ଭିଡ଼ି ହଉଥିଲା । ରାଉତର ସେ ପାଗଳା ପୁଅଟା ଘରେ ଅଛିନା । ମୁଁ କହିଲି–ଆଃ–ରତନୀ–ଇମିତି ବହୂ ଗାଁ ଗୋଟାକରେ ନାହିଁ ।

 

‘‘ପାଗଳା ପୁଅ ?’’ ରତନୀ ପଚାରିଲା । ତା’ ମନରେ କାହିଁକି ଖଟକା ଲାଗିଲା ।

 

‘‘ନାଇଁଲୋ, ପାଗଳା କାହିଁକି ହୁଅନ୍ତା । ଭଲ ଜୁଆନ୍ ଟୋକାଟାଏ । ରାଉତ ତାକୁ ଯେତେ ପଢ଼େଇଲା ପଢ଼ିଲା ନାହିଁ । ଚଗଲା ଧଇଲା । ଖାଲି ଫିଅଲ ଫିଅଲ । ତା’ ସାନ ଭାଇ ପଢ଼ିଯାଉଚି–କେତେ କ’ଣ ଏବେ ସେ ପଢ଼ିଗଲାଣି । ଏଉଟାର ଆଉ ପାଠ ହେଲାନାହିଁ । ଏଣେତେଣେ ବୁଲିଲା । କେଇମାସ ହବ ଘରେ ଆସି ବସିଚି । ଏଇ ବାଟେ ସାଇକଲରେ ଦିନରେ ଶହେ ଥର ଯାଉଚି ଆସୁଚି, ତୁ ଦେଖି ନଥିବୁ କି । ଆଚ୍ଛା ସୁନ୍ଦର ଡଉଲ ଡାଉଲ ଜୁଙ୍ଘାକୁ ଜୁଆନ୍‍ଟିଏ ମ ! ହଁ ବଳିଲା ବଳିଲା ହାତ ଗୋଡ଼, ବେଶ୍‌ ମଜବୁତ୍ । ଏକା ପିଲାଟିର ସ୍ୱଭାବ ଚରିତ୍ର ଭାରି ଭଲ-। ପାଠ ନପଢ଼ିଲେ କ’ଣ ହେଲା–ଦୟା ଧରମ ଅଛି । ମନଟା ତା’ର ବଡ଼ ଉଦାର । ଗରିବଙ୍କ ଦୁଃଖ ଦେଖିଲେ ସେ ରହିପାରେ ନାହିଁ । ସେଦିନ କିଏ ଗୋଟେ ଆସି ଦୁଆରେ କାନ୍ଦିଲା । ଫିଙ୍ଗି ଦେଲା ଟଙ୍କାଟେ । ମୁଁ କେବେ ହାତପାତି ମାଗିନାହିଁ । ମାଗିଲେ–ଯାହା ମାଗିଲେ ଦେଇ ଦିଅନ୍ତା । ଟଙ୍କାର କେଉଁ ଏବେ ଅଭାବ ଯେ ।

 

ରତନୀର ମନରେ କିମିତି ଟିକିଏ ଆଶା ହେଲା । ତା’ ଦୁଃଖ ଜାଣିଲେ ଯଦି–କ’ଣ ହବ କିଏ ଜାଣେ । ପୁଣି ଚାଉଁକିନା ତା’ ଛାତିରେ ଲାଗିଗଲା–ଜୁଙ୍ଘା ଜୁଆନ୍‍ଟାଏ ।

 

ଡର ଆଉ ଦରକାର, ଦୁଇଟା ଭିତରୁ ଦରକାର ବଡ଼ ହେଲା । ନିଧିଆ ବୋଉ ଧାର ଶୁଝିବାକୁ ହବ । ଶୁକୁରାତ କାହିଁ ଆଉ ଟଙ୍କା ପଠେଇଲା ନାହିଁ । ଧାନ ସେ କୁଟିବ, ନକୁଟି ଚାରା କ’ଣ ! ସେ ନିଷ୍ଠା ଜବାବ ଦେଲା–କାଲି ଯିବ ।

 

ସେଦିନ ରାତିରେ ପୁଣି ସେ ଭୂତଟା ଆସିଲା । ସୁଲୁସୁଲିଆ ପବନ ଦଉଥାଏ । ଭାରି ଶୀତ । ବାଦଲ ଖଣ୍ଡେ ଭାସି ଭାସି ଚଉଠି ଜହ୍ନକୁ କୋଉଠିଁ ଲୁଚେଇ ରଖି ଦଣ୍ଡକେ ପୁଣି ଚୋର ଧରିବାପାଇଁ ଛାଡ଼ି ଦଉଥାଏ ଯେମିତି ।

 

ଭାଗୁ ମହାନ୍ତି ଆରମ୍ଭ କଲେ–‘‘ପଇସା ଅଛି ନା ସରିଲାଣି, ବାଇୟା ବୋଉ ? ସଇଲେ ମୋତେ ମାଗିବୁ । ମୁଁ ତ ନିତି ଏଇବାଟେ ଯାଉଚି । ଲାଜ କ’ଣ ଗୋଟାଏ ? ଶୁକୁରା ପାଞ୍ଚ ଟଙ୍କା ପଠେଇଚି । ତୋ ପାଖରେ ଖରଚ ହୋଇଯିବ–ମାଇପି ଲୋକ–କିଏ ଠକି ଭୁଲେଇ ନେଇଯିବ–କି କୁଆଡ଼େ ପକେଇ ଦେବୁ–ସେଥିପାଇଁ ଶୁକୁରା ଲେଖିଥିଲା, ମୁଁ ରଖିଚି–କହିବୁ ତ ଦେଇଦେବି ।

 

ରତନୀ ଏଥର କଥା ନକହି ରହିପାରିଲା ନାହିଁ । ରାଗରେ ତା’ ଭିତର ଉଷୁମ ହେଇ ଆସୁଥିଲା । ଲାଜର ଥଣ୍ଡାଟା ଭାଙ୍ଗି ଯାଉଥିଲା ତା’ ଗରମରେ । ତା’ ଘଇତା ରୋଜଗାର କରି ଟଙ୍କା ପଠେଇବ କଲିକତା ମୁଲକରୁ–ଇଏ କିଏ ପୂରେଇ ପଣ୍ଡା ଆସିଲେ ଏଠିକି, ତା’ ପଇସାକୁ ମାଡ଼ି ବସିବେ ଏତେ ! ସେ ବତେଇ ଦେଇଥାନ୍ତା ସାଫ୍‌ସାଫ୍‌ । କିନ୍ତୁ ପାରିଲା ନାହିଁ–ଭାଗୁ ମହାନ୍ତିକି ଡର ଆଉ ଲାଜ । ନକହି ନକହି ତଥାପି କହିଲା–ମୁଁ ପାଞ୍ଚ ସେର ଚାଉଳ ଧାର କଲିଣି–ଲୁଗାନାହିଁ-।’’

 

‘‘ଆଚ୍ଛା ଆଚ୍ଛା, ବେଶ୍‌ ବେଶ୍‌, ଆଉ ଚାରିଟା ଟଙ୍କା ତ ? ଦେଇ ଦେବି । ଏଇଲେ ତ ପାଖରେ ନାହିଁ ଟଙ୍କା । ଦେଖେ–ଓ ଟଙ୍କାଟିଏ ଅଛି–ନେଇଥା–ବାକି ତିନି ଟଙ୍କା କାଲି ଦେଇଗଲେ ହବ ତ ?–ନେ–’’

 

ଏଥର ଆଉ ଭାଗୁ ମହାନ୍ତି ଟଙ୍କାଟାକୁ ଆଣି ହାତରେ ଗୁଞ୍ଜି ଦେଇଗଲା ନାହିଁ । ଟଙ୍କା ଧରି ସେ ଠିଆ ହେଲା ତା’ ଜାଗାରେ । ଭାବୁଥିଲା କି କ’ଣ ରତନୀ ଯାଇ ତା’ ହାତରୁ ଟଙ୍କା ନେଇ ଆସିବ । ରତନୀ ଗଲା ନାହିଁ ।

 

‘‘କିଲୋ ନେ–ନେଇଯା–ନଉନୁ–ମଲାମ ଲାଜ । ଲାଜ ଆଉ କୋଉଠି, ନା–ମୋରି ପାଖରେ’’ କହୁ କହୁ ପାଖକୁ ଲାଗି ଆସିଲା । ରତନୀ ଉଁ କି ଚୁଁ କିଛି କହିଲା ନାହିଁ । ସେ ଭିତରେ ଭିତରେ ଥରୁଥାଏ । ରାଗରେ କି ଭୟରେ କି ଜାଣି !

 

ଭାଗୁ ମହାନ୍ତି ଏଣିକି ତେଣିକି ଦି’ଥର ଚାହିଁଲା । ରତନୀ ଦେଖିପାରିଲା । କେହି ନାହାନ୍ତି କୁଆଡ଼େ । ସେ ନିଶ୍ଚିନ୍ତ ହେଲା କି ଭୟ କଲା ବୁଝି ପାରୁ ନଥାଏ । କାଳେ କିଏ ଦେଖି ନେବ । କିନ୍ତୁ କେହି ଯଦି ନ ଆସନ୍ତି ତେବେ ଏ କଥାଟା ଆଗେଇ ଆଗେଇ କେତେ ଦୂର ଯିବ କିଏ କହିବ ।

 

‘‘ଭଲାରେ ଲାଜକୁଳୀ !’’ କହି ରତନୀର ସେଇ ଛୋଟ ପଣତର ଅଫେର କାନିରୁ ଗୋଟେ ପାଖ ଧରି ପକେଇଲା । ରତନୀ ଚମକି ପଡ଼ି ପଛକୁ ହଟି ଯାଉଥିଲା । କିନ୍ତୁ ବେସରମ ‘‘ହେଇଯିବା ଭୟରେ ଗୋଡ଼ ଅଟକି ଯାଉଥିଲା–ଅଟକାଳିରେ ପଶିଲାପରି ।

 

ଭାଗୁ ମହାନ୍ତି ପଣତ କାନିରେ ଟଙ୍କା ବାନ୍ଧି ଦେଇ ଗଲା ବାହାରି ଖଣ୍ଡେ ଆଗକୁ, ରତନୀ ସେମିତି ଅନେଇ ଥାଏ–ଦାରୁଭୂତ ପରି । ଦିପାଦ ଆଗକୁ ଯାଇ ଦି’ଥର ଏଣିକି ତେଣିକି ଚାହିଁ–ଫେରିପଡ଼ି ତା’ ପାଖକୁ ଲାଗିଆସି କହିଲା–‘‘ରତନୀ ଭୁଲିବୁ ନାହିଁ–ମୋ ରାଣଟି ।’’

 

ଭାଗୁ ମହାନ୍ତି ଚାଲିଗଲା । ରତନୀ ସେମିତି ଅନେଇ ଥାଏ, ‘‘ରତନୀ, ଭୁଲିବୁ ନାହିଁ, ମୋ ରାଣଟି !’’ ଏକଥା ଭାଗୁ ମହାନ୍ତି କହିଗଲାନା ! ଏଇ କଥା ତାକୁ ଯେମିତି କିଏ କୋଉଠି କହିଚି ଆଗରୁ । ସେ କଥା ସେ ଦିନ କେଡ଼େ ମିଠା ଲାଗିଥିଲା–ଆଜି ଏମିତି ବିଷର୍ପି ଯାଉଚି କିମିତି ଦେହଟାଯାକରେ ।

 

ନା, କେହି ତାକୁ କହିନାହିଁ ସେ କଥା ଆଗରୁ । ତା’ରି ମନ ତାକୁ କହିଛି ସେ କଥା । ଶୁକୁରା ଯେତେବେଳେ ଚାଲିଗଲା–ଯିବ, ଯିବ ହେଉଥାଏ–ରତନୀ କେତେଥର ମନରେ ଭାବିଛି–ତାକୁ ସେ କ’ଣ କହି ବିଦେଶ ଯିବ । ସବୁ ଦିନକୁ ମନେ ରଖିଲା ଭଳି କି କଥାଟେ ସେ କହିଯାନ୍ତା । ସେଇ କଥାକୁ ଘେନି ସେ ଦିନ କାଟନ୍ତା । କିନ୍ତୁ ସେ କିଛି କହିଲା ନାହିଁ । ନିର୍ମାୟା ପୁରୁଷ ସେ । ପାଟିବି ଫିଟେଇଲା ନାହିଁ । ଖାଲି ଏତିକି କହିଗଲା–ବାଇୟା ଲାଗିଲା । ବାୟା ତ ଲାଗିଚି–ବାୟା କ’ଣ ଲାଗିନାହିଁ କି । ସେ ନକହିଥିଲେ କ’ଣ ଲାଗି ନ ଥାନ୍ତିକି । ବାୟା କ’ଣ ତା’ରି–ଶୁକୁରାର ଏକା ଏକା–ରତନୀର ଭାଗ ନାହିଁ ।

 

ତଥାପି ସେ ଧାଇଁ ଯାଇଁ ବାୟାକୁ ବିଛଣାକୁ ଟାଣିଆଣି ଛାତି ଭିତରେ ଯାକି ଧଇଲା ।

 

ଶୁକୁରା ଛଡ଼ା ଛଡ଼ା ନୁହେଁ । ଶୁକୁରା ତା’ ପାଖରେ । ଶୁକୁରା ତା’ର ଖୁବ୍‌ ପାଖରେ । ହେଇଟି ଶୁକୁରା କହିଯାଇଚି–ବାଇୟା ତାକୁ ଲାଗିଲା–ବାୟା ତାକୁ ଲାଗିଚି–ଶୁକୁରାର ବାଇୟା ରତନୀକି ଲାଗିଛି । ବାଇୟାର ବାପ ଶୁକୁରା । ଶୁକୁରା ଆଉ ରତନୀ ଭିତରେ ବାଇୟା ଲାଗିଛି–ଦିହିଁଙ୍କି–ଶୁକୁରାକୁ, ଆଉ ରତନୀକି । ଶୁକୁରା ତା’ଠୁ ଛଡ଼ା ଛଡ଼ା ହେବ କିମିତି ? ହେଇ ପାରିବ କିମିତି ?

 

ପଣତର ଟଙ୍କାଟାକୁ ଅଣ୍ଡାଳି–ପୁଣି ଭଲ କରି ଗଣ୍ଠିଟାଏ ପକେଇ ଦେଲା । କ’ଣ ମନହେଲା ପୁଣି ତାକୁ ପିଟେଇଲା । ସେଇ ଅନ୍ଧାରରେ ଛୋଟ ଠେକିଟିଏ ଅଣ୍ଡାଳି ଅଣ୍ଡାଳି ବାହାରିକଲା । ତା’ରି ଦିହରେ ଟଙ୍କାଟିକୁ ନେଇ ଗଳେଇ ପକେଇଲା ।

 

ଦାଣ୍ଡରେ ଖୁସ୍‌କିନା ଶବ୍ଦ । କିଏ ! ରତନୀ ଡରିଲା ।

 

‘‘ମୁଁ !’’ ନିଧିଆ ବୋଉ ପାଟି । କିନ୍ତୁ ଖୁବ୍ ଆସ୍ତେ–ଡାକୁଥିଲା ସେ ।

 

ରତନୀ ଯାଇ କବାଟ ଖୋଲି ଦେଲା । ଜହ୍ନ ଆଲୁଅରେ ନିଧିଆ ବୋଉ ମୁହଁଟା ହସିଲା ହସିଲା ଦିଶୁଥିଲା । ସେଠି ଗୋଟାଏ ଫୁଲା ହସ । ସେ ହସ, ହସ ନୁହେ–ସେ ଗୋଟାଏ କଳାହସ–ମହାକାଳଫଳର ହସ ସମାନ । ସେ ହସ ହସି ନିଧିଆ ବୋଉ ରତନୀକି ଖୁସି କରିବାକୁ ଯେତେ ଚାହୁଁ ନଥିଲା, ତା’ଠୁ ବେଶିଥିଲା ଆପଣାକୁ ଖୁସି କରିବାପାଇଁ–ଆପଣାକୁ ହସେଇବାର ଇଚ୍ଛା, ଯେଉଁ ହସ ପରର ସୁଖ ଦେଖିଲେ ଉଠେ, ସେ ହସ ନୁହେଁ । ପରର ଦୁଃଖରେ, ପରର ପତନରେ ସେ ହସ ହସେ ମଣିଷ । ପରକୁ ପକେଇ ନିଜେ ଉଠିଲେ ଯେଉଁ ହସ ହସେ, ମଣିଷ ସେ ହସବି ନୁହେଁ, ଯିଏ ଖସଡ଼ାବାଟରେ ଖସି ଗୋଡ଼ହାତ ଛିଡ଼େଇଲାଣି, ସେ ଆଉ ଜଣକୁ କଚଡ଼ା ଖାଇବାର ଦେଖିଲେ ତା’ ଭିତରୁ ଯେଉଁ ହସଟା ଉଠେ, ସେଇ ହସ ଯିମିତି ଏ ।

 

‘‘କିଲୋ, ସେ କିଏ କି ?’’

 

‘‘କାହିଁ !’’ ରତନୀ ଚମକି ପଡ଼ିଲା ।

 

‘‘ଇସ ମୁଁ ଯିମିତି କିଛି ଦେଖିନାହିଁ–ଭାଗୁ ମହାନ୍ତିଟି ସିଏ !’’

 

‘‘ଦେଖିଛୁ ତ, ପୁଣି ଛଇ ହଉଚୁ ?’’ ରତନୀ ରାଗିଗଲା ।

 

‘‘ବଡ଼ ମାଛ ପଡ଼ିଛି ରତନୀ, ଜାଣିବୁ ରୋହି ଭାକୁର ନାଗିଚି–ସାବଧାନରେ ହୁସିଆରେ ବନଶୀ ଧରିଥିବୁଟି ! ମାଛକୁ ଖେଳେଇ ଖେଳେଇ ସେ ହାଲିଆ ହବ ତେବେ ଯାଇଁ ବନଶୀ ଟାଣିବୁ-। ନଇଲେ ବନଶୀ, କଣ୍ଟା ସବୁ ସିଆଡ଼େ–ଜାଣିଥା ।’’

 

‘‘କି ଅକଥାଗୁରା କହି ଯାଉଚୁ ତୁ ନିଧିଆ ବୋଉ ନାନୀ ଲୋକେ କ’ଣ କହିବେ ।’’

 

‘‘ଅକଥା କ’ଣଲୋ ? ଏକଥା କୋଉଠି ହଉନି ଦୁନିଆରେ ? ‘‘ତୋ ବଅସ, ତୋ ରୂପ ଯଦି ମୋଠି ଥାଆନ୍ତା–ଯା ଯା–ଦେଖଛୁ ପଚାଶଟା ଭାଗୁ ମହାନ୍ତିଙ୍କି ଯଦି ଚୁଟି ଧରି ନ ଉଠାନ୍ତି ନ ବସାନ୍ତି ତ ମୋ ମୁହଁ ନୁହେଁ ।’’

 

‘‘ଛି ପାପ କଥା; ଲାଜ କଥା ମିଞ୍ଚାକ କହନା ନାନୀ ।’’

 

‘‘ପାପ କଥା ? ଲାଜ କଥା ? କି ପାପ ? କି ଲାଜ ? ମଣିଷଙ୍କୁ ଲାଜ ନାହିଁ ? ମଣିଷଙ୍କର ପାପ ନାହିଁ–ସେ ଆସି ପରଝିଅ ପର ବହୂ ଭୁଆସୁଣୀଙ୍କି ଆଖିଠାରିବେ, ରାତି ଅଧରେ ଛପି ଛପି ଆସି ପୀରତି କରି ଯିବେ, ତାଙ୍କୁ ସବୁ ସୁହିବ, ଆଉ ଆମେ ମାଇପେ ହେଲୁ ବୋଲି ଆମର ମନ ନାହିଁ, ଅଭିମାନ ନାହିଁ–ଆମେ କୋଉଁଠି ଟିକିଏ କାହାକୁ ଚାହିଁ ହସିଦେଲେ ତ ଆମେ ହେଇଗଲେ ଅସତୀ, ଦୋଚାରୁଣୀ, ଢେମଣୀ ବେଶ୍ୟା ।’’

 

ରତନୀର ମନେ ହେଲା, ତା’ ଭିତରୁ କେତେଦିନର ଜମିଲା, ଦମ୍ଭିଲା ଭୟର ନିଆଁ ଯେମିତି ଥରି ଉଠୁଛି । ସେ କାଳେ ଭୁଶୁଡ଼ି ପଡ଼ିବ, ସେଥିପାଇଁ ସେ ଆହୁରି ଡରିଲା ।

 

‘‘ମଣିଷଙ୍କୁ ସେ ଶୋଭାପାଏ !’’ ରତନୀ ମୁହଁ ଶୁଖେଇ କହିଲା ।

 

‘‘ଶୋଭାପାଇବ ନାହିଁ ? ତାଙ୍କର ହିମତ ଅଛି । ଏ ଗାଲରେ ଚୂନ ସେ ଗାଲରେ କାଳି ଲଗେଇବି ସେ ବିଚ୍‌ ଦାଣ୍ଡରେ ଛାତି ଫୁଲାଇ ଚାଲିପାରନ୍ତି । ଆଉ ଆମେ ମାଇପେ–ଆମେ ଖାଲି ଘର ଭିତରେ କାନ୍ଦିଜାଣୁ । ଆମେ ମନକଲେ କ’ଣ ତାଙ୍କପରି ଅଲାଜୁକ ବେହିଆ ହେଇ ପାରିବା ନାହିଁ ?’’

 

‘‘କ’ଣ ଯେ କହୁ ନାନୀ !’’ ରତନୀ ହସିଲା ।

 

‘‘ମୁଁ ସତ କହୁଚି–ହକ୍ କହୁଚି । ଭାଗୁ ମହାନ୍ତି, ବୁଢ଼ାଟା, ସେ ତୋ ସାଙ୍ଗରେ ରାତିଅଧରେ ପୀରତି କରିବାକୁ ଲୁଚି ଲୁଚି ଛପି ଛପି ଆସୁଥିବ, ତାକୁ ଲାଜ ମାଡ଼ିଲା ନାହିଁ–ଆଉ ତୁ ଯୁବତୀଟା–ଗିରସ୍ତ ଘରେନାହିଁ–ତୁ ଯଦି କାହାକୁ କେତେବେଳେ ଭଲରେ ପଦେ କଥା କହିଦେଲୁ ତ ଦୁନିଆ ଓଲଟି ପଡ଼ିବ–ତୁ ନିଲଜୀ ହୋଇଯିବୁ । କି କାହିଁକି ?’’

 

ରତନୀ ଛାତି ଥରି ଉଠିଲା । ତା’ର କିମିତି ମନେ ହେଉଥିଲା, ରତନୀ ଗୋଟେ କି ନୂଆ କଥା କହୁଚି–ଗୋଟେ ନୂଆବାଟ ଦେଖାଉଚି–ଯେଉଁ ବାଟଟା ବଡ଼ ସିଧା । ବାପ ଘରକୁ ଯିବାବେଳକୁ ସେ ସବୁଦିନେ ଯେଉଁ ବାଟେ ଯାଏଁ, ଏ ସେ ବାଟ ନୁହେଁ । ଆହୁରି ସିଧା ସଳଖ । ଏ ବାଟରେ କାହାରିକି ପଚରା ଉଚୁରା ନାହିଁ । କାହାରିକି କହି ବୋଲି ଯିବାକୁ ହୁଏ ନାହିଁ । ଆପଣା ମନକୁ ବାହାପିଟି ଚାଲିଯିବ–ସ୍ୱାଧୀନ । ତଥାପି ଏ ସିଧା ବାଟଟା ବଡ଼ ନିଛାଟିଆ । ହିମତ କୁଳାଏ ନାହିଁ । ଭାରି ଭୟ । ନା-ନା-ସେ ବାଟେ ସେ ଯିବ ନାହିଁ । କାହିଁକି ଯିବ ? କି ଗରଜ ? ସେ ବାଟରେ ତ ଶୁକୁରା ନାହିଁ । ଶୁକୁରାକୁ ନକହି ସେ କେଉଁଠିକି ଯିବ ? ନା-ନା-ଯେଉଁ ବାଟରେ ଶୁକୁରା ନାହିଁ, ସେ ବାଟ ତା’ର ନୁହେଁ । ଶୁକୁରା ସେ ଛଡ଼ା ଛଡ଼ା ହେଇ ନ ପାରନ୍ତି ।

 

‘‘ଆଲୋ ହୁଣ୍ଡିଟା,’’ ନିଧିଆ ବୋଉ ପୁଣି କହିଲା–‘‘ମୁଁ କ’ଣ କହୁଛି, ତୁ ତା’ ସାଙ୍ଗରେ ରହ, ବୋଲି–ପାପ ପୀରତି କର ବୋଲି । ଏ କଥା କିଏ କହିବ ! ମୁଁ ଠିକ୍‌ ତା’ର ଓଲଟା କଥାଟା କହୁଚି । ମୁଁ ତୋତେ ସାବଧାନ କରି ଦଉଚି । ଯୁବା ବଅସ । ମତି ଚଞ୍ଚଳ । ଚଟାପଟ ପଡ଼ିଯିବୁ ନାହିଁ, ଭୁଲିଯିବୁ ନାହିଁ, ଟିକିଏ ଖେଳେଇ ଖେଳେଇ ମାଛ ଧରିବୁ । ଧରିବାର ହେଲେ ଧରିବୁ, ନହେଲେ ଛାଡ଼ିଦବୁ । ଭାଗୁ ମହାନ୍ତି ପଇସାବାଲା ଲୋକ । ପର ପଇସାରେ ଘର କରିଚି । ବାହ୍ମୁଣ ଘର ପଇସା, ରାଣ୍ଡିଖଣ୍ଡିଙ୍କ ପଇସା–କେଇ ଦିନ ! ସହିବ ନାହିଁ–ସେ ପଇସା ତାକୁ ସହିବ ନାହିଁ । ଏ ଚୋର ପାଜି ବଦମାସ ପରଘରବୁଡ଼ାଙ୍କୁ ଦୟାନାହିଁ–ଧରମ ନାହିଁ ! ଏ ପରତଣ୍ଟି ଚିପୁଛନ୍ତି–ୟାଙ୍କ ତଣ୍ଟି ଯିଏ ଯେତେ ଚପିବ; ତା’ର ସେତେ ଧର୍ମହବ । ୟାଙ୍କ ପଇସାକୁ ଯେତେ ଲୁଟିବ ସେତେ ଭଲ-। ୟାଙ୍କର କି ପଇସା ? ପର ତଣ୍ଟିକାଟି ଘର କରିଛନ୍ତି–ୟାଙ୍କର କି ଧନ ? ବୁଝିଲୁନା, ମୁଁ କ’ଣ କହୁଛି ?’’

 

ନିଧିଆ ବୋଉ ରତନୀର ଆହୁରି ପାଖକୁ ଲାଗିଯାଇ କହିଲା,–‘‘ତୁ କେଭେ ଧରାଛୁଆଁ ଦେବୁ ନାହିଁ । ସାବଧାନ ! ମୋ କଥା ମାନିଥା’ । ମୁଁ ଯେମିତି କହୁଚି ସେମିତି କର । ଖାଲି ଟିକିଏ ଟିକିଏ ଆଙ୍ଗୁଳି ଦେଖଉଥିବୁ ପୁଣି ଲୁଚେଇ ଦେଉଥିବୁ । ଟିକିଏ ବେଶି ଦେଖେଇ ଦେଲେ, ଏକାତାନେ ବାହାଗିଳି ଯିବଟି । ସେ ସକତ ବାହାଗିଳା ମଣିଷ । ଭାଗୁ ମହାନ୍ତିକି ଯେ ଚିହ୍ନି ନାହିଁ, ତା’ ସାରା ବାପକୁ ଚିହ୍ନି ନାହିଁ ସେ । ତୁ କିଛି କହିବୁ ନାହିଁ । ଖାଲି ସେ ଯେତେବେଳେ କଥା କହିବ, ତୁ ପଦେ ପଦେ ଜବାବ ଦେଉଥିବୁ । ବିଲ୍‍କୁଲ୍ ଲୁଚି ଯିବୁନି । ସେ କ’ଣ ଦଉଚି ଆଗେ ଦଉ । ଟଙ୍କେ ମସେରେ ଭଳିଯିବୁ ନାହିଁ । ସେ କେତେ କେତେ ଚିଜ ଏଇ ନାଗେ । ଲୁଗା ଦବ–ଶାଢ଼ି ଦବ-। ତଥାପି ତୁ ତୁନି ପଢ଼ିବୁ । ଖାଲି ବେଳେ ବେଳେ ଅଣେଇ ଅଣେଇ ଚାହିଁ ଦଉଥିବୁ–ନହେଲା ଖୁବ୍‌ ବେଶି ହେଲେ ଓଠ କଣିଆ ହସ ଟିକେ–’’

 

ହାତରେ ଠେଲିଦେଲା ନିଧିଆବୋଉ ରତନୀକୁ ଗେଲରେ ଥଟ୍ଟାରେ ! ରତନୀର ଦେହ ନିଆଁ ହେଇଗଲା । ସେ କ’ଣ ବୋଲି କ’ଣ କାଢ଼ିଥାଆନ୍ତା ଆଉ କିଏ ହେଇଥିଲେ । କହୁ କହୁ ସେ ଆପଣାକୁ ସମ୍ଭାଳି ତୁନି ପଡ଼ିଗଲା ।

 

କରଞ୍ଜ ଗଛ ଉପରେ ବାଦୁଡ଼ି ତିନିଚାରିଟା ଫଡ଼୍‌ ଫଡ଼୍ କରି ଉଠିଗଲେ ସେତିକିବେଳେ-

 

‘‘ହଁ ଲୋ, ମୁଁ ପରା ଜାଣେ ସେ ଭାଗୁ ମହାନ୍ତି କି–ତୁ ଯଦି ଟିକିଏ ଅଡ଼ିଦେଇ ବସିବୁ, ଟିକିଏ ଟାଣ ଦେଖେଇବୁ ତ କେତେ ଗହଣା, କେତେ ଶାଢ଼ି, କେତେ ଚିଜ ଯାହା ଚାହିଁବୁ ତା’ ।’’

 

ଗହଣା ? ରତନୀର ଆଖି ଝଲସି ଗଲା । ଗହଣା ନାଇଲେ ଅସୁନ୍ଦର ଯେମିତି ସୁନ୍ଦର ଦିଶେ, ଗହଣା ପିନ୍ଧିଲେ ପାପଟାବି କ’ଣ ସେମିତି ଲୁଚିଯାଏଁ ? ଜହ୍ନ ସେତେବେଳକୁ ବୁଡ଼ି ବୁଡ଼ି ଆସିଲାଣି । କିମିତିଆ ବନମାଟି ରଙ୍ଗ ଧରି ଆସୁଥାଏ । ଲାଜପାଇଗଲା ପରି ।

 

ନିଧିଆ ବୋଉ ଚାଲିଗଲା । ଚାଲିଗଲା ନୁହେଁ–ସେ ଚାଲିବାର ଅର୍ଥ ସେ ପୁଣି ଆସିବ–ଏଣିକି ନିତି ନିତି ଆସିବ ସେ ଏଇ ଜହ୍ନ ଭଳି । ତା’ର ଆଉ ଅନ୍ଧାର ପକ୍ଷ ନ ଥିବ । ଭାଗୁ ମହାନ୍ତି ଆସୁ ନ ଆସୁ ସେ କିନ୍ତୁ ନିତି ଆସିବ । ଆଉ ଭାଗୁ ମହାନ୍ତିର ଭୂତପରି ସେ ତା’ ପଛେ ପଛେ ଗୋଡ଼େଇ ଥିବ । ତାକୁ ପୂରାପୂରି ନିରାଶ ନକଲା ଯାଏଁ ଯେମିତି ତାକୁ ଆଉ ଛାଡ଼ିବ ନାହିଁ ସେ । ରତନୀ ନିଧିଆ ବୋଉବୁ ଡରିଲା ।

 

ନିଧିଆ ବୋଉ ଆଗରେ ସେ କିଛି କଥା ଲୁଚେଇ ପାରେ ନାହିଁ । କେମିତି ଲୁଚେଇବ ? ଭାଗୁ ମହାନ୍ତି ଯେଉଁଦିନ ଆସେ, ଯେଉଁଦିନ ଯାହା କହେ, ସବୁ ସେ ନିଧିଆ ବୋଉ ଆଗରେ କହି ପକାଏ । ତା’ ମନଭିତରେ ସେ ପାପ ରଖିବାକୁ ଡରେ । ପାପ ? ହଁ ପାପ । ଯଉଟାକୁ ମନ ଭିତରେ ଲୁଚେଇ ରଖିବାକୁ ଇଚ୍ଛା ହୁଏ ସେଇଟା । ଖୋଲି କହିଦେଲେ ପାପର ମାତ୍ରାଟା ଯେମିତି କମିଯାଏଁ ।

 

ଭାଗୁ ମହାନ୍ତି କି ସେ କଥାବି କହେ ନାହିଁ । ତଥାପି ତା’ର ଡର ହୁଏ । ଭାଗୁ ମହାନ୍ତିର ଛାଇ ପଡ଼ିଲେ ସେ ଚମକି ପଡ଼େ । ଭୂତକୁ ଡରି ମଣିଷ ସମସ୍ତଙ୍କ ଆଗରେ ନ କହିବା ଯାଏଁ ମଣିଷ ଯେମିତି ଶାନ୍ତି ପାଏ ନାହିଁ, ରତନୀ ସେମିତି ନିଧିଆ ବୋଉ ଆଗରେ ନ କହିଲେ ଥୟ ଧରି ରହିପାରେ ନାହିଁ । କିମିତି ରହିବ ? ଏଇ ନିଧିଆ ବୋଉ–

 

କେତେ କଥା ନ କହିଚି ସେ ତା’ ଆଗରେ । କେତେ କଥା ନ ଜାଣେ ସେ । କେତେ କଥା ଅଙ୍ଗେ ନ ନିଭେଇଚି ସେ । ତା’ର ରୋମ ଗୋଟିକେ ଘଟନା ଗୋଟିଏ ତା’ ଜୀବନର । କେତେ କହିଚି–ଆଉ କେତେ ଅକୁହା ରହିଚି । ଯାହା କହିଚି ତା’ଠୁ ଯେମିତି ରହିଚି ଢେର୍ ବେଶି । ଯାହା ଜୀବନ, ପୋଥି ପୁରାଣ ପରି ଏଡ଼େ ଗହନ, ପୁଣି ଏଡ଼େ ମନଲଗା ତା’ ଆଗରେ ଲୁଚେଇ ହବ କିମିତି ଏଇ ଛୋଟ ଛୋଟ କଥାଗୁଡ଼ାକ । ଲୁଚେଇ ପାରିବ କିମିତି ମଣିଷ ! ଲୁଚେଇଲେବି ତା’ ଜାଣିନବ ସେ ।

 

ଏଇ ନିଧିଆ ବୋଉ–

 

କିଏ ଅଛି ତା’ର ? ପୁଅ ବୋଲି ସେଇ ବକଟେ । ତା’ର ବା କି ପୁଅ ? ପାଳକ ପୁଅ, କି ଛୁଆ ବୋଲି କି ଛୁଆ–ବେଧ ଛୁଆ କି ଗଧଛୁଆ କିଏ ଜାଣେ । କି ଜାତି ବୋଲି କି ଜାତି । ଜାତି ପତିରୁ ତା’ର କି ଯାଏଁ ।

 

ସେଦିନ ସେ ସଫା ସଫା କହିଲା–ଜାତି ? କି ଜାତି ? ମୋର କି ଜାତି ? ମୋତେ ଗାଁଯାକ ସମସ୍ତେ ମିଳି ଜାତିରୁ କାଢ଼ି ଦେଇଚନ୍ତି । ମୁଁ ବି ସେମିତି ଗାଁଯାକକୁ ଜାତିରୁ କାଢ଼ି ଦେଉଚି-। ତଫାତ ଏତିକି, ମୁଁ ମୋ ଜାତି ନେଇ ପଡ଼ିଥାଏ–ଗାଁ ଆଗକୁ ଭଲମନ୍ଦରେ ଧାଏ ନାହିଁ-। ଆଉ ଗାଁର ଅଧେ ତିନିପା ଲୋକ ଏଇ ଅଜାତି ପାଖକୁ ଦଇଡ଼ି ଆସନ୍ତି । ଜାତି ମାରୁଛନ୍ତି ? ଦେଖି ନାହିଁ ୟାଙ୍କ ଜାତି । କାହାର ଜାତି ଅଛି ? କିଏ ଜାତି ନ ମାରିଛି ? ଆଉ ମୁଁ ରାଣ୍ଡ ମାଇପିଟିଏ ବୋଲି ମୋର ଦିହରେ ଅଠା ଲାଗି ଯାଇଚି । ଛୋଟୀ ବିରାଡ଼ି ଅସରପାକୁ ବାଇ । ପଇସାବାଲା, ଥିଲା ଘର ଲୋକେ, ଇଞ୍ଜିମିଞ୍ଜି ପଢ଼ୁଚନ୍ତି, ସହର ବଜାରରେ ପଠାଣ ଚମାରଙ୍କଠୁ ଖାଉଚନ୍ତି, ତାଙ୍କ ଜାତି ଯାଉନାହିଁ–ସେ ଆସିଲେ, ଗାଁରେ ହେବେ ମୁଖିଆ, ବାହ୍ମୁଣ ପାଖରୁ ସାଆନ୍ତ ଯାଏଁ ସମସ୍ତେ ମାରିବେ ମୁଣ୍ଡିଆ ତାଙ୍କୁ–ପାଣ ପଠାଣ କିରସ୍ତାନ ଯାଏଁ ହଉ, ଦି ଅକ୍ଷର ବଙ୍କା ପାଠ ପଢ଼ି ଯିଏ ଆସିଲା–ତା’ ଗୋଡ଼ତଳେ ପଡ଼ିଯିବେ, ତା’ ଜୋତା ଧରିବେ, ଅଇଁଠା ଚାଟିବେ–ସମସ୍ତେ–ସେତେବେଳକୁ ଜାତି ଯାଏଁ ନାହିଁ–ଆଉ ମୁଁ ମାଇପିଟିଏ ବୋଲି, ନିଆଶ୍ରୀ ବୋଲି, ମୋର କେହି ନାହିଁ ବୋଲି, ଗୋଟିଏ ଅରକ୍ଷ ବେଡ଼ଆରସୀ ଛୁଆଟିଏ ଆଣି ପାଳିଲି ବୋଲି ମୋ ଜାତି ଚାଲିଗଲା-। ମୁଁ ଏ ଗାଁଯାକ ସମସ୍ତଙ୍କ ଜାତି ନ ନେବି କାହିଁକି ?’’

 

ଜାତି ନବାପାଇଁ ସେ ସିନା ଧମକ ଦେଲା, କିନ୍ତୁ ଜାତି ସେ ଅନେକଙ୍କର ନେଇଚି–ଏ ଗାଁରୁ । ସେ ନିଜେ ଥରେ ହସି ହସି ଖିଆସରେ କହିଲା–‘‘କାହା ଜାତି ନ ମାରିଚି ମୁଁ ।’’

 

ହଁ, ଏଇ ନିଧିଆ ବୋଉ । କାହା ଜାତି ନ ମାରିଚି ସେ । ଗାଁର ସବୁଯାକ ବଡ଼ବଡ଼ିଆ, ବଡ଼ପଣ୍ଡା, ଯିଏ ଜାତି ଜାତି କରି ଛାତି ଫୁଲାଇ ଚାଲନ୍ତି, କୁଳ ମର୍ଯ୍ୟାଦାକୁ ମୂଳ କରି, ଜନମକୁ କରମ ବୋଲି କହି ସମାଜରେ ବାହା ହଲେଇ ଚାଲନ୍ତି–ଛୋଟ ଜାତି ଇତର ଜାତି ବୋଲି କହି କହି ସମସ୍ତଙ୍କୁ ନାକ ଟେକନ୍ତି–ତାଙ୍କର ସେ ବଡ଼ ଜାତି, ବଡ଼ପଣିଆ କୋଉଠି ଥାଏ !

 

ଜାତି ? ଜାତି ଅଛି ପୁରୁଷ ପୁଅର ଅଣ୍ଟି ଭିତରେ । ସେଦିନ ନିଧିଆ ବୋଉ କେତେ ଦମ୍ଭରେ କହିଲା ଏ କଥା । ଛୋଟ ଜାତିକି ବଡ଼ ଜାତି କରୁଚି ଏଇ ଟଙ୍କା–ଆଉ ବଡ଼ ଜାତିକି ଛୋଟ ଜାତି କରୁଚି ଏଇ ଟଙ୍କା । ମାଇପେ ଯଦି ଟଙ୍କା କମେଇ ପାରିବେ, ତେବେ ତାଙ୍କ ଜାତି ଏଡ଼େ ସହଜରେ ଯିବ ନାହିଁ । ବାଉରି ପଡ଼ା ନାହାକ ଘର ଗରିବ ହେଇଗଲେ । ସେଦିନ ପୁଣି ତାଙ୍କ ପୁଅ ବାହା ହେଲା ଖଣ୍ଡାଇତ ଘରେ । କହିଲେ କହୁଚନ୍ତି–ସେ ଖଣ୍ଡାଇତି କାହିଁକି ହେବେ–ମହାଲାୟକ କେତେ ମହାଲାୟକଙ୍କ ଘରେ ବନ୍ଧୁ କରିଛନ୍ତି । ସତକଥା ହଉଚି–ଖଣ୍ଡାଇତବି ନୁହେଁ–ନିପଟ ମୁଣ୍ଡି ଚଷା । ନିର୍ଘାତ ଚଷା ଘରେ ବନ୍ଧୁ କରି ପକେଇଲେ । ୟାଙ୍କର ପୁଣି ପୁଅ । ପୁଅକୁବି କନିଆ–ମିଳିଲା ନାହିଁ, ଆପଣା ଜାତିରେ ଝୁଅ କଥା ଛାଡ଼ ।

 

ଆଉ ଭୁୟାଁ ଘର କଥା କିଏ ନ ଜାଣେ ! ଭୁୟାଁରୁ ମହାପତ୍ର ମହାପାତ୍ରରୁ ରାୟ ମହାପାତ୍ର । ଏଇକ୍ଷଣି କିଏ ଖାଲି ରାୟ ବୋଲଉଚି କ’ଣନା–ଆମେ କ୍ଷେତ୍ରି । ବଡ଼ ପଇସା । ବଢ଼ନ୍ତେ କ୍ଷେତ୍ରି, ଛିଡ଼ନ୍ତେ ଚଷା । ଏଇ ପଇସାର କାରସାଦି । ପଇସା ହେଲେ ବାଘ ଆସି ପିଠି ପତେଇ ଦବ । ରଜାଘର ଆସି ବନ୍ଧୁ କରି ଚାଲିଯିବେ–ଭୁୟାଁ ଘରେ କଲେ ତ । ମଉସା–ଜଡ଼ ପଇସା ।

 

ଏଇ ପଇସା–ନିଧିଆ ବୋଉ ଦିନେ କହିଲା–ଜାତି ଦିଏ ଆଉ ଜାତି ନିଏ । ଜାତି ନେଇ ସାରି, ଅଜାତିଆ ଫମ୍ପା ମଣିଷଟାକୁ ପୁଣି ଜାତିଆ ପୋଷାକରେ ସଜେଇ ଗୁଜେଇ ଇମିତି ତାରିଫ କରି ଠିଆ କରିଦିଏ ଯେ, ଜାତି ନାହିଁ ବୋଲି କିଏ କହିବ ? ଜାତି ଅଛି ଏଇ ପୋଷାକରେ–ଏଇ ଫେଶନରେ । ଜାତି କ’ଣ ଆଉ କୋଉଠି ଥାଏ । ତମେ ଆମେ ହାଟୁଆ ବାଟୁଆ ଇତର ଜାତି କାହିଁକି ? ପୋଷାକ ନାହିଁ–ଫେଶନ ନାହିଁ ବୋଲି–ଟଙ୍କା ପଇସା ଆମକୁ ଭଲ ପିନ୍ଧେଇ, ଭଲ ସଜେଇ ବାହାରକୁ ଦେଖେଇ ହବାକୁ ଛାଡ଼ି ଦେଇ ନାହିଁ ବୋଲି । ଭିତରେ କୁକୁଠୁବି ହୀନ ହେଇ ବାହାରେ ବାବୁ ବୋଲି ଆପଣାକୁ କହି ପାରିବାର ସାହସ ନାହିଁ ବୋଲି ।

 

ସାହସ କିମିତି ହବ ? ପଇସା ହେଲେ ସବୁ ହବ–ଆଉ ସେ ବାବୁଆନି ପାଠ ଦି’ ଅକ୍ଷର । ସେ ବି ପଇସା ହେଲେ ହବ–ନ ହେଲେ ନାହିଁ ।

 

ନିଧିଆ ବୋଉ କଥା ସବୁ ଭାଗବତର ଶୁକ ପରୀକ୍ଷିତ୍ ସମ୍ୱାଦ ଭଳି । ନିଧିଆ ବୋଉ ଏତେ କଥା ଜାଣିଲା କୋଉଠୁ ? କ’ଣ ନିଧିଆ ବୋଉ ପରି ହେଲେ ସବୁ ମାଇପେ ଏତେ କଥା ଜାଣିପାରିବେ । ଆଚ୍ଛା, ନିଧିଆ ବୋଉ ଅଧିକା କ’ଣ ହେଇଚି ? ହେଇନାହିଁ କ’ଣ ? ଡର ବୋଲି ତା’ ପାଖ ଛୁଇଁ ନାହିଁ । ଡର ତା’ର ଭାଙ୍ଗିଲା କମିତି ?

 

ନିଧିଆ ବୋଉ ଥିଲା ଅଜାତି । ନିଧିଆ ବାପ ଜୁଆନ୍ ଥିଲାବେଳେ ୟା ପ୍ରେମରେ ପଡ଼ିଲା । ପଡ଼ିବା କଥା, ନିଧିଆ ବୋଉ ଏବେବି–ଏ ବଅସରେ କେଡ଼େ ସୁନ୍ଦର ସତେ ! ବୟସ ଚାଳିଶ ପାରି ହୋଇ ଗଲାଣି । ତଥାପି ସେ ବହୂଟିଏ ଭଳି ବେଳେ ବେଳେ ଦିଶିଯାଏଁ । କହୁଥିଲା, ଆଗରୁ ଦିହ ଆହୁରି ମୋଟାମୋଟି ଥିଲା ଏବକୁ ଝଡ଼ି ଗଲାଣି । ଝଡ଼ିଯିବା କଥା । ବଅସ ତ ପୁଣି ଯାଉଚି କାହାର ରହୁଚି ବୟସ ।

 

ନିଧିଆ ବାପ ଥିଲା କରଣ । ଖାନ୍‍ଦାନ୍ ଘର ପିଲା । ପଟ୍ଟନାହାକ ପଡ଼ାରେ ତା’ ଘର । ଆଜିବି ତା’ର ସେ ଘର ଅଛି, ତା’ ବାପ ଗୋସାଇଁବାପଙ୍କ ଡିହରେ । କାନ୍ଥଡ଼ା ହେଇ ଠିଆ ହେଇଚି ତିନିପାଖ । ପାଖକରେ ଅଛି ତା’ରି ବଅଁଶରେ ତା’ ଭାଇର କିଏ ପୁଅ କି ପୁତୁରା ହବ–ଏବେବି ବଞ୍ଚିଛି ସେ କୁଳରେ ବତି ହେବାକୁ ।

 

ନିଧିଆ ବୋଉ ଚାଷୁଣୀ । ଚଷାଘର ଝୁଅ । ହେଲେ କ’ଣ କି ଗୋରା ସେ । ବୟସ ବେଳରେ କେଡ଼େ ତୋରା ଦିଶୁନ ଥିବା । ନିଧିଆ ବାପ ତା ରୂପରେ ଭଲିଯିବା ଇମିତି କି ବିଚିତ୍ର କଥା କି !

 

ନିଧିଆ ବୋଉ ଚାଷୁଣୀ । ଚଷାଘର ଝୁଅ । ହେଲେ କ’ଣ କି ଗୋରା ସେ । ବୟସ ବେଳରେ କେଡ଼େ ତୋରା ଦିଶୁ ନଥିବ । ନିଧିଆ ବାପ ତା’ ରୂପରେ ଭଳିଯିବା ଇମିତି କି ବିଚିତ୍ର କଥା କି !

 

ନିଧିଆ ବୋଉ କପାଳରେ ଧାନକୁଟିବାର ଥିଲା, କୁଟୁଛି । ପେଟ ପୋଷୁଛି । ବାପ ଘରବି କେହି ପଚାରନ୍ତି ନାହିଁ । ନିଧିଆ ବୋଉ ତାଙ୍କ ଝିଅ ବୋଲି ଚିହ୍ନାବି କେହି ଦିଅନ୍ତି ନାହିଁ । ବନ୍ଧୁ ସମ୍ପର୍କ ରହିବ ବା କିମିତି !

 

ଏ ଜାତି କାହିଁକି ରହିବ ? ନିଧିଆ ବୋଉ ସେଦିନ କହିଲା, ଯେଉଁ ଜାତି ବାପ ମାଙ୍କ ପେଟରୁ ମମତାକୁ କାଢ଼ି ଟିକିଟିକି କାଟି ଫିଙ୍ଗି ଦିଏ, ଯେଉଁ ଜାତି ଭାଇକି ଭଗାରି କରି ଠିଆ କରିଦିଏ, ସେ ଜାତିକି ପୁଣି ଏତେ ଖାତିର । ଛି ! ଥୁ ! ଧିକ ସେ ଜାତି, ଜାତି ବଡ଼ ହୋଇଗଲା । ରକତର ଭାଇ ଭଉଣୀ, ପୁଅ ଝିଅ ସମ୍ପର୍କ ତୁଟିଗଲା ?

 

ନିଧିଆ ବୋଉର ଜାତି ନାହିଁ–ପତି ନାହିଁ–କିଛି ନାହିଁ !

 

ପ୍ରତିବର୍ଷ ଏଇ ମାଘ ଏକାଦଶୀକି ତିନିଦିନ ଧରି ଚବିଶ ପ୍ରହରୀ କୀର୍ତ୍ତନ ହୁଏ, ତାଙ୍କ ଗାଁରେ । ଦଳଦଳ ତାଇଫା ତାଇଫା କୀର୍ତ୍ତନ କରି ଆସନ୍ତି କେତେ କେତେ ଗାଁରୁ । ସମସ୍ତଙ୍କୁ ନିମନ୍ତ୍ରଣ ଯାଏଁ । ଦାସଙ୍କ ଘର ସେଥିରେ ଥାନ୍ତି ମୁଖିଆ । ଗାଁଯାକ ସମସ୍ତେ ଚାନ୍ଦା ଦିଅନ୍ତି । ଦାସଙ୍କ ଘର କୁଳାଣ ଅକୁଳାଣ ସବୁ ତୁଲାନ୍ତି । ତିନିଭାଇରେ ଗୋଟିଏ ଭଉଣୀ ନିଧିଆ ବୋଉ । ବୁଢ଼ା ଦାସ ବଞ୍ଚିଥାଏ । ବୁଢ଼ୀବି । ନିଧିଆବୋଉ ସେତେବେଳକୁ ଯୁବତୀ ।

 

ନିଧିଆ ବାପ ପଟ୍ଟନାହାକପଡ଼ା କୀର୍ତ୍ତନ ଦଳର ଗାହାଣ । କେଡ଼େ ସୁନ୍ଦର କଣ୍ଠଥିଲା ତା’ର । ନିଧିଆବୋଉ କହେ । ସକାଳୁ ସେ ଯେତେବେଳେ ପ୍ରଭାତୀ ବସେଇ ଦବ–ନିଧିଆ ବୋଉର ନିଦ ଭାଙ୍ଗିଯାଏ–ନିଦ ଆଗରୁ ଭାଙ୍ଗି ଯାଇଥାଏ–କାନ ଖାଲି ଘୋଳେଇ ପଡ଼ିଯାଏ ସେଇ ସ୍ୱରକୁ ଅନିସା କରି । ସେଇ ଅଧୁଆମୁହଁରେ ସେ ଆସି ନିଧିଆବାପକୁ ଚାହେଁ । ଠାକୁରକୁ ଦଣ୍ଡବତ କରେ ସେଇ ଦୂରରୁ । ତା’ ଆଖିରୁ ଲୁହ ଝରିପଡ଼େ । ସତେ ଯେମିତି ପାହାନ୍ତି ପହରର କେଉଁ ଦେବତା ଉଠିଆସନ୍ତି ବାସିଶେଯରୁ, ଯିଏ ରାତିଦିନ କରୁଚନ୍ତି ତାଙ୍କରି ପାଦରେ ଲୋଟି ହୋଇ ପଡ଼ିବାକୁ । ଅନ୍ଧାରର ଛାତି ଫାଟିଯାଏ । ପବନରେ ଦିହ ଥରିଉଠେ । ଉଠୁଥିବ । ଫାଟି ଯାଉଥିବ । ନିଧିଆବାପର କଣ୍ଠ ହେଇ ଯାଉଥିବ ଗମ୍ଭୀର, ନିଧିଆ ବୋଉର ଛାତି ଅବଶ–ଅଦମ୍ଭ ।

 

ଦଳଦଳ ହେଇ କୀର୍ତ୍ତନବାଲା ଆସନ୍ତି । ଜଣ ଜଣଙ୍କ ଘରେ ଗାଁ ଭିତରେ ବାଣ୍ଟି ହେଇ ରହନ୍ତି । ଖାଆନ୍ତି ସମସ୍ତେ ଠାକୁର ବାଡ଼ିରେ । ପଟ୍ଟନାହାକ ପଡ଼ାର କରଣଯାକ ରହନ୍ତି ସବୁଦିନେ ଦାସଙ୍କ ଘର ଚଉପାଢ଼ିରେ । ଦାସଙ୍କ ଘର ବଡ଼ ଚାଷୀଘର । ଅମାର ମରେଇ ବସିଚି । ସେ ଗାଁର ମୁଖିଆ ସେଇ । ଭଲମନ୍ଦ ତାଙ୍କର ପାଖରେ ପଡ଼େ ।

 

ପଟ୍ଟନାହାକପଡ଼ା କରଣ ସାଆନ୍ତଙ୍କ ଚର୍ଚ୍ଚା ଦାସଙ୍କ ଘର ଛଡ଼ା ଆଉ କିଏ କରନ୍ତା ! ନିଧିଆବାପ ପଟ୍ଟନାହାକପଡ଼ା ଦଳର ଯେତେ ଟୋକା ଅଛନ୍ତି, ସଭିଙ୍କଠୁ ଭଲ ଗାଏ–କାହିଁକି, ଯେତେ ତାଇଫା ଆସନ୍ତି ସମସ୍ତଙ୍କ ଭିତରେ ସରସ ବାହାରିବ ସେ । ଶିରୀଗାହାଣ ଜଣେବି ଥାଏ ପଟ୍ଟନାହାକପଡ଼ା ଦଳର–ବୁଢ଼ା । ଗାଇବାର କାଇଦା ଜାଣେ । ଢୋଲ ପିଟିଦେଲା ପରି ଗଳା । ତଥାପି ତା’ ଦିହରେ ଗୋଟେ ସଜାଉଟୀ ପରଖ ଥାଏ, ଶୁଣିବାକୁ ମନ୍ଦ ଲାଗେ ନାହିଁ–ଭଲ ଲାଗେ । ବଡ଼ ଭଙ୍ଗୀରେ ଗାଏ ବୁଢ଼ା । ସେ ନିଧିଆ ବାପାକୁ ବଡ଼ ଭଲପାଏ । ସମସ୍ତେ କହନ୍ତି, ନିଧିଆବାପ ତା’ରି ଚାଟ ।

 

ବରଷେ ନୁହେଁ ଅଧେ ନୁହେଁ; ବରଷ ବରଷ ଧରି ନିଧିଆ ବାପକୁ ନିଧିଆ ବୋଉ ଦେଖିଛୁ । ଭୋଗ ଦେଇଚି–ପାନ ପରଷିଛି–ପାଣିଦେଇଛି ପିଇବାକୁ–ଛୁଆଟି ବେଳୁ । ଯୁବତୀ ହେଲାରୁ, ଘରେ ରହିଲାରୁ ଯାଇ ସିନା ସଙ୍କୋଚ ହେଲା–ବାହାରକୁ ନ ଆସି କବାଟ ଫାଙ୍କରୁ ଚାହେଁ । ନିଧିଆବାପ ଯେମିତି ସବୁବେଳେ ସେଇ କବାଟ ଫାଙ୍କକୁ ଚାହିଁ ବସିଥାଏ–କେତେବେଳେ ଆଉ ନିଦକରେ ଦେଖିବାର ବାଟ ନ ଥାଏ ନିଧିଆ ବୋଉର । ଯେତେବେଳେ ଚାହିଁବ ସେତେବେଳେ ନିଧିଆବାପଟା ଯିମିତି ଜଳଜଳ କରି ଅନେଇଚି । ଛି, କେଡ଼େ ଝଅଟ ସେ ।

 

କୀର୍ତ୍ତନ ସରିଗଲେ–ଖୋଳ କରତାଳର ଝାଉଁ ଝାଉଁ ଶବଦଟା ଦିନେ ଦି’ଦିନ ଯାଏଁ ଯେମିତି କାନ ଭିତରେ ବାଜୁଥାଏ, ନିଧିଆ ବାପର ରୂପଟାବି କେତେ ଦିନଯାଏଁ ତା’ ଆଖି ଆଗରେ ନାଚେ । ଧୀରେ ଧୀରେ ହଜିଯାଏ । ପୁଣି ଚାଲିଯାଏ ବରଷେ । ନିଧିଆବାପ କେଡ଼ୁଟେ ହେଇଯିବଣି, କେଡ଼େ ସୁନ୍ଦର ଦିଶିବଣି, କେଡ଼େ ମିଠା, ଆହୁରି ମିଠା ଗଳାରେ ଗାଇବଣି । ନିଧିଆବୋଉ ଅନେଇ ବସିଥାଏ । ପୁନେଇଁ ପରବ ଆସିବା କେଇଦିନଠୁ ଯେମିତି ହେଇ ଆସିବ ଆସିବ ବୋଲି ଛାତିରେ ଗୋଟାଏ ଆନନ୍ଦର ଛନକା ପଶିଯାଏ । ଚବିଶ ପ୍ରହରୀ କୀର୍ତ୍ତନ ଆସିବାର ଆଶା ସାଙ୍ଗରେ ନିଧିଆବାପାର ବିଜେ ହେବାର ବରଣୀ ସୁଖଟାକୁ ସପନ ଦେଖିବାର ସେମିତି ଗୋଟାଏ ଚମକବି ନିଧିଆବୋଉର ହୃଦ୍‍କୁ ହନ୍ତାଳି ପକାଏ ।

 

ଏମିତି ଦି’ବରଷ ତିନିବରଷ ଗଲା । ନିଧିଆବୋଉର ସେଇ ବରଷ ବାହାଘର ହୋଇଥାନ୍ତା । ସବୁ ଠିକ୍‌ ହୋଇଯାଇଥିଲା–ଆସନ୍ତା ବୈଶାଖରେ । ସେ ବରଷ କି ଦୁର୍ଯୋଗରେ ସେ କୀର୍ତ୍ତନ ଆରମ୍ଭ ହେଲା କେଜାଣି !

 

ପହିଲୁଦିନ ଅଧିବାସ । କୀର୍ତ୍ତନ ସରୁ ସରୁ କେତେ ରାତି ହେଇଗଲା । ନିଧିଆବାପ କୀର୍ତ୍ତନ ଧରିଥିଲା, ହଠାତ କାଶ ଉଠେଇଲା । ସେତେବେଳକୁ ଘରେ ମାଇପେଯାକ କିଏ କେମିତି ଶୋଇ ଗଲେଣି । ଏକା ଚାହିଁଥାଏ ନିଧିଆବୋଉ–ଆଉ ତା’ ସାଙ୍ଗରେ ବସିଥାଏ ରାଣ୍ଡ ସପନି ବୋଉ । ସପନିବୋଉ ତାଙ୍କ ଘରେ ବୋଲହାକ କରେ । କାମ କାର୍ଯ୍ୟ ଦିନେ, ଭଲମନ୍ଦ ହେଲେ ତାଙ୍କ ଘରେ ରହିଯାଏ–ଗଣ୍ଡେ ଖାଇ ଦେଇ ରାତିରେ ଶୋଇ ପଡ଼ିବା କଥା । ପୋଖରୀ ଘାଟକୁ ଗଲେ ନିଧିଆବୋଉ ସାଙ୍ଗରେ ସେ ଯାଏଁ । ଦରବୁଢ଼ା ମାଇପଟା । ତା’ର ଗୋଟେ ଗୁଣ–ସେ ସବୁବେଳେ ହସୁଥିବ । ନିଧିଆ ବୋଉକୁ ଭାରି ଥଟ୍ଟା କରେ । କେତେ କଥା କହେ । କେତେ କଥା ଶୁଣାଏ । କେତେକଥା ଶିଖାଏବି । ଲାବଣ୍ୟବତୀରୁ ପଦଗାଏ । ବିଦଗ୍ଧଚିନ୍ତାମଣିରୁ ଛାନ୍ଦ ଛନ୍ଦେ ।

 

ହଠାତ କାଶ ଉଠେଇଲା ନିଧିଆ ବାପର । କାଶି କାଶି ବେଦମ୍ ହେଇ ପଡ଼ିଲା । ଆଉ ଗାଇ ପାରିଲା ନାହିଁ । ଜଣେ କିଏ ଡାକିଲା–ପାଣି ପାଣି ! ପାଣି ପାଖରେ ନଥିଲା । ସେ ଉଠିଗଲା ଦାସଙ୍କ ଦୁଆରମୁହଁକୁ । ଯେମିତି ନିଧିଆବୋଉ ତଣ୍ଟିରେ ନାଗିଚି । ସେ ଉଠିଯିବାକୁ ମନ କରୁଥିଲା, ଉଠିପାରୁ ନଥିଲା–କେତେ ଜୋର୍‌ରେ କାଶଟା ଛାତି ଫାଟିଯିବ ନାହିଁ ତ ! ସପନୀବୋଉ ଉଠିଗଲା ପାଣି ଆଣିବାକୁ । ନିଧିଆ ବୋଉ ଦମ୍ଭଧରି ଗଲା ତା’ ପଛେ ପଛେ । ପାଣି ଘେନି ଦିହେଁଯାକ ଆସିଲେ । ନିଧିଆବାପ ସେତେବେଳକୁ ଦାଣ୍ଡ ଦୁଆରକୁ ଟପି ଚଉପାଢ଼ି ପାରି ହେଇ ଦାଣ୍ଡ ପରସ୍ତ ଅଗଣା ଅଧାଅଧିରେ ଆସି ହେଲାଣି ।

 

ଘର ଦି’ ପରସ୍ତ । ଭିତର ପରସ୍ତରୁ ବାହାରିବାକୁ ଯେଉଁ ଦୁଆର, ତା’ର ସାମନା ବାହାରେ ଠିଆ ହେଇଚି, ନିଧିଆ ବାପ ତା’ପରେ ଚଉପାଢ଼ି । ସେଇ ଚଉପାଢ଼ିରେ ପଟ୍ଟନାୟକ ପଡ଼ା କୀର୍ତ୍ତନିୟା ରହନ୍ତି । କେହି ନଥିଲେ ସେତେବେଳେ ସେଠି । ସମସ୍ତେ କୀର୍ତ୍ତନପାଖରେ ଥାଆନ୍ତି । ତାଙ୍କରି ପାଳି ପଡ଼ିଥାଏ । ଚଉପାଢ଼ିର ଗୋଟେ କଡ଼କୁ, ଦାଣ୍ଡରୁ ଆସିଲାବେଳକୁ ଡାହାଣ ଘରୁ ବାହାରିଲେ ବାଆଁ ହାତି ଦୁଆର ପଡ଼ିବ–ଦାଣ୍ଡ ଦୁଆର–ଖୁବ୍‌ ଲମ୍ୱ ଚଉଡ଼ା । ଚଉପାଢ଼ିଟା ଟିକିଏ ଉଚ୍ଚ । ଦୁଆର ବାଟେ ଯିବାପାଇଁ ରାସ୍ତାଟା ଅଳପି ନୀଚା । ସେଇଟି, ଦୁଆରମୁହଁରେ ବନ୍ଧକୁ ଛାଡ଼ି ସପ ପକେଇ ମାଇଯେ ବସି ଦାଣ୍ଡ ହୋରି, ମେଳନ ଯାତ୍ର, ସଂକୀର୍ତ୍ତନ ସବୁ ଦେଖନ୍ତି । ସେଇଠି ବସି ନିଧିଆ ବୋଉ ସପନୀ ମା କୀର୍ତ୍ତନ ଦେଖୁଥିଲେ ।

 

ନିଧିଆବାପ ଆସି ଘର ଭିତରେ ବାହାର ଅଗଣାରେ ଥାଇ କାଶୁଥାଏ । ଘର ପରସ୍ତରେ କଳି ଲାଗିଥାଏ, ନିଧିଆ ବୋଉ ଆଉ ସପନୀ ବୋଉ ଭିତରେ । ଏ ଠେଲୁଥାଏ ତାକୁ, ସେ ଠେଲୁଥାଏ ୟାକୁ । ନିଧିଆ ବୋଉ ହାତରେ ଥାଏ ପାଣି ଗିଲାସ । ତେଣେ କାଶି କାଶି ଅଥୟ ନିଧିଆ ବାପ ।

 

ନିଧିଆବାପ, ନିଧିଆ ବୋଉ ହେଇ ନଥାନ୍ତି ସେତେବେଳକୁ । ନିଧିଆ ବାପ ତ ସେ କେବେ ହେଇ ନାହିଁ । ନିଧିଆ ଆସିଲା, ନିଧିଆ ବାପ ମଲାର ଦି’ ତିନି ବର୍ଷକେ । ଗୋଟାଏ କଥାକୁ ପଡ଼ିଚି । ନାଆଁ କ’ଣ କେଜାଣି–ମନେ ନାହିଁ । ନିଧିଆ ବୋଉର ଗିରସ୍ତ, ସେଥିପାଇଁ ନିଧିଆ ବାପ ।

 

ନିଧିଆ ବାପ ବୁଝିପାରି ପହିଲୁ ମୁହଁ ଖୋଲିଲା–‘‘ଏମିତି ଲାଜକଲେ ଚଳିବ ?’’

 

ଏକଥା ପରେ ନିଧିଆବୋଉ ଆଉ ଠିଆ ହେଇ ରହି ପାରିଲାନାହିଁ । ପାଣି ଗିଲାସକ ଧରି ବାହାରି ଆସିଲା । ବଢ଼େଇ ଦେଲା ନିଧିଆବାପ ହାତକୁ । ସପନୀବୋଉ କିରି କିରି କରି ହସି ପକେଇଲା । ପଳେଇଲା ଘର ଭିତରକୁ । ବୁଢ଼ୀ ମାଇପିଟା । କି ବେସରମ ।

 

ଏକା ପଡ଼ିଗଲା ନିଧିଆ ବୋଉ । ଏ ସୁବିଧା ଆଉ ଛାଡ଼ୁଛି କିଏ ? ନିଧିଆବାପ କେମନ୍ତେ କହିଲା–ଅନେକ କଥା ଅଛି–ବେଳହେଲେ କହନ୍ତି ।

 

ମିଣିପେଗୁଡ଼ାକ ବଡ଼ ସାହସୀ । ସେ ଟିକିଏ ଆଗ ସାହସ ଦେଖେଇଲେ–ମାଇପେ ତେଣିତି କମ୍ ସାହସୀ ହୁଅନ୍ତି ନାହିଁତ ! କ’ଣ ନକଲା ନିଧିଆ ବୋଉ । କି ସାହସ ତା’ର !

 

ନିଧିଆବୋଉ ପଳେଇଥିଲେ ରକ୍ଷା ପାଇ ଯାଇଥାନ୍ତା । ସେ ଘରକୁ ନଯାଇ ସେଇଠି ସେମିତି ଠିଆ ହୋଇଥାଏ । ମନଟି ତ ଥାଏ ଶୁଣିବାପାଇଁ–ଯାଉଚି କିମିତି ।

 

‘‘କାଲି ରାତିରେ ଏତିକିବେଳକୁ–ସମସ୍ତେ ଶୋଇ ପଡ଼ିଥିବେ–କହିବି ।’’

 

ନିଧିଆ ବାପ କହିଲା । ନିଧିଆବୋଉ ତେବେବି କାଠ ପିତୁଳାଟାପରି ସେମିତି ଠିଆ ହୋଇ ଶୁଣୁଛି । କି–କହିଲାନାହିଁ–ବାଡ଼ୁଅ ଝୁଅଟା ସାଙ୍ଗରେ ରାତିଅଧରେ ଏକୁଟିଆ କି କଥା ! ଦୋଷ କ’ଣ ଖାଲି ନିଧିଆବାପର !

 

ନିଧିଆବାପର ଆହୁରି ସାହସ ବଢ଼ିଲା । କହିଲା–‘‘କୋଉଠି କହିବି ? ଅନେକ କଥା–କେତେବେଳ ଲାଗିବ । ଏଠି ସୁବିଧା ହେବ ନାହିଁ । କିଏ ଦେଖିବ ।’’

 

ଆଉ ନିଧିଆ ବୋଉ ! ନିଧିଆବୋଉ ଆଉ ଥାଏ କୋଉଠି । ସେ ନିଜଭିତରେ ଥାଏ ଯେ ଜୋର୍ କରି ଧମକେଇ ଦେଇ କହିବ–ଏସବୁ କି କଥା କହୁଚ ? ଚୁପ୍‌ । ତା’ ହେଇଥିଲେ ନିଧିଆବୋଉକୁ ଚୁପ୍‌ ନ ହେଇ ତା’ ବୁପାର ଚାରା ଥିଲା ? ଓଲଟ ନିଧିଆ ବୋଉକୁ ସୁଖ ନାଗୁଥିଲା ଶୁଣିବାକୁ ।

 

ନିଧିଆବାପ କହିଯାଉଥାଏ–‘‘ମୁଁ କାଲି ଏତିକିବେଳକୁ ତମ ବାଡ଼ି ପଛପଟ କିଆବୁଦା ମୂଳେ ଜଗିବସିଥିବି । ସେଠିକି କିଏ ଯିବ ? କେହି ଯିବେ ନାହିଁ, ନୁହେଁ ? ଖୁବ୍‌ ନିରୋଳା ଥାନ–’’

 

ସରିଗଲା ସରିଗଲା । ନିଧିଆବୋଉ ହାତର ଖଡ଼ୁ ଶୂଳେଇ ହେଲାନାହିଁ କିଜାଣି । ଦେଇଥାନ୍ତା ସିନା ପାହାରେ–ପୁରୁଷପୁଅର ପୁରୁଷପଣିଆ ବାହାରି ଯାଇ ଥାଆନ୍ତା । ଘର ଭିତରେ ବସି ଝିଅବହୂଙ୍କ ଆଗେ ଛୋକାର କଥା କହିବ ।

 

ନିଧିଆବୋଉ ତୁନିପଡ଼ିଲା । ଅରାଜି ଜଣେଇଲା ନାହିଁ । ଆଉ ଥରେ ଭଲକି କଥାଟାକୁ ନିଷ୍ଠା ନିଧାର୍ଯ୍ୟ କରି ନେବାପାଇଁ ନିଧିଆବାପ କହିଲା–‘ନିଶ୍ଚେ ମୋ ରାଣଟି–ନ ଆସିଲେ ମୁଁ ମଲି ବୋଲି ଜାଣିବ–ମୋ ମୁଣ୍ଡ ଖାଇବ ।’

 

ଏତିକି କହି ନିଧିଆବାପ କୀର୍ତ୍ତନ କରିବାକୁ ଚାଲିଗଲା–ନା–କୀର୍ତ୍ତନ ଲଗେଇ ଦେଇ ଚାଲିଗଲା । ନିଧିଆବୋଉର ଛାତି ଖାଲି ଥରୁଥାଏ ସପନୀବୋଉ ଆସି ହଲେଇ ଦେଲା ପଛଆଡ଼ୁ–‘‘କିଲୋ ଖୁଣ୍ଟଟା ପରି ଠିଆହେଇଚୁ ଯେ ।’’

 

ସ୍ୱପ୍ନଟା ଭାଙ୍ଗିଗଲା । କେଡ଼େ ବଡ଼ ଗୋଟାଏ ଦୁଃସ୍ୱପ୍ନ । ସ୍ୱପ୍ନଟା ଭାଙ୍ଗି ଯିବାର ଆନନ୍ଦ ଆଉ ସ୍ୱପ୍ନଫଳର ଆଶଙ୍କାରେ ଭୟ କି ତା’ର ଠିକ୍‌ ଓଲଟା କାରଣରୁ ନିଧିଆବୋଉ ଗୋଡ଼ ନଡ଼ବଡ଼ ହେଉଥିଲା । ସପନୀବୋଉ ଆହୁରି ପଦେ ନଗେଇଦେଲା–‘‘କିଲୋ ? ପ୍ରାଣଟାକୁ ନେଇଗଲା କି ସେ ? ଖୋଜି ହଉଚୁ କାହାକୁ ମ !’’

 

‘‘ଧେତ୍‌, ସେ ମୋର ନିଆଁ ନା ଚୁଲି ନା ଗାତ ?’’

 

ନିଧିଆବୋଉ ସପନୀବୋଉ ଆଗେ ଲୁଚେଇଲା ମନେ ମନେ । ଆପଣାମନକୁ ସେ ଆଉ ଲୁଚେଇ ପାରିଲାନି । ନିଧିଆବୋଉ ରତନୀକି କହୁଥିଲା–ସେଇଦିନ–ସେଇ ଅଧିବାସ ଦିନ ତାଙ୍କ ପ୍ରଣୟରବି ହେଲା ଅଧିବାସ । ସେଦିନ ସେ ସଂକଳ୍ପ କଲା ମନେ ମନେ–ଯେଉଁକଥା ସେ ଆଗରୁ ଭାବିନାହିଁ କେବେ–ସେ କିଛି ନ ଭାବି ନଚିନ୍ତି ସଂକଳ୍ପ କଲା । ସଂକଳ୍ପ ସେ କ’ଣ କଲା, କେଉଁ କଥା ସଂକଳ୍ପ କଲା ଜାଣେ ନାହିଁ । ସଂକଳ୍ପ ତା’ର ଆପେ ଆପେ ହେଇଗଲା । ଅକୁହା, ଅବୁଝା ସଂକଳ୍ପ ।

 

ସତ୍ୟାନାଶର ସଂକଳ୍ପ–ଅପବାଦର ସଂକଳ୍ପ–କଳଙ୍କ ପଶରା ମୁଣ୍ଡେଇ ଦାଣ୍ଡ ଦାଣ୍ଡ ବୁଲିବାର ସଂକଳ୍ପ–ନିଧିଆବୋଉ ଜାଣି ନଥିଲା ।

 

ହଁ, ସୁଖପାଉଥିଲା ସେ ନିଧିଆବାପକୁ । ସେ ସୁଖ ପାଇବାରେ ପାଖାପାଖି ହେବାର କଳ୍ପନା ନଥିଲା । ସେଇଦିନଠୁ, ସେଇ ରାତିରେ ନିଧିଆବାପ କି କୁହୁକ ଲଗେଇ ଦେଲା କିଜଣି, କି ନିଶା ପେଇ ଦେଇଗଲା କିଜାଣି, ମନହେଲା, ମନଟା ଉଚ୍ଛନ୍ନ ହେଲା, ଅଝଟ ଧରିଲା, କିମିତି ସେ ଟିକିଏ ପାଖାପାଖି ହୁଅନ୍ତେ । ସେଦିନ ରାତିଯାକ ଆଉ ତା’ ଆଖିରେ ନିଦନାହିଁ । ତହିଁଆରଦିନ ଦିନଟା, ଖରା ଉଷୁମ ଦିନଟା ତା’ ବେକରେ ଝୁଲୁଥିଲା ପରି ଲାଗିଲା । ଦିନର ଆପଣା ଭାରିରେ ଦିନଟା ଛିଡ଼ି ପଡ଼ିଲା ତଳେ କେତେବେଳେ, ଜଣାଗଲା ଯାଇ ସଞ୍ଜ ଅନ୍ଧାରରେ ଆରତି ବତି ଲଗାଇ କୀର୍ତ୍ତନ ଯେତେବେଳେ କମ୍ପି ଉଠିଲା, ଜମକ ଲାଗିଗଲା, ସେତେବେଳେ । ନିଧିଆ ବୋଉର ସଂକୀର୍ତ୍ତନ ଲାଗିଥାଏ ମନ ଭିତରେ । ବାହାର କୀର୍ତ୍ତନ ତାକୁ କିଛି ଶୁଭୁନାହିଁ–କିଛି ଦିଶୁନାହିଁ ଆଜି‌ ।

 

ରାତିହେଲା । ପହର ପହରଦେଇ ଦିପହର ରାତି ଗଡ଼ି ଚାଲିଗଲା । ନିଧିଆବୋଉ ଦିହ କ’ଣ ହେଉଛି ବୋଲି ମିଛରେ ଯାଇ ବାରିପାଖ ଘରେ ଶୋଇଥାଏ । ପାଖରେ ଶୋଇଥାଏ ସପନୀ ବୋଉ । ତାକୁ ସେ କିଛି କହିନାହିଁ । ସପନୀବୋଉ ନିଦରେ ଘୁଙ୍ଗୁଡ଼ି ମାରୁଛି । ସେ ପାଖରେ ଗହଳି ନାହିଁ । ଘରେ ଯିଏ ଯେଉଁଠି ଶୋଇ ଗଲେଣି । ନିଧିଆବୋଉ ଉଠି ବାଡ଼ି କବାଟକୁ ଧୀରେ ଧୀରେ ଖୋଲିଲା । ପୁଣି ଆଉଜେଇ ଆଣିଲା–ଆସ୍ତେକି । ବାଡ଼ିପାଖ ସେ ମାଡ଼େ ନାହିଁ ରାତିରେ । ଭାରି ଡର । ଭୂତ ! ଆଜି ଆଉ ଭୂତଭୟ ନାହିଁ । ଭିତରେ ଯେଉଁ ଜାଗାଟାରେ ଭୂତ ମାଡ଼ିବସେ ସେଠି ଆଉ ଯେମିତି କିଏ ହଜାର ହଜାର ମଣିଷ ନେଇ ଦଳମର୍ଦ୍ଦନ କରୁଛି । ସେ ଏକୁଟିଆ । ଜଣାଯାଉଥାଏ ତା’ ଭିତରେ ଯେମିତି ହଜାର ମଣିଷଙ୍କ ଦମ୍ଭ । ଡର କୁଆଡ଼େ ଉଭେଇ ଗଲା ? ଛାତିରେ ଯେଉଁଠି ଡର ଥାଏ, ସେ ଜାଗାଟା ଯେମିତି ଆଉ ଗୋଟାଏ କି ପ୍ରକାର ଆଗ୍ରହରେ ଭରପୂର ହେଇଛି ଆଜି । କିନ୍ତୁ ସେଇ ଆଗ୍ରହ ଭିତରେ ଅଛି ଆଶଙ୍କା । ତା’ ଗୋଡ଼ ଥରୁଥାଏ । ସେ ନଡ଼ବଡ଼ ହୋଇପଡ଼ୁଥାଏ । ତଥାପି ଧୀର, ସ୍ଥିର-ସାବଧାନ-ସତର୍କ । ଜ୍ଞାନ ନ ଥାଏ–ଗୋଡ଼ରେ କଣ୍ଟା ଭୁକିଲେ ହୁଏତ ଜଣା ପଡ଼ିବ ନାହିଁ । ତଥାପି ସଚେତ, ତଥାପି ସେ ଜାଣେ ସେ କେଉଁଠିକି ଯାଉଚି ।

 

ନିଧିଆ ବାପ ଆସିଚି ତ ? ନିଧିଆ ବାପ ନାଆଁରେ ଯଦି ଆଉ କେହି–ସତକୁସତ ନିଧିଆ ବାପ ବାହାରି ଆସିଲା ସେଇ ଚିହ୍ନ ଦିଆ ସଙ୍କେତ ଥାନ କିଆ ବୁଦା ମୂଳରୁ । ସେ ଯେମିତି ତୀକ୍ଷ୍ଣ ପରି ଆଖିକି ମୁନିଆ କରି ଚାହିଁଥିଲା ନିଧିଆ ବୋଉ ଆସିବାକୁ !

 

ନିଧିଆ ବାପ ତାକୁ କ’ଣ କହିବ ପରା । ହଁ, ସେ କ’ଣ କହିଲା, ନିଧିଆ ବୋଉ ଶୁଣି ନାହିଁ । କ’ଣ କହିଲା ପରା–ତା’ର ମନେ ନାହିଁ । ସେ କିଛି ଶୁଣିପାରୁ ନଥିଲା । ତା’ର କ’ଣ ହେଇ ଯାଇଥିଲା । ସେ ଚାରିଆଡ଼େ ଦେଖୁଥିଲା ଖାଲି ନିଧିଆ ବାପ–ଆଉ କିଛି ନା–ଆଉ କେହି ନାହିଁ । ହୁଏତ ସେ ବି ନଥିଲା ।

 

ସେଦିନ ଗଲା । ତହିଁ ଆରଦିନ–ପୁଣି ତହିଁଆର ଦିନ–ତିନିଦିନ କୀର୍ତ୍ତନ ହେଲା–ଯେମିତି ହବାର କଥା । ତିନିଦିନଯାକ ନିଧିଆ ବୋଉ ନିଧିଆ ବାପଙ୍କର ଭେଟ ହୁଏ ସେଇ କିଆ କୁଞ୍ଜ ତଳେ ।

 

ଦଣ୍ଡକର ଭୁଲ୍‍, ଦଣ୍ଡକର ଅବିଚାର, ଦଣ୍ଡକର ମୋହ, ଦଣ୍ଡକର ନିଶାରେ, ତାକୁ ଯଦି ଭୁଲ୍ ବୋଲି, ଅବିଚାର ବୋଲି, ମୋହ ବୋଲି, ନିଶା ବୋଲି କୁହାଯାଏ, ତେବେ ସେତକପାଇଁ ସାରା ଜୀବନ, କେତେଦଣ୍ଡ ଘଡ଼ି ପହର ଦିନ ପକ୍ଷ ମାସ ବର୍ଷ ଯୁଗର ଜୀବନ–ସେ ଜୀବନ ସୁଅର ଗତି ବଦଳି ଯାଏଁ । ମଣିଷ କ’ଣ ଥାଏ, କ’ଣ ହେଇଯାଏ ସତେ ! ମଣିଷ ନିଜ ଭାବରେ ନିଜେ ଯେତେ ନ ବଦଳେ, ସମାଜର ଦୁର୍ଭାବରେ ସେ ବଦଳି ଯାଏଁ ବେଶି । ଓଲଟପାଲଟ ହେଇଯାଏ ସବୁ ।

 

ନିଧିଆ ବୋଉମାନେ ନାହିଁ । କହେ–ଭୁଲ୍ କ’ଣ ? ଏଇ ଦଣ୍ଡକ ଭୁଲ୍ ସମସ୍ତେ କରନ୍ତି । ବାହାହବାଟା ତ ଏଇ ଦଣ୍ଡକର କାମ–ଦଣ୍ଡକର ଭୁଲ୍‌ । ହାତଗଣ୍ଠି ପଡ଼ିବାକୁ ଏମିତି କେତେବେଳ ଲାଗେ କି ?

 

ରତନୀ କହେ–‘‘ଆହା, ହାତଗଣ୍ଠିକି ତୁ ନିନ୍ଦା କରୁଛୁ–ପ୍ରଜାପତି ଘଟସୂତ୍ର ସେ । ସେଥିରେ ପୁଣ୍ୟ ଅଛି ।’’

 

‘‘ପୁଣ୍ୟ ଥିଲେ ସେ ପୁଣ୍ୟ ପ୍ରଜାପତିର । ଦେଖାଚାହାଁରେ, ସମସ୍ତଙ୍କ ଆଖି ଆଗରେ ଯେଉଁ ପାପାଟା ହୁଏ ସେ ପାପା ନୁହେଁ । ସେଠି ପ୍ରଜାପତି ଆସି ପାପକୁ ପୁଣ୍ୟ କରି ଦେଇଯାଆନ୍ତି-। ଅସଭ୍ୟ କଥାଟା ଖୋଲାଖୋଲିରେ, ସମସ୍ତଙ୍କ ସାମନାରେ ପଡ଼ିଲେ ସଭ୍ୟ ହେଇଯାଏ-। ଲୁଚାଚୋରାରେ ହେଲା ବୋଲି–ଆପଣା ମନରୁଚିକର ଦୁଇଜଣ ଯାହା କରିବେ, ସେଟା ଅସଭ୍ୟ କଥା । ପାପ କଥା । କାହିଁକି ପାପ ହବ ? ଯଦି ସେଥିରେ ପାପ ହେଉଥାଏ ତ ସେ ପାପକୁ କାମଦେବ ଆସି ପବିତ୍ର କରି ଦେଇ ଯାଆନ୍ତି–ଗନ୍ଧର୍ବ ଆସି ପବିତ୍ର କରିଦେଇ ଯାଆନ୍ତି-। ସେଥିରେ ପାପ କିଛି ନାହିଁ ।’’ ନିଧିଆ ବୋଉ ଇମିତି କେତେ ଯୁଗୁତି କରେ ।

 

କହେ–‘‘ଭୁଲ୍ ନୁହେଁ ? ବାହା ହବାଟା ଭୁଲ୍ ନୁହେଁ ! ହାତଗଣ୍ଠି ପଡ଼ିବାଟା ଭୁଲ୍ ନୁହେଁ ? ତୁ ଦେଖିଥିଲୁ ତୋ ବରକୁ ଓଢ଼ଣା ତଳୁ–ବର କେମିତିକା ? –କେମ୍ପା କି କୁଜା କି ଅନ୍ଧ କି କଣା–ବୁଢ଼ା କି ଟୋକା–ସାପ କି ବେଙ୍ଗ କିଛି ଦେଖିଥିଲୁ–ଜାଣିଥିଲୁ ? ହଁ ତୁ ଜାଣି ଜାଣିଥିଲେ ଜାଣିଥିବୁ, କେଇଟା ଲୋକ ଦୁନିଆରେ ଜାଣିଥାନ୍ତି ? ଜାଣିଥିଲେ, ଦେଖିଥିଲେବି ଥରେ ଅଧେ ଦେଖାଚାହାଁରେ କ’ଣ ମଣିଷ ମଣିଷକୁ ଚିହ୍ନିପାରିବ ? ନଜାଣି ନଶୁଣି, ନଦେଖି, ନଚିହ୍ନି ଯାହାକୁ ଜୀବନଟାଯାକ ଗଳାରେ ଛନ୍ଦିବ, ତାକୁ ଏମିତି ଅନ୍ଧପୋଟଳି ବାନ୍ଧି ସାତ ଦୁଆରେ ବୁଲିଲା ପରି ଯେଉଁ ମାଇପେ ବାହା ହୁଅନ୍ତି ସେ ଭୁଲ୍ କରନ୍ତି ନାହିଁ ? –ଆଉ ଭୁଲ୍‌ କରେ ନିଧିଆ ବୋଉ, ଯେ ସାହସ କରି, ଆପେ ଆପେ, ଆପଣାମନରେ ଆପଣାରୁଚିର ଜଣେ ପୁରୁଷକୁ ଦେହ ଯାଚି ଦିଏ । ଝିଅର ଦେହଟାକୁ ବାପ ମା ବିକି ଦେବେ ସେଟା ଲାଜକଥା ନୁହେଁ, ଝୁଅ ଯଦି ଆପଣା ସ୍ୱାଧୀନରେ ଦେହ ବିକି ଦେଲା ସେଇଟା ହେଲା ଅପରାଧ । ଏଇତ ସମାଜ, ଏଇତ ପୁରାଣ । ସେ ପୁରାଣ ନିଧିଆ ବୋଉର ପଲଙ୍କ ତଳେ ଗଡ଼ୁଥିଲା ସେଦିନ–ସେ ସମାଜ ନିଧିଆବୋଉର ଗୋଡ଼ତଳେ ପଡ଼ୁଥିଲା ସେଦିନ–ସେଦିନ ବଳଥିଲା ବଅସ ଥିଲା ନିଧିଆବୋଉର । ସମାଜର ଏଇ ଯେଉଁ ବାପ ମା ଝିଅଙ୍କ ତୋଟି ବାନ୍ଧି ଫିଙ୍ଗି ଦିଅନ୍ତି, ଝିଅଙ୍କ ମନକୁ ସିନ୍ଦୁକ ପେଡ଼ିରେ ଭରି ଯୌତୁକ ପଠେଇ ଦେଇ ସତୀସାବିତ୍ରୀ କରିଦଅନ୍ତି–‘‘ୟାଙ୍କ ପଛଆଡ଼େ ହାତୀପରି ଯେତେ କୁଳ ଢଙ୍କାହୋଇ ପଡ଼ିଛି ନିଧିଆବୋଉର ବୟସ ନାହିଁ ବୋଲି ଯେ ନଦେଖିଚି ନ ଜାଣୁଚି ତା’ ନୁହେଁ । ମନ ହେଉଚି ଆଜିବି ବଅସ ଥାଆନ୍ତା କି, ଏଇ ବାପ ମାଙ୍କୁ ସବୁ ଆଉ ପଟେ ଲେଖେ ଚୂନକାଳି ଦେଇ ଛାଡ଼ନ୍ତି । ଏଇ ଭାଗୁ ମହାନ୍ତି ସବୁଙ୍କୁ ଶହେଥର ଉଠାବସା କରନ୍ତି । ଆଜି ବଅସ ନାହିଁ, ଭଉଣୀ ବଅସ ନାହିଁ । ନିଧିଆବୋଉର ଯୌବନ ନାହିଁ । ନିଧିଆବୋଉର ସିନା ବଅସ ନାହିଁ, ତା’ ବୋଲି ରତନୀର କ’ଣ ବଅସ ପଡ଼ିଗଲାଣି କି ?’’

 

ରତନୀ ଚମକି ପଡ଼ିଲା । ଏମିତି ବେଳେବେଳେ କଥାଟାକୁ ରତନୀ ଆଡ଼କୁ ଢାଳିଦେଇ ନିଧିଆବୋଉ ରତନୀକି ଡରେଇ ଦିଏ ।

 

ରତନୀ ସେଦିନ ସତକୁସତ ଡରି ଡରି କାତର ହେଇ କହିଲା–‘‘ନିଧିଆବୋଉ ନାନୀ, ରାଉତ ଘର ଧାନକୁଟି ଦେଇ ଯାଉଥିଲୁ ପରା !’’

 

ରତନୀ ଖାଲି ଡରୁଥିଲା । ରାଉତ ଘରକୁ ସେ ଯିବ–ଭାଗୁ ମହାନ୍ତି ଡରେ । ସେଠି ତ ଆଉ ନୂଆ ଡର ନାହିଁ କିଛି ? ଏଇ ବୟସ, ଏଇ ଦଶା ବୟସ, ଏଇ ନିଆଁ ଲଗା ବୟସ ! ଏ ବୟସ ଯାଉ ନାହିଁ କାହିଁକି ? ନିଧିଆବୋଉ ଯେଉଁ ବୟସକୁ ଝୁରି ହଉଚି–ରତନୀ ଆଜି ସେହି ବଅସକୁ ଫିଙ୍ଗି ଦେବାକୁ ଚାହେଁ । ସେ ବଦଳ କିନ୍ତୁ କରିବ କିଏ ?

 

ଶୁକୁରା ନାହିଁ ଶୁକୁରା ଯାଇ କେତେ ଦୂରରେ । ଶୁକୁରା ଯେତେବେଳେ ଚାଲିଗଲା, ଏଇ ଘରଦୁଆର ଆଉ ବାଇୟାକୁ ତା’ ହାତରେ ସଁଅପି ଦେଇ ସେତେବେଳେ ସେ ନ କହିବି କହି ଯାଇଥିଲା–ଏସବୁକୁ ସାଇତି ରଖିବାପାଇଁ । ସେ ଗଲାବେଳକୁ ଯାହା ଯେଉଁଠି ଯିମିତି ଥିଲା, ସବୁ ସିମିତି ରହିବ । ତା’ ସାଙ୍ଗରେ ଏ ଯୌବନବି ? ଏ ବଅସବି ?

 

ଶୁକୁରା କ’ଣ ତା’ର ଏ ବଅସକୁ ସୁଖପାଏ ନାହିଁ । ଶୁକୁରା ଆସିବାବେଳକୁ ଯଦି ତା’ର ଏ ବଅସ ଗଡ଼ିଯାଇଥିବ, ତେବେ ଶୁକୁରା କ’ଣ ତାକୁ ଆଉ ସେମିତି ଆଗପରି ସୁଖ ପାଇବ ? ବାଇୟାକୁ ସେ କୋଳରେ ଯାକିନେଇ ଗେଲ କଲା । ତା’ ବୟସର ବଉଳ ଦେହରେ ଚଣା ଲାଗିଲାଣି ।

 

ସେଦିନ ପଡ଼ିଲା ଅମେଇସା । ଏମିତି କେତୁଟା ଅମେଇସା ଗଲାଣି । ଶୁକୁରାର ଖବର ନାହିଁ । ଚଣ୍ଡାଳ ଭାଗୁ ମହାନ୍ତି ଆସୁଚି ମଝିରେ ମଝିରେ । କିଛି ହେଲେ ଖବର କହୁନାହିଁ । ଏ ଘରେ ଆଉ ରହିହବ ନାହିଁ । ଏ ଘରେ ଭୂତ ଲାଗିଲାଣି । ଏ ଭାଗୁ ମହାନ୍ତିଟା ତ ଗୋଟେ ଭୂତ । ଭୂତ ହେଇ ତାକୁ ଗୋଡ଼େଇଚି । ଶୁକୁରା–ଶୁକୁରା–ତୁ ଆସିବୁ ନାହିଁ ?

 

ଭାଗୁ ମହାନ୍ତି କି ସେ କଥାବି କହେ ନାହିଁ । ସେଇ ତା’ର ଆପଣାଛାଏଁ କେତେ କଥା ବକିଯାଏ । ସତ କି ମିଛ କିଜାଣେ । କହେ ଶୁକୁରା ଚିଠି ଦେଇଥିଲା, ଭଲ ଅଛି । କାହିଁକି ଚିଠି ? ଦିନେହେଲେ ଦେଖାଏ ନାହିଁ । ରତନୀପାଖକୁ ଭାଷା ଦବାକୁ ଶୁକୁରାକୁ କିଏ କ’ଣ ମନା କରିଥିଲା କି ? କାହିଁ ଭାଷା କାହିଁ ? ଟଙ୍କା କାହିଁ ? ସେଇ ପାଞ୍ଚ ଟଙ୍କା ଦେଇ କ’ଣ ବୁଢ଼ା ହେଇଗଲା, ଏଇ ପାଞ୍ଚ ମାସ ଭିତରେ ?

 

ପଢ଼ୁଅଁ ଅଷ୍ଟମୀକି ଭାଗୁ ମହାନ୍ତି ଖଣ୍ଡେ ଶାଢ଼ି ଦେଇଯାଇଚି । ଏକଥା ସେ ନିଧିଆବୋଉକୁବି ଲୁଚେଇଚି । ‘ନେ ଝିଅ’ ବୋଲି କହି ଲୁଗା ଦେଇଗଲା ସେ । ନ ନିଅନ୍ତା କିମିତି-। ଭାଗୁ ମହାନ୍ତି କ’ଣ ଏବେବି ପେଟ ଭିତରେ ଗଲିଜି ରଖିଚି ? କିଜାଣି । ଠାକୁରେ ଜାଣନ୍ତି-

 

ରାଉତଘରେ ଧାନକୁଟାରେ ବେଶ୍ ମନଲାଗିଛି । ହେଲେ, ରାଉତର ସେଇ ବଡ଼ପୁଅଟା ଭାରି ଫେଚକା । ସେ ବାଟେ ସେ ଦଶଥର ନଟପଟ ହବ–କଣେଇ କଣେଇ ଚାହିଁ ଦଉଥିବ । ଚଗଲାମି । ସେ ବଡ଼ଘର ଛୁଆ । କଲିକତା ମାଦ୍ରାଜ ବୁଲିଚି । କେତେ କେତେ ସୁନ୍ଦର ଝୁଅ ବହୂ ସେ ଦେଖି ନଥିବ । ସେ ଗେଟେ ଏଇ ରତନୀ ଭଳି ଅପରିଚ୍ଛନ୍ନି ଅସନା ମାଇପିଟାକୁ ଅନାନ୍ତା କାହିଁକି । ଇମିତି ବାଟ ଚାଲିଗଲା ଲୋକେବି କ’ଣ ଏଣିକି ତେଣିକି ଚାରିଆଡ଼କୁ ଅନେଇ ଦେଉନାହାନ୍ତି କି । ଯିବା ଆସିବା ନିତି ଚାଲିଚି ଏ ବାଟେ । ଆଖି ପଡ଼ିଯାଉଥିବ । ଆଉ କ’ଣ ଆଖି ବନ୍ଦ କରି ବାଟ ଚାଲନ୍ତା ।

 

ସେଦିନ ଅମେଇସା–ହାଟପାଳି । ଇସ୍କୁଲର ମାଷ୍ଟର–ଧନୀ ମାଷ୍ଟର ସେଇବାଟେ ହାଟରୁ ଫେରିଲାବେଳେ–ତମର ଚିଠିଖଣ୍ତେ ଆସିଚି ବୋଲି ପୋଷ୍ଟକାର୍ଡ଼ ଖଣ୍ତେ ପକେଇ ଦେଇଗଲା । ରତନୀ ପୋଷ୍ଟକାର୍ଡ଼ ଉଠେଇ ଝାଡ଼ିଝୁଡ଼ାକି ଯତନରେ ରଖିଲା । ଯେମିତି ନିଧି ପାଇଲା ସେ ! ଆଉ କିଏ ଦେଇଥିବ ଶୁକୁରା ଛଡ଼ା । ଯେମିତି ଶୁକୁରାର ଆତ୍ମା ଆସିଚି ତା’ ସାଙ୍ଗରେ । ମହାପ୍ରଭୁଙ୍କୁ ଜୁହାର ହେଲା । ତଳେ ପଡ଼ିଯାଇଥିଲା ବୋଲି ଚିଠିକିବି ଜୁହାର ହେଲା । ବିଦ୍ୟା, ସରସ୍ୱତୀ ! କିନ୍ତୁ ପ୍ରକୃତରେ ଜୁହାର ହେଲା ସେ ତା’ ଦିହାତରେ ଯେଉଁଠି ଶୁକୁରାର ଚିତ୍ର ଲେଖାଯାଇଚି–ଆଉ କାହା ଆଖିକି ନ ଦିଶୁ, ରତନୀ ବେଶ୍‌ ଦେଖି ପାରୁଥିଲା–ସେଇଠିକି–ସେଇଚିତ୍ରକୁ ଲକ୍ଷ୍ୟକରି ସେ ଜୁହାର ହେଲା ।

 

କିଏ ପଢ଼ି ଦିଅନ୍ତା । ଏତେବେଳେ ତା’ର ମନେପଡ଼ିଲା । କିଏ ପଢ଼ିବ ? ଆଃ, ମାଷ୍ଟରଟା ତ ଚାଲିଗଲା । ଚଣ୍ତାଳ ଟିକିଏ ପଢ଼ି ଶୁଣେଇ ଦେଇ ଯାଇ ନଥାନ୍ତା । ଯାଇଥିଲେ କ’ଣ ଇମିତି ସରି ଯାଉଥିଲା ତା’ର ? ହଁ, ନିଧିଆ ବୋଉ ତ ପଢ଼ି ଜାଣେ । ନିଧିଆ ବୋଉକୁ ସେ ଡାକିବ-। ଡାକିବ ଯେ, ହେଲେ ଏଡ଼େ ସୁନ୍ଦର ପବିତ୍ର ଚିଠିଟାକୁ ସେ ନିଧିଆ ବୋଉ ପରି ମାଇପଟା ମୁହଁରୁ ଶୁଣିବନା ?

 

କି, ନିଧିଆ ବୋଉର କ’ଣ ହେଇ ଯାଇଚି କି ? ନିଧିଆବୋଉ କ’ଣ ମଣିଷ ନୁହେଁ ? ନିଧିଆବୋଉର ଗିରସ୍ତ ନାହିଁ ବୋଲି କ’ଣ ନିଧିଆବୋଉ କେବେ ଗିରସ୍ତ ସୁଖ ପାଇ ନାହିଁ ?

 

ପାଇଚି ? ନିଧିଆ ବାପ କ’ଣ ତା’ର ଗିରସ୍ତ । ନିଧିଆ ବାପକୁ କ’ଣ ସେ ହାତ ଧରି ବାହା ହେଇଥିଲା ? ଠାଇଁ–ଠାଇଁ–ଠାଇଁବି ନୁହେଁ–ଝଅଟ ପଣିଆ । ସେଟା ଜାଣିବ କୁଆଡ଼େ ଗିରସ୍ତ ସୁଆଗ–ଗିରସ୍ତ ଶରଧା ? ମାଗି ଆଣିଲା, ସାଉଁଟି ଆଣିଲା, ଚୋରିକରି ଆଣିଲା ତୁଣ ପଚି–ସଡ଼କେ । ସେ ତ ତା’ର ନିଜର ନୁହେଁ । ବାପା ମା ପିତୃ ପିତା ତ ତାକୁ ବିଭାକରି ଦେଇ ଯାଇ ନାହାନ୍ତି । ତା’ର ମୁଆଁସ ବା ହବ କିମିତି ? କାହାର ମୁଆଁସ ବା ହୁଅନ୍ତା କାହିଁକି !

 

ଆହା, ବିଚରା କେଡ଼େ ଦୁଃଖୀ ସତେ ! ଦେଖୁ ସେ, ପଢ଼ୁ ସେ ଏ ଚିଠି । ଟିକିଏ ହେଲେ ତ ଆନନ୍ଦ ହବ ତା’ର ? ହବ ନାହିଁ ? ଆଉ କ’ଣ ହିଂସା କରିବ ? ନିଧିଆବୋଉର ପାହା ନାହିଁ, ରତନୀ ତା ପାଇଚି–ନ ଦେଖେଇବ କାହିଁକି ?

 

ନିଧିଆ ବୋଉ କାହିଁ ? କୁଆଡ଼େ ପଳେଇଲା ? ଆଜି ଅମେଇସା । କାହାଘରେ ଯାଇ ପିଠଉ ବାଟୁଥିବ ।

 

ଧନୀ ମାଷ୍ଟର ଘର ଏମିତି କେତେ ଦୂର କି ? ସେ ତା’ରି ପାଖକୁ ଯାଇ ପଢ଼ି ଆସିବନି-? ଲାଜ ? ଆଉ କି ଲାଜ ? ଧାନକୁଟି ପେଟ ପୋଷିଲାଣି ଯେ ତା’ର ଆଉ କି ଲାଜ-? ଧାନକୁଟିବା ପାଇଁ କୋଶେ କୋଶେ ବାଟଚାଲି ଯାଉଚି, ଲାଜମାଡ଼ୁନାହିଁ, ଏଇ ଗାଁ ଭିତରେ ପଶି ଖଣ୍ତେ ବାଟ ଯିବାକୁ ଲାଜ ? ତେବେ, ଅନ୍ଧାର ହେଇ ଗଲାଣି । କିଏ କ’ଣ ଭାବିବ । ଭାବୁପଛେ, ସେ ଆଉ ଥୟ ଧରି ରହିପାରୁ ନାହିଁ । ଭଲ କି ମନ୍ଦ କିଛି ଗୋଟେ ତଥ୍ୟକରି କହିଗଲା ନାହିଁ ଧନୀ ମାଷ୍ଟର । ମାଷ୍ଟରଟା କିମିତିକା ଲୋକ କି ? ଅକଲ ନାହିଁ ମଣିଷଟାର ।

 

ଭାଷା ପଢ଼ି ରତନୀ ପୁଣି ଜବାବ ଲେଖିବ । ବାକୟା ଭଲ ଅଛି । ସେ ଭଲ ଅଛି । ଧାନକୁଟି ଭାତଖାଉଚି । ଚମକି ପଡ଼ିଲା ରତନୀ । ଏଇୟା ଲେଖିବ ସେ ! ଶୁକୁରାକୁ ଦୁଃଖ ହବ ନାହିଁ ? ସେ ସେଠି କେତେ ଦୁଃଖରେ ଚଳୁଥିବ । ବିଦେଶ ଜାଗା । ଟଙ୍କାପଇସା ଅଣ୍ଟୁ ନଥିବ । ସେଥିପାଇଁ ଦେଇପାରୁ ନାହିଁ । ରତନୀ ଏତେ ଦୁଃଖରେ ଚଳୁଛି ଶୁଣିଲେ ତା’ର ଆହୁରି କଷ୍ଟ ହବ ରାଗିବ ନାହିଁ ତ ?

 

ସେ କ’ଣ ଲେଖିଚି ନ ଦେଖି ଆଗ, ଏତେ କଥା ପାଞ୍ଚି ଚାଲିଯାଉଚି ବୋଲି ରତନୀ ଧନେଶ୍ୱର ଅବଧାନ ଘରଯାଏଁ ଖୁବ୍ ଜୋର୍ ପାହୁଣ୍ତରେ ଚାଲିଗଲା ।

 

ଧନୀ ଅବଧାନର ଟୋକା ବୟସ । ଘରେ ବୁଢ଼ୀମା । କିଏ କ’ଣ କହିବ ! କହୁ ପଛେ । ରତନୀ ଯାଇ ଦୁଆରେ ଠିଆ ହେଲା । ଧନୀ ଅବଧାନଘରୁ ବାହାରି ଆସୁଥିଲା । ଆଖିପଡ଼ିଲା ରତନୀ ଉପରେ–‘‘ କିଏ ?’’

 

‘‘ମୁଁ ତ ରତନୀ ।’’

 

‘‘କୁଆଡ଼େ ?’’

 

‘‘ଭାଷାଟା ପଢ଼ିଦେଲ ନାହିଁ ?’’

 

ଧନୀ ମାଷ୍ଟର ଆଲୁଅ ଆଣି ଭାଷା ପଢ଼ିଦେଲା । ରତନୀର ମନଟା ଖୁସି ହୋଇଗଲା । ଶୁକୁରା ଭଲ ଅଛି । ଟଙ୍କା କୁଳଉ ନାହିଁ । ହଉ, ଟଙ୍କା ନ ଦେଲା ନାହିଁ ପଛେ, ସେ ତ ଭଲରେ ଅଛି-। ଧନୀ ମାଷ୍ଟରକୁ ଚାହିଁ ରତନୀ ଦେଖିଲା–ଧନୀ କେଡ଼େ ଭଲ ମଣିଷଟିଏ ସତେ–ଶୁକୁରା, ପରି ଭଲ । ଶୁକୁରା ଭଲଥିଲା ପରି ଭଲ । ଶୁକୁରାର ଭଲ ଖବର ସେ ଶୁଣେଇଲା ।

 

ତହିଁ ଆରଦିନ ଧନୀମାଷ୍ଟରଠୁ ଚିଠି ଲେଖେଇ ସେ ଶୁକୁରା ପାଖକୁ ପଠେଇ ଦେଲା । ଆଉ ଲେଖିଦେଲା, ପଠେଇଥିଲା ପାଞ୍ଚଟଙ୍କାରୁ ଭାଗୁ ମହାନ୍ତି ତିନି ଟଙ୍କା ଦେଇଚି–ଏଣିକି ଟଙ୍କା ପଠେଇଲେ ଧନୀ ମାଷ୍ଟର ନାଆଁରେ ପଠେଇବ ।

 

ମନଖୁସିରେ କି ମନ ମୋଟରେ ସେଦିନ ରାଉତଘର ଧାନକୁଟି ଗଲା ରତନୀ । ଦେହଟା ବଡ଼ ହାଲୁକା ଲାଗୁଥାଏ । ଏଡ଼େ ହାଲୁକା ଯେ ଡରମାଡ଼ୁଥାଏ ବଇୟାରରେ ତଳେ ନହକି ପଡ଼ିବ କି ଆଉ ।

 

ଧାନ କୁଟୁ କୁଟୁ ସଞ୍ଜ ହେଇ ଆସିଲା । ଆଜି ଧାନକୁଟାରେ ଜୁରି ମନ ଲାଗିଚି । ଯେମିତି ଶୁକୁରା ଆଜି ତା’ ସାଙ୍ଗରେ ଶୁକେଇ ଦଉଚି । ଦେଖିଲା ବେଳକୁ ବେଳବୁଡ଼ି ସଞ୍ଜ । ଆଜି ନିଧିଆବୋଉବି ନାହିଁ । ରାଉତ ଖୁଡ଼ୀ କହିଲେ–ଆଜି ରହିଯା ରତନୀ । ରତନୀର ରହି ଯିବାରେ ଆପତ୍ତି ନଥିଲା । ଏଇ ଛୁଆଟା ଜଞ୍ଜାଳ ତାକୁ ଖାଇଲା । ପର ଘରେ ହଗିବ ମୂତିବ କାନ୍ଦିବ କାଟିବ-। ଯେତେବେଳେ ଧାନକୁଟେ, ଶହେଥର ତାଆରି ଭିତରେ କେଁ କେଁ କରି ଉଠିବ । ସେଥିପାଇଁ କାମରେ ହେଳା ହେଉଛି ବୋଲି ଯେତେ ଗଞ୍ଜଣା ।

 

ରାଉତ ଖୁଡ଼ୀ ଛାଡ଼ିଲା ନାହିଁ । ରାତିବି ହୋଇଗଲା ପାଇଟି ଛିଡ଼ଉ ଛିଡ଼ଉ । ଏକୁଟିଆଟା ଫେରିବାକୁ ରତନୀ ସାହସବି କଲା ନାହିଁ । ରହିଗଲା ।

 

ସେଇ ଢିଙ୍କିଶାଳ ପାଖ ଘରର ଗୋଟେ କୋଣକୁ ହେଁସ ଖଣ୍ତେ ପାରି ରତନୀ ଶୋଇଚି-। ଶୀତ ଅଛି ବାହାରେ–ଥର–କମ୍ପ । ରତନୀ କବାଟ କିଳି ଦେଇଚି । ପାଖରେ ଛିଣ୍ତା ଶେଯ ଖଣ୍ତକଉପରେ ଛୁଆଟା, କତରା ଘୋଡ଼ି ପଡ଼ିଚି । ଦୁଧଦେଇ ଶୋଇ ପକେଇଚି । ରତନୀ ଆଖିକି ନିଦ ଆସୁଛି ଆସୁନାହିଁ । ନିଦ ଭାଙ୍ଗି ଭାଙ୍ଗି ଯାଉଚି ଶୁକୁରା ମନେପଡ଼ି, ପୁଣି ଲାଗି ଲାଗି ଆସୁଚି ତା’ର ମିଠା ମିଠା ସପନ ନିଶାରେ ।

 

କିଳା କବାଟକୁ କିଏ ଠକ୍‌ଠକ୍‌ କଲା । ରତନୀ ପ୍ରାଣ ଭିତରେ କିଏ ଯେମିତି ଚମକି ପଡ଼ି ଡାକିଲା–‘କିଏ ?’

 

ପୁଣି ଠକ୍‍ଠକ୍ ହେଲା । ରତନୀ ଏଥର ଡରିଗଲା । କବାଟ ପାଖକୁ ଯାଇ କାନ ପାରିଲା । ସେ ପଟରୁ ଫୁସ୍ ଫୁସ୍ ହେଇ କିଏ ଡାକୁଚି–‘‘ରତନୀ, ରତନୀ !’’ ରତନୀ ଗଳାରୁ ବାରିନେଲା ରାଉତ ପୁଅ ।

 

ସେ ଡରେ କବାଟ ଖୋଲିଦେଲା । ରାଉତ ପୁଅ ଘରଭିତରକୁ ପଶି ଆସିଲା । ରତନୀ ଗୋଟିପଣେ ଥରିଲା ପଡ଼ି । ଅନ୍ଧାର ଭିତରେ ମଣିଷ ଯେତିକି ନିଶ୍ଚିନ୍ତ ସେତିକି ଭୟ ଥାଏ ବୋଲି ରତନୀ ଯେମିତି ଜାଣି ନଥିଲା ଆଗରୁ ।

 

ରାଉତପୁଅ ନୀଳ ହାତ ଧରି ପକେଇଲା ରତନୀର । ରତନୀ ହାତଟାକୁ ଝାଡ଼ି ଦେଇ ପାଟି କରିଉଠିଲା–‘‘କିଏ ? କିଏ ତମେ ?’’

 

‘‘ଚୁପ୍ ରତନୀ ଚୁପ୍ । ଖୁଡ଼ୀ ଉଠିବ–ପାଟି କରନା ।’’

 

‘‘ଉଠନ୍ତୁ ଖୁଡ଼ୀ ।’’ ରତନୀ ଆହୁରି ଜୋର୍‍ରେ କହିଲା । ରତନୀ ମୁହଁରେ ହାତଦେଇ ରାଉତ ପୁଅ ନୀଳ କହିଲା–‘‘ମୋ ରାଣ ଅଛି ରତନୀ ପାଟି କରନି, ଖୁଡ଼ୀ ଉଠିବ ।’’

 

‘‘ଉଠିଲେ ଉଠନ୍ତୁ । ତମେ କାହିଁକି ଏଠିକି ଆସିଛ । ଯା ତମେ ଚାଲିଯା ନ ହେଲେ ମୁଁ ଖୁଡ଼ୀକି ଡାକିଦେବି ।’’

 

‘‘ରତନୀ, ପାଟି କରନା ମୁଁ ଯାଉଚି । ଏଇ ନେ ତୋପାଇଁ ଏଇ ସାପସୂତା ଗଢ଼ି ଆଣିଥିଲି ରଖ ।’’

 

ତା’ ଉପରକୁ କ’ଣ ପକେଇ ଦେଇ ରାଉତପୁଅ ନୀଳ ଚାଲିଗଲା । ରତନୀ ତାକୁ ଯେ କାହିଁକି ରଖିଲା ବୁଝି ପାରିଲା ନାହିଁ । ତା’ର ମନେହେଉଥିଲା ସେ ଚାଲିଗଲାବେଳେ ତା’ରି ଉପରକୁ ତା’ରି ଜିନିଷ ନେଇ ଫିଙ୍ଗି ଦେବାପାଇଁ । କିନ୍ତୁ ତା’ ସେ ପାରିଲା ନାହିଁ ।

 

ଲୋଭ ? ଲୋଭ ନୁହେଁ । ତା’ର କିମିତି ଦୟା ହେଲା ଏଇ ରାଉତପୁଅ ପିଲାଟା ଉପରେ । ହଁ ପିଲା, ପିଲାଟା–ନିହାତି ପିଲା । ସେ ଗୋଟେ ଖିଆଲରେ, ପିଲା ବୁଦ୍ଧିରେ ଏମିତି ନିର୍ବୁଦ୍ଧିଆ କାମଟେ କରି ପକେଇଲା ବୋଲି ରତନୀ ଜାଣିଲା ଶୁଣିଲା ମାଇପୁଟାଏ ତା’ ଉପରେ ରାଗିବନା ? ସେ କ’ଣ କରୁଚି ନିଜେ ହୁଏତ ବୁଝି ନାହିଁ–ଅଜ୍ଞାନ । ଏଟା ଏତେ ବଡ଼ କଥା ବୋଲି ତା’ର ଧାରଣାବି ହୋଇ ନଥିବ ।

 

ଦୁନିଆରେ ସବୁକଥା ଖେଳନା ନୁହ, ସବୁ ଘଟନା ଖେଳ ନୁହେଁ । ତୁଚ୍ଛା ଖେଳଘରବି ଦୁନିଆରେ ଦିନେ ପ୍ରକାଣ୍ତ ହେଇ ଠିଆ ହୁଏ । ସେ କଥା ସେ ବୁଝି ପାରିନାହିଁ ।

 

ତାକୁ ଟିକିଏ ହସବି ମାଡ଼ିଲା । ଦାୟିତ୍ୱ ବୋଲି ଗୋଟେ ଜିନିଷ ତାକୁ ସେ ଖେଳ ଘର ଖେଳନା ଚିହ୍ନିବ କୋଉଠୁଁ । ଅସହଜକୁ ଖାଲି ସହଜ ବୋଲି ଭାବିଲେ ଅସହଜ ସହଜ ହେଇଯାଏ ନାହିଁ । ଏଡ଼େ ବଡ଼ବଡ଼ କଥାକୁ ଖାମ୍‍ଖିଆଲରେ କରିଗଲେ ସେ କଥାଟାର ଓଜନ କମିଯିବ ନାହିଁ । କଲା ଲୋକର ହାତଗୋଡ଼ ଭାଙ୍ଗିଯିବା ସାର ହେବ ।

 

ବୁଝିନାହିଁ ସେ । ପିଲା ଲୋକ । ଏଇ ଅନ୍ଧାର ରାତିରେ ପେଟ ଭିତରେ ଗୋଟେ ଦୁନିଆ ଯେ ଆଖି ତରାଟି ଚାହିଁ ବସିଚି ତା’ର ସନ୍ଧାନ ସେ ପାଇ ନାହିଁ । ଏଇ କ୍ଷଣକର ଖେଳ–ଘରରେ ଯେ ଆକାଶପାତାଳ ଓଲଟି ଯାଇ ପାରେ ତା’ର ଧାରଣାବି ହେଇ ନଥିବ ତା’ର । ପିଲା ଲୋକ–ଅଲିଅଳ ।

 

ଭାରିଦୟା ହେଲା । ଦୟାକରି ନିଜକୁ ନିଜେ ହସି ନଥିବ ରତନୀ ? ରତନୀ ପରି ଗରିବ ଛତରଖାଇ, ବାରଘରପଶୀ ମାଇପିଟାଏ ଏଇ ରାଉତଘର ପରି ବଡ଼ଲୋକଙ୍କ ପୁଅ ପୁତୁରାଙ୍କୁ ଦୟାବି କରିପାରେ ।

 

ସାପସୂତାକୁ ସେ ଫିଙ୍ଗି ଦେଲା ନାହିଁ । କାଳେ ସକାଳୁ ଉଠି କିଏ ଦେଖିବ । ପିନ୍ଧିଲାବି ନାହିଁ । ପାପ ପଇସା ଏ । ସକାଳୁ ପାଇଚି ବୋଲି ଫେରେଇ ଦେବାକୁ ଭାବିଲା । ପୁଣି ଡରିଲା–କାଳେ କିଏ କ’ଣ ଭାବିବ–କାଳେ ଛୁଆଟା ଧରା ପଡ଼ିବ । ଶେଷକୁ ଖୁବ୍ ଯତ୍ନ କରି କାନିରେ ବାନ୍ଧିଲା ତାକୁ ।

 

ସକାଳୁ ସକାଳୁ ଉଠି ସେ ଚାଲିଗଲା ଘରକୁ–ରାତିଟା ନିହାତି ମାମୁଲି ସବୁଦିନିକା ରାତି ପରି ବିତିଥିଲା ପରାଏ ଅତି ସହଜ ସରଳ ନିଦଉଠାଣି ଅଳସ ଗତିରେ ।

 

ଏତେ ସକାଳୁବି ଅଗଣୀ ଦାଶ ପୁଅ ଦୁଃଖୀଦାଶ ଉଠି ଦୋକାନ ପିଣ୍ତାରେ ବସି ଦାନ୍ତ ଘଷୁଚି । ତାକୁ ଦେଖି ରତନୀ ଟିକିଏ ଦବକିଗଲା । ତାକୁ ଏତେ ଲାଜ କେବେ ଲାଗେ ନାହିଁ । ଆଜି ଏ ଲାଜ ସାଙ୍ଗରେ ଭୟବି ଥିଲା । ଜିଭ ଚିରୁ ଚିରୁ ଗଲା ଖଙ୍କାର ମାରିବାବେଳେ ରତନୀ ଡରିଗଲା–ତାକୁ ଆଉ ଇଙ୍ଗିତ କରୁନାହିଁ ତ ସେ ।

 

ଏଇ ଦୁଃଖୀ ଦାଶ । ସମସ୍ତେ କହନ୍ତି, ମଣିଷନୁହେଁ–ଦେବତା ।

 

ଅଗଣିଦାଶ ପୁଅ ଦୁଃଖୀଦାଶ । ଏଇ ବୀଜରୁ ଏଇ ତରୁ ! ସକାଳୁ ଉଠି ଅଗଣିଦାଶ ମୁହଁ ଚାହିଁଲେ ଯଶ ନାହିଁ । ବଇଷିମ ଦାଶ ବୋଲି ବୁଢ଼ା ନାଆଁ ପଡ଼େ । ନାଆଁ ଧରି କେହି ଡାକନ୍ତି ନାହିଁ । ତା’ରି ପୁଅ ଦୁଃଖୀ ଦାଶ । ବାପପୁଅ ଆକାଶପାତାଳ ତଫାତ । ଗରିବର ଦୁଃଖ ଦେଖିଲେ ଦୁଃଖୀଦାଶ ସହିପାରେ ନାହିଁ । ଗାଁଯାକର ଭଲମନ୍ଦ ତା’ କାନରେ ପଡ଼େ । ଗାଁଯାକର ବୋଝ ଯେମିତି ତା’ରି ମୁଣ୍ତରେ ।

 

ବାପପୁଅଙ୍କର ପଡ଼େ ନାହିଁ । ସେ ଅନେକ କଥା ।

 

ଦୁଃଖୀଦାଶ ପାଠ ପଢ଼ିଥିଲା ସଂସ୍କୃତ ଟୋଲ୍‍ରେ ।

 

୧୯୩୦ ମସିହା । ଦୁଃଖୀଦାଶ ପଢ଼ୁଥାଏ ଉପାଧି । ହଠାତ ଗୋଳ ଉଠିଲା । ପଣାସଂକ୍ରାନ୍ତି ଦିନ । ଗରମ ପିଟି ଦଉଚି । ପଣାସଂକ୍ରାନ୍ତି ଛୁଟି ଦିନଟା ବୋଲି ଦୁଃଖୀଦାଶ ଘରକୁ ଆସିଥାଏ ।

 

ଏ ସବୁ ଶୁଣିବା କଥା । ଦିନେ ଧନୀ ମାଷ୍ଟର ବସି ଗପ କରୁଥିଲା–ଦୁଃଖୀ ଦାଶ କଥା । ନିଧିଆ ବୋଉବି କେତେ କଥା କହିଛି ।

 

ଉଦୁଉଦିଆ ଦିପହର ବେଳ । ସମସ୍ତେ ଖାଇ ପିଇ ମାଟୁ ଘର ଛାଇ ତଳେ ଶୋଇଲେଣି-। ଦୁଃଖୀଆକୁ ଭଲ ଲାଗିଲା ନାହିଁ । ବିଞ୍ଚଣା ଧରି ଦାଣ୍ତରେ ଆସି ବସିଲା । ଘରେ ଯେମିତି ବେଶି ଗରମ ଦାଣ୍ତଠୁ ।

 

ସେଇ ବର୍ଷ ଦୁଃଖୀ ଦାଶର ବାହାଘର–ଗଲା ଫଗୁଣରେ ଯାଇଚି । ଛୋଟ କନିଆ । ବୟସ ଦଶ ଏଗାର ହବ । ଦୁଃଖୀର ବାପ ସାଙ୍ଗରେ ଅପଡ଼ ହେଲା–୨ୟ ଥର ସେଇ ବାହାଘର ନେଇ ।

 

ପ୍ରଥମ ଥର ଦୁଃଖୀର ଆଉ ବାପ ଅଗଣି ଦାଶର ଖଟ ଖଟ ଲାଗିଥିଲା ପଢ଼ା ନେଇ । ଦୁଃଖୀ ଆହୁରି ଛୋଟ ଥାଏ । କେଡ଼େ ବକଟେ ସେତେବେଳେ । ଅପର ପ୍ରାଇମେରୀ ପାଶ୍ କରିଥାଏ । ଦୁଃଖୀ କହିଲା ସେ ଇଂରେଜୀ ପଢ଼ିବ । ବାପ ଅଗଣି ଦାଶ ହାତେ ଲମ୍ୱ ଜିଭ କାଢ଼ି ପକେଇଲା । ଇଂରେଜୀ ପଢ଼ିବ ? ବିଦେଶୀ ଭାଷା । ସେ ସବୁ କରଣ ଖଣ୍ତାଇତଙ୍କୁ ପୋଷାଏ । ବାହ୍ମୁଣ କୁଳରେ ଜନ୍ମ ହେଇ କିଏ ଇଂରେଜୀ ପଢ଼ିଲାଣି ? ସେ ମ୍ଳେଚ୍ଛ ବିଦ୍ୟା । ଯେ ପଢ଼ିବ ତା’ର କୁଳଧର୍ମ ନାଶ ଯିବ । ‘‘ପଢ଼ନ୍ତୁ ଆଉ ଯିଏ ପଢ଼ିବାର । ମୋ ପୁଅକୁ ମୁଁ ପଢ଼େଇବି ନାହିଁ । ସେ ବିଦ୍ୟା ପଢ଼ିଲେ ଯାବତ୍ ଅଖାଦ୍ୟ ଖାଇବ ମଣିଷ । ନ ଖାଇଲେ ତ ପଢ଼ି ହବ ନାହିଁ–ପାଠ ଆସିବ ନାହିଁ । ମାଛ, ମାଂସ, ଅଣ୍ତା, କୁକୁଡ଼ା ନ ଖାଇଲେ ସେ ଭାଷା କହିବାକୁ ଜିଭ ତ ଲେଉଟିବ ନାହିଁ । ତା’ ଛଡ଼ା ସେ ଯେଉଁ ପୋଷାକ ! ଇଂରେଜ ପଢ଼ିଲେ କଛା କୁଆଡ଼େ ଗଲା–ସମସ୍ତଙ୍କର ସେଇ ଗାଣ୍ତିମୁଣା ।’’

 

କିଏ ଜଣେ ଟିପ୍ପଣୀ କଲା–‘‘ପ୍ୟାଣ୍ଟ କ’ଣ ସମସ୍ତେ ପିନ୍ଧୁଛନ୍ତିନା ।’’

 

‘‘ଆଃ, ବୁଝି ପାରିଲ ନାହିଁ ? ମନୁଟାତ ସେଇଟା କରିବାକୁ । କାହାକୁ ପଇସା ଅଣ୍ଟିଲା–କାହାକୁ ନ ଅଣ୍ଟିଲା । ପଇସା ହେଲେ କୋଉ ଇଂରେଜୀ ପଢ଼ୁଆ ଲୋକ ପ୍ୟାଣ୍ଟ କୋଟ୍ ଲଗେଇ ନ ଦେବ ଦେଖିବା ଭଲା । ଛି, ଛି, ଛି–ସେ ଯେଉଁ ପ୍ୟାଣ୍ଟ ପିନ୍ଧା ପୁଣି । ହଗି ପାରିବ ନା ମୂତି ପାରିବ ! ମୂତି ବସିବା ତ ଅସମ୍ଭବ । ମୂତିଲେ ମୂତିବ ଠିଆ ହୋଇ–ପିତୃ ପୁରୁଷଙ୍କ ମୁଣ୍ତରେ ପାଣି ଢାଳିବାକୁ-। ତା’ ଛଡ଼ା କଛା କାହିଁ ? କଛା ନ ମାରି ଆମେ ବାଟ ଚାଲିବା ? ସପ୍ତ ପୁରୁଷଙ୍କୁ ଉଦ୍ଧାର କରିବା-?’’

 

‘‘ବାବୁ, ଇଂରାଜୀ ପଢ଼ିକିବି ଅନେକ ଲୋକ ବଡ଼ ନୀତି ଆଚାର ମାନି ଚଳନ୍ତି ।’’

 

‘‘ସେ ସବୁ ଭଣ୍ତାମି–ଠକାମି–ଦ୍ୱାଚୋରି । ଆମ ଏଇ ବାହ୍ମୁଣିଆଙ୍କୁ ଦେଖୁନ ! ଚିତା ଚଇତନ କାଟି ବେହିପୁଅ କ’ଣ ନ କରୁଚନ୍ତି । ଶଳା ଯେତେକ ମୂର୍ଖ ପ୍ରଜା ସମସ୍ତେ ଭଳି ଯାଉଚନ୍ତି-। ସମସ୍ତେ ଆଖିରେ ପଟି ଚଢ଼େଇ ଦେଉଚନ୍ତି ଏ ବାହ୍ମୁଣ । ସରଗକୁ ନିଶୁଣି ବାନ୍ଧିବେ–ଶଳେ-! ଠକ ଦ୍ୱାଚୋର–ମରୁ ନାହାନ୍ତି ବେହିପୁଅ–ଠକି ଠକି ଠକିବେ ଏଇ ମୂରୁପ ତମ ଆମଙ୍କୁ–ଦରପାଠୁଆ ଗଣ୍ତ ସାଧାରଣ ଲୋକଙ୍କୁ; କିନ୍ତୁ ଯିଏ ଦି’ ଅକ୍ଷର ପାଠ ଶାଠ ପଢ଼ି ସିହାଣ ହେଲାଣି–ତାକୁ ଠକି ଦେବା ଏଡ଼େ ସହଜ ନୁହେଁ । ବେଶି ଏଇ ଇଂରେଜୀ ପାଠୁଆଗୁଡ଼ିକ ସବୁ ପୁରୁଣାକାଳିଆ କଥାକୁ ମରହଟ୍ଟି ଅନ୍ଧବିଶ୍ୱାସ ବୋଲି ଥଟ୍ଟା କରନ୍ତି । ତାଙ୍କ ଆଗେ ଆଉ ବାହ୍ମୁଣଙ୍କ ବାତ୍‌ଫୁରୁସି ଚଳେ ନାହିଁ-। କାହିଁକିନା ସେ ୟାଙ୍କଠୁ ବଳି ଠକ । ମୂର୍ଖ ବାହ୍ମୁଣଙ୍କୁ ସେ ଠକାମିରେ ନ ପଡ଼ନ୍ତି । ତା’ ଦେଖି ଏଇ ବାହ୍ମୁଣ ଠକ ତହୁଁ ବଳି ସିହାଣ ହେଲେ । ଏ ଡାଳେ ଡାଳେ ଗଲାବେଳକୁ ସେ ପତରେ ପତରେ ଚାଲିଛନ୍ତି । ଠକ ବାହ୍ମୁଣେ ଦେଖିଲେ ଇଂରାଜୀ ପାଠୁଆଙ୍କୁ ଠକିବାପାଇଁ ଇଂରାଜ ପଢ଼ିବା ଦରକାର ପଡ଼ିଲାଣି । ଇଂରେଜୀ ପାଠୁଆ ଯଦି ଠକିବେ ତ ସେଇ ଇଂରାଜୀ ପାଠୁଆଙ୍କଠୁ ଠକିବେ-। ବାଜେ ଲୋକଙ୍କଠୁ ଠକିବାକୁ ଭଲ ଲାଗିବ ନାହିଁ । ସେଥିପାଇଁ ଦଳେ ଇଂରେଜୀ ପାଠୁଆ ବାହ୍ମୁଣ ଆଜିକାଲି ବେଶ ପୂଜା ଆହ୍ନିକ କରୁଛନ୍ତି । ଲମ୍ବା ଚିତା ଚଇତନ ନ ମାରି ଅଳପ ଟୋପେ ଚନ୍ଦନ ମାରି ଦେଉଛନ୍ତି । ଗୀତା ଭାଗବତ ଅଭ୍ୟାସ କରୁଛନ୍ତି । ଦରକାରବେଳେ ଇଂରେଜୀ ପାଠ ସାଙ୍ଗରେ ଗୀତା ଭାଗବତ ପଦେ ଦିପଦ ଉଦ୍ଧାରବି କରି ଦେଉଛନ୍ତି । କ’ଣ ନା–ଆମେ ଆଧୁନିକ ବିଦ୍ୱାନ୍ । ଆଧୁନିକ ପୁଣ୍ୟାତ୍ମା–ସଚା, ଖାଣ୍ଟି । ଯିଏ ଇଂରେଜୀ ନ ପଢ଼ିଛନ୍ତି ସେ ହେଲେ ପୁରୁଣାକାଳିଆ ମରହଟ୍ଟିଆଗୁଡ଼ାକ, ତାଙ୍କର ଆତ୍ମା କାହିଁ ଯେ ପୁଣ୍ୟାତ୍ମା ହେବେ–ବିଦ୍ୟା କାହିଁ ଯେ ବିଦ୍ୱାନ୍ ବୋଲେଇବେ । ଦେଖିନ ତମେ ଯେଉଁ ବାହ୍ମୁଣ ବଇଷମ କହିଦବ–ବେ. ମେ. ବି. ସେ ପାସ କରିଚି–ସେ ଠକ ହଉ, ଦ୍ୱାଚୋର ହଉ, ଏଇ ଇଂରାଜୀ ପାଠୁଆଗୁଡ଼ିକ ଯାଇ ତା’ ଗୋଡ଼ ଚାଟିବେ । ୟାଙ୍କର ଗୋଟେ ଗୋଷ୍ଠୀ–ଏ ଇଂରେଜ ପାଠୁଆଙ୍କର । କ’ଣ ଜାଣିଚ ତମେ !’’

 

‘‘ଦୁନିଆଟା ଯାକ ତ ସେଇ ପାଠ ଚଳିଲାଣି–ସେଇ ପାଠର ମାନ ଚାରିଆଡ଼େ ।’’

 

‘‘ମାରତା ଦୁନିଆ । ଦୁନିଆଯାକ ଲୋକେ ଗୁହ ଖାଇବେ ବୋଲି ମୁଁ ବି ଗୁହ ଖାଇବି ।’’

 

‘‘ଏ ତ ଗୋଟାଏ ପାଠ-ବିଦ୍ୟା । ଏ ଆଉ କୋଉଁ ଗୁହ ଖିଆ କଥା ? ଆଗେ ଓଡ଼ିଆ, ବଙ୍ଗଳା, ଫାରସୀ, ନାଗରୀ ଚାରିପାଠ ପଢ଼ୁଥିଲେ, ଆଜିକାଲି ଏ ନୂଆ ପାଠ ଇଂରାଜୀ ବାହାରିଛି । ବୁଦ୍ଧିଆ ଲୋକ ଯେ, ସେ ଏ ପାଠ ପଢ଼ିଯିବେ । ପଢ଼ି ଆସି ତମରି ଉପରେ ହାକିମି କରିବେ, ଘୋଡ଼ା ଚଢ଼ିବେ, ତମେ ବସିଥା ।’’

 

ହଁ, ହଁ, ଘୋଡ଼ା ଚଢ଼ିବେ । ତମରି ଲାଗି । ତମ ମୂର୍ଖଙ୍କ ଲାଗି । ତମେ ପିଠି ପତେଇ ଦବ–ସେ ଚଢ଼ିବ ନାହିଁ ? ମୂର୍ଖ, ପାଷଣ୍ତଗୁଡ଼ାକ, ଠାକୁର ବାହ୍ମୁଣ ଭୁଲି ତାଙ୍କୁଇ କାନ୍ଧରେ ବସେଇଚ-। ମରୁନ ? ଗୁହ ଖାଉନ ? ଛୋଟ ଜାତି–ଛୋଟ ବୁଦ୍ଧି ।’’

 

‘‘ଖାଲି ତୁଚ୍ଛାଟାରେ କ’ଣ ବସେଇଚୁ କାନ୍ଧରେ ? ଗୁଣ ଅଛି, ବିଦ୍ୟା ଅଛି ବୋଲି ତ ବସେଇଚୁ ତାଙ୍କୁ । ତାଙ୍କୁ ତ ପୂଜା କରୁନୁ–ତାଙ୍କ ବିଦ୍ୟାକୁ ପୂଜା କରୁଚୁ ।’’

 

ହଁ, ହଁ, ବିଦ୍ୟା–ବିଦ୍ୟା–କି ବିଦ୍ୟାବେ । ବିଦ୍ୟାକୁ ପୂଜା କରୁଚନ୍ତି । କୋଉ ବାପ ଜନ୍ମକେ ପୂଜା କରି ଶିଖିଥିଲେ ନା ପୂଜା–ପୂଜା–ପୂଜା ଦେଖଉଚନ୍ତି । ଆରେ ବିଦ୍ୟାକୁ ପୂଜା କରୁନ ଯେ–କୁବେରକୁ ପୂଜା କରୁଚ–କୁବେରକୁ । ଇଂରେଜୀ ପାଠରେ ବିଦ୍ୟା ନ ଥାଏ, ଥାଏ ପଇସା, ଧନ । ଲୋକେ ଇଂରାଜୀ ପାଠ ପଢ଼ନ୍ତି ପଇସା ଅର୍ଜନ କରିବାକୁ–ବିଦ୍ୟା ଅର୍ଜନପାଇଁ ନୁହେଁ । ତମେ ପୂଜା କର ତାଙ୍କ ପଇସାକୁ–ତାଙ୍କ ପଇସା ଅର୍ଜନ କରିବାର କ୍ଷମତାକୁ–ବିଦ୍ୟାକୁ ନୁହେଁ । ବିଦ୍ୟା କ’ଣ ପଣ୍ତିତ ବାହ୍ମୁଣଙ୍କର ନାହିଁ ?’’

 

‘‘ଏଗୁଡ଼ାକ ତମର ଅତି କଥା ନନା–ବରଷ ବରଷ ଧରି ଟଙ୍କା କଉଡ଼ି ସାରି ହାଡ଼ଭଙ୍ଗା ଖଟଣି ଖଟି ପାଠ ହାସଲ କରୁଛନ୍ତି ଆମ ପିଲାଏ–ଟିକିଏ ହେଲେ ବିଦ୍ୟା ଶିକ୍ଷା ହଉନାହିଁ ସେଥିରେ-?’’

 

‘‘ପହିଲମାନ ଦେଖିଛ ? ପହିଲମାନଠୁ ବେଶି ମେହନତ୍ କିଏ କରେ ? ସକାଳୁ ଏତେ ନାଚି କୁଦି, ଛେଚି ବାଡ଼େଇ କେତେ ମାଣ ଜମି ଚଷେ ସେ କହିଲୁ ? ଏ ପାଠ ସେଇୟା ।’’

 

‘‘ତଥାପି କେତେ କଥା ଜାଣନ୍ତି ପିଲାଏ–ଆଖି ଖୋଲି ଯାଏଁ ।’’

Unknown

 

‘‘ହଁ, ହଁ, କିଏ ମନା କରୁଛି । ଲୋକଙ୍କ ଆଖି ଖୋଲି ଯାଏଁ । ଲୋକେ ଚାଲାକ ଚତୁର ହେଇ ଆଚ୍ଛା କରି ପଟି ଚଢ଼େଇ ଶିଖନ୍ତି । ଇଂରାଜୀ ପାଠ ନୁହେଁ ଏ ଲୋକଙ୍କୁ ଠକିବାର ନୂଆ ଫନ୍ଦ-। ପୁରୁଣା ଚାଲାକି ଆଉ ପଟୁ ନାହିଁ ଏ ବାବୁଭାୟାଙ୍କର । ଲୋକେ କିରିମେ ସିହାଣ ହୋଇଗଲେଣି-। ସାହୁ ମହାଜନ ଜମିଦାରଙ୍କ କରାମତି ଆଉ କାଟୁ ନାହିଁ । ସେଥିପାଇଁ ଏ ନୂଆ ଫନ୍ଦି । ଏ ତମର ନୂଆ ଫନ୍ଦି–ତମେ ଯେତେ ଗରିବ ମୂର୍ଖ ପରଜାଙ୍କୁ ଶୋଷୁଚ, ଏ ତମର ନୂଆ ଫନ୍ଦି ।’’

 

‘‘ମୋତେ କାହିଁକି କହୁଚ ନନା–ମୁଁ ତ ନିଜେ ମୂର୍ଖ ।’’

 

‘‘ଆଉ କାହାକୁ କହନ୍ତି ? ତମେଇ ତ ଦୋଷୀ । ତମେଇ ତ ଚଣ୍ତାଳ । ତମଠୁ ବଳି ଚଣ୍ତାଳ ଆଉ କିଏ ଅଛି ? ତମେଇ ତ ସେ ଡକେଇତଙ୍କୁ ତଣ୍ଟି ପତେଇ ଦଉଚ–ସେ ଡକେଇତ ତିଆରି କରୁଚ–ତମକୁ ନ କହି କହନ୍ତି କାହାକୁ ? ତମେ କ’ଣ ଆଉ ଆଜିକାଲି ପୁରୁଣା ଲୋକଙ୍କୁ, ମୁଖିଆ ପଧାନଙ୍କୁ, ରଜା ଜମିଦାରଙ୍କୁ ମାନୁଚ ? ତମର ଗୁରୁଗୋସେଇଁ ସେଇ ଏ. ଫେ. ବେ. ମେ କଲାବାଲା । ସେ ଯାହା କହିବେ ବେଦର ଗାର ।

 

‘‘ଏ କଥା କାହିଁକି ହଉଚି, ତମେ ବୁଝୁନାହଁ ନନା । ଜମିଦାର, ମହାଜନ, ପଣ୍ତିତ, ବାହ୍ମଣ, ମୁଖିଆ ପଧାନଙ୍କ ଜଞ୍ଜାଳ ତ ଦିନକୁଦିନ ବଢ଼ିଲା–’’

 

‘‘ଚୁପ୍ ଚୁପ୍–ଆଉ ବେଶି ପାଟି କରନା । ବହୁତ ଶୁଣିଚି ସେ ଜାତିଆ କଥାଗୁଡ଼ାକ । ଶୁଣି ଶୁଣି ବଧିରା । ତମର କି ଦୋଷ । ଏ ପାଠ ତମକୁ ପଢ଼େଇଚନ୍ତି ସେଇ ଇଂରେଜୀ ପାଠୁଆଯାକ । ଆଉ ତାକୁ ନାଗରା ବାଡ଼େଇ ପ୍ରଚାର କରୁଚ ତମେ ଦରପାଠୁଆଯାକ । ପାଠୁଆଙ୍କଠୁ ତମେ ଏଇ ଦେଖାଶିଖାଗୁଡ଼ାକ ବେଶି ବିପଦ । କ’ଣ ନା–ଆମେ ଜୁଲମ କରୁଛୁ ? ଆମ ଜୁଲମ ତମେ ଆଉ ରଖିଚ ? ବାପ ଦାଦା, ଖୁଡ଼ୁତା ଜୁଡ଼ୁତା, ମଉସା ପିଉସା ବୋଲି ତମେ ଆମକୁ ମାନ୍ୟ କରୁଥିଲ–ଦିନ ଥିଲା–ଆମେ ନହେଲା କେତେବେଳେ କିମିତି ଚାପୁଡ଼େ ବିଧେ ତମକୁ ମାରି ଦଉଥିଲୁ–ଶାସନ କରିବା ଲାଗି । ସେ ନୋହିଲା । ଏବେ ଯା, ଇଂରାଜୀ ପାଠୁଆ ଓକିଲ, ମୃକ୍ତଚ, ଟାଡ଼ଟର, ମୋହରିରଙ୍କ ଶିଖାରେ ପଡ଼–ଜମିଦାର ମହାଜନଙ୍କୁ ନ ମାନ–ଧର୍ମାବତାର, ସାକ୍ଷାତ ଧର୍ମାବତାର ବସିଚନ୍ତି ମିସଲରେ–ସବୁଯାକ ଧର୍ମ ବିଚାର କରି ପକାଉଚନ୍ତି ଯମରାଜ । ଭଳି–ତାଙ୍କରି ପାଖରେ ହାତ ଯୋଡ଼ । ସେ ତ ଆଉ ହାତରେ ମାରିବେ ନାହିଁ । ସେ କାଟିବ କାହିଁକି ? ତମକୁ ଭାତରେ ମାଇଲେ ସହିବ–ହାତରେ ନୁହେଁ । ପେଟର ମାଡ଼ ସହିବ ଛାଟର ନୁହେଁ । ନ୍ୟାୟ ନାଆଁରେ, ଶାସନ ନାଆଁରେ, କଚେରି ନାଆଁରେ, ଆଇନ ନାଆଁରେ, ତମେ ଆକ୍ରାନ୍ତ ହେବା ଯାଏଁ, ନାକରେ କାନ୍ଦି କାନରେ କାନ୍ଦିବା ଯାଏଁ ଦଉଥିବ–ହଗୁଥିବ–ସହୁଥିବ–ଯେତେ ଠକୁଥିବ ସେତେ ଆଚ୍ଛା–ଆଉ ଠାକୁର ବାହ୍ମଣ ନାଆଁରେ–ରଜା ପ୍ରଜା ହିସାବରେ କୋଉଠି ଦି’ ପଇସା ଚାରିପଇସା ଦବାକୁ ପଡ଼ିଲା ତ ସେଟା ହେଲା ଆମର କସୁର୍–ବେଆଇନ୍ ।’’

 

‘‘ତମେ ଆମକୁ ପେଟରେ ଛାଟରେ ସବୁଥିରେ ମାରୁଚ । ଯାହା କୁହ ନନା, ଏଇ ଜମିଦାର ମହାଜନଙ୍କ କାଳ ପୂରି ଆସୁଚି । ଏଗୁଡ଼ାକ ଆପଣା ପାପରେ ଆପେ ଗଡ଼ି ପଡ଼ୁଚନ୍ତି । ଅତ୍ୟାଚାର ଜୁଲମ ଅତି ବଳି ପଡ଼ିଲା । ଲୋକେ ଆଉ ସହିପାରୁ ନାହାନ୍ତି ? ଧରମବି ସହିଲା ନାହିଁ-। ଦେଖୁନ, ଗାଁରେ ଆଉ ଲୋକ ଅଛନ୍ତି ? ଗାଁ ପଦା ପଡ଼ିଲାଣି । ସମସ୍ତେ କଲିକତା । ଘରଦୁଆର କାନ୍ଥଡ଼ା ହେଲାଣି । ଏ କାହାର ପାପ ?–କାହାର ଅଧର୍ମ ?’’

 

‘‘ଖୁବ୍ କହିଚ–ଥାଉ ଥାଉ ! ପାପ ଦେଖଉଚି ପାପ । ପାପ ପାପ ବୋଲି ଆଉ ମୁହଁରେ ଧରନା ସେ ଶବ୍ଦ । ଆଜିକାଲି ପୁଣି ପାପ ଗୋଟିଏ କ’ଣରେ ? କହ–ବେଆଇନ୍–ବେଆଇନ୍ । ଗୋଟେ ତ ଆଇନ, ଆଉ ଗୋଟେ ବେଆଇନ୍ । ପାପ କ’ଣ ଗୋଟିଏ ପୁଣି । ପାପର ଘର କୋଉଠି ? ସେ କିମିତିକା ଜିନିଷ । ତାକୁ କିଏ ଦେଖିଚି ? ସେ କୋଉ ଆଇନ ବହିରେ ଲେଖା ହେଇଚି ? ତାକୁ କୋଉଁ ଓକିଲ ନିଜର ଦେଖେଇ ପ୍ରମାଣ କରିବ ? ଯେଉଁ ପାପକୁ କଥାରେ ଭାଙ୍ଗି ମୋଡ଼ି ପୁଣ୍ୟ କରି ନହେବ ସେ କି ପାପ । ଯେଉଁ ପାପକୁ ମିସଲ ଉପରେ କୋଟ୍ ପିନ୍ଧା ହାମିକ ଜଜ୍ ମନ ଅନୁସାରେ ପୁଣ୍ୟ କରି ନ ପାରିବେ ସେ କି ପାପ ? କହ ବେଆଇନ୍ ବେଆଇନ୍ । ଜମିଦାର ସାହୁକାରଙ୍କ ଅତ୍ୟାଚାର ପାପ ନୁହେଁ, ବେଆଇନ୍ । ମିସଲରେ, ଧର୍ମାବତାରଙ୍କ ପାଖରେ ଧର୍ମ ଅଦାଲତରେ ତା’ ନାଆଁ ସେଇ ବେଆଇନ୍–ପାପ ନୁହେଁ । ପାପକୁ କ’ଣ ସତ୍ୟପାଠ କରି ପୁଣ୍ୟ କରିହେବ ? ପାପ ହେଇଥିଲେ ନିଜେ ପ୍ରାୟଶ୍ଚିତ୍ତ ନ କରି ଓକିଲ ମୁକ୍ତାର ହାକିମ ଦିପଟିଙ୍କ ଫିସ ଦେଇ ଲାଞ୍ଚ ଦେଇ ପାର ପାଇ ହୁଅନ୍ତା ? ଏସବୁ ଆଇନ ବେଆଇନ୍‍ର ଖେଳ–ପାପ ପୁଣ୍ୟର ନୁହେଁ । ଦୁନିଆଟା ହେଇଚି ସେଇୟା । ସେଥିରେ ଜମିଦାର ଅତ୍ୟାଚାର କଲେ, ସାଉକାର ଅତ୍ୟାଚାର କଲେ ଭାସିଗଲା କ’ଣ ? ସେ ଯଦି ବେଆଇନ୍ ହେଇଥାଏ, କୋଟ୍‍ରେ ଠିଆ କରେଇ ଦିଅ । ପାପ ବୋଲି କହିବ କାହିଁକି ? ସେ କ’ଣ ତାଙ୍କର ପାପ ? ପାପ କେହି କରନ୍ତି ନାହିଁ ଆଜିକାଲି । ପାପ ଯଦି କରୁଥାଆନ୍ତୁ ଆମେ, ଆଉ ତମେ ଯଦି ଖାଲି ପୁଣ୍ୟରେ ଥାଆନ୍ତ ତେବେ ଠାକୁରଙ୍କୁ ଡାକି ପାପ ଆଗରେ ହିମତ ଧରି ଠିଆ ହେଇ ଯାଆନ୍ତ । ଯାହା ହବାର ହୋଇଯାନ୍ତା । ପାପ ପୁଣ୍ୟର ଲଢ଼େଇ ଲାଗନ୍ତା । ଦେଖା ଯାଆନ୍ତା କିଏ ଜିଣତା । ତମେ କାହିଁକି ଦଉଡ଼ି ଯାଆନ୍ତ କି କୋଟ୍ ମିସଲକୁ ? ତମେ ଭାବିଛ, ପାପକୁ ତମେ ଏମିତି ଦବେଇ ଦବ, ଅଧିକ ପାପ ବଳରେ–ଛୋଟ ଅନ୍ୟାୟକୁ ଦବେଇବ ତମେ ବଡ଼ ଅନ୍ୟାୟ କରି ? ଜମିଦାର ମହାଜନଙ୍କ କବଳରୁ ରକ୍ଷା ପାଇବ ଓକିଲ ଟାଉଟରଙ୍କ ପାଖେ ମୁଣ୍ତ ବିକି ? ପାରିବ ନାହିଁ–ପାରିବ ନାହିଁ । ଜମିଦାର ମହାଜନଙ୍କ ଅନ୍ୟାୟ ପାଉଣା ହାକିମ ଓକିଲଙ୍କ ପକେଟରେ ନ୍ୟାୟ ହେଇଯାଏ, ନୁହେଁ ? ପାରିବ ନାହିଁ–ପାରିବ ନାହିଁ ଏ ଜୁଲମ କେହି ବନ୍ଦ କରି ପାରିବ ନାହିଁ । ଜୁଲମ ଚାଲିଥିବ–ଜୁଲମର ଢଙ୍ଗ ବଦଳି ଯିବ–ଜୁଲମ କଲାବାଲାର ରଙ୍ଗ ବଦଳି ଯିବ–ପୁଣି ଦେଖିବ ଏଇ ଜମିଦାର ମହାଜନଙ୍କ ପୁଅ ପୁତୁରା ଯାଇ ଓକିଲ ମୁକ୍ତାର ହାକିମ ଦିପଟି ହୋଇ ଠିଆ ହେବେ । ତମେ ଯେଉଁ ତିମିରେ–ସେଇ ତିମିରେ ।

 

ଜମିଦାର, ଜମିଦାର ହଉଚ । ଜମିଦାର ସାଉକାରଙ୍କୁ ଏ ଜୁଲମ ଶିଖେଇଲା କିଏ ? ତାଙ୍କୁ ବଳ ଦେଲା କିଏ ? ତାଙ୍କ ଅତ୍ୟାଚାରର ପାପକୁ ପୁଣ୍ୟ କରି ଠିଆ କରେଇଲା କିଏ ? ସେଇ–ସେଇ ତମେ ଯାହାଙ୍କ ପାଖେ ଯାଇ ଶରଣ ପଶୁଚ ସେଇ, ଯେଉଁ ଓକିଲ ଦିପଟିଙ୍କୁ ମା ବାପା ଧର୍ମାବତାର ବୋଲି ଡାକି ଦାନ୍ତରେ ତିରଣ ଧରି ପଡ଼ି ଯାଉଚ ସେଇ–ସେଇ । ସେ ତମର ନୁହନ୍ତିରେ ପାଗଳା ତମର ନୁହନ୍ତି । ସେ ତାଙ୍କ ସାରା ବାପରବି ନୁହନ୍ତି । ସେ ହଉଚନ୍ତି ପଇସାର । ସେ କାହାର ପକ୍ଷ ନୁହନ୍ତି–ପଇସାର ପକ୍ଷ । ପଇସା ତାଙ୍କର ନ୍ୟାୟ । ପଇସା ଯିଏ ଯେତେଦବ ସିଏ ସେତେ ନ୍ୟାୟ ପାଇବ । ସାହୁ ମହାଜନ, ରଜା ଜମିଦାରଙ୍କର ବେଶି ପଇସା–ନା ତମର ବେଶି ପଇସା ? ତମେ ଯେଉଁ ଠେଙ୍ଗା ଧରିବ ସେ ସେଇ ଠେଙ୍ଗାରେ ତମକୁ ପାହାର ଦେବେ । ତମେ ଯା–ଯା ସେଇ ଇଂରେଜୀ ପାଠୁଆଙ୍କ ପାଖକୁ । ସେ ତମକୁ ସେଇ ଜମିଦାର ମହାଜନଙ୍କ ଜୋତାରେ ଠୋକର ନ ଦେଇଚନ୍ତି ତ ମୋତେ ପୁଣି କହିବ । କ’ଣ ନା–ନ୍ୟାୟ, ଧର୍ମ । ନ୍ୟାୟ ଦବ କିଏ ? ଧର୍ମ ଦବ କିଏ ? ଯେ ନ୍ୟାୟକୁ ମାନେ, ଧର୍ମକୁ ମାନେ, ସେ ସିନା ନ୍ୟାୟ ଦବ । ଆଉ ନ୍ୟାୟ ଦେବେ ଏଇ ପଇସା କୁକୁର ଇଂରାଜୀ ପାଠୁଆ ଲୋକେ ? ତଳ କୋଟ୍‍ରେ ଛୋଟ ଓକିଲ ଛୋଟ ହାକିମ ତମକୁ ନ୍ୟାୟ ଦେବେ । ତାଙ୍କଠୁ ନ୍ୟାୟ ଆଣିବାପାଇଁ ତମ ଅଣ୍ଟାରେ କିଜାଣି ବଳ ଅଛି । ତା’ ଉପରକୁ ପୁଣି ଯେ ବଡ଼ ନ୍ୟାୟ ଅଛି ଯେଉଁଠି ଜଜ୍‌ ବାରିଷ୍ଟର ନ୍ୟାୟ ଦେବେ–ତହିଁକି ତାକତ ଅଛି ତମର ? ତେବେ ପାପ ପାପ ବୋଲି ଚିତ୍କାର କରୁଚ କିଆଁ ? ସହିବାକୁ ହବ । ତମେ ସହିବାପାଇଁ ଜନ୍ମ ହେଇଚ । ସେଇ ଗୋଟାକ ନ୍ୟାୟ–ଉଚିତ । କାରଣ ଭାଗ୍ୟକୁ ବଦଳେଇ ଦେବାର ଦିମାକ ତମର ନାହିଁ । ଯେଉଁ ବାଟ ଧରିଚ ସେ ବାଟରେ କେଭେ ନୁହେଁ । ପାପକୁ ବେଆଇନ୍ ବୋଲି କହି ତମେ ଆଇନ ଅଦାଲତରେ ନ୍ୟାୟ ପାଇବ ନାହିଁ । ବେଆଇନ୍ ଆଇନ ହୋଇପାରେ କଥାର ପେଞ୍ଚ ପାଞ୍ଚରେ–ପାପ ଯେ ସେ ପାପ । ତାକୁ ଆଉ ଆଇନ ଦେଖାଇ ପୁଣ୍ୟ କରି ହେବ ନାହିଁ । ପାପପାଇଁ ଆଇନ ନାହିଁ ।’’

 

ଅଗଣି ଦାଶ ଆଉ ଯା’ ପାରେ ତା’ ହେଉ–ସେ ବଡ଼ ଦାମ୍ଭିକ–ବଡ଼ ନିର୍ଭୀକ । ଏକଜିଦିଆ ଲୋକ । ଯାହା ବୁଝିଥିବ ସେଇୟା । କଥାଗୁଡ଼ାକ ତା’ର ସିଂହ ଗର୍ଜନ ପରି ଠୋମ୍–ଜବରଦସ୍ତ । ତା’ ଆଗରେ ଯୁକ୍ତି କରି କେହି ଜିତି ପାରିବ ନାହିଁ । ପାଟିରେ ସେ ବୁଡ଼େଇ ପକାଇବ-। ମୁହେଁ ମୁହେଁ ସେ ସମସ୍ତଙ୍କୁ ବତେଇ ଦିଏ ବୋଲି ଅନେକେ ତା’ ଉପରେ ଚିଡ଼ନ୍ତି । ସେ ଖାତିର କରେ ନାହିଁ । ଯାହା କହିଥିବ ସେଇୟା କରିବ । ଗୋଟେ କଥା । ସେ ପୁଅକୁ ଇଂରାଜୀ ପଢ଼ାଇଲା ନାହିଁ । ଦୁଃଖୀ ବୃତ୍ତି ପାଇଥିଲା–ଭଲ ପିଲା–ସେଥିପାଇଁ ତା’ ମାଷ୍ଟରଯାକ କହିଲେ, ଇସ୍କୁଲ ସେକ୍ରେଟେରୀ ପଟ୍ଟନାହାକ ପଡ଼ାର ସେ କି ମହାନ୍ତି, ସେ ବି ଆସି କହିଲେ, ଅଗଣି ଦାଶ ସ୍ତ୍ରୀ, ଗଲା ବାକି ବନ୍ଧୁବାନ୍ଧବ ପ୍ରିୟାପ୍ରୀତି ଯିଏ ଶୁଣିଲା ସିଏ ଆସି ଜିଦ୍ କଲା ଅଗଣି ଦାଶ ଆଗରେ–କେଉଁଥିରେ ହେଲା ନାହିଁ, ତା’ର ସେଇ ଗୋଟିଏ କଥା ପାଠ ପଢ଼ିବ ତ ବାହ୍ମଣ ଘର ପୁଅ ସଂସ୍କୃତ ପଢ଼ୁ–କ୍ରିୟାକର୍ମ ଶିଖୁ–ପଇସା ରୋଜଗାର କରିବାପାଇଁ ସେ ଇଂରେଜୀ ପଢ଼ାଇ ପାରିବ ନାହିଁ ।

ଯଦି କେହି କହେ–‘ସଂସ୍କୃତ ମଲା ପାଠ–ଆଉ ଆଜିକାଲି ଚଳୁ ନାହିଁ’ ଅଗଣି ଦାଶ କମ୍ପି ଉଠେ–ପାଠ କେବେ ମଲା ହୋଇପାରେ–ପଢ଼ିବାବାଲା ମଲା ହୋଇଗଲେ କହେ ପାଠଟା ମଲା । ସଂସ୍କୃତ କେବେ ମରି ପାରେନା–କଦାପି ନୁହେଁ । ସୃଷ୍ଟିଥିବା ଯାକେ ସଂସ୍କୃତ ହେଇ ରହିଥିବ–ଜିଇଥିବ । ମଣିଷ ଯଦି ସଂସ୍କାରକୁ ଭୁଲି ଯାଏଁ, ତେବେ ସେ ସଂସ୍କୃତକୁ ଭୁଲିପାରେ–ତା’ ଆଗରୁ ନୁହେଁ ।

ଦୁଃଖୀ ସଂସ୍କୃତ ପଢ଼ିଲା । କିନ୍ତୁ ତା’ର ମନବୋଧ ହେଲା ନାହିଁ ସେତିକିରେ । ସେ ବେଳପାଇଲେ ଲୁଚି ଲୁଚି ଯାଇ ଜଣେ ଇଂରାଜୀ ମାଷ୍ଟର ପାଖରେ ଇଂରାଜୀ ପଢ଼ି ଆସେ । ମାଗି ଯାଚି ବହି କିଣେ । ବାପକୁ ଜଣାଏ ନାହିଁ । ଅଗଣି ଦାଶ ସେ କଥା ଜାଣିପାରେ ନାହିଁ । ଜାଣିଥିଲେ ଦୁଃଖୀର ବାସ ନ ଥାନ୍ତା ।

ସେଇ ସଂସ୍କୃତ ପଢ଼ି ଗଲାବେଳେ ସେ ବାପ ସଙ୍ଗରେ ପହିଲୁ କଳି କରିଥିଲା । ଘରେ ବସି ରହିଲା । ଆଦୌ ବାହାରିଲା ନାହିଁ–ଟୋଲ୍‍ରେ ଯାଇ ରହି ପଢ଼ିବାକୁ । ବାପରବି ଜିଦ୍ ବସିଲା–ସଂସ୍କୃତ ନ ପଢ଼ିବ ତ ମୂର୍ଖ ହବ–ସେ କେଭେ ଦୁଃଖୀକୁ ଇଂରେଜୀ ପଢ଼େଇବ ନାହିଁ । ଶେଷରେ ମୂର୍ଖ ହେବା ଭୟରେ ଦୁଃଖୀ ହାର ମାନିଲା ।

ଦ୍ୱିତୀୟ ଥର କଳିକଲା ବାପ ସଙ୍ଗରେ ବାହାଘର ନେଇ । ଦୁଃଖୀର ଶ୍ୱଶୁର ଗୌରୀ ଦାନ କରିବେ । ସେଥିପାଇଁ ଦୁଃଖୀକି ବାହା ହବାକୁଇ ହବ । ଅଗଣି ଦାଶ ଜବାବ ଦେଇ ସାରିଚନ୍ତି-। ତାଙ୍କ ଜବାବ ଆଉ ଏ ପାଖ ସେ ପାଖ ହବାର ନୁହେଁ । ଦୁଃଖୀ କୌଣସିମତେ ବାହା ନ ହୁଏ-। ଛୁଆ କନିଆ ବାହା ହବ ନାହିଁ । ଛୁଆ କନିଆ ବାହାହବା ବେଆଇନ୍ । କୋଟ୍‍ରେ ଆପତ୍ତି କଲେ ଦଣ୍ତ ହେଇ ଯିବ । ଅଗଣି ଦାଶ ତଥାପି ନ ମାନନ୍ତି । ଅଗଣି ଦାଶ ନାଆଁରେ କିଏ ମକଦ୍ଦମା କରିବ କରୁ । ଅଗଣି ଦାଶକୁ ଯିଏ ମିସଲକୁ ଟାଣିବ ତା’ ମୁର୍ଦ୍ଧନା ପାତ୍ ହବ । ଅଗଣି ଦାଶ କିଛି ଚୋର ଚଣ୍ତାଳ ନୁହେଁ । ଅଗଣି ଦାଶ କୋଉଠି ମାର ହାଣ କରି ନାହିଁ କାହାକୁ । ଶାସ୍ତ୍ର ବିଧିମାନି ଅଗଣି ଦାଶ ଚଳିବ, ସେଥିରେ ସେ ହବ କଚେରିକି ଟଣା ? ଧର୍ମ ଦେବତା କ’ଣ କୁଆଡ଼େ ଲୋପପାଇ ଗଲେଣି କି ?

ଏମିତି କଥାରେ ଦୁଃଖୀ କହିଦେଲା–‘‘ଧର୍ମଦେବତା ଲୋପ ପାଇ ନଥିଲେ ଅଜ୍ଞାନ ବାଳିକାଟାକୁ ଜବରଦସ୍ତି ଜଣକ ବେକରେ ବାନ୍ଧି ଦିଅନ୍ତେ ।’’

‘‘ସରିଗଲା–ସରିଗଲା–ଏ ଯୁଗ ଓଲଟି ଗଲା । ଶୁଣ ହୋ, ପୁଅକୁ ପାଠ ପଢ଼େଇ ଥିଲି, ମୁହଁରେ ଜବାବ ଦେବ ବୋଲି । ମୁଁ ତ ଇଂରାଜୀ ପାଠ ପଢ଼େଇ ନଥିଲି–ଏ ତେବେ ବାପ ମୁହଁରେ ଜବାବ ଦେବା ଶିଖିଲା କେଉଁଠୁ ? ଏ ମୋତେ ଆସିଛି ପାଠ ପଢ଼େଇବାକୁ । ହଇରେ, ତୁ ମୋତେ ପାପ ପୁଣ୍ୟ ଶିକ୍ଷା ଦେବୁ ? ଏକଥା ଆମ ଚଉଦ ପୁରୁଷରେ କରି ଆସିଛନ୍ତି, ଆଜି ନୁହେଁ । ତାଙ୍କର ପାପ ହୋଇ ନାହିଁ–ଆଉ ଆଜି ତୁ କହିଦେଲୁ ବୋଲି ପାପ ହୋଇଯିବ ।’’

ଗାଁରୁ ଦି’ ଚାରିଜଣ ଅଗଣି ଦାଶର ପାଟି ଶୁଣି ଦଉଡ଼ି ଆସିଲେ । ବେଶି ମଣିଷଙ୍କୁ ଦେଖି ଅଗଣି ଦାଶର ବକ୍ତିମା ଛୁଟିଲା । ଦୁଃଖୀ ଯାହା କହିଥିଲା, ନ କହିଥିଲା ସବୁଯାକ ଯୁକ୍ତିକି ଏ ପାଖ ସେ ପାଖ କରି କାଟି ଟିକିଟିକି କରି ପିଙ୍ଗି ଦେଉଥିଲା ଯେମିତି–

‘‘ହଇ ହୋ, ବାପ ମା ଯାହା କହିବେ–ସେଥିରେ ପୁଅ ଝୁଏ ପାଟି ଫିଟାନ୍ତି ? କୋଉଠି ଦେଖିଥିଲ ? କୋଉଠି ଶୁଣିଥିଲ ? ଏ କଳିକାଳ ଇଂରେଜୀ ଅମଳ ହେଲାକୁ ସିନା ଏ ଅନ୍ୟାୟ ଘୋଟିଲା । ମୁଁ ତ ସେଇଥିପାଇଁ ଏ ଟୋକାକୁ ପାଠ ପଢ଼େଇବି ନାହିଁ ବୋଲି ମନା କରି ଦେଇଥିଲି-। ତମେ ସମସ୍ତେ ଜିଦ୍‍କଲ–ଏଇ ନିଅ, ଏଥର ସମ୍ଭାଳ । ଗାଁ ଉଚ୍ଛନ୍ନ କରିବ ସେ । ବାପ ମୁହଁରେ ଜବାବ । ଓହୋ–ଘୋର କଳି–ଘୋର କଳି–ଶିବ–ଶମ୍ଭୋ–ଶିବଶମ୍ଭୋ ।’’

‘‘ସେ ପରା ସଂସ୍କୃତ ପଢ଼ୁଥିଲେ !’’ କିଏ ଜଣେ କହିଦେଲା । ‘‘ଆରେ ରଖ ତୋ ସଂସ୍କୃତ-। ଆଜିକାଲି ସବୁ ପାଠ ସେଇୟା–ସବୁ ଚୁଲି ମୁହଁ ପଶ୍ଚିମକୁ, ଅଜାତିଙ୍କ ସାଙ୍ଗରେ ବସିଲେ ଉଠିଲେ ଉଚ୍ଚ ଜାତି ଭଲ ଜାତିର ଲୋକବି ଛୋଟ ହେଇଯିବ । ଏ ଇଂରାଜୀ ପାଠ ହାଉଆରେ ଆଉ କ’ଣ ଶୁଦ୍ଧ ଖାଣ୍ଟି ହେଇ ରହିଛି ? ସବୁ ମିଶା–ସବୁ ବାରବାଇଯା ହେଇ ଗଲାଣି । ସଂସ୍କୃତ ଆଉ କ’ଣ ସଂସ୍କୃତ ହେଇଅଛି ? ଖାଲି ନାଆଁକୁ ? ସଂସ୍କୃତ–ନରଃ ନରୌଃ ନରାଃ–ତା’ ଛଡ଼ା ଆଉ ଅଛି କ’ଣ-? ଚୋପାଟା ପଡ଼ିଛି–କାତିଟା ରହିଛି–ଶଶ କାହିଁ ? ଅସଲ ସଂସ୍କୃତ ନାହିଁ, ଅସଲ ସଂସ୍କୃତ ଥିଲେ ସଂସ୍କୃତର ଭାବ କୁଆଡ଼େ ଯାଆନ୍ତା । ଯିଏ ସଂସ୍କୃତ ପଢ଼ନ୍ତି–ଠିକ୍ ଠିକ୍ ଭାବରେ ସଂସ୍କୃତ ପଢ଼ନ୍ତି ସେ ଏମିତି ଅସଂସ୍କୃତିଆ କଥା କହିବେ !’’

ଜଣେ କେହି ଅଗଣି ଦାଶ ଆଡ଼କୁ ଢଳି କଥା କହିଲା–‘‘ହଇ ହୋ, ଆଜିକାଲିକା ହାଉଆଟା ତ ସିମିତି–ତେମେ ପାଠ ପଢ଼ା, ଚାହିଁନ ପଢ଼ା–ସବୁ ସେଇୟା–ସବୁ ସମାନ–ଆଜିକାଲିକା ଟୋକା କ’ଣ ଆଉ ଗୁରୁ ଗୁରୁ ଗୁରୁଜନଙ୍କୁ ମାନୁଛନ୍ତି ? ମଣିଷ ମାନୁଛନ୍ତି ଆଗ !’’

ଜଣେ ଟୋକାଳିଆ ଲୋକ ତା’ର ପ୍ରତିବାଦ କଲା–‘‘କୁଆଡ଼ୁ–ଆଜିକାଲିକା ଟୋକାଗୁଡ଼ାକ କ’ଣ ଆଉ ମଣିଷ କି ମଣିଷ ମାନିବେ । ସେ ତ ଗାଈ ଗୋରୁଗୁଡ଼ାକ । ବାପ ମା ତାଙ୍କ ବେକରେ ଦଉଡ଼ି ବାନ୍ଧି ଚରେଇ ବୁଲେଇ ଆଣି ଯେମିତି ଖଟେଇ ଦେବେ ସେ ସେମିତି ରହିବେ ।’’

‘‘ଏଇ ଦେଖ ଦେଖ, କଥା ଣୁଣ ।’’ ଅଗଣି ଦାଶ ଚିହିଡ଼ା ଛାଡ଼ି ଉଠିଲେ–‘‘ହଁ, ଅଲବତ୍ ରହିବେ । ଭଗବାନ୍ ଆମକୁ ବାପ ମା କରିଚନ୍ତି ଆମେ ଯେମିତି ଚାହିଁବୁ ପିଲାଏ ସେମିତି ରହିବେ-। ଏ କ’ଣ ଆଜିକା କଥା ? ଏ କଥା ସାତ ସତାନେରୁ ହେଇ ଆସୁଛି ।’’

‘‘ତା’ ବୋଲି ଘୁଅ ଖୋଇଲେବି ଗୁହ ଖାଇବୁ ?’’

‘‘ଖାଇବାକୁ ହବ । ବାପ ମା ଖାଇବାକୁ ଯଦି କହନ୍ତି, ତେବେ ଜାଣିବ ଯେ ସେ ଗୁହରେବି ଗୋଟେ ଇଷ୍ଟ ଅଛି ।’’

‘‘ତା’ ବୋଲି ଛୁଆ କନିଆଟାକୁ ବାହା ହେବାରେ କି ଇଷ୍ଟ–ସେ ତ ବରକୁ ସାପ କି ବେଙ୍ଗ ବୋଲି ଜାଣେ ନାହିଁ ।’’

‘‘ଇଷ୍ଟ ନାହିଁ ? ଅଲବତ୍ ଅଛି । ପଚାର ଯାଇ ତୋ ବାପକୁ । ସେ କିମିତି କନିଆ ବାହା ହେଇଥିଲା–ଛୋଟ କି ବଡ଼ । ତୋ ମା ଆଉ ତୋ ବାପ ଭଳି ହଳେ ମଣିଷ ଖୋଜି ଆଣିଲୁ ତମ ଆଜିକାଲିକା ବଜାରରୁ । ସାବିତ୍ରୀ ସତ୍ୟବାନ, ରାମସୀତୟା କ’ଣ ସବୁ ଗଛରୁ ଫଳନ୍ତି କିରେ ! ଏଇ ମାଟିରେ, ଏଇ ଭୂଇଁରେ, ଏଇ ତମରି ଆମରି ଛାଟିବାଟି ମାଟି ଘରେ, ଏଇ ଯେଉଁ ଦିହ ମାଟିରେ ମିଶିବ ତା’ରି ଭିତରେ ସତୀ ସାବିତ୍ରୀ ସତ୍ୟବାନ ଥାଆନ୍ତି–’’

 

‘‘ଆଉ ଏଇ ଦିହରେ, ଏଇ ମଣିଷ ଶରୀର ଘେନି, ଏଇ ଘରେ ଜନ୍ମ ହେଇ, ନାବ ନାନୀ ପରି ଶହ ଶହ ନିରୀହ ବାଳିକା ବିଧବା ହୁଅନ୍ତି–ରାଣ୍ଡ ଚେମିନାନୀ ପରି ଅଗଣିତ ସ୍ତିରୀ କିଆ ବୁଦା ମୂଳେ ପୁଅ ସ୍ନେହ କରି ଆସନ୍ତି–କଲିକତା ହିଡ଼କଟା ଗଳିରେ ଶେଷକୁ ପତି ଭକତି ଦେଖାନ୍ତି ଯାଇ-।’’

 

‘‘ନାରାୟଣ–ନାରାୟଣ ! ଶିବଶମ୍ଭୋ ! ଶିବଶମ୍ଭୋ ! ସକାଳୁ ମଣିଷ ଏଇୟା ଶୁଣିଲା ଆଜି ।’’ କହ ଅଗଣି ଦାଶ ଅଗଣାରୁ ଘର ଭିତରକୁ ପଳେଇଲା । ସେ ଭେଣ୍ଡିଆଟା ସେମିତି କହୁଥାଏ–‘‘ଆଖି ବୁଜି ଦେଲେ ପାପ ଲୁଚି ଯାଏଁ ନାହିଁ ମଉସା ।’’ କହି କହି ସେ ବି ସେବାଟେ ତା’ ଘରକୁ ଚାଲିଗଲା ।

 

ଘରେ ଯାଇ ତୁମୁଳ ଗୋଳ । ତାଙ୍କ ବାହ୍ମୁଣୀକି ଡାକି ଅଗଣି ଦାଶ କହିଲେ–‘‘ହେ ଶୁଭୁଛି–ଏଥର ତମ ପୁଅକୁ ତମେ ସମ୍ଭାଳ, ମୁଁ ଆଉ ଏ ଘରେ ରହିବି ନାହିଁ–ନା, ଏ ଘରେ ଆଉ ଗୋଡ଼ ଥୋଇବି ନାହିଁ । ମୁଁ ଚାଲିଲି–’’

 

‘‘କୁଆଡ଼େ–କୁଆଡ଼େ ?’’ ଦୁଃଖୀଆ ବୋଉ ପଚାରିଲା ।

 

‘‘ଏଥର ତୀର୍ଥ–ତୀର୍ଥ–ତୀର୍ଥବାସ । କାଶୀ ବାରାଣସୀ ଚାଲିଲି । ଶାସ୍ତ୍ରରେ କହିଛି–ପୁତ୍ର ନିବେଶି ପତ୍ନୀ ପାଶେ–ଅଥବା ଚଳିବ ସନ୍ନ୍ୟାସେ–ନା–ନା ତମେ ମୋତେ ଅଟକେଇବ ନାହିଁ–ତମେ ମୋତେ ବାଧା ଦେବ ନାହିଁ । ମୁଁ ଏ ଘରେ କସ୍ମିନ୍‍କାଳେ ରହିବି ନାହିଁ ।’’

 

‘‘ନହେଲା ଗାଁରେ ଯାଇ କୋଉଠି ରହ–ମହାଦେବ ବଙ୍ଗଳା ପଡ଼ିଛି–ସେଠି ଯାଇ ରହୁନ, ଘରେ ନ ରହିବ ତ ।’’

 

‘‘ନା ନା–ମୁଁ ବିଲ୍‍କୁଲ୍ ଏ ଗାଁରେ ରହିବି ନାହିଁ ।’’

 

‘‘ବେଶ୍ ହେଲା–ମୋ ବାପ ଘରକୁ ଚାଲି ଯାଅ ।’’

 

‘‘ଏଁ, ଭାରି ବାପଘର ୟାଙ୍କର–ଦେଖି ନାହିଁ, ଦେଖଉଚି । ଏହିପ ଶହେ ତିନିକୋଡ଼ି ଟଙ୍କା ମୋ ବାପ ମୋରି ଆଗରେ କନ୍ୟା ସୁନା ଗଣି ଦେଇଛି–ମୋରି ଆଖି ଆଗରେ, ମୋରି ଆଖି ଆଗରେ । ଆଉ ଇଏ ପୁଣି ଆମକୁ ପୋଷିବେ–ଦେଖି ନାହିଁ ବାକି ଦେଖଉଚି । ମୁଁ ଆଜି ବିନା କନ୍ୟା ସୁନାରେ ପୁଅ ବାହା କରଉଚି ବୋଲି, ତମେ ସେ ଟୋକାଟାକୁ ଶିଖେଇ ସବୁ ବିଗାଡ଼ୁଛ । ମୁଁ ଜାଣେ, ଭଲ କରି ଜାଣେ, ତୁହି ତା’ ମୁଣ୍ଡ ବିଗାଡ଼ିଲୁ । ମୁଁ କହିଲି ଯେତେ କହିଲି–ପିଲାଟାକୁ ଏତେ ମୁହଁ ଦିଅ ନାହିଁ–ଏତେ ଗେଲବସରରେ ପିଲା ଚଗଲା ହେଇଯାନ୍ତି–ଦଶବର୍ଷାଣି ତାଡ଼ୟେତ୍‌ ବୋଲି ଚାଣକ୍ୟ ନୀତିବାକ୍ୟ କହିଲି–ଶୁଣୁଛି କିଏ ମୋ କଥା । ନିଅ, ଏଥର ସମ୍ଭାଳ ।

 

‘‘କ’ଣ, ହେଲା କ’ଣ ?’’

 

‘‘ହେଲା କ’ଣ–ହେଲା ଛେନା ଆଉ ଗୁଡ଼–ନିଆଁ, ପାଉଁଶ, ଚୁଲି । ତମ ପୁଅ ମନା କରୁଚି–ବାହା ହବ ନାହିଁ ।’’

 

‘‘କି ?’’

 

‘‘କି ? କାହିଁକି ମନା କରୁଚି, ତମ ପୁଅକୁ ପଚାର–ମୁଁ କ’ଣ ବାହା ହୋଇଚି କି ମୋତେ ପଚାରୁଛୁ ?’’

 

‘‘ତମେ ବାହା ନ ହଉଚ ତ ମୁଣ୍ଡ ବଥଉଚି କିଆଁ ?’’ କହି ଦୁଃଖୀଆ ମା ବିରକ୍ତ ହୋଇ ହାଣ୍ଡିଶାଳକୁ ପଳେଇଲା ।

 

‘‘ହେଇଟି, ଶୁଣ–ଶୁଣ–ମୁଁ କହୁଥିଲି ପରା ପୁଅଟାକୁ ମୁହଁ ଦେଇ ଦେଇ ମୁଣ୍ଡ ଖାଇଲା ତା’ର ଏ ମାଈକିନିଆ । ନା, ମୁଁ ଆଉ ଏ ଘରେ ରହିବି ନାହିଁ–ସମସ୍ତେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଛନ୍ତି । ଓହୋ ! ଶିବୋଶମ୍ଭୋ ଶିବୋଶମ୍ଭୋ–ନାରାୟଣ ହେ ନାରାୟଣ !

 

ଶେଷରେ ଦୁଃଖୀ କିନ୍ତୁ ବାହାହେଲା । ବାହାଘର ଅଠଦିନ ସେ ଆଉ ଉଁ କି ଚୁଁ ପାଟି ପିଟେଇ ନାହିଁ, ନିହାତି ନିରୀହ ଶାନ୍ତ !

 

ଦୁଃଖୀ ବାହା ହେଲା, ଦୁଃଖୀର ମା କାନ୍ଦିଲାରୁ । ବାପ କଥାରେ ନୁହେଁ–ମାର ଲୁହ ଆଗରେ ଦୁଃଖୀର ପଣ ଟଳିପଡ଼ିଲା ।

 

ୟାକୁଇ କହନ୍ତି, ବାହାଘର–ବିବାହ । ଦୁଃଖୀର ଆଖି ଆଗରେ ସମାଜର ଗୋଟାଏ ବୀଭତ୍ସ ରୂପ ଆସି ଠିଆ ହେଲା–ସେଇ ବାହା ବେଦିର ଓଢ଼ଣାତଳେ ଅଣନିଃଶ୍ୱାସୀ କନିଆ ଭଳି ସେ ସଁ ସଁ ହେଉଛି ପଡ଼ି–ସେ ସମାଜଟା ।

ବାହା ବେଦିରେ ହାତଗଣ୍ଠି ପଡ଼ିଲା । ତା’ ହାତ ଉପରେ ଆଉ କାହା ହାତର ମାଟିର କଣ୍ଢେଇ ତାକୁ କିଏ ଦଉଚି–ଘର ସଜାଇବା ପାଇଁ । କିନ୍ତୁ କଣ୍ଢେଇ ଖେଳିବାକୁ ତା’ର ଆଉ ମନ ନାହିଁ । କଣ୍ଢେଇ ଖେଳର ବୟସ ତା’ର ଥାଉ ନ ଥାଉ, ତା’ର ମନ ତା’ର ଜ୍ଞାନ ତାକୁ ଛାଡ଼ୁ ନାହାନ୍ତି, ମାଟି ଘରର ଖେଳ ଖେଳେଇ ନେଇଛନ୍ତି–ଜବରଦସ୍ତି ।

ଏ ଖେଳଘର ନୁହେଁ । ଏ ଏକ ସତସତ ଘରର ଖେଳ ଖେଳିବାପାଇଁ ‘‘ଅଟକଳ ମଟକଳ ଫୁଟିଗଲା କାଇଁଚ’’ର ଆରମ୍ଭ ହେଉଚି । ପୁରୋହିତ ମନ୍ତ୍ର ପଢ଼ୁଛନ୍ତି ଯଥା ରାବଣସ୍ୟ ମନ୍ଦୋଦରୀ ! ଏ ସେଇ ସତ ସତକା ଘରର ଶୁଭଦିଆ ? ତାହାହେଲେ, ଏଡ଼େ ବଡ଼ ସତ ଘରଟାପାଇଁ ଏ ମିଛ ଆୟୋଜନ କାହିଁକି ?

ପାଣିଗ୍ରହଣ କଲା ସେ ଏକ ଅଜ୍ଞାତ ବାଳିକାର । ତା’ର ମନେହେଲା, ଗୋଟିଏ ଅମୁହାଁ ବାକ୍‌ସରେ ମଣିମୁକ୍ତା ଭରିଛି ବୋଲି କହି ଯେମିତି ତା’ ହାତକୁ କିଏ କ’ଣ ବଢ଼େଇ ଦଉଚି । ସେ ବାକ୍‌ସରେ ପ୍ରକୃତରେ ରତ୍ନ ଅଛି କି ଗୋଡ଼ି ମାଟି ଅଛି ସେ ଜାଣେ ନାହିଁ । କେବଳ ବିଶ୍ୱାସରେ ଗ୍ରହଣ କଲେ କ’ଣ ଗୋଡ଼ି ମାଟିବି ରତ୍ନ ହୋଇଯିବ ? ସେ ମନକୁ ପଚାରେ ।

ଏଇ ଛୁଆଟା, ଏଇ ଝିଅଟି, ଜାଣେ ନାହିଁ ‘‘ବାହାଘର କ’ଣ । ଜାଣେ ନାହିଁ ସ୍ୱାମୀ କାହାକୁ କହନ୍ତି । ଜାଣିବାର ଉପାୟ ନାହିଁ ତା’ର–ଯାହାକୁ ସେ ବାହା ହଉଚି, ଯାହାକୁ ନେଇ ସାରା ଜୀବନ ସୁଖ ଦୁଃଖ ଭିତରେ ଦିନ କାଟିବ, ଯାହା କାନ୍ଧରେ କାନ୍ଧ ମିଳେଇ ସଂସାର ଭିତରେ ଘର କରି ପଥର ପଡ଼ିଲେବି ସହିବ, ସେ କିମିତିକା ଜୀବ । ମଣିଷ ନ ହୋଇ ରାକ୍ଷସ ହେଇଥିଲେବି ସେ ତା’ର ସ୍ୱାମୀ ! କି ଅନ୍ୟାୟ ! କି ଅତ୍ୟାଚାର !

 

ଏ ଅନ୍ୟାୟ–ଏ ଅତ୍ୟାଚାର–ଏ ଜବରଦସ୍ତି ଭିତରେ ଯେତେବେଳେ ତା’ ହୃଦୟ ବିଦ୍ରୋହ କରି ଉଠନ୍ତା–ହଠାତ ସ୍ନେହ, ଗୋଟାଏ ଦୟା ତାକୁ ଦ୍ରବୀଭୂତ କରିଦେଲା । ତା’ର ମନେହେଲା, ଗୋଟିଏ ପରିଣତ ବୟସ୍କା ବାଳିକାକୁ ବିବାହ କରିବାର ଦାୟିତ୍ୱଠାରୁ ବର୍ତ୍ତମାନ ଯେପରି ତା’ର ଦାୟିତ୍ୱ ବହୁଗୁଣରେ ବଢ଼ି ଯାଇଛି ।

 

ପୁରୋହିତ ମନ୍ତ୍ର ପଢ଼ୁଥିଲେ । ତା’ ହାତ ଭିତରେ କୁସୁମକଳି ଭଳି ଗୋଟିଏ ବାଳିକାର ହାତ । କେହି କାହାକୁ ଜାଣନ୍ତି ନାହିଁ–କେହି କାହାକୁ ଚିହ୍ନନ୍ତି ନାହିଁ । ଅଥଚ ଦୁହେଁ ବସିଚନ୍ତି ଏକ ନାବରେ–କେଉଁଠିକି କିଏ ଜାଣେ ।

 

ଅନ୍ୟାୟ ଅତ୍ୟାଚାର ଭିତରେବି ଆଶୀର୍ବାଦ ଥାଏ ? ନିଗ୍ରହ ନିଷ୍ପୀଡ଼ନ ଭିତରେ ମଧ୍ୟ ମନୁଷ୍ୟର ମଙ୍ଗଳ ହୁଏତ ଲୁଚିଥାଏ । ଦୁଃଖୀଶ୍ୟାମର କାହିଁକି ମନ ହେଲା–ହଠାତ, ଯେମିତି ଏକ ନିର୍ମମ ତାପସ ବ୍ରତ ଭିତରେ–ସଂଯମର କଠୋରତା ଭିତରେ–କିଏ ଏକ ମଙ୍ଗଳମୟ ମମତାପୂର୍ଣ୍ଣ ବାହୁ ବିସ୍ତାର କରି ତାକୁ ଆଲିଙ୍ଗନ କରୁଛି । ଆଉ ଏଇ ଅନ୍ୟାୟର ଅଭିଶାପ ସବୁ ତା’ର ସ୍ପର୍ଶରେ ବରଦାନରେ ପରିଣତ ହେଇଯାଇଚି । ତଥାପି ସେ ତା’ର ଅର୍ଥ ବୁଝିପାରୁ ନଥିଲା । ମନେ ହେଲା, ତା’ର ବିଦ୍ୟା, ତା’ର ଜ୍ଞାନର ତାକୁ ହୁଏତ ଅନ୍ଧ କରିଚି–ସେ ବୁଝି ପାରୁନାହିଁ । ସେ ଅନ୍ଧ–ସେ ଦୁର୍ବଳ-। ଅସହାୟ, ଅରକ୍ଷ । ସେ ଆଉ ବାପ ଉପରେ ରାଗି ପାରିଲା ନାହିଁ ।

 

ରାଗ ହେଲା ନିଜ ଉପରେ । ନିଜର ସହ୍ୟ କରିବାର ଶକ୍ତି–ମାନିନେବାର କାପୁରୁଷତା ଉପରେ । ସେ ସ୍ପଷ୍ଟ ଦେଖି ପାରିଲା, ସଂଯମ, ନୀତି, ବିଧାନ ମନୁଷ୍ୟର ମଙ୍ଗଳଗ୍ରହ ହେଇପାରେ–କିନ୍ତୁ ସେଟା ନିଜେ ନିଜ ଉପରେ ନ୍ୟସ୍ତ ନକରି ଯଦି ବାହାରର ଚାପାରେ ଶିକ୍ଷା କରିବାକୁ ପଡ଼େ, ସେତେବେଳେ ସେ ହେଇଯାଏ ନିଗ୍ରହ ।

 

ବିଭାଘର ପରେ ତା’ର ରାଗ ଅନେକଟା ଶାନ୍ତ ହେଇଗଲା । ମନେହେଲା ଯେଉଁଟା ଅକର୍ତ୍ତବ୍ୟଥିଲା ସେଟା କର୍ତ୍ତବ୍ୟ ହେଇଯାଇଛି । କନ୍ୟାକୁ ଯେତେବେଳେ ବାପ ଘରକୁ ଫେରାଇ ନେଇଗଲେ ସେତେବେଳେ ସେ ଆପଣା ମନକୁ ଆପେ ପଚାରିଥିଲା–‘ଯତ୍ନରେ ରଖିବେ ତ ?’ ସେ ନିଜେ ଏ ପ୍ରଶ୍ନରେ ଆଶ୍ଚର୍ଯ୍ୟ ବୋଧ କଲା ।

 

ସେଇ ବର୍ଷ । ଦୁଃଖୀର ମନଭିତରେ ତଥାପି ଗୋଟେ ଅସୁସ୍ଥି । ତା’ର ପରିବର୍ତ୍ତନଟା ଭଲ କି ମନ୍ଦ ସେ ବୁଝିପାରୁ ନଥାଏ । କିନ୍ତୁ ମନ ଭିତରେ ଥାଏ ଗୋଟିଏ ବିଦ୍ରୋହ ଭାବ । ସେ ବିଦ୍ରୋହ ମୂଳରେ ନବପରିଣତା ଶିଶୁ କନ୍ୟା ପ୍ରତି ଦ୍ୱେଷ ନଥାଏ, ଥାଏ ଦୟା ।

 

ପଣାସଂକ୍ରାନ୍ତିରେ ସେ ଘରକୁ ଆସିଚି । ବାହାରେ ବସି ବିଞ୍ଚି ହେଉଛି ଦେହର ଗରମକୁ ଥଣ୍ଡା କରିବାପାଇଁ । ସେଇ ଖରାରେ ଜଣେ ଯୁବକ କାନ୍ଧରେ ଖଦଡ଼ ମୁଣି ପକେଇ–ମୁଣ୍ଡରେ ଓଦା ଗାମୁଛା ଖଣ୍ଡେ–ସଁ ସଁ ହେଇ ଆସି ପହଞ୍ଚିଲା । ସେତିକି ।

 

ତା’ପରେ ଦୁଃଖୀଦାଶ ଘରୁ କେଉଁ ଦିନ ଗଲା, କେତେବେଳେ ଗଲା କେହି ଜାଣନ୍ତି ନାହିଁ ।

 

ଲୁଣମରା ଗୋଳ ଚାଲିଥାଏ । ଶୁଣା ଯାଉଥାଏ ସମୁଦ୍ରକୂଳ ଗାଁରେ ଭାରି ଧସ୍ତାଧସ୍ତି ଚାଲିଛି, ଲୋକେ ଲୁଣ ମାରୁଛନ୍ତି–ସେଟା ବେଆଇନ୍ । ପୁଲିସ ଲାଠି ମାରୁଛନ୍ତି–ଆଇନ । ଶହ ଶହ ସତ୍ୟାଗ୍ରହୀ ଗାନ୍ଧିବାଲା, ଗାଁବାଲା ଜେଲ୍ ଯାଉଛନ୍ତି ।

 

ଅଗଣି ଦାଶକୁ କିଏ ଦିନେ ଆସି ଖବର ଦେଲା–ଦୁଃଖୀ ଦାଶକୁ ପୁଲିସ ଧରି ନେଇଗଲା–ଗାନ୍ଧି ଗୋଳରେ ଅଗଣି ଦାଶ ଉଁ କି ଚୁଁ କିଛି କହିନାହିଁ । ସମସ୍ତେ ଭାବିଥିଲେ ଅଗଣି ଦାଶ ଅଗ୍ନିବାଣ ହେଇଯିବ । କିନ୍ତୁ ସେ ରାମ କି ବିଷ୍ଣୁ କିଛି କହିନାହିଁ, କିଛି ଧରି ନାହିଁ ତୁଣ୍ଡରେ । ବ୍ରାହ୍ମଣୀ, ଦୁଃଖୀର ମା କାନ୍ଦିଲା–ମୁଣ୍ଡ ବାଡ଼େଇ ଦେଲା–ଅଗଣି ଦାଶ ଆଖିରେ ଲୁହର ବାମ୍ଫବି ଦେଖା ଦେଇ ନାହିଁ । କେବଳ ଦେଖାଗଲା, ଆଗଠୁ ବୁଢ଼ା ଭାରି ଜୋର୍‍ରେ ଆପଣା କାମ ଆପେ କରି ଯାଉଛି । ପଇତା ସଂଗାଡ଼ି ପାକଳେଇବା ପାଇଁ ଚକି ଘୂରେଇ ପକେଇ ଯାଉଛି ଖୁବ୍ ଜୋର୍‍ରେ ।

 

ବାପ ପୁଅଙ୍କର ଫାଙ୍କଫାଙ୍କ ବାହାରକୁ ଜଣାଗଲା ସେଇଦିନ, ଯେଉଁ ଦିନ ଲୁଣମରା ଆଇନକୁ ଉଠେଇ ଦୁଃଖୀଦାଶ ଗାଁକୁ ଫେରିଲା ଠିକ୍ ବର୍ଷକ ପରେ । ସାରା ଗାଁଟା ଯେତେବେଳେ ତାକୁ ପାଛୋଟି ଆଣିବାକୁ ଯାଇଥିଲେ ସେତେବେଳେ ଅଗଣି ଦାଶର ଦୁଆର ହେଇଗଲା ବନ୍ଦ । ଦୁଃଖୀଦାଶକୁ ଅଗଣିଦାଶ କୌଣସିମତେ ମନେଇ ପାରିଲା ନାହିଁ–ପ୍ରାୟଶ୍ଚିତ୍ତ କରିବାକୁ । ଜେଲ୍‍ଖାନାରେ ଜାତିପତି ଠିକ୍ ନାହିଁ–ହାଡ଼ି ବାହ୍ମୁଣ ଠିକ୍ ନାହିଁ । ଜେଲ୍‍ଖାନାରୁ ଫେରି ପ୍ରାୟଶ୍ଚିତ୍ତ ନକଲେ ଅଗଣିଦାଶ ଦୁଃଖୀକୁ ଘରେ ପୂରେଇ ଦେବ ନାହିଁ–ପୁଅ ହେଲା କ’ଣ ହେଲା କି !

 

ପୁଅ କିନ୍ତୁ ନ ଶୁଣେ । କି, ସେ କି ପାପ କରିଛି କି ପ୍ରାୟଶ୍ଚିତ୍ତ କରିବ ? ଜେଲ୍ ଯିବାଟା ଯଦି ପାପ ହେଇଥାଏ, ତେବେ ସେ ପାପ ତ ସରକାର କରିଛନ୍ତି ତାକୁ ଧରିନେଇ । ସେ ତ ନିଜେ ନିଜେ ଜେଲ୍ ଯାଇନାହିଁ ଇଚ୍ଛାକରି, ଚୋରିକରି କି ଅନ୍ୟାୟ କରି ।

 

ଭଦ୍ରଲୋକମାନେ ଗୋଟେ ମଝିମଝିଆ ଉପାୟ କହିଲେ–ପ୍ରାୟଶ୍ଚିତ୍ତ ନହେଉ–ଖାଲି ଗୋଟାଏ ଶୁଦ୍ଧିପାଇଁ ଗଙ୍ଗାଜଳ ଟିକିଏ ସିଞ୍ଚିହେଇ ପଇତାଟା ବଦଳେଇ ପକାଉ ।

 

ଦୁଃଖୀଆ ମାନିଲା ନାହିଁ । ପଳେଇଲା ମାମୁଁଘରକୁ । ମା ସେମିତି କାନ୍ଦୁଥାଏ । ଅଗଣି ଦାଶ ଆଖିରେ ତଥାପି ଲୁହ ନାହିଁ । ଲୋକେ କହିଲେ, ଦୁଃଖୀଦାଶ ବଡ଼ ଗୁଆଁର ପିଲା । କିଏ କହିଲା, ସରକାରକୁ ଯିଏ ନ ମାନିଲା, ସେ ଆଉ ବାପକୁ ମାନୁଚି ଭଲେ ।

 

ଦୁଃଖୀଦାଶ ଘର ଛାଡ଼ିଲା, କିନ୍ତୁ ଗାଁ ଛାଡ଼ିଲା ନାହିଁ । ମାମୁଁଘରେ ରହି କଂଗ୍ରେସ କାମ କରୁଥାଏ । ୧୯୩୩ ମସିହାରେ ଦୁଃଖୀଦାଶ ପୁଣି ଥରେ ଜେଲ୍‍ରୁ ଫେରିବାବେଳକୁ ଅଗଣିଦାଶ ନରମି ପଡ଼ିଲାଣି । ଶଳା କଥାରେ ରାଜିହେଇ ସେଇ ଗାଁରେ ଦୁଃଖୀଦାଶକୁ ଖଣ୍ଡେ ଦୋକାନ କରିଦେଲା । କିନ୍ତୁ ଘରକୁ ଆଉ ନେଲା ନାହିଁ । ତା’ରି ଜିଦି ରହିବ । ଦୁଃଖୀଦାଶରବି ଦୁଃଖ ନାହିଁ । ନିଜ ସ୍ୱାଧୀନରେ ଥାଏ । ମା ପିଠାପଣା ଦୁଧ ଦହି ପଠେଇ ଦଉଥାଏ । ଘରକୁ ସିନା ସେ ନ ଯାଏଁ–ଘର କିନ୍ତୁ ଉଠି ଆସେ ତା’ ପାଖକୁ ।

 

ଗାଁଯାକ ଲୋକେ ସେଇ ଦୁଃଖୀଦାଶକୁ ମାନନ୍ତି । ସମସ୍ତଙ୍କ ହାନିଲାଭ, ଭଲମନ୍ଦ ସେ ବୁଝେ । କାହାରି ଦିହପା ବେଶି ହେଲେ ନିଜେ ଯାଇ ଦି’ କୋଶ ବାଟରୁ ଡାକ୍ତର ଓଷଦ ଆଣିଦିଏ । କଲେରା ବସନ୍ତରେ ଦୁଃଖୀଦାଶ ଖାଇବା ଶୋଇବାକୁ ଫୁରୁସତ୍ ପାଏ ନାହିଁ । ଦୁଃଖୀଦାଶ ଯେମିତି ଗାଁର ଆଖି । ଲୋକେ ଏକଥା ମାନନ୍ତି ।

 

ସବୁ କଥାରେ ସମସ୍ତଙ୍କର ଦୁଃଖୀଦାଶ । ଯେଉଁଠି ଦେଖିବ ସେଠି ଦୁଃଖୀଦାଶ । ଗାଁ ନିମାସା ନିଶାପରେ ଦୁଃଖୀଦାଶ । ଦୁଃଖୀଦାଶ ନଥାଏ କୋଉଠି ?

 

କେବଳ ସେଇ ପଟ୍ଟନାହାକପଡ଼ାକୁ ସେ ଯାଏଁ ନାହିଁ । ମାନ ଖାତିର କରିବା ଦୂରେଥାଉ, ଦୁଃଖୀଦାଶକୁ ସୁବିଧା ପାଇଲେ ଅପମାନ ଦେବାକୁ ଛାଡ଼ନ୍ତି ନାହିଁ ସେମାନେ ।

 

‘‘କିହେ, ତମ ଗାନ୍ଧି କ’ଣ କରୁଛି ?’’ ଏଇଟା ପ୍ରଥମ ପ୍ରଶ୍ନ ସେ ପଡ଼ାଯାକରେ । ଏ ଦୁଃଖୀଦାଶ ବାପ ଅଗଣି ଦାଶ ନା ? ଅଗଣି ଦାଶକୁ କିଏ ଚିହ୍ନିଥିଲା ହୋ ?–ଏଇନେ ଦୁଃଖୀଦାଶ ମାମଲତ୍‍କାର । ପଟ୍ଟନାୟକ ବଂଶ, ରଜା ବଂଶକୁ ଆଉ କିଏ ପଚାରେ । ବାଟରେ ଚାଲିଗଲେ ଗର୍ଭିଣୀ ଗାଈ ଯାହାଙ୍କୁ ରାସ୍ତା ଦଉଥିଲା, ସେଇ ପଟ୍ଟନାହାକକୁ ମୁଣ୍ଡ ନଇ ଓଳଗିଟାଏ ହବାକୁବି କାହାର ସତ ବଳୁ ନାହିଁ ।

 

ଏଇ ଗାନ୍ଧି–ଗାନ୍ଧି । ଏ ଗୋଟାଏ ଗୋଳ ଦେଶରେ ଲଗେଇ ଦେଲା । ଗାଁ ପୁରୋହିତ ଦିନେ ଦିନେ ଭାଗବତରୁ ଉଦ୍ଧାର କରି ମଦନ ପଟ୍ଟନାୟକଙ୍କୁ ଘୋର କଳିର ଲକ୍ଷଣ ସବୁ ଶୁଣେଇ ଦିଏ । ମଦନ ପଟ୍ଟନାୟକ ଗୁଡ଼ାଖୁ ଟାଣୁ ଟାଣୁ ଶୁଣନ୍ତି–

 

ଆସିବେ ମଉଲ ମୋଗଲ । ପୃଥି କି ହୋଇବେ ସେ ଶଇ ସର୍ବେ ହୋଇବେ ଏକାକାର-। ନ ଥିବ ବେଦର ବିଚାର ।

 

‘ମଉଲ ମୋଗଲ ଆଉ କିଏ କି ! ଏଇ ଗାନ୍ଧି ପରା । ମୋହନ ଗାନ୍ଧି–ମଉଳା ମୋଗଲ-। ସେଇ ତ ସବୁ ଏକାକାର କଲା ।

 

ବ୍ରାହ୍ମଣେ ସଂସାରରେ ହୀନ । ଶୂଦ୍ର ପ୍ରାୟେକ ଆଚରଣ ।

 

ପଟ୍ଟନାୟକ ପଡ଼ାର ଯେତେ ବସିଥିବେ ସମସ୍ତେ କହିବେ–ହେଇତି ଦେଖ–ଶୁଣ–କ’ଣ ଲେଖା ହେଇଚି । ଶାସ୍ତ୍ର କ’ଣ ମିଥ୍ୟା । ପୁଣି ପଢ଼ାଚାଲିବ :–

 

କ୍ଷତ୍ରିୟେ ଶୂଦ୍ର ପ୍ରାୟେ ହୋଇ

ପ୍ରଜା ପୀଡ଼ିବେ ରାଜା ହୋଇ

।।

ସେ ରାଜା ଭାଷାହିଁ କହିବେ

ଅବିଦ୍ୟା ଅକର୍ମେ ବର୍ତ୍ତିବେ

।।

 

‘ଏସବୁ ହାକିମ ହୁକୁମା ଦିପଟି ସାହେବଙ୍କ କଥା । ଇଂରେଜୀ ସରକାର ହେଲେରାଜା । କ୍ଷତ୍ରିୟହେଲେ ପୁଲିସ ହାକିମ । ସେମାନେ ଇଂରାଜୀ ଯେ ରାଜଭାଷା କହି ପ୍ରଜା ପୀଡ଼ିବେ ।’ ଜଣେ ବସି ଟୀକା କରେ–ସମସ୍ତେ ମୁଣ୍ଡ ହଲାନ୍ତି । ମଦନବାବୁଙ୍କ ଗୁଡ଼ାଖୁରୁ ଟାଣେ ସରେ ।

 

ପ୍ରଜାଏ ଅନ୍ୟୋ ଅନ୍ୟେ ହୋଇ

ଆପଣା ଛାଏଁ ନାଶଯାଇ

।।

ଏକ ଆରେକେ ଗର୍ବ କରି

ମରିବେ ହିଂସା ଭାବଧରି

।।

 

‘‘ଏସବୁ ହଉ ନାହିଁ କ’ଣ ! ଗୋଟି ଗୋଟିକି ଫଳୁଛି ।’’

 

ପଟ୍ଟନାହକ କହନ୍ତି–

 

ରାଜାଏ ପ୍ରଜାଙ୍କୁ ନାଶିବେ

ଗୁହାରି କଲେ ନ ଶୁଣିବେ

।।

ଯେଉଁ ଜନର ଧନ ଥିବ

ସଂସାରେ ସେ ବଡ଼ ହୋଇବ

।।

 

‘‘ଏ ହେଲା ଭଗବାନ ମିଶ୍ରଙ୍କୁ ଦାୟିକା, ବୁଝଇନା ?’’ ସମସ୍ତେ ହଁ ଭରନ୍ତି ।

 

ଯେ ଜନ ନିର୍ଧନ ହୋଇବ

ତାକୁ ସହାୟ କେ ନୋହିବ

।।

ସ୍ତିରୀଏ ସ୍ତିରୀଙ୍କୁ ରମିବେ

ପୁରୁଷ ପୁରୂଷେ ଭଜିବେ

।।

‘‘ହରେ କୃଷ୍ଣ, ହରେ କୃଷ୍ଣ

।’’

ସମସ୍ତେ କାନରେ ହାତଦେଇ ବସିଯାନ୍ତି

।।

ବ୍ରହ୍ମତ୍ୱ କିଞ୍ଚିତ୍ ପ୍ରକାରେ

ରହିବ ଯଜ୍ଞୋପବୀତରେ

।।

 

‘‘ଦୁଃଖୀ ଦାଶର ତା’ବି ନାହିଁ ।’’ ଜଣେ କିଏ କହେ ଆଉଜଣେ ପ୍ରତିବାଦ କରି କହେ–‘‘ନା ନା ପଇତା ରଖିଛି ସେ ।’’

 

ପଣ୍ଡିତ ଯେହୁ ବୋଲାଇବେ

ଚଞ୍ଚଳ ବଚନ କହିବେ

।।

ବିଭା ହୋଇବେ ଅବିଚାରି

ଜାତିକୁଳ ଦୋଷ ନ ଧରି

।।

କରେ ପାନିଆ ଘେନିଥିବେ

କେଶ କୁଣ୍ଡାଇ ସୁଖଭାବେ

।।

ସ୍ନାନ କଲୁ ବୋଲି ବୋଲିବେ

ଦୂର ଗଡ଼ିଆ ପାଶେ ଯିବେ

।।

ତାହାକୁ ତୀର୍ଥ ବୋଲି କହି

ସ୍ନାନ କରିବେ ତହିଁ ଯାଇ

।।

କେବଳ କେଶର ଧାରଣ

ହୋଇବ ଲାବଣ୍ୟ କାରଣ

।।

 

 

‘‘ସବୁ ହେଇଯାଉଛି–ସବୁ ହେଇଯାଉଛି–ଅକ୍ଷରେ ଅକ୍ଷରେ ସତ ।’’

 

ଆପଣା ପେଟକୁ ପୋଷିବା

ବଡ଼ ପ୍ରୟୋଜନ ହୋଇବ

।।

କାର୍ଯ୍ୟକଳାର ପ୍ରାୟ ମଣି

ସେ ଲୋକ ହୋଇବ ଅଗ୍ରଣୀ

।।

 

‘‘ବିଲ୍‍କୁଲ୍ ଏ ଦୁଃଖୀ ଦାଶ ଆଉ ତାଙ୍କ କଂଗ୍ରେସ ଦଳିଆ–ନା କ’ଣ କହୁଛନ୍ତି ?’’ ମଦନ ପଟ୍ଟନାୟକ ପଚାରନ୍ତି । ଆଉ ସମସ୍ତେ ହଁ ଭରନ୍ତି ।

 

ଗାନ୍ଧି ସବୁ ସାଇଲା । ଜାତି କୁଳ ଧର୍ମ ସବୁ ଶେଷ କଲା । ଗାଁ ଜଉତିଷ ଆସି ବକେ ଏଥର ନବଗ୍ରହ କୁଟ ଯେ ହବ, ସେଥିରେ ପୃଥିବୀରେ ଗୋଟିଏ ଖଣ୍ଡପ୍ରଳୟ ହବ । କେଉଁ ଖଣ୍ଡଟା ପ୍ରଳୟ ହବ, କହି ହଉ ନାହିଁ । ବହୁଲୋକ କ୍ଷୟ ଯିବେ–କାହାରି କାହାରି ମତରେ କଳିକାଳ ଶେଷ ହେବ–ସତ୍ୟ ଆରମ୍ଭ ହବ । କଳି ଶେଷକୁ କେବଳ ସତ ଲୋକେ ଶଲ ହୋଇ ରହିବେ । ଯେଉଁମାନେ ଦାନ ଧର୍ମ କରିବେ–ସେମାନେ ବର୍ତ୍ତିବେ ।

 

ମଦନ ପଟ୍ଟନାୟକ ବାହ୍ମୁଣ ଜଉତିଷଙ୍କ ହାତରେ ଚାଉଳ ସେରେ, ଅଣିଟିଏ, ବାଇଗଣ ମୁଗ ମାଣେ ଆଣି ଯାହାକୁ ଯାହା ବାଣ୍ଟି ଦେଇ ସେଦିନକାର ଦାନ ଧର୍ମ ବଢ଼େଇ ଦିଅନ୍ତି–କଳି ଶେଷରେ ବଞ୍ଚି ରହିବାର ଆଶାରେ ।

 

କୋଷ୍ଠୀ ଗଣନା କରି ନାହାକ ଦେଖେଇ ଦେଇଯାଏ–ବଞ୍ଚିବ–ବଞ୍ଚିବ–ବଞ୍ଚିବାକୁ ହବ । ମହାଦେବ ଉପରେ ପାଣି ଦିଆଯାଉଛି, ରାଧା ଗୋବିନ୍ଦ କରଣରେ ତୁଳସୀ ଚଢ଼ା ଚାଲିଚି–ନ ବଞ୍ଚି ଯିବ କୁଆଡ଼େ । ପାପଗ୍ରହ ଶାନ୍ତ ହୋଇଯିବ । ତେଣିକି ବୃହସ୍ପତି ମହାଦଶା ପଡ଼ିଲାକ୍ଷଣି–ଆପଣଙ୍କୁ ତ ମୁଲକର ରାଜା କରିଦେବ ।

 

ଏକୁଟିଆ ମଦନ ପଟ୍ଟନାୟକ ନୁହନ୍ତି । ଏ ପଟ୍ଟନାହାକ ପଡ଼ାର ଯେତେ କାନ୍ଥଡ଼ା ସେସବୁ ଗୋଟି ଗୋଟି ହେଇ ଚେଇଁ ବସିବ । କୋଉଠି କେମିତି ଗୋଟେ ଅଧେ ନୂଆ କୋଠା ଉଠୁଛି । ସେ କୋଠା ଭିତରୁ ପଟ୍ଟନାହାକ ପଡ଼ାର ଆତ୍ମ ଗର୍ଜନ କରି କ’ଣ ଯେମିତି କହେ । କହେ–ବଞ୍ଚିଛି–ବଞ୍ଚିଛି । ପଟ୍ଟନାୟକ ବଂଶର କୋଉଁ ପୂର୍ବପୁରୁଷ କି ପୁଣ୍ୟ କରି ଏ ସାହି ବସେଇଥିଲା କିଜାଣି, ସେ ଅମର ହେଇ ରହିଚି–ଆଉ ରହିବ ।

 

ମରହଟ୍ଟା ଆସିଲା ଅମଳରୁ ମୁକ୍ତାରଗିରି କରି ଆସିଚନ୍ତି ଏଇ ପଟ୍ଟନାହାକ ବଂଶ । କମ୍ପାନୀ ଅମଳରେ କଲିକତା ବଙ୍ଗାଳୀ ଜମିଦାରଙ୍କ ବିଶ୍ୱସ୍ତ ଗୁମାସ୍ତାରୂପେ ସବୁ ଜମିଦାରୀ ନିଲାମରେ ଆତ୍ମସାତ କରି ଆପଣା ସପ୍ତ ପୁରୁଷ ଉଦ୍ଧାର କରିଚନ୍ତି ଏଇ ପଟ୍ଟନାହାକ ବଂଶ । ଇଂରାଜୀ ରଜା ଅମଳରେ ଇଂରାଜୀ ପାଠ ପଢ଼ି ମୁନ୍‍ସି, ଓକିଲ ହାକିମ ଦିପଟି ହେଇ, ଖୋଲି ପଟ୍ଟନାୟକ ବଂଶକୁ ନୁହେଁ, ଖାଲି ସେ ଗାଁ ଗୋଟାକୁ ନୁହେ, ସାରା ଦେଶକୁ ଉଦ୍ଧାର କରିଚି ଏଇ ପଟ୍ଟନାୟକ ବଂଶ । ଏ ବଂଶର ମରଣ ନାହିଁ–ନିପାତ ନାହିଁ–ପର ଅର୍ଜନକୁ ନ୍ୟାୟ ନାଆଁରେ ହଜମ କରିବାରେ ଶକ୍ତି ଅଛି ଯା’ର, ସେ କ’ଣ ମରିପାରେ ?

 

ଗାନ୍ଧି ମାହାତ୍ମା ଓଡ଼ିଶାରେ ଯେତେବେଳେ ପାଣ କଣ୍ତରାଗୁଡ଼ାଙ୍କୁ ହରିଜନ ହରିଜନ କହି ମୁଣ୍ଡରେ ବସାଇବାକୁ କହି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଗୋଟାଏ ଦାଣ୍ଡି ଚଲା ଚାଲି ଗଲେ, ସେତେବେଳେ ଦୁଃଖୀ ଦାଶର କି ଫୁଲାପଣ ଦେଖିବ ! ସେ ତ ଆଉ ମାନିଲା ନାହିଁ । ସତେକି ସେଇ ମହାତ୍ମା ଗାନ୍ଧି । ପୁଣ୍ୟାତ୍ମାମାନଙ୍କର ପାପୀମାନଙ୍କୁ ଉଦ୍ଧାର କରିବାର କ୍ଷମତା ଅଛି, ତା’ ବୋଲି ତମେ ଆମେ ସେଇଟା କରିବାନା । ବିଚାର ନାହିଁ, ଉଚାର ନାହିଁ, ସବୁବେଳେ ସେଇ ପାଣ ପାଲୁଣୀଙ୍କ ସାଙ୍ଗରେ ମିଳାମିଶା–ହେଁ–ହେଁ–ଫେଁ–ଫେଁ । ଛୋଟ ଜାତିଗୁଡ଼ାକ ମୁହଁ ପାଇ ଯାଉଛନ୍ତି-। ‘ବେ ଶତା’ ବୋଲି ଆଗେ ହାଙ୍କି ଦେଲେ ଲୁଗାରେ ଝାଡ଼ା ପଡ଼ି ଯାଉଥିଲା ଯେଉଁମାନଙ୍କର, ସେମାନେ ଆଜି ମୁହେଁ ମୁହେଁ ଜବାବ ଦେବେ ।

 

ଦୁଃଖୀ ଦାଶ କରିଛି ଏତିକି । ଗାନ୍ଧି କ’ଣ ଆସି କହି ଯାଇଛନ୍ତି ଏଇଟା ସବୁ କରିବାକୁ । ସେ ଖାଲି ଛୁଇଁବାକୁ ଟିକିଏ କହିଥିଲେନା । ସେ ମହାତ୍ମା ଲୋକ–ସେ କାହିଁକି ଏତେ ଅନ୍ୟାୟ କରନ୍ତେ ! କଲେବି ମହାତ୍ମା ସେ ତାଙ୍କୁ ପାର ଅଛି । ଉଧ ସାଙ୍ଗରେ ଆମେ ବିରାଡ଼ି ! ଏ ଟୋକାଗୁଡ଼ାଙ୍କ ଦିହରେ ପର ନାଗିଚି–ପର, ଜନ୍ଦା ଦିହରେ ଲାଗିଲା ପରି–ବେଶି ଦିନ ନୁହେଁ ।

 

ଦୁଃଖୀ ଦାଶ ସଞ୍ଜ ହେଲେ ଡିବିରି ଜାଳି ଏକା ଚଟେଇରେ ବସି ପାଣଗୁଡ଼ାଙ୍କୁ ପାଠ ପଢ଼ାଏ । ଦୁଃଖୀ ଦାଶ ପାଣ ଘରେ ଠାକୁର ପୂଜା କରି ଭୋଗ ପାଏ–ଏକା ପଙ୍ଗତରେ ବସି ଖାଏ ବୋଲିବି କେହି କେହି କହୁଛନ୍ତି । ଉଦୁବାରିଜା ହଉଚି ସେ ଟୋକା ଖଣ୍ଡକ–ଉତୁକୁଳଉଚି ବଅସ ମଦରେ ।

 

ତାକୁ ସାହସ ଦଉଚି ସେଇ ରାହସ ପଟ୍ଟନାୟକ । ସହରରେ ଓକିଲାତି କରିବ । ଆଉ ଏଠି ଆସି ହବ ନେତା । ହରିଜନ ସେବକ ସଂଘ, ତା’ର ପୁଣି ସେକେରେଟାରୀ । ଖଦଡ଼ ଖଣ୍ଡେ ପିନ୍ଧିଦେଲେ ହେଲା । ଘର ଭିତରେ ସବୁ ମିଲ୍ । ବାହାରକୁ ବାହାରିବା ପାଇଁ ହାଟ ପିନ୍ଧା ଶିକାରେ ଟାଙ୍ଗିଲା ପରି ହଳେ ଦି’ହଳ ଖଦଡ଼ ଥାଏ । ସଭା ସମିତିରେ ଦିପଦ ବକ୍ତୃତା ଦେଇଦେଲେ ପାଠ ଶେଷ । ସେଥିରେ ସେ ନେତା । ରାହସ ପଟ୍ଟନାହକ ଏ ଦେଶରେ ଜଣେ ବଡ଼ ନେତା । ମେମ୍ବର ଜିଲାବୋର୍ଡ଼–ପୁଣି ଦିନ କେତେ ଚେଆରମ୍ୟାନ କି ଭାଇସଚେଆରମ୍ୟାନ ଲୋକେଲ ବୋର୍ଡ଼ର ହେଇଥିଲେ । ମାଷ୍ଟରଗୁଡ଼ାଙ୍କ ତାଙ୍କ ଅଧୀନ ବୋଲି ଧନୀ ମାଷ୍ଟର ତା’ର ଅନୁଗତ । ତାହାରି ସାହସରେ ଧନୀ ମାଷ୍ଟରକୁ ଦିନି ଦୁଃଖୀ ଦାଶ ନାଚୁଛି । ଦୁଃଖୀ ହଉଚି ସବୁ ନାଟର ଗୋବର୍ଦ୍ଧନ । ସେଇ ହଉଚି ମୂଳ ।

 

ପଟ୍ଟନାହାକ ପଡ଼ାର ସବୁ ମୁଖିଆଯାକ ମଦନ ପଟ୍ଟନାହାକ ଚଉପାଢ଼ିରେ ବସି ସାର କଲେ–ଦୁଃଖୀଆ ଦୋକାନରୁ ଆଉ କେହି ସଉଦା ଆଣିବେ ନାହିଁ । ଯିଏ ଆଣିବେ ସେ ଜାତିରେ ଆଟକ ହବ ।

 

ଏ ବାସନ୍ଦ ଉଲାଉଠା ପରି ବ୍ୟାପିଗଲା । ଗାଁର ଅଧିକାଂଶ ଲୋକ ଦୁଃଖୀଆ ଦୋକାନରୁ କିଣିବା ବନ୍ଦ କରିଦେଲେ । ଅଗଣି ଦାଶ ରାଗରେ ନିଆଁ । ପଇସାତକ ସବୁ ବୁଡ଼େଇଲା ଏ ଦୁଃଖୀଆ । ଘରଦୁଆର ଯାହା ଦିଖଣ୍ଡ ଅଛି ତା’ ତଳି ନ ଉଠେଇଲା ଯାଏଁ ୟାର ଶାନ୍ତି ନାହିଁ । ଅଲକ୍ଷଣା କି ବେଳରେ ଜନମ ହେଇଥିଲା ଏ ଘରେ ?

 

ଦୁଃଖୀଆ କିନ୍ତୁ ଡରିଲା ନାହିଁ । ଯେତିକି ବିକିରି ହେଲା ସେତିକି । କେହି ନ ନେଲେ ପାଣ କଣ୍ଡରା ତ ନେବେ ! କିରିମେ କିରିମେ ଦୁଃଖୀଆ ଦୋକାନଟା ପାଣ କଣ୍ଡରାଙ୍କ ଦୋକାନ ହେଇଗଲା ।

 

ଏମିତି ଥାଏ ଥାଏ, ଦିନେ ସଞ୍ଜବେଳେ ଅନ୍ଧାରିଆ ଅନ୍ଧାରିଆ କି ମଦନପଟ୍ଟନାୟକ ଘର ଚାକର ଆସି ପହଞ୍ଚିଲା । ‘‘କି, କୁଆଡ଼େ ?’’ ଦୁଃଖୀଆ ପଚାରିଲା ।

 

‘‘ଖାଲିଟା, ବୁଲୁ ବୁଲୁ ଚାଲି ଆସିଲି ।’’

 

‘‘କିଛି ଗୋଟାଏ ସନ୍ଧାନରେ ନନା, ବୁଝି ପାରୁନା ?’’ ଭିକାପାଣ ବସିଥିଲା, କହିଦେଲା ।

 

‘‘ନାଇଁ ନାଇଁ ରାଣ ଅଛି ଦୁଃଖୀଆକାକା–ସନ୍ଧାନଫନ୍ଦାନ କିଛି ନାହିଁ ।’’

 

ଭିକା ଚାଲିଗଲା । ପାଣ ସାହିର ଆଉ ଜଣେ ଦି’ଜଣବି ଆସି ଚାଳିଗଲେ । ଦୁଃଖୀଆ ପଚାରିଲା–‘‘କିରେ, ତମ ବାବୁଘର ଆଉ ଗୋଟେ ଦୋକାନ କରୁଥିଲେ ପରା !’’

 

‘‘ଦୋକାନ ? ଦୋକାନ କିଏ ବାବୁଘର କିଏ ?’’

 

‘‘ହଁରେ, ତୁ ଜାଣି ନାହୁଁ । ଭାଗୁ ମହାନ୍ତି ଟଙ୍କା ଦେବ–ଦୋକାନ ହବ ।’’

 

‘‘ଯା-ଯା କକା–କେତେ ଭାଗୁ ମହାନ୍ତି ଦେଖିଚି । ତା’ର ପଟ୍ଟନାୟକ ଘରର ଆଉ କୋଉ ସମ୍ପତ୍ତି ଉପରେ ଲୋଭ ହବଣି । କିଛି ଟଙ୍କା କରଜ ଦେଇ–ଏଁ ?–ବୁଝିଲଟିକି ନନା ? କରଣଗୁଡ଼ାକ ଯଦି ଦୋକାନ କରନ୍ତେ–ବଣିଜ କରନ୍ତେ–ତେବେ ଛେଳିବି କଳେଇ ମଳନ୍ତେ । ଦୋକାନ ତ କରିବେ–ୟାଙ୍କ ସାଆନ୍ତ ପଣିଆ ଯିବ କୁଆଡ଼େ ? ଛାଡ଼ି ପାରିବେ ତାକୁ ? ଏ ଖାଲି ମେଁ ମେଁ ହେଇ ଜାଣନ୍ତି–କିଛି କାମରେ ନୁହନ୍ତି । ତା’ ନ ହେଇଥିଲେ–ଏ କାନ୍ଥଡ଼ା ସବୁ ମଲାଙ୍ଗଡ଼ାଙ୍ଗ ପରି ଏମିତି ଠିଆ ହେଇଥାଆନ୍ତା ପଟ୍ଟନାୟକ ଉଆସରେ ?

 

‘‘ଆଉ କ’ଣ ଚଷା ଭୁଷା ପାରିବେ ଦୋକାନ କରି ?’’ ଦୁଃଖୀଆ ଥଟ୍ଟା କରି ଅଳପ ହସି ହସି କହିଲା ।

 

‘‘ଚଷା ଯଦି ପାରିବେ, ତେବେ ଏ କରଣଙ୍କ ଗୋଲାମ ହବ କିଏ ?’’

 

ଦୁଃଖୀଆ ତା’ ମୁହଁକୁ ଅନେଇଲା । ଟିକିଏ ଆଶ୍ଚର୍ଯ୍ୟ ହେଲା । ଏ ଲୋକଟାର ସତ କହିବାର ସାହସ ଅଛି ତ ।

ନିରୋଳା ହେଇଯିବାର ଦେଖି ସେ କହିଲା–‘‘ହେ ଦୁଃଖୀଆକାକା ଗୋଟେ ଜିନିଷ ଦବ-?’’ ସେ ପୁସ ପୁସ କହିଲା ।

 

ଦୁଃଖୀଆ ମନେ ମନେ ହସିଲା । ନା, ଏ ଲୋକର ସାହସ ନାହିଁ । ସାହସ ଆସିବ କୋଉଠୁ ? ପର ଅଧୀନରେ ଚାକିରି କଲା ଲୋକର ପୁଣି ସାହସ ?

 

‘‘କ’ଣ ଶୁଣେ !’’

 

‘‘ଦବ ନା କହିଲ ଆଗ !’’

 

‘‘ଥିଲେ ତ !’’

 

‘‘ହଁ, ନଥାନ୍ତା କାହିଁକି । ଅସଲ ଦବା କଥା । ବିକିବ ନା ମୋତେ ଗୋଟେ ଚିଜ ?’’

 

‘ନ ବିକିବି କିଆଁ ? ଦୋକାନ କରିଚି ତ ବିକିବାପାଇଁ ।’’

 

‘‘ତମେ ଆମକୁ ସବୁ ବିକିବଟିକି ?’’

 

ଦୁଃଖୀଆ ଆଶ୍ଚର୍ଯ୍ୟ ହେଲା । ତାଙ୍କୁ ତା’ର ବିକିବା ମନା, ନା–ତା’ଠୁ ତାଙ୍କର କିଣିବା ମନା ? କୋଉଆଡ଼ୁ ବନ୍ଦ ହୋଇଛି ? ‘‘ବିକିବି ନାହିଁ କାହିଁକି ମ–ପାଣ କଣ୍ଡରାଙ୍କୁ ବି ତ ବିକୁଛି ।’’ କହି ସେ ଟିକିଏ ହସିଲା ।

 

‘‘ପାଣ କଣ୍ଡରା ଆଉ ପଟ୍ଟନାୟକ ଘର ସମାନେ ? ସମାନ କରିଦେଲ ।’’

 

‘‘ଓ, ପଟ୍ଟନାୟକ ଘର ଦରକାର ?’’

 

‘‘ହଁ, ହଁ, ପଟ୍ଟନାୟକ ଘର–ଚୁପ୍‌–କାହା ଆଗେ କହିବ ନାହିଁ । ପାଣ କଣ୍ଡରାଙ୍କ ଆଗରେ ପଟ୍ଟନାୟକ ଘରକୁ ନେଇ ଥୋଉଚ ? ଥୋଇଲେ ଚଳିବ ? ପାଣଗୁଡ଼ାକ–ଘରେ ଦାନା ନାହିଁ–ପଟ୍ଟନାୟକ ଘର କୋଠା ବାଡ଼ି । ପାଣ କଣ୍ଡରା ମିଞ୍ଚା ଅଧଲା ପଇସାର ସଉଦା କରନ୍ତି–ପଟ୍ଟନାୟକ ଘର ଟଙ୍କା ଅଧୁଲିର ସଉଦା କରିବେ । ପାଣ କଣ୍ଡରା ସଫା ସଫା ବିଚ ଦାଣ୍ଡରେ ସଉଦା କରି ନେଇଯାଆନ୍ତି–ଆଉ ପଟ୍ଟନାୟକ ଘର ଲୁଚାଚୋରା ଲୋକ ପଠେଇ ସଉଦା କରନ୍ତି । ତଫାତ ନାହିଁ ? ଦିଅ କାକା ! କାହାକୁ କହିବ ନାହିଁ । ତମ ଠାକୁର ଦ୍ୱାହି ଦୁଃଖୀଆକାକା–ମିଶିରି ସେରେ ।

 

ଦୁଃଖୀଆର ମନ ହଉଥିଲା–ଦବନାହିଁ । କିନ୍ତୁ ଏ ଲୋକଟାର କଥାଶୁଣି ସେ କାହିଁକି ଭାବିଲା, ସେ ସଉଦା ଦଉଚି ପଟ୍ଟନାହାକ ଘରକୁ ନୁହେଁ–ପଟ୍ଟନାହାକ ଘରର ଏଇ ଲୋକଟାକୁ । ତଥାପି ପଟ୍ଟନାୟକ ଘର ନାଆଁରେ ଦୁଃଖୀଆ ମନଟିକିଏ ଖଟା ହେଇଗଲା । କହିଲା–‘‘ସେର ବାର ଅଣା ପଡ଼ିବ ।’’

 

‘‘ଯାହା ନବ !’’

 

ଦୁଃଖୀଆର ଦୟାହେଲା । ଏମିତି ଦରକାରୀ ବେଳରେ ଛାତି ଉପରେ ବସି ସେ ପଇସା ନବ ? ପଚାରିଲା–‘‘କି ଦରକାର କିରେ ?’’

 

‘‘ଜର ।’’

 

ସଉଦା ନେଇ ଚାକର ଯେତେବେଳେ ଟଙ୍କାଟିଏ ବଢ଼ାଇ ଦେଲା, ଦୁଃଖୀଆ ଟଙ୍କାକୁ ଧରି ଚାହିଁଲା । ସେ ଟଙ୍କାକୁ ସତେ କି ଆଉ ଜର । ସେ ଦଶଣା ପଇସା ଫେରେଇ ଦେଇ କହିଲା–‘‘ଜାତି ଯିବନାହିଁ ତ ତମ ବାବୁଙ୍କର ?’’

 

‘‘ଜାତି ? କି ଜାତି ହୋ ? ବଡ଼ଲୋକଙ୍କର କି ଜାତି ? ବଡ଼ଲୋକଙ୍କର ତ ଗୋଟେ ଜାତି–ସେଇ ବଡ଼ଲୋକ ଜାତି–ତା’ ଛଡ଼ା ଆଉ କି ଜାତି ଥାଏ ତାଙ୍କର, କାହିଁ ? ଟଙ୍କା ନାଥଙ୍କ ବଡ଼ଦାଣ୍ଡରେ ଜାତି ପତିର–ବିଚାର ନ ଥାଏ । ଜାତିଟା ଆମ ଗରିବଙ୍କ ପାଇଁ । ଗରିବଙ୍କ ପାଇଁ ସେଠି ଅଲଗା ପତିତପାବନ ଦୁଆରେ ଗଡ଼ୁଛନ୍ତି । ଜାତି ମରୁଚି–ଜାତି । ଦେଖିଚି କେତେ ଜାତି । ଟଙ୍କାର ଚିତ୍ ପଟରେ ଜାତି–ପଟ୍ ପଟରେ ଅଜାତି । ଆଉ ପୁଣି ଜାତି ଅଜାତି କ’ଣ ?’’

 

‘‘ଏଇ ବଡ଼ଲୋକିଆ, କରଣ ସାଆନ୍ତେ, ବାବୁଭାୟା ଗାଁକୁ ଆସିଲେ, ଗରିବଙ୍କଠୁ ଦୂରରେ ରହିବାପାଇଁ ବାହାର କରନ୍ତି–ଜାତି ଜାତି । କାହିଁକିନା, ଜାତି ଜାତି କରି ଗାଁଟାକୁ ଫଟେଇ ନଦେଲେ ଡାଳୁଅ ବୁଣିହେବ ନାହିଁ । ନୁହେଁ ! ପୁଣି ଏଇ ବାବୁ ଯେତେବେଳେ ସହର ବଜାରକୁ ଯିବେ ସେତେବେଳେ ପାଣକଣ୍ଡରା ଛାଡ଼, ମୁସଲମାନ କିରସ୍ତାନ ହୋଟଲରେ ବସି କଣ୍ଟା ଚାମଚ ଧରି ଦେ’ ପେଲି ଦେ–ଦିବ୍ୟଗ୍ରାସ ! ସେଇଟା ବାବୁଆନି–ସେଥିରେ ପୁଣି ଗର୍ବ । ଯେ ତା’ ନକରେ ସେ ମୂର୍ଖ ଅସଭ୍ୟ । ଏଇ ତ ଜାତି ? ଆମେ ଚଷା ବାପୁଡ଼ା, ଆମେ ଟିକେନାକୁ ହାଣ୍ଡି ଛୁଇଁ ଦେବୁ ଯେବେ ଦୁନିଆଯାକ ପାଗ ହେଉଥିବ–ଖାଇ ବସିବାବେଳେ ଛୁଇଁଦେବୁ ତ ଭାତ ଥାଳି ମାରା ହେଇଯିବ–ମା ଲକ୍ଷ୍ମୀ ଅପବିତ୍ର ହେଇ ଯାଆନ୍ତି । ପରଷିଲା ଲୋକର କାନିଟିକେ ବାଜିଲା ତ ପ୍ରସାଦ ପାତୁଳିକଯାଇ ଯିବ ପାଣିରେ । ଦେଖିବଟି ପୁଣି ସେଇ ବାବୁଭାୟାଙ୍କ ଘରକୁ ଧଳା-ଧଳା ଏଇ ଟଙ୍କା ନୋଟ ପରି ସାଦା ସାଦା ବାବୁମାନେ ଯେତେବେଳେ ଆସନ୍ତି, କିଏ ପଠାଣ, କିଏ ପାଣ, କିଏ କିରସ୍ତାନ, ସେତେବେଳକୁ ଜାତି କୁଆଡ଼େ ପଳାଏ । ଏକା ଟେବୁଲରେ ଖାନା ଖାଇବା, ଏକା ପାତୁଲିରୁ ଖାନା ଆଣିବା, ଏକା ନିଆଁରେ ସିଗାରେଟ ଧରିବା, ଏକା ସାଙ୍ଗରେ ମଦ ପିଇବା–କେଉଁଟା ବାଦ୍ ପଡ଼େ କି ? ମୁଁ ଦେଖିଛି ପରା ? ଆମେ ସବୁ ପଠାଣ ହାକିମ ଦିପଟି ମୁନ୍‍ସି ଦାରୋଗା ଆସିଲେ ତାଙ୍କ ଅଇଁଠା ବାସନ ନ ଉଠଉ ବୋଲି ସାଆନ୍ତ ନିଜେ ବାସନ ଉଠେଇ ଆଣି ବାସନ ଉପରେ ଆଗ ପାଣି ଦି’ ବାଲଟି ଢାଳିଦେଲେ ଯାଇ ଆମେ ମାଜି ମୁଜାକି ସଫା ସୁତୁରା କରି ରଖୁ । ସେତେବେଳେ ଜାତି ଥାଏ କେଉଁଠି ? ସବୁ ପଇସା-ପଇସା-ଏଇ ପଇସାର ଖେଳ । ପଇସାପାଇଁ ଜାତି ପଇସାପାଇଁବି ଅଜାତି । ଯେଉଁଠି ଜାତି ଜାତି କଲେ ପଇସା ମିଳିବ, ସେଠି ଜାତି ନାଆଁରେ ଯାବତ୍ ବଜ୍ଜାତି ଚାଲିଛି । ଯେଉଁଠି ଜାତି ନଛାଡ଼ିଲେ ଦାନା ମିଳିବ ନାହିଁ, ମାନ ମିଳିବ ନାହିଁ ସେଠି ପଇସାଟାଇ ଜାତି । ବୁଝିଲ କକା । ଏ ଜାତି ନୁହେଁ ଯେ ଚକ୍ରାନ୍ତ–ବାବୁଭାୟାଙ୍କ ଚକ୍ରାନ୍ତ ମୁଁ ପରା ଦଶବର୍ଷ ହେଲା ଚାକିରି କରି ଖାଲି ସେଇଆ ଦେଖୁଚି । କେବଳ ଚକ୍ରାନ୍ତ–ଷଡ଼ଯନ୍ତ୍ର । ସବୁ ଗରିବଙ୍କ ବିରୁଦ୍ଧରେ ଚକ୍ରାନ୍ତ । ଏ ଗାଁର ଚକ୍ରବ୍ୟୂହ ଭାଙ୍ଗିଗଲା–ଏବେ ଦେଖିବ ଯା–ସହରରେ ପଦ୍ମବ୍ୟୂହ ବସିଚି । କ’ଣ ନା–ଆମେ ପାଠ ପଢ଼ିଛୁ-ଭଦ୍ର-ଶିକ୍ଷିତ ଆମର କି ଜାତି–ସେଗୁଡ଼ାକ ଛୋଟ କଥା । ଜାତି ଏଇ ମୂର୍ଖ ଗରିବଙ୍କ ପାଇଁ । ବୁଝିଲ କାକା ମରମଟା ? ବାହ୍ମଣ କରଣ, ହିନ୍ଦୁ ମୁସଲମାନ ଜାତିଟା ସିନା ଏ ବଡ଼ଲୋକ ଉଠେଇଦେଲେ–ଅସଲ ଜାତିର ବିଚାରଟା ଛାଡ଼ି ପାରୁ ନାହାନ୍ତି । ବୁଝି ପାରୁଚ ନନା କି ଜାତି ? ବଡ଼ ଜାତି–ଛୋଟ ଜାତି ବିଚାର ପଛକୁ କହିବି, ଢେର୍ କଥା । ଏ ହାଡ଼େ ହାଡ଼େ ଜରି ଯାଉଛି କେତେ କହିବ ? ପୋଥି ସରିବ ନାହିଁ ।’’ ସେ ଉଠି ଠିଆହେଲା ଚାଲି ଯିବାକୁ । ଦୁଃଖୀଆ ତାକୁ ତାଟକା ହେଇ ଚାହିଁ ଥାଏ । ‘‘ଏତେ କଥା ତୋତେ କିଏ ଶିକେଇଲାରେ ବାଳୁଙ୍ଗା ?’’ ଦୁଃଖୀଆ ତାକୁ ବାଳୁଙ୍ଗା ବୋଲି ଡାକେ ।

 

‘ମା ପେଟରୁ ଶିଖିଥିଲି–ମା ପେଟରୁ–ଅଭିମନ୍ୟୁ ପରି ।’

 

‘ସବୁ କହନ୍ତି, ଦିପହରେ ସମସ୍ତେ ଖାଇପିଇ ସାରିଲେ ଯେତେବେଳେ ପାଇଟି ଛିଡ଼ିଯାଏଁ, ଆଉ ରାତିରେ ସମସ୍ତେ କବାଟ କିଳିଦେଇ ବିଛଣାକୁ ଗଲେ ତୁ କେମନ୍ତେ ଡିବିରି ଜାଳି କ’ଣ ପଢ଼ୁ । କ’ଣ ସବୁ ଏତେ ପଢ଼ୁ କିରେ !’

 

‘ମୁଁ ପଢ଼େ ? ନାଇଁ ଦୁଃଖୀଆ କାକା ମିଛ–ତୁଚ୍ଛା ମିଛ ।’

 

‘ନାଇଁ, ତୁ କୁଆଡ଼େ କେତେ ଶାସ୍ତ୍ର ପୁରାଣ, ଗୀତା ଭାଗବତ, ରାମାୟଣ ମହାଭାରତ ପଢ଼ୁଛୁ । ଲୁଚଉଚୁ ମତେ ।’

 

‘ହଁ ସେମିତି ଖଣ୍ଡେ ଅଧେ କେତେବେଳେ ପଢ଼ିଦିଏ ।’

 

‘କିନ୍ତୁ ଏସବୁ କଥା ତୁ ଶିଖିଲୁ କେଉଁଠୁ ? ଏ ତ ପୋଥିପୁରାଣ କଥା ନୁହେଁ ।’

 

‘ନୁହେଁ ଆଉ କ’ଣ । ଠିକେଠିକେ ପୋଥିପୁରାଣରେ ତ ଏଇୟା ଅଛି ।’

 

ଦୁଃଖୀଆ ହସିଲା ।

 

‘ତମେ ହସୁଛ କାକା ? ଭାବ ଏକ–ଭାଷା କେତେ ମତରେ ଅଛି । ସେମିତି ଶାସ୍ତ୍ରବି ଏକ–ଭାଷା ଖାଲି ନିଆରା–ନିଆରା । ଗୋଟିଏ ଶାସ୍ତ୍ର ଆଚ୍ଛା କରି ପଢ଼ିଲେ ଯାହା–ଶହେ ଶାସ୍ତ୍ର କଞ୍ଚା କରି ପଢ଼ିଲେ ତା’ ଫଳ କାହୁଁ ମିଳିବ ? ପୁରାଣ ମୋତେ ଭାବ ଦେଇଛି । ମୁଁ ତାକୁ ମୋ ଭାଷାରେ ବୁଝାଇ କହି ଦଉଚି ।’

 

‘ତୁ ଯଦି ଆଉ ଟିକିଏ ପାଠଶାଠ ପଢ଼ିଥାନ୍ତୁ–ବଡ଼ ବୁଦ୍ଧିଆ ହୋଇଥାନ୍ତୁ ।’

 

‘କି ପାଠ ହୋ ? ତମ ଇଂରେଜୀ ପାଠ । ଜୁହାର ବାବା । ମୋର ବେଶି ବୁଦ୍ଧିର ଦରକାର ନାହିଁ । କାଉ ବିଲୁଆଙ୍କର ବି ବୁଦ୍ଧି ଅଛି କାକା । ମୋର ସେ ବୁଦ୍ଧିରେ ଲୋଡ଼ା ନାହିଁ । ତମର ଏଇ ଇଞ୍ଜିମିଞ୍ଜି ପାଠ ? ସେଥିରୁ କ’ଣ ମିଳିବ ଏ ସବୁ କଥା ? ସେ ତ ଭାବର ଭାଷା ନୁହେଁ–ହୃଦର ଭାଷା ନୁହେଁ–ଟଙ୍କାର ଭାଷା–ବଡ଼ଲୋକୀର ଭାଷା–କାରବାରର ଭାଷା–ମାନମର୍ଯ୍ୟାଦାର ଭାଷା–ସିଗାରେଟ୍‌ ଚୁରୁଟର ଭାଷା–ଜାମା ପ୍ୟେଣ୍ଟଲୁନର ଭାଷା–ମଟର ସାଇକଲର ଭାଷା–ତମ ବହିରେ ଏକଥା ଆସିବ କୋଉଠୁ । କିନ୍ତୁ ପୋଥିପୁରାଣରେ ଅଛି–ଟିକିଟିକି କି ଲେଖାଅଛି–ଖାଲି ପଢ଼ିବାପାଇଁ ଆଖି ଥିଲେ ହେଲା । ହଉ ଦୁଃଖୀଆ କାକା–ଥାଅ–ଯାଉଚି–ପୁଣି ଆଉଦିନେ–ଓଳଗି ।’

 

ଅଧବାଟରୁ ଫେରିପଡ଼ି ପାଖକୁ ଆସି ପୁଣି କହିଲା–‘ଜଗନ୍ନାଥଙ୍କ ଦ୍ୱାହି ରହିଲା–କହିବ ନାହିଁଟି କାହା ଆଗେ ।’

 

ବାଳୁଙ୍ଗା ଏଥର ନିଜରୂପ ଘୋଡ଼େଇ ପୁଣି ପଟ୍ଟନାୟକ ଘର ଚାକର ବେଶ ଧଇଲା ବୋଲି, ଦୁଃଖୀ ଦାଶ ହସିଲା ମନେ ମନେ ।

 

ଏକା ପଟ୍ଟନାୟକେ ନୁହନ୍ତି, ପଟ୍ଟନାୟକପଡ଼ାର ଅଧିକାଂଶ ଲୋକେ ଯିଏ ଯିଏ ସେଦିନ ବାସନ୍ଦ କଥାରେ ଆଗୁଆ ହେଇଥିଲେ ସେଇ ସବୁ ଗୋଟି ଗୋଟି ହୋଇ ଆଗ ଆସି ସଉଦା କିଣିଲେ ଦୋକାନରୁ । ଅବଶ୍ୟ ଲୋକପଠେଇ–ଲୁଚାଚୋରାରେ । କେବଳ ବାହାରେ ସମସ୍ତେ ଆଜ୍ଞା ଜାରି କରନ୍ତି, ସେ ବାହ୍ମଣ ଦୋକାନରୁ କେହି ସଉଦା ନେବ ନାହିଁଟି !’

 

ଇୟାରି ନା–ଜାତି, ଇୟାର ନା–ମେଣ୍ଟ–ୟାକୁହିଁ କହନ୍ତି ବାଛନ୍ଦ । ଦୁଃଖୀଆ ହସିଲା । ଆପଣା ସୁବିଧାପାଇଁ ସବୁ । ଆପଣା ସୁବିଧାର ଅଟକଳ ପିଟିଗଲେ ଜାତି ପତି, ମେଣ୍ଟ ମେଳ, ବାସନ୍ଦ ବନ୍ଦ, ସବୁ ଫସର ଫଟିଯାଏ । ଏଇ ତ ଗାଁ–ଏଇ ତ ସମାଜ ! ୟାକୁ ନେଇ ମଣିଷ ବଞ୍ଚିବ କିମିତି !

 

ରତନୀବି ସେଇୟା ଭାବିଲା–ଏଇ ତ ସମାଜ ? ୟାକୁ ନେଇ ମଣିଷ ବଞ୍ଚିବ କିମିତି ? ଆପଣା ସୁବିଧାପାଇଁ, ଆପଣା ସ୍ୱାର୍ଥପାଇଁ, ଏ ସମାଜର ବଡ଼ବଡ଼ିଆ, ପାଠୁଆ ପଢ଼ୁଆ ଲୋକେ ସମାଜର ଆଇନ ଭାଙ୍ଗି ଚାଲିଯାଆନ୍ତି–ସମସ୍ତେ ଜାଣନ୍ତି ସମସ୍ତଙ୍କ କଥା–କିନ୍ତୁ କେହି କାହାକୁ କହନ୍ତି ନାହିଁ–କହିବାକୁ ସାହସ କରନ୍ତି ନାହିଁ–ସମସ୍ତଙ୍କ ଭିତରେ ଗଲିଜି–ସମସ୍ତେ ଜାଣନ୍ତି–ଖାଲି ଦୋଷହୁଏ ତା’ରି, କେହି ଯଦି ଅସାବଧାନରେ, ଅଣଚାଲାକିରେ ଆପଣା ସରଳପଣିଆରେ ଆପଣା କଥାକୁ ଘୋଡ଼େଇ ନ ପାରେ ।

 

ରତନୀ ରାତିଟା ରାଉତ ଘରେ କଟେଇଚି । ସମାଜର କେତେ ରତନୀ କେତେ ରାଉତଙ୍କ ଘରେ ରାତି କଟେଇ ଦଉ ନାହାନ୍ତି । ସମସ୍ତେ ଜାଣୁଛନ୍ତି, ଅଥଚ କେହି ଜାଣୁ ନାହାନ୍ତି । ଜାଣିଲେ ଆଉ ବାହାରି ବାଇଶା ରହିବ ନାହିଁ ।

 

ଦୁଃଖୀ ଦାଶ ଜାଣିଲେ କିଛି କ୍ଷତି ନାହିଁ । ଦୁଃଖୀ କେଡ଼େ ଭଲ ମଣିଷ । ସେ କିଛି ଖରାପ ଭାବିବ ନାହିଁ । କାହାରି ନାଆଁରେ ନିନ୍ଦା ପଦେ କରିବାକୁ ତା’ ଜିଭ ଯେମିତି ପଥର । ସେ ଜାଣିଲା ତ କ୍ଷତି କ’ଣ ? ସେ ରତନୀକି ଅବିଶ୍ୱାସ କରିବ ନାହିଁ । ସେଥିପାଇଁ ତା’ ଛାତି ଫୁଲି ଉଠୁଛି ।

 

ଦୁଃଖୀଆ କିଛି କହିଲା ନାହିଁ । ତଥାପି ରତନୀ ଗୋଡ଼ ଝୁଣ୍ଟି ପଡ଼ିଥିଲା । ସେ ଅଳପବାଟ ଆଗେଇ ଯାଇଛି, ଦେଖିଲା, ତେଣୁ ଆସୁଚି–ଧନୀ ମାଷ୍ଟର । ସେ ସରମରେ ଶଢ଼ିଗଲା-। କ’ଣ କହିବ ପଚାରିଲେ ? ସତକୁସତ ସେ ପଚାରିଲା–‘କୁଆଡ଼େ ଯାଇଥିଲ ରତିନାନୀ-?’

 

‘ରାତି କାଲି ବେଶି ହେଇଥିଲା–ରାଉତ ଘରେ ରହିଗଲି ।’

 

‘ନା–ନା–ସେମିତି ଆଉ ରହିବୁନି’–ଏ ଗାଁ କଥା ଜାଣୁନୁ ?’

 

ଧନୀ ଚାଲିଗଲା । ରତନୀ ଡରିଗଲା । ଯେମିତି ନିଛାଟିଆ ରାତିରେ ଭୂତଟାଏ । ଭୂତ ଚାଲିଯାଇଚି । ଅଛି ଖାଲି ଛାତି ଥରାଟା । ସେ ଟାଣି ଟାଣି ଲମ୍ବ ନିଃଶ୍ୱାସରେ ସେଇ ଥରାଟାକୁ ଥୟ ଧରଉଚି । ସେ ଆଶା କରୁଥିଲା–ଧନୀ ମାଷ୍ଟର କହିଦେଇଥାନ୍ତା–ଗାଁ ଲୋକ କହିଲେ କହନ୍ତୁ–ସେଟା ମିଛ–ସେଟା ଭୂତ । ଭୂତକୁ ଡରିବୁ ନାହିଁ । ଭୂତଟା ମିଛ । କିନ୍ତୁ ଧନୀ ମାଷ୍ଟର, ‘ହେଇଲୋ ଭୂତ’ ବୋଲି କହି ଚାଲିଗଲା । ବରଂ ନିଜେ ଗୋଟେ ଭୂତ ହେଇ ତାକୁ ଡରେଇ ଦେଇ ଚାଲିଗଲା-

 

–ନା–ସେ ତାକୁ ସାବଧାନ କରେଇ ଦେଇଯାଇଛି–ଏ ବାଟରେ ଭୂତ ଅଛି ବୋଲି । ସେ ବି ଆଗରୁ ଜାଣିଥିଲା ସେ କଥା । ଧନୀ ମାଷ୍ଟର ଚେତେଇ ଦେଇଗଲା ଖାଲି । ସେ ସତରେ କେଡ଼େ ଭଲ ମଣିଷ । ସେ ଧନୀକୁ ଶ୍ରଦ୍ଧା କଲା ।

 

ଭାବିଲା–ଧନୀ ମନରେ ବଡ଼ ଶ୍ରଦ୍ଧା–ବଡ଼ ଦୟା, ତା’ ପ୍ରତି । ରତନୀର ବିପଦ ବେଳରେ ଆଉ କିଛି ନ ହେଉ ଦିପଦ କଅଁଳ କଥା ତ କହିଯାଏ–ଏମିତି ତ ଆଉ କେହି କହନ୍ତି ନାହିଁ ।

 

ଦୁଃଖୀ ? ଦୁଃଖୀଟା ପଥର । ସୁଖରେ ଦୁଃଖରେ, ଖରାରେ ବରଷାରେ ସେ ସେମିତି ଦାରୁଭୂତ ହୋଇ ଠିଆ ହୋଇଥାଏ । ପାଖକୁ ଗଲେ ଛାଇ ମିଳିପାରେ–ଆଶ୍ରା ମିଳି ପାରେ, କିନ୍ତୁ ବଳେ ବଳେ ସେ ହାତ ବଢ଼େଇ ଆଶ୍ରା ଦିଏ ନାହିଁ ? ପୁଣି ଖରା ହେଲେ ଛାଇ ମିଳେ, କାଉଁରିଆରେ ନାହିଁ, ଧନୀ ମାଷ୍ଟର ତା’ ନୁହେଁ । ଖରାରେ ବରଷାରେ ସବୁବେଳେ ସେ ତିଆରି । ସେ ଆପେ ଆପେ ଆସେ ଦରକାରରେ, ବେଦରକାରରେ ଆସେ–ଚିହ୍ନା କୁଣିଆ ପରି ମୁଲାଜା କରେ ନାହିଁ ।

 

ରତନୀ ଘରେ ପହୁଞ୍ଚିଛି କି ନାହିଁ–ତେଣୁ ନିଧିଆ ବୋଉ ଚାହିଁକି ବସିଥିଲା ପରି ବାହାରି ଆସିଲା–ମୁହଁରେ କଳେ ହସ ଚାପା ପଡ଼ିଚି–‘‘କିଲୋ ! ମୁହଁଟା ଇମିତି ଶୁଖି ଯାଇଚି କାହିଁକି ?’’ ପଚାରି ଦେଲା । ସେଇ ହସରୁ ଟିକିଏ ବାହାରି ପଡ଼ିଲା ବାହାରକୁ ପାନବୋଳ–ବହିଗଲା ପରି ଦି’ କଳ ଦେଲ ।

 

ଚାଉଁକିନା, ଛାତିରେ ପଜା ଖୁର କିଏ ଚଳେଇ ଦେଲା ଯିମିତି ରତନୀର । ସେଇ ନିଧିଆ ବୋଉନା ଏ ? ରତନୀ ଅନେଇ ଦେଖୁଥିଲା । ଏତେ ମାୟା, ଏତେ ମମତା ସବୁ କ’ଣ ମିଛ ? ନିଧିଆ ବୋଉ କ’ଣ ତାକୁ ଛନ୍ଦ ଆସିଛି ଆଜିଯାକେ–ବନ୍ଧୁ ବୋଲି, ସଇ ବୋଲି, ହିତକାରୀ ଆପଣାର ବୋଲି ? ସେ କିଛି କହିଲା ନାହିଁ । ଛୁଆକୁ ଦୁଧ ଦେଉ ଦେଉ କଥାକୁ ବାଆଁରେଇ ଦେବାର ସାହସ ଧରି ସେ ଓଲଟି ପଚାରିଲା–‘କିଲୋ ନାନୀ, କାଲି ତୁ ଧାନକୁଟି ଗଲୁ ନାହିଁ ?’

 

ନିଧିଆ ବୋଉ ନ ଛାଡ଼େ । ରତନୀ ଯେତେ କଥା ମୋଡ଼ି ବସୁଛି, ନିଧିଆ ବୋଉ ସେତିକି ଟାଣୁଛି, ତା’ ଆଡ଼କୁ । କହିଲା–ମୋର ଆଉ ବଳ ବଅସ ଅଛି ନା, ରତନୀ ସାଙ୍ଗରେ ପଟ ଦେବି ।

 

‘‘ତୁ ତ ଏକା ଏକା ପାଞ୍ଚ ପାଞ୍ଚଟା ମିଣିପଙ୍କ ପଟ ଦବୁ–ଏ ବଅସରେ ଏତେ ତାକତ ତୋଠି–ରତନୀ ତୋତେ କାହୁଁ କଛ ହବ । ସତେ ତୁ କେତେ କାମ କରୁ ନିଧିଆ ବୋଉ ନାନୀ ! ମୁଁ ପାରନ୍ତି ନାହିଁ ।’’

 

‘‘ଇଲୋ ସେ କଥା ଭିନେ–ଏ କଥା ଭିନେ । ରାଉତ ପୁଅ ମନକୁ ନିଧିଆ ବୋଉ ମାନିଲେ ତ !’’

 

ରତନୀ ଚମକି ପଡ଼ିଲା ।–‘‘କି କଥା ମିଞ୍ଚା କହୁ ନାନୀ ? ଛି । ରାଉତ ପୁଅ ବଡ଼ ଭଲ ପିଲା । ଏତକ କହି ରତନୀ ଦବି ଗଲା । ମିଛକଥା । ମିଛକଥା ସେ କହିଛି । ମିଛ କ’ଣ ସେ କହିନାହିଁ ଆଗରୁ ? ମିଛରେ ପୁଣି ବାଧିଲା ଦି’ ରକମର ଥାଏ–ମିଛ କହି, କହିଲା ପରି ଜଣା ପଡ଼େ ନାହିଁ, ଆଉ କେତେ ମିଛ ବଡ଼ ଲାଗେ । ଏଟା ଡାହା ମିଛ–କଞ୍ଚା ମିଛ–ମଣିଷ ମାରି ଲୁଚେଇଲା ପରି ।

 

‘‘ମୁଁ କ’ଣ କହିଲି ରାଉତ ପୁଅ ଖରାପ ବୋଲି ? ଯୁବା ବଅସରେ, ଯୁବତୀ ସ୍ତିରୀ ପାଖରେ ସବୁ ପୁରୁଷ ଭଲ । କିଏ ଖରାପ କି ?’’

 

‘‘ନାନୀ, ତୁ ଭାରି ଦୁଷ୍ଟ । କି ଅଲଣା କଥା ଏଗୁରାକ ।’’

 

‘‘ଅଲଣା, ମୁଁ ଅଲଣା କହିଲି ? ସତ କହିଲୁ, ରାଉତ ପୁଅ ତୋତେ କଣେଇ କଣେଇ ଚାହିଁ ନାହିଁ ? ତୁ ଯେମିତି ଅନେଇ ଦେଇଚୁ, ସେ ମୁରୁକି ହସି ଦେଲାନି ? ରାଉତ ଘରେ ତୁ କାଲି ରାତି–’’

 

ହାତେ ଲଅମ୍ବରେ ଜିଭ କାଢ଼ିଦେଇ, ନିଧିଆ ବୋଉ କହିଲା, ‘‘ନାଇଁଲୋ, ମୁଁ ଗେଲ ହଉଥିଲିନା ! ତୁ ରାଗିଲୁ କି ?’’

 

‘‘ନାଇଁ ନାନୀ, ଆଖି ଛୁଉଚି–କାଲି ରାଉତ ଭାଉଜ ବେଶି ରାତି ହୋଇଗଲାକୁ ଛାଡ଼ିଲା ନାହିଁ । କା’ ସାଙ୍ଗରେ ଆସନ୍ତି ? ତୁ ତ ଗଲୁ ନାହିଁ କାଲି ।’’

 

‘‘ଭଲ କଲୁ । ମୁଁ କ’ଣ କହୁଚିନା କିଛି ! ହେଲେ ଗାଁରେ ଏ କଥାଟା ଡିବିଡିବି ବାଜି ଯିବ-।’’

 

‘‘ମୁଁ କ’ଣ କରିବି ନାନୀ ।’’

 

‘‘କରିବୁ କ’ଣ ? ଏଥିରେ ଡରିବାର କ’ଣ ଅଛି ? ମୁଁ ହୋଇଥିଲେ କହନ୍ତି–ଆଚ୍ଛାକଲି, ଭଲ କଲି, ଆହୁରି କରିବି । ଖାଲି ସେତିକି ନୁହେଁ, ମିଛୁ ମିଛୁଟାରେ ମୋତେ ଯଦି କେହି କହେ, ତାକୁ ମୁଁ ତୁନିପଡ଼ି ସହିପାରେ ନାହିଁ । ମୁଁ ତାକୁ ଶୁଝେଇ ନେଇ ନ ପାରିଲେ ସତ ସତ ମୁଁ ସାହସ ବାନ୍ଧି ସେଇ କାମ କରି ଦେଖେଇ ଦିଅନ୍ତି–କହନ୍ତି–ହଁ ମୁଁ ସେଇଟା କରେ–ମୁଁ ତ କହୁଛି–ମାନୁଛି–ତୁ ଆଉ ଅଧିକାଟା କହିଲୁ କ’ଣ ? ମୋର ରାଗ ହୁଏ । କି–ରାଉତ ଘରେ ରାତିଟାଏ ରହିଲେ ତ ଭାସିଗଲା କ’ଣ ? କହି କହି କହିବେ–ରାଉତପୁଅ ତୋତେ ଶାଢ଼ି ଦଉଚି–ଚୁଡ଼ି ଦଉଚି । ଆଚ୍ଛା ହେଲା–ବେଶ୍ ହେଲା–ମୋର ବଅସ ଅଛି–ରୂପ ଅଛି–ଟୋକାଏ ରସିଲେ ତ ହେଲା କ’ଣ ? ତମ ବଅସରେ ନିଆଁ ଲାଗିଲା କି ? ତମ ଦିହ ସହୁ ନାହିଁ କି ?

 

‘‘ଛି ଛି ନାନୀ, ମୁଁ ସେ କଥା କହି ପାରିବି ନାହିଁ ।’’

 

‘‘ନ ପାରିଲେ ଆପଣା ଗାତ ଆପେ ଖୋଳିବୁ ।’’

ନିଧିଆ ବୋଉ ଚାଲିଗଲା । ସେଇ ଓଠରେ ହସ ଆଉ ରୋଷ ଦେଖେଇ । ଅଜବ ମଣିଷ ସେ ! ଯାହା କହିଗଲା ଅକ୍ଷରେ ଅକ୍ଷରେ ସତ ପରି ଲାଗୁଛି ତ ! କୋଉଁ କାଳେ, କୋଉଁ ଦିନେ ମଲା କି ଗଲା ବୋଲି ଯିଏ ପଚାରନ୍ତି ନାହିଁ ଆଜି ଆସି ପଚାରି ଯାଉଛନ୍ତି–ନାହୁଳି ହୋଇ–‘‘କି ରତନୀ, କି ବାଇୟା ମା, କି ଶୁକ ମାଇପ, କିମିତି ଅଛୁ ? ଏ ପଚରା ତାକୁ ନୁହେଁ–ଯେମିତି ତା’ ଲହୁଲି ବୟସକୁ । ଏ ପଚାରିବା ମୂଳରେ ଯେ କେତେ ଟାହି ଟାପରା ଇଙ୍ଗିତ ଗଞ୍ଜଣା ରହିଛି ତା’ କେବଳ ତା’ରି ହାଡ଼େ ହାଡ଼େ ସେଇ ବୁଝୁଥାଏ–ସେଇ ରତନୀ ।

ସଞ୍ଜବେଳେ ସେ ଦୋକାନକୁ ଗଲା । ତେଲ ଲୁଣ ଅଧଲା ଅଧଲାକର ଆଣିବ । ଅନ୍ଧାର ହେଲାଣି । ମୁହଁକୁ ମୁହଁ ଦିଶୁ ନାହିଁ । ଦୋକାନ ପିଣ୍ଡାରେ ବସି କିଏ ସବୁ କୁହାକୁହି ହେଇଛନ୍ତି–ତା’ରି ନାଆଁଟା–ଚଟାସ କିନା ତା’ କାନ ମୂଳରେ ବାଜିଲା ଯେମିତି !

‘‘ହଁ, ହେଲା ତ ଭାସିଗଲା କ’ଣ–ଜୁଆନ୍ ଟୋକୀଟା !’’

‘‘ରାମ ରାମ ! ଏ କଥା ମୁହଁରେ ଆଣୁଚ ?’’

‘‘ଭଲା ଲୋକ ତମେ ସବୁ, ସୁବିଧା ଅସୁବିଧାରେ କୋଉଁଠି ରାତିଟାଏ ରହିଗଲା ବୋଲି ପାପ ଲାଗିଗଲାନା ?’’

‘‘କିଏ କହୁଛି ? କଥାକୁ ପଡ଼ିଚିନା । ସମସ୍ତେ ଯେ କହୁଥିଲେ ରତନୀ ଭାରି ଭଲ–ସେଇ କଥାକୁ ପଡ଼ିଚି । କିଏ ଭଲ ହୋ ଦୁନିଆରେ । ଆପଣା ଭଲମନ୍ଦ ଆପଣା ଭିତରେ । ବାହାରକୁ ସମସ୍ତେ ତୁଳସୀ ।’’

‘‘ରାଉତ ଘରେ ଅଛି କିଏ ଯେ ଏତେ କଥା । ରାଣ୍ଡ ବୁଢ଼ୀଟା ତ ।’’

‘‘ହେଁ ହେଁ କିଏ ଥାଆନ୍ତା କି ଆଉ ! ରାଉତ ପୁଅ ସେ ନବଘନିଆ ଆସିଛିରେ ।’’

‘‘ଓହୋ–ଟୋକୀ ତ ତେବେ ଆଚ୍ଛା ଖାଞ୍ଚେ ମାରିଚି ।’’

ଏତିକିବେଳେ ଦୋକାନ ଭିତରୁ ବାହାରି ଆସି ଦୁଃଖୀ ଦାଶ କହିଲା–ତମର ଆଉ କିଛି ନାହିଁ–ଏଠି ବସି ବସି ଖାଲି ପର ବହୂ ପର ଝିଅଙ୍କ ନାଆଁରେ ଚର୍ଚ୍ଚା ଚାଲିଛି । ପଳା ଏଠୁ ।’’

ରତନୀ ସେତକ ଶୁଣି ଧୀରେ ଧୀରେ ଫେରି ଆସିଲା । ତେଲ ଲୁଣ କିଣା ହେଲା ନାହିଁ-। ଘରେ ବସି ବସି ଖାଲି କାନ୍ଦିଲା । କାନ୍ଦ ମାଡ଼ୁଥାଏ ତାକୁ । କିନ୍ତୁ କା’ ଆଗେ କାନ୍ଦିବ ଆଉ-? କିଏ ଶୁଣିବ ତା’ କାନ୍ଦ ? ଭାଗୁ ମହାନ୍ତି ?

ଭାଗୁ ମହାନ୍ତି ଅନେକ ଦିନ ବଞ୍ଚିବ । ଆସି ଧୀର ଗଳାରେ ଡାକିଲା–‘‘ରତନୀ ଅଛୁନା–ରତନୀ ?’’ ରତନୀ ଉଠି ଆସିଲା ।

‘‘କିଲୋ, ଏ ସବୁ କ’ଣ ଶୁଣାଯାଉଛି ? ଶୁକ ନାହିଁ ବୋଲି ଭାଗୁ ପଟ୍ଟନାୟକ କ’ଣ ମରିଗଲାଣି କି ? ଗାଁରେ ରତନୀ ନାଆଁରେ ଯାହାର ଯାହା ଇଚ୍ଛା କହିଯିବ ? ମନଖୁସିକି !’’

ରତନୀକୁ କୂଳ ପାଇଲା ପରି ଲାଗିଲା–‘‘ମୁଁ କ’ଣ କରିବି କହ ମଉସା । କାଲି ରାତି ବେଶି ହୋଇଗଲା । ରାଉତ ଭାଉଜ ମୋତେ ଅଟକେଇ ଦେଲା । ମୁଁ ଏକଲା ଆସନ୍ତି କା’ ସାଙ୍ଗରେ ।’’ ରତନୀ ଆଜି ମୁହଁ ଖୋଲି ଭାଗୁ ମହାନ୍ତିକି କଥା କହିବାକୁ ସାହସ କଲା ।

 

‘‘ତୁ ସେତେ ଦୂରକୁ ଗଲୁ କାହିଁକି ଆଗ ?’’

 

‘‘ପେଟ ନ ପୂରିଲାକୁ ।’’

 

‘‘ଶୁକ ନାହିଁ ବୋଲି ଭାଗୁ ପଟ୍ଟନାୟକ ଏ ଗାଁରୁ ଉଠି ଗଲାଣି କି ? ମୋତେ ଅଭାବ ଅସୁବିଧା କହିଲୁ ନାହିଁ ? ନେ ନେ ଏଇ ଟଙ୍କାଟା ରଖ । ତେଲ ଲୁଣ ଆଣିବୁ । ଆଉ କେବେ ଯିବୁ ନାହିଁ ସେ ରାଉତ ଘରକୁ । ଦରକାର ପଡ଼ିଲେ ହାନିଲାଭ ମୋତେ କହିବୁ । ରାଉତ ଘର ସେ ଟୋକାଟା ବଡ଼ ଖଣ୍ଡେ । ସାବଧାନ ଥିବୁ । ହଁ । ଆଚ୍ଛା, ହଇଲୋ, ତୋର ଲୁଗା ତ ଚିରି ଯିବଣି ? ମୋତେ ତ ତୁ ମୁହଁ ଖୋଲି କିଛି କହିବୁ ନାହିଁ । ମୁଁ ଏତେ ସବୁକଥା ଜାଣିବି କିମିତି ? କ’ଣ ସର୍ବଜ୍ଞ ହେଇଛି ! ଆଚ୍ଛା, ଆଚ୍ଛା, ମୁଁ ଘରୁ ଖଣ୍ଡେ ଲୁଗା ନେଇ ଆସିବି–ନୂଆ ଲୁଗା । ତୋ’ ସାଆନ୍ତାଣୀ କାଳେ ଜାଣିବ, ସେଥିପାଇଁ ସାଙ୍ଗରେ ଆଣିଲି ନାହିଁ ଏଇନେ । ରାତି ଟିକିଏ ହଉ–ସମସ୍ତେ ଶୋଇ ପଡ଼ନ୍ତୁ, ମୁଁ ଏଇଠି ତୋ ଦୁଆର ଫାଙ୍କରେ ଗଳେଇ ଦେଇ ଯିବି । ତୁ ଚାହିଁ ଥିବୁ ତ ଭଲ । ନହେଲେ ସକାଳୁ ଉଠି କେହି ନ ଦେଖିବା ଆଗରୁ ଲୁଗା ନେଇ ରଖିଦେବୁ । ଧୋଇ ଧାଇ କରି ପିନ୍ଧିବୁ । କେହି ପଚାରିଲେ, କହିବୁ ମୋ ଭାଇ ଦେଇ ପଠେଇଥିଲା କଲିକତାରୁ ଅଷ୍ଟମୀକି । ହେଲା ? ମୁଁ ଯାଉଛି–କିଏ ଦେଖିବ, ପୁଣି କେତେ କଥା କହିବ ।’’ କହି ଚାଲିଗଲା ।

 

ରତନୀ ଛାତି ଥରି ଉଠିଲା । ସେ କୁଆଡ଼ୁ ଯାଉଛି କୁଆଡ଼ିକି ? ଠିକ୍‌ ବୁଝି ହେଉନାହିଁ । ଭାଗୁ ମହାନ୍ତି ଡରେ ରାଉତ ଘର–ରାଉତ ଘର ଡରେ ପୁଣି ଭାଗୁ ମହାନ୍ତି । ଏମିତି ଖାଲି ଦୋଳି ଖେଲିଲାପରି ଏପଟ ସେପଟ–ଜୀବନଟା କ’ଣ ଏଇୟାନା ?

 

ପଦିଆ କଂସାରିର ରାଣ୍ଡ ବହୂ ଆସି ଗପ ସପ ହେଇ ଚାଲିଗଲା । କେତେଦିନ ପରେ ଆଜି ତା’ର ଦେଖା–ଅକାଳେ ସକାଳେ । ଯୌବନ ତା’ର ଯାଇନାହିଁ । ହେଲେ ଯେମିତି ଗନ୍ଧ ଛାଡ଼ି ଯାଇଛି–ଶିମୁଳି ଫୁଲପରି । କେତେ ଲୋକେ କହନ୍ତି କେତେ କଥା ତା’ ନାଆଁରେ । ଆଗରୁ ସେ ସବୁକୁ ବିଶ୍ୱାସ କରିବି ନକଲା ଭଳିଆ, ବା ଦରକାର ନଥିଲା ଭଳିଆ ମନ ବାନ୍ଧି ନେଇଥିଲା ରତନୀ-। ଆଜି ଆଉ ବିଶ୍ୱାସ କରିବାକୁ ମନବି ହେଉ ନାହିଁ । ସବୁ କଥା ଏଇ ମାଇପଙ୍କ ନାଆଁରେ-। ଯେତୋଟି ମାଇପଙ୍କ ନାଆଁରେ ଯେତେକଥା ଶୁଣାଯାଏ, ସେ ପାପ ଭିତରେ ଯେ ସେତୋଟି କି ତା’ଠୁ ଅଧିକ ପୁରୁଷବି ଥାଆନ୍ତି, ସେ କଥା ତ କାହିଁ କେହି ତୁଣ୍ଡରେ ଧରେ ନାହିଁ ଦିନେ ।

 

ତା’ର ମନେ ଅଛି, ଦିନେ ପଦିଆ କଂସାରି ରାଣ୍ଡ ବହୂ ମରିବ ମରିବ ହଉଥିଲା । ପେଟ କ’ଣ ହେଇଯାଉଥାଏ । ହାଉଲୋ ମାଉଲୋ ହେଇ ଗଡ଼ୁଥାଏ । ସେଇ ଦୁଃଖ ଭିତରେବି ଲୋକେ କେତେ କଥା କହିଲେ । ଏଇ ନିଧିଆ ବୋଉ ତାଙ୍କ ଘରକୁ ଯିବା ଆସିବା କରେ । ସମସ୍ତେ କହିଲେ–ସେଇ ତାକୁ କି ପୋଡ଼ା ଖୋଇ ଦେଇଚି–ଆଉ ଛୁଆପିଲା ହେବ ନାହିଁ ।

 

ଲୋକେ କହନ୍ତି, ମଦନ ପଟ୍ଟନାୟକଙ୍କ ପୁଅ ରାଧାଗୋବିନ୍ଦଙ୍କ ପାଖକୁ ସେ ବହୂଟା ଯାଆସ କରୁଥିଲା । ହଉ ହଉ ଗର୍ଭ ହେଲା । ତା’ପରେ ଏ ସବୁ କାଣ୍ଡ । କିଏ କାହାକୁ ବିଶ୍ୱାସ କରିବ ! ସେ ମାଇପିଟା ତ ଏଠି ନଥାଏ–ଥାଏ ତା’ ବାପ ଘରେ । କଦବା କେମିତି ଆସେ । ତଥାପି ଏତେ ଦୁର୍ଚ୍ଛନା । ଦୁନିଆଟା ଖାଲି କ’ଣ ଏଇୟା ? ଗାଁ ଗୋଟାକଯାକ ଖାଲି ଏଇ ଲୁଚାଗିରି–ଚଚାଗିରି । ଭଲ କଥା ନାହିଁ–ଧର୍ମ କଥା ନାହିଁ–ଚାରିଆଡ଼େ ଖାଲି ପାପ ?

 

ହେଇଟି ବରଷ ବରଷ ଧରି ଦୂତୀବାହାନ ଓଷା ହଉଚି । ହଉଚି କି ନାହିଁ ? ଗାଁଯାକ ସବୁ ମାଇପେ ବରତ ଧରୁଚନ୍ତି । ସମସ୍ତେ ତ ସେ ଦିନ ତା’ ଆଖିକି ଭଲ ଦିଶନ୍ତି । କିଏ କହିଦବ, ତାଙ୍କ ଭିତରୁ ଅମୁକ ମାଇପଟା ଖରାପ ? ସମସ୍ତେ ତ ମନେ ହୁଅନ୍ତି ପୋଥି ପୁରାଣର ସତୀ ସାବିତ୍ରୀ ଭଳି !

 

ପ୍ରତିବର୍ଷ ସପ୍ତା ବସେ । ବରଷେ ଦି’ ବରଷ ହେବ ସେ ବି ଉଠି ଗଲାଣି । ତା’ ବୋଲି କ’ଣ ଧର୍ମ ଉଠିଯିବନା ? ଭାଗବତ ଘରେ ଖାଲି ସଞ୍ଜଟିଏ ପଡ଼େ । ସେତକବି ପଡ଼ୁ ନଥାନ୍ତା, ଜଗେଇ ମହାନ୍ତି ଗୋଲାମ ଘର ବଞ୍ଚି ନଥିଲେ । ତା’ ବୋଲି କ’ଣ କରିବ କୁଆଡ଼େ ଚାଲିଯିବ ? ଖାଲି ମିଛ ଜ୍ୱାଚୋରି ରାଜ୍ୱତ କରିବ ଚାରିଆଡ଼େ । ତା’ ହେଇଥିଲେ ଜଗେଇ ମହାନ୍ତି ବଂଶ ଲୋପ ପାଇ ଯାଆନ୍ତାଣି ।

 

ଏଇ ଜଗେଇ ମହାନ୍ତି ବଂଶ । ଜଗେଇ ମହାନ୍ତି ବଂଶ ଏକଲା କାହିଁକି, ଏଇ ଗୋଲାମ ଜାତିଟା । ଧନୀମାଷ୍ଟର ଆଉ ଦୁଃଖୀଦାଶ ବସି କେତେଥର ଏଇ କଥା, କଥାଭାଷା ହୁଅନ୍ତି । ସମାଜରେ ଆଜି ତାଙ୍କର ଥାନ କେଉଁଠି ? ଅଥଚ ଏଇ ଜାତିଟା ସମାଜର ଯେମିତି ଶଲ ହେଇ ରହିଚି । ଏ ସମାଜ ଜଳିପୋଡ଼ି ଛାରଖାର ହେଇ ଗଲାଣି । ଖାଲି ଚିହ୍ନ ଟିକିଏ ରହିଚି–ପାଉଁଶ ଟିକିଏ–ସେ ଏଇ ଗୋଲାମ ଜାତିଟା ।

 

ଯେଉଁଠି ପାପକୁ ଲୁଚାଇ ପାରିବାର କ୍ଷମତାକୁ ପୂଜା କରାଯାଏ, ଯେଉଁଠି ସତକୁସତ ବୋଲି କହିବାର ସାହସକୁ ନେଇ ସେଇ ପୂଜା ବେଦିରେ ବଳି ଦିଆଯାଏ, ସେ ସମାଜରେ ଏ ଗୋଲାମ ଜାତିଟା ନିଶାଣ ପରି ଉଡ଼ୁଛି–ସତ୍ୟର ଜୟବାନା ହୋଇ ।

 

ପଟ୍ଟନାୟକ ବଂଶର ଗୋଲାମ । କରଣ ସାଆନ୍ତଙ୍କ ଭିଆଣ । ହେଲେ ଏମାନେ ଯଡ଼ୀରେ ନୁହନ୍ତି କି ପେଡ଼ାରେ ନୁହନ୍ତି । କେଉଁଥିକି ପାଆନ୍ତି ନାହିଁ । ୟାଙ୍କ ଦେଇ କରଣ ସାଆନ୍ତଙ୍କ କୁଳରକ୍ଷା ହୁଏ ନାହିଁ–କରଣ ସାଆନ୍ତଙ୍କ ବଡ଼ବଡ଼ୁଆ ପିଣ୍ଡ ପାଆନ୍ତି ନାହିଁ ୟାଙ୍କ ହାତରେ । ତାଙ୍କରି ଔରସରୁ ଜନ୍ମ, ତଥାପି ଏମାନେ ଜାରଜ–କୁଳଛଡ଼ା । ହାତଗଣ୍ଠି ପଡ଼ି, ବ୍ରାହ୍ମଣଙ୍କ ମନ୍ତ୍ର ପଢ଼ାରେ ଘରକୁ ଯେଉଁ କୁଳବହୂ ଆସନ୍ତି, ଏମାନେ ତାଙ୍କ ଗର୍ଭରୁ ଜନ୍ମ ନୁହନ୍ତି–ଏଇ ତାଙ୍କ ଅପରାଧ । ଯେମିତି ସେଠି ଜନମ ନ ହେଇ ଏଠି ଜନମ ହବାରେ ୟାଙ୍କରି ହାତ ଥିଲା–ଇଚ୍ଛା କରି ଏମାନେ ଗୋଲାମ ହେଇଛନ୍ତି ।

 

ନିଧିଆ ବୋଉ ଏଇ କଥା କହି ହସେ–‘‘ସେଇ ଔରସରୁ ଜାତ–ଏକା ରକ୍ତ–ଏକା ଶରୀର–ଖାଲିପେଟ ଭିନେ । ଜଣେ ପାଇବ ଅଚଳାଚଳ ସମ୍ପତ୍ତି–ମାଲିକ ହବ ସବୁ ଚଳନ୍ତି ଅଚଳନ୍ତିର; ଆଉ ଜଣେ ହବ ପଥର ଭିକାରି । ଏଇ ନ୍ୟାୟ । ଆପଣା ପାପ, ଆପଣା ଭୁଲ୍, ଆପଣା ଗୋଡ଼ଖସା କଚଡ଼ାର ଫଳ ଭୋଗିବ ଆଉ ଜଣେ । ଅଜାତି–ଗୋଲାମ ! ଆଉ ତମର କୋଉଁ ଜାତି ରହିଚି ଏବେ । ଏଇ ତଳିଆ ଅନ୍ତର ଜାତିକି ନାଆଁ ଦିଆଯାଇଚି–ଯେମିତି ଏ ଅଇଲେ ବାଦ୍‍ଶାହ–ଆଉ ସେ ତାଙ୍କର ଗୋଲାମ ।

 

ଜାତି ଜାତି କରି ସମାଜଟା ଉଜୁଡ଼ି ଯିବ–ଭୁଶୁଡ଼ି ପଡ଼ିବ । ଶେଷରେ ଭାଇ ଭଉଣୀକି ବାହା ହବ, ମାଉସୀ ପୁତୁରାକୁ ବାହା ହବ, ସମାଜ ସେ କଥା ସହିବ–ବଡ଼ଲୋକଙ୍କ ସମାଜ ୟା ଦେଖିବ, ନହେଲେ ମା ଲକ୍ଷ୍ମୀ ରାଗିଯିବେ–ମା ଚଞ୍ଚଳା ଅଚଳା ହେବେ ନାହିଁ । ସମ୍ପତ୍ତି–ସ୍ଥାବର ଅସ୍ଥାବର ସମ୍ପତ୍ତିକି ଭୋଗ କରିବାକୁ ହେଲେ ସେଇ ଜାତିର ଗୋଷ୍ଠୀର ରକ୍ତ ସାଙ୍ଗକୁ ରକ୍ତ ମିଶିବା ଦରକାର, ସେ ରକ୍ତ ପୁଣି ପ୍ରଜାପତି ଘଟସୂତ୍ରରେ ପବିତ୍ର ହେବା ଦରକାର । ନହେଲେ ନୋହିବ । ଏ ନିୟମରୁ ବାହାରେ ଥିବା ଲୋକ ସେ ରକ୍ତରେ ହେଉ ନହଉ, ନଖାଇ ମରିଗଲେବି ଜାତିଆ ଘରର ମା ଲକ୍ଷ୍ମୀଙ୍କ କଣ୍ଠରେ ଦୟା ବସେ ନାହିଁ । ଅନ୍ନପୂର୍ଣ୍ଣା ନାମ ଅନ୍ନହୀନା ହୋଇଯାଏ । ଥିଲା ମୁହଁରୁ ନାହିଁ ପଦ ବାହାରେ । ମଣିଷ ଜୀବନଠାରୁବି ସମ୍ପତ୍ତିର ଇଜ୍ଜତଟା ବେଶି । ନିଜ ବିବାହିତା ସ୍ତ୍ରୀ ଗର୍ଭରୁ ଜାତ ବଂଶଧରଙ୍କ ମୁଣ୍ଡରେ ଚିର ଦିନ ଶାଢ଼ି ବନ୍ଧା ହେବାପାଇଁ ଆଉ ଯିଏ ଯେତେ ଗଡ଼ି ମରନ୍ତୁ, ଚିନ୍ତା ନାହିଁ । ସମ୍ପତ୍ତିପାଇଁ–ସମ୍ପତ୍ତିକି ଯାବତ୍‌ ଚନ୍ଦ୍ରେର୍କେ ରଖିବାପାଇଁ ବଂଶ ଲୋଡ଼ା–ବଂଶ ରକ୍ଷା ଦରକାର । ପୁଅପାଇଁ ସମ୍ପତ୍ତି ନୁହେଁ–ସମ୍ପତ୍ତିପାଇଁ ପୁଅ । ସେ ଗୋଲାମବି ତ ତମର ଔରସର ପୁଅ । ତା’ପାଇଁ ସମ୍ପତ୍ତିର ଲୋଡ଼ା ନାହିଁ । ସମ୍ପତ୍ତି କଳୁଷିତ ହେଇଯିବ । ସମ୍ପତ୍ତିର ମହତ୍ ରଖିବାପାଇଁ ଆପଣା ମହତ୍‍କୁ ପଦାରେ ପକେଇ ଦିଅନ୍ତି ଏ ସାଆନ୍ତ ଜାତି । ଆପଣା ଛୁଆକୁ ପର କରି–ଗୋଲାମ, ଜାତି ସର୍ଜନା କରି ଗର୍ବ କରନ୍ତି ପୁଣି ମନେ ମନେ ।

 

ଜଗେଇ ମହାନ୍ତି ପଟ୍ଟନାହାକ ଘରେ ନକରେ କ’ଣ ? ତଥାପି ଜମିମାଣେବି ପାଇ ନାହାନ୍ତି ସେଠୁ । ଗିରସ୍ତ ଜଗେଇ ମହାନ୍ତି ପିଆଦା, ପଟ୍ଟନାହାକଙ୍କୁ ଦିନରାତି ଜଗି ବସିଥାଏ–ଆଉ ମାଇପ ଘର ଆଡ଼େ ଧାନକୁଟେ, ବାସନ ମାଜେ ।

 

ଏ ଜାତିଟାର ଜାତି ନାହିଁ । ଜାତିରୁ ବାହାର ଏମାନେ । ବାହାର ମାନେ, ସବୁ ଜାତିର ଉପରେ । ପ୍ରକୃତରେ ସବୁ ଜାତିର ଉପରେ ଏଇ ଗୋଲାମ ଜାତିଟା । ମଣିଷର ନୁଙ୍ଗୁରା ପଣ, ପୁରୁଷର ସ୍ତ୍ରୀ ଜାତି ଉପରେ ଅତ୍ୟାଚାର, ତା’ର ସାକ୍ଷୀ–ନିର୍ଭୀକ ସତ୍ୟପାଠ କରି ସାକ୍ଷୀ ଦଉଚି ଏଇ ଜାତି । ସମାଜର ଲଜ୍ଜା ସରମକୁ ନିଜ ମୁଣ୍ଡରେ ବୋଝ କରି ନେଇ, ସମାଜର ଦୟା କରୁଣା ପାଇବାର ହକ୍‍ଦାର ହୋଇବି ତା’ ବଦଳରେ ସମାଜର ଅତ୍ୟାଚାରକୁ ବରଣ କରିନେଇ, ସମାଜର ଧାରଣା ଅନୁସାରେ ସମାଜକୁ ପବିତ୍ର ରଖି ନିଜେ ଦୂରେଇ ଯାଇଛି ଏଇ ତ୍ୟାଗଶୀଳ ଜାତି–ଗୋଲାମ ଜାତି । ସେଥିପାଇଁ ଏ ସମସ୍ତଙ୍କ ଉପରେ ଏ ଜାତିର ଜାତି ନାହିଁ । ସବୁ ଜାତିର ଗୋଲାମ ଏକ । ଅଜାତିର ଜାତି ସେ ।

 

ଏ ଜାତିର ବହୂଝିଅ ଡରନ୍ତି ନାହିଁ ରତନୀ ପରି–ରାତିଅଧରେ କାହାରି ଘରେ ଅକାଳେ ସକାଳେ ରହିଗଲେ । ଏ ଜାତି ନାଆଁରେ ପଦେ ଅଧେ ଲଗେଇ କେହି କହନ୍ତି ନାହିଁ, କହିଲେ, କେହି କାନ ଦିଅନ୍ତି ନାହିଁ । ସେଥିପାଇଁ ସେ ସମାଜର ଉପରେ ସମାଜର ହାତ ପାଆନ୍ତାରୁ ଦୂରରେ-। ସମାଜ ତାଙ୍କୁ ଅଲଗା କରି ଦେଇଛି–ସେ ବି ସେଥିପାଇଁ ସମାଜକୁ ହତାଦର କରି ଫିଙ୍ଗି ଦେଇଚନ୍ତି ।

 

ସମାଜ ତା’ର ଆପଣା ଲାଜକୁ ଆପଣାଠୁ ଅଲଗା କରି ଦୂରକୁ ଫିଙ୍ଗି ଦେଇଚି ସିନା–ତା’ ସାଙ୍ଗେ ସାଙ୍ଗେ ତା’ର ଗର୍ବ ଗୁମାନବି ଲୋଟି ହୋଇ ପଡ଼ିଯାଇଚି ତଳେ । ଜାତି ଜାତି କରି ସେ ନିଜେ ନିଜକୁ ଯେତେ ଆକଟରେ ରଖିଚି–ସେତିକି ଫିଟି ଯାଇଚି ତା’ ଜାତିର ମାନମହତ ସବୁ । ଖାଲି ଏଇ ନିଜର ଦୁର୍ବଳତା, ନିଜର ପାପଟା ନିଜଠାରୁ ଅଲଗା ବୋଲି କହିବାର ଚେଷ୍ଟା ତାକୁ ଖାଇଚି–ଆଉ କିଛି ନୁହେଁ ।

 

ଏଇ ଜଗେଇ ମହାନ୍ତି କଥା । ଭଲରେ ମନ୍ଦରେ ସବୁଥିରେ ଜଗେଇ ମହାନ୍ତିକି ଡାକ । ପଟ୍ଟନାୟକ ଘର କୁଳ ଦେବତା ଯେମିତି ଜଗେଇ ମହାନ୍ତି । ଜଗେଇ ମହାନ୍ତି ସେ ଘରଟାଯାକ ମଙ୍ଗଳେଇ ଦିଏ । ତଥାପି ଜଗେଇ ମହାନ୍ତି ଅଜାତି, ଅନ୍ତର, ତଳିଆ, କୋଠପୁଅ–ଗୋଲାମ । ପଟ୍ଟନାୟକ ଘରେ କେଉଁ ପୁଆତିର ଦୁଧ ନ ହେଲା ତ ଜଗେଇ ମହାନ୍ତି ବହୂ ଥନରୁ ଝରା ପଟିଯାଏ । ପଟ୍ଟନାୟକ ଘର କାହାର ବାଧିକି ହେଲା ତ ଜଗେଇ ମହାନ୍ତି ମା ରାତିଦିନ ଜଗିବସେ ମଳୁ ମୁଣ୍ଡ ଉପରେ । ପଟ୍ଟନାହାକ ଘର ବାହା ବରତରେ ଜଗେଇ ମହାନ୍ତି ହୁଏ ବେବର୍ତ୍ତା–ବର ଘରୁ ଅନୁକୂଳ କଲାବେଳେ ଜଗେଇ ମହାନ୍ତି ବାନ୍ଧି ଦିଏ ମୁଣ୍ଡର ପାଗ, ବହୂ ଘରକୁ ଆସିବାବେଳେ ଜଗେଇ ମହାନ୍ତି ଭିଡ଼ ଆଡ଼େଇ କଢ଼େଇ ନିଏ ବାଟ । ପଟ୍ଟନାୟକ ଘର ଝିଅ ପୁଅଙ୍କ ପଞ୍ଚୁଆତିକି ଜଗେଇ ମହାନ୍ତି ବଳି ବସେ ପାଳ ଦଉଡ଼ି–ପଛପଟେ–ମଉଳା ହୋଇ । ଆଉ ପଟ୍ଟନାହାକ ଘର ମରିବାକୁ, ଗାତକୁ ଯିବାକୁ ଜଗେଇ ମହାନ୍ତି କାନ୍ଧରେ ପକାଏ କୋକେଇ, ମୁହଁରେ ଖୁଞ୍ଚେ ନିଆଁ ଖୁଣ୍ଟା ।

 

ଭାଗବତ ଘରେ ନିତି ସଞ୍ଜରେ ଜଗେଇ ମହାନ୍ତି ବହୂ ସଞ୍ଜ ଦେଇ ଆସେ । ଧର୍ମଦେବତା, ଯିଏ ଦିନରାତି କରୁଚନ୍ତି ସେଇ ଜାଣନ୍ତି ଏ ଧର୍ମ କା’ର, ଜଗେଇ ମହାନ୍ତିର କି ସାରା ଗାଁର ।

 

ସେ ବର୍ଷ ଜଣେ ସାଧୁ ଆସିଥିଲେ । ଗାଁର ପ୍ରତିଘର ବୁଲି ଦେଖିଲେ । ସେ ଏକ ଅଦ୍ଭୁତ ବାବାଜି । ବାବାଜି ଫାବାଜି କିଛି ନୁହନ୍ତି, ସାଦାସିଧା ମଣିଷଟା ପରି, ଭିତରେ ଅନୁକୋଟି ଗୁଣ । ସେ ଏତେ ଜାଗା ବୁଲି ବୁଲି ଶେଷରେ ଜଗେଇ ମହାନ୍ତି ଘରକୁ ଆସି ପହଞ୍ଚିଲାକ୍ଷଣି, ତାଙ୍କୁ କିଏ ଦଣ୍ଡବତ କରିବ କ’ଣ, ଓଇଟି ସେ ଜଗେଇ ମହାନ୍ତି ବହୂ ଗୋଡ଼ତଳେ ଲମ୍ବ ତମ୍ବ କି ପଡ଼ିଗଲେ । ସମସ୍ତେ କହିଲେ–ଅଧର୍ମ ହେଲା–ଅଧର୍ମ ହେଲା–ଜଗେଇ ମହାନ୍ତି ଘରେ ଅଧର୍ମ ହେଲା–ଜଗେଇ ମହାନ୍ତି ବୋହୂ ଆଉ ବଞ୍ଚିବ ନାହିଁ । କିନ୍ତୁ ସେ ଆଜିଯାଏଁ ବଞ୍ଚିଚି ।

 

ଦୁଃଖୀଆ ବାବାଜି ବୈଷ୍ଣବଙ୍କୁ ସେତେ ମାନେ ନାହିଁ । କହେ ସେଗୁଡ଼ାକ ଠକ, ଅଳସୁଆ କୋଢ଼ୀ । କିନ୍ତୁ ତା’ ବୋଲି ସେ କାହାକୁ ହତାଦର କରେ ନାହିଁ । ଏ ବାବାଜିଙ୍କ ସାଙ୍ଗରେ ସେ ଅନେକ ଯୁକ୍ତି କଲା । ବାବାଜିଙ୍କୁ ପଚାରିଲା–ଜଗେଇ ମହାନ୍ତି ବହୂର କି ଗୁଣ ପାଇଲେ ଯେ ଜୁହାର ହେଲେ ?

 

ବାବାଜି କେମନ୍ତେ ଗୋଟିଏ ଗପ କହିଲେ । କହିଲେ ଗୋଟିଏ ବାହ୍ମୁଣ ଶାସନ ଥାଏ ଯେ ସେ ଶାସନରେ ସବୁ ବାହ୍ମୁଣଙ୍କର ଘରେ ଘରେ ହୋମକୁଣ୍ଡ–ଅଗ୍ନି ହୋତ୍ରୀ ବଂଶ । ଦିନେ ଜଣେ ବାହ୍ମୁଣ ସକାଳୁ ହୋମକୁଣ୍ଡ ସଫା କରୁ କରୁ ଦେଖିଲା, ମୁଣ୍ଡାଏ ସୁନା । ସୁନା ମୁଣ୍ଡା କାହୁଁ ଆସିଲା ବୋଲି ସେ ବହୁତ ଅନୁସନ୍ଧାନ କରି କିଛି ପାଇଲା ନାହିଁ । ଶେଷରେ ତା’ର ବହୂ ମାନିଗଲା, ଆଗ ଦିନରାତିରେ ତାକୁ ଭାରି ପରିସ୍ରା ଲାଗିବାରୁ ସେ ଡରେ ବାହାରକୁ ନଯାଇ ହୋମ କୁଣ୍ଡରେ ମୂତି ଦେଇଥିଲା । ହୋମକୁଣ୍ଡରେ ମୂତିଲେ କ’ଣ ସୁନାମୁଣ୍ଡା ହୁଏ ? ବାହ୍ମୁଣ ତା’ ବହୂକୁ ସେ ଦିନବି ମୂତିବାକୁ କହିଲା–ପରୀକ୍ଷା କରିବାପାଇଁ । ସତକୁସତ ତହିଁ ଆରଦିନ ଆଉ ମୁଣ୍ଡାଏ ସୁନା । ଏମିତି ବାହ୍ମୁଣ ସବୁଦିନେ ମୁଣ୍ଡାଏ ଲେଖା ସୁନା ପାଇଲା । ଖବରଟାକୁ ଯେତେ ଲୁଚେଇଲା ସେ, ଆଉ ଲୁଚିଲା ନାହିଁ । ଗାଁଯାକ ସମସ୍ତେ ଜାଣିଲେ । ସମସ୍ତଙ୍କ ବହୂ ଯଜ୍ଞକୁଣ୍ଡରେ ମୂତିବା ଆରମ୍ଭ କରିଦେଲେ । ସମସ୍ତେ ପ୍ରତିଦିନ ସକାଳୁ ପାଇଲେ ସୁନା ମୁଣ୍ଡାଏ କରି । କେବଳ ଗୋଟିଏ ବାହ୍ମୁଣ ଥାଏ, ତା’ ବାହ୍ମୁଣୀ ମୂତିବ ବୋଲି ଯେତେ ଗିରସ୍ତକୁ କହେ–ଗିରସ୍ତ ଆଉ ମାନେ ନାହିଁ, ହଁ କରେ ନାହିଁ । ସମସ୍ତଙ୍କର କୋଠା ବାଡ଼ି ପିଟା ହେଲା । କିନ୍ତୁ ଏ ବାହ୍ମୁଣର ଯେଉଁ କୁଡ଼ିଆକୁ ସେଇ କୁଡ଼ିଆ-। ବାହ୍ମୁଣୀ କଳି କରେ ନିତି, ବାହ୍ମୁଣ ଶୁଣେ ନାହିଁ । ଦିନେ ନିହାତି ବିରକ୍ତ କରିବାରୁ ବାହ୍ମୁଣ କହିଲା–ହଇଲୋ, ଆମରିପାଇଁ ଏ ଗାଁ ରହିଚି, ନଇଲେ ରସାତଳକୁ ଯାଆନ୍ତାଣି । ବାହ୍ମୁଣୀ ବିଶ୍ୱାସ କଲା ନାହିଁ । ବ୍ରାହ୍ମଣ ସେଠୁ ବାହ୍ମୁଣୀକୁ କହିଲା–ଆଚ୍ଛା ତମେ ଏ ଗାଁରୁ ବାହାରି ଚାଲ । ଯଦି କିଛି ଦୁର୍ଘଟନା ଘଟେ ତମେ ଦାୟୀ । ବାହ୍ମୁଣ ବାହ୍ମୁଣୀ ସେ ଗାଁରୁ ବାହାରି ଯାଇ ଖଣ୍ଡେ ଦୂରରେ ଆଉ ଏକ ଗାଁରେ ରହିଲେ । ହଠାତ ଦିନେ ଶୁଣିଲେ ଯେ ଗାଁଟାଯାକ ଲୋକେ ମାର ହାଣରେ ଲାଗିଛନ୍ତି-। ବଳୁଆ ଲୋକେ ଜଣକା ଦି’ତିନିଟା କରି ହୋମକୁଣ୍ଡ ମାଡ଼ି ବସିଚନ୍ତି । କ୍ରମେ ଗାଁଟା ଏରକା ଅରଣ୍ୟ ପାଲଟି ଗଲା । ତା’ ଦେଖି ବାହ୍ମୁଣ କହିଲା, ବାହ୍ମୁଣୀ ଏଥର ଚାଲ, ଗାଁଟା ଧ୍ୱଂସ ହୋଇଗଲା । ତା’ପରେ ବାହ୍ମୁଣ ବାହ୍ମୁଣୀ ଫେରିଲେ, ଗାଁଟା ଶାନ୍ତ ହେଲା । ଅନ୍ତତଃ ଗୋଟାଏ ଲୋକକୁ ନିର୍ଲୋଭ ନିରହଙ୍କାରୀ ଦେଖି ଗାଁ ଲୋକଙ୍କ ଅତିରିକ୍ତ ଲାଳସା, ଲୋଭ କମିଗଲା-

 

ଏଗାଁରେ ଜଗେଇ ମହାନ୍ତି ଘର ସେମିତି–ଏ–ଗାଁଟାକୁ ଟେକି ଧରିଚି । ପ୍ରତିଦିନ ଜଗେଇ ମହାନ୍ତି ବହୂ ଏ ଯେ ଭାଗବତ ଘରେ ସଞ୍ଜ ଜାଳି ଦେଇଯାଏ ଖାଲି, ସେତିକିରେ ଯେ ସେ ଏ ଗାଁର ଧର୍ମକୁ ଜଗିଛି, ତା’ ନୁହେଁ । ଜଗେଇ ମହାନ୍ତି ବଂଶର ଅନେକ ଗୁଣ । ପରପାଇଁ ସେ ସାରା ସମ୍ପତ୍ତି ଘର ଦ୍ୱାର ଲାଛି ଦେଇପାରେ । ଏମିତି ଲୋକ ସେ ।

 

ସୂର୍ଯ୍ୟ ବୁଡ଼ି ଯାଆନ୍ତି । ଚାରିଆଡ଼ ଅନ୍ଧାର । ଜଗେଇ ମହାନ୍ତି ବହୂ ସତେ ଯେମିତି ଧର୍ମଦୀପ ଜାଳି ଦେଇଯାଏ । ଧର୍ମ କ’ଣ ଏଇ ଦୀପ ଜଳାରେ–ଏଇ ସଞ୍ଜ ଦେବାରେ ଥାଏ ? ଦିନୁଟିଏ ସଞ୍ଜ କେହି ହୁଡ଼ିଲା ତ ଜଗା ଘରେ ଅରାନ୍ଧ ଅବାଢ଼, କଳି କଜିଆ । ଦିହ ବ୍ୟସ୍ତରେବି ଜଗାବୋହୂ କୁନ୍ଥେଇ କୁନ୍ଥେଇ ସଞ୍ଜ ବଳିତା ଲଗେଇ ଦେଇଯାଏ । ଏ ଯୁଗର ଧର୍ମ ଜଗାବୋହୂକୁ ହସୁଥିବ । ଏ ଯୁଗର ଧର୍ମ ଟରଚ ନାଇଟିରେ ମିଟିମିଟି କରି ଚାହୁଁଥିବ । ସେ ଟରଚନାଇଟି ଯେତେବେଳେ ଇଚ୍ଛା ସେତେବେଳେ ଜଳେ ଯେତେବେଳେ ଇଚ୍ଛା ସେତେବେଳେ ନିଭେ । ମଣିଷର ଗୋଲାମ ସେ । ଏଇ ଗୋଲାମ ଜାତିଟା ପରି ।

 

କିନ୍ତୁ ଏ ସଞ୍ଜ ବତି ଆଉ ମଣିଷ ମନ ଘେନି ନ ଜଳନ୍ତି । ମଣିଷ ମନ କଲେ ତାକୁ ଲିଭେଇ ପାରିବ ନାହିଁ । ମଣିଷ ଯେମିତି ତା’ର ଗୋଲାମ ହେଇ ରହିଛି–ଜବରଦସ୍ତି ନୁହେଁ–ଆପେ ଆପେ । ଏତେବଡ଼ ଗାଁଟାରେ ଏଡ଼େ ଏଡ଼େ ଲୋକଟାମାନ ଥାଉ ଥାଉ ଏଇ ଗୋଟିଏ ମଣିଷ ଜଗେଇ ମହାନ୍ତି କି କେହି ଜବରଦସ୍ତ କରି ରଖି ପାରନ୍ତା ? ଜଗେଇ ମହାନ୍ତି ବଳେ ବଳେ ଆପଣାଛାଏଁ ତା’ର ଗୋଲାମ ହେଇଯାଇଚି । ଏ ଦୀପ ସେଇ ଖୁସି ଖୁସିକା ଗୋଲାମ ହେବାର କରାରନାମା ।

 

ନିଧିଆ ବୋଉ କହେ–ପୁରୁଣାକୁ ଧରି ରଖିବାର ଗୋଟେ ମୋହ ଥାଏ । ପୁରୁଣା ଉପରେ ମମତା କରି ମଣିଷର ମନ ରହଣିଆ ଗନ୍ଧ ଧରି ଆସେ । ଏଟାବି କ’ଣ ସେମିତି ?

 

ଦୁଃଖୀଦାଶ କହେ–ପୁରୁଣା ଦଦରାକୁ ଭାଙ୍ଗି ଦବାକୁ ହବ । କିନ୍ତୁ ଏ ସଞ୍ଜ ଯେ ନିତି ନିତି ନୂଆ ବଳିତାରେ ଲାଗୁଚି–ତଥାପି କ’ଣ ପୁରୁଣା ? ତଥାପି ସଞ୍ଜ ଦିଆକୁ ଭାଙ୍ଗି ଦେବାପାଇଁ ପଡ଼ିବ-? ଏ ଗାଁର ପାଠପଢ଼ୁଆ ବାବୁମାନଙ୍କ ଘରେ ସଞ୍ଜ ବତି ତ ପଡ଼ୁ ନାହିଁ ଆଉ । ସମସ୍ତଙ୍କ ଘରୁ ଏବେ ସଞ୍ଜ ବୁଡ଼ିଲେ ଶଙ୍ଖ ହୁଳହୁଳି ଶୁଭେ ନାହିଁ ଆଉ । ସେମାନେ କ’ଣ ଏଟାକୁ ପୁରୁଣା ବୋଲି, ଦଦରା ବୋଲି ଭାଙ୍ଗି ଦେଇଚନ୍ତି ?

 

ଧନୀ ମାଷ୍ଟର କହେ–ଚିତାକାଟିଲେ, ମାଳା ପିନ୍ଧିଲେ, କ’ଣ ଧର୍ମ ହୁଏ ? ଖାଲି ପୂର୍ବରୁ ଅଛି ବୋଲି ପଞ୍ଚକ ପାଳିଲେ, ଏକାଦଶୀ କଲେ କ’ଣ ଭଗବାନ୍‌ ମିଳନ୍ତି ? ସେମିତି ସଞ୍ଜ ଦେଲେ କ’ଣ ଧର୍ମ ରହେ ? କହିବା କଥା ।

 

ରସିକବାବୁ ଘର ସେ ବୁଢ଼ୀମା ଏକା କହୁଥିଲା–‘‘ନିଷ୍ଠା–ନିଷ୍ଠା–ଏ କଥା ତୁ ନିଦାନ ଜାଣିଥା–ଏଇ ନିଷ୍ଠାରେ ହରି ପ୍ରାପ୍ତ ହୁଅନ୍ତି ।’’ ବୁଢ଼ୀ ମରିଗଲାଣି । ନିଷ୍ଠାରେ ରହି ରହି ବୁଢ଼ୀ ଅନେକ ଦିନ ବଞ୍ଚିଲା–ଜୀବନଟାକୁ କଲବଲ କଲା ଖାଲି । ପୁଅ ନାତି କେହି ପଚାରନ୍ତି ନାହିଁ । ପୁଅ ହାକିମ । ସେ ତା’ ପିଲାମାଇପ ନେଇ କୁଆଡ଼େ ଥାଏ । ବୁଢ଼ୀକି ସେ ନିଅନ୍ତି ନାହିଁ କି ବୁଢ଼ୀ ଯାଏଁ ନାହିଁ ସେଠିକି । ବୁଢ଼ୀ ଗଲେ ତାଙ୍କୁ ଅଡ଼ୁଆ, ବୁଢ଼ୀକିବି ଅଡ଼ୁଆ । ବୁଢ଼ୀ କହେ–‘‘ଅବର୍ଯ୍ୟା, ଅନ୍ୟାଚାର,–ଏ ଘରେ ଅନ୍ୟାଚାର ପଶିଲା–ପୁଅ ସାହେବ ହେଲା–ବୋହୂ ମେଏମ୍‌ । ଘରେ ପାଣ ପଠାଣ ପଶିଲେ । ଅଣ୍ଡାମାଉଁସ ଲକ୍ଷ୍ମୀଶାଳକୁ ଗଲା, ଗୋରୁ ଗାଈ କାହିଁ ଗଲେ, ପଳାଗଲେ କୁକୁଡ଼ା ଛେଳି । ଶୁଆ ସାରୀ ହରିନାମ ପଡ଼ନ୍ତି ନାହିଁ–କୋଳରେ ଶେଷରେ ଶୁଅନ୍ତି କୁକୁର ବିଲେଇ । ମହାର୍ଦ୍ଦ ତୁଳସୀ ପତ୍ର କୁଆଡ଼େ ଗଲା–ଆସିଲା ଚା’ ବିସ୍କୁଟ । ହାତଗୋଡ଼ ଧୋଇ ଲୁଗା ପାଲଟି ଖାଇ ବସିବା କୁଆଡ଼େ ଗଲା–ଜୋତା ମୋଜା ପିନ୍ଧି କଣ୍ଟା ଚାମଚରେ ଖିଆ ଚାଲିଲା ଘରେ ଆଉ ଗୋବର ପାଣି ପଡ଼ୁ ନାହିଁ । ଚମଡ଼ା ଜୋତା ପିନ୍ଧି ଘର ଭିତରେ ନଅର ପଅର । ଏଡ଼େ ଅନିଆଚାର ଧର୍ମ ସହିବ ? ଲକ୍ଷ୍ମୀ ଛାଡ଼ିଯିବ–ଲକ୍ଷ୍ମୀ ଛାଡ଼ିଯିବ ଏ ଘରୁ ।’’

 

ବୁଢ଼ୀ ଲକ୍ଷ୍ମୀ ଛାଡ଼ିଯିବ–ଲକ୍ଷ୍ମୀ ଛାଡ଼ିଯିବ ବୋଲି କହି ନିଜେ ଛାଡ଼ି ଚାଲିଗଲା, ହେଲେ ଲକ୍ଷ୍ମୀ ତ ଗଲେ ନାହିଁ କାହିଁ । ଅଧିକ ବଢ଼ନ୍ତି ହେବାକୁ ଲାଗିଲା ।

 

ଏଇଲେ ପଟ୍ଟନାହକ ପଡ଼ା ଗୋଟାକରେ ଯଦି ଭଲରେ କେହି ଚଳୁଥାଏ, ସେ ହେଉଚନ୍ତି, ରସିକ ପଟ୍ଟନାୟକ । ରସିକ ପଟ୍ଟନାୟକଙ୍କୁ ପଟ୍ଟ ଦେବା ଭଳିଆ ଲୋକ ଏକା ସେ କେଇଖଣ୍ଡ ଆଖପାଖ ଗାଁରେ ହେଲେ ହେବେ ଭଗବାନ ମିଶ୍ର କି ରାଉତ ଘର ।

 

ରସିକପଟ୍ଟନାହାକଙ୍କ ସାନଭାଇ ମୋହନ ପଟ୍ଟନାହାକ ଘରେ ବୁଝାଶୁଣା କରନ୍ତି । ସେ ଆଉ ଭାଇଙ୍କ ଭଳି ଚାକିରି ବାକିରି କଲେ ନାହିଁ, ଫେଲ ହେଇ ରହିଗଲେ ଘରେ । ପୁଣି ଘର ତ ଦେଖାଶୁଣା କରନ୍ତି ଜଣେ କେହି । ଦି’ ଭାଇଯାକ ଚାକିରି କରିଥିଲେ ଚଳି ଥାଆନ୍ତା କିମିତି ଏଣେ । ଏଇ ଯେ ଜମି ଉପରେ ଜମି ପୁଣି ଜମିଦାର କିଣା ଚାଲିଚି ସେ ସବୁ କରନ୍ତା କିଏ ? ଟଙ୍କା ରସିକ ପଟ୍ଟନାୟକର ଆଉ ବୁଦ୍ଧିବଳ ମେହନତ୍ ସବୁ ମୋହନର । ଦୁଇ ଭାଇଙ୍କ ଭିତରେ ଭଲପଡ଼େ । ନ ପଡ଼ିବ କାହିଁକି ? ଦୁଇଜଣଯାକ ଅଲଗା ଅଲଗା । ପାଖ ପାଖରେ ରହିଲେ ସିନା ୟା ଦୁର୍ଗୁଣ ତାକୁ ଦିଶିବ ତା’ ଦୁର୍ଗୁଣ ୟାକୁ ଦିଶିବ । ଦୂରରେ ରହିଲେ କେହି କାହାରି ସୁଖରେ ଅହନ୍ତା କରିବ ନାହିଁ । ଯେଝା ସୁଖରେ ଯେଝେ ଥାଆନ୍ତି । ଗୋଟେ ଭାଇ ବାହାରେ ହାକିମ ତ ଆଉ ଗୋଟେ ଭାଇ ଘରେ-। ରସିକ ପଟ୍ଟନାହାକ ଭାବୁଥିବେ–‘‘ମୋହନ ନଥିଲେ କରନ୍ତା କିଏ ।’’ ମୋହନ ପଟ୍ଟନାୟକ ଭାବୁଥିବେ ପର ରୋଜଗାରରେ ସେ ନିଶ ମୋଡ଼ୁଚି । କେହି କାହାକୁ ଛାଡ଼ି ପାରନ୍ତି ନାହିଁ-

 

ପୂଜା ପାର୍ବଣକୁ ରସିକ ପଟ୍ଟନାୟକେ ଆସନ୍ତି–ବର୍ଷେ ଦିବର୍ଷେ ଥରେ । ଖିଆ ପିଆ, ଯାନିଯାତ୍ରା ଧୁମ୍‌ଧାମ୍‌ ଚାଲେ । ସେଥର ରସିକ ପଟ୍ଟନାୟକ ରାୟ ସାହେବ ହେଲେ । ଗାଁରେ ଦୁଃଖିରଙ୍କି ଗରିବଙ୍କୁ ଲୁଗା ବାଣ୍ଟି ଦେଲେ–ମୋହନପଟ୍ଟନାୟକ । ଲୋକେ ବାହବା ବୋଇଲେ । ରସିକ ଆହୁରି ବଡ଼ ସାହିଆକୁ ଚଢ଼ିଲେ । କ୍ରମେ କ୍ରମେ ବଡ଼ରୁ ବଡ଼ ହାକିମ ହେଲେ । ଗାଁ ଲୋକେ ଖାଲି ଶୁଣନ୍ତି ଯାହା–ଫଳେପୁଷ୍ପେ କିଛି ପାଆନ୍ତି ନାହିଁ–କିଛିଦିନକୁ ମନେରଖିବା ପାଇଁ । ଆପେ ଯାଚି ଦବା ଦୂରେ ଥାଉ, ଭଲରେ ମନ୍ଦରେ କି ଭଲକାମରେ ମୋହନ ପଟ୍ଟନାହାକଙ୍କ ପାଖକୁ ଗଲେ, ସେ କହନ୍ତି–ଆମେ କ’ଣ ଦୁହାଁଳ ଗାଈ ହେଇଛୁ ? ଯାହାର ଯାହା ଦରକାର ହେବ, ଯେତେବେଳେ ପାରେ ସେତେବେଳେ ଦଉଡ଼ି ଆସିବ ଏଠିକି ? ନା–ନା ହବ ନାହିଁ, ମଦନ ପଟ୍ଟନାହାକ ଘରକୁ ଚାଲିଯାଉ ନା–’’

 

ଗାଁର ସେ ମୁଣ୍ଡରେ ମଦନପଟ୍ଟନାୟକଙ୍କ ଘର । କାନ୍ଥଡ଼ା ହେଇ ନାହିଁ–ହେବା ଉପରେ-। ପଥର ଖୁଣ୍ଟ କେଇଟାରେ ଚୂନ ଚଢ଼ି ନାହିଁ । ଇଟା ଶୁରୁଖୀ ମସଲାରେ କେଉଁ ବରଷିକା ପକ୍କା କାନ୍ଥ ପଲସ୍ତରା ଝଡ଼ି ପଡ଼ିଚି । ଠାଏ ଠାଏ ତାଳି ପଡ଼ିଲା ପରି ମରାମତି । ସମାଜରେ ଏ ମଦନ ପଟ୍ଟନାହାକ ଜାତିଟା ଯେମିତି ତାଳିପଡ଼ିଲା ପରି ରହିଚି । ସେ ବି ଝଡ଼ି ପଡ଼ିବ । ପୁରୁଣା ପଲସ୍ତରା ସାଙ୍ଗରେ ତା’ରବି ଭାଙ୍ଗି ନପଡ଼ି ଆଉ ଗତି କ’ଣ–

 

ସାଇ ମଝିରେ ରସିକ ପଟ୍ଟନାୟକ ଘର । ମାଟି କାନ୍ଥର ଘର ଉଭେଇଗଲା ବରଷ କେଇଟାରେ । ପକ୍କା ଉପରେ ପକ୍କା ବାଡ଼ିଆ ଚାଲିଚି । ଏକତାଲା–ଏକତାଲା ଉପରେ ପୁଣି ଦୋତାଲା । ଆଜି ଏଠି ତ କାଲି ସେଠି । ମାଟି ଘର ବୋଲି ଆଉ ବଖରାଏବି ନାହିଁ–ହାଣ୍ଡିଶାଳ, ଢିଙ୍କି ଚାଳି, ଗୁହାଳ ଛଡ଼ା ।

 

ଚାକିରି । ସରକାରୀ ଚାକିରିର ମୁନାଫା । ଏ ଚାକିରି, ରସିଆକୁ ରସିକବାବୁ–ରସିକ ଶେଖର ପଟ୍ଟନାୟକ କରିଦିଏ । ବାବୁରୁ ସାହେବ ପାଲଟି ଯାନ୍ତି ମଣିଷ । ଲୁଗାରୁ ପ୍ୟାଣ୍ଟ କୋଟ୍ ହୁଏ । ଖାକି ବିଡ଼ିରୁ ଧଳା ସିଗାରେଟ୍‌ ତହିଁରୁ ପୁଣି ଲମ୍ବ ଚୁରୁଟ ଯାଏଁ ଉଠି ଉଠି ଚାଲିଥାଏ ଆସନ । ସମାଜରେ ଏଇ ରସିକ ପଟ୍ଟନାୟକ ସବୁ ନୂଆ, ତାଜା, ଏଇ ନୂଆ ପକ୍କାଘର ପରି । ସମାଜର ମେରୁଦଣ୍ଡ ଏ–ମାପ କାଠି ଏ । ୟାଙ୍କରି ଦୁଆରୁ ଗାଁର ପରିଗୁଣ । ୟାଙ୍କ ଗରହାଜିରରେ ଯେମିତି ଘରଟା ଚମକିଛି, ଗାଁଟାଯାକବି ସେମିତି ଚାଷୀ ମୂଲିଆଙ୍କ ଗରହାଜିରରେ ଚମିକି ଉଠିବ ?

 

ଏଇ ଗୋଟିଏ ପଡ଼ନ୍ତା ଗୋଟିଏ ଉଠନ୍ତା ଘର ପଛଆଡ଼େ ଶହ ଶହ ଘର, ସେ ସେମିତି ଚିର ଦିନ ପଡ଼ି ରହିଛି । ସେ ଘର ସବୁ କେତେ ମାଟିରେ ମିଶିଯାଉଚି, ପୁଣି କେତେ ନୂଆ ତିଆରି ହେଇ ଯାଉଚି–ଦିନ କେଇଟା ଭିତରେ । ଗଢ଼ିବାପାଇଁ ସମୟ ଲାଗେ ନାହିଁ କି ଭାଙ୍ଗିବାପାଇଁ ସମୟ ଲାଗେ ନାହିଁ । ଉପରେ ଏଇ ଯେଉଁ ଘର ଗଢ଼ିବାକୁ ବରଷ ବରଷ ପୁରୁଷ ପୁରୁଷ ଲାଗି ଯାଉଚି, ପୁଣି ପଡ଼ିବାକୁବି ସମୟ ଲାଗୁଚି, ତା’ ଜାଗାରେ ଆଉ ଘର ସେଇ ଭଳି ଆଡ଼ା ଚଉଡ଼ାରେ ଗଢ଼ି ଉଠିଲେ, ଏଇ ଶହ ଶହ କୁଡ଼ିଆ ଦିହକୁ ଆଞ୍ଚବି ଆସେ ନାହିଁ । ମଦନ ପଟ୍ଟନାୟକେ ଯାଇ ରସିକ ପଟ୍ଟନାୟକେ ଆସିବେ–ନହେଲେ ଆସିବ ରାହସ ପଟ୍ଟନାୟକ । ଏ ଗାଁର ଶୁକ, ଦୁଃଖୀ ଧନିଆଙ୍କର ଯେଉଁ ଅବସ୍ଥାକୁ ସେଇ ଅବସ୍ଥା । ତାଙ୍କର ଉଠିବା ପଡ଼ିବା ସେଇ ଗାଁ ଆରପଟ ଧାନ କ୍ଷେତରେ ହିଡ଼ମାଟିରେ–ଉଭା ମୁଠି ଆଡ଼ ଦିମୁଠି ହିଡ଼ମାଟିରେ । ଦଇବ ଦୁର୍ବିପାକ ନହେଲେ, ବନ୍ୟା କି ଅନାବୃଷ୍ଟି ନହେଲେ, ଏଇ ହିଡ଼ମାଟି ତାଙ୍କୁ ପକାଏ ନାହିଁ କି ସେ ହିଡ଼ମାଟିକି ଅଣହେଳା କରି ପକେଇ ଦିଅନ୍ତି ନାହିଁ । ବରଷ ବରଷ ମାଟି ପଡ଼ି ଚାଲିଥାଏ–ଉଭା ମୁଠି, ଆଡ଼ ଦିମୁଠି । କେହି ଆଉ ହୁଡ଼େ ନାହିଁ ସେ କାମରେ । ହୁଡ଼ିଲେବି ହୁଡ଼ିବ ବରଷେ–ଚଷା ହୁଡ଼େ ବରଷେ । ଆର ବରଷକୁ ସାବଧାନ । ସେ ବଡ଼ ଘରଙ୍କ ପରି ଥରେ ହୁଡ଼ିଲେ ପୁରୁଷ ପୁରୁଷ ଭୋଗିବାକୁ ପଡ଼େ ନାହିଁ ।

 

ଏଇ ଶହ ଶହ ନୁଖୁରା ଘରୁ ରକ୍ତ ଆଣି ଗାଁରେ ଏଇ କେଇଟା କୋଠାଘର ତିଆରି । ସେଠି ମଣିଷ ବସି ହୁକା ଟାଣନ୍ତି ସିଗାରେଟ୍‌ ଧୂଆଁ ଛାଡ଼ନ୍ତି, ପକ୍କାଘରର ଛାଇ ତଳେ । ଏଇ ଯେଉଁ ଶହ ଶହ କୁଡ଼ିଆ ଘରର ମଣିଷ ସେ ବୈଶାଖୀ ଖରାରେ ଲଙ୍ଗଳଗାର କାଟି ଜମିଫଟେଇ ଚାହିଁ ବସିଥାଏ–‘ଅଇଲାଲୋ ଡେଙ୍ଗା ଶ୍ରାବଣ, ଭୋଦୁଅ ତିରିଶ ଦିନ, ଅଶିଣ ମାସରେ ଗହଳା ଗହଳି କାର୍ତ୍ତିକେ ମିଳିବ ଦିନ ।’

 

ଏଇ ଶହ ଶହ ଘରର–ଘର ଲୋକଙ୍କର କିଛି ପରିବର୍ତ୍ତନ ନାହିଁ । ତାଙ୍କ ପୁଷମାସକୁ ପର ଛଡ଼ାଇ ନିଏ । ଦେଇଯାଏ ସର୍ବନାଶ ।

 

ତଥାପି ଏଇ ଶହ ଶହ ଘରର ହିଂସା ନାହିଁ, ଦ୍ୱେଷ ନାହିଁ ଏଇ ବଡ଼ବଡ଼ିଆ ସମାଜର ମୁଖିଆ କେଇ ଘରକୁ । ହିଂସା ସେଇ ବଡ଼ବଡ଼ଙ୍କ ଭିତରେ । ତାଙ୍କ ହିଂସାର ଗନ୍ଧଟା କେତେବେଳେ କିମିତି ଆସି ଏଇ ଶହ ଶହ ଲୋକଙ୍କ ଉପରେ ପଡ଼େ । ସେଇ ବଡ଼ ଘର ଶିଖେଇ ଦିଅନ୍ତି–ଟେଇ ଦିଅନ୍ତି–ହିଂସା କରିବାକୁ, ତଥାପି ତାଙ୍କର ନିଜ ନିଜ ଭିତରେ ହିଂସା–କେହି କାହାରି ଶିରୀ ଦେଖି ନ ପାରିବାଟା ପାଣିର ଗାରପରି–କେତେ ପଡ଼ୁଛି–ପୁଣି ମିଳେଇ ଯାଉଚି ।

 

ରସିକ ପଟ୍ଟନାୟକ ଘର ବଢ଼ନ୍ତି କି, ମଦନ ପଟ୍ଟନାୟକ ଘର ଦେଖି ପାରନ୍ତି ନାହିଁ–ସହି ପାରନ୍ତି ନାହିଁ । ସେ କଥା ଏଇ ଶହ ଶହ ନୁଖୁରା ଚାଳ ଘରେ ପାଇବ ନାହିଁ । ସେଠି ଆପଣା ହକ୍‍ପାଇଁ ଲୋକେ କଳି କରନ୍ତି କିନ୍ତୁ ପରର ବଡ଼ିମା ଦେଖି ଛିଡ଼ି ପଡ଼ନ୍ତି ନାହିଁ ।

 

ରସିକ ପଟ୍ଟନାୟକଙ୍କୁ ଉପରେ ରାଗଟା ବୁଢ଼ା ମଦନପଟ୍ଟନାୟକ ତାଙ୍କ ଭୋଟା ପୁଅ ଉପରେ ଛିଡ଼ାନ୍ତି–‘‘ଅକର୍ମଣ୍ୟ–ଅପଦାର୍ଥ, ଅକାଳ କୁଷ୍ମାଣ୍ଡ ! ପାଠ ପଢ଼ିଥିଲେ କ’ଣ ତୁ ଆମର ରସିଆଠୁ ଭଲ ହାକିମଟାଏ ହେଇ ନ ଥାନ୍ତୁ !’’

 

ଏଣେ ରସିକ ପଟ୍ଟନାହାକକୁ ଯେତେ ନିନ୍ଦା କରୁଥାନ୍ତୁ ପଛେ ଗରଜବେଳେ ମଦନପଟ୍ଟନାହାକ ଯାଇ ମୋହନପଟ୍ଟନାୟକ ଆଗରେ ହାତ ପାତି ଦିଅନ୍ତି । ଭଗିମିଶ୍ରଙ୍କ ପାଖକୁ ଯାଇ ଯାଇ ଲାଜ ମାଡ଼ିଲାଣି । କେତେବେଳେ କିମିତି ଭଗବାନ୍‍ଙ୍କ ପାଖକୁ ଯେ ନଯାନ୍ତି ତା’ ନୁହେଁ-। ସେତେବେଳେ ବିଚାରନ୍ତି–ମୋହନ ପାଖରେ ହାତ ପାତିବାଠୁ ଭଗବାନ ମିଶ୍ରର ଗୋଡ଼ ଧରିବା ଶହେଗୁଣେ ଶ୍ରେୟଃ । ମୋହନଟା ଆପଣା ବଡ଼ିମା ଗାଇ ବୁଲେ ଯାହା ଆଗରେ ପାରେ ତା’ ଆଗରେ କହିଦିଏ ଯେ ଅମୁକ ଲୋକ ତା’ ପାଖରୁ ଧାରିଛି ।

 

ପାଟପୁର ଡିହ ଖଣ୍ଡକପାଇଁ ତେଣେ ଭଗବାନ ମିଶ୍ରେ ଆଖେଇଛନ୍ତି ତ ଏଣେ ରସିକ ପଟ୍ଟନାୟକ ତରଫ ମୋହନ ପଟ୍ଟନାୟକ । ଦୁହିଁଙ୍କର ଟଙ୍କା ଅଛି ବାକି । ମଦନ ପଟ୍ଟନାୟକ ଦୁହିଁଙ୍କର ଧାରତା । ତେବେ ବେଶି ଟଙ୍କା ଭଗବାନ ମିଶ୍ରର । ସେ ଦାବି କରନ୍ତି, ତାଙ୍କର ଯେହେତୁ ପାଉଣା ବେଶି, ଅତଏବ ପାଟପୁର ଡିହରେ ହକ୍ ତାଙ୍କରି । ମୋହନ ଆସି କହନ୍ତି–ମଦନାଦାଦି, ତମେ ପାଟପୁର ବିକିବ ତ ମୋତେ ଆଗ କହିବ ।

 

ମଦନାଦାଦି କହନ୍ତି–‘କ’ଣ ? ପାଟପୁର ? ପାଟପୁର ମୁଁ ବିକି ଦେବି ! ତମେ ସବୁ ମୋର ଏଡ଼େ ଶୁଭରେ ଅଛନା ? ପାଟପୁର ମୋର ଭାତହାଣ୍ଡି–ମୁଁ ପାଟପୁର ବିକିଦେବି ?’

 

‘‘ମୁଁ କ’ଣ କହୁଚି–ବିକିଦେବାକୁ ଏଇଲେ । କୋଉଁ ଚୋର ଚଣ୍ଡାଳ କହିବ ସେ କଥା, ମୁଁ ଶୁଣିଲା କଥା କହୁଛି । ଲୋକେ ଯେ କ’ଣ ନ କହନ୍ତି ! ଶୁଣିଲାକ୍ଷଣି ମୁଁ ତ ସେଇୟା କହିଲି–ପାଟପୁର ଜମିଦାରୀ ପରା ସମ୍ପତ୍ତି–ପୁଣି ଡିହ ସମେତ–ପଟ୍ଟନାହାକର ଘର କୋଉଁ ପୁରୁଷର ଡିହ ସେ–କହିବାକୁ ଗଲେ ପଟ୍ଟନାହାକ ଘର ନେଉଟିଆ କିଆରି–ମଦନାଦାଦି ବିକି ଦବ–କ’ଣ ତାକୁ ଭୂତ ଲାଗିଚି–ନା, ଧର୍ମ ଛାଡ଼ିଛି ଯେ । ତେବେ ମୁଁ କାହିଁକି କହିଲି କି–ଯେତେହେଲେ, ଆମ ପୈତୃକ ସମ୍ପତ୍ତି ସେଟା, କେତେ ପୁରୁଷରୁ ହେଲାଣି ତା’ର ଥୟ ନାହିଁ–ସେ ଯେମିତି ଆଉ କାହାରି ଏ ବଂଶରୁ ବାହାରେ କାହାରି ହାତରେ ନ ପଡ଼େ–ଭଗବାନ୍ ନ କରନ୍ତୁ । ଆମ ଘର ସମ୍ପତ୍ତି ପର ଖାଇବ ? ବଡ଼ ସାଆନ୍ତବା ଆତ୍ମା କାନ୍ଦିବ । କେତେ କଷ୍ଟରେ ସେ ପାଟପୁରକୁ ରଖିଚି । ନିଲାମ ତ ହେଇଯାଇଥିଲା । କମିଶନ୍ ଆଗେ ଲଢ଼ି, ଭିଡ଼ି–ଓଃ କମ୍‌ ଖରଚ ହେଇଚି ସେଥିପାଇଁ ? ସେଥିପାଇଁ କହିଲି, ଅନେକ ଲୋକ ଆଖେଇଛନ୍ତି–ଆମ ବଂଶର ଉନ୍ମତ୍ତ ଦେଖି ଯାହାଙ୍କ ଦେହ ସହୁ ନାହିଁ–ହାଁ କରି ଅନେଇଚନ୍ତି–ତାଙ୍କୁ ଜାଗତା ଥିବ; ଏତିକି ମୋ କହିବାର କଥା । ମୋତେ ଟିକିଏ ପଚାରୁଥିବ-। ତେଣିକି ଭଗବାନ୍‍ଙ୍କର ଯାହା ବରାଦ ଥିବ । ଘର ସମ୍ପତ୍ତି, ସେ ଯଦି ଘରେ ରଖିବାକୁ ଚାହାଁନ୍ତି ତ ରଖିବେ–ନହେଲେ ନାହିଁ–ତହିଁକି ଆଉ କା’ର ବଳ ଅଛି ?’’

 

‘‘ନା–ନା ମୁଁ ତାକୁ ବିକିବି ନାହିଁ । ଭଗବାନ ମିଶ୍ର ମୋତେ ବହୁତ ଲୋଭ ଦେଖେଇଲାଣି । ମୁଁ ତାକୁ ମନା କରି ଦେଇଛି ।’’

 

‘‘ଠିକ୍‌ କରିଚ, ଭଗବାନ ମିଶ୍ର ଇମିତି କ’ଣ ହେଇଗଲା କି ? କେଡ଼େ ବଡ଼ ମଣିଷ ହେଇଗଲା କି ? ବୁନିଆଦି ଅଛି, ନା ବୁନିଆଦି ? ସେ ପୁଣି କିଣିବ ପଟ୍ଟନାହାକ ଘର ପାଟପୁର ଜମିଦାରୀ ପାଟପୁର ଡିହ ? କମ୍ ହିମତ ନୁହେଁ ତ ? କେତେ ଦବ ସେ କେତେ ଦବାକୁ କହୁଛି ? ପଟ୍ଟନାହାକ ବଂଶରେ ମଣିଷ ଅଛନ୍ତି, ତା’ ଡବଲ ଦେଇ ପାଟପୁରକୁ ତାହା ସାଙ୍ଗରେ ତାକୁ ତା’ ଚଉଦପୁରୁଷକୁ କିଣିନେବେ । କ’ଣ କରିପାଇଛି କି ଆମକୁ ସେ ବାହ୍ମୁଣ ଟୋକା । ମୋତେ ସବୁ ଗାଁବାଲା କହିଲେ ମଦନ ପଟ୍ଟନାୟକ ପାଟପୁର ବିକିଲେ, ତମକୁ କିଛି କମ୍‌ ସମରେ ଦବ ଯେ ଆପଣା ଆପଣା ଭିତରେ ତ ! ତାଙ୍କର କିଏ–ତମର କିଏ ? ତମ ହାତରେ ସମ୍ପତ୍ତି ରହିବା ଯାହା, ତାଙ୍କ ହାତରେ ସମ୍ପତ୍ତି ରହିବା ସେଇୟା । ଖାଲି ଖାତାରେ ନାଆଁ ବଦଳିବା କଥା । କାଲି ପୁଣି ମଦନ ପଟ୍ଟନାୟକର ଅବସ୍ଥା ଭଲ ହେଇଗଲେ ସେ ସମ୍ପତ୍ତି ସେ ଫେରସ୍ତ ମାଗିଲେ ତମେ କ’ଣ ଫେରେଇ ଦିଅନ୍ତ ନାହିଁ ? ମୁଁ କହିଲି–କହୁଛ ଏ କଥା ! ମୋ ହାତରେ ସମ୍ପତ୍ତି ଥିଲେ ତା’ର ଯେତେବେଳେ ଖୁସି ସେତେବେଳେ ନେଉ–ଆହୁରି ଦି’ ପଇସା କମ୍‌ କରି ଦେଉ । ମୋର କିଛି ଆପତ୍ତି ନାହିଁ । ତେବେ ମୁଁ କାହିଁକି ତା’ଠଉ ଅଳପ ଭାଉରେ କିଣିବି ! ତା’ର ସେମିତି ଗରଜ ଥିଲାକୁ ସେ ପାଟପୁର ଭଳି ସେରନ୍ତା ସୁନାଫଳା ସମ୍ପତ୍ତିକୁ ବିକି ବସିଚି–ମଦନାଦାଦି ପରି ବୁଦ୍ଧିମାନ୍‌ ଲୋକ ସେମିତି ଅକାଳରେ ନ ପଡ଼ିଥିଲେ ପାଟପୁର ଛାଡ଼ି ଦିଅନ୍ତା ? ତା’ର ଏ ବିପଦ ବେଳରେ ମୁଁ ତା’ଠୁ ଲାଭ ଉଠେଇବି ! ସେ କଥା ହବ ନାହିଁ । କ’ଣ ସେ ଦିପଇସାରେ ମୁଁ ଆଉ ଦୋମହଲା କୋଠା ବାଡ଼େଇବି ? ବରଂ ଆଉ ଲୋକେ ଯାହା ଦର ଦେଉଥିବେ ତା’ଠୁ ଦିଶହ ଅଧିକ ଦେବାକୁ ମୋର ଆପତ୍ତି ନାହିଁ । ଟଙ୍କା ମୋର କିଏ ତା’ର କିଏ ? ଏ ସିନ୍ଦୁକରୁ ଯାଇ ସେ ସିନ୍ଦୁକରେ ପଶିବ-। ଏଇ ତ !’’

 

ମଦନ ପଟ୍ଟନାୟକ ନିହାତି ବୋକା ମଣିଷ ନୁହନ୍ତି । ସବୁକଥା ଶୁଣିଲେ, ବୁଝିଲେ, ଉଁ କି ଚୁଁ କିଛି କହିଲେ ନାହିଁ । ନାହିଁବି କଲେ ନାହିଁ–ହଁବି କଲେ ନାହିଁ । ‘‘ହଁ ମୋହନ ସେ ତ ପର କଥା । ମୋର କାମ ଅଛି ମୁଁ ଆସେଇ ।’’

 

କହି ସେ ଉଠି ଚାଲିଗଲେ । ମୋହନ ଘରକୁ ଫେରିଲେ । ବାଟରେ ପାଟପୁର ଡିହ ଖଣ୍ଡକ ଦିଶିଲା । ଧାନପାଚି କିଆରି ଭରି ଯାଇଚି । ଯେମିତି କାହାଘର ନୂଆ ବହୂଟିଏ ମଠା ଓଢ଼ଣା ପକେଇ ନଇଁ ପଡ଼ି ଦଣ୍ଡବତ କରୁଚି ମା ଧରତୀଙ୍କୁ । ମୋହନ ପଟ୍ଟନାୟକର ମନ ଭିତରେ ଲୋଭ ଗୋଟାଏ ପାପ ମୂର୍ତ୍ତି ଧରି ଠିଆ ହେଲା ।

 

ଘରେ ଆସି ଭାବିଲେ–ଭଗବାନମିଶ୍ର ଗୋଟେ ମଣିଷ, ସେ ଟକ୍କର ଦବ ରାୟସାହେବ ରସିକପଟ୍ଟନାୟକ ଭାଇ ମୋହନ ପଟ୍ଟନାୟକ ସାଙ୍ଗରେ ? ଏଡ଼େ ସାହସ ? ଆଚ୍ଛା ଦେଖିନେବି ।

 

ସେଇ ଦିନ ସେ ଭାଇ ପାଖକୁ ଚିଠି ଲେଖିଲେ । ଭଗବାନ ମିଶ୍ର ବଡ଼ ହଟ୍ଟଗୋଳ କରୁଚି, ତା’ ଦାଉରେ ମଣିଷ ଏ ଅଞ୍ଚଳରେ ଘର କରି ରହିବ ନାହିଁ । ଏଠା ହାକିମ ଡିପଟିବି ତା’ର ପଟ ନେଉଛନ୍ତି । ଘୁଷ୍‍ ଦେଇ, ଡାଲା ଦେଇ ସମସ୍ତକୁ ହାତ କରି ରଖିଛି । ପ୍ରଜା ଖାତକମାନଙ୍କ ଉପରେ ଭୀଷଣ ଅତ୍ୟାଚାର କରୁଛି । ସେ କଥାଗୁଡ଼ାକ କହିବା କଥା ନୁହେଁ । ମଦନ ପଟ୍ଟନାୟକବି ତା’ରି ସାଥିରେ–ଦୁହେଁ ସଲାସୁତରା । ମଦନାଦାଦି ମୋତେ ପାଟପୁର ଡିହ ଓ ଜମିଦାରୀ ବିକିବାକୁ ଜବାବ କରି ଭିତରେ ଭିତରେ ଭଗିମିଶ୍ରକୁ ଦେଇ ଦେବାକୁ ବସିଛି । ଏ କଥାକୁ ବିଚାର କରି ଯାହା କରିବ । ଏଠା ସବ୍‌ଡ଼ିଭିଜନ ମାଜିଷ୍ଟ୍ରେଟ ତୁମ୍ଭ ପରିଚୟ ବନ୍ଧୁ ଥିବାରୁ ତାଙ୍କୁ ଯାହା ଉଚିତ ବିଚାରିବ ତାହା ଲେଖିବ । ନଚେତ ଆମ୍ଭର ଏଠି, ଘର କରି ରହିବା ସେପରି ସେପରି ଜାଣିବ ।

 

ସେଇଦିନ ପୁଣି ମୋହନବାବୁଙ୍କର ଭାରି ଗୋଟାଏ କି କାମ ପଡ଼ିଲା ଯେ ଜଗେଇ ମହାନ୍ତି ଛଡ଼ା ସେ କାମ ଆଉ କେହି ପାରିବେ ନାହିଁ । ଜଗେଇ ମହାନ୍ତି ମଦନପଟ୍ଟନାୟକ ଘରେ ଥିଲା, ଖବର ପହଞ୍ଚିଲା । ମୋହନବାବୁ ଜଗେଇ ମହାନ୍ତିକି ଡାକୁଛନ୍ତି । ମଦନ ପଟ୍ଟନାୟକେ କହିଲେ–‘‘ସେ ଏଠି କାମ କରୁଚି–କାମ ଛିଡ଼େଇ ଟିକିଏ ଛାଡ଼ିକି ଯାଉଛି ।’’

 

ମୋହନ ପଟ୍ଟନାୟକଙ୍କ ଲୋକ ଫେରି ଆସିଲା । ମୋହନବାବୁ ଶୁଣି ତାତି ଉଠିଲେ–‘‘ହଁ, ମୋ କାମ ହେଲା ନାହିଁ, ତାଙ୍କ କାମ ବଳି ପଡ଼ିଲା । ଏ ଶଳା ଗୋଲାମ ଟୋକାର ଏତେ ସାହସ ! ଦେଖି ନେବି କେଡ଼େ ପୁଅ ସେ–ଆଉ ତା’ ମୁନିବ ମଦନ ପଟ୍ଟନାୟକ କେଡ଼େ ମଣିଷ । ନା, ଆଜିଠୁ ସେ ଜଗାମହାନ୍ତି ମୁହଁ ଚାହିଁବି ନାହିଁ । ସେ ପୁଣି ଦିନେ ଏ ଆମ ପାଖ ମାଡ଼ିଛି ଯେବେ ତା’ ଠେଙ୍ଗୁଣି ନଭାଙ୍ଗିଛି ମୁଁ ମୋହନ ପଟ୍ଟନାୟକ ନୁହେଁ ।’’

 

ମଦନ ପଟ୍ଟନାହାକ ଏ କଥା ଶୁଣି କହିଲେ–ଜଗା ଦେହରେ କେହି ଟିପ ଛୁଇଁବ ତ ମୁଁ ଦେଖି ଦେବି ପୁଅର କେତେ ତାକତ ।

 

ଏଇ ଜଗେଇ ମହାନ୍ତିକି ଉପଲକ୍ଷ କରି କଳି ଆରମ୍ଭ ହେଇଗଲା ଦି’ ଘର ଭିତରେ–ମଦନପଟ୍ଟନାୟକ ଓ ରସିକପଟ୍ଟନାୟକ ମାରଫତ ମୋହନପଟ୍ଟନାୟକ ଭିତରେ କଳି । ମଦନପଟ୍ଟନାହାକ କହନ୍ତି, ଜଗେଇ ତାଙ୍କ ଘରର ଦେଢ଼କୋଡ଼ି ବର୍ଷର ଚାକର, ତାକୁ କିଏ ନେଇଯିବ ଆଉ କାହାଘରେ କାମ କରେଇବାକୁ, ଦେଖାଯାଉ ।

 

ମଦନପଟ୍ଟନାହାକ କହିଲା, ଜଗା ଆସିବ ନାହିଁ । ନଆସିବ ତ ମୋ ନାଆଁ ମୋହନ ନୁହେଁ । ଟଙ୍କା ପାଖରେ ବାଘ ଆସି ପିଠି ପତେଇ ଦବ । ଜଗା କୋଠପୁଅ କି ଛାର ।

 

କିନ୍ତୁ ଜଗା କୋଠପୁଅ ଯୋଉଠିଁ ଥିଲା ସେଇଠି ରହିଲା । ମୋହନ ପଟ୍ଟନାୟକ ପାଞ୍ଚଟଙ୍କା ଦରମା ଅଧିକ ଦବ, ଜମି ଦି’ମାଣ ଦବ, ଭଙ୍ଗାଘର ନୂଆ କରିବାକୁ ବାଉଁଶ ଦବ–ସବୁ ଦବାକୁ କହିଲା, ତଥାପି ଜଗାର ଏକ ଜବାବ–ନା । ପିଲାକାଳରୁ ଯାହାର ଦାନାଖାଇ ଆସିଚି–ତାକୁ ଛାଡ଼ି ଯାଇ ପାରିବ ନାହିଁ । ପଇସା ବଡ଼ ନୁହେଁ, ମଣିଷର ଇଜ୍ଜତ ବଡ଼ ।

 

ଜଗାମହାନ୍ତି କଳି ଯାଇ ପଡ଼ିଲା ମାଷ୍ଟରାଣୀ ଉପରେ । ଗାଁରେ ବାଳିକା ସ୍କୁଲ ନାହିଁ । ଅନେକ ଦିନରୁ ଚେଷ୍ଟା ଚାଲିଚି କିନ୍ତୁ ବୋର୍ଡ଼ ମଞ୍ଜୁର କରୁ ନାହିଁ । ଯେତେ ଝିଅ ହେବାର କଥା ସେତେ ଝିଅ ସ୍କୁଲରେ ହେଉ ନାହାନ୍ତି । ଅର୍ଥ, ହେ ଗାଁଆର ମାଇପି ମିଣିପେ, ଏଥର ଅଧିକ ଝିଅ ଜନମ ନକଲେ ବାଳିକା ଇସ୍କୁଲ ହୋଇ ପାରିବ ନାହିଁ ।

 

ଯେତୋଟି ଝିଅ ପଟ୍ଟନାୟକ ପଡ଼ାର ପଢ଼ନ୍ତି, ତାଙ୍କ ଛଡ଼ା ସାହିରୁ ଆଉ ତିନି ଚାରୋଟିବି ଆସନ୍ତି । ପଢ଼ାହୁଏ ମୋହନପଟ୍ଟନାୟକଙ୍କ ବଙ୍ଗଳାର ଗୋଟିଏ ଉହାଡ଼ କଡ଼କୁ । ମୋହନଙ୍କର ତିନିବର୍ଷର ଗୋଟିଏ ଝୁଅ ଆସି ବସେ । ତେଣେ ରାଧା ଗୋବିନ୍ଦଙ୍କ ଯୋଡ଼ିଏ ଝିଅ ଆସୁଥିଲେ । ମଦନପଟ୍ଟନାୟକ କହିଲେ, ନା ସେ ଆଉ ମୋହନ ପଟ୍ଟନାୟକ ଘରକୁ ଯିବେ ନାହିଁ । ମାଷ୍ଟରାଣୀ ତାଙ୍କ ଘରଠିକି ଆସି ପଢ଼େଇ ଯିବ ତ ଯାଉ । ହକ୍ ପଇସା ଦବା, ଆଉ କାହା ପିଣ୍ଡା ଓଳିରେ ବସି ପଢ଼ିବେ କାହିଁକି ଆମ ଝିଅ ଝିଆରୀ ? ମୋହନ ପଟ୍ଟନାୟକ କ’ଣ ବେଶି ପଇସା ଦଉଚି ।

 

ମାଷ୍ଟରାଣୀ କିନ୍ତୁ ମନା କଲା । ସେ ଏତେ ଠା ହେଇ ପାରିବ ନାହିଁ । ତା’ ଛଡ଼ା ମୋହନ ପଟ୍ଟନାୟକଙ୍କର ଅଲଗା ବଖରା ଅଛି, ସେ ସେଠି ରହେ, ତାଙ୍କ ଘରେ ଖାଏ । ସେଇଠି ପଢ଼େଇବାକୁ ସୁବିଧା ହୁଏ । ଗାଁର ଗୋଟାଏ ମୁଣ୍ଡରେ ରହି ଆଉ ଗୋଟାଏ ମୁଣ୍ଡରେ ଯାଇ ପଢ଼େଇବା ତା’ ପକ୍ଷରେ ସୁବିଧା ହବ ନାହିଁ । ମଦନ ପଟ୍ଟନାୟକ ସେ କଥା ଶୁଣି କହିଲେ–ଘର ସେ ଦେବେ, ଖାଇବାକୁ ସେ ଦେବେ । କିନ୍ତୁ ମାଷ୍ଟରାଣୀ ନାହିଁ କଲା । ନା ଗୋଟାଏ ଜାଗାରେ ଆସି ରହିଗଲାଣି ଯେତେବେଳେ, କ’ଣ କହି ସେଠି ପଳେଇ ଆସିବ ?

 

କିନ୍ତୁ ମୋହନ ପଟ୍ଟନାୟକଙ୍କ ଘରେ ସେ ରହିପାରିଲା ନାହିଁ । ଦିନେ ରାତି ନ ପାହୁଣୁ ପେଡ଼ି ପୁଟୁଳି ଧରି ଆସି ଆପେ ଆପେ ମଦନ ପଟ୍ଟନାୟକଙ୍କ ଘରେ ହାଜର । ରାଧାଗୋବିନ୍ଦଙ୍କ ସ୍ତ୍ରୀଙ୍କ ହାତରେ ମହାପ୍ରସାଦ ଦେଇ ଧରମ ଝିଅ ବସିଲା ।

 

ମୋହନ ପଟ୍ଟନାୟକ ମହା ଖପା–ରାଧାଗୋବିନ୍ଦ ସେ ଟୋକୀଟାକୁ ଶିଖେଇ ନେଇ ଯାଇଛି । ବଜ୍ଜାତ ଖାନକୀ ମାଈକିନିଆ ଭଲ ଜାଗାରେ ରହିବାକୁ ଗନ୍ଧେଇବ–ଯାଇ ପଶ ସେଇ ରାଧା ଗୋବିନ୍ଦ ପାଖରେ । ବଡ଼ ସୁନାମ ରାଧା ଗୋବିନ୍ଦଙ୍କର । କଂସାରି ଘର ବହୂ ଏକା କାହିଁକି, ସେ ଗୋଲାମ ସାହିଟାଯାକ ପଚାର, ସମସ୍ତେ କହିବେ, ରାଧାଗୋବିନ୍ଦ–ତୁଳସୀ । ଆଉ ଯାବତ୍ ବଦମାସ ଏଇ ମୋହନ । କାରଣ, ତା’ ନାଆଁରେ କେହି କେବେ ପଦେ ଭୁଟ୍‌ଭାଟ୍‍ବି ହବା ନଥିବ, ମାଷ୍ଟରାଣୀ–ଯୁବତୀ ଟୋକୀଟା–ସେ କ’ଣ ଖାଲି ଗଣ୍ଡେ ଖାଇବାକୁ ମୋହନଙ୍କ ଘରେ ପଡ଼ି ରହନ୍ତା-। ଚାଲିଗଲା–ରାଧାଗୋବିନ୍ଦ ପାଖକୁ ଯାଉ । ରାୟବାହାଦୁର ରସିକ ପଟ୍ଟନାୟକ ଭାଇ ମୋହନପଟ୍ଟନାୟକର ଝିଅ କ’ଣ ସେଥିପାଇଁ ମୂର୍ଖ ରହିବ ପଚାଶ ଟଙ୍କା ଖରଚ ନହେଲା କାହିଁକି, ଝିଅକୁ ପାଞ୍ଚ ବରଷ ପଶିଲାକ୍ଷଣି ସେ କୋଉଁଠୁ ହେଲେ କୋଉଁଠୁ ମାଷ୍ଟରାଣୀ ରଖିବେ । ଦେଖିବେ-। ଦେଖିବେ ମଦନ ପଟ୍ଟନାୟକର ଘନ ପଣ କେତେ ।

 

ମାଷ୍ଟରାଣୀ କାନରେ ଏ କଥା ପଡ଼ିଲା । ସେ ଡରିଗଲା । ସେ ଯେ କାହିଁକି ମୋହନ ପଟ୍ଟନାୟକ ଘରୁ ପଳେଇ ଆସିଲା, ସେ କଥା ସେ କାହା ଆଗେ କହି ପାରିବ ନାହିଁ । କହିଲେ ଅପକୀର୍ତ୍ତି ତାହାରି । କାରଣ ସେ ମାଈକିନିଆ ଝିଅ । ମୋହନ ପଟ୍ଟନାୟକର ଦୋଷ କେହି ଦେବେ ନାହିଁ । କାରଣ ସେ ପୁରୁଷ । ସେ ବେହିଆଙ୍କ ପରି ମୁହଁ ଭୁରୁଡ଼ି ମାରି ବୁଲି ପାରିବ–କ’ଣନା, ଆମେ ପୁରୁଷପୁଅ ଆମର ସେ ଧର୍ମ–ଆମେ ଭ୍ରମର ଜାତି ।

 

ଗାଁଯାକ ଦୁର୍ଚ୍ଛନା ଚାହୁଁଚାହୁଁ ପାଣିରେ ତେଲ ପରି ବ୍ୟାପିଗଲା । ମାଷ୍ଟରାଣୀ କାନରେ ନପଡ଼ନ୍ତା କିମିତି । ମୋହନ ପଟ୍ଟନାୟକ ଘରୁ ଆସିବା ଏକ ଅପରାଧ ଓ ମଦନପଟ୍ଟନାୟକ ଘରେ ରହିବା ଆଉ ଏକ ଅପରାଧ । ଏ କଥା ଶୁଣି ମଦନ ପଟ୍ଟନାୟକ କହିଲେ–‘‘ଏ ସବୁ ମୋହନର ଫିକର । ମାଷ୍ଟରାଣୀକୁ ମୋ ଘରୁ କାଢ଼ିବାପାଇଁ ଏ ଷଡ଼ଯନ୍ତ୍ର । ମୋ ନାତି ନାତୁଣୀଏ ପାଠ ପଢ଼ିଲେ ବୋଲି ୟାଙ୍କ ଦିହ ସୁହା ପଡ଼ୁନାହିଁ । ଏଇ ଖାଲି ସାହେବ ହେବେ, ଇଂରାଜୀ ପଢ଼ିବେ । ୟାଙ୍କ ଝିଏ ମେମ୍‌ ହୋଇ ବୁଲିବେ । ଆଉ କେହି ପାଠ ପଢ଼ିବେ ନାହିଁ । ଦେଖିବା ତ ଭଲା–ମାଷ୍ଟରାଣୀକୁ କିଏ କ’ଣ କହୁଛି–କିଏ କୁଆଡ଼େ ନଉଚି ।

 

ମାଷ୍ଟରାଣୀର ସେ ଗାଁରେ ଆଉ ମୁହୂର୍ତ୍ତେବି ରହିବାକୁ ଇଚ୍ଛା ହେଲା ନାହିଁ । କିନ୍ତୁ ସେ ଯାଇ ପାରେ ନାହିଁ । ମଦନପଟ୍ଟନାୟକ ବଅଁଶଟାଯାକ ତାକୁ ଜଗି ବସିଥାନ୍ତି । ତାଙ୍କ ଘର ବିଲେଇ କୁକୁରବି ତାକୁ ବାଟ ଓଗାଳନ୍ତି ।

 

ମାଷ୍ଟରାଣୀଟି ବିଧବା । ବିଧବା ବ୍ରାହ୍ମଣୀ । ଅଦ୍ଭୁତ ଧରଣର ସ୍ତ୍ରୀଲୋକ ସେ । ପାଠ ଶାଠ ପଢ଼ିଛି । ହେଲେ, ପାଠ ଶାଠ ପଢ଼ା ମେମ୍‌ସାହେବ ନୁହେଁ–କିରସ୍ଥାନୀ କି ବଙ୍ଗାଳୁଣୀ ନୁହେଁ । ବାଟରେ ଚାଲେ, ଯେମିତି ବହୂଟିଏ ଯାଉଚି । ଅଥଚ ଏଇ ଗାଁର ସାଆନ୍ତାଣୀମାନଙ୍କ ପରି ମୁଣ୍ଡରେ ତା’ରି ହାତେ ଲମ୍ବର ଓଢ଼ଣା ନଥାଏ । ବଅସବି ବେଶି ନୁହେଁ । ଚବିଶପଚିଶ ହେବ । କହନ୍ତି ବାଳବିଧବା । ପାଠ ପଢ଼ିଛି । ଇଂରାଜୀ ଜାଣେ । ତେବେବି ଏକାଦଶୀ କରେ ଫଳାହାର କରେ–ମାଛ ମାଉଁସ ପିଆଜ ରସୁଣ ଛୁଏଁ ନାହିଁ ।

 

ଝିଅଗୁଡ଼ାକ ତାକୁ ଏତେ ଭଲ ପାଆନ୍ତି ଯେ କହିବାର କଥା ନୁହେଁ । ଯିଏ ପାଠ ପଢ଼ନ୍ତି ସେ ତ ସହଜେ, ଆଉ ଯିଏ ତା’ ପାଖରେ ପାଠ ନ ପଢ଼ନ୍ତି, ଘରେ ରହିଲେଣି, ସେ ବି । ଅନେକ ହାତକାମ ଜଣା ଅଛି ତାକୁ । ଗାଁ ଝିଏଯାକ–ଏଇ କରଣ ସାହିର ଝିଏଯାକ ଦିପହରିଆ ତା’ ପାଖକୁ ଯାଇ ବୁଣାବୁଣି ଶିଖି ଆସନ୍ତି । ମାଷ୍ଟରାଣୀ ନିଜେବି ଦିନେ ଦିନେ ଜଣ ଜଣକ ଘରକୁ ଯାଏଁ ବୁଲି । ସେଇଠି ସେ ବୁଣାବି ଶିଖେଇ ଦିଏ । ଗାଁଟାଯାକ ମାଷ୍ଟରାଣୀ ଗୋଟାଏ ସମ୍ବନ୍ଧରେ ବାନ୍ଧି ପକେଇଥିଲା । ସବୁ ବାଡ଼ୁଅ ଝୁଅଙ୍କର ସହଜେ ସେ ନାନୀ । ତା’ ଛଡ଼ା, ‘‘କିଏ ହେବ ମାଉସୀଲୋ କିଏ ହେବ ଖୁଡ଼ୀ ।’’ ଯାତ୍ରାବାଲା ଗାଇଲା ଲାଖେ ସମସ୍ତେ ତା’ର ମାଉସୀ ଖୁଡ଼ୀ କିଛି ନା କିଛି ହେବ । ତା’ ଭିତରୁ କେବଳ ବାଦ୍‌ ପଡ଼ିଗଲେ ରସିକ ପଟ୍ଟନାୟକ ଭାଇ ମୋହନଙ୍କ ଘର । ସମ୍ବନ୍ଧ ତାଙ୍କ ସହ ଆଉ ବସିଲା ନାହିଁ । ତାଙ୍କ ଘରଛଡ଼ା ଆଉ କେହି ମାଷ୍ଟରାଣୀ ନାଆଁରେ ଲଗେଇ ପଦେବି କହିନାହିଁ । କିନ୍ତୁ ଥରେ ଯେତେବେଳେ ନାଆଁରେ ଦୁର୍ନାମ ରଟିଗଲା ସେତେବେଳେ ଗାଁ ମାଇପେ ମିଣିପେ କ’ଣ ବିଚାରିବେ କେଜାଣି ମାଷ୍ଟରାଣୀ ଡରୁଥିଲା । ସେଥିପାଇଁ ପଳେଇ ଯିବାକୁ ଚାହିଁଲା । ସବୁଠୁ ବେଶି ବାଧିଲା ତାକୁ, ଆସ୍ତେ ଆସ୍ତେ ଗାଁର ଝିଅ ବହୂ ପଟ୍ଟନାହାକ ଘରକୁବି ଅଳପ ଯିବା ଆସିବା କଲେ । ଖାଲି ସେଇ ମାଷ୍ଟରାଣୀ ସେଠି ଥାଏ ବୋଲି, କେହି କେହି ତାଙ୍କ ଝିଅଙ୍କୁ ବନ୍ଦବି କରିଦେଲେ–କେତେ ବାହାନାରେ ।

 

ମାଷ୍ଟରାଣୀକୁ ବଡ଼ ବାଧିଲା । ସେ ଆଉ ସେ ଗାଁରେ ଏ କଳଙ୍କ ବୋଝ ନେଇ ରହିବ କିମିତି ? ମଦନପଟ୍ଟନାୟକ କହିଲେ–‘ପଳେଇଲେ ଲୋକେ କହିବେ ସତରେ ଏ ଲୋକଟା ଦୁଶ୍ଚରିତ୍ର ଥିଲା । ଲାଜରେ ପଳେଇଗଲା ।’ କିନ୍ତୁ ମାଷ୍ଟରାଣୀ ବୁଝୁଥିଲା ଅନ୍ୟ ପ୍ରକାରେ । ସେ ଭାବୁଥିଲା, ଯେଉଁଠି ମିଛରେବି ଏତେ ବଡ଼ ଗୋଟାଏ କଥା ଉଠି ସତ ଠିଆ ହୋଇଯାଏ ସେଠି ସେ ରହିବ କିମିତି ? ଯେତେବେଳେ ଦୁନିଆଟାଯାକ ତାକୁ ଚୋର ବୋଲି କହିବେ, ସେତେବେଳେ ସେ ଚୋର ନୁହେଁ ବୋଲି ପ୍ରତି ମୁହୂର୍ତ୍ତରେ ପ୍ରତିବାଦ କରି ଚାଲିବ କେତେ ! ଯେ ଚୋର ହେଇଥିବ ସେ ରାଗିବ ଆଉ ସହିବ । କିନ୍ତୁ ଯିଏ ଚୋର ନୁହେଁ ସେ ସିନା ରାଗିବ ନାହିଁ–ସହିବ କିମିତି ?

 

ସେ ଚାଲିଯିବ ବୋଲି ଠିକ୍‌ କଲା । ସେଇ ସମୟରେ ହଠାତ ଗାଁରେ ପଡ଼ିଲା ବାଡ଼ି । ସେ ପାଖ ସାହିରୁ ଆରମ୍ଭ ହେଲା । ପହିଲୁ କଣ୍ଡରା ଯୋଡ଼ାଏ ତିନିଟା–ତିନି ତିନି ଚାରି ଚାରି ମୁଣ୍ଡ ଗଡ଼ି ପଡ଼ିଲେ । ତା’ପରେ ପଶିଲା ମଝି ସାହିରେ । ଆଗ ଧରିଲା କଂସାରି ଘର ବହୂକୁ । ଘରେ ପଦିଆ ନାହିଁ । ଦଶଦିନ ହେଲା ଗଲାଣି ଗୋଡ଼ କାଢ଼ି ଘରୁ ଯେ, ଯାଇଚି ଆଉ ଫେରି ନାହିଁ । କୋଉଁଠି ଭଙ୍ଗା କଂସା ବାସନ ବଦଳ ଦେଇ ନୂଆ ବାସନ ଦେଉଥିବ । ଏଣେ ବହୂ ପଡ଼ିଚି ବାଡ଼ିରେ-। ପଦିଆର ଭଉଣୀଟା ରଡ଼ି ଛାଡ଼ିଲା–‘‘ମୁଁ କ’ଣ କରିବିଲୋ ! ମୁଁ କୁଆଡ଼େ ଯିବିଲୋ-!’’ କିନ୍ତୁ ବହୂଟା ସେଠି ଗୃହରେ ଘାଣ୍ଟି ହେଉଚି ତା’ ପାଖ ପଶିବାକୁ ନାହିଁ । ଖାଲ ଲୋକ ଦେଖାଣିକି କାନ୍ଦ । ବେଳେ ବେଳେ ତୁଚ୍ଛାଟାରେ ପାଟି କରୁଚି–‘‘ରେ ପଦିଆ–ପଦିଆରେ–ଇରେ ତୁ କୁଆଡ଼େ ଗଲୁ ମୋତେ ଏ ଜଞ୍ଜାଳରେ ପକେଇ ଦେଇରେ ପଦିଆ–ଇରେ ତୋର ଏଡ଼େ ଅହନ୍ତା ମୋ ଉପରେରେ ପଦିଆ ।’’ ଲୋକେ ପଦିଆର କ’ଣ ହେଲା ବୋଲି ଦଉଡ଼ି ଆସି ଦେଖିଲେ, ବହୂ ପଡ଼ିଚି । ରାଣ୍ଡ କାନ୍ଦୁଚି–‘‘ମୁଁ କ’ଣ କରିବିଲୋ–ମୋ ବହୂ ଇମିତି କାହିଁକି ହଉଚିଲୋ । ଇଲୋ ମୁଁ କି ବୁଦ୍ଧି କରିବିଲୋ । ମୋତେ ତ ସବୁ ଅନ୍ଧାର ଦିଶୁଚି–ଇରେ ପଦିଆ, ତୁ ଜଲ୍‍ଦି ମରେ–ଆମର କିଏ ସେ କରିବରେ ।’’

 

ଗାଁଟା ଖାଁ ଗୋଡ଼େଇଲା । ଚାରିଆଡ଼େ ଯେମିତି ଗୋଟେ କ’ଣ ଧୁ ଧୁ ହୋଇ ଜଳୁଛି । ବାଡ଼ି–ଝାଡ଼ାବାନ୍ତି–ଦି’ତିନି ବର୍ଷକେ ଥରେ ଆସେ । ଏମିତି ହାଉକିନା ଲାଗିଯାଏ । ଅନାମତେ ଗିରାସ କଲା ପରି । ଖାଲି ଆତଙ୍କରେ ଲୋକେ ଚାହିଁ ରହନ୍ତି, କେତେବେଳେ କାହା ପାଳି ପଡ଼ିବ ।

 

ଚଉକିଦାର ଥାନାରେ ଖବର ଦିଏ । ପ୍ରେସିଡେଣ୍ଟ, ଆଉ ପାଞ୍ଚଜଣ ଭଦ୍ରଲୋକ ଜିଲାବୋର୍ଡ଼କୁ, କଲେକ୍‍ଟରଙ୍କୁ ଜଣେଇ ଦିଅନ୍ତି ହାତରୁ ପୋଷ୍ଟକାର୍ଡ଼ ଲଫାପା ଖର୍ଚ୍ଚ କରି, ତାଙ୍କ ମନେ ମନେ ପାଠ ପଢ଼ା ଭଦ୍ରଲୋକ ହିସାବରେ ତାଙ୍କ କର୍ତ୍ତବ୍ୟଟା ସେତିକିରେ ସରିଗଲା ।

 

ତେଣେ ସରକାରୀ ଲୋକେ ସମ୍ବାଦ ପାଇ–ଖୁବ୍‌ ତଡ଼ାବଡ଼ି ଅନ୍ତତଃ ଆଠଦିନ ପରେ ଲୋକ ପଠାଇ ଟିକା ଦେବାର ବ୍ୟବସ୍ଥା କରନ୍ତି–ଆଉ ହଇଜା ହେବ ନାହିଁ । ସେତେବେଳକୁ ଗାଁରୁ କୋଡ଼ିଏ ପଚିଶ ମୁଣ୍ଡ ଯାଇ ସାରନ୍ତାଣି । ଯମ ମା ସାତ ଭଉଣୀରୁ ଅନ୍ତତଃ ଜଣେ ଖଣ୍ଡେ ପୂରାପେଟ ହେଇ ସାରେଣି ।

 

ଗାଁ ଦେବତୀଙ୍କ ପାଖରେ ମାର୍ଜନା ହୁଏ–କାଳିସୀ ଲାଗେ । ବଳି ପଡ଼େ–କୁକୁଡ଼ା ବଳି । ଯମ ମା ମଣିଷ ରକ୍ତ ପିଇବାକୁ ଆସି କୁକୁଡ଼ା ରକ୍ତରେ ସନ୍ତୁଷ୍ଟ ହୁଅନ୍ତି କି ନାହିଁ କିଏ ଜାଣେ ! ତେବେ ମଣିଷ ଠାକୁରଙ୍କୁବି ଏମିତି ଠକିବାକୁ ଚେଷ୍ଟା କରେ । ନିଜେ ନିଜର ଠାକୁର ଗଢ଼ି, ତାକୁ ନିଜଠାରୁ ବଡ଼ କରି ପୁଣି ନିଜର ଦୁର୍ବଳତାକୁ ନେଇ କୁଢ଼େଇ ଦିଏ ତା’ର ମୁଣ୍ଡରେ ।

 

ଦୁଃଖୀ କହେ–ଠାକୁର ସବଳତାର ପ୍ରତୀକ ନୁହନ୍ତି–ଦୁର୍ବଳତାର ପ୍ରତିମୂର୍ତ୍ତି । ଏଇ ଯେଉଁ ଠାକୁର, ଦେବତା, ଗଛ ଚେରରେ କି ମାଙ୍କଡ଼ାପଥର ମୁଣ୍ଡରେ ସିନ୍ଦୂର ତେଲ ଗୋଳି ତିଆରି ହେଇଚନ୍ତି, ତାକୁ ମଣିଷ ପୂଜାକଲେ କାହିଁକି ? ମଣିଷ ନିଜର ମନୁଷ୍ୟତ୍ୱ ଉପରେ ଅତ୍ୟାଚାର କରିବାପାଇଁ ନୁହେଁ ତ ? ଏ ବଳି, ଏ ଭୋଗ ପଣା, ଏ କାଳିସୀର ବିକଟାଳ ନାଚ–ତେଣେ ଅସୁମାରି ମଳୁପଡ଼ି ଗଡ଼ୁଛନ୍ତ–ମଲା ବେଳର ଚିତ୍କାର ଚିହିଡ଼ା ଛାଡ଼ୁଛନ୍ତି–ପାଟିରେ ପାଣି ଦେବାକୁ ମଣିଷ ନାହିଁ–ମୁହଁରେ ଟୋପେ ଔଷଧ ଦେବାପାଇଁ କାହାରି କ୍ଷମତା ନାହିଁ–କଣ୍ଠରେ ସାଗୁ କି ବାଲି ପାଣି ମୁନ୍ଦିଏ ଦେବାର ଉପାୟ ନାହିଁ–ତଥାପି ଏଠି ଏ ଭୋଗ, ରାଗ, ପୂଜା ? ତଥାପି କାଳିସୀ କହିବ–‘ତମ ଭାଷାରେ ଯେ ବେଲା କଂସା ଆମ ଦେବଭାଷାରେ ସେ ଗୋରୁ ଗାଈ ?’ ତଥାପି ଲୋକେ ତାକୁ ବିଶ୍ୱାସ କରିବେ । ସତ ହେଉ ମିଛ ହଉ ଏ ସବୁ ଖାଲି ଆପଣାକୁ ବଞ୍ଚାଇବାର ଇଚ୍ଛାକୁ ଆଉ ମରିଯିବାର ଭୟକୁ ପୂଜା କରିବା କଥା । ଆଉ ଯିଏ ପଡ଼ି ମରିଯାଉଚି ତା’ କଥା ଭାବି ହଉ ନାହିଁ । ଦେବତା ମଣିଷକୁ ନେଇ କ’ଣ ଏଇଠି ଠିଆ କରି ଦେଇଚି ?

 

ସନ୍ଧ୍ୟାବେଳେ ସଂକୀର୍ତ୍ତନ ହୁଏ–ନାମ ସଂକୀର୍ତ୍ତନ । ଗାଁ ଗାଁ ସାହି ସାହି ଟୋକାଏ କୀର୍ତ୍ତନ କରି ନାଚି ନାଚି ବୁଲନ୍ତି । ଠାକୁର ତାକୁ ଶୁଣନ୍ତୁ ନ ଶୁଣନ୍ତୁ ମଣିଷ ମନରେ ଗୋଟେ ଦମ୍ଭ ଆସେ । ମାର୍ଜନାର ବାଜାବି ସେମିତି ସାହସ ମନକୁ ଆଣି ଦଉଥିବ । ତଥାପି ଗାଁଟାରେ ଭୟ ଭୂତ ପରି ଠିଆ ହୋଇଛି ।

 

ହଁ, ଭୂତ–ଭୟର ଭୂତ । ରୋଗର ଭୟ ଖାଲି ନୁହେଁ, ତା’ ସାଙ୍ଗରେ ଠାକୁରାଣୀର ଭୟ, କାଳିସୀର ଭୟ ଆହୁରି ଭୟଙ୍କର । ଖାଲି ଭୟ କରି କରି ଏ ଗାଁଟା ଯେମିତି ଅଚେତ ହେଇ ପଡ଼ିଚି-

 

ଭୟ ! ଭୟ !! ରୋଗ ଯେମିତି ନାହିଁ–ଅଛି ଖାଲି ଏଇ ଭୟଟା ।

 

ସଉରି ମହାନ୍ତି, ସେ ସାହିର ଗୋଲା । ଶ୍ୱଶୁର ଘର ଗାଁରୁ ଆସି ଘରେ ଗୋଡ଼ ଦେଇଚି–କିଏ କହିଦେଲା ଗାଁରେ ହଇଜା । ସରିଗଲା କଥା । ସେଇଠୁ ଦେଖେଇଲା ଝାଡ଼ା । ଦାଣ୍ଡରୁ ଦାଣ୍ଡରୁ ଗଲା ସେ ଲୋଟା ଧରି ପୋଖରୀପାଣି । ଫେରିବା ବେଳକୁ ଚେତା ନାହିଁ । ଗୋଟାଏ ଝାଡ଼ା–ଗୋଟାଏ ବାନ୍ତି–ଶେଷ ।

 

ମରଣକୁ ଏତେ ଭୟ । ମରଣକୁ ଭୟ କରି କରି ଗାଁଟାଯାକ ଜୀବନକୁବି ଭୟ ପାଇ ଗଲେଣି । ଜୀବନ ମରଣ ଭିତରେ ତଫାତ ନାହିଁ । ଅଛି ଖାଲି ଭୟ ।

 

ଇଞ୍ଜେକସନ ଦେବାପାଇଁ ହେଲ୍‍ଥ ଅଫିସରଙ୍କୁ ଦେଖି ପିଲାଏ ଘର ଭିତରେ ଲୁଚିଲେ । ମାଇପେ ହାଣ୍ଡିଶାଳେ ପଶିଲେ । ମରିବେ ପଛେ ଇଞ୍ଜେକ୍‌ସନ ନେବ ନାହିଁ । ଯେମିତି ମରଣକୁ ତାଙ୍କର ଭୟ ନାହିଁ । କିନ୍ତୁ ପ୍ରକୃତରେ ମରଣ ଭୟଠାରୁ ଇଞ୍ଜେକ୍‌ସନ ଭୟ ହେଇଯାଏ ବଡ଼ । ମରଣ ତ ଆସିନାହିଁ–ଆସି ନପାରେ । କିନ୍ତୁ ଇଞ୍ଜେକ୍‌ସନ ଯେ ଆଖି ଆଗରେ । ଯିଏ ଇଞ୍ଜେକ୍‌ସନକୁ ଡରେ, ସେ କେବେ ମରଣର ଭୟ ଏଡ଼ି ଦେଇ ପାରିବ ?

 

ଏକା ସେଇ ଦୁଃଖୀ ଦାଶ । ଦୁଃଖୀ ଦାଶ ଘର ଘର ବୁଲି ଛୁଆଙ୍କୁ ଧରି ଧରି ଇଞ୍ଜେକ୍‌ସନ ଦିଆଉଥାଏ । ତା’ ସାଙ୍ଗରେ ଧନୀ ମାଷ୍ଟର । ଆଉ ସେ ରାଣ୍ଡ ମାଷ୍ଟରାଣୀ । ସେ ବି ଘର ଭିତରେ ପଶି ମାଇପଙ୍କୁ ଟାଣି ଟାଣି ହଇଜା ଟିକା ଘେନିବାକୁ ଜବରଦସ୍ତି କରୁଥାଏ ।

 

ତେଣୁ ସେ ପଦିଆ କଂସାରି ରାଣ୍ଡ ଭଉଣୀର କାନ୍ଦଣା ଶୁଭିଲା । ଦୁହେଁଯାକ ଦଉଡ଼ିଗଲେ ସେଠିକି । ଧନୀ ମାଷ୍ଟରକୁ ଟିକା ଭାର ଦେଇ । ଦୁଃଖୀଆ ଚାହିଁଲା ମାଷ୍ଟରାଣୀକି, ମାଷ୍ଟରାଣୀ ଚାହିଁଲା ଦୁଃଖୀଆକୁ । ଆଗରେ ଝାଡ଼ାବାନ୍ତି ରୋଗୀ ।

 

ପ୍ରେମ ନୁହେଁ । ଦୁହିଁଙ୍କର ହୃଦୟ ସାର୍ଥକତାରେ ପୂରିଗଲା । ଦୁଃଖୀ ଭାବିଲା, ମଣିଷ ଅଛନ୍ତି ଦୁନିଆରେ । ମାଷ୍ଟରାଣୀ ଭାବିଲା ଗାଁଟା ଦୋରବସ୍ତ ମରିଯାଇ ନାହିଁ । ନାଡ଼ି ଚାଲୁଚି–ଏବେବି । ଏ ହଇଜା କ’ଣ ସତ ସତ ଏ ଗାଁକୁ ମାରିଦେଇ ଯିବ ? ନା–ନା–ପାରିବ ନାହିଁ–ମାରି ପାରିବ ନାହିଁ । ଦୁଃଖୀ ଦାଶ ପରି ଲୋକ ଯେଉଁ ଗାଁରେ ଅଛନ୍ତି ସେ ଗାଁକୁ ହଇଜା ହଜମ କରି ପାରିବ ନାହିଁ ଅସମ୍ଭବ । ତା’ ଛାତିରେ କୁଣ୍ଢେ ମୋଟର ବଳ ହେଲା ।

 

ପଟ୍ଟନାହାକ ପଡ଼ାର ବାବୁମାନେବି ମଣିଷ । ଗରିବଗୁଡ଼ିଙ୍କ ପାଇଁ ତାଙ୍କ ହୃଦ୍ ସବୁବେଳେ କାନ୍ଦୁଥାଏ । ମଦନ ପଟ୍ଟନାୟକଙ୍କ ଘର କର୍ପୂରାରିଷ୍ଟ ୬ ଶିଶି ସରିଗଲାଣି । ପଟ୍ଟନାୟକେ ଯାହାଙ୍କୁ ଦେଖୁଛନ୍ତି କହୁଛନ୍ତି–‘‘ଛ’ଛଟା ଶିଶି ମୁଁ ଦେଲି । ଘର ସର୍ବସ୍ୱ ଅଜାଡ଼ି ଦେଲି । ଆଉ ଟୋପାଟାଏ କ’ଣ ଅଛି, ଦରକାରବେଳେ ସମୟ ଅସମୟରେ କାମରେ ଲାଗିବ ! କ’ଣ କରିବି । ତଥାପି ଏ ନିମକହାରାମ ଲୋକେ କ’ଣ କଥା ପଡ଼ିଲେ ମାନିବେ ଯେ, ମଦନ ପଟ୍ଟନାୟକ ଆମର ଏତେ କରିଥିଲା । ହଉ ନ ମାନନ୍ତୁ । ଧର୍ମ ତ ଅଛି । ମୁଁ ଯାହା କରିଥିବି ମୋର । ତାକୁ କେହି ଛଡ଼ାଇ ନେଇ ପାରିବ ତ ନାହିଁ । ବୁଣିଥିଲେ ଦାଇ–ଦେଇଥିଲେ ପାଇ ।’’

 

ମୋହନ ପଟ୍ଟନାୟକଙ୍କ ଘରେ ଗୋଟାଏ ହୋମିଓପାଥି ବାକ୍‌ସ ଅଧା ହେଇ ଗଲାଣି । ତାଙ୍କରବି କ୍ୟାମ୍ପର (କର୍ପୂର) କେତେ ଶିଶି ଖରଚ ହେଇଚି । ସେ ବି କହୁଛନ୍ତି–‘‘କ’ଣ କରିବି–ଓଷଧ ତ ଆସି ସରିଲା । ମୁଁ ଲୋକ ପଠାଇଚି ତା’ର କରିବାକୁ, କାଲି ଛାଡ଼ି ପହରଦିନ ଆସି ଓଷଧ ପହୁଞ୍ଚିଯିବ । ବଡ଼ ଦାମିକା ଓଷଦ । ମଦନ ପଟ୍ଟନାୟକ ପାଇବ କୋଉଠୁ ? ସବୁର କର–ଖାଲି ଓଷଧ ଆସିଯାଉ ।’’

 

କିନ୍ତୁ ଯମ ଆଉ ସବୁର କରେ ନାହିଁ । ବାବୁ ସାଆନ୍ତଙ୍କ ଓଷଧକୁବି ଡରେ ନାହିଁ । ତାରକୁବି ଅପେକ୍ଷା କରେ ନାହିଁ ।

 

ଗୋଲାମ ସାହିର ସେ ରାଣ୍ଡ ବୁଢ଼ୀଟା କହେ–‘‘ତମ ଇନ୍ଦ୍ର କଷଣକୁବି ଯମ ଡରେ ନାହିଁ-।’’

 

ଦୁଃଖୀ ଆଉ ମାଷ୍ଟରାଣୀଙ୍କ ପଛେ ପଛେ ସେ ବି ଯାଇ ପହଞ୍ଚିଲା ପଦିଆ କଂସାରି ବହୂକୁ ବଞ୍ଚାଇବା ପାଇଁ ।

 

ଦୁଃଖୀ ପଚାରିଲା–‘‘ମାଉସୀ, ତୁ ଟିକା ନେଇଚୁ ?’’

 

‘‘ଟିକା ?’’ ବୁଢ଼ୀ ହସିଲା । ‘‘ପାପକୁ ତମେ ଠାକୁରାଣୀ ମାର୍ଜନା କରି ଲୁଚେଇ ପାରିବ ନାହିଁ କି ଟିକା ଦେଇ ଢାଙ୍କି ପକେଇ ହବ ନାହିଁ, ପାପ ଯେ ପାପ । ସେ ଯେଉଁଠି ଥିବ, ଫୁଟି ବାହାରିବ ଚାପ, ଫୁଟି ବାହାରିବ ।’’

 

‘‘ନା ମାଉସୀ, ପାପ ଫାପ କିଛି ନୁହେଁ–ଏ ପରା ଗୋଟେ ରୋଗ–କଲେରା ବୀଜାଣୁ ବୋଲି ଗୋଟେ ପୋକ ଅଛି–’’

 

‘‘ହଁ, ହଁ ଜାଣେ–ଜାଣେ । ମୁଁ ବି ସେଇ ପୋକ କଥା କହୁଛି । ଏଇ ପାପ ଭଳି ନାସନା ପୋକ ଆଉ କେହି ନାହିଁ । ଏଇ ପାପ ଯୋଗୁଁ ପୋକ ପଡ଼ି ମରୁଛନ୍ତି ଏ ମଣିଷଗୁଡ଼ାକ–ଅକାଳ ମୃତ୍ୟୁ ହଉଛି ଏଙ୍କୁ । ମୁଁ ପଢ଼ି ନାହିଁ–ଏଇ ପାଠ ପଢ଼ିଛି । ଭାଗବତ କହିଚି–

 

ଏ ଘୋର କଳିଯୁଗ ଗତି

ଲୋକେ ହୋଇବେ ଦୁଷ୍ଟମତି

।।

ହିଂସା ବହିବେ ଏକେ ଏକେ

ସର୍ବେ ମଜିବେ ଦୁଃଖ ଶୋକେ

।।

ଅଗମ୍ୟେ କରିବେ ଗମନ

ନିନ୍ଦିବେ ନିଗମ ବଚନ

।।

ଏଣୁ ହୋଇବେ ଅଳ୍ପାୟୁଷ

ପାପେ ସକଳେ ଯିବେ ନାଶ

।।

 

‘‘ଏ ରୋଗ ଯେ ଗରିବଗୁଡ଼ାଙ୍କୁ ବେଶି ହଉଚି ମାଉସୀ ! ସେଇ କ’ଣ ଏକା ପାପ କରିଚନ୍ତି । –ରାଜ୍ୟଯାକ ପାପ ତାଙ୍କରି ମୁଣ୍ଡରେ ?’’

 

‘‘କରି ନାହାନ୍ତି ? ଏଡ଼େ ମେଡ଼ଛି ଆଉ କାହିଁ ? ଏ ମେଳଛାଗୁଡ଼ାକ–ୟାଙ୍କୁ ଏମିତି ନୁହେଁ–ୟାଙ୍କୁ ଖାଲି କଳ୍‍କି ଅବତାର–କଳ୍‍କି ଅବତାର ! ମ୍ଳେଚ୍ଛ ସଂହାର ହେବା ଦରକାର ପଡ଼ିଲାଣି । ରୁହ ରୁହ ବଳେ ହବ ଯେ–ଏଇ ଆରମ୍ଭ ହେଲା ବୋଲି ଜାଣିବ । ଇଏ ଆଉ କ’ଣ ହଉଚି କି ? ଏ ମରଣ ଆଉ କି ମରଣ ବୋଲି ଭାବିଛ କି । ଏଇ ତ କଳିଯୁଗ ଶେଷ । ଏଇ ତ କଳ୍‌କି ଅବତାର–ମ୍ଳେଚ୍ଛ ସଂହାର ।’’

 

ଦୁଃଖୀ ହସିଲା । ମାଷ୍ଟରାଣୀବି । ବୁଢ଼ୀ ସେ ହସ ଦେଖିଲା ନାହିଁ । ନିଜ କଥାରେ ସେ ନିଜେ ମୁଣ୍ଡ ହଲେଇ ଜୋର୍ ଦେଉଥାଏ । ମାଷ୍ଟରାଣୀ କହିଲା–‘‘ଯିଏ ସବୁ ବଞ୍ଚୁଛନ୍ତି–ଏଇ ବଡ଼ଲୋକ ଯେତେ, ଓଷଦ ପତ୍ର ଖାଉଛନ୍ତି, ସଫା ସୁତୁରା ରହୁଛନ୍ତି ତାଙ୍କୁ ପାପ ଲାଗୁ ନାହିଁ ? ସେ ମରୁ ନାହାନ୍ତି ?’’

 

‘‘କାହିଁକି ମରିବେ ! ସେ ତ ସଫା ସୁତୁରାରେ ରହୁଛନ୍ତି । ତମକୁ କିଏ ମନା କଲା କି ? ସେ ଯେମିତି ସଫା ସୁତୁରାରେ ରହୁଛନ୍ତି, ତାଙ୍କୁ ସେମିତି ଏ ପାପ ଛୁଉଁ ନାହିଁ । ତେମେ ମଳିଛା ନିକୁଚ୍ଛା, କୁତୁରା ହେଉଚ ଯିମିତି ତମ ଦିହରେ ଏଇ ହଇଜା ପାପ ନାଗୁଚି ସିମିତି । ଯାହା ଦିହ ପାପ କରିବ, ତା’ ଦିହ ମରିବ ନାହିଁ ? ଭୋଗିବ ନାହିଁ ? ନରକ ଭୋଗିବ ନାହିଁ ତ ଆଉ କିଏ ଭୋଗିବ ? ଏ ଦିହ ପରା କଥାରେ କହିଛି ଠାକୁର ମନ୍ଦିର । ସକଳ ଘଟେ ନାରାୟଣ । ସେଇ ଘଟରେ ତମେ ପାପ ପୂରେଇବ, ଆଉ ଠାକୁର ରହିବେ ସେଠି ?’’

 

ପଦିଆ କଂସାରି ବହୂର ଘୁଅ ଲୁଗାକୁ ନେଇ ଫିନାଇଲ ପାଣିରେ ବୁଡ଼ାଇ ଦୁଃଖୀଆ କହିଲା–‘‘ବଡ଼ଲୋକଙ୍କ ଘଟରେବି ଠାକୁର ଥାଆନ୍ତି ମାଉସୀ ?’’

Unknown

 

‘‘ମୁଁ ଜାଣେରେ ଜାଣେ । ସେଠି ଠାକୁର ଥାଏ ନାହିଁ ଥାଏ ସଇତାନ । ଏ ଦେହକୁ ସେଇ ସଇତାନ ରଖିଲେ ରଖିବ କି ଠାକୁର ରଖିଲେ ରଖିବ । ମଣିଷ ରଖି ପାରିବ ନାହିଁରେ ମଣିଷ ରଖି ପାରିବ ନାହିଁ । ବଡ଼ଲୋକଙ୍କୁ ସେଇ ସଇତାନ ରଖିଛି । ହେଲେ, ଦୋଷ କାହାର ? ବଡ଼ଲୋକଙ୍କର ନା ତମର ? ତମେ ଯେ ସେଇ ସଇତାନକୁ ପୂଜା କରୁଚ–ବଡ଼ଲୋକ ଦେଖି ପୂଜା ଦଉଚ । ଯେ ମନ୍ଦିରରେ ସଇତାନ ବସେଇଲା ଦୋଷୀ ଯେ ନା ସଇତାନକୁ ପୂଜା ଦେଇ ଖୋଇ ସେଇ ବଢ଼େଇଲ ସେ ।’’

 

‘‘ଯାହା କୁହ ମାଉସୀ, ଗରିବ ଲୋକେ ବଡ଼ଲୋକଙ୍କ ଭଳି ଏତେ ସଫା ସୁତୁରା ହେଇ ପାରିବେ ନାହିଁ । ପଇସା କାହିଁ ?’’ ମାଷ୍ଟରାଣୀ କହିଲା ।

 

‘‘ସଫା ସୁତୁରା ହବାକୁ ପଇସା ଲାଗେ ନାହିଁ–ମନ ମନ ! ଯିଏ ସଫା ସୁତୁରା ଲୋକଙ୍କୁ ଅଧିଆ, ଅପୂର୍ବ, ବଡ଼ ବୋଲି କହି ପୂଜା ବାଢ଼ିବ ସେ ନିଜେ ସଫା ସୁତୁରା ହେଇ ପାରିବ କିମିତି । ହେଲେ ଆଉ ପୂଜା କରିବ କାହାକୁ ? ଗରିବ ଲୋକେ ଖାଲି ଟିକିଏ ସଫା ସୁତୁରା ହୁଅନ୍ତେ–ଏ ସଇତାନ ପୂଜା ବନ୍ଦ ହେଇଯାନ୍ତା ।’’

 

‘‘ନା ମାଉସୀ, ତମେ ଜାଣିନା !’’ ମାଷ୍ଟରାଣୀ ଆପତ୍ତି କଲା–‘‘ଗରିବ ଲୋକେ ତ ବଡ଼ଲୋକଙ୍କ ପରି ବସି ରହି ନାହାନ୍ତି ଯେ ଦେହରେ ମଳି ଧୂଳି ଲାଗିବ ନାହିଁ । ସବୁବେଳେ ପାଣି କାଦୁଅ, ମାଟି ବାଲିରେ ଖଟି ଖଟି ଆଉ ସଫା ହେଇ ପାରନ୍ତି ନାହିଁ । ସଫା ହବାକୁ ଡର କାହିଁ ? କେତେ ବା ସଫା ହେବେ ?’’

 

‘‘ଧୂଳି ମାଟି ଦେହରେବି ମଣିଷ ସଫା ହୁଏ । ନାଲିମାଟିରେ ଲୁଗା ରଙ୍ଗେଇବି ଅଲେଖ ବାବାଜି ସବୁ ସଫା ଥାଆନ୍ତି । ସାଜି ମାଟିରେବି ଲୁଗା ସଫା ହୁଏ । ସଫା ହବାକୁ ଚାହିଲେ ଧୂଳି ମାଟି ଉଡ଼ି ଯିବ ଆପେ ଆପେ । ତର ବଳେ ବଳେ ମିଳିବ । ସଫା ସୁତୁରା ହେବାକୁ ତର ମିଳୁ ନାହିଁ, ଆଉ ବଡ଼ଲୋକଙ୍କ ପଛରେ ଗୋଡ଼େଇବାକୁ, ଖୋସାମତ୍ କରିବାକୁ, ହାତ ଯୋଡ଼ିବାକୁ ତର ମିଳୁଚିନା ? ମୋ ହାଡ଼ ଜଳୁଚି–ତୁ କହନା ସେମିତିଆ କଥା । ବଡ଼ଲୋକ–ବଡ଼ଲୋକ–ଏ ବଡ଼ଲୋକୀ । କାହାପାଇଁ–ବଡ଼–ଲୋକ କଲା କିଏ ? ଠାକୁର କଲେ–ନା, ତମେ ଆମେ ? ଦଳେ ଲୋକଙ୍କୁ ଠାକୁର ବାହ୍ମୁଣଙ୍କଠୁବି ବଡ଼ କରି ତାଙ୍କ ଦାଉକୁ ଯେ ତୁନି ହେଇ ସହି ଯାଆନ୍ତି ତାଙ୍କଠୁ ବଳି ପାପୀ ଆଉ କିଏ ଅଛି ଦୁନିଆରେ ? ମରିବେ ନାହିଁ ସେ ? ଝାଡ଼ାବାନ୍ତି ଖାଇବ ନାହିଁ ତାଙ୍କୁ ? ଆଉ କାହାକୁ ଖାଇବ ? ଆଉ କିଏ ମରିବ ?’’

 

ଏ ବୁଢ଼ୀଟା ସବୁଦିନେ ଏମିତି ଆଲୁରୁ ବାଲୁରୁ ହୋଇ କହେ । ତାକୁ ଅନେକ କହନ୍ତି ପାଗଳି ବୋଲି । କେହି କେହି କହନ୍ତି ଡାହାଣୀ । ସେ ସମସ୍ତଙ୍କୁ ଖାଇଚି–ପୁଅ ନାତି ଗିରସ୍ତ ସମସ୍ତଙ୍କୁ । ଘରେ କେହି ନାହିଁ ତା’ର–ଏକା । ବୁଢ଼ୀକି କେତେ ବର୍ଷ ହେଲାଣି କେହି କହି ପାରିବ ନାହିଁ । ଏ ଗାଁର ସବୁଠୁ ପୁରୁଣା ବୁଢ଼ୀ ସେ । କିନ୍ତୁ ବୁଢ଼ୀର ଏହି ଡାହାଣୀ ଦୁର୍ନାମଟା ଯୋଗୁଁ ବୁଢ଼ୀକି କେହି ଆଦର କରନ୍ତି ନାହିଁ । ସକାଳୁ ଉଠି କେହି ତା’ ମୁହଁ ଚାହାଁନ୍ତି ନାହିଁ–ଚାହିଁଲେ ଯଶ ନାହିଁ । ତହିଁକି ପୁଣି ବୁଢ଼ୀଟା କଳିହୁଡ଼ି ଯେ ସମସ୍ତଙ୍କ ସାଙ୍ଗେ ଏମିତି ତୋଖଡ଼ ଲଗେଇଥିବ । ହକ୍‍ କଥାରେ ଠକ ଠକ ନ ଥାଏ ତା’ର ।

 

ଆଉ ଏତିକି ଭଲ ଗୁଣ, ଯାହାର ଯାହା ହେଲା ବୁଢ଼ୀ ଜରୁର୍ ଖବର ନବ । ନିଜେ ଗଲେ କିଏ କାଳେ କ’ଣ କହିବ, ସେଥିପାଇଁ ସେ ଶହେ ଲୋକଙ୍କ ହାତରେ ପଚାରି ପଠଉଥିବ; ଓଷଦ ବତେଇ ଦେଉଥିବ । ଜର ହେଇଚି ତ ସିଂହାରହାର ପତ୍ର ଛେଚି ରସରେ ପନିକି ପୁଟ ଦେଇ ପେଇଦେ । ଝାଡ଼ା ହେଉଚି ପେଟ ଗରମ ହେଇ–ଶୁଣିଲେ ବୁଢ଼ୀ କହିବ–ବାଡ଼ିଅଁଳା ପତର–ବାଡ଼ିଅଁଳା ପତର–ନ ହେଲା; ଦଦୟା ଛେନା ଜଲ୍‍ଦି–ଜଲ୍‍ଦି । କାହାକୁ ବଦହଜମି ହେଲା ତ ବୁଢ଼ୀ ନିଜେ ନିଜ ବାଡ଼ିରୁ ପୋଦନା ପତର ଖୁଣ୍ଟି ପଠେଇ ଦବ । ତଥାପି ବୁଢ଼ୀର ଦୁର୍ଚ୍ଛନା ।

 

ଯାହାର ବ୍ୟାଧି ଅତି ଅଧିକ ହୁଏ–ମର ମର ହେବାକୁ ବସେ–ବୁଢ଼ୀ ଆଉ ସମ୍ଭାଳି ପାରେ ନାହିଁ । ନିଜେ ଉଠିଯାଏ ଦେଖିବାକୁ । ନିଜେ ହାତ ଘେନି ସେବା କରେ–ସେଇ ଥରିଲା ହାତରେ–ସାକ୍ଷାତ ମା ପରି ।

 

ତଥାପି ଦୁର୍ଚ୍ଛନା । ଶେଷ ଅବସ୍ଥାରେ ଯେତେବେଳେ ସମସ୍ତେ ଆଶା ଛାଡ଼ି ବସନ୍ତି ସେତେବେଳେ ବୁଢ଼ୀ ଯାଏଁ । କିଏ ବା ବଞ୍ଚେ କିଏ ବା ମରେ–ଅଧିକାଂଶ ମରନ୍ତି । ସେଥିପାଇଁ ବୁଢ଼ୀ କୋଉ ରୋଗୀ ପାଖକୁ ଗଲେ ଲୋକେ ଫୁସ୍‌ଫାସ୍‌ ହୁଅନ୍ତି–ହେଇଟି ବୁଢ଼ୀ ଆସିଲାଣି । ତା’ ମାଣ ପୂରିଗଲା, ଆଉ ସେ ବଞ୍ଚିବ ନାହିଁ ।

 

ଯିଏ ମରନ୍ତି ସେ ବୁଢ଼ୀ ଉପରେ ଦୁର୍ଚ୍ଛନା ଲଦି ଦେଇ ଯାଆନ୍ତି । ଯେ ବଞ୍ଚନ୍ତି, ସେ କହନ୍ତି ଭାଗ୍ୟ ଟେକି ଥିଲା ବଞ୍ଚିଗଲା । ଖାଲି ଯମ କତୁରୀରୁ ନୁହେଁ, ବୁଢ଼ୀ ମୁହଁରୁବି । ବୁଢ଼ୀ ଯାହାର ଯେତେ କରୁ, କାହାର ମୁହଁରୁ ସେ ଦିନେ ସୁଖ୍ୟାତି ଶୁଣି ନାହିଁ । ଯିଏ ବୁଢ଼ୀର ସେବା ଶୁଶ୍ରୂଷାରେ ଭଲ ହୁଏ ସେ ପୂରା ରୋଗରୁ ନ ଉଠୁଣୁ ତରବର କି ଗୁଣିଆଠୁ ଡେଉଁରିଆଟାଏ ଆଣି ବାନ୍ଧେ । କାଳେ ଦୃଷ୍ଟି ପଡ଼ି ଯାଇଥିବ–ଛାଡ଼ି ନ ଥିବ ।

 

ବୁଢ଼ୀ ଦୁଃଖୀଆ ଆଉ ମାଷ୍ଟରାଣୀଙ୍କି ଅନେକ କହିଲା–ଛୁଆ ଦି’ଟା କେତେବେଳୁ ଆସିଲେଣି–ତମେ ଯା–ମୁଁ ଜଗି ବଇଚି । ଚିନ୍ତା ନାହିଁ । ମୁଁ ଜଗି ବସିଥିବାଯାକେ ଯମର ସାଧ୍ୟ ନାହିଁ ମୋ ଆଗରୁ ମୋ ଛୁଆକୁ ଟାଣି ନେଇଯିବ । ଯା–ଯା–ଖାଇବ ଯା ତମେ !

 

ଦୁଃଖୀଆ କହିଲା–‘‘ହଉ ମାଉସୀ, ତୁ ଥା । ମୁଁ ଗଣ୍ଡେ ଖାଇ, ପାଣ ସାହି ଆଡ଼ୁ, ବୁଲି ଆସେ ।’’

 

ମାଷ୍ଟରାଣୀ କହିଲା–‘‘ମୁଁ ବି ଯାଆନ୍ତି ଆପଣଙ୍କ ସାଙ୍ଗରେ । କିନ୍ତୁ ପାଣ ସାହି କି ଗଲେ ପଟ୍ଟନାହାକ ଘର ଯଦି–’’

 

‘‘ଆପଣ ପାଣ ସାହି ନ ଯାନ୍ତୁ–ଯଦି ପାରନ୍ତି ଆଉ ଲୋକଙ୍କୁ ଦେଖନ୍ତୁ । ପଟ୍ଟନାହାକ ଘରୁ କର୍ପୂରାରିଷ୍ଟ ଯେତେ ପାଇବେ ଆଣନ୍ତୁ । ଫାଜ୍‌ ଆସିଲେ ଫାଜ୍‌ ଦେବେ । ଜଣେ ହେଲ୍‍ଥ ଅଫିସର ଆସିଛନ୍ତି । ଆଉ ଜଣେ ଡାକ୍ତର ନ ଆସିଲେ ଚଳିବ ନାହିଁ । ମୁଁ ପୁଣି ଲୋକ ପଠେଇଛି । ଦେଖାଯାଉ–ଭଗବାନ୍‍ଙ୍କ ଇଚ୍ଛା ।’’

 

ଦୁଃଖୀ ଯାଇଁ ଦୋକାନ ଘରେ ପହଞ୍ଚିଛି । ଗାଧୋଇ ପାଧୋଇ ଖାଇ ବାହାରିଛି–ଘରକୁ ଯିବ । ତେଣୁ ମାଷ୍ଟରାଣୀ ଆସି ହାଜର ।

 

‘‘କୁଆଡ଼େ ?’’ ଦୁଃଖୀ ଆଶ୍ଚର୍ଯ୍ୟ ହେଲା–କ’ଣ ହେଲା କି ?

 

‘‘ପଟ୍ଟନାହାକ ଘର ଘରେ ପୂରେଇ ଦେଲେ ନାହିଁ ।’’

 

‘‘ମାନେ ?’’

 

‘‘ବାର ଆଡ଼େ ବୁଲି ଝାଡ଼ାବାନ୍ତି ରୋଗୀଟାକୁ ସେବା କରିଛି ।’’

 

‘‘ଲୁଗାପଟା ଧୋଇ ଗାଧୋଇ ପାଧେଇ–’’

 

‘‘ସବୁ କରିଛି । ପିନାଇଲ ପାଣିରେ ଲୁଗା ଧୋଇଚି–ହାତଗୋଡ଼ବି ଧୋଇଚି ।’’

 

ଦୁଃଖୀ ଅଳ୍ପ ହସିଲା । କହିଲା–‘‘କିଛି ଚିନ୍ତା ନାହିଁ–ଆପଣ ଆଜିଠୁ ମୋ ଘରେ ରହିବେ-।’’

 

ଦୁଃଖୀର ଘର ? ହଁ ଦୁଃଖୀର ଘର । ଦୁଃଖୀ ଘର ଭିନେ–ବାପ ଠାରୁ ଅଲଗା । ସେ ତ କେତେ ଦିନର କଥା । ଏବେ ସେ ଅନେକଟା ଲଗାଲଗି ହେଇଗଲେଣି । ତଥାପି ଅଲଗା ରହିଛି । ବାପ ଆଉ ପୁଅ ଭିତରେ ଯେତିକି ଲଗା ସେତିକି । ପୁରୁଣା ଆଉ ନୂଆ ଭିତରେ ଯେତିକି ଅଲଗା, ଯେତିକି ଛଡ଼ାଛଡ଼ା ସେତିକି ତଫାତ ।

 

ଅଗଣିଦାଶ ବହୂ ଘରକୁ ଆଣିବାବେଳେ ଆଉ ଅଲଗା କରି ପାରିଲା ନାହିଁ ପୁଅକୁ । ବହୂ ଘରକୁ ଆସିଲା । କନ୍ୟା କାଳପରେ ଆଉ ବାପଘରେ ଝୁଅ ରହିବା ପାପ । ପୁଅ କହିଲା, ମୁଁ କିଛି ଜାଣେ ନାହିଁ । ବହୂ ନ ଆସୁ । ଅଗଣିଦାସ ନାକକାନ ମୋଡ଼ି ହୋଇ ପୁଅର ହୋମଘର କଲା-। ଦୁଃଖୀର ପୁନର୍ବିବାହ ହେଲା । ବହୂ ଆସି ଘରେ ରହିଲା–କୁଳବହୂ ହେଇ । କିନ୍ତୁ ଦୁଃଖୀଆର ଭାଗ୍ୟ ସେଇ ଦୋକାନ ଚାଳିରେ । ସେଇଠି ଅରଟ ଖଣ୍ଡେ, ଭିଣା ଖଣ୍ଡେ ପଡ଼ିଥାଏ । ଦଉଡ଼ିଆ ଖଟିଆଟାଏ ଶୋଇବାକୁ । ଘରକୁ ଆସି ଖାଇଯାଏ । ଦଣ୍ଡେ ଘଡ଼ିଏ ରହେ । ତା’ପରେ ଦୋକାନ-। ଘର ସାଙ୍ଗରେ ତା’ର ସେତିକି ସମ୍ବନ୍ଧ । ଦିନେ ଦିନେ ସେଇ ଚାଳିରେ ସେ ନିଜେ ଭାତ ଫୁଟେଇ ଦିଏ, ବିଶେଷତଃ ଯେଉଁଦିନ କଂଗ୍ରେସୀ କୁଣିଆ ଆସନ୍ତି ।

 

ଆଜିବି ସେ ଭାତ ଗଣ୍ଡେ ଫୁଟେଇ ଦେଇ ପାରିଥାନ୍ତା–ଆଳୁ ଦିଟା ପକେଇ । କିନ୍ତୁ ଏତେବେଳ ହେଲାଣି ଆସି । ଭୟ ହେଲା, ଘରେ ଯଦି ଭାତ ନଥାଏ । ପୁଣି ମାଷ୍ଟରାଣୀ–ମାଇପି ଲୋକଟା–ଦୋକାନ ଘରେ ସବୁଦିନେ ରହିବ ବା କିମିତି ?

 

ଦୁଃଖୀ ‘ମୋ ଘର’ ବୋଲି କହି, ଭାବୁ ଭାବୁ ବାପ ଅଗଣି ଦାଶ ଘରମୁହାଁ ଚାଲିଲା । ତା’ ପଛେ ପଛେ ମାଷ୍ଟରାଣୀ ।

 

ଘରେ ମା । ଅଗଣି ଦାଶ ନାହିଁ–ଯାଇଥାଏ କୁଆଡ଼େ । ଦୁଃଖୀ ସ୍ତ୍ରୀ ବାପଘରେ ।

 

ଦୁଃଖୀ ମା ମାଷ୍ଟରାଣୀକି ଦେଖି ଚାହିଁଲା । ଦୁଃଖୀ ମାକୁ କିଛି ନ କହି ମାଷ୍ଟରାଣୀକି ପାଣି ଆଣିଦେଲା ଗୋଡ଼ ହାତ ଧୋଇବାକୁ । ନିଜେ ଗୋଡ଼ହାତ ଧୋଇ ଘରକୁ ଗଲା । ମାଷ୍ଟରାଣୀ ପଛେ ପଛେ ଆସୁଥାଏ–ସଙ୍କୋଚରେ, ଦୁଃଖୀ ମା ଫୁସ ଫୁସ ହେଇ ପଚାରିଲା–‘‘ସେ କିଏ କିରେ ? ମାଇପିଟେ–କୁଠିକି ଆସିଛି ?’’

 

‘‘ସେ ପରା ମାଷ୍ଟରାଣୀ । ପାଟି କରନା । ଶୁଣିବ । ହଇଜାରେ ସେ କେତେ କାମ କରୁଚି ।’’

 

‘‘ଜାଣିଲି ଯେ । ମୁଁ କ’ଣ କହୁଛି କିଛି ? ତୋ ବାପ ଆସିଲେ ଯେ ନିଆଁବାଣ ହେଇଯିବ-। ଜୁଆନ୍ ମାଇପିଟା–ବାହା ହେଇଚିନା ?’’

 

‘‘କିଜାଣି ମା, ମୁଁ ଜାଣେ ନାହିଁ ଏତେ କଥା । ପଟ୍ଟନାହାକ ଘରେ ଥାଏ । ତାଙ୍କରି ଚଉପାଢ଼ିରେ ଗାଁ ଝିଅଙ୍କୁ ପଢ଼ାଏ । ଆଜି ହଇଜାରୋଗୀଙ୍କି ସେବା କରୁଚି ବୋଲି ଘରେ ପୂରେଇ ଦଉ ନାହାନ୍ତି ।’’

 

‘‘ସେ ଯେବେ ଘରେ ନ ପୂରେଇଲେ, ତୁ କୁ ସାହସରେ ପୂରୋଉଚୁ ଆଣି ?’’

 

‘‘ଭାଗ୍ୟରେ ଯାହା ଥିବ ।’’

 

‘‘ଅକଲ ଦେଖ । ଭାଗ୍ୟରେ ଥିବ ବୋଲି ମଣିଷ ଜାଗତା ରହିବ ନାହିଁ ।’’

 

ତେଣେ ଦାଣ୍ଡରେ କିଏ ଡାକ ପକେଇଲା । ମାଷ୍ଟରାଣୀ ଆସି ଦୁଃଖୀ ପାଖରେ । ଦୁଃଖୀ ଦାଣ୍ଡକୁ ଯାଇ ଦେଖିଲା, ତା’ ଶ୍ୱଶୁର ଘର ଗାଁର ଲୋକ । ଭାଷା ଖଣ୍ଡ ତା’ ହାତରୁ ଆଣି ଦୁଃଖୀ ପଢ଼ିଲା । ତା’ପରେ ଚୁପ୍‌–ଗମ୍ଭୀର । ସେ ଲୋକଟିକୁ ଆଗ ଖାଇବାକୁ ଦେଲା । କହିଦେଲା ଅବିକା ପାଟି ଛାଟି କିଛି କରନା । ସେ ବିଚରା ତୁନି ପଡ଼ି ରହିଲା । ମା ପଚାରିଲା–‘‘କାହିଁକି ଆସିଚ କିରେ-?’’

 

‘‘ଭାଷା ଆଣିଚି ।’’

 

‘‘କି ଭାଷା ?’’

 

‘‘ଯିବାପାଇଁ ଲେଖିଚନ୍ତି ।’’

 

‘‘କିଏ–ତୋ ଶ୍ୱଶୁର ? କାହିଁକିରେ ?’’

 

‘‘ଖାଲିଟା–ଏମିତି ।’’

 

‘‘ଯାଉନୁ’’–ବୁଲି ଆସିବୁ । ଯେତେ କହିଲେ ତୁ କ’ଣ ଶୁଣିବୁ ଯେ ! ମନ କରୁଥିଲେ ରୋଜ୍ ଦି’ଥର ହେଇ ଆସନ୍ତୁ–କେତେ ବା ବାଟ । ଖାଇପିଇ ଖରା ଲେଉଟିଲେ ବାହାରି ଯା–କାହିଁକି ଡାକିଛନ୍ତି–ଭଲ କି ମନ୍ଦ ବୁଝି ଆସିବୁ ।’’

 

‘ହୋଉ’ ବୋଲି କହି ଦୁଃଖୀ ମାଷ୍ଟରାଣୀ ପାଇଁ ଭାତ ବାଢ଼ି ଦେଇ ବସିବାକୁ କହିଲା ।

 

ମାଷ୍ଟରାଣୀ ପଚାରିଲା ‘ଆପଣ ?’

 

ଦୁଃଖୀ କଣ୍ଠରୁଦ୍ଧ ହେଇ ଆସିଲା । ବହୁକଷ୍ଟରେ ନିଜକୁ ସଂଯମ କରି କହିଲା–‘ଆପଣ ଖାଇସାରନ୍ତୁ ।’

 

‘ନା–ନା ଆପଣ ନ ବସିଲେ–ମୁଁ ବସିବି ନାହିଁ ।’’

 

ଦୁଃଖୀ ଛାତିକି ଟାଣ କରିନେଲା । ଭାଗ୍ୟକୁ ଘରେ ଭାତ ଥିଲା । ସେ ବାଢ଼ି ଆଣିଲା । ଦୁହେଁଯାକ ବସିଲେ ।

 

ଖାଇସାରି ମାଷ୍ଟରାଣୀ କହିଲା–ଆପଣ ଟିକିଏ ବିଶ୍ରାମ ନିଅନ୍ତୁ । ମୁଁ ଚାଲିଲି ପାଣ ସାହିକୁ । ଦୁଃଖୀ ରାଜିହେଲା । ଇୟାରି ଭିତରେ ଦୁଃଖୀ ମା ଯାଇ ପଚାରି ଆରମ୍ଭ କରି ଦେଇଚି, ଦୁଃଖୀ ଶ୍ୱଶୁର ଘରୁ ଆସିଥିବା ଲୋକଟିକୁ । ଖୋଳି ତାଡ଼ି ପଚାରୁଛି । ମାଷ୍ଟରାଣୀ ଘରୁ ବାହାରି ପାଞ୍ଚହାତ ବାହାରି ଯାଇଛି କି ନାହିଁ, ବୁଢ଼ୀ କାନ୍ଦିଉଠିଲା–‘‘ଲୋ ମୋ ଝିଅ–ମୁଁ କ’ଣ କରିବିରେ ଦୁଃଖୀଆ–ତୋ ବାପକୁ ଡାକରେ ଦୁଃଖିଆ ।’’

 

ମାଷ୍ଟରାଣୀ ଫେରି ପଡ଼ିଲା । ପଚାରିଲା–‘କ’ଣ ମାଉସୀ ?’’

 

‘ମୁଁ କ’ଣ କରିବି ଝିଅ ? ମୋତେ ତ ବୁଦ୍ଧି ଦିଶୁନାହିଁ । ଦୁଃଖୀ ଭାରିଯାକୁ ଠାକୁରାଣୀ–’

 

ମାଷ୍ଟରାଣୀ ଚାହିଁଲା । ଦୁଃଖୀ ଘର ଭିତରେ ଠିଆ ହେଇଚି–କାଠ ପୁଣି ନିର୍ବେଦ–ନିସ୍ପନ୍ଦ-

 

‘‘ଦୁଃଖୀବାବୁ ଆପଣ ଠିଆ ହେଇଚନ୍ତି କ’ଣ ?’

 

‘‘ଏ–ହଁ । ମୋତେ ଯିବାକୁ ହବ, ନା ? ମୁଁ ତାହାହେଲେ ପାଣ ସାହିକି ଯାଉଚି–ତମେ–ଆପଣ ସେ ଶଙ୍ଖାରି ଘରକୁ ଯାଆନ୍ତୁ ।’’

 

‘‘ଆପଣ ଶ୍ୱଶୁର ଘରକୁ ଯିବେ ନାଇଁ ?’’

 

‘‘ଏ ଗାଁକୁ କାହା ହାତରେ ଛାଡ଼ି ଯିବି ?’’

 

‘‘ମୁଁ ଅଛି ।’’

 

‘‘ଏକୁଟିଆ ଆପଣ ପାରିବେ ନାହିଁ ।’’

 

‘‘ପୁଣି ସେଠିକି ଯିବାବି ତ ଆପଣଙ୍କର କର୍ତ୍ତବ୍ୟ ।’’

 

‘‘ହଁ, କର୍ତ୍ତବ୍ୟ ଓ ସ୍ୱାର୍ଥ ଉଭୟ । ଏଠି କେବଳ କର୍ତ୍ତବ୍ୟ । କେଉଁଟା କରିବି ? ଆପଣ କହନ୍ତୁ ।’’

 

ମାଷ୍ଟରାଣୀ କିଛି କହିପାରିଲା ନାହିଁ । ଦୁଃଖୀ ଧୀରେ ଧୀରେ ଘରୁ ବାହାରିଲା । ଶ୍ୱଶୁର ଘର ଲୋକଟା ପଚାରିଲା–‘‘ନା ନା ଯିବ ଯେ ।’’

 

‘‘ମୁଁ ଯିବି, ତୁ ଯା ।’’

 

ଅଗଣିଦାଶ ଆସି ଶୁଣିଲାକ୍ଷଣି ନିଆଁ ହେଇଗଲା । ‘‘ମୁଁ ଜାଣେ–ମୁଁ ଜାଣେ–ସେ ଟୋକାଟା ପଥର–ସେ ଟୋକାଟା ଅମଣିଷ । ବହୂଟାକୁ ଦିନକର ଦିନେ ସୁଖ ପାଇଲା ନାହିଁ । ମୁଁ ବାହା କରେଇ ବହୂ ଆଣିଥିଲି ବୋଲି ତା’ର ଏତେ ଅହନ୍ତା । ମୁଁ ଜାଣେ । ଆଜିକାଲିକା ଟୋକାଙ୍କ କଥା କ’ଣ ମୋତେ ଅମାଲୁମ ? ହଉ ନ ଯା’ ତୁ ! ମୁଁ ଯିବି–ମୋ ଲୁଗା କାଢ଼ି ଦିଅ–ମୁଁ ଯିବି । ମୁଁ ମୋ ବହୂକୁ ବଞ୍ଚେଇବି–ମୁଁ ମୋ ଝିଅକୁ ବଞ୍ଚେଇବି । ଭାବିଛୁ ଏ ବୁଢ଼ା ଦିହରେ ବଳ ନାହିଁ–ମନରେ ଜୋର୍‌ ନାହିଁ–ନା ? ଆଚ୍ଛା, ଦେଖିବା ଭଲା ।’’

 

ବୁଢ଼ା ସାଙ୍ଗେ ସାଙ୍ଗେ ଛତା ବାଡ଼ି ଧରି ଲୁଗାତକ କାଖରେ ଯାକି ଖରାଟାରେ କି ସମୁଦିଘରକୁ ବାହାରିଲା–ବାଟ ଦୁଇକୋଶ ।

 

ମାଷ୍ଟରାଣୀ ପଚାରିଲା–‘‘ଦୁଃଖୀଶ୍ୟାମବାବୁ, ଆପଣ ଗଲେ ନାହିଁ ?’’ ଦୁଃଖୀ ଅଳପ ହସିଲା । ସେ ହସ ଯେମିତି ଆପଣାକୁ ବହଲେଇବାର ହସ । କେତେବେଳ ପରେ କହିଲା–‘ସେଠିତ ତାକୁ ଦେଖିବାକୁ ଲୋକ ଅଛନ୍ତି–ବାପ ମା, ଭାଇଭଉଣୀ–ସମସ୍ତେ । ଏଠି ଏ ଗରିବଗୁଡ଼ାଙ୍କୁ ଦେଖିବ କିଏ ? ଗୋଟିଏ ଜୀବନପାଇଁ ଏତିକିଗୁଡ଼ିଏ ଜୀବନକୁ ଭସେଇ ଦେଇ ଯିବି-?’’

 

ମାଷ୍ଟରାଣୀ ତାଟକା ହୋଇ ଅନେଇ ରହିଲା । ଏ କ’ଣ ମଣିଷ ? ଛଳନା କରୁନାହିଁ ତ ଆଉ । ଦୁଃଖୀ କ’ଣ ତା’ର ସ୍ତ୍ରୀକୁ ଭଲ ପାଏ ନାହିଁ । ନା–ଏ ଦେବତା ? ଆସ୍ତେ ଆସ୍ତେ ତା’ର ମୁଣ୍ଡ ତଳକୁ ହେଇ ଆସିଲା ।

 

ମାଷ୍ଟରାଣୀ ପୁଣି ଥରେ ଅନୁରୋଧ କଲା–‘‘ଆପଣ ଯାଆନ୍ତୁ ମୁଁ ଅଛି ।’’

 

‘‘ତମେ ପାରିବ ନାହିଁ–ମୋର ଖାଲି ତମେ ହେଇଯାଉଛି–କ୍ଷମା କରିବେ ।’’

 

‘‘ଆପଣ ମୋତେ ଆପଣ ବୋଲି କହିବା ଅନ୍ୟାୟ ।’’

 

‘‘ଆଚ୍ଛା, ଏଣିକି ତମେ ବୋଲି କହିବି–ଆପଣଙ୍କ ନାଆଁବି କ’ଣ ଜାଣେ ନାହିଁ ।’’

 

‘‘ପୁଣି ଆପଣ କହିଲେ ? ମୋ ନାଆଁ ଦେବକୀ ।’’

 

‘‘ଦେଖନ୍ତୁ ଦେବକୀ ଦେବୀ, ଆପଣ–କିଛି ମନେ କରିବ ନାହିଁ–ଆସ୍ତେ ଆସ୍ତେ ତମେ ହେଇଯିବ–ତମେ ଏକୁଟିଆ ଏତେ ଲୋକଙ୍କୁ ସେବା କରିପାରିବ ନାହିଁ । ଆମେ ଭାଗ ହେଇଯିବା-। ମୁଁ କଣ୍ଡରା ସାହିକି ଯାଉଚି । ତମେ ଏ ସାହିରେ ରୁହ । ଧନୀ ମାଷ୍ଟର ତମକୁ ସାହାଯ୍ୟ କରିବ-

 

ଦିନପରେ ଦିନ ଗଡ଼ି ଚାଲିଲା । ଝାଡ଼ାକଇ ରାକ୍ଷସୀର ମନବୋଧ ହେଲା ନାହିଁ । ଗୋଟାକ ପରେ ଗୋଟାଏ ଲୋକ ଗଡ଼ିମରି ଯାଉଛନ୍ତି । ଔଷଧ ପତ୍ର କିଛି ଶୁଣୁ ନାହିଁ । ଖାଲି କ’ଣ ଏ ଝାଡ଼ାବାନ୍ତି ମାରୁଛି । ଏ ରୋଗଟା ଉପଲକ୍ଷ । ଲୋକଗୁଡ଼ାକ ଯିମିତି ଆଗରୁ ମରିକି ରହିଛନ୍ତି । ଝାଡ଼ାବାନ୍ତି ଧଇଲା, ଗଲେ । ରୋଗ ସହିତ ଯୁଝିବାର ଶକ୍ତି ନାହିଁ କାହାରି । ଦୁଃଖୀଶ୍ୟାମ ସେ ବୁଢ଼ୀର କଥା ଖାଲି ବାରମ୍ୱାର କାନପାଖରେ ଶୁଣିଥାଏ–ପାପ–ପାପ ମାତ୍ର ଏ ପାପର ପ୍ରାୟଶ୍ଚିତ୍ତ କ’ଣ ?

 

ପୁଣି ହସେ । ପାପା କରିବ ଜଣେ–ଭୋଗିବ ଆଉ ଜଣେ ? ଏ ଗରିବଗୁଡ଼ିଙ୍କର କି ଅପରାଧ ? ତାଙ୍କୁ ଅପରିଚ୍ଛନ୍ନ କରିଛି କିଏ ? ତାଙ୍କ ତୁଣ୍ଡରୁ ଦାନା ଛଡ଼େଇ ନେଇ ତାଙ୍କୁ ଦୁର୍ବଳ ଦରମଲା କଲା କିଏ ? ଏଇ ବଡ଼ଲୋକ, ମହାଜନ ଜମିଦାର, ଏଇ ପୁଲିସ ପ୍ରସିଡ଼େଣ୍ଟ, ଏଇ ହାକିମ ଦିପୁଟି, ଓକିଲ ମୁକ୍ତାର, ଏଇ ମନ୍ତ୍ରୀ ମେମ୍ୱର, ଲାଟ ବଡ଼ଲାଟ । କାହିଁ, ତାଙ୍କର ତ କିଛି ହଉନାହିଁ–ତାଙ୍କୁ ତ ବାଡ଼ି ପଡ଼ୁନାହିଁ ? ଗରିବଙ୍କ ଗରମ ନିଃଶ୍ୱାସରେ ଲାଟ କୋଠିରେ ନିଆଁ ତ ଲାଗି ଯାଉ ନାହିଁ ? ଏ ନିରକ୍ଷ ଲୋକଙ୍କ ହାହାକାରରେ କାହାରି ମୂର୍ଦ୍ଧନାପାତ ତ ହେଉନାହିଁ !’

 

ତାଙ୍କୁ ସବୁ ପାର । ସବୁ ତାଙ୍କର ନ୍ୟାୟ, ଧର୍ମ । ତଥାପି ଈଶ୍ୱର ଅଛନ୍ତି–ତଥାପି ଭଗବାନ୍ ଶୁଣୁଛନ୍ତି । ମଣିଷ ଏ କଥା ବିଶ୍ୱାସ କରିବ–ବିଶ୍ୱାସ କରିବାକୁ ବାଧ୍ୟ ।

 

ଦୁଃଖୀର ମନ ବିଦ୍ରୋହ କରି ଉଠିଲା । ଗୋଟିଏ ପରେ ଗୋଟିଏ ଶବ ସଂସ୍କାର କରି ସେ ଗୋଟିଏ ଗୋଟିଏ ନିଃଶ୍ୱାସରେ ଏଇ ମାଟିତଳେ କେତେ ଅତ୍ୟାଚାରର ଇତିହାସକୁ କବର ଦେଇ ଆସେ, ପୁଣି ଯାଏଁ ଆଉ ଜଣକ ପାଖକୁ । ଏ ପର୍ବ ତା’ର ସରେ ନାହିଁ ।

 

ଝାଡ଼ାବାନ୍ତିଟା ସବୁ ଆଡ଼ୁ ଛାଡ଼ି ଆସି ଦାନ୍ତ କାମୁଡ଼ି ପଡ଼ି ରହିଲା ସେଇ କଣ୍ଡରା ସାହିରେ । କିଛି ନଥିବ, ହଠାତ ଦେଖିଯିବ ଜଣକୁ ଧରିଲା–ବାସ୍‌ ଦୁଇ ତିନିଦିନ ପରେ ଶେଷ । ଏମିତି ଲାଗି ରହିଲା ।

 

ଆଠଦିନ ହୋଇଗଲା । ଅଗଣିଦାଶ ଗଲା ରବିବାରକୁ ରବିବାର ଆଠ, ସୋମବାର ନ, ମଙ୍ଗଳବାର ଦଶ, ଦିନହେଲା, ଫେରିନାହିଁ । ଖବର ଆସୁଛି କେବଳ–ଭଲଅଛି । ଜଣେ କିଏ ଆସି କହିଲା ବହୂ ଖୋଜୁଚି–ଦୁଃଖୀବାବୁକୁ ।

 

ଦେବକୀ ଯାଇ–‘ଦୁଃଖୀବାବୁ, ଯିବେ ନାହିଁ ?’

 

ଦୁଃଖୀ ଆଖିରୁ ଟୋପାଏ ଲୁହ ଗଡ଼ି ପଡ଼ିଲା । ଦେବକୀ ମଧ୍ୟ କାନ୍ଦି ପକାଇଲା ।

 

‘‘ଆପଣ ଯାଆନ୍ତୁ ।’’ ଦେବକୀ ଲୁହ ପୋଛି କହିଲା ।

 

‘‘ଦେବକୀ ଦେଈ, ସେ ମରିଥିଲେ ଆଜିକି ଦଶଦିନ ହୁଅନ୍ତାଣି । ଯେତେବେଳେ ଯିବା ଉଚିତ ଥିଲା, ସେତେବେଳେ ଯାଇ ନାହିଁ । ଆଜି ସେ ଅନେକଟା ଭଲ ହୋଇ ଆସିଲାଣି । କୋଉ ମୁହଁରେ ଯିବି ?’’

‘‘ନା–ନା–ଆପଣଙ୍କୁ ଯିବାକୁ ହେବ–ଏସବୁ ନିହାତି ପିଲାଳିଆ କଥା ।’’

‘‘ପିଲାଳିଆ ନୁହେଁ । ମୁଁ ଭାବୁଛି ଯିଏ ସମସ୍ତଙ୍କ ପାଇଁ କରେ, ତାକୁ କ’ଣ ନିଜପାଇଁ କରିବାକୁ ମନା ? ମୁଁ ନିଜ ପ୍ରତି ଅନ୍ୟାୟ କରି କ’ଣ ସମସ୍ତଙ୍କର ମଙ୍ଗଳ କରିପାରିବି ?’’

‘‘ଦୁଃଖୀବାବୁ, ମୁଁ ଏଡ଼େବଡ଼ କଥା ବୁଝିପାରେ ନାହିଁ–ମୁଁ ମାଇପି ଲୋକ–ମୁଁ ଏତିକି ଜାଣେ, ପରପାଇଁ ଯାହା ପ୍ରାଣ କାନ୍ଦେ, ନିଜପାଇଁ କାନ୍ଦିବାକୁ ତା’ର ବେଳ କୁଳାଏ ନାହିଁ । ସେ କ’ଣ ମନକଲେ ନିଜପାଇଁ କାନ୍ଦି ପାରନ୍ତା ନାହିଁ । ସେ କ’ଣ ଏଡ଼େ ଅମଣିଷ ପଶୁ ? ନିଜପାଇଁ ତ ସମସ୍ତେ କାନ୍ଦି ପାରନ୍ତି ।’’

‘‘ମୁଁ କ’ଣ ତା’ ପ୍ରତି ମୋର କର୍ତ୍ତବ୍ୟ କରିଚି ।’’

‘‘ଆପଣ କରି ନ ଥାଇ ପାରନ୍ତି । ଆପଣ ଦୁଃଖୀଶ୍ୟାମ ଦାଶ ଶ୍ରୀମତୀ’’–

‘‘ସୀତା’’

‘‘ଶ୍ରୀମତି ସୀତା ଦେବୀ ପ୍ରତି କର୍ତ୍ତବ୍ୟ କରି ନ ଥାଇ ପାରନ୍ତି, କିନ୍ତୁ ସ୍ତ୍ରୀ ପ୍ରତି ସ୍ୱାମୀର କର୍ତ୍ତବ୍ୟରେ ତ ତ୍ରୁଟି ହେଇନାହିଁ ।’’

‘‘ମୁଁ ବୁଝିପାରୁ ନାହିଁ ତମ କଥା । ବରଂ ତମେଇ ବଡ଼ କଥା କହିବାକୁ ଆରମ୍ଭ କଲ ।’’

‘‘ବଡ଼ କଥା ନୁହେଁ । ନିହାତି ଛୋଟ କଥାଟିଏ । ଆପଣ ଏ ଗାଁରେ ଯେତୋଟି ସ୍ତ୍ରୀଙ୍କୁ ଜୀବନ ଦେଇ ଯେତୋଟି ସ୍ୱାମୀଙ୍କର ସୁହାଗ ସଂସାରକୁ ଟେକି ଧରିଛନ୍ତି, ସେତିକିରେ କ’ଣ ଜଣେ ସ୍ୱାମୀର କର୍ତ୍ତବ୍ୟ ପୂରା ହେଇ ନାହିଁ । ବରଂ ଢେର୍ ବେଶି ହେଇଚି ।’’

‘‘ଦେବକୀ ଦେଈ, ମଣିଷ ମୁଁ, ମୋର ଘରଦ୍ୱାର, ପିଲା କୁଟୁମ୍ୱ ଅଛନ୍ତି । ମୋତେ ସେମାନଙ୍କୁ ଯେମିତି ଦେଖିବାକୁ ହେବ, ପ୍ରତ୍ୟେକର ପିଲା କୁଠୁମ୍ୱଙ୍କୁ ସେମିତି ଦେଖିବା କଥା । ସମାଜରେ ଯେତେବେଳେ ସମସ୍ତେ କର୍ତ୍ତବ୍ୟ ହୁଡ଼ିବେ–ନିଜର ପିଲା କୁଟୁମ୍ୱଙ୍କ ପ୍ରତି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେବେ ସେତେବେଳେ ଜଣେ ଲୋକ ସମସ୍ତଙ୍କର କାମ ତୁଲାଇ ପାରିବ ?’’

‘‘ସମାଜର ଏଇ ଭୁଲ୍‍ପାଇଁ କାହାରିକି ତ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ପୁଣି ?’’

‘‘ଦେବକୀ ଦେଈ, ମୋର କେବଳ ଭୟ ହେଉଚି–ଏ ପ୍ରାୟଶ୍ଚିତ୍ତ ପାଇଁ ମୁଁ ପ୍ରସ୍ତୁତ । ଏ ପ୍ରାୟଶ୍ଚିତ୍ତ ପାଇଁ ମୋର ଧୈର୍ଯ୍ୟ ଅଛି ତ ?’’

‘‘କେହି ଜାଣିଶୁଣି ବୋଧହୁଏ ପ୍ରସ୍ତୁତ ହୋଇ ନ ଥାଏ ଆଗରୁ । ଯିଏ ପ୍ରସ୍ତୁତ ହେବାକୁ ମନ କରୁଥାଏ, ତା’ର ପ୍ରସ୍ତୁତ ହେବା ସରେ ନାହିଁ । କାନ୍ଧରେ ପଡ଼ିଲେ ବଜେଇ ନେବାକୁ ହୁଏ–ସେ ଯେମିତି ବାଜା ହେଉ ।’’

ଦୁଃଖୀଶ୍ୟାମ ସେଇ ଅସାଧାରଣ ମହିଳାଟିକୁ ଭଲ କରି ଚାହିଁଲା । ଦେବକୀ ଲଜ୍ଜାରେ ମୁହଁ ତଳକୁ କରିନେଲା ।

 

ଦୁଃଖୀଶ୍ୟାମ ଭାବିଲା–କାହିଁକି ସମାଜର ଏ ପାପକୁ ଶିରରେ ଲଦି ପ୍ରାୟଶ୍ଚିତ୍ତ କରିବାକୁ ଆସିଛି ଏ ବଳେ ବଳେ ! ପ୍ରତିଶୋଧ ନ ନେଇ ଏ ଆସିଛ ଶତ୍ରୁର ପାପ ପାଇ ନିଜେ ପ୍ରାୟଶ୍ଚିତ୍ତ କରିବାକୁ ? ଏଇ ଦେବକୀ ?

 

ଏଇ ଦେବକୀ । ପିଲାଦିନୁ ବିଧବା । ତା’ର ମନେ ନାହିଁ, ସ୍ୱାମୀ ତା’ର କି ସ୍ୱଭାବ ଘେନିଥିଲା–ସେ ଦିନେ ବାହା ହୋଇଥିଲା–ଠିକ୍‌ ପିଲାଙ୍କ କଣ୍ଢେଇ ଖେଳ ପରି । ଖେଳଘର କଥାକୁ ଭୁଲିଲା ପରି ସେ ଭୁଲି ଗଲାଣି । ଖେଳ ଖେଳିବାଟା ହୁଏତ ମନେଥିବ । ହଁ ସେ ଦିନେ ଖେଳିଥିଲା–ଏତିକି । କେଉଁ ଖେଳ, କେଉଁଠି କେଉଁଦିନ ସେ ଖେଳିଥିଲା, ତା’ ତ ମନେ ନାହିଁ ତା’ର-। ସେମିତି ସେ ବି ଗୋଟେ ଖେଳ ।

 

ସେ ଖେଳଘର ଭାଙ୍ଗିଗଲା । ସେ ଖେଳଘର ପୋଡ଼ିଗଲା–ଜଳିଗଲା । ଆଉ କାହିଁକି ? ଖେଳ କ’ଣ ସବୁଦିନେ ଲାଗି ଥାଆନ୍ତା କି ? ତା’ର ମନେ ହେଲା ସତ ଘର କରିବାକୁ । ସମସ୍ତେ ତ ଦିନେ ଖେଳଘର ସାରି ସତ ଘର କରିବାକୁ ଦିନେ ନା ଦିନେ ଯାଆନ୍ତି–ନିହାତି ଅଜଣା ଅଚିହ୍ନା ଜାଗାକୁ ପୁଣି–ତା’ରି ପରି କେତେ ଝିଏ । ତା’ର ଏମିତି କି ଅପରାଧ ହେଇଗଲା କି ?

 

ଓଃ–ସେ ଥରେ ବାହା ହେଇଚି । ଥରେ ବାହା ହେଲେ ଆଉ ଥରେ ବାହା ହୁଅନ୍ତି ନାହିଁ ପରା ! ଠିକ୍‌ କଥା । ସେ ପୁରୁଷ ଜାତି ନୁହେଁ–ମାଇପିଟାଏ । ହେଲା ଏବେ ।

 

କିନ୍ତୁ ସେ ବାହା ହେଇଚି ବୋଲି କହିଲା କିଏ ? ତମେ ଜବରଦସ୍ତି ମାଡ଼ି ବସି କହିବନା–ତୁ ବାହା ହେଇଚୁ–ବାହା ହେଇଚୁ–ହଁ କର–ଅଲବତ୍‌ ହଁ କରିବୁ–ଏଇୟା କହିବ ? ବାହା ହେଲା କିଏ ? ସେ ବାହା ହେଇଚି ନା, ତମେ ଜବରଦସ୍ତି ବାହା କରେଇଲ ? ତମେ ନାବାଳକ ଥିଲେ ତମ ସମ୍ପତ୍ତି ବାହାର ଲୋକେ ବିକି ଭାଙ୍ଗି ପାରିବେ ନାହିଁ, ଆଉ ସେ ନାବାଳକ ଥିଲେ ତା’ ସମ୍ପତ୍ତିଟାକୁ ଆଉ ଜଣକୁ ହସ୍ତାନ୍ତର କରିଦେଲ ? ସେଥିପାଇଁ ସେ ଦାୟୀ ରହିବ କାହିଁକି ? ଏ କୋଉଁ ନ୍ୟାୟ ?

ଝାଡ଼ାବାନ୍ତି ଛାଡ଼ିଗଲା । ଶେଷରେ ଗୋଟିଏ ବିଚିତ୍ର କଳାକାର ପରି ଶେଷ ସ୍ପର୍ଶ ଦେଇଗଲା ଦେବକୀ ଦେବୀଙ୍କଠି ।

‘‘ଦୁଃଖୀଶ୍ୟାମ ! ଦୁଃଖୀଶ୍ୟାମ !’’

‘‘ଦୁଃଖୀଶ୍ୟାମ ନିଜକୁ ଡାକିଲା । ଦୁଃଖୀଶ୍ୟାମ ବୁଝିପାରୁ ନଥିଲା ସେ କ’ଣ କରିବ । ଘରେ ଆଉ କେହି ନାହିଁ । ଏକା ମା । ଧନୀ ମାଷ୍ଟରଟାବି ପଳେଇ ଯାଇଚି । ଥିଲେ ହେଲେ ସାହାଯ୍ୟ କରନ୍ତା । ଏକା ମା । ସେ ଭାତ ରାନ୍ଧିବ, ଘର ଦ୍ୱାର ଗୋରୁ ଗାଈ ସବୁ ଦେଖିବ–କୋଉଁଟା ତ ନ ହେଲେ ନଚଳେ–ପୁଣି–ସେବା କରିବ କେତେବେଳେ ?

ଆଉ ଦୁଃଖୀଶ୍ୟାମ, ନିଜେ ? ସେ ସେବା କରିବ ଦେବକୀର ?

ତା’ କାନରେ ବାଜିଲା–ଯେମିତି ସାରା ଗାଁଟାର ଲୋକେ ଠୋଠୋ ହୋଇ ହସି ଉଠୁଛନ୍ତି–‘‘ଦେବକୀ ଦୁଃଖୀଶ୍ୟାମ–ଦେବକୀ ଦୁଃଖୀଶ୍ୟାମ ।’’

ନିଷ୍ଠୁର ସମାଜ–ନିଷ୍ଠୁର ଏ ଗାଁ–ନିଷ୍ଠୁର ନିର୍ମମ ଅକୃତଜ୍ଞ ଏ ମଣିଷଗୁଡ଼ାକ । ଦୁଃଖୀଶ୍ୟାମ ଏ ଗାଁର କ’ଣ ନ କରିଛି ? ତଥାପି ଏ ଗାଁର ଲୋକେ ତାକୁ ହସୁଚନ୍ତି । ଦେବକୀ ଭଳି ଦେବୀ ନାଆଁରେ ଲଗାଇ ତାକୁ ଟାହି ଟାପରା କରୁଛନ୍ତି । କି ନୃଶଂସ ସତେ ଏ ମଣିଷ ଜାତି !

 

ମୂର୍ଖ–ଅମଣିଷ ।

 

ମା ତା’ର ବିରକ୍ତ ହେଲା । ଗାଁଯାକ ଲୋକେ ବାର ଅନା କରି କହିବେ କାହିଁକି ?–ନା–ନା ତାକୁ ଏ ଘରେ ପୂରାନା–ଜୁଆନ୍ ଝିଅଟା !

 

‘‘ସେ ଆଉ ଯିବ କେଉଁଠିକି–ତା’ର ଆଉ ଅଛି କିଏ ?’’

 

ମା ଆଉ କିଛି କହି ପାରିଲା ନାହିଁ । ଦୁଃଖୀଶ୍ୟାମ କାନରେ ଖାଲି ତା’ରି ନିଜ କହିଲା କଥାଟା ବାରମ୍ୱାର ବାଜିଲା–ସେ ଆଉ ଯିବ କେଉଁଠିକି–ତା’ର ଆଉ ଅଛି କିଏ ?

 

ବାହାରେ ଆସି କିଏ ଡାକିଲା । ଦୁଃଖୀ ଶୁଣିଲା–ପଟ୍ଟନାହାକେ ପଚାରି ପଠେଇଛନ୍ତି–ଦେବକୀ ମାଷ୍ଟରାଣୀ କୋଉଁଠି ଅଛି, କେମିତି ଅଛି ?

 

ଦୁଃଖୀ ବୁଝିଲା । ସେ ଜବାବ ଦେଲା–କହିଦବ, ଦେବକୀ ମାଷ୍ଟରାଣୀକି ଦୁଃଖୀଶ୍ୟାମ ଦାଶ ଆଣି ଘରେ ରଖିଛି ।

 

ମୋହନ ପଟ୍ଟନାୟକ ଘରବି ପଚାରି ପଠେଇଲେ ଦେବକୀ ମାଷ୍ଟରାଣୀ ଭଲ ଅଛି ତ-? ଦୁଃଖୀ ତା’ରବି ଜବାବ ଦେଲା–ଖୋଲା–ପରିଷ୍କାର ।

 

ଜଣେ ନୁହେଁ, ଦି’ଜଣ ନୁହେଁ, ଜଣ ଜଣକି ଗାଁଟାଯାକର ଆଜି, ଏତେ ଦିନକେ ମନେ ପଡ଼ୁଚି–ପଚାରୁଚନ୍ତି–ଦାଣ୍ଡଦୁଆରକୁ ଖଣ୍ଡେ ଛାଡ଼ି ଠିଆ ହେଇ–କିମିତି ଅଛି ?

 

ମୋହନ ପଟ୍ଟନାୟକ ପୁଣି ପଚାରିଲେ–ଓଷଦ କିଏ ଦଉଚି, ଓଷଦ ବା ଡାକ୍ତର ପାଇ ପଇସା ଦରକାର ହେଲେ ସେ ଦେବେ ।

 

ଏ କ’ଣ ସତ ସତ ସହାନୁଭୂତି–ନା–ବିଦ୍ରୂପ ? ଏଇ ଯେଉଁମାନେ ଆଜି ଆସି ଏଠି ମୁହଁ ଦେଖଉଚନ୍ତି–ଗାଁଯାକ ଯେତେବେଳେ ମରି ଗଡ଼ି ଯାଉଥିଲେ ସେତେବେଳେ ତ କେହି ଆସି କାହା କଥା ଏମିତି ପଚାରି ନାହିଁ ? ଆଜି ଦେବକୀ ମାଷ୍ଟରାଣୀ ପଡ଼ିଚି ବୋଲି ସହାନୁଭୂତି, ନା...ଦେବକୀ ମାଷ୍ଟରାଣୀ ଆସି ଦୁଃଖୀ ଦାଶ ଘରେ ପଡ଼ିଚି, ଆଉ ଦୁଃଖୀ ଦାଶ ନିଜେ ତା’ର ଚେହାଲ ଅବସ୍ଥାରେ ସେବା କରୁଚି ବୋଲି ଏ ସହାନୁଭୂତି ? ଏ ମହାନୁଭୂତି ଦୁଃଖୀକି ନା–ଦେବକୀକି ? କାହାକୁ ?

 

ଏଇ ଲୋକଙ୍କୁ ପୁଣି ମୂର୍ଖ କହିବ । ଏଗୁଡ଼ାକ ଅମଣିଷ–ପଶୁ–କିନ୍ତୁ ମୂର୍ଖ ନୁହନ୍ତି । ସବୁ ଜାଣନ୍ତି–ସବୁ ବୁଝନ୍ତି–କିନ୍ତୁ ଧଳାକୁ ଧଳା ବୋଲି କହିବାର ସାହସ ନାହିଁ । ସେମାନଙ୍କ ମନରେ ଯେଉଁ ସନ୍ଦେହ ଉଠୁଛି, ତାକୁ କେହି ଦୋଷ ଦେଉ ନାହିଁ । କିନ୍ତୁ ସେ ସନ୍ଦେହକୁ ଖୋଲା ଖୋଲି ସେ କହି ପାରୁ ନାହାନ୍ତି । ନିଜ ଭିତରେ ବୋଝେ ଅଳିଆ–ଅସନା । ସେଥିପାଇଁ ଚାରିଆଡ଼ ସେ ଦୁର୍ଗନ୍ଧ ପାଉଚନ୍ତି ।

 

ଦେବକୀ ସାଙ୍ଗରେ ସେ ଯେତେବେଳେ ଏକୁଟିଆ ରୋଗୀ ସେବା କରି ବୁଲିଲା, ରାତି ଅଧଯାଏଁ, ଦୁହେଁଯାକ ବାହାରେ ବାହାରେ ରହିଲେ–ସେ ଦିନରୁ କଥା ଉଠିଲାଣି–କଥା ଉଠିଲା ବୋଧେ ଆଗ ସେହି ପଟ୍ଟନାହାକ ପଡ଼ା ଆଡ଼ୁ । କିନ୍ତୁ ପଟ୍ଟନାହାକ ପଡ଼ାରେ ସେ ବସିଲା, ଶୋଇଲା, ମରଣ ଡରେ ଘରେ ପଶିଲା, ବାବୁମାନଙ୍କୁ ଖବର ଦେଲା ନେଇ କିଏ ? ଏଇ ଲୋକେ ତ ? ଏଇ ଗାଁର ଚଷା ଚାଷୀ, ମୂଲିଆ ପାନିଆ, ଲାଗି ଖାଇଲା, ମାଗି ଖାଇଲା ଲୋକେ ତ ? ଆଉ ତ ବାହାରୁ କେହି ଆସି ଦେଖି ନାହିଁ ? ଏଇ ଲୋକେ–ଖଚୁଆ, ମିଛୁଆ, ଡରୁଆ, ଭୀରୁ !

 

ହଁ, ଡରୁଆ–ଭୀରୁ ! ନ ହେବେ କିଆଁ ? ତମେ ଯେତେ ସମାଜର ବଡ଼ମୁଣ୍ଡିଆ, ସାହସୀ, ତମରି ସ୍ୱାର୍ଥପାଇଁ ତମେ ଆଉ ଦଳେ ଲୋକଙ୍କୁ ମୂର୍ଖ ଅମଣିଷ କରି ପକେଇ ରଖିଚ–ଆଖି ଦେଖାଇ ଶାସନ କରିବାପାଇଁ । ତାଙ୍କୁ ଡରେଇ ଡରେଇ ଡରୁଆ ଭୀରୁ କରି ଦେଇଚ–ସତ କଥା, ଖୋଲା କଥା ପଦେ କହିବାର ସାହସବି ତାଙ୍କଠୁ ଛଡ଼େଇ ନେଇଛ, କାଳେ କେତେବେଳେ ସେ ତମର ଚୋରି ବଦମାସି ପାଜି ଗିରିକି ପଦାରେ ପକେଇ ଦେବେ, ସେ ଡରୁଆ ନ ହେଇ ଯିବେ କୁଆଡ଼େ–ଉପାୟ କ’ଣ ? ସେ ମୂର୍ଖ ଅମଣିଷ ହେଲେ କାହିଁକି । ତମେ ବଡବଡ଼ିଆଯାକ ତାଙ୍କ ରକ୍ତ ତରଳା ମୁଣ୍ଡ ଝାଳକୁ ପାଣି ମଡ଼େଇ ଯେତେ ସବୁ ଦାନା ଖାଉଚ–ତମେ ତାଙ୍କୁ ପଣ୍ଡିତ ମଣିଷ କହିବାପାଇଁ କ’ଣ କରିବ ଭଲା । ସେ ତମଠୁ ମୂର୍ଖ ତମଠୁ ଅମଣିଷ ହୋଇଗଲେ–ଆଉ ତମେ ତାଙ୍କଠୁ ସାହସୀ ବୀର ହେଇଗଲ ? ତମେଇ ତାଙ୍କୁ ଶିଖେଇବ ଏ ପଶୁ ପଣ । ତାଙ୍କୁ ବଳି ପକେଇ ଖାଇବାପାଇଁ ।

 

ଦୁଃଖୀ ଆଉ ଶୁଣି ପାରିଲା ନାହିଁ । ଦାଣ୍ଡରେ ଯିଏ ଡାକୁଥାଉ, ସେ ଆଉ ଜବାବ ଦେଲା ନାହିଁ । ସେ ଘର ଭିତରକୁ ଯାଇ ଦେବକୀ ପାଖରେ ବସି ରହିଲା ।

 

ମନେ ହେଲା; ସେ ଯେମିତି ଭିତରୁ କବାଟ କିଳି ଆଣିଛି । ଆଉ ଦାଣ୍ଡଦୁଆରେ ଗାଁଟାଯାକ–ଜଣେ ନୁହେଁ, ଅଧେ ନୁହେଁ–ଜଣ ଜଣକି ଆସି ତାକୁ ଡାକୁଚନ୍ତି ବାହାରେ । ଆସ୍ତେ ଆସ୍ତେ ସେ ଡାକ ଚଢ଼ା ହେଇ ଆସୁଛି–ଚିତ୍କାର ହେଇ ଉଠୁଛି–ଚିତ୍କାର କରି ସମସ୍ତେ ତାକୁ ଡାକୁଛନ୍ତି-। ତା’ କାନରୁ ଅତଡ଼ା ଖସି ପଡ଼ୁଛି–ତଥାପି ସେ ଶୁଣୁ ନାହିଁ ।

 

କେତେବେଳ ଯାଏଁ–କେତେବେଳ ଯାଏଁ ସେ ସହିବ ? ରୋଗୀର ଅବସ୍ଥା ଖରାପ ହେଇ ଆସୁଛି । ନିଃଶ୍ୱାସ ଖର ବହିବାକୁ ଲାଗିଲାଣି । କ୍ରମେ ଆହୁରି ଖର ଗଭୀର ହେଇ ଆସୁଛି । ସେ ନିଃଶ୍ୱାସରେ ଯେମିତି ଦେବକୀର ମଧ୍ୟ ଚିତ୍କାର ଉଠୁଛି–ଆଉ କିଏ ଅଛି ତା’ର ?

 

ସେ କାହାର ଚିତ୍କାରକୁ କାନ ଦେବ ? ଗାଁ ଲୋକଙ୍କର–ନା–ଦେବକୀର ?

 

ଦେବକୀ ଚିତ୍କାର କରି ଉଠିଲା–ମୋତେ ନେଇ ଚାଲ–ମୋତେ ନେଇ ଚାଲ ଦୁଃଖୀ ଭାଇ ।

 

ଆଜି ସେ ‘ଦୁଃଖୀଭାଇ’ ବୋଲି ଡାକିଛି । ଏଇ ଡାକଟା ଯେମିତି ଲୁଚି ରହିଥିଲା ଦେବକୀ ଭିତରେ–କେତେ ଦିନର ପୁରୁଣା ଡାକ ସେ–କେତେ ଦିନର ସତ ସମ୍ପର୍କକୁ ଦେବକୀ ଆଜି ଜଣେଇ ଦେଲା । ମନେ ହେଲା, ସତେ ଯେମିତି ଭାଇ ଭଉଣୀ ଦି’ଜଣଯାକ ପିଲା ଦିନରୁ ଭାଗ୍ୟଚକ୍ରରେ ପଡ଼ି ଛଡ଼ାଛଡ଼ି ହେଇ କେଉଁଠି ବୁଲୁଥିଲେ–ଅନେକ ଦିନପରେ ଭେଟ ହେଲା–ଭେଟ ହେବାର ପୁଣି କେତେ ଦିନପରେ ଦୈବାତ ଦିନେ ଆପଣା ଆପଣାକୁ ଚିହ୍ନି ପକେଇଚନ୍ତି–ଆଜି ଏଇ ମୁହୂର୍ତ୍ତରେ ।

 

‘‘ଆଃ ବଡ଼ କଷ୍ଟ, ମୋତେ ନେଇ ଚାଲ । ନେଇ ଚାଲ !

 

ଏଟା ପ୍ରଳାପ ନୁହେଁ ତ ?

 

ଭିତରେ ଏଇ ‘ନେଇଚାଲ, ନେଇଚାଲ’ ଚିତ୍କାର । ତେଣେ ବାହାରେ–ଦାଣ୍ଡଦୁଆରେ ସେମିତି କବାଟରେ ହାତ ବାଡ଼େଇ ଶହ ଶହ ଲୋକ ଯେମିତି ରଡ଼ି ଛାଡ଼ିଛନ୍ତି–‘‘କବାଟ ଖୋଲ–କବାଟ ଖୋଲ ।’’

 

‘‘ନବ ନାହିଁ ଦୁଃଖୀଭାଇ, ନବ ନାହିଁ ?’’

 

ସେ ଆଉ ପୁଣି ଯାଆନ୍ତା କେଉଁଠିକି ? ତା’ର ଘର କାହିଁ ? ତା’ର ଅଛି କିଏ–କିଏ ଅଛି ତା’ର ?

 

ଦୁଃଖୀ ଯାଇ ତା’ ପାଖରେ ବସିଲା । ମୁଣ୍ଡ ଆଉଁଶି ଦେଲା । ତଥାପି ତା’ର ଶାନ୍ତି ନାହିଁ-

 

‘‘ଗୋଡ଼ ଗଲା–ଗୋଡ଼ ଗଲା–ଆଃ ଫାଟି ଗଲା ଗୋଡ଼ ।’’

 

ଆଉ ନା–ଆଉ ହବନି–ଡାକ୍ତର ଏତେ ବେଳଯାଏଁ ଆସିଲା ନାହିଁ–ଆଉ ବଞ୍ଚେଇବା ଅସମ୍ଭବ ।

 

ଦୁଆରେ ସେମିତି କବାଟକୁ ଯେମିତି ବାଡ଼ଉଚନ୍ତି ସବୁ–ବାଡ଼ିଆ ଚାଲିଚି–ଯେମିତି କହୁଚନ୍ତି–କବାଟ ଖୋଲ, କବାଟ ଖୋଲ, ଘର ଭିତରେ କିଏ ଆମେ ଦେଖୁବୁ ।

 

ଦୁଃଖୀ ଦେବକୀର ଗୋଡ଼ ଟିପି ଧରିଲା । ଦେବକୀ ଛାଟିଦେଲା ଗୋଡ଼କୁ ।

 

‘‘ରକ୍ଷାକର–ରକ୍ଷାକର ଦୁଃଖୀ ଭାଇ–ପାପ ହବ ।’’ ଆଉ କହି ପାରିଲା ନାହିଁ ।

 

ଦାଣ୍ଡରେ ଶବ୍ଦ ଆହୁରି ଜୋର୍‍ରେ ହେଲା–ଯେମିତି କବାଟ ଭାଙ୍ଗି ପଡ଼ିବ ।

 

‘‘ଦୁଃଖୀ ଭାଇ !’’ ଦେବକୀ ଡାକିଲା । ଦୁଃଖୀ ପାଖକୁ ଗଲା–ମୁହଁ ପାଖକୁ ।

 

‘‘ମୋର ଆଉ କିଏ ଅଛି ଦୁଃଖୀ ଭାଇ ?’’ ଦେବକୀ କାନ୍ଦିଲା ।

 

‘‘କାହିଁକି ? ତୋ ଦୁଃଖୀ ଭାଇ ଅଛି ଯେ ।’’ ଦୁଃଖୀ ଦେବକୀର ଲୁହ ପୋଛ ଆଉଁଶି ଦେଲା, ଶୀତଳ ହେଇ ଆସୁଚି ସେହି ଲୁହଧୁଆ କପୋଳକୁ ।

 

‘ଦୁଃଖୀ ! ଦୁଃଖୀ !’ ଦାଣ୍ଡରେ ଯେମିତି ସତ ସତ କିଏ ଏଥର ଡାକୁଛି । ସେ ଦୌଡ଼ି ଯାଇ ଧଡ଼କିନା ଦାଣ୍ଡ କବାଟଟାକୁ ବନ୍ଦ କରିଦେଲା । ତା’ପରେ କ’ଣ ଭାବି ପୁଣି ଧୀରେ ଧୀରେ ଖୋଲି ଦେଖିଲା–କେହି ନାହିଁ–ଗୋଟିଏବି ମଣିଷ ନାହିଁ । ରାତି ହେଇ ଗଲାଣି । ଭୟଙ୍କର ରାତି । ରାତି ପୁଣି ଏମିତି ଭୟଙ୍କର ହୁଏ । ଦୁଃଖୀ ଡାକିଲା–‘‘ଡାକ୍ତରବାବୁ–ଡାକ୍ତରବାବୁ ।’’

 

କେହି ନାହିଁ–କେହି ଶୁଣିଲେ ନାହିଁ । ଦୁଃଖୀ ମଣିଷ ପଠେଇଥିଲା ସକାଳ ପହରୁ ଡାକ୍ତର ଡାକିବାପାଇଁ ।

 

ଦୁଃଖୀ ଫେରି ଆସିଲା । ମା ଡାକିଲା ଖାଇବାପାଇଁ । ସେ ଖାଇବ କ’ଣ ? ଦୁଃଖୀ ପୁଣି ଫେରିଲା । ଦେବକୀ ପାଖକୁ । ସତ ସତ କେହି ନାହିଁ ତା’ର । ଗୋଡ଼ରେ ହାତ ମାରି ଦେଖିଲା, ଗୋଡ଼ ଥଣ୍ଡା ।

 

‘‘ମା !’’ ଦୁଃଖୀ ଡରିଗଲା । ମା ଦଉଡ଼ି ଆସିଲେ ।

 

‘‘ମା–ନିଆଁ ! ନିଆଁ କରି ଆଣ ।’’

 

ଦେବକୀ ଏବେବି ଚାହିଁଚି–ଏବେବି ଧଇଁସଇଁ ହେଉଚି କଷ୍ଟରେ । ଗୋଡ଼ତଳୁ ଛାତି ଉପରଯାଏଁ କ’ଣ ଗୋଟାଏ ଉଠୁଚି–ବଡ଼ କଷ୍ଟ ।

 

‘‘ଦୁଃଖୀ ଭାଇ, ମୁଁ ଚାଲିଲି ।’’

 

ଦୁଃଖୀ ଆଉ ସମ୍ଭାଳି ପାରିଲା ନାହିଁ । ପିଲାଙ୍କ ଭଳି ସେ କାନ୍ଦି ପକାଇ ଥାନ୍ତା । ବଡ଼ ହେବାର ଅଭିମାନ ଆଘାତ ପାଇଲେ ଯେଉଁ ଲଜ୍ଜା ହୁଏ, ସେଇ ଲଜ୍ଜା ତାକୁ କନ୍ଦାଇ ଦେଲା ନାହିଁ । ସେ ସଂଯତ ହେବାକୁ ଚେଷ୍ଟା କରୁଥିଲା । ପାରୁ ନଥିଲା ।

 

ମା ନିଆଁରେ ଗୋଡ଼ ସେକି ଦେଲେ । ଦୁଃଖୀ ଦେବକୀର ।

 

ମୁଣ୍ଡ ପାଖକୁ ଗଲା । ଦେବକୀ ଯେମିତି କ’ଣ ଖୋଜୁଛି ।

 

କାହାକୁ ଖୋଜୁଛି ସେ ? ତା’ର କିଏ ଅଛି–କେଉଁଠିକି ଯିବ ସେ ?

 

ହଁ, ଗୋଟାଏ ଜାଗା ତା’ପାଇଁ ଅଛି । ମଣିଷର ଏଇ ନିଷ୍ଠୁର ସମାଜ ଯାହାକୁ ସ୍ଥାନ ନଦିଏ ତା’ପାଇଁ ଗୋଟିଏ ଜାଗା ନିଶ୍ଚୟ ଅଛି–ଅତି ସୁନିଶ୍ଚିତ ନିରାପଦ ସେ ଜାଗା । ସେଠି ଯେମିତି ତା’ର ଅତି ନିଜର, ଆପଣାର ଲୋକ ଅଛନ୍ତି । ନହେଲେ ସେ ଯିବାକୁ ସେଠିକି ମନ କରନ୍ତା କାହିଁକି ? ଏଠିକାର ନିଷ୍ଠୁର ମଣିଷଙ୍କଠୁ ସେମାନେ ଖୁବ୍‌ ଭଲ ।

 

ସେ କ’ଣ ସେଇଠିକି ଯିବ ?–ସେପୁରକୁ ।

 

ଦେବକୀ ହାତ ବଢ଼ାଇଦେଲା ଦୁଃଖୀର ପାଦ ଉଦ୍ଦେଶ୍ୟରେ ଦୁଃଖୀ ପାଦ ବଢ଼ାଇଦେଲା-। ଗୋଡ଼ରୁ ଧୂଳି ନେଇ ଦେବକୀ ମୁଣ୍ଡରେ ମାରିଲା । ତା’ ପାଟିରୁ ବାହାରି ପଡ଼ିଲା–‘‘ଦେବତା-!’’

 

ଯେମିତି ସେ ଚାହିଁ ବସିଥିଲା ଏ ଜୀବନଟାଯାକ ଏଇ ଦେବତା ଦର୍ଶନପାଇଁ । ତା’ପରେ–ତା’ପରେ–ତା’ର କାମ ସରିଗଲା–ତା’ର ମନବାଞ୍ଛା ପୂର୍ଣ୍ଣ ହୋଇଗଲା ।

 

ଦୁଃଖୀ ଏଥର ଦାଣ୍ଡକୁ ଚାହିଁଲା । କାହିଁ, କେହି ତ ନାହାନ୍ତି–କେହି ତ ରଡ଼ି ଛାଡ଼ୁ ନାହାନ୍ତି ଏତେବେଳେ ଆଉ । ଦୁଃଖୀ ନିର୍ଭୟ । ଖୋଲ ଆକାଶ ଭଳି ନିର୍ଭୟ–ଦମ୍ଭ !

 

ଧୀରେ ଧୀରେ ଦେବକୀର ଦୁଃଖ ଶେଷ ହେଇ ଆସିଲା ।

 

ଏଇ ଦେବକୀ । ବାଳବିଧବା ସେ । ସମସ୍ତେ କହିଲେ ପାଠ ପଢ଼ିବାକୁ ସେ ପାଠ ପଢ଼ିଲା । ସେଇ ହେଲା ତା’ର ଅପରାଧ ।

 

ଗାଁରେ ଗୋଟିଏ ମାଷ୍ଟର ଥାଏ–ବୁଢ଼ା ମାଷ୍ଟର । ସେଇ ଆସି ପଢ଼େଇ ଦେଇଯାଏଁ । ସେତେବେଳକୁ ସେ ଘରେ ରହିଲାଣି । ସମସ୍ତେ କହିଲେ, ଏ ବୁଢ଼ାଟାର କି ସ୍ୱାର୍ଥ–ସେ କାହିଁକି ଆସି ଝିଅଟାକୁ ପାଠ ପଢ଼ଉଚି । ବୁଢ଼ୀ ବ୍ରାହ୍ମଣୀ ମାଷ୍ଟରକୁ ଧରମ ପୁଅ କରିଥାଏ । ମାଷ୍ଟର କହେ–‘‘ବିଦ୍ୟାଦାନ କରି ସମସ୍ତଙ୍କଠୁ ତ ଫଳେ ପୁଷ୍ପେ କିଛି ନା କିଛି ନଉଚି–ଜଣକୁ ହେଲେ ନିରୋଳା ନିଃସ୍ୱର୍ଥ ବିଦ୍ୟାଦାନ କରିଥାଏ ।’’ ଲୋକେ କିନ୍ତୁ ବିଶ୍ୱାସ କରନ୍ତି ନାହିଁ । ବୁଢ଼ାକୁ ଦୋଷ ଦିଅନ୍ତି, ସେହି ବୟସରେବି ।

 

ଦୋଷୀ ବୁଢ଼ା ନୁହେଁ । ଦୋଷୀ ସେ ନିଜେ ଦେବକୀ ଦିନେ ସେ କହିଲା ‘‘ଦୁଃଖୀବାବୁ, ଅପରାଧିନୀ ମୁଁ । ମୋ ଭାଗ୍ୟକୁ ମୁଁ ନିଜେ ଭୋଇଚି ।

 

ବୁଢ଼ା ମାଷ୍ଟର ସାଙ୍ଗରେ ଦିନେ ଦିନେ ତାଙ୍କ ଦାଣ୍ଡଦୁଆର ଯାଏଁ ଆସୁଥିଲା–ନବୀନା । ସୁନ୍ଦର ଯୁବକ । ବୁଢ଼ାର ସାଙ୍ଗରେ । କି ସାଙ୍ଗ, କିମିତି ସାଙ୍ଗ, ବୁଝି ହୁଏନା । ବୁଢ଼ା ଟୋକାର ଏ କି ଅପୂର୍ବ ମିଳନ ।

 

ଆଉ ଦିନେ ଦିନେ ସେ ଆସି ବୁଢ଼ାକୁ ଡାକିନେଇ ଯାଏଁ ତାଙ୍କ ଘରୁ । ଏଇମିତି କେତେ ଦିନର ଦେଖା–କେତେ ଦିନର ଚାହାଁ ଚାହିଁ ହେଇଥିବ । ଦେବକୀ ମନେ ମନେ ତାକୁ ଭଲପାଇଲା-। ତାକୁ ଭଲ ପାଇବା ନ କହି ଆଉ କ’ଣ କହିବ ।

 

ବୁଢ଼ା ଥରେ ଚାଲିଗଲା କୁଆଡ଼େ । କହିଗଲା ନବୀନ ଆସି ଦୁଇଦିନ ପଢ଼େଇ ଦେଇଯିବ । ସେ ଦୁଇଟା ଦିନ ପାଞ୍ଚଦିନ ହେଲା । ତଥାପି ଜଣା ପଡ଼ିଲାନି, ବୁଝା ପଡ଼ିଲାନି–ବୁଝା ପଡ଼ି ନଥିଲା ଏକା ସେ ଦିନଗୁଡ଼ାକ କୁଆଡ଼େ ଗଲା । ବୁଢ଼ା ମାଷ୍ଟର ଆସି ପଚାରି ଥିବ–କ’ଣ ପଢ଼ିଛୁ କେତେ ଆଗକୁ ପଢ଼ିଛୁ ?–ଜବାବ ଦେଇଥିବ ଦେବକୀ–କିଛି ନା–କିଛି ଜବାବ ଦେଇ ପାରି ନଥିବ ।

 

କ୍ରମେ କ୍ରମେ ପରିଚୟ ଗଭୀର ହେଲା । ବୁଢ଼ାର ଗୋଚରରେ ଦେଖାଟା ବୁଢ଼ାର ଆଗୋଚରରେ ହେବାକୁ ଲାଗିଲା । ନବୀନ ମିଛଟାରେ ଖୋଜି ଆସେ ବୁଢ଼ାକୁ–‘‘ମାଷ୍ଟ୍ରେ ଅଛନ୍ତିନା-?’’ ଦେବକୀ ପ୍ରଥମେ ପ୍ରଥମେ ଘର ଭିତରେ ଥାଇ ନାହିଁ କରୁଥିଲା, ଏବେ ଏଣିକି ଅଳିପି ଅଳିପି ବାହାରକୁ ବାହାରି ଆସି କହେ–‘ମାଷ୍ଟ୍ରେ ଆସି ନାହାନ୍ତି–ମାଷ୍ଟ୍ରେ ବାହାରି ଗଲେଣି ।’

 

ସେଇ ପଦେପଦେ କଥା–ସେଇ ଥରେ ଅଧେ ଦେଖାରେ କେତେଦିନ ବା ହେଇଥିବ–ତା’ର କେତେ ଅର୍ଥ ଦୁହେଁଯାକ କରିଥିବେ–କେତେ ଚିତ୍ର ଆଙ୍କି ଥିବେ । ପାପ ପୁଣ୍ୟର କେତେ ପ୍ରଶ୍ନ ମନ ଭିତରେ ଉଠିଥିବ–କେତେ ଯୁକ୍ତି ତାକୁ କାଟିଥିବ । କାରଣ ଦେବକୀ ବ୍ରାହ୍ମଣୀ, ନବୀନ ଖଣ୍ଡାଇତ, ଦେବକୀ ବିଧବା, ନବୀନ ଅବିବାହିତ ।

 

କେତେ ବାହାଘରରେ ଦେବକୀ କେତେ ବାଳିକା କେତେ ଯୁବତୀଙ୍କର ସ୍ୱାମୀମାନଙ୍କୁ ଦେଖିଥିବ । ସ୍ୱାମୀର ଅର୍ଥ କେତେ ସେ ମନେ ମନେ କରିଥିବ–ସ୍ୱାମୀ ଶବ୍ଦଟା ଯେମିତି ଦେବକୀ ଭାଷାରେ ନାହିଁ–ଦେବକୀ ଭାଷାରେ ନିରର୍ଥକ ।

 

ଆଜି ବନୀନ ସତେ କି ସେ ଭାଷାଟାକୁ ସାର୍ଥକ କରେଇ ଦେଉଛି–ବିଶାଳ ଅଭିଧାନ ପରି । ସେ ନବୀନ ଭିତରୁ ସ୍ୱାମୀର ବ୍ୟୁତ୍ପତ୍ତି ସ୍ୱାମୀର ଚରିତାର୍ଥ, ଭାବାର୍ଥ ବିବିଧାର୍ଥ ବାହାର କରୁଛି ବସି । କରିଥିବ ସେ ସେଦିନ । ଅଥଚ ନବୀନ ତା’ର ସ୍ୱାମୀ ନୁହେଁ । ନବୀନକୁ ସେ ସ୍ୱାମୀ ଆଖିରେ ଦେଖିବା ତା’ର ପାପ ।

 

ଏତିକି । ଏତିକି ସମ୍ପର୍କ । ଏତିକି ଭୟ ପାଇବା–ଏତିକି ସୁଖ ପାଇବା । ମାତ୍ର ଏତିକି । ସେତେ ଅବା ଜୀବନ ଥିଲା ପରି ବାଟ ଚେଇଁ ବସିଥିଲା ଯେମିତି ଏକୁଇ ଧରିବାପାଇଁ–ପ୍ରଘଟ କରିବାପାଇଁ–ପ୍ରତିଶୋଧ ନେବା ପାଇଁ ।

 

ବୁଢ଼ା ମାଷ୍ଟରକୁ ଛକି ଛକି ଟୋକାଏ ପିଟିଲେ–ଶଳା ଭାଡ଼ୁଆଗିରି କରି ଆସୁଛି । ବୁଢାମାଡ଼ ଖାଇ ପଳାଇ ଗଲା । ନବୀନ ସହରକୁ ଚାଲିଗଲା ଚାକିରି କରି–ଯାଇ ଖଣ୍ଡେ ଚିଠି ଦେଇଥିଲା ଦେବକୀ ପାଖକୁ । ସେ ଚିଠିରେ କ’ଣ ସବୁ ଲେଖା ହୋଇଥିଲା କେଜାଣି–ସେ ଚିଠିକି ପୋଷ୍ଟ ଅଫିସରୁ ଆସିବା ବାଟରେ ଟୋକାଏ ସବୁ ଧଇଲେ । ସେଇ ଚିଠି ହେଲା ପ୍ରମାଣ । ଦେବକୀ ବାପା ବରେଇ ସଭାରେ ହେଲା ପତିତ । ତାକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ।

 

ପ୍ରାୟଶ୍ଚିତ୍ତ କରି ମଧ୍ୟ ପାପ ଗଲା ନାହିଁ । ଦେବକୀ ଆଉ ବାହାରକୁ ବାହାରି ପାରିଲା ନାହିଁ । ଦେବକୀଟା ବେଧେଇ, ଛିଣ୍ଡାଳି ଖାନିକି । ସେ ଆଉ କାହାକୁ ମୁହଁ ଦେଖାଇ ପାରିଲା ନାହିଁ ।

 

ଦେବକୀ ବାପା ଆଉ ଯଜମାନବି ଧରିପାରିଲା ନାହିଁ ଯେଉଁଠିକି ଗଲା, ସେ ହସିଲା, ଟାହି ଟାପରା ଲଗେଇଲା–ଝୁଅକୁ ଲଗେଇ ଦି’କଥା ପଚାରିଲା । ସେ ଚୁପ୍‌ ।

 

ଶେଷରେ ଦେବକୀ ଆତ୍ମହତ୍ୟା କରି ବସିଲା । କିନ୍ତୁ ସେଥିରେବି ସେ ମଲା ନାହିଁ । ଲୋକେ ଜାଣିଲେ । ବାନ୍ତି ଉଗଜ କରି ସେ ଭଲ ହେଇଗଲା । ଦୁର୍ନାମ ଅଧିକ ବଢ଼ିଲା । ଲୋକେ ଓଲଟି ଦୋଷ ଲଗେଇଲେ–‘‘କିଛି ହେଇଥିବ, ନହେଲେ ବିଷ ଖାଆନ୍ତା କାହିଁକି ?

 

ପୁଲିସ ଆସିଲା । ତାକୁ ଜେରା କରି ଖୋଳିତାଡ଼ି କେତେ ପ୍ରଶ୍ନ ପଚାରିଲା । ବାପ ସେମିତି ଠିଆ ହେଇ ଶୁଣୁଥାଏ । ବାପ ହେବାର ଅପରାଧ । ଝୁଅର ବାପ ହେବାପାଇଁ ଏଡ଼େ ବଡ଼ ପ୍ରାୟଶ୍ଚିତ୍ତ । ପୁଲିସର ଅସଭ୍ୟ ପ୍ରଶ୍ନ ଶୁଣି ଦେବକୀର ଦିହ ନିଆଁ ହେଇ ଯାଉଥିଲା । କିନ୍ତୁ ଉପାୟ କ’ଣ ? ଗାଁଟାଯାକ ତ ପୁଲିସ ପକ୍ଷରେ ।

 

ପୁଲିସ ତାକୁ ଧରିନେଲେ ଥାନାକୁ । ତା’ପରେ–ତା’ପରେ । ସେ ଆଉ ଫେରି ନାହିଁ ଗାଁକୁ । ଆଉ ଫେରିବାକୁ ମୁହଁ ନଥିଲା ଦେବକୀର, ବାଟ ନଥିଲା । ବାଟ ବନ୍ଦ ଚାରିଆଡ଼ୁ ।

 

‘‘ଆଉ ନବୀନ ?’’

 

ଦୁଃଖୀ ଥରେ ପଚାରିଥିଲା ଦେବକୀକୁ ।

 

‘‘ଜାଣେ ନାହିଁ ।’’ ଦେବକୀ ସରମରେ ତଳକୁ ମୁହଁ ପୋତି ଉତ୍ତର ଦେଲା ।

 

‘‘ମୂର୍ଖ–ଅମଣିଷ ।’’ ଦୁଃଖୀ ରାଗରେ କହିଥିଲା ।

 

‘‘ନା–ନା ତାଙ୍କର କିଛି ଦୋଷ ନାହିଁ ଏଥିରେ ।’’ ଦେବକୀ ପ୍ରତିବାଦ କଲା ।

 

ଏବେବି ସେ କ୍ଷମା ଦେଇ ପାରିଛି ନାରୀ ହୃଦୟରେ । ଯେଉଁ ପୁରୁଷ ପ୍ରେମକୁ ପାପ ବୋଲି ସ୍ୱୀକାର କରି ଭୟରେ ଛାଡ଼ି ପଳାଏ ସମାଜ ଭିତରୁ, ଆପଣାର ପ୍ରିୟବସ୍ତୁକୁ ପଚି ଶଢ଼ି ନଷ୍ଟ ହେବାର ଦୁର୍ଭାଗ୍ୟ ଦେଇ, ତାକୁ ଭଗବାନ୍ ମଧ୍ୟ କ୍ଷମା କରି ପାରନ୍ତି ନାହିଁ–କ୍ଷମା କରେ ଏଇ ନାରୀ-

 

ହୁଏତ ଆଜି ଏଇ ଶେଷ ନିଃଶ୍ୱାସର ଅବ୍ୟବହିତ ପୂର୍ବରୁ ମଧ୍ୟ ନବୀନ ତା’ ଆଖି ଆଗରେ ମୂର୍ତ୍ତି ପରିଗ୍ରହ କରିଥିବ । ଆଜିବି ସେ ହୁଏତ ଭୁଲି ନାହିଁ ନବୀନର କଥା । ଆଜି ସମ୍ଭବତଃ ସେ କ’ଣ କହିବାକୁ ଚାହୁଁଛି, କହିପାରୁ ନାହିଁ–ଓଠର ଭଙ୍ଗିରେ କେବଳ ଦରସ୍ଫୁଟ ହେଇ ରହିଯାଉଛି–ସେଇ ତା’ର ନବୀନ ନିକଟକୁ ଶେଷ ବାଣୀ ।

 

ଏମିତି କେତେ କଥା ଏ ଦୁନିଆରେ ଅକୁହା ରହିଯାଏଁ–ଏଇ ମାଟିତଳେ ଅୟୁତ ଅୟୁତ ଶବ ପୋତି ହେଲାପରି । ସମାଧିବି ତୋଳା ହୁଏ ନାହିଁ ।

 

ଏଇ ମାଟିର ଗନ୍ଧ, ସେ କେଡ଼େ କଟୁ ଅନୁଭୂତି ସତେ !

 

ଏଇ ଗାଁର ମୂଲିଆ ମାଟି ହାଣି ଟେଳା ଟେଳା ଗଡ଼େଇ ଦେଇ ଯାଏଁ–ଏଇ ଗାଁର କମାର ତାକୁ ଦିଏ ତା’ ଶାଳରୁ ଲଙ୍ଗଳ ଫଳ–ସେଇଥିରେ ସେ ମାଟିର ବୁକୁ ଚିରି ଚାଲିଯାଏ ସେଇ ମାଟି–ସେ ଯୋଉଁ ମାଟି–ଏଇ ସେ ମାଟି–ଏଇ ହିଡ଼ତଳ ମାଟିରେ କେତେ ଆତ୍ମାର କେତେ ଅମର ଆତ୍ମାର ବେଦନା ଆଉ ଆର୍ତ୍ତନାଦ ଜମାଟ ବାନ୍ଧି ରହି ନଥିବ । ତାକୁ କେହି ଶୁଣେ ନାହିଁ, କେହି ବୁଝୋନାହିଁ ।

 

ସେ ଚିତ୍କାର–ସେ ଦୁଃଖ ସେ ଯନ୍ତ୍ରଣା ଶ୍ୟାମଳ ଶସ୍ୟ ସଞ୍ଚାରେ ଲହରୀ ଖେଳୁଥିବ, ଗଛ ଲତାରେ ଫୁଲ ଫୁଟାଇ ଫଳ ଫଳାଇ, ସେଇ ଦୁଃଖ ସେଇ ଯନ୍ତ୍ରଣା ପୁଣି ହସି ଉଠୁଥିବ । ମନେ ହୁଏ ଏଇ ସମାଜରେ ଯେତେ ଶୁଭ୍ର ରୂପ, ଯାହା କିଛି ସୁନ୍ଦର, ତା’ ତଳେ ଏମିତି କୋଟି କୋଟି ଅସଂଖ୍ୟ ଅସଂଖ୍ୟ ବେଦନା ଦୁଃଖ ଅନ୍ୟାୟ ଅତ୍ୟାଚାରର ସାର ଖତ ହେଇ, ମାଟି ହେଇ, ରସହେଇ, ବାସ ହେଇ ମିଶିଯାଇଛି ଯେପରି ।

 

ଦେବକୀ ଚାଲିଲା । ଅପବାଦର କଳଙ୍କକୁ ଦୁନିଆ ଦୁଆରେ ଥୋଇ ଦେଇ ସେ ଚାଲିଗଲା । ଦୁଃଖୀ ଆଉଥରେ ବାହାରକୁ ଯାଇ ଦେଖିଲା–କେହି ନାହିଁ । ଦେବକୀର କେହି ନାହିଁ । ତା’ରବି ଯେମିତି କିଏ ସବୁଥିଲେ–ଏତେବେଳେ କେହି ନାହାନ୍ତି ।

 

ଶବ ଉଠେଇବାକୁ ହବ । ଗାଁରୁ ହୁଏତ କେହି ବାହାରିବେ ନାହିଁ । ସେ ଘର ଘର କି ବୁଲିଲା । ସମସ୍ତଙ୍କୁ କହିଚି–’ଦେବକୀ ଚାଲିଗଲା । ‘ଦଣ୍ଡକେ ସେ ଖବରଟା ଗାଁଯାକ ଘୋଟି ଯାଇଚି-। ଦୁଃଖୀ କହିବା ଆଗରୁ ସମସ୍ତେ ଜାଣିଛନ୍ତି । ତଥାପି ଦୁଃଖୀ ଆଗରେ ସମସ୍ତେ ଚୁପ୍‌-

 

ଆଉ ପଛରେ ? ସେ ଅନେକ କଥା । ସାର ଏତିକି–ପାପ ପାପ-ପାପା ଲୁଚିବ ନାହିଁ । ଏକା ଝାଡ଼ା ଏକା ବାନ୍ତିକେ ଶେଷ । ହବ ନାହିଁ ? ରାଣ୍ଡ ବ୍ରାହ୍ମଣ୍ଡୀ ପାପକୁ ପାର କରି ପାରିଲା ନାହିଁ-। ମରିବାପାଇଁ ସେ ହେଲା କ’ଣ ? ଜାତି ପତି କୁଳଗୋତ୍ର କିଛି ମାନିଲା ନାହିଁ ସେ ପରା-!

 

ଦୁଃଖୀ କାନକୁ କଥା ଆସିଲା । ତଥାପି ସେ ବେହିଆ ମୁହଁରେ ଯାଇ କହିଲା ସମସ୍ତିଙ୍କି-। କେହି ପଦେ ସହାନୁଭୂତି ପ୍ରକାଶ କଲେ ନାହିଁ । କେହି କହିଲା ନାହିଁ କି ଶବ ଉଠିବ କିମିତି-। ବ୍ରାହ୍ମଣ ସାହି ଗୋଟିଏ ବୁଲିଲା । କେହି ତୁଣ୍ଡ ଖୋଲିଲେ ନାହିଁ । ତେଣୁ ପାଣ ଟୋକା ଚକରା ଆସି କହିଲା–ଚଳିବ ? ‘‘ଚଳିବ ଗୋସାଇଁ ।–ବାଉରି କଣ୍ଡରା ଦେଇ କାମ ଚଳିବ ?’’

 

ଦୁଃଖୀ ଶଙ୍କିଗଲା । କେତେ ଜନ୍ମର ସଂସ୍କାର ଯେମିତି ଶବ ସଂସ୍କାର ପରି ଭୂତ ହେଇ ଠିଆ ହେଇଛି ତା’ ଆଗରେ । ସେ ତା’ ସହିତ ହିଂସା କରି ଲଢ଼ିବାକୁ ଚାହିଁଲା ନାହିଁ । ତା’ର ସେ ଭୂତଭୟଟାକୁ ହସି ଉଡ଼ାଇ ଦେଲା–ଭୂତ ନାହିଁ ।

 

‘‘ନ ଚଳିବ କାହିଁକି ? ସେ କହିଲା । କେବଳ ଭାବିଲା, ଦେବକୀର ଶେଷଇଚ୍ଛା ସେ କହିଯାଇ ନାହିଁ । ତା’ର ଆତ୍ମାର ଅସନ୍ତୋଷ ହେବ ନାହିଁ ତ ଏଥିରେ । କାହିଁକି ହେବ ? ଦେବକୀ ଆଗେ ଯାହା ଥାଉ, ଯେଉଁ କୁଳରେ ଜନ୍ମ ହେଉ, ଶେଷବେଳକୁ ତ ସେ ତାହାରି ସାଙ୍ଗରେ ହାଡ଼ିଘର ପାଣ ଘର ପଶି ବୁଲିଛି–ନିର୍ବିକାରରେ–ପର ସେବା କରି ।

 

ଆଉ ଆତ୍ମା ! ଆତ୍ମାଟାଏ ଅଛି କି ନାହିଁ କିଏ ଜାଣିଲା । ଥିଲେ ଥାଉ । ସେ ଆତ୍ମାର ଏ ଦୁନିଆ ସାଙ୍ଗରେ କି ସମ୍ପର୍କ । ଏ ଦୁନିଆର ଲୋକେ କ’ଣ କଲେ ନ କଲେ ସେଥିପାଇଁ ଦୁନିଆ ବାହାରର ସେ ଆତ୍ମାର ଯାଏଁ କେତେ ଆସେ କେତେ ! ମଣିଷ ମଲା ପରେ ମଲା ମଣିଷପାଇଁ ଏ ଜିଅନ୍ତା ଦୁନିଆ ଯାହା ଯାହା କରେ ସେଥିରେ ମଲା ଆତ୍ମାର କ’ଣ କିଛି ହୁଏ ?–ହୁଏ ଏଇ ଜିଅନ୍ତା ଦୁନିଆର ଜୀବିତାତ୍ମାର । ଏଇ ଜିଇଲା ମଣିଷପାଇଁ, ଜିଅନ୍ତା ମଣିଷର ଏଇ ସମାଜପାଇଁ ମଣିଷ ମଲାମଣିଷ ନାଆଁରେ କେତେ କ’ଣ କରି ନ ଯାଏଁ ! ଏଇ ସଂସ୍କାର, ଏଇ ଶ୍ରାଦ୍ଧ, ଏଇ କ୍ରିୟା କର୍ମ, ଶୁଦ୍ଧ ସ୍ନାନ ସବୁ ଜିଅନ୍ତା ମଣିଷପାଇଁ–ଯିଏ ଜିଇଛି ତା’ରିପାଇଁ । ମଲା ମଣିଷ ଯିଏ ମଲାଣି ତା’ର କ’ଣ ହୁଏ ସେଥିରୁ ?

 

ଚକରା ଆଉ ଦୁଃଖୀ ହେଲେ ଦି’ଜଣ–ଚାରିଜଣ ଦରକାର । ଆଉ କିଏ ଯିବ ବୋଲି ଦୁଃଖୀ ଭାବୁଛି, ତେଣୁ ରାମବାବୁ ବାହାରି ଆସିଲେ । କଲେଜ ଛୁଟିରେ ଘରକୁ ଆସିଛନ୍ତି । ସେ ଶୁଣିଲେ ଦେବକୀକୁ ଉଠେଇବା ପାଇଁ ମଣିଷ ମିଳୁ ନାହାନ୍ତି । ସେଥିପାଇଁ ନିଜେ ବାହାରି ଆସିଲେ-। କହିଲେ, ‘‘ମୁଁ ତମକୁ ସାହାଯ୍ୟ କରିବି ଦୁଃଖୀ ନନା ।’’

 

ହୋଉ । ଏ ହେଲେ ତିନି । ଆଉ ଜଣେ ହେଲେ ହେଲା । ସେ ଜଣକବି ଶେଷକୁ ଆସି ପହଞ୍ଚିଲା–ବାଳୁଙ୍ଗା–ପଟ୍ଟନାୟକ–ଘର ଚାକର ।

 

‘‘କିରେ, ତୋ ବାବୁଙ୍କୁ ପଚାରିଛୁ ?’’

 

‘‘ବାବୁଙ୍କୁ ସିନା ମୋ ଦେହର ଖଟଣିଟାକୁ ବିକିଚି–ମନର ଖଟଣି କି ତ ବିକିନି ।’’

 

ଦୁଃଖୀ ଆଶ୍ଚର୍ଯ୍ୟ ହେଇ ସେଇ ମୂର୍ଖମୁଷଣ୍ଡ ବାଳୁଙ୍ଗାକୁ ଚାହିଁଲା ।

 

‘‘ସେ ଯଦି ତୋତେ କାଢ଼ି ଦେବେ–’’

 

‘‘ଦେହର ଖଟଣି କି ଆଉ କାହାକୁ ବିକିଚି । ନହେଲେ ଉପାସ ରହିବି । ରହିଲି ବା କ’ଣ ହେଲା ! ମନଟା ତ ଆଉ ଉପାସରେ ଛଟପଟ ହେବ ନାହିଁ । ପେଟ ପୂରେଇବା ପାଇଁ ଏ ହୃଦୟଟାର ବେକମୋଡ଼ି ମାରି ଦେବିନା ! ତମେ ଜାଣ ନାହିଁ ଦୁଃଖୀ ନନା, ଦେବକୀ ନାନୀ ମୋତେ କେତେ ଭଲ ପାଉଥିଲା ।’’

 

ଛୁଆଙ୍କ ଭଳି ବାଳୁଙ୍ଗା ସକେଇ ହୋଇ କାନ୍ଦିଲା ।

 

ଚାରିହେଁ ମିଶି ଦେବକୀର ଶବ ସଂସ୍କାର କଲେ । ବାଳୁଙ୍ଗା ଆଖିରେ ଆଉ ଲୁହ ନାହିଁ । ସେଇ କାଠ ହାଣିଲା । ମୁହଁରେ ନିଆଁ ଦେଲା । କହିଲା–ମୋ ମା ସେ । ଜଗିବସି ପୋଡ଼ିଲା–ଜାଲିଲା–ଖୁଣ୍ଟା ଖେଞ୍ଚିଲା । ତା’ ହାତରେ ଯେମିତି ବଜ୍ରର ବଳ । ଆଉ କେତେବେଳେ ହେଲେ ସେ କାନ୍ଦି ନାହିଁ ।

 

ଏଇ ମଣିଷ । ଏଇମିତି ମଣିଷ । ଯିଏ ଛୁଆଙ୍କ ଭଳି କାନ୍ଦିପାରେ; ଆଉ ଦରକାରବେଳେ ନିଜକୁ ସମ୍ଭାଳି ନେଇ ବଡ଼ଙ୍କ ଭଳି ଟାଣ ହେଇଯାଏ ସେ ବି ଏଇ ମଣିଷ । ତାଙ୍କୁ ଆମେ ମୂର୍ଖ ବୋଲି କହୁ ।

 

ମୂର୍ଖ ବାଳୁଙ୍ଗା କହୁଥାଏ–‘‘ଦେଖୁଛ ବାବୁ ଦେଖୁଛ–ପଞ୍ଚ ଆତ୍ମା ପଞ୍ଚ ଭିତରେ ମିଶିଯାଉଚି । କ୍ଷିତିରୁ ତ ଚମ, ଲୋମ, ଅସ୍ଥି, ନାଡ଼, ମାଂସ । ଏଇ ଯେଉଁ ଗଣ୍ଡି ଖଣ୍ଡଟା ପୋଡ଼ି ହଉ ନାହିଁ–ସେଇଟା ସବା ଶେଷଯାଏଁ ଜଳିବ–ସହଜରେ ପୋଡ଼ି ହୁଏ ନାହିଁ–ସେଇ ଯେ କ୍ଷିତିର ସ୍ଥାନ । ଗୁହ୍ୟ ଦ୍ୱାର ପରା ! ଆପରୁ ରକ୍ତ, ମଳ, ମୂତ୍ର, ସ୍ୱେଦ, ଲାଳ–ୟାର ସ୍ଥାନ, ମାନେ ଅପର ସ୍ଥାନ ହେଲା ଲିଙ୍ଗଦ୍ୱାର । ଅଗ୍ନିରୁ ଆଳସ୍ୟ, ରାଗ, ନିଦ୍ରା, କ୍ଷୁଧା, ତୃଷା–ନୟନରେ ରହିଥିଲା ଅଗ୍ନି । ଗଲା-। ସବୁ ଗଲା । ସବୁ ଯାଇଚି । ମଲା ସାଙ୍ଗେ ସାଙ୍ଗେ ଅଗ୍ନି ଯାଇଛି । ବାୟୁବି ଯାଇଚି-। ବାୟୁରୁ ପ୍ରାଣ, ଅପାନ, ବ୍ୟାନ, ଉଦାନ ସମାନ–ଏ ସବୁ ରୁଣ୍ଡ ହୋଇଥାନ୍ତି ସେଇ ନାସାରେ-। ବାକି ଆକାଶରୁ ତ କାମନା, ଭୟ, ଲଜ୍ଜା, ଲୋଭ, ମୋହ ଇତ୍ୟାଦି–ସ୍ଥାନ ମସ୍ତକ ଆଉ କର୍ଣ୍ଣ ଦ୍ୱାର-। ପ୍ରାଣ ଗଲା ସାଙ୍ଗେ ଏ ଶେଷ ତିନି ତତ୍ତ୍ୱ ଅଗ୍ନି ବାୟୁ ଆକାଶ ଚାଲିଯାଏ ।

 

କହୁଥାଏ, ଏଣେ ମଝିରେ ମଝିରେ ନିଆଁ ଖୁଣ୍ଟାଟାକୁ ଧରି ଗୋଟିଏ ନିପୁଣ ମଡ଼ା ଗଣ୍ଡିଆ ପରି ପାହାରେ ପକଉଥାଏ, କେତେବେଳେ ଖୁଞ୍ଚାଟାଏ ମାରି ଦେଉଥାଏ ।

 

ରାମବାବୁ ବାଳୁଙ୍ଗାର ବିଦ୍ୟାକୁ ମନେ ମନେ ହସି କହିଲେ–

 

‘‘ଏ ସବୁ କେଉଁଠିକା ପାଠରେ ବାଳୁଙ୍ଗା ।’’

 

‘‘କାହିଁକି–ପୋଥି ଶାସ୍ତ୍ରରେ ସବୁ ଅଛି’’ ବାଳୁଙ୍ଗା ଖୁବ୍‌ ଦମ୍ଭରେ ଉତ୍ତର ଦେଲା ଏଇ ତ ଭାଗବତରେ କହିଲା–

 

ଅସ୍ଥିପଞ୍ଜରା ଚାରିପାଶେ

ଛାଉଣୀ ନଖ ଲୋମ କେଶେ

।।

ଶିତ୍ତା ଶିକୁଳି ଗଣ୍ଠି ଯୋଖି

ଚର୍ମ ରୁଧିର ମାଂସ ଲେପି

।।

 

ଏ କାୟା ଘରେ ବାସ ମୋର–

 

‘‘କାହାର ? ଏଇ ଜୀବାତ୍ମା–ଜୀବାତ୍ମା । ବୁଝିଲ ? ଶରୀରଟା । ହେଲା ତା’ର ଘର ।

 

ଏ କାୟା ମଧ୍ୟେ ବାସ ମୋର

(ପୁଣି) ନିରତେ ବହେ ନବଦ୍ୱାର

।।

ଏହା ମଧ୍ୟରେ ମଳ ମୂତ୍ର

ସମ୍ପୂର୍ଣ୍ଣ କଫ ବାତ ପିତ୍ତ

।।

ଦୁର୍ଗନ୍ଧ କୃମି ଲାଳ ନାଡ଼

ଅଶେଷ ରୋଗେ ଛନ୍ତି ବେଢ଼ି

।।

ଏମନ୍ତ ଘରେ ମୋତେ ଶୋଇ

ଯେ ଗୁରୁ ଗଲା ଶିକ୍ଷାଦେଇ

।।

 

କିଏ ? ଗୁରୁ କିଏ ? ପରମାତ୍ମା, ପରମାତ୍ମା–ଅନାଦିପୁରୁଷ ପରଂବ୍ରହ୍ମ !

 

‘‘ସେ ଗୁରୁ ବାକ୍ୟ ପରମାଣି । ଏ ଘ–ରେ–ମୁହିଁ–ଦୋଚାରୁଣୀ । ହରିବୋଲ !’’

 

ହରିବୋଲ ଦେଇ ବାଳୁଙ୍ଗା ପୁଣି ପାହାରେ ପକାଏ । ଦୁଃଖୀ ରାମ ଦୁହେଁ ତାଟକା ହେଇ ଚାହାଁନ୍ତି । ଏ ନିଶା ଖାଇ ନାହିଁ ତ ଆଉ । ମଣିଷ ନିଶା ନ ଖାଇଲେ କ’ଣ ଏଡ଼େ ବଡ଼ ନୃଶଂସ କାମ କରି ପାରିବ ? ବାଳୁଙ୍ଗା ନିଶା ଖାଇଛି । କିନ୍ତୁ ସେ ଗୋଟିଏ ଭିନେ ନିଶା । ସେ ନିଶା ଯେମିତି ସେ ନିଜ ଭିତରେ ସାଇତି ରଖିଚି–ଦୁଃଖ ଯନ୍ତ୍ରଣାରେ ତାକୁ କାଢ଼ି ପିଇବାପାଇଁ ।

 

ରହି ରହି ସେ ପୁଣି ବେଳେବେଳେ କହୁଛି–‘‘ହାୟ ହାୟ ଦେବକୀ ନାନୀ ଚାଲିଗଲ–ବାଳୁଙ୍ଗାକୁ ଏଠି ରଖି ତମେ ଚାଲିଗଲ–ହଁ–ହଁ–ତମ କାଳ ପୂରିଲା–ତମେ ଚାଲିଗଲ–

 

ମର୍ତ୍ତ୍ୟମଣ୍ଡଳେ ଦେହବହି । ଦେବତା ହୋଇଲେ ମରଇ ।

 

ଚକରା କହେ–‘‘ଆଃ କେଡ଼େ ଭଲ ମଣିଷ ନାନୀ ଆମର କହିଲ ।’’

 

ବାଳୁଙ୍ଗା ଉତ୍ତର ଦିଏ–‘‘ଆଉ କ’ଣ ବସିଚି ତୋପାଇଁ ଦେବକୀ ନାନୀ–ଏ ଜୀବ ମରଣ ନିକଟେ–ବେଗେ ଚିନ୍ତଇ ଅନ୍ୟ ଘଟେ । ସେ ଯାଇ କେଉଁଠି ଜନ୍ମ ହେବଣି ।’’

 

ଚକରା କହେ–‘‘ସେ ନିଶ୍ଚେ ସ୍ୱର୍ଗକୁ ଯିବ–ଯେତେ ପର ଉପକାର କରିଛି ।’’

 

ବାଳୁଙ୍ଗା ପୁଣି ପଦ ବୋଲେ–‘‘ସ୍ୱର୍ଗ ନରକ ବେନିବାଣୀ । ଏହା ମୁଁ ଏକ ଧର୍ମ ଜାଣି ।’’ ଏଣୁ ମୋ ସୁଖ ଦୁଃଖ ଏକ । ସମେ ଦେଖଇ ସର୍ବଲୋକ ।’’ ‘‘ତା’ର ପୁଣି ସ୍ୱର୍ଗ କ’ଣ ନର୍କ କ’ଣ । ସେ ତ ସମସ୍ତିଙ୍କି ସମାନ ଆଖିରେ ଦେଖୁଥିଲା ।’’

 

ପୁଣି ଚିହିଁକି ଉଠି ସେ କହେ–‘‘ହେଇ ହେଇ ଜଳିଗଲା–ଜଳିଗଲା–ସାବାସ୍ ! ଓଃ କେଡ଼େ ଚଞ୍ଚଳ ଏ ମଢ଼ାଟା ଜଳି ଯାଉଚି ମ ! ଅଗ୍ନି ଯେସନେ ସର୍ବ ଖାଇ । ବିଚାରେ ଗୁଣ ଦୋଷ ନାହିଁ ।’’ ଏଇ ମୂର୍ଖ–ବାଳୁଙ୍ଗା ମୂର୍ଖ–ମୂର୍ଖ ବାଳୁଙ୍ଗା !

 

ଯେତେ ସବୁ ମଣିଷ–ଯାହାଙ୍କୁ ବଡ଼ଲୋକ କହନ୍ତି ଯିଏ ବହୁତ ପାଠ ଶାଠ ପଢ଼ିଛନ୍ତି–ଯିଏ ନିଜକୁ ସଭ୍ୟ ବୋଲାନ୍ତି ସେ କହନ୍ତି ୟେଙ୍କୁ–ମୂର୍ଖ । କହନ୍ତି–ଏଇ ମୂର୍ଖ ହାଟୁଆ ବାଟୁଆ ଲୋକଗୁଡ଼ାଙ୍କର ଖୁବ୍‌ ଛାତି । ଏମାନଙ୍କର ସୂଷ୍ମ ଅନୁଭୂତି ନାହିଁ । ହୃଦୟଟା କୁନ୍ଥା । ସୁଖ ଦୁଃଖକୁ ବଡ଼ବଡ଼ିଆ ଧୋବ ଧବଳମାନେ ସବୁ ଯେତେ ମିହି ଭାବରେ ଅନୁଭବ କରନ୍ତି–ୟେଙ୍କର ସେଭଳି ଅନୁଭବ କରିବାର ଶକ୍ତି ନାହିଁ ।

 

ରାମବାବୁ କହିଲେ–ବଡ଼ ସୁଖର ମରଣ ଏ–ସେ କାହାକୁ କନ୍ଦାଇ ଯାଇ ନାହିଁ ।

 

ଚକରା କହିଲା–‘‘ଗାଁଯାକ ସମସ୍ତେ ଗାଳି ଦେଉଛନ୍ତି–ଠାକୁରାଣୀଙ୍କି ପୋଡ଼ିଲେ ଆଉ ଗାଁରେ ରକ୍ଷା ରକ୍ଷଣ ରହିବ ନାହିଁ ।’’

 

ବାଳୁଙ୍ଗା କହିଲା–‘‘ତୋର ଆଉ ମରିବାକୁ ବାକି କିଏ ଅଛିରେ ? ଗାଁଯାକ ମରନ୍ତୁ !’’

 

ଚକରା କହିଲା–‘‘ଗାଁଟାଯାକ ମଲେ ମୁଁ କାହାଘରେ ଖଟି ଖାଇବି ?’’

 

ବାଳୁଙ୍ଗା କହିଲା–‘‘ତୁ ଏକା କ’ଣ ଆଉ ବଞ୍ଚି ରହିବୁ କି ?’’

 

ଚକରା କହିଲା–‘‘ନ ବଞ୍ଚିବି କିଆଁ ବଞ୍ଚିଛି ତ ! ବାପ ମଲା, ମା ମଲା, ଭାଇ ମଲା, ମାଇପ ମଲା, ତଥାପି ମୁଁ ମରି ନାହିଁ । ମୋ ଜୀବ ବଡ଼ ଟାଣୁଆ ଜୀବ, ସେ ସହଜରେ ଯିବ ନାହିଁ-।’’

 

ହଁ, ଏଇ ଲୋକଗୁଡ଼ାକ । ୟାଙ୍କର ଯେମିତି ମାୟା ନାହିଁ–ମମତା ନାହିଁ–ତୁଣ୍ଡରେ ବାଟୁଳି ବାଜୁନାହିଁ–କେଡ଼େ ସହଜରେ ନିର୍ବିକାର ଭାବରେ ଏ କହିଯାଉଚି ବାପମଲା, ମା ମଲା, ମାଇପ ମଲା, ଭାଇ ମଲା–ସେ ସବୁଙ୍କ ମରଣରେ ୟାର ଯେମିତି କିଛି ହାନିଲାଭ ନାହିଁ–ୟାର ଯିମିତି କୋଉଠି କିଛି ହେଇ ନାହିଁ–କୋଉଠି ଟିକିଏ ଆଘାତବି ଲାଗି ନାହିଁ ।

 

‘‘ତୋର କଷ୍ଟ ହଉ ନାହିଁ ଚକରା, ଏତେଗୁଡ଼ାଏ ଲୋକ ସାରା ବଂଶଟା ?’’ ରାମ ପଚାରିଲା ।

 

‘‘କଷ୍ଟ ? କଷ୍ଟ କରି ଲାଭ କ’ଣ ?’’ ଚକରା କହିଲା ।

 

ବାଳୁଙ୍ଗା ତା’ର ଜବାବ ଦେଲା–କଷ୍ଟ ? କଷ୍ଟ କରିବାକୁ ତର ଦଉଚି କିଏ ? କଷ୍ଟ କରିବାଟା କାହାରି ଏକଚାଟିଆ ନୁହେଁ ବାବୁ । ତମ ବଡ଼ବଡ଼ିଆମାନଙ୍କର ବେଳଥାଏ କାନ୍ଦିବାକୁ । ଆମର ବେଳ କାହିଁ ? ଆମକୁ ବେଳ ଦଉଚି କିଏ ?

 

ଦୁଃଖୀ ହସି ହସି କହିଲା–‘‘ତମକୁ ଫୁରୁସତ୍‌ ଦେଲେ ତମେ କାଳେ କାନ୍ଦିବ ସେଇଥି ଯୋଗୁଁ ତମ ଉପକାରୀ ଲୋକେ ତମକୁ କାନ୍ଦିବାପାଇଁ ବେଳ ଦିଅନ୍ତି ନାହିଁ ।

 

‘‘ହଁ ବାବୁ, ଆମ କାନ୍ଦଣାଗୁଡ଼ାକ ସେଥିପାଇଁ ସେ କାନ୍ଦନ୍ତି ।

 

ବାସ୍ତବିକ କାନ୍ଦଣା ବେଶ ଏଇ ବଡ଼ଲୋକଙ୍କର । କହନ୍ତି,

 

ଆମର ଅନୁଭୂତି ସୂକ୍ଷ୍ମ ଆଉ କୃଷ୍ଟି ଉଚ୍ଚ । ଏ ଗର୍ବ କରନ୍ତି ସେ । ଦୁନିଆର କେତେ ଚକରା କାଲି ପରି ମାଇପକୁ ଖାଇ ଆଜି ପୁଣି ଠାଇଁ ହେଇ ପଡ଼ୁଛନ୍ତି । ସେଥିପାଇଁ ତାଙ୍କ ହୃଦୟଟା କୁନ୍ଥା । ଆଉ ବଡ଼ବଡ଼ିଆଙ୍କର ମାଇପ ମଲେ ସେ କାନ୍ଦନ୍ତି, ଝୁରି ହୁଅନ୍ତି, ଫଟ ରଖି ଚାହାଁନ୍ତି, ପକ୍ଷେ ନୁହେଁ ମାସେ ନୁହେଁ–ବର୍ଷେ ଦି’ ବର୍ଷ ଏମିତି କଟିଲା ପରେ ପୁଣି ବାହାଚୁରା ହେଇ ଘରଦୁଆର କରନ୍ତି ବୋଲି ତାଙ୍କ ହୃଦୟଟା ମୁନିଆ । ଚକରା ଜାତିର ଲୋକେ ଖଟି ଖଟି ବଡ଼ଲୋକଙ୍କର ଛୁଆପିଲାଙ୍କୁ ଆରାମ ଅୟସରେ ରଖି ଦିନେବି ନିଜ କଥା ଭାବି ହିଂସା କରନ୍ତି ନାହିଁ ବୋଲି ତାଙ୍କ ହୃଦ୍‍ କୁନ୍ଥା, ଆଉ ବଡ଼ଲୋକଗୁଡ଼ାକ ଗରିବଙ୍କୁ ଶୋଷି ଶୋଷି ଆରାମ ଅୟସରେ ରହି ଦିନେହେଲେ ଗରିବଙ୍କ କଥା ଭାବନ୍ତି ନାହିଁ ବୋଲି ତାଙ୍କ ହୃଦ୍ ମୁନିଆ । ଗରିବ ହେଲେ ମୂର୍ଖ, ଏ ହେଲେ କୃଷ୍ଟି–ମାର୍ଜିତ !

 

ଚକରା ଜାତିର ଲୋକେ କାନ୍ଦନ୍ତି ନାହିଁ । କାହିଁକି ଜାଣ ? କାରଣ ସେ ବଡ଼ଲୋକଙ୍କ ପାଖରେ ହାର ମାନିବାକୁ ଚାହାଁନ୍ତି ନାହିଁ । ତମେ ତାଙ୍କ ସବୁ ଅର୍ଜନଯାକ ଛଡ଼େଇ ନେଇ ତାଙ୍କୁ ଦାଣ୍ଡର ଭିକାରି କରି ବସେଇ ଦେଇ–ଖାଇବାକୁ ନପାଇ, ପିଇବାକୁ ନପାଇ, ଓଷଦ ଟିକିଏ ପତି ଟିକିଏବି ମୁହଁରେ ଦେବାକୁ ନପାଇ ତାଙ୍କ ଲୋକେ ଗୋଟି ଗୋଟି ହୋଇ ଗଡ଼ି ମରିଗଲେ–ତମରିପାଇଁ, ତମ ଏଇ ବଡ଼ଲୋକଙ୍କ ପାଇଁ–ତଥାପି ସେ ପିଲାଙ୍କ କାନ୍ଦ କାନ୍ଦି ତମ ଆଗରେ ତାଙ୍କର ଦୁର୍ବଳତା ଦେଖେଇବାକୁ ଚାହାଁନ୍ତି ନାହିଁ–ତମ ପାଖରେ ସେ ହାର ମାନିବାକୁ ଚାହାଁନ୍ତି ନାହିଁ-। ସେ ପୁଣି ତମର ଆସନ୍ତା ଅତ୍ୟାଚାରକୁ ବୀରପରି ସହିବାପାଇଁ–ପରିତାଳିବା ପାଇଁ ତିଆର ହେଇ ଯାଆନ୍ତି ।

 

ଚକରାର ମାଇପ ମରିଚି । ଶୁଦ୍ଧି ସାରି ସେ ପୁଣି ବାହା ହବ–ତା’ ନିଜପାଇଁ ନୁହେଁ–ସାଙ୍ଗ ହେଇ ତମ ଦାଉ ସହିବାପାଇଁ ସେ ବାହାହବ–ତମରିପାଇଁ–ତମକୁ ସେ ତା’ର ଦେହର ହାଡ଼ଗୋଡ଼ ମାଉଁସ ବିକିଛି ବୋଲି ଛାତିକି ପଥର କରି ସେ ବାହା ହବ–ତମକୁ ବଡ଼ଲୋକ କରିବାପାଇଁ, ଶିକ୍ଷିତ ସଭ୍ୟ କରିବାପାଇଁ–ସେ ବାହା ହବ–ମୂର୍ଖ ଅମଣିଷଙ୍କ ପରି । ହଁ, ମୂର୍ଖ ଅମଣିଷ–ତମରି ମୁହଁରୁ ସେ ସେଇ ପଦ ଶୁଣିବ ବୋଲି ତା’ର ବାହା ହବା ।

 

ସତୀ ଦେବକୀକି ପାଉଁଶର–ଭସ୍ମରେ ଶୁଭ୍ର ସବିତ୍ର କରି ଦେଇ ଘରକୁ ଫେରିଲା ଦୁଃଖୀ-। ଦୁଇଦିନର ସାଥୀ ସେ । ମନେ ହେଉଥିଲା, ତା’ ନିର୍ଜନ ବାଟରେ ସେ ଆଉ ଏକା ନୁହେଁ । ହଠାତ ସେ ଧାରଣା ତା’ର ଦୂର ହେଇଗଲା । ଦେବକୀ ଚାଲିଗଲା–କେଉଁଠୁ ଆସିଥିଲା, କେଉଁଠିକି ଚାଲିଗଲା ସେ ଜାଣେ ନାହିଁ । ଗୋଟିଏ ଗୋଟିଏ କାମପାଇଁ ଯେମିତି ଗୋଟିଏ ଗୋଟିଏ ମଣିଷର ଜନ୍ମ । ଦେବକୀ ତା’ର ଆଡ଼ତି ବଢ଼େଇ ଚାଲିଗଲା । ଦୁଃଖୀ ଯେଉଁ ଏକାକୁ ସେଇ ଏକା-। ତା’ର ମନେ ହେଲା, ତା’ର ଯେମିତି ସାଥୀ ଆଉ କେହି ନାହିଁ ।

 

ନା–ନା–ସେ ସାଥୀ ପାଇଚି । ଦେବକୀ ମରିଯାଇ ଆଜି ତାକୁ କେତେ ସାଥୀ ଦେଇଯାଇଚି–ଏଇ ରାମ–ଚକରା–ବାଳୁଙ୍ଗା । ସେ ସାଥୀ ପାଇଚି । ତା’ର ଆଉ ଡର କ’ଣ ?

 

ଏଇ ରାମ ପିଲାଟିକି ଦୁଃଖୀକୁ ଖୁବ୍‌ ଭଲ ଲାଗିଲା । ପାଠ ପଢ଼ିଛି ବି.ଏ. ଯାଏଁ । ମନରେ ଟିକିଏ ବୋଲି ବଡ଼ଲୋକୀର ଗର୍ବ ନାହିଁ । ଅଛି ପାଠପଢ଼ାର ସାମାନ୍ୟ ଆଭିଜାତ୍ୟ । କିନ୍ତୁ ପୋଷାକରେ ବିଶେଷ ବାବୁଆନି ନାହିଁ–ସୌଖୀନ ରୁଚିଅଛି । ପୁରୁଣା ମରହଟ୍ଟିଆ ବୁଢ଼ା ଆଉ ନୂଆ ପାଠୁଆ ଟୋକାଙ୍କ ଭିତରେ ଯେଉଁ ଛେଦଟା ସେଇ ଛେଦର ପରବର୍ତ୍ତୀ ଅଂଶ ଏଇ ରାମ ।

 

ରାମ ଭଲ ଛାତ୍ର । ମଧ୍ୟବିତ୍ତ ଶ୍ରେଣୀର ପିଲା । ବାପର ଅଳ୍ପ କିଛି ଜମିଦାରୀ । ଟଙ୍କା ହଜାରେ ଯାଏଁ ମଫସଲ ଜମା । ଜମି କୋଡ଼ିଏ ପଚିଶମାଣ ହେବ । ନିଜଚାଷ କିଛି–ବାକି ବାଜ ବଖରା ଦିଆଯାଏ । ବାପ ମାଙ୍କର ଆଶାଥିଲା, ଏତେ କଷ୍ଟରେ ରାମକୁ ଏତେ ପାଠ ପଢ଼େଇଚନ୍ତି–ଭଲ ପଢ଼ୁଛିବି ସେ–ସ୍କଲାରଶିପ୍ ପାଏ–ଗୋଟାଏ କିଛି ବଡ଼ ଚାକିରି ପାଇବ । କିନ୍ତୁ ଚାକିରି ହେଲା ନାହିଁ–ଖାଲି ମୁରବି ଜୋର୍ ନାହିଁ ବୋଲି । ବାଧ୍ୟ ହୋଇ ରାମ ଓକିଲାତି ପଢ଼ିଲା ।

 

ରାମ ଏବେବି ଓକିଲାତି ପଢ଼େ । ତା’ ସାଙ୍ଗରେ ଏମ୍‌. ଏ । ଦୁଃଖୀ ଆଉ ସେ ଦୁହେଁଯାକ ମିଶି–ଏଇ ଖରାଦିନ ଗ୍ରୀଷ୍ମ ଛୁଟିରେ ରାମ ଘରକୁ ଆସିଥାଏ–ସଞ୍ଜ ହେଲେ ବୁଲି ବାହାରି ଆସନ୍ତି ବଗିଚା–ଆମ୍ୱତୋଟା ଆଡ଼କୁ ।

 

ଦୁଃଖୀ ଦିନେ ପଚାରିଲା–‘‘ରାମବାବୁ, ପଢ଼ିସାରି କ’ଣ କରିବେ–ଚାକିରି ?’’

 

‘‘ନା, ମୁଁ ଚାକିରି କରିବି ନାହିଁ ।’’

 

‘‘ତେବେ, ଏତେଗୁଡ଼ାଏ ପଢ଼ିଲେ ଯେ–’’

 

‘‘ପଢ଼ିବା ଅର୍ଥ କ’ଣ ଚାକିରି କରିବା ? ମୁଁ ଚାକିରି କରିବାକୁ ପାଠ ପଢ଼ୁ ନାହିଁ । ମୋର ଉଦ୍ଦେଶ୍ୟ ଜ୍ଞାନ ଅର୍ଜନ କରିବା ।’’

 

‘‘ଜ୍ଞାନ ଅର୍ଜନ କ’ଣ ଘରେ ପଢ଼ିଲେ ହୁଏ ନାହିଁ ?’’

 

‘‘ନା–ପଢ଼ିବାର ମନୋବୃତ୍ତି, ପଢ଼ାପଢ଼ିର ହାଉଆ ଉପରେ ନିର୍ଭର କଲେ–ଯେଉଁଟା ଘରେ ସମ୍ଭବ ହୁଏ ନାହିଁ ।’’

 

ବାସ୍ତବିକ ପଢ଼ିବାଟା ଘରେ ବସି ହୁଏ ନାହିଁ । ଦୁଃଖୀ କେତେଥର ମନ କରିଛି–ସଂସ୍କୃତର ଯେତେ ପ୍ରଧାନ ପ୍ରଧାନ କାବ୍ୟ ସବୁ ପଢ଼ି ଦବ ଆଉ ତା’ ସାଙ୍ଗରେ ସାମାନ୍ୟ ଇଂରାଜୀ ମଧ୍ୟ ପଢ଼ିବାକୁ ଆରମ୍ଭ କରିବ–କିନ୍ତୁ ହେଇ ପାରେ ନାହିଁ । କ୍ରମେ କ୍ରମେ ବରଂ ସେ ପାଠ ସବୁ ଭୁଲିଯିବାକୁ ବସିଚି । ଯାହା ପଢ଼ିଥିଲା ସେ ବି ଗଲା–ତାକୁବି ଖାଇ ଖୁଆ କି ବସିଲାଣି । କାବ୍ୟ ପଢ଼ି କାବ୍ୟର ରସ ଆସ୍ୱାଦନ କରିବାକୁ ଅବସର ନାହିଁ–ମନୋବୃତ୍ତି ନାହିଁ । ସାକ୍ଷାତ ପୁଚ୍ଛହୀନ ପଶୁବତ୍‌ ହେଇଚି ସେ ।

 

ମୂର୍ଖ ହେଇଯାଇଛି ସେ ଏଇ ଗାଁ ଗହଳିର ଶହ ଶହ ଲୋକଙ୍କ ପରି । ସେ ଯାହା ଯାହା ପଢ଼ିଥିଲା, ସେ ସବୁକୁ ଯେ ସେ ଆପେ ଆପେ ପାସୋରି ଯାଇଛି, ତା’ ନୁହେଁ–ତା’ର ମନେ ହେଲା, ସେ ଯେମିତି ମନ କରି, ଇଚ୍ଛା କରି ପାଠଯାକ ଭୁଲି ପକେଇଛି । ଏଇ ଗାଁର ମୂର୍ଖ ଲୋକଙ୍କ ସାଙ୍ଗେ ମିଶିବାକୁ, ଏଇ ଗାଁର ସରଳ ଲୋକଙ୍କ ସାଙ୍ଗେ ଏକ ହେବାକୁ ହେଲେ, ତାଙ୍କ ଦୁଃଖ ତାଙ୍କ ବେଦନାକୁ ନିଜ ଛାତି ଭିତରେ ଅନୁଭବ କରିବାକୁ ହେଲେ ଯେମିତି ଭୁଲି ଯିବାକୁ ପଡ଼ିବ ସେ ପାଠସବୁ–ବାଧ୍ୟହୋଇ ଜବରଦସ୍ତି ସେ ପାଠକୁ ଭୁଲିବାକୁ ହବ–ନହେଲେ ଚଳିବ ନାହିଁ । ହଁ, ଏଇ ପାଠ ।

 

ଏଇ ପାଠ ଏ ଗାଁ ସେ ପାଖରେ ଗୋଟେ ପରିଖା ଖୋଳି ଦେଇଚି–ସେଇ ପରିଖାର ସେ ପାଖରୁ ଏ ପାଖକୁ ଅଲଗା କରି ସହର ମଫସଲ–ସେ ପାଖରେ ସହର, ଏ ପାଖରେ ମଫସଲ । ସେ ପାଖର ଲୋକେ ଏ ପାଖକୁ ହାଉଆ ଖାଇ ଆସନ୍ତି–ମନ ବହଲେଇବାକୁ–ଏ ପାଖର ସୁଖ ଦୁଃଖରେ ସାଥୀ ହେବାକୁ ନୁହେଁ । ଏ ପାଖର ଲୋକେ ସେ ପାଖକୁ ଅନେଇ ରହନ୍ତି, କିଏ କେତେବେଳେ ଚାଲିଯାଏ, ସେ ପଟକୁ ପେଟ ପୋଷିବାପାଇଁ । ପେଟରେ ପେଟେ ଦାନା ଭରି ସେ ଫେରି ଆସନ୍ତି ନାହିଁ–ସାଙ୍ଗରେ ସେ ଘେନି ଆସନ୍ତି–ଦୁଃଖ ଦୈନ୍ୟ, ଜରା ବ୍ୟାଧି, ମିଥ୍ୟା ପ୍ରବଞ୍ଚନା, ଚାଲାକି ଚଞ୍ଚକତା ଆଉ ଭଣ୍ଡାମି ଦ୍ୱାଚୋରି । ସେ ବୁଝି ପାରନ୍ତି ନାହିଁ ଦାନା ସେ ପଟରେ ନଥାଏ– ଥାଏ ଏ ପଟରେ । ସେ ଜାଣି ପାରନ୍ତି ନାହିଁ, କୋଉଁ ବାଗରେ ଏ ପଟ ଲୋକଙ୍କର ଦାନା ସେ ପଟ ଖାଇ ଦେଇଯାଉଚି । ଆପଣା ଧନକୁ ପର ହାତରେ ବଢ଼େଇ ଦେଇ ସେ ଯାଆନ୍ତି ତାଙ୍କରିଠୁ ଭିକ ମାଗିବାକୁ–ତାଙ୍କରି ଦୁଆରେ ହାତ ପାତି ।

 

ରାମ କହେ–‘‘ନା–ନା–ଭୁଲ୍‌ ବୁଝିଛ, ପାଠର କି ଦୋଷ ? ପାଠ ଆମକୁ ଆଲୋକ ଦେଇଛି–ପାଠ ଆମକୁ ଦୁନିଆର ସଭ୍ୟତା ସଙ୍ଗରେ ମିଶିବାର ସୁଯୋଗ ଦେଇଚି–ପାଠ ସଂସାରକୁ ଏକ ଗୋଷ୍ଠୀରେ ପରିଣତ କରିଛି–’’

 

ଦୁଃଖୀ ପ୍ରତିବାଦ କରେ–‘‘ହଁ ହଁ କରିଛି–ଖୁବ୍‌ କରିଛି–ଥୋକାଏ ପାଠୁଆ ଲୋକଙ୍କୁ ଏକ ଗୋଷ୍ଠୀ ଭିତରେ ରଖି–ସମସ୍ତେ ଏକ ହେବାର ଆଦର୍ଶ ଦେଖାଇ ସବଳକୁ ଦୁର୍ବଳ ଉପରେ ଅତ୍ୟାଚାର କରିବାର ସୁଯୋଗ ଦେବାପାଇଁ ଏକ ଗୋଷ୍ଠୀରେ ପରିଣତ କରିଛି ।

 

ରାମ କହେ–ଦୁଃଖୀବାବୁ, ରାଗିବେ ନାହିଁ–ଗୋଟେ କଥା କହିବି ?

 

ଦୁଃଖୀ କହେ–ରାମବାବୁ, ରାଗିବାର କିଛି କାରଣ ନାହିଁ–ରାଗିବି କାହିଁକି ? ଆମେ ଯେଉଁ କଥାବାର୍ତ୍ତା ହେଉଚୁ ଏ କେବଳ କଥାର କଥା–କାମର କଥା ଆମେ କେହି କହୁ ନାହୁଁ । ଖାଲି କଥା କଥାରେ–ବାକ୍‌ ବିତଣ୍ଡାରେ ମୁଁ ରାଗି ଯିବିନା ? ଏ କଳି ବା ଏ ଯୁକ୍ତି ଏଇ କଥା ଶେଷ ହେବା ସଙ୍ଗେ ସଙ୍ଗେ ସରିଯିବ । ତମେ ଯିବ ତମ କାମ କରିବାକୁ–ମୁଁ ଯିବି ମୋ କାମ କରିବାକୁ । କଥା ସାଙ୍ଗରେ କାମର କିଛି ସମ୍ପର୍କ ନଥିବ । ତେବେ ଏ କଥା ଉପରେ ରାଗିବା ଅନ୍ୟଥା ନୁହେଁ କି-?

 

‘‘ଦୁଃଖୀବାବୁ, ମୁଁ କିନ୍ତୁ ଯାହା କହେ, ତା’ କରେ । ମୁଁ କହୁଛି, ପାଠ ପଢ଼ିବା ଉଚିତ ଏବଂ ପଢ଼ୁଛି ମଧ୍ୟ ।’’

 

‘‘ହଁ ତା’ କରୁଥିବେ–ପାଠ ପଢ଼ୁଥିବେ–କିନ୍ତୁ ଯେଉଁଥିପାଇଁ ପାଠ ପଢ଼ୁଛନ୍ତି ବୋଲି କହୁଛନ୍ତି ସେ ସବୁ କିଛି ହଉଛିକି ନାହିଁ କାହିଁକି ସନ୍ଦେହ ହୁଏ । ପାଠ ପଢ଼ି ଆମେ କ’ଣ ପ୍ରକୃତରେ ଆଲୋକ ପାଉଛୁ–ଦୁନିଆର ସଭ୍ୟତା ସାଙ୍ଗରେ ମିଶିପାରୁଛୁ–କିମ୍ୱା ସଂସାରକୁ ଏକ ଗୋଷ୍ଠୀରେ ପରିଣତ କରିପାରୁଛୁ ? ମୋର ମନେ ହୁଏ ଆମେ ପାରୁ ନାହୁଁ ।’’

 

‘‘ମୁଁ ଠିକ୍‌ ସେଇ କଥା କହୁଥିଲି । ଆମେ ପାରୁ ନାହୁଁ କାରଣ ଅମର ପଢ଼ା ଠିକ୍‌ ଭାବରେ ହେଉ ନାହିଁ–ଆମେ ଗବେଷଣା କରି ପଢ଼ୁ ନାହୁଁ–ଉପରେ ଭାସି ଯାଉଛୁ । ସେଥିପାଇଁ ମୁଁ କହୁଥିଲି, ଯିଏ ପ୍ରକୃତ ଦେଶର କର୍ମୀ ହେବାକୁ ଚାହେଁ ତା’ର ଯଥେଷ୍ଟ Study ବା ଅଧ୍ୟୟନ ଦରକାର । ଆପଣ ପୃଥିବୀର ଅନ୍ୟ କୋଣରେ କ’ଣ ଘଟିଯାଉଚି ସେ ସବୁ ନ ଜାଣିଲେ, ତୁଳନା କରି ନ ଦେଖିଲେ ନିଜର ଅବସ୍ଥା ଠିକ୍‌ ଠିକ୍‍ ବୁଝିପାରିବେ ନାହିଁ । କାରଣ ପୃଥିବୀର ଖୁବ୍‌ ଦୂର ଦେଶଗୁଡ଼ାକ ଆଗରୁ ଯେତେ ଦୂରରେ ଥିଲେ ଏବେ ସେତେ ଦୂରରେ ନାହାନ୍ତି ତ ଖୁବ୍‌ ନିକଟତର ହୋଇ ଗଲେଣି–ଖୁବ୍‌ ଜଡ଼ାଜଡ଼ି ହୋଇ ଗଲେଣି । ପ୍ରତ୍ୟେକର ପ୍ରଭାବ ପ୍ରତ୍ୟେକ ଉପରେ ପଡ଼ୁଛି–ପଡ଼ିବ–ଅବ୍ୟାହତି ନାହିଁ ।’’

 

‘‘ହେଇପାରେ, ମୁଁ ନିଜର ଅବସ୍ଥା ଆହୁରି ଭଲ ଭାବରେ ବୁଝିବି–ଆହୁରି ପରିଷ୍କାର ଦେଖି ପାରିବି, କିନ୍ତୁ ମୁଁ ନିଜର ଅବସ୍ଥାକୁ ଆଜି ଯେତିକି ଅଳ୍ପ ଭାବରେ ବୁଝିଚି, ସେତିକିପାଇଁ ତ ମୁଁ କାମ କରିସାରି ନାହିଁ–ସାରିବା ଦୂରର କଥା–କରିପାରୁବି ନାହିଁ ।’’

 

‘‘ଆପଣ କରିପାରିବେ ନାହିଁ । କାରଣ କୌଣସି ପଦାର୍ଥ ସମ୍ବନ୍ଧରେ ପୂର୍ଣ୍ଣଜ୍ଞାନ ନହେଲା ଯାଏଁ ଆପଣ ତାକୁ ଧରି ସଫଳ କାମ ହୋଇ ପାରିବେ କିପରି ? ପୁଣି କୌଣସି ବସ୍ତୁର ପୂର୍ଣ୍ଣ ଜ୍ଞାନ ଲାଭ କରିବାକୁ ହେଲେ, ତା’ର ପାରିପାର୍ଶ୍ୱିକ ଅବସ୍ଥା ସମ୍ବନ୍ଧରେ ଜ୍ଞାନ ଏକାନ୍ତ ଆବଶ୍ୟକ । କିନ୍ତୁ ଆପଣ ଯେ କୂପମଣ୍ଡୂକ କତାକୁ ପସନ୍ଦ କରୁଛନ୍ତି ଦେଖୁଛି ।’’ ରାମ ହସିଲା ।

 

ଦୁଃଖୀବି ହସିଲା । ହସି ହସି କହିଲା–‘‘ଅତର୍ଚ୍ଛ ଆକାଶ ମଣ୍ଡୂକଠାରୁ ସ୍ଥିର କୂପମଣ୍ଡୂକ ଭଲ ନୁହେଁ ?’’

 

ଭିକାରିଟିଏ ଆସି ଭିକ ମାଗେ–‘‘ବାବୁ ଗୋଟିଏ ପଇସା !’’

 

ରାମ ଭୁରୁଡ଼ି କାଢ଼େ–‘‘ଭାକ୍‌ ପଳା–ଲାଜମାଡ଼ୁ ନାହିଁ–ଭିକମାଗି ଖାଉଛୁ ।’’

 

ଭିକାରି ଡରେ ଚାଲିଯିବାକୁ ବସେ । ରାମ ପଛରୁ ଡାକେ–‘‘ହେ ଭାଇ, ଟିକିଏ ଶୁଣିବ-।’’

 

ଭିକାରି ଫେରେ । ଦୁଃଖୀ ତା’ ଘରର ହାଲ୍‍ଚାଲ୍ ପଚାରେ । ତା’ ଦୁଃଖକୁ ସେ ଅନୁଭବ କରିବାକୁ ଚେଷ୍ଟା କରେ । ବୁଝାଇ କହେ–କିଛି କାମ କର–ଖଟି ଖାଅ–ଲାଗି ଖାଅ–ମାଗି ଖାଅ ନାହିଁ । କହିସାରି ପଇସେ ଅଧଲେ ଦିଏ । ଦେଇ ବିଦା କରିଦିଏ ।

 

‘‘ଭାବପ୍ରବଣତା–ରାମ ଟିପ୍ପଣୀ କାଟେ’’–‘‘ଦୁର୍ବଳ ଭାବପ୍ରବଣତା ।’’

 

‘‘ରାମବାବୁ’’ ଦୁଃଖୀ କହେ–‘‘ଆମେ କ’ଣ ଭାବପ୍ରବଣତାର ଭୁଲ୍‌ପାଇଁ ଭୋଗୁଥାଇ ? ଆମେ ଭୋଗୁଛୁ, ଆମର ପରସ୍ପର ପ୍ରତି ଏକ ଦୁର୍ବଳ ଭାବପ୍ରବଣତାର ଅଭାବପାଇଁ । ମୁଁ ବୁଝୁଛି, କେବଳ କାନ୍ଦିଲେ କିଛି ଲାଭ ନାହିଁ । କିନ୍ତୁ ଆମେ ଯେ କାନ୍ଦି ଶିଖିନାହୁଁ ଆଜିଯାକେ ।’’

 

ରାମ ତୁନିପଡ଼େ । ଦୁଃଖୀର ପଇତାକୁ ଚାହିଁ କହେ–‘‘ଦୁଃଖୀବାବୁ, ଆପଣଙ୍କର ସେ ପୁରୁଣା ପଣ୍ଡିତିଆ ବୁଦ୍ଧି କେବେ ଯିବ ? ଏ ପଇତାଟା କିଆଁ ପକେଇଚନ୍ତି–ବ୍ରହ୍ମତ୍ୱ ?’’

 

ଦୁଃଖୀ ଉତ୍ତର ଦିଏ–‘‘ଏ ଦି’ଖିଅ ସୂତାପାଇଁ ଏତେ ଆପତ୍ତି ? ଆଉ କିଛି ଅଧିକା ସୂତାରେ ସେ ଜାତୀୟପତାକାଟା ଉଡ଼ିଛି ସେଠି–ସେଇଟା କି ନହେଲେ କ’ଣ ଚଳନ୍ତା ନାହିଁ ?’’

 

‘‘ଜାତୀୟପତାକା–ଆଉ ପଇତା ? କାହାକୁ କାହା ସଙ୍ଗେ ତୁଳନା କରୁଚନ୍ତି ଆପଣ ? ପଇତାଟା ଗୋଟାଏ ନୀଚ ସଂକୀର୍ଣ୍ଣତା–ବ୍ରାହ୍ମଣର ଏକଚାଟିଆ–କିନ୍ତୁ ଜାତୀୟପତାକା–ସମଗ୍ର ଜାତିର ପତାକା–ସତ୍ୟ ଅହିଂସାର ପ୍ରତୀକ ।’’

 

‘‘ମୁଁ ବୁଝିଛି । ମୁଁ ଆଉରି ଭଲ କରି ବୁଝିଛି ଯେ, ଯେତେଦିନ ଯାଏଁ ମୁଁ ପଇତାର ସମ୍ମାନ ନ ଦେଇ ଶିଖିଛି, ସେତେଦିନ ଯାଏଁ ଜାତୀୟପତାକାତଳେ ଠିଆ ହେବାର ହକ୍‌ ମୋର ନାହିଁ । ଏ ପଇତା ମୋର ଯେମିତି ଗୋଟାଏ ବ୍ରତ–ପତାକା ସେମିତି ‌ଆଉ ଏକ ବ୍ରତ । ମୁଁ କାହାରିକି ଛାଡ଼ି ପାରିବି ନାହିଁ । ଗୋଟିକରୁ ଭ୍ରଷ୍ଟ ହେଲେ ଅନ୍ୟଟିରୁ ଭ୍ରଷ୍ଟ ହେବାରୁ ଭୟ ରହିଛି ।’’

 

ରାମ ଆଉ ଦୁଃଖୀ । ଦୁଃଖୀ ଦେଖିଲା, ଦୁହେଁ କେତେ ତଫାତ । ତଥାପି ଏଇ ବିଭେଦ ମଧ୍ୟରେ–ପାର୍ଥକ୍ୟ ମଧ୍ୟରେ–ଏ ପାର୍ଥକ୍ୟ, ଏ ଛଡ଼ା ଛଡ଼ା କମ୍‌ ନୁହେଁ–ତଥାପି ତା’ରି ଭିତରେ ଦୁଇଜଣଙ୍କର ଗୋଟାଏ ଘନିଷ୍ଠତା ଜମି ଉଠୁଛି–ଠିକ୍‌ ଆତ୍ମୀୟତା ହେଇ ନ ପାରେ ରାମ ଯେତେବେଳେ କହେ–‘‘ଦୁଃଖୀବାବୁ ଆପଣଙ୍କର ମୋର କେବେ ବନିବ ନାହିଁ–’’

 

ଦୁଃଖୀ ଜବାବ ଦିଏ–‘‘ତଥାପି ଆମେ ଦୁହେଁ ଦୁଇଟି ଅବନା ଅକ୍ଷର ବିଶିଷ୍ଟ ଗୋଟିଏ ଶବ୍ଦ ପରି ଅଲଗା ଅଲଗା ହୋଇ ମଧ୍ୟ ଖୁବ୍‌ ପାଖରେ ପାଖରେ ନିର୍ମଳ ନିରୋଳା ଆଉ ସରଳ ହେଇ ରହିଥିବା ।’’

 

ରାମର ଛୁଟି ସରିଯାଏଁ–ରାମ ଚାଲି ଯାଏଁ ସହରକୁ–ବିଦ୍ୟାବନ୍ତ ହବାପାଇଁ । ଦୁଃଖୀ ପଡ଼ି ରହେ ତା’ର ସେଇ ଗାଁରେ । ଯେଉଁଠି ଚକୁଳିଆପଣ୍ଡା ଡାକି ଦେଇଯାଏ–‘ପ୍ରାଣୀମାନେ ଯଦି ପୁଣ୍ୟବନ୍ତ ଥିବ ।’

 

ଜ୍ୟେଷ୍ଠ ଆଷାଢ଼ରେ ପହିଲୁ ଅସରାଏ ବରଷା ଆସି ଧୂଳିମାରି ଦେଇଯାଏ–ଧୂଳିରୁ ଉଠେ ଗନ୍ଧ–ମାଟିର ଗନ୍ଧ । ସେଇ ଗନ୍ଧପାଇଁ ଚାଷୀ ପାଗ ବୁଝେ ।

 

ସହରର ଚିନ୍ତା ନାହିଁ–ଦକ ନାହିଁ–ଖରା ବର୍ଷା ଶୀତରେ ଏକା ପରି ଚାଲିଛି । କିନ୍ତୁ ଭାଳେଣି ପଡ଼ିଚି ଗାଁର ।

 

ଲଙ୍ଗଳ ଚଳେଇ, ସିଆର କାଟି ଚଷାଭାଇ ହାଙ୍କ ଛାଡ଼ିଦିଏ–‘‘ରାମ ଯେ ରାମ ହୋ ବନସ୍ତକୁ ଗଲେ–ଟା–ବୁଲ ହଳିଆ ବୁଲ !’’ କଢ଼ାଣ, ଦୋଓଡ଼, ତିନିଓଡ଼ ସରିଯାଏଁ । ମହୀ ବୁଲେ ।

 

ଧାନବୁଣି ଦେଇ ଓଗାଳ କରେ । ବରଷା ଆସି ଯାଏଁ । ଶାଗୁଆ ଶାଗୁଆ ଧାନ ସଞ୍ଚା ବାହାରେ । ଧାନ ବୁଆ । ଚଷାପୁଅ ତଥାପି ମନେ ମନେ ଭାବୁଥାଏ–କିଛି ହେଲା ନାହିଁ–କିଛି ହେଲା ନାହିଁ–ବଇଷା କାହିଁ–ହବ ଯଦି, ଆଠ ଦୁମୁକାଣି ଷୋଳ ଅସରା ବତିଶ ଲିଫି ଲିଫି ଚଉଷଠି କୁଣ୍ଡାଝରା, ତେବେ ଯାଇ ଚଷାପୁଅ ପେଟ ହେବ ପୂରା ।

 

ଦେଖୁ ଦେଖୁ ବିହୁଡ଼ା ଲାଗିଯାଏ । କିଏ ରୁଏ, କିଏ ବିହୁଡ଼େ । କିଏ ଆଷାଢ଼େ ରୁଏ ଦଲକେ–କିଏ ଶ୍ରାବଣ ରୁଏ ଫଳକେ । ହଳରେ ଗାର କାଟୁ କାଟୁ କିଏ କହୁଥାଏ–‘‘ଏ ଭାଇ, ଏ ହଳିଆଟା କେଉଁଠୁ ଆଣିଲୁରେ–ଏ ତ ଖଲିଆଟାଏ । କଥାରେ ଅଛିପରା–ଖଲିଆ ବୋଲେ ପାଟଳାରେ ଦେଖ ମୋର ଚାଲାକି, ତୁ ମୁଁ ଦିହେଁ ସାଙ୍ଗ ହେଲେ ସାଆନ୍ତ ମରିବ କାଲିକି ।’’

 

ଆର ଜଣକ ଜବାବ ଦିଏ, ‘‘ନାଇଁରେ ଭାଇ ମୁଁ ଦେଖିକି ଆଣିଛି–ବଳଦ ଖଲିଆ କାହିଁକି ହବ ? କିମିତି କୁଣ୍ଡଳ ଶିଙ୍ଗା ଦେଖୁଚୁନା ? କଥାରେ ଅଛି ପରା–ଜାଣ ନଜାଣ ଝାମ୍ପୁଲା ଆଣ, ଖାଡ଼ିଆ ଶିଙ୍ଗା ସବୁଠୁ ଟାଣ; କୁଣ୍ଡଳ ଶିଙ୍ଗା ଦେଖିବୁ ଯେବେ, ଅଣ୍ଟାରୁ ପଇସା କାଢ଼ିବୁ ତେବେ ।’’ ‘‘ମୁଁ କ’ଣ ତୁଚ୍ଛାଟାରେ ଦି’ ଦି’ କୋଡ଼ି ଗଣି ଦେଇଚିନା ?’’

 

ବଛା ଖେଳା ବାଳୁଙ୍ଗା କଟା ସରିଯାଏ ।

 

ତେଣେ ସହରରେ ଗାଡ଼ି ମଟର ରାସ୍ତା ଉପରେ ହଳ କରି ଦେଇଯାଏ । ବିହୁଡ଼ା ନାହିଁ–ବୁଣା ନାହିଁ–ତଥାପି ଦୋକାନରେ ବଜାରରେ ପନିପରିବା ଧାନ ଚାଉଳ ଭରି ଯାଇଛି ।

 

ଏଣେ ମଫସଲରେ ଭାଳେଣି ପଡ଼ିଯାଏ–କାହିଁ ବରଷା କାହିଁ ? କରକଟେ ଝରଝର ବନ୍ୟାରେ କାନେ ପାଣି ହେବାର କଥା–ପୁଣି ତୁଳରେ ବିନାବାଏ ପଦି ସିନା ବରଷିବ ତେବେ ଯାଇ ଧାନ ହେବା । କାହିଁ ବରଷା କାହିଁ–ଏ ଯେ ମରୁଡ଼ି !

 

ମରୁଡ଼ି ମରୁଡ଼ି ବୋଲି କହୁଁ କହୁଁ ମାଡ଼ିଆସେ ବନ୍ୟା । ଥଳକୁଳ ମାନେ ନାହିଁ । ଗାଁ ଗଣ୍ଡା, ବିଲ ବନ, ଦାଣ୍ଡ ଘାଟ ସବୁ ଏକାକାର କରି ଦିଏ । ଗାଁ ଗହଳିରେ ହାହାକାର ପଡ଼ିଯାଏ । ଲୋକେ ଅନେଇ ଥାନ୍ତି ଦକ୍ଷିଣା କେତେବେଳେ ପକେଇବ–ବାହ୍ମଣ ବରଷା ବଢ଼ି–ଦକ୍ଷିଣା ପାଇଲେ ଯାଆନ୍ତି ଉଡ଼ି । ଦକ୍ଷିଣା କାହିଁ ?

 

ବନ୍ୟାରେ ସାହାଯ୍ୟ ମିଳେ । ଗାଁଯାକ ଲୋକ ଯାଇ ମାଗଣା ରିଲିଫ ଚାଉଳ ଆଣନ୍ତି । କୃତକୃତ୍ୟ ହେଇଯାନ୍ତି । ସେ ପାଖର ସେଇ ସହର ପଠେଇ ଦିଏ । ଆପଣାକୁ ଦାତାପଣର ଗୌରବ ଦେବାପାଇଁ ।

 

ଗାଁର ଘର ଦ୍ୱାରବି କରି ଦେବାପାଇଁ ସହର ସାହାଯ୍ୟ ଦିଏ–ସହରର ସରକାର ସାହାଯ୍ୟ ଦିଅନ୍ତି । ଏ ଗାଁର ଯେମିତି କିଛି ନାହିଁ । ଗାଁଟାବି ଏଡ଼େ ନିଲଜ–ଲାଜ ମାଡ଼େ ନାହିଁ ତାକୁ ପର ହାତଟେକା ଅଇଁଠାରେ ବୋଧହୁଏ–କୃତକୃତ୍ୟ ହେଇଯାଏ । ଯିଏ ଆପଣା ଦୁର୍ବଳତାର ଆପଣା ଧନ ପର ହାତରେ ଟେକି ଦିଏ ତା’ର ଆଉ ଅନ୍ୟ ଉପାୟ କ’ଣ–ଏଇ ଅଇଁଠା ଚାଟିବାଠାରୁ ?

 

ଶରତ ଆସେ ଶେଫାଳୀ ଝଡ଼ା ସକାଳ ଆଣି । ଏତେ ପାଣି ଏତେ ବରଷା ଭିତରେବି ବିଲରେ ନୀଳନୀଳ ଲହରୀ ଖେଳିଉଠେ କଞ୍ଚା ଧାନର ସରୁ କେନାରେ । କୁଆଁଇପୂନିଅର ଜହ୍ନ କୁଆଁରୀଙ୍କ ଚାନ୍ଦ ବନ୍ଦାଣ ଗାଇ ଚାଲିଯାଏ–ମୁହଁରେ ସେଇ ଗୀତର ଘୋଷା ଧରି ।

 

କୁଆଁର ପୁନେଇଁ ଜହ୍ନ ଗୋ ! ଫୁଲ ବଉଳବେଣୀ–

 

କୁଆଁରୀମାନେ ଯେ ପୁଚି ଖେଳୁଚନ୍ତି

 

ଝୁଣ୍ଟିଆ ଶବଦ ଶୁଣ ଗୋ ! ଫୁଲ ବଉଳବେଣୀ ।

 

ଶାରଦୀୟ ଦୂର୍ଗା ପୂଜାରେ ଢୋଲ ଟମକ ବାଜି ଉଠେ । ସହରରେବି ବାଜେ–ଗାଁରେବି ବାଜେ । ଗାଁରେ ନବପତ୍ରୀରେ ସାଜି ହୋଇ କଳସ ବସନ୍ତି–ପୂର୍ଣ୍ଣ ଘଟ । ସହରରେ ଚିକି ମିକି ସାଜରେ ପ୍ରକାଣ୍ଡ ପ୍ରକାଣ୍ଡ ମୂର୍ତ୍ତି । ସହରର ଐଶ୍ୱର୍ଯ୍ୟମୟୀ ଗାଁରେ ଆସି ଶାନ୍ତି ରୂପେଣ ସଂସ୍ଥିତା ହୁଅନ୍ତି । କେଉଁ ବର୍ଷ କେଉଁଥିରେ ଆସି ଦେବୀ କେଉଁଥିରେ ଯାଆନ୍ତି–ପାଞ୍ଜି କହିଦିଏ । କେଉଁ ବର୍ଷ ଦୋଳିରେ ତ କେଉଁ ବର୍ଷ–ଗଜରେ । କେଉଁ ବର୍ଷ ବର୍ଷା ହୁଏତ କେଉଁ ବର୍ଷ ମଡ଼କ । ଯେଉଁ ବର୍ଷ ଠାକୁରାଣୀ ଭଲରେ ଆସି ଭଲରେ ଯାଆନ୍ତି ସେ ବର୍ଷର ଭଲଟାବି ଆଗ ବର୍ଷର ମନ୍ଦ ବିଷରେ ବିଷର୍ପି ଯାଇଥାଏ । ସୁଖ ବୋଲି ଗୋଟାଏ ଜିନିଷ ଏ ଗାଁରୁ କିଏ ଯିମିତି ଛଡ଼େଇ ନେଇ ଯାଇଛି ।

 

ଶୀତ ଆସେ । କାର୍ତ୍ତିକ ମାସ । ଘରେ ଘରେ ହବିଷା ସଞ୍ଜ ହେଲେ ଆକାଶରେ ଉଠେ ଆକାଶଦୀପ । ସକାଳୁ ହୁଏ ଠାକୁରଙ୍କର ମଙ୍ଗଳ ଆଳତି–ନାମ ସଂକୀର୍ତ୍ତନ–ପ୍ରଭାତୀ । ତୁଳସୀ ମୂଳରେ ସରୁ ମନର ନମୁନା–ମୁରୁଜ । ଭାଟ କୟେବାର ଆସି ଗାଇ ଦେଇଯାଏ–‘ରାମ କହେ କାମ୍‌ ସରେ–ରଘୁନାଥ ବିନା ଦୁଃଖ କୋନ ହରେ ।’ ପଞ୍ଚକର ପୁଣ୍ୟଯାକ ଯେମିତି ଏ ଗାଁରେ । ସହରର ଚିନ୍ତା ନାହିଁ–ଦଳ ନାହିଁ–ଏ ଜୀବନ ପରେ ଆଉ ଜୀବନ ଅଛି କି ନାହିଁ । ସେପୁରପାଇଁ ମଣିଷର କିଛି ସଞ୍ଚୟ କରିବା ଦରକାର ପଡ଼େ କି ନାହିଁ ! ମୂର୍ଖ ଏଇ ଗାଁଟା ଖାଲି ଏ ଦୁନିଆରେ ସର୍ବସ୍ୱ ହରେଇ ଚାହିଁ ବସିଥାଏ ସେ ଦୁନିଆରେ ସୁଖ ପାଇବା ଆଶାରେ–ଅନ୍ତକାଳେ ବୈକୁଣ୍ଠରେ ବସିବାର ଆଶାରେ–କାର୍ତ୍ତିକ ପୁରାଣ ଶୁଣି ।

 

ଚାହୁଁଚାହୁଁ ପୁଣି ମାର୍ଗଶିର ମାସ ପଡ଼େ–ସବୁମାସମାନଙ୍କରେ ମାର୍ଗଶିର ସାର–ମାସ ମଧ୍ୟରେ ମାର୍ଗଶିର । ଧାନ ଅମଳ ହୁଏ । ଲକ୍ଷ୍ମୀ ହସି ଉଠନ୍ତି । ଘରେ ଘରେ ଗୁରୁବାର ସେର ଓଷା-। ଧାନ ମାଣିକା ବସେ । ଲିପା ଘରଦୁଆରରେ ଲକ୍ଷ୍ମୀପାଦ ଝୋଟି ପଡ଼େ । କାନ୍ଥରେ ବାଡ଼ରେ ଝୋଟି-ଚିତା । ଘରେ ଲକ୍ଷ୍ମୀ । ମାଣ ଉପରେ ଲେଖା ମୁହୁଣ୍ଡାଟିଏ । ମାଣ ଭିତରେ ଶୁକ୍ଳଧାନ-। ମାଣ ଉପରେ ତିନୋଟି ଗୁଆ । ତା’ ଉପରେ ଶୁକ୍ଳଧାନର ମେଣ୍ଟା । ମା ଲକ୍ଷ୍ମୀ ବିଜେ କରନ୍ତି–‘ଏକାଘର କରାଉ ସହସ୍ର ଘର ଭାଙ୍ଗି–ସହସ୍ର ଘର କରାଉ ଏକଘର ଭାଙ୍ଗି’ । ଆଜି ଯାଏଁ ଯେମିତି ସେ ଲକ୍ଷ୍ମୀ କେବଳ ସହସ୍ର ଘର ଭଙ୍ଗାଇ ଆସିଚନ୍ତି ଏକଘର କରିବାପାଇଁ । ଶାସ୍ତ୍ରରେ ଥିବା ଆର କଥାଟା ହେବ କେବେ ? ଏଇ ଶୋଷକ ଗୋଷ୍ଠୀର ଘର ଗୋଟି ଗୋଟି କି ଭାଙ୍ଗି ସହସ୍ର ଶୋଷିତଙ୍କ ଘର ତିଆରି ହେବ କିଏ ଜାଣେ । କିନ୍ତୁ ପୂଜା ସେ ପାଉଚନ୍ତି–ଧନୀ ଗରିବ, ବ୍ରାହ୍ମଣ ଚଣ୍ଡାଳ ସମସ୍ତଙ୍କଠାରୁ ।

 

ଲକ୍ଷ୍ମୀ ପୂଜା ନୁହେଁ–ନାରୀ ଜାତିର ପୂଜା–ମାତୃ ଜାତିର ପୂଜା–ଗୃହଲକ୍ଷ୍ମୀର ପୂଜା । ବଳରାମ ସେଦିନ କହିଥିଲେ–‘ଭାରିଯା ଅଟଇ ସିନା ପାଦର ପାଣ୍ଡୋଇ ।’ ତାକୁ ଫିଙ୍ଗିଦେଇ ହେବ-? ନୂଆ ପୁଣି କିଣି ଆଣି ହେବ । ଚଣ୍ଡାଳୁଣୀ ଲକ୍ଷ୍ମୀକୁ ଘରୁ କାଢ଼ି ଦିଆଗଲା । ଲକ୍ଷ୍ମୀ ସେଇଠି କହିଲେ–‘‘ଜଗନ୍ନାଥ ମହାପ୍ରଭୁ ଯେବେ ନ ଖୋଜିବେ–ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ-

 

ମୋତେ ଘନି ପ୍ରଭୁ ଯେବେ ନ କରିବେ ଘର । କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ।’’

 

ଲକ୍ଷ୍ମୀଙ୍କ ଟେକ ହେଲା । ବଳରାମଙ୍କ ଚଳ ଭାଙ୍ଗିଲା । ଶେଷକୁ ସେ ନିଜ ମୁହଁରେ ଭାଇବୋହୂ ଲକ୍ଷ୍ମୀଙ୍କ ସବୁ ସ୍ୱାଧୀନତା । ଦେଇ କହି ପଠାଇଲେ–‘‘ଆମ୍ଭେ ଦୋଷ କଲୁ ବୋଲି କହି ତାଙ୍କ ଯାଇ । ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ ।’’

 

ଏଇ ମା, ଏଇ ମାତୃଜାତି, ସେ ନିଜର ସ୍ୱାଧୀନତା । ନିଜପାଇଁ ଖୋଜି ନଥିଲା । ସେ ସ୍ୱାଧୀନତା ଖୋଜିଥିଲା, ଏହି ଦଳିତ ଅତ୍ୟାଚାରିତ ଜାତିକୁ ଟେକି ଧରିବାପାଇଁ । ସେ ଚାହିଁଥିଲେ ମା ଆଗରେ ସମସ୍ତ ସମାନ–ଉଚ୍ଚନୀଚ କେହି ନାହିଁ । ସେଥିପାଇଁ ସେ ଶେଷରେ ଜଗନ୍ନାଥଙ୍କଠୁ ସତ୍ୟ କରାଇ ନେଲେ–‘‘ଚଣ୍ଡାଳ ବ୍ରାହ୍ମଣଯାକ ଖୁଆଖୋଇ ହେବେ–ହାଡ଼ି ହସ୍ତୁ ବ୍ରାହ୍ମଣ ଯେ ଛଡ଼ାଇ ଖାଇବେ ।’’

 

ଆଜି ସେଇ ଲକ୍ଷ୍ମୀଙ୍କର ପୂଜା ଚାଲିଚି । ସେ ଖାଲି ଏଇ ଧାନ ମାଣକରେ । କିନ୍ତୁ ଏଇ ଗାଁର ଘରେ ଘରେ ଯେଉଁ ଲକ୍ଷ୍ମୀର ପ୍ରତିମୂର୍ତ୍ତି ତା’ର ପୂଜା କାହିଁ ? ରତନୀର ପୂଜା କାହିଁ ? ଦେବକୀର ପୂଜା କାହିଁ ?

 

ଆଜି ସେଇ ଲକ୍ଷ୍ମୀଙ୍କର ପୂଜା ଚାଲିଚି । କିନ୍ତୁ କାହିଁ ବ୍ରାହ୍ମଣ ଚାଣ୍ଡାଳ ଏକ ହୋଇଚନ୍ତି କେଉଁଠି ! ଲକ୍ଷ୍ମୀ ବଡ଼ ଦେଉଳରୁ ଯାଇ ଶ୍ରୀୟା ଚଣ୍ଡାଳୁଣୀକି ଅଚଳାଚଳ ସମ୍ପତ୍ତି ଦେଇଚନ୍ତି କେଉଁଠି-? ତଥାପି ଏ ଲକ୍ଷ୍ମୀ ପୂଜା ।

 

ସହରରେ କିନ୍ତୁ ଏଇ ମାଣ ପୂଜାବି ନାହିଁ । କାର୍ଯ୍ୟରେ ନ ହେଉ ଭାବରେବି ହୁଏ ନାହିଁ । ସେଠି ଲକ୍ଷ୍ମୀ ମଣିଷର–ପୁରୁଷର ଗୋଲାମ–ଦାସୀ । ସହରର ଏଇ ବେପରୁଆ ଭିତରେ ମଧ୍ୟ କି ଜଘନ୍ୟ ପରାଧୀନତା ! ନାରୀ ପୁରୁଷର ଦାସୀ ନୁହେଁ–ପୁରୁଷଙ୍କ ପଇସାର ଦାସୀ । ଆଉ ସେଇ ଦାସତ୍ୱକୁ ନାରୀ ତା’ର ନିଜ ଅଙ୍ଗର ଭୂଷଣ କରି–ଆଭରଣ କରି ଗୌରବ ମନେ କରୁଛି । ଲକ୍ଷ୍ମୀ ଏଠା ଚଣ୍ଡାଳୁଣୀ ହେବାକୁ ଯାଆନ୍ତି ନାହିଁ–ଯିଏ ତଳେ ଅଛି, ଯେ ଉଠିପାରୁ ନାହିଁ, ତାକୁ ଉଠେଇ ଦେବାକୁ ଚାହାଁନ୍ତି ନାହିଁ–ଲକ୍ଷ୍ମୀ ଏଠି ନିଷ୍ପେଷିତ ଶୋଷତର ବୁକୁ ଉପରେ ଠିଆହେଇ ଶୋଷଣକୁ ଅସ୍ୱୀକାର କରି ମହାକାଳୀର ନୃତ୍ୟ କରନ୍ତି । ଏଠି ନିଜେ ନୀଚ ହୀନ ହୋଇ ଲକ୍ଷ୍ମୀ ଆପଣାକୁ ବେଶଭୂଷାରେ ସଜାଇ ଉଚ୍ଚ ବୋଲି ପ୍ରମାଣ କରିବାକୁ ଚାହାଁନ୍ତି–ଦେଖେଇ ହେବାକୁ ଚାହାଁନ୍ତି ।

 

ସବୁ ଅଭାବ–ସବୁ ଅଭିଯୋଗ–ସବୁ ଦୁଃଖ ସବୁ ଦୈନ୍ୟ ସତ୍ତ୍ୱେ ସେଇ ଗାଁ–ସେ ଲକ୍ଷ୍ମୀଠାକୁରାଣୀ ମାଣବସା ଗାଁ ଆମର ଢେର୍ ଭଲ–ଶହେଗୁଣେ ଭଲ ।

 

ସେଇ ଗାଁ ଉପରେ ପୁଷମାସର ଖରା ପୁସ୍‌ଫୁସ୍‌କି ଉଡ଼ିଯାଏ–ଧନୁମୁଆଁର ଲିଆ ପରି । ସେଇ ଗାଁର ମାଘମାସରେ ବାଘ ଶୀତ ଆସି ଅଘିରାରେ ପୋଡ଼ି ମରେ । ସେଇ ଗାଁ ଫଗୁଣ ଫଗୁଖେଳରେ ଆଗୁଆ ହୋଇ କ୍ଷଣକପାଇଁ ଭିତରର ସବୁ ଦୁଃଖକୁ ନାଲି ନାଲି ଅବିରରେ ଉଡ଼େଇ ଦିଏ । ଚଇତର ଚଇତାଳି ପବନରେ ରଇତ ଘୋଡ଼ାର ଛିଟ ପଣତ ଉଡ଼ି–ଚଢ଼େୟା ଚଢ଼େୟା–ଶୀଙ୍କ ଜଳା ଚାରିଜାତି ଧଳା ଚାରିଜାତି ଗୀତରେ ତାଳ ଦେଇ ଦେଇ ନାଚେ ।

 

ଏଇ ଗାଁ–ଏଇ ଗାଁ–ଏଇ ଗାଁ କେଡ଼େ ସୁନ୍ଦର–କେତେ ମିଠା । ସତେ ଏଇ ଗାଁର ପ୍ରତି ଧୂଳିବାଲିରେ ଯେମିତି କେତେ ପାଠ ଲେଖା ହୋଇଚି । ତାକୁ ପଢ଼ୁଚି କିଏ ? କାହାର ଧୈର୍ଯ୍ୟ ଅଛି-?

Image